ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ - Utkal Odisha

ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ

THinking of others
Reading Time: 2 minutes

ଦୁନିଆରେ ଭାଇ ସ୍ୱାର୍ଥପର ହୋଇ ନିଜକଥା ଭାଳି ହୁଅନ୍ତି ସର୍ବେ

ଏଭଳି କେତେକ ମଣିଷ ଅଛନ୍ତି ପରକଥା ଯିଏ ସତତ ଭାବେ ।

ସେଭଳି ମଣିଷ ପୃଥିବୀ ବକ୍ଷରେ ରହିଯାନ୍ତି ସଦା ଅମର ହୋଇ

ସ୍ୱାର୍ଥପର କେବେ ମୃତ୍ୟୁବରିନିଏ ଏକଥା ଜଗତେ ଜାଣନ୍ତି ନାହିଁ ।

ହେଲେ ହୁଅ ପଛେ ସ୍ୱାର୍ଥପର ତୁମେ ପରହିତ ଚିନ୍ତାକର କିଂଚିତ୍

ଏହାଦ୍ୱାରା ତୁମ ଅମଙ୍ଗଳ ନୁହେଁ ଅନ୍ୟର ମଙ୍ଗଳ ହେବ ସାଧିତ ।

ସାଧାରଣତଃ ମଣିଷ ସମାଜରେ ଅନେକ ସ୍ୱାର୍ଥପର ବ୍ୟକ୍ତି ଥାଆନ୍ତି, ଯିଏ କି ନିଜ ଚିନ୍ତା ଛଡା ଆଉ କିଛି ବି ଜାଣନ୍ତି ନାହିଁ । ମାତ୍ର କୋଟିକରେ ଗୋଟିଏ ଭଳି ଖୁବ୍ କମ୍ସଂଖ୍ୟକ ଲୋକ ଥାଆନ୍ତି । ଯେଉଁମାନେ ସ୍ୱାର୍ଥଚିନ୍ତା ପରିହରି ଅନ୍ୟର ସେବାରେ ଲାଗିପଡିଥାନ୍ତି । କେବଳ ସେହିମାନଙ୍କୁ ହିଁ ମହାପୁରୁଷ ଆଖ୍ୟା ମିଳିଥାଏ, ଯେଉଁମାନେ ମରିଗଲା ପରେ ମଧ୍ୟ ଏ ଧରା ବକ୍ଷରେ ଅମର ହୋଇ କାଳକାଳକୁ ରହିଯାଆନ୍ତି । ମାତ୍ର ସ୍ୱାର୍ଥନ୍ୱେଷୀ ବ୍ୟକ୍ତିଟିଏ କେବେ ମରିଗଲେ, ଜଗତ ଜାଣିପାରେ ନାହିଁ । ସୁତରାଂ ସମାଜର ପ୍ରତ୍ୟେକ ମଣିଷ ସ୍ୱାର୍ଥପର ହେଲେ ହୁଅ ପଛେ, ଅନ୍ୟର କଥା ଟିକିଏ ଚିନ୍ତା କଲେ ନିଜର କୌଣସି କ୍ଷତି ହେବନାହିଁ, ବରଂ ଦୁଃଖୀର ଦୁଃଖ ସାମାନ୍ୟ ଲାଘବ ହୋଇପାରେ । ଆସ ଏ ସମ୍ବନ୍ଧରେ ମହାମାନୀ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜୀବନର କଥାଟିଏ ଶୁଣିବା ।

ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜଣେ ବନ୍ଧୁ ତାଙ୍କୁ ଭେଟିବାପାଇଁ ତାଙ୍କ ଘରକୁ ଆସିଥିଲେ । ବନ୍ଧୁ ଆସିବା ବେଳକୁ ବିଦ୍ୟାସାଗର କମଳା ଖାଉଥିଲେ । ଦୁହିଁଙ୍କର କୁଶଳବାର୍ତ୍ତା କଥୋପକଥନ ଭିତରେ କମଳା ଖାଇବା ପାଇଁ ବିଦ୍ୟାସାଗର ତାଙ୍କର ବନ୍ଧୁଙ୍କୁ ଅନୁରୋଧ କଲେ । ଏଥର ସେ ବନ୍ଧୁ ମଧ୍ୟ କମଳା ଖାଇବାରେ ଲାଗିଗଲେ । ହେଲେ ସେ ଦୁହିଁଙ୍କର କମଳା ଖାଇବା ଭିତରେ କିଛିଟା ଫରକ ଦେଖାଗଲା । ଈଶ୍ୱରଚନ୍ଦ୍ର କମଳାରୁ ରସ ଶୋଷି ଖାଇଦେଲାପରେ ତା’ର ଖଦାତକ ଗୋଟିଏ ସ୍ଥାନରେ ସାଇତି ରଖୁଥିଲେ । ମାତ୍ର ତାଙ୍କ ବନ୍ଧୁଜଣକ ତାକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ ।

ଏହାଦେଖି ବିଦ୍ୟାସାଗର କହିଲେ ବନ୍ଧୁ କମଳା ରସ ଖାଇସାରିଲା ପରେ ତୁମେ ତାକୁ ଏଣେତେଣେ ନ ଫୋପାଡି ସାଇତିରଖ, କାମରେ ଲାଗିବ ।

ଏକଥା ଶୁଣି ସେ ବନ୍ଧୁ ଆଶ୍ଚର୍ଯ୍ୟ ହୋଇ କହିଲେ, “କମଳାରୁ ରସ ଖାଇସାରିଲା ପରେ ଏହା ତ ସମ୍ପୂର୍ଣ୍ଣ ଅଦରକାରୀ । ଏଭଳି ଅଇଁଠା ଖଦାଗୁଡିକ କାହାର କି କାମରେ ବା ଆସିବ?”

ବିଦ୍ୟାସାଗର ଏହାଶୁଣି ହସି ହସି କହିଲେ “ଆସ, ସେଗୁଡିକ କି କାମରେ ଆସୁଛି ଦେଖିବା?”

ତହୁଁ ବିଦ୍ୟାସାଗର ସେହି କମଳା ଖଦାତକ ନେଇ ଘର ବାହାରକୁ ଚାଲିଗଲେ । ଘର ଆଗରେ ଥିବା ଚଉତରା ଉପରେ ରଖିଦେଇ ଦୁହେଁ ବାରଣ୍ଡାରେ ଅପେକ୍ଷା କଲେ । କିଛି ସମୟ ପରେ ଦଳେ କାଉ ଉଡିଆସି ସେସବୁକୁ ଥଂଟରେ ନେଇ ନିକଟରେ ଥିବା ଘରଚାଳ ଉପରେ ବସି ଆନନ୍ଦରେ ଖାଇଲେ ।

ଏଥର ବିଦ୍ୟାସାଗର କହିଲେ, “ଦେଖିଲ ତ ବନ୍ଧୁ, ତୁମେ ଯାହାକୁ ବେକାର ବୋଲି କହୁଥିଲ ତାହା କୁଆମାନଙ୍କର କେତେ କାମରେ ଲାଗିଲା । ତାକୁ ଖାଇ ସେମାନଙ୍କର ଜୀବନ ଧାରଣ ପାଇଁ ଉଦର ପୂରଣ ହୋଇଗଲା । ସୁତରାଂ ଆମେ ଯାହାକୁ ବେକାର ବୋଲି କହି ଫିଙ୍ଗି ନଷ୍ଟ କରି ଦେଇଥାଉ, ତାହା କୌଣସି ନା କୌଣସି ପ୍ରାଣୀଙ୍କର କାମରେ ନିଶ୍ଚୟ ଲାଗିଥାଏ । ଯଦି ଆମମାନଙ୍କ ମନରେ ପ୍ରାଣୀମାନଙ୍କ ପ୍ରତି କିଂଚିତ୍ କରୁଣା, ଦୟାଭାବ ଥାଆନ୍ତା, ତେବେ ଆମେ ସେମାନଙ୍କ କଥା ଟିକିଏ ଚିନ୍ତା କରନ୍ତେ । ଫଳରେ ଆମେ ଅଦରକାରୀ ବୋଲି କହି ନଷ୍ଟ କରି ଦେଉଥିବା ଦ୍ରବ୍ୟକୁ ଅନ୍ୟପ୍ରାଣୀଙ୍କୁ ଦେଇ ପୁଣ୍ୟ ଅର୍ଜନ କରିପାରନ୍ତେ ଓ ଅନ୍ୟପକ୍ଷରେ ଏଣେତେଣେ ନ ଫିଙ୍ଗି ପରିବେଶକୁ ପ୍ରଦୂଷିତ କରିବାରୁ ବି କ୍ଷାନ୍ତ ହୁଅନ୍ତେ ।”

ଏହାଶୁଣି ବିଦ୍ୟାସାଗରଙ୍କ ବନ୍ଧୁ ଜଣକ ହଠାତ୍ ସ୍ତବ୍ଧ ହୋଇଗଲେ । ସେଦିନ ସେ ସ୍ୱୀକାର କଲେ ଯେ, ଛୋଟ ଛୋଟ ବସ୍ତୁ ଭିତରେ ବି ବିରାଟର ସମ୍ଭାବନା ଲୁଚି ରହିଥାଏ । ସୁତରାଂ କୌଣସି ବସ୍ତୁକୁ କ୍ଷୁଦ୍ରବୋଲି କହି ହେୟ ମଣିବା ଅନୁଚିତ ।

ମୋଟ ଉପରେ କହିବାକୁ ଗଲେ “ଲୋକମାନେ ଅନେକ କ୍ଷେତ୍ରରେ ଏଭଳି ମହାନ୍ ଚିନ୍ତାଧାରାକୁ ଉପଲବ୍ଧି କରି ନପାରି କ୍ଷୁଦ୍ର ଦ୍ରବ୍ୟକୁ ନଷ୍ଟ କରି ଦେଇଥାନ୍ତି । ସୁତରାଂ ବିଦ୍ୟାସାଗରଙ୍କୁ ବନ୍ଧୁଜଣକ ସେଦିନ ପ୍ରତିଶୃତି ଦେଲେ ଯେ, ଭବିଷ୍ୟତରେ ଏଭଳି ଭୁଲ୍ ସେ ଆଉ କେବେବି କରିବେ ନାହିଁ ।”

ଏହା ଶୁଣି ବିଦ୍ୟାସାଗର କହିଲେ, “ବନ୍ଧୁ କେବଳ ନିଜେ ତ ଏହାକୁ କାମରେ ଲଗାଇଲେ ଚଳିବ ନାହିଁ । ଏହି ତଥ୍ୟକୁ ନିଜ ଭିତରେ ସୀମିତ ନ ରଖି ସାଥୀମାନଙ୍କୁ ବି ଅନୁପ୍ରେରିତ କରିବାକୁ ହେବ । ଏହିଭଳି ମାନବ ସମାଜରେ ପ୍ରତ୍ୟେକ ପରସ୍ପରକୁ ଅନୁପ୍ରେରିତ କଲେ ବୋଧହୁଏ ଦୁନିଆରେ କୌଣସି ପ୍ରାଣୀ କଦାପି ମଧ୍ୟ ଭୋକିଲା ରହିବେ ନାହିଁ ।”

ବିଦ୍ୟାସାଗର ପୁନଶ୍ଚ ଦୁଃଖ ପ୍ରକାଶ କରି ତାଙ୍କ ବନ୍ଧୁଙ୍କୁ କହିଲେ, “ଭାଇ, ସମ୍ପ୍ରତି ଆମ ସମାଜରେ ଗୋଟିଏ ପଟେ ପ୍ରାଚୁର୍ଯ୍ୟ ଏବଂ ଅନ୍ୟପଟେ ଉତ୍କଟ ଦାରିଦ୍ର୍ୟ ରହିଛି । ବିପୁଳ ସମ୍ପତ୍ତି ଠୁଳ କରିଥିବା ବ୍ୟକ୍ତିଙ୍କର ତାରକା ହୋଟେଲରେ ରହଣି ଓ ଭୋଜି ଉତ୍ସବ ବେଳେ ଦାରିଦ୍ର୍ୟ ଗୋଷ୍ଠୀ ଭୋକ ଉପାସରେ କାଳକାଟୁଛନ୍ତି । ଏହି ପ୍ରାଚୁର୍ଯ୍ୟ ଭିତରେ ସେହି ଧନୀ ବ୍ୟକ୍ତିମାନେ ଖାଇସାରିଲା ପରେ ଯେତେ ଖାଦ୍ୟ ନଷ୍ଟ କରି ଦେଉଛନ୍ତି, ତାହା ଇଣ୍ଡିଆରେ ଉତ୍କଟ ଦାରିଦ୍ର୍ୟ ଭିତରେ ସଢୁଥିବା ହଜାର ହଜାର ଲୋକଙ୍କ ପେଟକୁ ଆହାର ଯୋଗାଇବାରେ ସକ୍ଷମ ହୋଇପାରନ୍ତା । ମାତ୍ର ବିଡମ୍ବନା ଏହି ଯେ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ମାନସିକତା ସେମାନଙ୍କର ମୋଟେ ନାହିଁ । ଆଉ ଯେଉଁ କେତେକଙ୍କ ନିକଟରେ ଏହା ଅଛି ସେମାନେ ଦେବତା ନିଶ୍ଚୟ ।”

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x