ଚାହା କପ

teacup
Reading Time: 5 minutes

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା । ପୁଣି ଦେଖେ ତ ମୋବାଇଲରେ ପାଞ୍ଚଟି ମିସ୍ କଲ, ମା’ଙ୍କର ୩ଟା ଆଉ, ବାବାଙ୍କର ଦୁଇଟି, ମନେ ମନେ ଟିକେ ହସିଲା ସିପ୍ରା, ଆଉ ଭାବିଲା, “କେତେ ଆଉ ବଡ଼ ହେଲେ ମୁଁ, ତୁମେ ଦୁଇ ଜଣ ମତେ ବଡ଼ ପିଲା ବୋଲି ଭାବିକି ମୋ ଚିନ୍ତା କରିବା ବନ୍ଦ କରିବ?” ଘରକୁ ଫୋନ ଲଗେଇଲା, ମା ବ୍ୟସ୍ତ ହୋଇ ଫୋନ ଉଠେଇଲେ ଆଉ କହିଲେ, “ତୁ ଏମିତି ଫୋନ ନ ଉଠେଇଲେ କେମିତି ହେବ ଝିଅ, ରାତି ସାରା ଗରମ ହେଉଥିବ ଭୁବନେଶ୍ୱରରେ, ତୁ ଶୋଇପାରୁନଥିବୁ, ସବୁ ଆଡ଼େ ଏ lockdown ପାଇଁ ସମସ୍ତେ ଘର ବାହୁଡ଼ା, ଆଉ ତୁ ଯେ ଘରକୁ ନ ଆସି, ନ ଖାଇ ନ ଶୋଇ ସେଇଠି ଅଛୁ, ତୋ କଥା ଭାବି ଭାବି ବାବା ଆଉ ମୁଁ ଶୋଇ ପାରୁନୁ କି ଖାଇପାରୁନୁ…” ଏକା ନିଶ୍ୱାସରେ ମାଆ ଏତିକି କହିଗଲା ପରେ, ସିପ୍ରା କହିଲା, “କେତେ ଆଉ ଚିନ୍ତା କରିବୁ ମାଆ, ମୁଁ ଖାଉଛି ଆଉ ଶୋଉଛି ଠିକରେ, ଠିକ ତ ଅଛି, ଆରାମରେ ଅଛି, ତୁ ଯେ ଖାଲିଟାରେ ଏତେ ବ୍ୟସ୍ତ ।” ସବୁଥର ଭଳି ମା’ର ଜବାବ ଆସିଲା, “ତୁ କୋଉଠୁ ବୁଝିବୁ ମା’ବାପାର ଚିନ୍ତା, କହି କହିକୁ ଘରକୁ ଆସିଲୁନି, ଏ କରୋନା ରୋଗ କେମିତି ବଢ଼ୁଛି ସମାଚାରରେ ଦେଖି ଦେଖି ଡର ଲାଗୁଚି ।” ମାଆକୁ ପୁଣି ବୁଝେଇଲା ସିପ୍ରା କିଛି ସମୟ, ଆଉ ଫୋନ୍ ରଖିଲା ।

ଖଟରୁ ଉଠି, ନିତ୍ୟକର୍ମ ସାରି ଚାହା ତିଆରିରେ ମନ ଦେଲା, ଗ୍ୟାସ ଉପରେ ଫୁଟୁଥିବା ଚାହା ସହିତ ତା’ ମନର ଭାବନାଗୁଡ଼ାକ ଉବୁଟୁବୁ ହେଉଥାଏ, “ଏଇ ମାଆ ବାବା, ତାକୁ ଜୀବନ ଧନ ଭାବନ୍ତି, କେବେ କୋଉ କଥାରେ ମନା କରିନାହାନ୍ତି, ସବୁ ଇଚ୍ଛାକୁ ପୂରା କରନ୍ତି, ଝିଅଟିକୁ ନେଇ ଗର୍ବ କରନ୍ତି, ସିପ୍ରା ମଧ୍ୟ ସବୁବେଳେ ଚେଷ୍ଟା କରିଆସିଛି ମାଆ ବାବାଙ୍କ ଖୁସି ଆଉ ସମ୍ମାନ ପାଇଁ; ସିପ୍ରା ପାଇଁ ଘର ଯେମିତି ଗୋଟେ ସ୍ୱର୍ଗ, ହେଲେ ଏଇ ଦୁଇ ବର୍ଷ ହେଲା, ସିପ୍ରା ଟିକେ ବେଶୀ ନିଜମନସ୍କ ହୋଇଯାଇଛି ବୋଲି ମାଆବାବାଙ୍କୁ ଲାଗେ, ସିପ୍ରା ଜାଣେ ତା’ର ଏଇ ଚୁପ୍‌ଚାପ୍ ଅବତାର, ଗୁମସୁମ ରହିବା, ମାଆ ବାବାଙ୍କୁ ଅଜବ ଲାଗେ, କିନ୍ତୁ ସିପ୍ରା କ’ଣ କରିବ, ଜୀବନ ତାକୁ ସେମିତି ମୋଡ଼ରେ ଆଣି ଛିଡ଼ା କରିଦେଇଛି ।” ଚାହା ଉତୁରିବାକୁ ହେଲାଣି, ସିପ୍ରା ଚାହା ଛାଣିଲା ଗୋଟେ କଫି କପରେ; ତା’ର ପ୍ରିୟ ମିକି ମାଉସ୍ ଚିତ୍ର ଥିବା କଫି କପରେ, ଏଇଟା ବାବା କିଣିଦେଇଥିଲେ, ଗୋଟେ ଜନ୍ମଦିନରେ । ଚାହା ପିଉ ପିଉ ପୁଣି ଭାବନା ନଈଟି ଫୁଲି ଉଠିଲା, “ଅଭାବ ଅସୁବିଧା କ’ଣ ଜାଣି ନଥିବା ସିପ୍ରା, ୨୦୧୮ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରର ପଢ଼ା ସରିଛି, ବିଶ୍ଵବିଦ୍ୟାଳୟର ଟପ୍ପର, ତିନି ତିନିଥର ସାହିତ୍ୟ ଚାମ୍ପିଅନ ସେ, ସମସ୍ତଙ୍କ ପ୍ରିୟ ଛାତ୍ରୀ, ମୋଟ ଉପରେ ଦେଖିବାକୁ ଗଲେ ଏକ ସ୍ୱର୍ଣ୍ଣିମ ଜୀବନରେଖା । ସିପ୍ରା ସେତେବେଳକୁ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ, ସେହି ସମୟରେ ବହୁତ ବର୍ଷରୁ ଅଟକି ରହିଥିବା କୃଷି ବିଭାଗର ନିଯୁକ୍ତି ବିଜ୍ଞାପନ ଆସେ, ସିପ୍ରାକୁ ନୂଆ ସୁଯୋଗ ଦିଶେ, ସବୁ ଠିକ ଚାଲିଥାଏ, କଲେଜର ଜଣେ ପ୍ରଫେସର, ଡକ୍ଟର ମହାନ୍ତି, ଯେ କି ବହୁତ ପିଲାଙ୍କର ପ୍ରିୟ, ଆଉ କଲେଜ ନିଯୁକ୍ତି ସେଲ୍‌ର ମୁଖ୍ୟ, ଦିନେ ତାକୁ ଫୋନ କରନ୍ତି ଆଉ କଥା ହେବାକୁ ଚାହାନ୍ତି । ଭଦ୍ରାମିର ସହ ସିପ୍ରା କଥା ହୁଏ ମଧ୍ୟ, ପ୍ରଥମେ ପ୍ରଥମେ ଦୁଇଚାରି ଦିନରେ ଥରେ ଫୋନ ଆସୁଥିଲା, ଆଉ ପଢ଼ା ଆଲୋଚନା କରିଥିଲେ ପ୍ରଫେସର ଜଣଙ୍କ, ଧୀରେ ଧୀରେ ପ୍ରତିଦିନ ଫୋନ ଆସିଲା, ପୁଣି ଦିନରେ ଦୁଇରୁ ୩ ଥର ଫୋନ ଆସିଲା, ସିପ୍ରାକୁ ଭଲ ଲାଗୁନଥାଏ, ପ୍ରଫେସର ପାଠ ଆଉ ପ୍ରଶ୍ନ ଉତ୍ତର ବଦଳରେ ଏବେ ଅନେକ ଅଦରକାରୀ କଥା କହିବାରେ ଲାଗିଥାନ୍ତି, ସିପ୍ରା ଶୁଣିବାକୁ ନ ଚାହିଁଲେ, ଜୋର କରି ଶୁଣିବାକୁ କୁହନ୍ତି, ସିପ୍ରା ପ୍ରତ୍ୟକ୍ଷ ବା ପରୋକ୍ଷରେ ବାରମ୍ବାର କଥା କମ କରିବାକୁ ଚେଷ୍ଟା କରେ, ହେଲେ ସେ ନଛୋଡ଼ବନ୍ଧା, ସିପ୍ରାକୁ ଧୀରେ ଧୀରେ ଅସହ୍ୟ ହେଉଥାଏ, କାରଣ ଏବେ ଫୋନ୍ ରାତି ଏଗାର, ବାରରେ ଆସୁଥାଏ ।

ସେଇ ପ୍ରଫେସର ପୁଣି ସିପ୍ରାର ବାପାଙ୍କୁ ଫୋନ କରନ୍ତି, ସିପ୍ରାର ଜଣେ ହିତାକାଂକ୍ଷୀ ବୋଲି ତାଙ୍କ ମନରେ ବିଶ୍ଵାସ ଜନ୍ମେଇ ସାରିଥାନ୍ତି, ସିପ୍ରାର ସରଳ ବିଶ୍ଵାସୀ ବାବାମାଆ, ପ୍ରଫେସରଙ୍କ ମନ୍ଦ ଉଦ୍ଦେଶ୍ୟ ବୁଝିପାରନ୍ତିନି, ପରୀକ୍ଷାର ତାରିଖ ଘୋଷଣା ହୋଇଗଲା, ତା’ପରେ ପ୍ରଫେସର ସିପ୍ରାକୁ ଫୋନ କରି ଆଉ ପଢ଼ା କଥା କହୁନଥିଲେ, ଦିନେ ସିପ୍ରାକୁ ଫୋନ କରିକି ପ୍ରଫେସର କହିଲେ “ସିପ୍ରା, ଅନେକ ଦିନରୁ ଗୋଟେ କଥା କହିବି ଭାବୁଥିଲି, କହିପାରୁନଥିଲି, ପ୍ରକୃତରେ କଲେଜରେ ତୁମକୁ ଦେଖିବା ଦିନ ଠୁ ମୁଁ ତୁମକୁ ପସନ୍ଦ କରିଆସିଛି, ମୁଁ ଅବିବାହିତ ସତ, କିନ୍ତୁ ବୟସରେ ବହୁତ ଅଧିକ, ଏସବୁ ଭାବି କହିପାରିନଥିଲି, ମୁଁ ତୁମକୁ ଭଲ ପାଏ ସିପ୍ରା ।” ସିପ୍ରା ଆଶ୍ଚର୍ଯ୍ୟ ହେଲା, ଯଦିଓ ସେ ପ୍ରଫେସରଙ୍କ ହାବଭାବରୁ ପରୋକ୍ଷରେ କିଛି ବୁଝୁଥିଲା କିନ୍ତୁ ଗୁରୁଙ୍କ ସମ୍ମାନ ଦୃଷ୍ଟିରୁ ଚୁପ୍ ରହୁଥିଲା, ଆଜି ତାକୁ ପରିସ୍ଥିତି ଠିକ୍ ଲାଗିଲାନି, ସେ ହଠାତ ‘ପରେ କଥା ହେଉଛି’ କହି ଫୋନ ରଖିଦେଲା ।ଏ କଥା କହିବ ବା କାହାକୁ ସେ? ଯୋଉ ପ୍ରଫେସରଙ୍କ ସହ ପିଲା ସବୁ କଥା ହେବାକୁ ବ୍ୟଗ୍ର, ସେ ଏମିତି କଥା କହିଲେ ତାକୁ କିଏ ବିଶ୍ଵାସ କରିବ ! ପ୍ରଫେସର ଜଣଙ୍କ ଆଗରୁ ଅନେକ ଥର କହିଛନ୍ତି, “ମୋ ସହ ବହୁତ ଜଣ କଥା ହେବାକୁ ଚାହିଁଲେ ମଧ୍ୟ ମୁଁ କଥା ହୁଏନା, ଖୁବ୍ କମ ପିଲାଙ୍କ ସହ ମିଶେ, କିନ୍ତୁ ତୁମେ ଯେ ସିପ୍ରା ମୋର ସବୁଠୁ ପ୍ରିୟ ।” ପ୍ରଫେସରଙ୍କର ‘beauty with a brain’କୁ ଖାଲି ଏକ ପ୍ରଶଂସା ଭାବୁଥିଲା, ହେଲେ ସିପ୍ରା ଆଜି ବୁଝିଲା ।

ଧୀରେ ଧୀରେ ସିପ୍ରା ପ୍ରଫେସରଙ୍କ ଫୋନକୁ ଏଡ଼ାଇବାରେ ଲାଗିଲା, ବାହାରେ ଅଛି, ପରେ କଥା ହେଉଛି କିମ୍ବା ଚାର୍ଜ ନାହିଁ ଫୋନରେ, ଏମିତି ବାହାନା କରି କରି । ସିପ୍ରାର କୁନି ମନ ଭାବୁଥିଲା, ଏ କି ପ୍ରେମ, ସାର୍‌ଙ୍କୁ ସେ ନିଜ ବାପା ତୁଲ୍ୟ ଭାବୁଥିଲା ଯେ, ଗୁରୁ ଶିଷ୍ୟ ଭିତରେ ଏ କି କଥା । ଏମିତି ଦୁଇ ତିନି ଦିନ କଟିଯାଏ ଆଉ ହଠାତ ଘନ ଘନ ଚାରି ଥର ସିପ୍ରାର ଫୋନ୍ ବାଜେ, ରୋଷେଇ ଅଧାରେ ରଖି ସିପ୍ରା ପାଞ୍ଚ ନମ୍ବର ଥରରେ ପ୍ରଫେସର ମହାନ୍ତିଙ୍କ ଫୋନ ଉଠାଏ ଖୁବ ଦ୍ଵନ୍ଦରେ, “ସାର ନମସ୍କାର, ଟିକେ ବ୍ୟସ୍ତ ଥିଲି ।” ସେପଟୁ ବିବ୍ରତ ସ୍ୱରରେ ପ୍ରଫେସର ମହାନ୍ତି କୁହନ୍ତି, “ଓଃ ସିପ୍ରା ! କ’ଣ ଯେ ମୁଁ ଭଲ ପାଇବା କଥା କହିଲି ଦୁଇରାତିରୁ ତୁମ ଚେହେରା ମୋ ନିଦ ନେଇଯାଇଛି, ମୁଁ ଜାଣେ ତୁମକୁ ଭଲ ପାଇବାର ବୟସରେ ମୁଁ ନାହିଁ, ପରିଶ୍ରାନ୍ତ ବୟସ, ଅନେକ ଦୁଃଖରେ କଟିଛି, ଗୁରୁ ବୋଲି ବହୁତ ମାନୁଛ ମତେ, ମୁଁ ଜାଣେ, ଗୁରୁ ଦକ୍ଷିଣା ଦେଇପାରିବ କି?” ସିପ୍ରାକୁ ଷଡ଼ଯନ୍ତ୍ରର ବାସ୍ନା ଜଣାପଡ଼ୁଥିଲା, ତଥାପି, ଖୁବ୍ କୁଣ୍ଠିତ ସ୍ୱରରେ କହିଲା, “କ’ଣ କହିବାକୁ ଚାହୁଁଛନ୍ତି ଆପଣ?” ତା’ପରେ ଶୁଭିଲା ଏକ କୁଟିଳ ହସ; ପ୍ରଫେସର ମହାନ୍ତି କହି ଚାଲିଲେ, “ସିପ୍ରା, ପରୀକ୍ଷା ଖୁବ୍ ପାଖରେ, ମୋ ପାଖେ କିଛି ନୋଟ୍‌ସ୍ ଆଉ ମେଟେରିଆଲ୍‌ସ୍ ଅଛି, ସେଇ ତକ ପଢ଼ି ଦେଇ ପରୀକ୍ଷାକୁ ଯିବ, ତୁମର ଲିଖିତ ପରୀକ୍ଷାର ଚିନ୍ତା ଗଲା ବୋଲି ଜାଣ, ହେଲେ ଏଠିକୁ ଆସିବାକୁ ପଡ଼ିବ, ମୋ ଚାମ୍ବରରେ ଟିକେ ବସିବା, ତୁମ ସହ କିଛି ଭଲ ସମୟ ବିତେଇବାକୁ ଚାହେଁ ମୁଁ । କ’ଣ ତୁମ ମତାମତ?”

ସିପ୍ରା କିଛି ବୁଝି ପାରିଲାନି କ’ଣ ଉତ୍ତର ଦେବ, ପ୍ରେସର କୁକରର ସିଟି ଶୁଭିଲା, ସିପ୍ରା ଫୋନ କାଟିଦେଲା ଆଉ ରୋଷେଇ ପାଖକୁ ଦୌଡ଼ିଲା, ଗ୍ୟାସ ବନ୍ଦ କରି ସ୍ଥାଣୁ ଭଳି ଭାବିଲା, କି ସଙ୍କଟ ଏ, ଚାରି ବର୍ଷରେ କୌଣସି ପ୍ରଫେସରଙ୍କ ଚାମ୍ବର ଯାଇନି, କେବେ ଇଛା ନଥିଲା କି ଦରକାର ପଡ଼ିନି, ଆଜି ମଧ୍ୟ ଦରକାର ନାହିଁ, କିନ୍ତୁ? ଏମିତି ଭାବନା ଭିତରେ ଜଲଦି ଜଲଦି ଖାଇଦେଇ ବାସନ ସଫା କରିନେଲା, ଆଉ ସାରଙ୍କ କଥା ଭୁଲିବାକୁ ଚେଷ୍ଟା କଲା, ଏଇ ସମୟରେ ଦିନ ଚାରିଟାରେ ପୁଣି ମୋବାଇଲ ପରଦାରେ ପ୍ରଫେସର ମହାନ୍ତିଙ୍କ ହ୍ୱାଟ୍‌ସ୍ଆପ୍ ମେସେଜ । ଖୋଲିକି ଦେଖେ ତ, ଏକ ଅଶ୍ଳୀଳ ଚିତ୍ର ! “ଛିଃ, କ’ଣ ଏସବୁ !” ଏତିକି ଭାବିଛି କି ନାଇଁ ବାବାଙ୍କ ଫୋନ ଆସେ ସିପ୍ରାକୁ; “କ’ଣ କରୁଛୁରେ ମାଆ, ପଢ଼ାପଢ଼ି କେମିତି ଚାଲିଛି?” “ଠିକ ଚାଲିଛି ବାବା ।” ଆଉ କିଛି କହିବାକୁ ଭାବିବା ବେଳକୁ ବାବା କହିଲେ, “ଆଜି ମହାନ୍ତି ସାର କଲ୍ କରିଥିଲେ, ତୋର ଢେର୍ ପ୍ରଶଂସା କଲେ, ଆଉ କହିଲେ ଏ ପରୀକ୍ଷାରେ ତ ତା’ର ଚାକିରୀ ଥୁଆ, କେତେ ଭଲ ସାର୍ ଜଣେ ଦେଖିଲୁ…” ସିପ୍ରା କିଛି ଉତ୍ତର ନ ଦେଇ ପରେ ଫୋନ କରୁଛି କହି ରଖିଦେଲା ।

କିଛି ସମୟ ଯାଇଛି କି ନାଇଁ, ପୁଣି ଆସିଲା ମହାନ୍ତି ସାରଙ୍କ ଫୋନ, ସିପ୍ରା ପ୍ରସ୍ତୁତ କଲା ନିଜକୁ ନିଜ ଆତ୍ମସମ୍ମାନ ପାଇଁ ମୁହଁ ଖୋଲିବାକୁ, ହେଲେ ହେଉ ପଛେ ଗୁରୁଦ୍ରୋହୀ, କିନ୍ତୁ କିଛି କହିବାର ସୁଯୋଗ ସିପ୍ରାକୁ ନ ଦେଇ, ମହାନ୍ତି ସାର କରିଚାଲିଲେ, “ସିପ୍ରା, ମୁଁ ଜାଣେ, ବହୁତ ଜଣଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଛ ତୁମେ, ମୋର ତୁମଠୁ ପ୍ରେମ ଦରକାର ନାହିଁ, ଖାଲି ମୋ ଜୀବନର ଖାଲିପଣକୁ ନିଜ ଜୀବନରେ ଗୋଟେ ରାତି ମତେ ଦେଇ କି ପୂରା କରିଦିଅ, ମୁଁ ତୁମକୁ ମୋ ଚାମ୍ବରରୁ ମୋ’ ନିଜର କାର୍‌ରେ ନେଇଯିବି, ରିସୋର୍ଟରେ ସୁଇଟ୍ ନେଇଯାଇଛି, ସେଠିକି ଯିବା, କେବଳ ପନ୍ଦର ମିନିଟର ଖେଳ, ତା’ପରେ ତୁମେ ଯେମିତି ଚାହିଁବ ସେମିତି ହେବ, ଚାକିରୀ, ତୁମ ବାହାଘର, ସବୁ ଖର୍ଚ୍ଚ ମୋର, ତୁମ ଭବିଷ୍ୟତ ସୁରକ୍ଷିତ, ବିଶ୍ଵାସ କର ।”

ଏକ ନିଶ୍ୱାସରେ ପ୍ରଫେସର ଏତିକି କହି ସାରି ସିପ୍ରାର ଉତ୍ତର ଶୁଣିବାକୁ ଅପେକ୍ଷା କଲେ, ସିପ୍ରାର ମୁଣ୍ଡ ଘୁରେଇଦେଉଥାଏ, ଏ ଭଳି ଜଘନ୍ୟ ପ୍ରେମର ସ୍ୱରୂପ ଦେଖି, ସିପ୍ରା ତଥାପି ଦମ୍ଭର ସହ କେବଳ ଏତିକି କହିଲା, “ସାର ମୁଁ ଆପଣଙ୍କୁ ମେସେଜ କରୁଛି, ଅପେକ୍ଷା କରନ୍ତୁ ।” ଫୋନ କାଟିଲା ସିପ୍ରା, ଭାବିବାକୁ ଲାଗିଲା, ଏହା କେବଳ ଗୋଟେ ଥୋପ ଥିଲା, ସିପ୍ରା କ’ଣ ପୂରା ବିଶ୍ୱବିଦ୍ୟାଳୟ ଜଣେ ପ୍ରଫେସର ମହାନ୍ତିଙ୍କ ରାଜନୈତିକ ଲିଙ୍କ, ତାଙ୍କୁ ନାହିଁ କରିବାର ଅର୍ଥ ବିଭାଗୀୟ ଚାକିରୀରୁ ଆପେ ଓହରି ଆସିବା, କିନ୍ତୁ ନିଜ ନାରୀତ୍ଵର ସମ୍ମାନ ଆଗରେ ସେ ବିଭାଗୀୟ ଚାକିରୀ ମୂଲ୍ୟହୀନ ଯେ ସିପ୍ରା ପାଇଁ, ଏବେ ସିପ୍ରା ଭାବୁଥାଏ । “ମୁଁ ତ ସେମିତି କିଛି ସୁଯୋଗ ଦେଇନି ନିଜ ଆଡ଼ୁ ଯେ ଜଣେ ଏତେ ଦୂର ଆଶା କରିନେବ, ଆଉ ଦୈହିକ ଆକର୍ଷଣକୁ ପ୍ରେମର ନାଆଁ ଦେଇ ସାର୍ ଏ କଦର୍ଥ ଖେଳ କାହିଁକି ଖେଳୁଛନ୍ତି? ତାଙ୍କ ଝିଆରୀ ବୟସର ହେବ ସିପ୍ରା, ଏକଥା ଅନେକ ଥର ନିଜେ କହିଛନ୍ତି, ସିପ୍ରା ଆଗରେ ଏବେ ନିଜକୁ ବଞ୍ଚେଇବାର ରାସ୍ତା ହିଁ ଥିଲା, ସିପ୍ରା ହ୍ୱାଟ୍‌ସ୍ଆପ୍ ଖୋଲିଲା ଆଉ ଲେଖିବା ଆରମ୍ଭ କଲା;

ସମ୍ମାନନୀୟ ସାର,
ଆପଣଙ୍କର ମୋ ପ୍ରତି ଥିବା ସବୁ ସ୍ୱତନ୍ତ୍ର ଭାବନାକୁ ମୁଁ ସମ୍ମାନ ଦେବାକୁ ଭାବୁଥିଲି, କିନ୍ତୁ ଏ ପ୍ରେମ ଆଉ ପୁରୁଷ-ନାରୀର ଯେଉଁ ଖେଳର ଆଶା ଆପଣ ମୋ’ଠୁ କଲେ, ତାହା ମୋର ଆତ୍ମସମ୍ମାନକୁ ଖୁବ୍ ବାଧିଛି, ଯାହା ଫଳରେ ମୁଁ ସେ ବିଭାଗୀୟ ଚାକିରୀ ନିମନ୍ତେ ଆପଣଙ୍କର ଅଯାଚିତ ସାହାଯ୍ୟକୁ ପ୍ରତ୍ୟାଖ୍ୟାନ କରୁଛି, ମୁଁ ଆପଣଙ୍କର ମନୋଭାବକୁ ଅନେକଥର ପରୋକ୍ଷରେ ଅନୁଭବ କରିଥିଲେ ମଧ୍ୟ, କେବଳ ଆପଣଙ୍କ ସମ୍ମାନ ଦୃଷ୍ଟିରୁ ଚୁପ୍ ରହୁଥିଲି । ନା ମୋର ସେ ଚାକିରୀ ପ୍ରତି ଲୋଭ ଥିଲା ନା ମୋର କୌଣସି ସାହାଯ୍ୟର ଆଶା ଥିଲା, ଗୁରୁଙ୍କ ସ୍ଥାନ ଯେ ମାଆବାପାଙ୍କଠାରୁ ଉର୍ଦ୍ଧ୍ୱରେ ବୋଲି ପିଲାଦିନୁ ଘରୁ ଶିଖିଥିଲି, କିନ୍ତୁ ନିଜ ପଦବୀର ଅପବ୍ୟବହାର କରୁଥିବା ଲୋକ ଯେ ସମ୍ମାନର ଯୋଗ୍ୟ ନୁହେଁ ତାହା ବିଶ୍ୱବିଦ୍ୟାଳୟରେ ଶିଖିଥିଲି, ଆଜି ଦେଖିଲି ଆପଣ ଦେଇଥିବା କୌଣସି ପ୍ରସ୍ତାବ ପ୍ରତି ମୋର ଆଗ୍ରହ ନାହିଁ । ଆପଣଙ୍କ ଯୋଜନାକୁ ମୁଁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରୁଛି, ଆଶା କରେ ନାରୀର ସମ୍ମାନ କ’ଣ ଆପଣ ବୁଝିଯାଇଥିବେ “।

ଏବେ ସେଣ୍ଡ୍ ବଟନ୍‌କୁ (Send Button) ପ୍ରେସ କରିସାରି ଏକ ଦୀର୍ଘଶ୍ଵାସ ନେଲା ସିପ୍ରା, ଗୋଟେ ମିନିଟରେ ସେ କଳା ଟିକ, ନୀଳ ହୋଇଗଲା, ସିପ୍ରା ଜାଣିଥିଲା ସେପଟରୁ କୌଣସି ଉତ୍ତର ଆସିବନି ଆଉ, କିଛି ସମୟର ଆତ୍ମ ମନନ ପରେ, ସିପ୍ରା ସେଇ ମହାନ୍ତି ସାରଙ୍କ ନମ୍ବରକୁ ବ୍ଲକ କରେ ଓ ଡିଲିଟ କରେ, ମନେ ମନେ ହସେ ସିପ୍ରା… “ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ…” ଏ ଗୁରୁଙ୍କ ରୂପ ଥିଲା ନା ପ୍ରେମର କୁତ୍ସିତ ରୂପ ଥିଲା? ସେଇଦିନଠୁ ସିପ୍ରା ପଣ କରିଛି, ନିଜ ସହିତ, ଦୁନିଆ ସହିତ ଲଢ଼ିବ, ଖୁବ ଲଢ଼ିବ, ନିର୍ଭୟ ହେଇ, ଆଉ ମାଆବାପାଙ୍କୁ କହିବନି ଏ କଥା; କାଳେ କଷ୍ଟ ହେବ ତାଙ୍କୁ, ଗୁରୁମାନଙ୍କୁ ବିଶ୍ଵାସ କରିବା ବନ୍ଦ ହୋଇଯିବ କାଳେ ସେମାନଙ୍କର !, ହେଲେ ଏ ଜଘନ୍ୟ ମାନସିକତା ଦେଖିବା ପରେ ସିପ୍ରା ଚପଳ ଝରଣାଟିଏରୁ ଗୁରୁ ଗମ୍ଭୀର ନଦୀଟିଏ ହେବାର ଚେଷ୍ଟାରେ ଅଛି, ସେଇ ଚେଷ୍ଟାରେ ସେ ଏକା ଚାଲିବାର ପ୍ରତିଜ୍ଞା କରିଛି, ତା’ପରଠୁ ଏ ପରିବର୍ତ୍ତିତ ସିପ୍ରା ।” ଚାହା କପଟି ଫ୍ୟାନ୍ ପବନରେ କେତେବେଳୁ ଥଣ୍ଡା ହୋଇସାରିଥିଲା, ସିପ୍ରା ଚାଲିଗଲା ରୋଷେଇ ଘରକୁ, ଆଉ କପେ ଗରମ ଚାହା ପାଇଁ, ଆଉ ଫିଙ୍ଗିଦେଲା ସବୁ ଭାବନାକୁ ଏକ ଦୁଃସ୍ଵପ୍ନ ଭଳି ଅତୀତର ସେଇ ଅନ୍ଧାର ଗର୍ଭକୁ… ଚାହାର ବାସ୍ନା ସହ ଭାବୁଥିଲା, “କରୋନା ରୋଗ ଦିନେ ଚାଲିଯିବ, ଏ ପୃଥିବୀରୁ, ହେଲେ ଏ ଛଦ୍ମବେଶୀ ମଣିଷଗୁଡ଼ା ମୁଖା ପିନ୍ଧି ଏମିତି ଦୂଷିତ କରିଚାଲିଥିବେ ଅନେକ ପବିତ୍ର ସମ୍ପର୍କକୁ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.