ମଣି କାଞ୍ଚନ

discrimination
Reading Time: 4 minutes

ରାଧା ଶ୍ୟାମ ବାବୁଙ୍କ ଆଖିରେ ଆଜି ଲୁହ । ଦୀର୍ଘ ସପ୍ତାହେ ହେବ ବିଛଣା ଶଯ୍ୟା ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଅଚଳ ,ଅସ୍ଥାବର ସମ୍ପତ୍ତିର ଏକଛତ୍ର ଅଧୀଶ୍ୱର ସେ । ଆଜି ତାଙ୍କ ପାଖରେ ସବୁକିଛି ଥାଇ ମଧ୍ୟ ସେ ନିଃସ୍ୱ । ନିଜ କଲା କର୍ମ ପାଇଁ ସେ ନିଜେ ପଶ୍ଚାତ କରୁଛନ୍ତି ବୟସର ସାୟାହ୍ନରେ ନିବୁଜ କୋଠରୀ ମଧ୍ୟରେ ।

ପାଖରେ ବସିଛନ୍ତି ତାଙ୍କ ପ୍ରାଣ ପ୍ରିୟ ପତ୍ନୀ ପ୍ରମିଳା ଦେବୀ । ସେ ବି ଭାଙ୍ଗି ପଡିଛନ୍ତି ପତି ଦେବଙ୍କ ଶରୀରର ଏତାଦୃଶ ଅବସ୍ଥା ଦେଖି । ଅସହାୟ ଅବସ୍ଥାରେ କୁଟା ଖିଅକୁ ସାହାରା ଭାବନ୍ତି ପ୍ରତ୍ୟେକ ଲୋକ । ମାତ୍ର ଆଜି ସେ ଦୁହିଁଙ୍କ ପାଇଁ ଏକମାତ୍ର ଜଷ୍ଟି ସାଜିଛି ତାଙ୍କ ଝିଅ “ସାବି ” , ଯିଏ ଆଜି ଆଉ କାହା ଘରର କୁଳ ବଧୂ । ଯେଉଁ ଝିଅକୁ ରାଧାଶ୍ୟାମ ବାବୁ ହତାଦର କରୁଥିଲେ ,ତାକୁ ଆଡ ଆଖିରେ ଦେଖୁଥିଲେ ,ପୁଅକୁ କୋଟିନିଧି କରି ଝିଅକୁ ଅଣଦେଖା କରିଥିଲେ, ସେହି ସାବି ଆଜିକୁ ସାତ ଦିନ ହେବ ଅଖିଆ ଅପିଆ ତାଙ୍କ ସେବା ନିଘାରେ ବ୍ୟସ୍ତ ହୋଇପଡୁଛି ।

ପୁରୁଣା ଦିନ ସବୁ ମନେ ପକେଇ ରାଧାଶ୍ୟାମ ବାବୁ ନିଜ ପିତୃତ୍ୱକୁ ଧିକ୍କାର କରୁଛନ୍ତି । ତାଙ୍କ ସଂସାର କହିଲେ ସେ,ତାଙ୍କ ଦୁଇ ପୁଅ,ଜଣେ ଝିଅ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଦେବୀ ।

ବଡ଼ ପୁଅ ରମେଶ ଏବେ ଆମେରିକାରେ ଡାକ୍ତର । ବଡ଼ ବୋହୂ ଗୋଟିଏ ମଲ୍ଟିନେସନାଲ କମ୍ପାନୀରେ କାର୍ଯ୍ୟରତ । ପ୍ରାୟ ଦଶ ବର୍ଷ ହେବ ଆମେରିକାରେ ଅଧିଷ୍ଠିତ ହେଲେଣି ସେମାନେ । ସେମାନଙ୍କର ଗୋଟିଏ ବୋଲି ପୁଅ ବବଲୁ । ସାନ ପୁଅ ରାଜେଶ (ରାଜୁ)ଦିଲ୍ଲୀରେ ବ୍ୟାଙ୍କର ମ୍ୟାନେଜର । ସାନ ପୁଅର ବାହାଘର ପରେ ପରେ ସାନ ବୋହୂ ଶାଶୁ ଶ୍ୱଶୁରଙ୍କ ପାଖରେ ଛ ମାସ ପାଇଁ ଥିଲା ,ମାତ୍ର ବଡ଼ ଘରର ଝିଅ ବୋଲି ଶାଶୁ ଶ୍ୱଶୁରଙ୍କ ସହ ଚଳି ପାରିଲାନି । ସାନବୋହୂର ଏକା ଜିଦ ଗାଁରେ ଶାଶୁ ଶ୍ୱଶୁରଙ୍କ ସହ ରହି ପାରିବନି । ପୁରୁଣା ମରହଟିଆ ଲୋକଙ୍କ କଥାବାର୍ତ୍ତା ଓ ଚାଲିଚଳନ ତାକୁ ଖାପ ଖୁଆଏନି ।

ଆଜି ବୟସର ପରିପକ୍ଵ ଅବସ୍ଥାରେ ସେ ଭାବୁଛନ୍ତି : ଯେଉଁ ଦୁଇ ପୁଅକୁ ସେ କୋଟି ନିଧି କରୁଥିଲେ ସେହି ପୁଅ ଦୁଇଜଣଙ୍କ ପାଇଁ କ’ଣ କରି ନାହାନ୍ତି ସେ ? ରମୁ( ରମେଶ) ଭଲ ପାଠ ପଢ଼ୁଥିଲା ଛୋଟ ବେଳେ । ଦିନରାତି ଖଟି ଖଟି ରାଧଶ୍ୟାମ ବାବୁ ତା’ ପାଇଁ ଟିଉସନର ବ୍ୟବସ୍ଥାଠୁ ଆରମ୍ଭ କରି ରାତି ରାତି ତାକୁ ପାଠ ପଢେଇବା ପାଇଁ ଅଖିଆ ଅପିଆ ଉଜାଗର ହୋଇ ବସି ରହନ୍ତି ପୁଅକୁ ବଡି ଭୋରରୁ ଉଠେଇବେ , ତାକୁ ସାଇକେଲରେ ବସାଇ 10 କିମି ଦୂର ରଙ୍ଗନାଥ ସାରଙ୍କ ଘରକୁ ନେଇଯିବେ ଗଣିତ ଆଉ ବିଜ୍ଞାନ ଟିଉସନ ପାଇଁ । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି ।ସେଠୁ ଆସିଲେ ଘର ବାଡ଼ି ,ଚାଷ ବାସରେ ଲାଗି ଯାଆନ୍ତି । ଚଷା ଘର ପୁଅ ସେ । ଚାଷ ହିଁ ତ ତାଙ୍କ ଜୀବନ । ରମୁ ପରେ ହିଁ ସାବି (ସାବିତ୍ରୀ)ର ଜନ୍ମ । ସାବି କ୍ରମେ ବଡ଼ ହେଲା । ସବୁବେଳେ ଦେଖେ ବାପା ତା’ର ସବୁଥିରେ ବଡ଼ ଭାଇକୁ ଭଲ ପାଆନ୍ତି , ତାକୁ ଆଖିରେ ବି ଦେଖନ୍ତିନି ।ଆଉ ରାଜୁ ତାଙ୍କ ପରିବାରକୁ ଆସିବା ପରେ ସେ ତ ବିଲକୁଲ ସମସ୍ତଙ୍କର ଅଣଦେଖା ହୋଇଗଲା । ବାପା ମା ସବୁବେଳେ ଦୁଇ ଭାଇକୁ ଭଲ ପାଆନ୍ତି । ତାଙ୍କ ପାଇଁ ନୂଆ ପ୍ୟାଂଟ ,ସାର୍ଟ ଚାରି ହଳ ଆସୁଥିବା ବେଳେ ତା ପାଇଁ ଆସେ ଗୋଟିଏ ହଳ । ଖାଇବା ଜିନିଷ ଠାରୁ ଆରମ୍ଭ କରି ସବୁଥିରେ ଦୁଇ ଭାଇଙ୍କ ବେଶି ଭାଗ ,ମାତ୍ର ତା ପାଇଁ ମିଳେ ଟିକିଏ । ସାବି ବୁଝି ପାରେନି କେଉଁଟା ଠିକ୍ ? ତାର କ’ଣ ତା ଭାଇମାନଙ୍କ ଭଳି ସମାନ ଅଧିକାର ନାହିଁ ?

ସେ କ’ଣ ପାଇଁ ସବୁପ୍ରକାର ସୁବିଧା ସୁଯୋଗରୁ ବଂଚିତ ହୁଏ ସେ ଜାଣିପାରେନି । ରାତିର ଅନ୍ଧାରରେ ଗୁମୁରି ଗୁମୁରି କାନ୍ଦେ , ତା’ କାନ୍ଦର ଏକମାତ୍ର ମୂକସାକ୍ଷୀ ଘରର ଚାରି କାଂଥ । କିନ୍ତୁ କେବେବି ପ୍ରତିବାଦ କରିନି ବାପା ଆଉ ବୋଉଙ୍କ ଆଗରେ । ମନେ ମନେ ଠାକୁରଙ୍କୁ ଡାକେ ଆଉ କହେ ,”ହେ ଜଗନ୍ନାଥ ! ମୋ ଦୁଇ ଭାଇ ଓ ବାପା ବୋଉଙ୍କୁ ଭଲରେ ରଖିଥାଅ । ସେମାନଙ୍କ ଖୁସିରେ ମୋ ଖୁସି । ”

ଏମିତି ଶୈଶବ ଯାଇ କୈଶୋରରେ ପାଦ ଦେଲେ ରମୁ ,ରାଜୁ ଓ ସାବି । କ୍ରମେ ତା ରମୁ ଭାଇ ମେଡ଼ିକାଲ ଏଣ୍ଟ୍ରାନ୍ସରେ ପାସ କରି କଟକ ବଡ଼ ମେଡିକାଲରେ MBBS ପଢିଲା । ଅଥଚ ସାବି ଭଲ ପାଠ ପଢୁଥିଲେ ଵି ତା’ର ପାଠପଢାର ଡୋରି ମାଟ୍ରିକ ପରେ ସବୁ ଦିନ ପାଇଁ ବନ୍ଦ ହେଲା । ରାଧୁ ମହାନ୍ତି ବଡ଼ ପୁଅ ରମୁକୁ ନିଜ ଗୋଡ଼ରେ ଛିଡା କରିଲାପରେ ରାଜୁ ପାଇଁ ମଧ୍ୟ ତଦନୁରୁପ ପ୍ରଚେଷ୍ଟାରେ ଲାଗିଲେ । ଝିଅ ପାଇଁ କେବେ ବି ସେ ଚିନ୍ତା କରୁ ନ ଥିଲେ । ଝିଅ ଜନମ ପର ଘରକୁ । ତାକୁ ପାଠ ପଢେଇଲେ ଲାଭ କଣ ? ସେ କଣ ଆମକୁ ପୋଷିବ ? ଏହି ଭଳି ଅନେକ ପ୍ରଶ୍ନ ତାଙ୍କ ଝିଅ ସାବି ପାଇଁ ଅନେକ ଦିନରୁ ବସା ବାନ୍ଧି ରହି ଯାଇଥିଲା । ତେଣୁ ପୁଅ ଦୁଇ ଜଣଙ୍କ ପାଇଁ ଯେତିକି ସ୍ନେହ ଶ୍ରଦ୍ଧା ତାଙ୍କ ମନରେ ଥିଲା ହୁଏ ତ ଏହି କାରଣରୁ ଝିଅକୁ ସେ ଭଲ ପାଉ ନ ଥିଲେ ।

ରାଧୁ ମହାନ୍ତି ସେତେବେଳେ ବେଶୀ ଭାଙ୍ଗି ପଡିଲେ ,ଯେତେବେଳେ ଜାଣିଲେ ଯେ ତାଙ୍କ ପୁଅ,ବୋହୂ ପାଇଁ ବାପା ,ବୋଉଙ୍କ ଅପେକ୍ଷା ନିଜ ଘର ସଂସାର ସ୍ତ୍ରୀ, ପୁତ୍ର ସବୁକୁଛି । କିନ୍ତୁ ରାଧଶ୍ୟାମ ବାବୁ ଓ ପ୍ରମିଳା ଦେବୀ ଏଥିରେ ବେଶି ଖୁସି ହେଲେ । ହଁ , ଅବଶ୍ୟ ସେମାନଙ୍କୁ ପ୍ରଥମେ ପ୍ରଥମେ ଟିକେ କଷ୍ଟ ହେଲା କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନିଜ ମନକୁ ବୁଝାଇ ଦେଲେ ।ରାଧଶ୍ୟାମ ବାବୁ ଓ ପ୍ରମିଳା ଦେବୀ ବହୁଦିନ ପର୍ଯ୍ୟନ୍ତ ବୁଝି ପାରିଲେ ନାହିଁ ଯେ ଯେଉଁ ମାଟି କଣ୍ଢେଇଗୁଡିକୁ ନିଜ ହାତରେ ଯତ୍ନକରି ଗଢ଼ିଥିଲେ ସେହି କଣ୍ଢେଇ ଆଜି ନିଜକୁ ପର କରି ଆଉ କାହା ହାତରେ ଖେଳନା ହୋଇ ନାଚୁଛନ୍ତି । ବିବେକଶୂନ୍ୟ କିପରି ହେଲେ ସେମାନେ ?

ପ୍ରାୟ ଦୁଇ ବର୍ଷ ହେବ ରମୁର ଫୋନ ନାହିଁ କି ଚିଠି ନାହିଁ । ନିଜ ଆଡୁ କେତେବେଳେ ରାଧାଶ୍ୟାମ ବାବୁ ଫୋନ କରନ୍ତି ନାତି ଟୋକା ବବ୍ଲୁ ସାଙ୍ଗରେ ଟିକେ କଥା ହେବା ଲାଗି । ସେଇଥିରେ ଵି ତାଙ୍କ ବୋହୂର ଫୋନରେ କେତେ ତାଗିଦ ?

ରାଧାଶ୍ୟାମ ବାବୁଙ୍କୁ ପ୍ରମିଳା ପଚାରନ୍ତି ,”ରମୁ ଆମର କ’ଣ କହୁଥିଲା ?” ନିଜ ହୃଦୟର କୋହକୁ ଓଠରେ ଚାପି ରାଧାଶ୍ୟାମ ବାବୁ କହନ୍ତି, “ଆର ମାସକୁ ସେମାନେ ଗାଁକୁ ଆସିବେ ।” ବର୍ଷ ବର୍ଷ ଧରି କେତେ ଆଉ ନିଜ କୋହ ସମ୍ଭାଳିବେ ,ରାତି ରାତି ନ ଖାଇ ନ ଶୋଇ ନିଶାର୍ଦ୍ଧ ରାତିରେ ଗୁମୁରି ଗୁମୁରି କାନ୍ଦିବା ଛଡା ଆଉ କିଛି ନ ଥାଏ ତାଙ୍କ ପାଖରେ ।

ଆଉ ରାଜୁ ବାବୁଙ୍କର ବାପା ବୋଉଙ୍କ ଉପରେ ରାଗ । ବଡ଼ ଭାଇ ପାଇଁ ବାପା ଯେତେ କରିଛନ୍ତି ତା ପାଇଁ ବାପା କୁଆଡେ ସେତିକି ହେଲେ କରିନାହାନ୍ତି ।

ବେଳେ ବଳେ ରାଧଶ୍ୟାମ ବାବୁ ବସି ଭାବନ୍ତି , ଏତେ ସ୍ନେହ ,ମମତା ଭଲପାଇବା,ଶିକ୍ଷା ,ସଂସ୍କାର ଦେଇ ପୁଅ ମାନଙ୍କୁ ମଣିଷ କରିବାର ଫଳ କ’ଣ ଏଇଆ ? ସାଧାରଣ ମାନବପଣିଆ କଣ ଏମାନଙ୍କ ପାଖରେ ନାହିଁ ?

ତାଙ୍କ ଆଦର୍ଶ ,ସଚ୍ଚୋଟପଣିଆର କ’ଣ ଏହି ମୂଲ୍ୟ ଦେଲେ ଏମାନେ ?

ରମୁ ମେଡ଼ିକାଲ କଲେଜରେ ପାଠ ପଢିବା ବେଳେ ସେ ମନେ ମନେ କେତେ କ’ଣ ଭାବିଥିଲେ । ଗାଁରେ ଗୋଟେ ବଡ଼ ଡ଼ାକ୍ତରଖାନା ପ୍ରତିଷ୍ଠା କରି ତାଙ୍କ ରମୁ ପାଲଟିବ ଏ ଗାଆଁର ମଉଡ଼ମଣି ।

କିନ୍ତୁ ଅପରପକ୍ଷରେ ତାଙ୍କ ବିବେକଶୂନ୍ୟ ମନରେ କାହିଁକି ନିଜ ଝିଅ ସାବି ପ୍ରତି ଏତେ ପାତର ଅନ୍ତର କଲେ ? ଝିଅ ସାବିକୁ ୧୮ ବର୍ଷ ହେବା ମାତ୍ରେ ଏକ ସୁଯୋଗ୍ୟ ବର ଦେଖି ବିଭା କରିଦେଲେ । ସାବିର ଶାଶୁଘର ତାଙ୍କ ଗାଁ ଠୁ ଅଳ୍ପ ଦୂର । ବାହାଘର ପର ଠୁ ସାବି ଦୁଇଘର ମଧ୍ୟରେ ଥିଲା ଯୋଗସୂତ୍ର ରକ୍ଷାକାରୀ । ବୋଉର ପ୍ରତିଟି କଥାକୁ ମାନି କାମ କରି ଆଜି ସେ ତା ଶାଶୁ ଘରେ ଜଣେ ଆଦର୍ଶ ବୋହୂ, ଆଦର୍ଶ ପତ୍ନୀ ଭୂମିକାରେ କେଵଳ ଯେ ଅବତୀର୍ଣ୍ଣ ହୋଇଛି ତାହା ନୁହଁ ବରଂ ସବୁବେଳେ ଜଣେ ଆଦର୍ଶ ଝିଅ ହେବାରେ କୌଣସି ଗୁଣରେ ସେ ଉଣା କରିନି । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି ।ସୁଖ ଦୁଃଖରେ ସବୁ ସମୟରେ ବାପା ବୋଉଙ୍କ ଯତ୍ପରନାସ୍ତି ସେବା ଶୁଶ୍ରୁଷା କରିଛି । ଭାଇ ଭାଉଜଙ୍କୁ କେତେ ବୁଝାଇଛି । ସର୍ବ ଶେଷରେ ନିଜେ ଆହୁତି ଭଳି ଜଳି ଜଳି ଦୁଇ କୁଳର ହିତରେ ଲାଗିଛି ସବୁବେଳେ । ପ୍ରତି ସପ୍ତାହରେ ବାପା,ବୋଉଙ୍କ ଖବର ବୁଝିବାକୁ କେବେ ବି ଭୁଲେନି ସାବି । ପ୍ରତିଦିନ ଫୋନରେ ଭଲମନ୍ଦ ବୁଝେ । ସୁବିଧା ଅସୁବିଧାରେ ସାବିର ସ୍ୱାମୀ ସତ୍ୟବ୍ରତ ମଧ୍ୟ ଦେଖା ଶୁଣା କରନ୍ତି । ନିଜ ବାପା ବୋଉ ଆଉ ଶାଶୁ ଶ୍ୱଶୁର ମଧ୍ୟରେ କେବେ ଫରକ ଦେଖନ୍ତିନି ସତ୍ୟ । ସତ୍ୟର ବି ଏକାଜିଦ ଯେ ସେମାନେ ଆସି ତାଙ୍କ ଘରେ ରହନ୍ତୁ ।

ରାଧାଶ୍ୟାମ ବାବୁ, ପ୍ରମିଳା ଦେବୀ ଜୀବନତମାମ ନିଜକୁ ଦୋଷୀ ଅନୁଭଵ କରୁଥାନ୍ତି ପ୍ରତୀକ୍ଷଣ ,ତାଙ୍କ ନିଜ ଝିଅ ପାଇଁ କରିଥିବା ଅନ୍ୟାୟ ପାଇଁ ।ଅଥଚ ସେହି ଝିଅ ଆଜି ବୁଝେଇ ଦେଇଛି ଝିଅ ଯେ ପୁଅମାନଙ୍କ ଅପେକ୍ଷା କୌଣସି ଗୁଣରେ କମ ନୁହଁ ବୋଲି । ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତପଣିଆରେ ମାନବିକତାକୁ ଯେ କେବେବି କିଣାଯାଇପାରେନା ଆଜି ବୁଝିପାରିଛନ୍ତି ସେମାନେ । ପୁଅ ଦୁଇ ଜଣ ତାଙ୍କ ପାଇଁ ବଜାରରେ ମିଳୁଥିବା ନକଲି ସୁନା ଆଉ ତାଙ୍କ ଝିଅ ହିଁ ପ୍ରକୃତରେ ମଣି କାଞ୍ଚନ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.