ଭୋକିଲା ଲୋକ

Famine painting
Reading Time: 3 minutes

ସୁରମା ଆଖିକୁ ନିଦ ଆସୁନି। ଭାବୁଛି, ବାପାଙ୍କ ଉପରେ ବିରକ୍ତ ହେବା ତାର ବୋଧେ ଅଭ୍ୟାସରେ ପରିଣତ ହୋଇଯାଉଛି। ରକ୍ତ ଚାପ ଓ ରକ୍ତ ଶର୍କରା ଉଭୟ ରୋଗରେ ପୀଡ଼ିତ ବାପା ।ଭାତ ପ୍ରତି ଏତେ ଆସକ୍ତି ରାତିରେ ଭାତ ଖାଇବା ପାଇଁ ସବୁଦିନ ଜିଦ୍ କରନ୍ତି। ମା’ଓ ତା’କଥା ଆଦୌ ଶୁଣନ୍ତି ନାହିଁ। ମା’ ରାଗିଯାଇ କହନ୍ତି: ସତୁରୀ ବର୍ଷ ପାଖେଇଲଣି,ଏମିତି ଭାତ ଖାଇବାକୁ ତୁମର ଏତେ ଦୁର୍ବଳତା, ସବୁବେଳେ ଯେମିତି ଭୋକିଲା! ସୁରମା ଏ ସବୁ ଶୁଣି ଭାବେ,ସତରେ ସବୁବେଳେ ଭୋକିଲା ତା ବାପା।ଖାଇବାକୁ ମାଗିବେ କିନ୍ତୁ ଅଳ୍ପ ଟିକେ ଖାଇ ସବୁ ଫେରାଇଦେବେ ।ଏପଟେ ସେମାନଙ୍କୁ ତାଗିଦ୍ କରି କହନ୍ତି”ଖାଦ୍ୟ କେବେ ନଷ୍ଟ କରିବ ନାହିଁ।ଖାଦ୍ୟ ହିଁ ମହାଲକ୍ଷ୍ମୀ”। ମା’ଚିଡିଯାଇ କହନ୍ତି:ତୁମେ କାହିଁକି ଖାଦ୍ୟ ଫେରାଉଛ,ଏଣିକି ବହୁତ ଭୋକ ହେଲେ ମାଗିଲେ ମୁଁ ଖାଇବାକୁ ଦେବି।ନହେଲେ ତା ପୂର୍ବରୁ ଦେବିନି।ତିନିହେଁ ହସିଉଠନ୍ତି।

ଶେଯରେ ଶୋଇ ରହି ସୁରମା ଭାବିଲା ଆହୁରି ପଛକଥା ।ତା ତଳେ ଦୁଇ ଭାଇ ସାନ।ଗାଁ ରେ ଏକ ଛୋଟ ଚାଷୀ ପରିବାରରେ ସେମାନଙ୍କ ଜନ୍ମ।ସେ ବର୍ଷ କ୍ଷେତରେ ଭଲ ଫସଲ ନଥିଲା।ଅଦିନିଆ ଝଡ଼ ଓ ବର୍ଷା ତାଙ୍କ ଜମିର ଫସଲ ସବୁ ନଷ୍ଟ କରି ଦେଇଥିଲା ।ଗାଁ ସାରା ସମସ୍ତଙ୍କର ସେଇ ସମଦଶା ।ଧାନ ଅମଳର ଦୁଇ ମାସ ପରେ ଘରେ ଖାଇବାକୁ ଚାଉଳ ନଥିଲା। ମା’ତାର ପୂର୍ବ ବର୍ଷର ସଂଚିତ ଚାଉଳକୁ ଅଳ୍ପ ଅଳ୍ପ କରି ପ୍ରତିଦିନ ରାନ୍ଧେ। ବାପା ବିଲରେ ମୂଲ ଲାଗି ଫେରିଲେ ମା’ଓ ସେ ବଳକା ଅଳ୍ପ କିଛି ଭାତ ବାଣ୍ଟି ଖାଆନ୍ତି। ସେମାନେ ତିନି ଭାଇ ଭଉଣୀ ପ୍ରଥମେ ଖାଇ ସ୍କୁଲ ଯାଆନ୍ତି। ପିଲାଙ୍କୁ ପାଠ ପଢାଇବା ପାଇଁ ସବୁକିଛି କରିବା ପାଇଁ ବାପା ପ୍ରସ୍ତୁତ ଥିଲେ। ସେ ବର୍ଷ ସୁରମାର ମ୍ୟାଟ୍ରିକ ପରୀକ୍ଷା। ଭଲ ଛାତ୍ରୀ ସେ। ପରୀକ୍ଷା ପାଇଁ ଫର୍ମ ପୁରଣ ଦିନ ଆବଶ୍ୟକ ଟଙ୍କା ନଥିଲା ସୁରମା ବାପାଙ୍କ ପାଖରେ।କିନ୍ତୁ ଝିଅର ପରୀକ୍ଷା ଦେବାର ଇଚ୍ଛା ଓ ଆଗ୍ରହର କାନ୍ଦ ଦେଖି ତାର ପ୍ରଧାନ ଶିକ୍ଷକଙ୍କ ଘରେ ତାଙ୍କୁ ଭେଟିବାକୁ ଗଲେ। ସାଙ୍ଗରେ ବାଡ଼ିରେ କରିଥିବା କିଛି ସଜ ପନିପରିବା ଲୁଗାରେ ବାନ୍ଧି ନେଇ ଗଲେ। ନିଜର ଦୁଃଖ କାହାଣୀ ତଥା ସୁରମାର ପାଠପଢା ଓ ଫର୍ମ ପୁରଣ ପାଇଁ ଅକ୍ଷମତା ପ୍ରକାଶ କଲେ। ପ୍ରଧାନ ଶିକ୍ଷକ ବେଣୁ ସାର୍ ଙ୍କୁ ସାଧାରଣରେ ସମସ୍ତେ ସରଳ ଓ ଭଲ ମଣିଷ ବୋଲି ଜାଣନ୍ତି । ସୁରମା ପାଇଁ ଦୁଃଖ ପ୍ରକାଶ କରି ପରୀକ୍ଷା ପର୍ଯ୍ୟନ୍ତ ତାର ସମସ୍ତ ଦାୟିତ୍ୱ ନେବେ ବୋଲି ସୁରମାର ବାପାଙ୍କୁ ପ୍ରତିଶ୍ରୁତି ଦେଲେ ।ଆଜି ବି ବେଣୁ ସାର୍ ଙ୍କ କଥା ମନେପଡିଲେ ସୁରମାର ଆଖି ଛଳ ଛଳ ହୋଇ କୃତଜ୍ଞତା ରେ ମୁଣ୍ଡ ନଇଁ ଯାଏ।ପରୀକ୍ଷା ପାଖେଇ ଆସିଲା।ବେଣୁ ସାର୍ ନିଜେ ଅନ୍ୟ ପିଲାଙ୍କ ସହ ତାକୁ ପାଠ ପଢାଇ ଦିଅନ୍ତି।

ମ୍ୟାଟ୍ରିକ ପରୀକ୍ଷା ମାତ୍ର ଆଉ ଦୁଇ ଦିନ।ସ୍କୁଲକୁ ଯାଇ ଆର୍ଡ଼ମିଟ୍ କାର୍ଡ଼ ଆଣିବାକୁ ହେବ ।ସୁରମା ଦେଖିଲା,ସାନ ଦୁଇ ଭାଇ ଖାଇ ବସିଛନ୍ତି।ସେମାନଙ୍କ ପାଖେ ଖାଇବାକୁ ବସିପଡିଲା।ମା ‘ ଥାଳିରେ ଅଳ୍ପ ଗଣ୍ଡେ ଭାତ ଓ ଡାଲି ତାକୁ ବଢାଇଦେଲେ। ଖାଇଲାବେଳେ ଭାବୁଥିଲା,ଆଜି ବୋଧେ ସବୁ ଚାଉଳ ସରିଗଲା।ତାହେଲେ ଏମାନେ କଣ ଖାଇବେ?।ଏତିକିବେଳେ ବାପା ,ମା ଆଡ଼କୁ ହାତ ବଢ଼ାଇ ଡାହାଣ ହାତ ପାପୁଲି ମଝିରେ ବୁଢ଼ା ଆଙ୍ଗୁଠି ରଖି ଅତି କରୁଣ ସ୍ବରରେ କହିଲେ:ମତେ ଗଣ୍ଡେ ଭାତ ଦେବୁ ଆଜି,ପନ୍ଦର ଦିନ ହେବ ସେ ଖୁଦ ଜାଉ ଖାଇ ପାଟିକୁ ଆଉ ରୁଚୁନି। ଏସବୁଶୁଣି ସୁରମାକୁ ଆଉ କିଛି ଅବୁଝା ନଥିଲା ଘରର ପରିସ୍ଥିତି।ଆଖିରୁ ଲୁହ ପୋଛି ସ୍କୁଲ ଅଭିମୁଖେ ବାହାରିଲା।ବାଟରେ ଗଲାବେଳେ ମନକୁ ଦୃଢ଼ କରି ଚିନ୍ତା କଲା, ନିଶ୍ଚୟ ବାପା, ମା’ଙ୍କ ର ଏ ଦାରିଦ୍ର୍ୟ ମୁଁ ଦୂର କରିବି। କ୍ଷୁଧାରତାଡ଼ନାରୁ ମୋ ଭାଇ ମାନଙ୍କୁ ରକ୍ଷା କରିବି।ଏଇ ପେଟର ଦାନା ଗଣ୍ଡାକ ପାଇଁ ତା’ବାପା ,ମାଙ୍କୁ କେତେ ସଂଗ୍ରାମ କରିବାକୁ ପଡୁଛି।

ବାସ୍, ତା ପର ଠାରୁ ପଛକୁ ଫେରିନି ସୁରମା।ମ୍ୟାଟ୍ରିକ ଫାଷ୍ଟ ଡିଭିଜନ ରେ ପାସ୍ କରିବାପରେ ଶିକ୍ଷକ ଟ୍ରେନିଂ ରେ ଭର୍ତ୍ତି ହୋଇଛି ସେ ।।ବେଣୁସାରଙ୍କ ପରିବାର ତାର ଅମାୟିକ ବ୍ୟବହାର ଓ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାକୁ ଆର୍ଥିକ ସହାୟତା କରିଛନ୍ତି ।ସି.ଟି ଟ୍ରେନିଂ ଦୁଇ ବର୍ଷ ସରିବାପରେ ସହର ଉପକଣ୍ଠ ଏକ ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକତା କରିଛି ସୁରମା ।ଘରଭଡା କରି ରହି ପାଖରେ ତାର ସାନ ଦୁଇ ଭାଇଙ୍କୁ ରଖି ପାଠ ପଢାଉଛି ।

ଧିରେ ଧିରେ ସମୟ ବଦଳିଛି।ବାପାଙ୍କ ଚାଷ ଜମିରେ ଭଲ ଫସଲ ଅମଳ ହେଉଛି।ତା’ଛଡ଼ା ସାନ ଦୁଇ ଭାଇଙ୍କୁ ନିଜ ନିଜ ଗୋଡ଼ରେ ଠିଆ ହେବାର ସାମର୍ଥ୍ୟ ଯୋଗାଇଛି ସୁରମା ।ଉଭୟେ ବର୍ତ୍ତମାନ ରୋଜଗାରିଆ ।ବାପା ,ମା’ଙ୍କ ଚିନ୍ତା, ସୁରମାର ବାହାଘର।କିନ୍ତୁ ସୁରମାର ଏକା ଜିଦ୍-ସେ ବିବାହ କରିବନାହିଁ।ସୁରମା ମନରେ ତା ବାପା ,ମା’ଙ୍କ ର ସେହି ଅଭାବୀ ଦିନ ଗୁଡିକ ଜୀବନ୍ତ ସବୁବେଳେ।ତା ତ୍ୟାଗପଣରେ ସେମାନଙ୍କ ମୁହଁ ରେ ସବୁବେଳେ ହସ ଦେଖିବାକୁ ଚାହେଁ ସେ ।

ବାପା ମା’ଙ୍କ ପରାମର୍ଶରେ ସାନ ଦୁଇ ଭାଇଙ୍କର ବିବାହ କାର୍ଯ୍ୟ ସଂପନ୍ନ କରିଥିଲା ସୁରମା ।ଭାବିଥିଲା, ଭାଉଜ ଓ ଭାଇମାନେ ବାପା ମାଙ୍କୁ ପାଖରେ ରଖି ଦାୟିତ୍ୱ ବାନ ହେବେ ।କିନ୍ତୁ ଏମିତି କିଛି ହେଲା ନାହିଁ।ବରଂ ସେମାନଙ୍କ ପ୍ରତି ତାଙ୍କର ଉଦାସୀନତା ଦିନକୁ ଦିନ ବଢ଼ି ବାକୁ ଲାଗିଲା।ବାଧ୍ୟ ହୋଇ ବୁଢ଼ା ବାପା ମା’ଙ୍କୁ ସୁରମା ପାଖରେ ଆଣି ରଖିଲା।

ଏଣିକି ସୁରମା ସ୍କୁଲ ଗଲାବେଳେ ମା’ହାତରନ୍ଧା ଖାଇ ଖୁସିରେ କହେ:ଦେଖଲୁ ମା’ଏମିତି କେତେ ଭାଗ୍ୟବାନ ଝିଅ ମୋପରି ମା’ର ନଅ ତିଅଣ,ଛଅ ମଜା ଖାଇବାକୁ ପାଉଛନ୍ତି !ମା’ଟିକିଏ ହସି ଦେଇ ତା ହାତକୁ ଟିଫିନ ଡ଼ବାଟି ବଢ଼ାଇ ଦିଅନ୍ତି।

ବାପାଙ୍କ ଅସୁସ୍ଥତା ବଢ଼ି ଯାଉଛି।ସୁରମା ଚିନ୍ତିତ।ଡାକ୍ତର ରିପୋର୍ଟ ଆସିଛି।ରକ୍ତ ଶର୍କରା ବହୁତ ବଢ଼ିଛି।ଖାଦ୍ୟ ପୁରା ନିୟନ୍ତ୍ରଣ କରିବାକୁ ପଡିବ।ରବିବାର ମଧ୍ୟାହ୍ନ।ଖାଇବା ପାଇଁ ସୁରମା ବାପା ମା’ଙ୍କ ସହ ବସିଛି।ମା ଖାଇବା ବାଢ଼ିଲେ। ତିନି ଜଣ ଯାକ ଖାଉଥିଲେ।ବାପାଙ୍କ ଥାଳିର ଖାଦ୍ୟ ପ୍ରାୟ ସରିବା ଉପରେ।ମା ଙ୍କ ଆଡ଼କୁ ନିଜର ଚିରାଚରିତ ଢ଼ଙ୍ଗରେ କହିଲେ:ଆଉ ଗଣ୍ଡେ ଭାତ ମତେ ଦେଲ,ମତେ ବହୁତ ଭୋକ।। ଏଥର ମା’ଗମ୍ଭୀର ହୋଇ କହିଲେ: ଓଃ, ଏମିତି ଭୋକିଲା ମଣିଷ ତୁମେ, ସହଜେ ତୁମ ପେଟ ପୁରେନି।

ସୁରମା ଭାବିଲା,ମା ଠିକ୍ ଜାଣେ ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସେମାନେ ଦୁଃଖି।ସେଦିନ ଅତୀତରେ ଦାରିଦ୍ର୍ୟର ତାଡ଼ନାରେ ବାପା ,ମା’ଙ୍କୁ ଗଣ୍ଡେ ଭାତ ମାଗୁଥିଲେ ଆଉ ଆଜି ଏ ଭୋକ ପ୍ରକୃତରେ ପେଟର ନୁହେଁ ରୋଗର ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.