ଲଙ୍ଗଳ

plough 42800 960 720
Reading Time: 6 minutes

ଲଙ୍ଗଳକୁ ନଙ୍ଗଳ ଲୋକେ ଫାଳ ମଧ୍ୟ କହନ୍ତି। କାରଣ ଏହା ମାଟିକୁ ଦୁଇ ଫାଳ କରୁଥିବାରୁ ଏହାକୁ ଫାଳ କହନ୍ତି। ଲଙ୍ଗଳ ଏକ ଦେଶଜ ଶବ୍ଦ। କର୍ଷଣ ଏକ ସଂସ୍କୃତ ଶବ୍ଦ। ତେଣୁ ଆର୍ଯ୍ୟମାନେ ଆସିବା ପୂର୍ବରୁ ଲଙ୍ଗଳର ବ୍ୟବହାର ଏଠାରେ ଥିଲା ବୋଲି କୁହାଯିବ। ଲଙ୍ଗଳର ବ୍ୟବହାର ଅତି ପ୍ରାଚୀନ ଓ ଏହା ପାରମ୍ପରିକ ଭାବରେ ବ୍ୟବହାର ହୋଇ ଆସିଛି। ଲଙ୍ଗଳକୁ ଆମେ ଆଜି ଯେମିତି ଦେଖୁଛେ ବହୁତ ଦିନ ପୂର୍ବେ ତାହା ସେପରି ନଥିଲା। ତାହାର ରୂପ ଭିନ୍ନ ପ୍ରକାରର ଥିଲା। ପରିମାର୍ଜିତ ହୋଇ ଆଜି ବିଭିନ୍ନ ରୂପ ନେଇଛି। ନିଆଁର ବ୍ୟବହାର ଜାଣିବା ପରେ ଖାଦ୍ୟକୁ ରୋଷେଇ କରି ଖାଇବା ଜାଣିବା ପରେ ଜମି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲା। ପ୍ରଥମେ ବଣ ଜଙ୍ଗଲର ବଣୁଆ ଫଳ ଆଣି ଖାଇଲା ପରେ ସେହି ମଞ୍ଜି ବା ଗଛକୁ ଆଣି ଲଗାଇ ଚାଷକରି ଭଲ ଫଳ ଉତ୍ପନ୍ନ କଲା।

ମଣିଷ ଜୀବନର ଅନେକ ସମୟ (ମୋଟା ଅଂଶ), ମଣିଷ ଯାଯାବର ଭାବରେ କଟାଇଛି। ସେତେବେଳେ ସେ ଖାଲି ଯେ ମାଂସ ଖଇଛି ତା ନୁହେଁ; ବଡ଼ଜନ୍ତୁ – ମାମଥ, ବାଇସନ ଓ ହରିଣ ଶିକାର କରିଛି । ଏହା ବ୍ୟତୀତ କୋଳି, ଫଳମୂଳ ସଂଗ୍ରହ କରି ଖାଇଛି। ପ୍ରାଗୈତିହାସିକ ମଣିଷ ଖାଦ୍ୟର ଏକ ତୃତୀୟାଂଶ ଥିଲା ସାଂସ, ବାକି ଫଳ ଓ ଚେରମୂଳ । ସେମାନଙ୍କ ଦଳରେ କୋଡ଼ିଏ ପାଖାପାଖି ମଣିଷ ଏକାଠି ଥିଲେ । ଦଶ ହଜାର ବର୍ଷ ପୂର୍ବରୁ କୃଷି ଆବିଷ୍କୃତ ହେଲା । ଏକା ଦିନେ ମଣିଷ ଚାଷ ପଦ୍ଧତି ଶିଖିଗଲା ନାହିଁ । ଲଙ୍ଗଳ ଛଅ ହଜାର ବର୍ଷ ପୂର୍ବେ ଆବିଷ୍କୃତ ହୋଉଛି । ତା’ପୂର୍ବରୁ ମୃଗ ଶିଙ୍ଗରେ ମାଟି ତାଡ଼ି ମଣିଷ ଚାଷ କରୁଥିଲା । ମଣିଷ ଯେଉଁ ପଶୁ ପାଳିଲା ତାହା ଯେପରି ଗୃହପାଳିତ ପଶୁ ନାମରେ ପରିଚିତ, ସେହିପରି ଯେଉଁ ଗଛ ଚଷିଲା, ଲଗାଇଲା ଓ ପୋଷିଲା ତାକୁ ଗୃହପାଳିତ ଗଛ କହିବା ଯୁକ୍ତିଯୁକ୍ତ । ଗୃହପାଳିତ ପଶୁ ଆମେ କହିବା, ଲେଖିବା ବ୍ୟବହାର କରୁ; ଗୃହପାଳିତ ଗଛ ନୁହେଁ । ନିକଟ ପ୍ରାଚ୍ୟ ଅଂଚଳରେ ହଜାର ହଜାର ବର୍ଷ ଧରିକି ବଣୁଆ ଗହମ ଓ ଯବ (ବାର୍ଲି) ଗଛ ଉଠୁଥିଲା, ଏହାର ମଞ୍ଜିକୁ ବିହନ କରି ମଣିଷ ଚାଷ ଆରମ୍ଭ କରିଛି । ବିଭିନ୍ନ ଦେଶରୁ ଫଳମୂଳ ସ୍ଥାନାନ୍ତର ଘଟିଛି । ଯଥା ଆରବିଆନ ଦେଶରୁ ଝୁଡ଼ଙ୍ଗ ଭାରତକୁ ଆସିଛି । ଅମୃତଭଣ୍ଡା ବ୍ରାଜିଲରୁ ଆସିଛି । ଟମାଟୋ ବିଲାତରୁ ଆସିଛି । ବିଲାତି ଆଳୁ ବିଲାତରୁ ଆସିଛି । ଲଙ୍କା ଶ୍ରୀଲଙ୍କାରୁ ଆସିଛି ।

ଚାଷୀମାନେ କେତେକ ପଶୁଙ୍କୁ ପୋଷା ମନେଇଛନ୍ତି । ମଣିଷର ପ୍ରଥମ ପୋଷା ଜୀବ ଅବଶ୍ୟ କୁକୁର । ଶିକାରୀ ମଣିଷ ତାକୁ ପୋଷା ମନେଇଲା; ଚାଷୀ ନୁହେଁ । ଶିକାର କଟା ହେଉଥିବା, ପୋଡ଼ା ହେଉଥିବା ବା ଖିଆ ହେଉଥିବା ସ୍ଥାନରେ କୁକୁର ଯାଇ ଲାଞ୍ଜ ହଲାଏ, ଖଣ୍ଡେ ଖଣ୍ଡେ ପାଏ। ମଣିଷ ଦେଖିଲା, ଜୀବଟା ବେଶ୍ ଦରକାରୀ। ସମସ୍ତେ ଶିକାରକୁ ବାହାରିଗଲେ, ଗୁମ୍ଫା ଜଗୁଛି, ବୋଲ ମାନୁଛି ; ବୋଲ ମାନି କୁକୁର ଶିକାରରେ ସାହାଯ୍ୟ କରୁଛି । ସେହିଦିନୁ ସେ ମଣିଷର ବନ୍ଧୁ ପୋଷା ଜୀବ ।

କୁକୁର ବ୍ୟତୀତ ମଣିଷ ଗାଈ, ଛେଳି,ମେଣ୍ଡା, ଘୂଷୁରି ଓ ବତକ, ହଂସ ପାଳିଲା । ସେମାନଙ୍କ କ୍ଷୀର ପିଇଲା , ମାଂସ ଖାଇଲା, ଚମଡ଼ା ବି ପିନ୍ଧିଲା । ଆଜିଯାଏ ମଣିଷ ଏତିକି ଜୀବ ପୋଷୁଛି । ଚମଡ଼ାକୁ ଯଦିଚ ଲୁଗାପରି ପିନ୍ଧୁନାହିଁ, ଜୋତା କରି ପିନ୍ଧୁଛି । ଚାଷକରି ଓ ପଶୁ ରଖି ମଣିଷ ଗୋଟିଏ ସ୍ଥାନରେ ବାନ୍ଧି ହୋଇ ରହିଲା । ଫସଲ ବୁଣିଲା ଅମଳ କଲା; ଆଉ ଯିବ କୁଆଡେ଼ ? ସମସ୍ତେ ଏକାଦିନେ ଚାଷୀ ହୋଇଗଲେ, ଏପରି ନୁହେଁ । ଯାଯାବର ମଧ୍ୟ କେତେକ ରହିଲେ । ଚାଷକରି ଗୋଟିଏ ସ୍ଥାନରେ ରହିବାରୁ ଜନସଂଖ୍ୟା ଦ୍ରୁତ ଭାବେ ବଢ଼ିଲା କେତେକେତେ ଗାଁ ବଡ଼-ଗାଁ ହେଲା । ସେଥିରୁ ବାଛି ହୋଇ କେତେକ ବଡ଼-ଗାଁ ନଗର ହେଲା । ରାସ୍ତାଘାଟ ହେଲା, ଜଳନିଷ୍କାସନ ପାଇଁ ନାଳ ହେଲା । କିଣାବିକା ମଧ୍ୟ ଚାଲିଲା । ।

*

ମୃଗ ଶିଙ୍ଗରୁ ତେଂଟାରେ ମାଟି ଖୋଳିବାକୁ ଆରମ୍ଭ କଲା । ପରେ ବଙ୍କୁଆ କାଠ ଖଣ୍ଡକୁ ଜଣେ ଧରିଲା ଆଉ ଜଣେ ଟାଣିବାକୁ ଆରମ୍ଭ କଲା । ଏଇହେଲା ଲଙ୍ଗଳର ଆଦ୍ୟ ଅବସ୍ଥା । ଚଷା ଜାତି ଏହି ଦିନଠାରୁ ଆରମ୍ଭ ହୋଇଛି । ପୃଥିବୀର ପ୍ରଥମ କୃଷିକର୍ମ ଖ୍ରୀ.ପୂ. ୮୦୦୦ ରେ ମେସୋପଟମିଆରେ ଆରମ୍ଭ ହୋଇଥିଲା । ଏଇ ତେଂଟା ଦ୍ୱାରା ମାଟି ତାଡ଼ିବା କାମ ଆରମ୍ଭ ହୋଇଥିଲା । ରାଜବଂଶ ଆରମ୍ଭ ପୂର୍ବରୁ ମିଶରରେ ହଳ ଥିଲା । କାଠ ମୂନରେ ହଳକାମ ହେଉଥିଲା । ହଳରେ ଗାଈ ବା ବଳଦ ଯୋଚା ହେଉଥିଲେ । ଖ୍ରୀ.ପୂ.୨୭୦୦ରେ ମିଶରର ଗୋଟିଏ କାନ୍ଥରେ ଲଙ୍ଗଳରେ ଜଣେ ହଳକରୁଥିବା ଦୃଶ୍ୟ ଓ ପଛରେ ଜଣେ କାନ୍ଧରେ ଝୁଲାଇ ଥିବା ଥଳିରୁ ବିହନ କାଢ଼ି ବୁଣୁଥିବା ଦୃଶ୍ୟ ଅଙ୍କନ କରାଯାଇଛି । ଆଉ ପଛରେ ଜଣେ ପୋଷା ମେଣ୍ଢାପଲକୁ କ୍ଷେତରେ ଅଡେ଼ଇବାର ଦୃଶ୍ୟ ଅଛି । କ୍ଷେତରେ ମେଣ୍ଢା ବୁଲାଇବାର ଅର୍ଥ ମେଣ୍ଢା ଚାଲିଲେ ଭଳ ଫସଲ ଉତ୍ପନ୍ନ ହେବ ଓ ମଞ୍ଜି ସବୁ ମାଟି ଭିତରେ ପଶିଯିବ ଓ ମାଟି ସମାନ ହେବ । ଏଥିରୁ ଅନୁମାନ ହେଉଛି ଖ୍ରୀ.ପୂ. ୨୭୦୦ ବେଳକୁ ଲଙ୍ଗଳ ବାହାରିଲାଣି । ପରେ ଲୁହାର ବ୍ୟବହାର ଜାଣିବା ଦ୍ୱାରା ଲଙ୍ଗଳରେ ଲୁହା ଲଗାଗଲା । ଲୁହାର ବ୍ୟବହାର ଆଜକୁ ୩୮୦୦ ବର୍ଷ ପୁର୍ବେ ବା ଖ୍ରୀ.ପୂ ୧୮୦୦ରେ ହିଟ୍ଟିମାନଙ୍କଦ୍ୱାରା ହୋଇଥିଲା । ଘୋଡ଼ା ବିଲେଇ କୁକୁର ଛେଳି ମେଣ୍ଢାକୁ ପୋଷା ମନାଇବା ବିଭିନ୍ନ ସମୟରେ ହୋଉଥିଲା । କୁକୁର ଖ୍ରୀ.ପୂ ୧୧,୦୦୦, ଛେଳି-୮,୫୦୦, ମେଣ୍ଢ-୮,୦୦୦ ଘୁଷୂରୀ-୭,୫୦୦ ଗାଈ/ମଇଁଷି/ ବିରାଡ଼ି-୭,୦୦୦ କୁକୁଡ଼ା-୬,୦୦୦ ଗଧ/ଘୋଡ଼ା-୪,୦୦୦ ଖ୍ରୀ.ପୂରେ ପୋଷା ମନେଇଥିଲେ । କିନ୍ତୁ ଲଙ୍ଗଳ ବାହାରିବା ଦ୍ୱାରା ବଳଦକୁ ଲଙ୍ଗଳରେ ଯୋଚା ଗଲା । ଚକ ବାହାରିବା ଦ୍ୱାରା ଶଗଡ଼ ତିଆରି ହେଲା ଶଗଡ଼ରେ ବଳଦ ଯୋଚା ହେଲା । ଲଙ୍ଗଳରେ ବଳଦ ଯୋଚା ହେଲେ । ସମୟକ୍ରମେ ଏ ସବୁ ଯୋଡ଼ା ହେଲା । ଲଙ୍ଗଳରେ ଲୁହା ପଡ଼ିବା ଏଥିରେ ଈଶ କଂଟି ଲଗା ଯିବା ପରେ ଆରମ୍ଭ ହେଲା । ପ୍ରଥମେ ଖଣ୍ଡିଏ କାଠ ବ୍ୟବହାର ହେଉଥିଲା । ଲୁହା ଲଙ୍ଗଳ ଏବେ ଆରମ୍ଭ ହୋଇଛି । ଆଜି ମଧ୍ୟ କଳ ଲଙ୍ଗଳ ବ୍ୟବହାର ହେଲାଣି । ଥରେ ଗୋଟିଏ ନୂଆ ଜିନିଷ ବାହାରିଲେ ତାହା ସାର ପୃଥିବୀରେ ପହଂଚି ଯାଉଥିଲା । ସେତେବେଳେ ଦେଶଦେଶ ସହିତ ବେପାର ବଣିଜ ଚାଲିଥିଲା । ଏହି ବେପାର ବଣିଜ ଆଦାନପ୍ରଦାନର ମାଧ୍ୟମ ଥିଲା । ଖ୍ରୀ.ପୂ. ୨୭୦୦ରେ ମିଶରରେ ଲଙ୍ଗଳ ବାହାରିବା ଦ୍ୱାରା ଏହା ଚାରିଆଡ଼କୁ ପ୍ରସାରଲାଭ କରିଥିଲା । ମିଶରମାନେ ଭାରତୀୟମାନଙ୍କ ସହିତ ବେପାର ବଣିଜ କରୁଥିଲେ । ସେମାନେ ଭୂମଧ୍ୟସାଗର-ଲୋହିତ ସାଗର ସଂଯୋଗ ସ୍ଥଳ ଦେଇ ଭାରତରେ ପହଂଚୁଥିଲେ । ଏହି ସୂତ୍ରରେ ଲଙ୍ଗଳ ଭାରତରେ ପହଂଚିଲା । ଆର୍ଯ୍ୟମାନେ ଭାରତକୁ ଆସିଲାବେଳକୁ ଲଙ୍ଗଳ ଭାରତକୁ ଆସିସାରିଥିଲା ।

ସୈନ୍ଧବ ସଭ୍ୟତାର ମାଟି ଖନନରୁ ବାହାରିଥିବା ମୃଣ୍ମୟ ମୋହରମାନଙ୍କରେ ଛୋଟ ବିଦା (Toothed Harrow) ଚିତ୍ର୍ର ଅଙ୍କା ଯାଇଥିବାରୁ ଜଣା ପଡ଼ୁଛି ସିନ୍ଧୁ ସଭ୍ୟତାର ଲୋକେ ଲଙ୍ଗଳର ବ୍ୟବହାର ଜାଣି ଥିଲେ । ଚାଷବାସ କରୁଥିଲେ । ଏହି ଛୋଟ ବିଦା ହେଉଛି ତେଂଟା ଲଙ୍ଗଳର ଆଦ୍ୟାବସ୍ଥା । ଯଜୁର୍ବେଦ ତୈତିରୀୟ ସଂହିତାରେ ଲଙ୍ଗଳଦ୍ୱାରା ଗଭୀର ଚାଷ ହେଉଥିବାର ଜଣାଯାଏ ।

ଅଥର୍ବ ଦେଦର ଭୂମିସୂକ୍ତରେ ପୃଥିବୀକୁ ମାତା ହିସାବରେ ପରିକଳ୍ପନା କରାଯାଇଛି । ମାଆର ସ୍ତନରେ ଯେପରି ସନ୍ତାନ ପାଇଁ ଖାଦ୍ୟ ସଂଚୟ ହୋଇରହିଛି । ସେହିପରି ପୃଥିବୀମାଆର ଛାତିରେ ଆର୍ଯ୍ୟମାନଙ୍କପାଇଁ ପ୍ରଚୁର ଖାଦ୍ୟପଦାର୍ଥ ଭରି ରହିଛି । ମାତା ଭୂମିଃ ପୁତ୍ରୋଽହଂ ପୃଥିବ୍ୟାଃ । ଅଥର୍ବ ବେଦର (୩/୧୭/୩)ରେ ଆମେ ଚାଷ ସମ୍ପର୍କରେ ବର୍ଣ୍ଣନା ଦେଖୁ । ଲଙ୍ଗଳର ରୂପରେଖ ବିଷୟରେ ବର୍ଣ୍ଣନା ଅଛି । ଲଙ୍ଗଳକୁ ସୀର କହୁଥିଲେ । ଏହାର ଆଗରେ ଲୁହା ଲାଗୁଥିଲା ଯାହାର ନାମ ଫାଳ । ହଳରେ ଗୋଟିଏ ଲମ୍ବା ବାଉଁଶ ବନ୍ଧାଯାଉଥିଲା, ଯାହାର ନାମ ଥିଲା ଈଷା ବା ଈଷ । ଏହି ଈଷ ଉପରେ ଯୁଗ ବର ଯୁଆଳି ରହୁଥିଲା । ଯୁଆଳିରେ ବରତ୍ରା ବା ଯୋତ ଲଗାଯାଇ ବଳଦଙ୍କୁ ବନ୍ଧାଯାଉଥିଲା । ହଳିଆ ଲଙ୍ଗଳ ମୁଠିକୁ ଧରି ବଳଦଙ୍କୁ ଅଡ଼ାଉଥିଲା ଏବଂ ଲଙ୍ଗଳ କଂଟିକୁ ଭୂମିକୁ ମାଡ଼ି ଧରି ରଖାଯାଉଥିଲା ଫଳରେ ଚାଷ ହେଉଥିଲା । ।

ବେଦ ଉପନିଷଦ ରାମାୟଣ ମହାଭାରତରେ ଲଙ୍ଗଳର ବ୍ୟବହାର ବିଷୟରେ ଲେଖା ହେଇଥିବା ଜଣାଯାଏ । ଉପନିଷଦ ଯୁଗରେ ଋଷି ଧୌମ୍ୟ ଉପମନ୍ୟୁଙ୍କୁ ଜମିରେ ପାଣି ଦେଖିବାକୁ ପଠାଇଥିଲେ । ଏହି ଉପମନ୍ୟୁ ପରେ ଋଷି ଉଦାଳକ ଭାବରେ ପରିଚିତ ହେଲେ । ତେଣୁ ଉପନିଷଦ ଯୁଗରେ ଲଙ୍ଗଳର ବ୍ୟବହାର ଥିଲା । ରାଜା ଜନକ ଚାଷ କରୁ କରୁ ସୀତାଙ୍କୁ ଲଙ୍ଗଳ ସିଆରରୁ ପାଇଲେ । ତେଣୁ ରାମାୟଣ ଯୁଗରେ ଲଙ୍ଗଳର ବ୍ୟବହାର ଥିଲା । ପରେ ମହାଭାରତ ଯୁଗରେ ବଳରାମ ଲଙ୍ଗଳ ଧାରଣ କରିଥିଲେ । ପାଣ୍ଡବମାନେ ଅଜ୍ଞାତ ବନବାସରୁ ଫେରିବା ପରେ ସେମାନଙ୍କୁ ଅଧେ ଦେବା ପାଇଁ ଅନୁରୋଧ କଲେ । କିନ୍ତୁ ଦେଲେ ନାହିଁ । ସେମାନେ ଇନ୍ଦ୍ରପ୍ରସ୍ଥରେ ରାଜ୍ୟସ୍ଥାପନ କରି ହଳରେ କର୍ଷଣ କରି ରାଜ୍ୟର ଉନ୍ନତି କଲେ । ତେଣୁ ବୈଦିକ ଯୁଗ ପୂର୍ବରୁ ଲଙ୍ଗଳର ବ୍ୟବହାର ହେଉଥିବାର ଜଣାଯାଏ । ଶ୍ରୀକୃଷ୍ଣଙ୍କ ଭାଇ ବଳରାମ ଲଙ୍ଗଳ ଧାରଣ କରିଥିବାର ମହାଭାରତରୁ ଜଣାଯାଏ । “ନୁହେଁ ବଳରାମ ହାତେ ଲଙ୍ଗଳ, ପୂଜାପାଏ ନିତି ସଂଜସକାଳ ।” ଯିଏ ଯେତେ ଜ୍ଞାନ ଅର୍ଜ୍ଜନ କରିଥାଉ ପଛେ ଯେତେ ପଣ୍ଡିତ ହେଉଥାଉ ପଛେ ଚାଷି ଭାଇଟିଏ ସବୁଠାରୁ ବଡ଼ । କଥାରେ ଅଛି –

“ଦଣ୍ଡି ତରାଜୁ କି କଳମ ପେଷା, ସବୁ କାମଠାରୁ ଚାଷ ସରସା”।

ବୁଦ୍ଧଦେବଙ୍କ ଜୀବନୀରୁ ଜଣାଯାଏ କପିଳବାସ୍ତୁ ନଗରୀରେ ହଳ ପ୍ରତିଯୋଗିତା ହେଉଥିଲା। ଏହାକୁ ବପ୍ର ମଙ୍ଗଳ କହୁଥିଲେ। ଏହି ପ୍ରତିଯୋଗିତାରେ ଅନେକ କ୍ଷତ୍ରିୟ ରାଜା ମହାରାଜାମାନେ ଭାଗ ନେଉଥିଲେ। ଯିଏ ଭଲ ଚାଷ କରିପାରୁଥିଲା ତାକୁ ପୁରସ୍କାର ଦିଆଯାଉଥିଲା। ଏବକାର ଯେମିତି ମାଘସପ୍ତମୀ ମେଳା ହେଉଛି, ମେଳାରେ ବିଭିନ୍ନ କାରିଗରମାନେ ସେମାନଙ୍କର କୃତି ପ୍ରଦର୍ଶନ କରୁଛନ୍ତି, ସେତେବେଳେ ସେମିତି କ୍ଷତ୍ରିୟମାନେ ସେମାନଙ୍କର କୃତି ପ୍ରଦର୍ଶନ କରୁଥିଲେ। ବୁଦ୍ଧଦେବ ସେହି ହଳ ପ୍ରତିଯୋଗିତା ଦେଖିବାପାଇଁ ଗୋଟିଏ ବଗିଚାରେ ଯାଇ ବସିଥିଲେ। ଦେବଦତ ଏହି ହଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚାଷୀମାନେ ହଳ ପ୍ରତିଯୋଗୀତାରେ ଭାଗ ନେଇଥାନ୍ତି। ଏହି ଚାଷ କାର୍ଯ୍ୟରେ ରାଜା ସୁଦ୍ଧୋଧନ ଭାଗ ନେଇଥିଲେ। ୬ଷ୍ଠରୁ ୯ମ ଶତାବ୍ଦୀରେ ଶୌଳୋଦ୍ଭବି, ଭୌମ, ନନ୍ଦ ତୁଙ୍ଗ, ଭଞ୍ଜମାନେ ବ୍ରାହ୍ମଣମାନଙ୍କୁ ଆଗ୍ରାହାରା ପାଇଁ ଯେଉଁ ଜମି ପ୍ରଦାନ କରୁଥିଲେ ତାର ମାପ ହଳର ମାଳରେ କରୁଥିଲେ। ସେତେବେଳେ ଜମି ମାପ ହଳରେ ନିର୍ଦ୍ଧାରଣ କରୁଥିଲେ। ଗୋଟିଏ ହଳ ଯେତିକି ଜମି ଚାଷ କରିପାରିବ ସେତିକି ଜମିକୁ ଗୋଟିଏ ହଳ ଜମି କହନ୍ତି। ତୁଙ୍ଗମାନଙ୍କ ତମ୍ବାପଟାରେ କେତେକ ବ୍ରାହ୍ମଣଙ୍କୁ ହଳ ମାଳ ଆକାରରେ ଜମିପ୍ରଦାନ କରିଥିବାର ଜଣାଯାଏ। ଅନୁମାନ ହେଉଛି ସେତେବେଳେ ହଳ ଥିଲା ଓ ଲଙ୍ଗଳ ମଧ୍ୟ ଥିଲା। ଗଙ୍ଗମାନଙ୍କ ସମୟରୁ ଜମିର ମାପ ବାଟି ମାଣ ଗୁଣ୍ଠ ବିଶ୍ୱାରେ କରାଗଲା।

କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ପ୍ରାଚୀନ ଭୂଖଣ୍ଡର ନାମ ଓଡ଼ିଶା ହେଲା। ଏହି ସମୟରେ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। କପିଳେନ୍ଦ୍ରଦେବ ଜଣେ ପରାକ୍ରମୀ ରାଜା ଥିଲେ। ତାଙ୍କର ଦେହାନ୍ତ ଏହି ଯୁଦ୍ଧ କ୍ଷେତ୍ରରେ କୃଷ୍ଣା ନଦୀ କୂଳରେ ହିଁ ହୋଇଥିଲା। ଶୂଦ୍ରମୁନି ସାରଳା ଦାସ ଜାତିରେ ଜଣେ ଚାଷି ଥିଲେ। ତାଙ୍କ ନାଁ ଥିଲା ସିଦ୍ଧେଶ୍ୱର ପରିଡ଼ା। ହଳକରୁଥିବା ସମୟରେ ଡାକରା ଆସିଲା ଯୁଦ୍ଧକ୍ଷେତ୍ରକୁ ଯିବାପାଇଁ। ହଳ ବଳଦ ଛାଡ଼ି ଯୁଦ୍ଧ କ୍ଷେତ୍ରକୁ ଗଲେ। ତାମିଲ ଭାଷାର ମହାଭାରତକୁ ଅନୁକରଣ କରି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଲେ। କାଶିଆ କପିଳା କଥା ଆମେ ଇତିହାସରେ ପଢ଼ିଛେ। କାଶିଆ ଗାଈ ଚରାଉଥିଲା ଓ କପିଳା ଚାଷ କରୁଥିଲା। ଗଙ୍ଗବଂଶର ଶେଷ ରାଜା ମତଭାନୁ ଅପୁତ୍ରିକ ଥିବାରୁ କପିଳାକୁ କୋଠିଆ ପିଲା ଭାବରେ ରଖାଇଥିଲେ ପରେ ତାକୁ ରାଜା କରାଇଲେ।

ଓଡ଼ିଶାରେ ଦଣ୍ଡଯାତ୍ରା ଗୋଟିଏ ବଡ଼ ପର୍ବ। ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳନ୍ତି।ଏଥିରେ ସେମାନେ ହଳ କରନ୍ତି। ଦୁଇଜଣ ଲୋକ ହାତ ଧରନ୍ତି। ଜଣେ ଦୁଇଜଣଙ୍କ ମଝିରେ ହାତ ଉପରେ ଗୋଡ଼ ଭର୍ତି କରି ଦୁଇଜଣଙ୍କ କାନ୍ଧରେ ହାତ ଧରି ବଳଦ ଭଳି ଓଡ଼ାନ୍ତି। ଏହି ହେଉଛି ହଳ କରିବାର ଦୃଶ୍ୟ। ପରେ ଧାନ ବୁଣନ୍ତି। ମଇ ଦିଅନ୍ତି। ଜଣଙ୍କର ହାତ ପଟୁ ଓ ଗୋଡ଼ ପଟୁ ଧରି ମଇ ଦିଅନ୍ତି। ତାପରେ କୂଅ ଖୋଳନ୍ତି। ଦୁଇଜଣ ଲୋକ ସମାନ୍ତରଳ ଭାବ ପୂର୍ବପଶ୍ଚିମରେ ଶୁଅନ୍ତି। ତାଙ୍କରି ଉପରେ ଆର ବାଗିଆ ଉତରଦକ୍ଷିଣ ଦୁଇଜଣ ଶୁଅନ୍ତି। ଏହି ପରି ଲୋକଙ୍କ ଉପରେ ଲୋକ ଶୋଇଲେ ମଝିରେ ଗୋଟିଏ ଗାତ ହୁଏ। ଏହାକୁ କୂଅ କହନ୍ତି। ଏହିପରି ଭାବରେ କୂଅ ଖୋଳନ୍ତି। ସବୁକାମ ସରିଲେ ଗାଧୋଇ ଯାନ୍ତି। ପୁଣି ଆସିଲେ ଠାକୁରଙ୍କର ଭୋଗ ଖିଆ ହୁଏ। ଏହା କେଉଁ କାଳରୁ ଚଳି ଆସୁଛି କହି ହେଉନାହିଁ। ଦଣ୍ଡଯାତ୍ରା ଏକ ଯୁଦ୍ଧଯାତ୍ରାର ଦୃଶ୍ୟ। ଧୂଳିଦଣ୍ଡ ଚାଷର ପ୍ରତୀକ। ରାତିର ନାଚ ମନୋରଞ୍ଜନର ପ୍ରତୀକ। ଏଥିରୁ ଅନୁମାନେ ହେଉଛି ଲଙ୍ଗଳର ବ୍ୟବହାର ନିଶ୍ଚୟ ଥିଲା।

ଆମ ଓଡ଼ିଶାରେ ଯେତେ ପର୍ବ ସବୁ ସେଇ ଚାଷି ଭିତ୍ତିକ ପର୍ବ। ଚାଷ ଜନଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଥିଲା। ଜଗନ୍ନାଥଙ୍କ ବାରମାସରେ ତେର ଯାତ୍ରା ଯାହା କୁହାଯାଉଛି ସେସବୁ ଚାଷୀ ଭିତ୍ତିକ। ଅକ୍ଷୟ ତୃତୀୟା ହେଲା ବା ଚିତାଲାଗି ବଳଭଦ୍ର ଜନ୍ମ ଚିତାଲାଗି ଅମାବାସ୍ୟା ରଜ ପର୍ବ ଓ ପ୍ରଥମାଷ୍ଟମୀ – ଏ ସବୁ ହେଲା ଚାଷୀ ଭିତ୍ତିକ ପର୍ବ। ଓଡ଼ ଶବ୍ଦର ଅର୍ଥ ହେଉଛି ଚାଷ। ଆମେ କହୁ କେତେ ଓଡ଼ ଚାଷ ହେଲା। ଓଡ଼ ଅର୍ଥ କେତେ ପରସ୍ତ ବା କେତେ ଥର। ଆଉ ଆମ ସାହିତ୍ୟରେ ବ୍ୟବହାର ହେଉଥିଲା ଓଡ଼ାଙ୍କ ଫେଡ଼ାଙ୍କ କଡ଼ା ବୋଡ଼ି କୋଡ଼ି ଯୋଡ଼ା ହଡ଼ା। ଏଇ ଚାଷରୁ ଏଇ ଦେଶର ନାଁ ଓଡ଼ିଶା ହୋଇଛି। କଥାରେ ଅଛି –

ଟାହିଆ ଉପରେ ଟାହିଆ ତିନି ମୁଣ୍ଡ ଦଶଗୋଡ଼
ଦେଖିଲୁ କିରେ ବାୟା
ଏ ହେଉଛି ହଳ କରିବାର ଏକ ଢ଼ଗ। ଏହାକୁ ପିଲାମାନେ ଅତି ମନୋରଞ୍ଜକ ଭାବେ ଗ୍ରହଣ କରି ଗାଇଥାନ୍ତି।
କଳ ଲଙ୍ଗଳେ କରିଲେ ଚାଷ, ରହିବନାହିଁ ବାଳୁଙ୍ଗା ଘାସ
ଚାଷ ତରତର ବଣିଜ ମଠ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲ ବାହାଦୂର ଶାସ୍ତ୍ରୀ ଗୋଟିଏ ନାରା ଦେଇଥିଲେ – ଜୟ ଜବାନ ଜୟ କିଷାନ। ଏ ଦେଶକୁ ଜବାନମାନେ ରକ୍ଷା କରିବେ; ଆଉ କୃଷକମାନେ ଖାଦ୍ୟ ଯୋଗାଇବେ। ଏହି ଦୁଇ କାମ ଚାଷୀମାନେ କରୁଥିଲେ। ମହାଭାରତ କାଳରେ ଶ୍ରୀକୃଷ୍ଣ ବା କୁରୁପାଣ୍ଡବବଂଶୀୟମାନେ କ୍ଷେତ୍ରିୟ ଆଉ ମଧ୍ୟ ଲଙ୍ଗଳରେ ଚାଷ କରୁଥିଲେ। ଏଥିରୁ ଅନୁମାନ ହେଉଛି ଏହି କ୍ଷତ୍ରିୟମାନେ ଚାଷ କରୁଥିଲେ ଓ ଯୁଦ୍ଧ ପରିଚାଳନା କରି ରାଜ୍ୟ ରକ୍ଷାକରୁଥିଲେ।

ଏସବୁ ଚାଷ ଉପରେ ଢ଼ଗ। ହେଲେ ଆଜି ଲଙ୍ଗଳ ବ୍ୟବହାର ବନ୍ଦ ହେବାକୁ ବସିଲାଣି। ତଥାପି ସେଇ ଲଙ୍ଗଳର ଭିନ୍ନ ରୂପ ଆଜି ହେଉଛି କଳ ଲଙ୍ଗଳ। ଟ୍ରାକ୍ଟର ହେଉଛି ବଳଦର ପ୍ରତୀକ, ଆଉ କଳ ଲଙ୍ଗଳ ହେଲା କାଠ ଲଙ୍ଗଳର ପ୍ରତୀକ। ସେଇ କଥା – କିନ୍ତୁ ଭିନ୍ନ ରୂପ। ଯୁଗ ବଦଳୁଛି କାଠ ତେଂଟା ବି ଆଜି ବି ନାହିଁ ତା’ର ରୂପ ନେଇଛି କଳ ଲଙ୍ଗଳ। ଯୁଗ ଆସିଲାଣି ଆଉ ବଳଦ ରହିବେନି। ତା’ର ରୂପ ନେବାକୁ ବସିଲାଣି ପାୱାର ଟିଲର ଓ ଟ୍ରାକ୍ଟର।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.