ସମ୍ମାନ ପାଇଁ ଯୋଗ୍ୟତା

Saturn1
Reading Time: 7 minutes

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ତା’ ସାଙ୍ଗକୁ ଶ୍ୱାନ, ଶ୍ୱାପଦଙ୍କ ରଡି ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୋକରେ ଦିଶି ଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଓହ୍ଲାଇ ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ଏହି ଘୋର ଅନ୍ଧକାରରେ, ଯେଉଁଠାରେ କି କିଛି ବି ହେଲେ ଦୃଶ୍ୟ ହେଉନାହିଁ, ଆପଣ ଏତେ କଷ୍ଟ ସ୍ୱୀକାର କରି ଏହି କଠୋର ପରିଶ୍ରମ କରୁଛନ୍ତି । ଏହା ମୋର ବୋଧଗମ୍ୟ ହେଉନାହିଁ ଯେ କେଉଁ ଅପ୍ରାପ୍ୟ ବସ୍ତୁ ଲାଭ ଉଦ୍ଧେଶ୍ୟରେ ଆପଣ ଏସବୁ କରୁଛନ୍ତି । ରାଜନୀତି ସମ୍ବନ୍ଧରେ ପରାମର୍ଶ ଦେବାପାଇଁ ପାତ୍ର, ମନ୍ତ୍ରୀ ଅଛନ୍ତି । ସନ୍ଧି ବିଷୟରେ ସାହାଯ୍ୟ କରିବା ପାଇଁ ସେନାପତି ଅଛନ୍ତି । ଐହିକ ତଥା ଆଧ୍ୟାତ୍ମିକ ଚିନ୍ତନରେ ସନ୍ଦେହ ଦୂର କରିବା ଉଦ୍ଧେଶ୍ୟରେ ରାଜସଭାରେ ଜ୍ଞାନୀ ପଣ୍ଡିତ ଗଣ ଅଛନ୍ତି । କିନ୍ତୁ ମୋର ମନେ ହେଉଛି, ଏମାନେ ଥିବା ସତ୍ତ୍ୱେ ଏପରି କେତେଜଣ ସ୍ୱାର୍ଥପର ବ୍ୟକ୍ତି ନିଶ୍ଚୟ ଆପଣଙ୍କ ପାଖରେ ରହିଛନ୍ତି, ଯେଉଁମାନେ ଆପଣା ସ୍ୱାର୍ଥର ଚରିତାର୍ଥ ନିମନ୍ତେ ଏପରି ବିଚିତ୍ର ପରିସ୍ଥିତି ସୃଷ୍ଟି କରି ଆପଣଙ୍କୁ ଦିଗଭ୍ରଷ୍ଟ କରୁଛନ୍ତି । ମୋର ଆଶଙ୍କା ହେଉଛି ଆପଣ ସେହି ପରି ବ୍ୟକ୍ତିମାନଙ୍କର ଦୁଷ୍ଟଭାବର ଶୀକାର ହୋଇଛନ୍ତି । ମୋର କଥାକୁ ଆପଣ ଅବିଶ୍ୱାସ କରୁଥିଲେ, ମୋ ଠାରୁ ଏହି ମହାମୂର୍ଖର କାହାଣୀ ଶୁଣନ୍ତୁ । ପରିଶ୍ରମ ମଧ୍ୟ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା ।

ବହୁ ଦିନ ପୂର୍ବେ ଶତଭୋଜ ନାମକ ଜଣେ ରାଜା ରାଜତ୍ତ୍ୱ କରୁଥିଲେ । ସେ ଅତ୍ୟନ୍ତ କଳାପ୍ରିୟ ଥିଲେ । ତାଙ୍କ ଦରବାରରେ ବହୁ ଶାସ୍ତ୍ର-ବିଶାରଦ ପଣ୍ଡିତଙ୍କୁ ଯଥାଯୋଗ୍ୟ ସ୍ଥାନ ପ୍ରଦାନ କରିଥିଲେ । ଶତଭୋଜ ଯେଉଁ ସ୍ଥାନକୁ ଯାତ୍ରା କରୁଥିଲେ, ସେଠାକୁ ତାଙ୍କର ପଣ୍ଡିତମଣ୍ଡଳୀଙ୍କୁ ସଙ୍ଗରେ ଧରି ସେ ଯାଉଥିଲେ । ଅବସର ସମୟରେ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କରିବାରେ ତାଙ୍କୁ ଅପାର ଆନନ୍ଦ ମିଳୁଥିଲା ।

ସେହି ରାଜ୍ୟରେ ପ୍ରଲୋମ ନାମକ ଏକ ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ରୂପେ ବିବେଚିତ ହେଉଥିଲା । ଶତଭୋଜ ପ୍ରାକୃତିକ ଶୋଭା ଅବଲୋକନ ଉଦ୍ଧେଶ୍ୟରେ ନିଜ ପଣ୍ଡିତମଣ୍ଡଳୀକୁ ସଙ୍ଗରେ ଧରି ସେହି ଗ୍ରାମରେ ଯାଇ ପହଁଚିଲେ ।

ସେହି ଗ୍ରାମରେ ପ୍ରମୋଦ ନାମକ ଜଣେ ମୂର୍ଖ ବ୍ୟକ୍ତି ରହୁଥାଏ । କିନ୍ତୁ ତା’ ମନରେ ଏକ ଅମୂଳକ ଧାରଣା ଥାଏ ଯେ, ସେ ହେଉଛି ପୃଥିବୀରେ ଏକମାତ୍ର ବ୍ୟକ୍ତି, ଯାହାକୁକି ସବୁ ବିଷୟରେ ଜଣା ଅଛି । ଗ୍ରାମର ପଣ୍ଡିତ ଲୋକମାନେ ତା’ ସହିତ ଅଯଥା ଯୁକ୍ତିତର୍କ କରି ନିଜର ସମୟ ଅପଚୟ କରିବା ପାଇଁ ଇଚ୍ଛା କରନ୍ତି ନାହିଁ । କାରଣ ସେହି ମହାମୂର୍ଖର ଧାରଣା ବଦଳାଇବା ଆଦୌ ସମ୍ଭବ ହେବ ନାହିଁ । ତେଣୁ ସେ ଯାହା କଲେ ବି, ଅନ୍ୟମାନେ ତାହା ଶୁଣି ନୀରବ ରୁହନ୍ତି । ଏହା ଫଳରେ ସେ ମନେ କରୁଥାଏ ଯେ, ପ୍ରକୃତରେ ତା’ପରି ବୁଦ୍ଧିମାନ୍ ଲୋକ ବିରଳ ଅଟନ୍ତି ।

ପ୍ରମିଳା, ପ୍ରମୋଦର ଏକମାତ୍ର ଭଉଣୀ । ସେ ଦେଖିବାକୁ ଅସାମାନ୍ୟ ସୁନ୍ଦରୀ । ତାକୁ ବିବାହ କରିବା ପାଇଁ ଗ୍ରାମର ପ୍ରତ୍ୟେକ ଯୁବକଙ୍କ ମନରେ ଆଶା ଥାଏ । ସେମାନେ କଅଁଳକଥା କହି ପ୍ରମୋଦଙ୍କୁ ଖୁସି କରି ପ୍ରମିଳା ସହିତ ବନ୍ଧୁତା ଜନ୍ମାଇବାର ଚେଷ୍ଟା କରନ୍ତି । ଏହି କାରଣରୁ ପ୍ରମୋଦର ଅହଂକାର ବହୁଗୁଣିତ ହୋଇଥାଏ । ପ୍ରମୋଦ ଜାଣିବାକୁ ପାଇଲା ଯେ ମହାରାଜା ଶତଭୋଜ ନିଜର ପଣ୍ଡିତବର୍ଗଙ୍କ ସହ ପ୍ରଲୋମ ଗ୍ରାମକୁ ଆସିଛନ୍ତି । ସେମାନଙ୍କୁ ସାକ୍ଷାତ୍ କରିବା ପାଇଁ ତା’ ମନରେ ତୁରନ୍ତ ଇଚ୍ଛା ଜାଗି ଉଠିଲା । ପଣ୍ଡିତ ମଣ୍ଡଳୀଙ୍କୁ ଭେଟି ସେ କହିଲା, “ମହାଶୟ, ଆମ ଗ୍ରାମର ପଣ୍ଡିତମାନଙ୍କର ସର୍ବସମ୍ମତ ମତ ଏହି ଯେ, ମୋ ଠାରୁ ବଳି ଆଉ କେହି ମଧ୍ୟ ବୁଦ୍ଧିମାନ୍ ନାହାଁନ୍ତି । ଗ୍ରାମର ଯୁବକମାନେ ମୋର ଅନେକ ପ୍ରଶଂସା କରନ୍ତି । ମୋ ଜୀବନରେ ମୁଁ ଅନେକ ସମ୍ମାନ ଲାଭ କରିଛି । କିନ୍ତୁ ମୋର ମନରେ ଆଉ ଗୋଟିଏ ମାତ୍ର ଇଚ୍ଛା ରହିଛି । ତାହା ହେଉଛି ରାଜଦରବାରର ପଣ୍ଡିତମଣ୍ଡଳୀ ଦ୍ୱାରା ସମ୍ମାନ ଓ ସ୍ୱୀକୃତି ଲାଭକରିବା ।

ପଣ୍ଡିତମାନେ ଅତି ଆଦରରେ ତାକୁ ନିଜ ପାଖରେ ବସାଇଲେ । ପ୍ରମୋଦର ବୁଦ୍ଧି ବିଦ୍ୟାର ପରୀକ୍ଷା କରିବା ନିମନ୍ତେ ସେମାନଙ୍କୁ ଜଣାଥିବା ଶାସ୍ତ୍ର-ବିଦ୍ୟା ସମ୍ବନ୍ଧୀୟ କେତେକ ପ୍ରଶ୍ନ ତାକୁ ପଚାରିଲେ । କିନ୍ତୁ ସେମାନଙ୍କୁ ଯାହା ଉତ୍ତର ମିଳିଲା ସେଥିରେ ସେମାନେ ପରସ୍ପରକୁ ଚାହିଁ ହସାହସି ହେଲେ । ଶେଷରେ କୌତୁକଭରା ସ୍ୱରରେ କହିଲେ, “ମହାଶୟ, ଆପଣ ମହାମୂର୍ଖ ଅଟନ୍ତି । ଆପଣଙ୍କୁ ପରିହାସ କରିବା ଉଦ୍ଧେଶ୍ୟରେ ଅନ୍ୟମାନେ ଏପରି ପ୍ରଶଂସାବାଣୀ ଶୁଣାଇଛନ୍ତି ।”

ପ୍ରମୋଦ ସେମାନଙ୍କ କଥାରେ ରାଗି ଉଠିଲା । “ଆଜି ପର୍ଯ୍ୟନ୍ତ ମୋର ବୁଦ୍ଧି-ବିଦ୍ୟାର ପରୀକ୍ଷା କେହିବି ନେଇ ନ ଥିଲେ । କେହି ମୋତେ ପରିହାସ କରି ନ ଥିଲେ । ମୁଁ ଆପଣମାନଙ୍କୁ ମୋତେ କେବଳ ସମ୍ମାନ ଦେବା ପାଇଁ କହିଥିଲି । ମୋତେ ପ୍ରଶ୍ନ ପଚାରି ପରୀକ୍ଷା କରିବା ପାଇଁ ତ ମୁଁ ଆଦୌ କହି ନ ଥିଲି । ଆପଣଙ୍କର ଏତିକିବି କାଣ୍ଡ-ଜ୍ଞାନ ନାହିଁ । ଏପରି ମୂର୍ଖ, ଅଜ୍ଞାନୀମାନଙ୍କୁ ଅଯଥାରେ ରାଜା ନିଜର ଦରବାରରେ ସ୍ଥାନ ଦେଇଛନ୍ତି ।” ତା’ର ଏପରି କଥା ଶୁଣି ପଣ୍ଡିତମାନେ ନିରୁପାୟ ହୋଇ ତାକୁ ହାତଯୋଡି କହିଲେ, “ମହାଶୟ, ଆପଣଙ୍କର ସନ୍ଦେହ ଦୂର କରିବା ପରି ଶକ୍ତି ଆମର ନାହିଁ । ନିକଟରେ ରାଜା ବିଶ୍ରାମ ନେଉଛନ୍ତି, ତାଙ୍କ ନିକଟକୁ ଯାଇ ସବୁ କଥା ବୁଝି ପାରିବେ ।”

ଏହାପରେ ପ୍ରମୋଦ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲା । ରାଜା ଶତଭୋଜଙ୍କର ସୌମ୍ୟକାନ୍ତିକୁ ଦେଖି ପ୍ରମୋଦ ଅତ୍ୟନ୍ତ ମୁଗ୍ଧ ହୋଇଯାଇ କହିଲା, “ପ୍ରଭୁ, ଆପଣ ଏତେ ସୁନ୍ଦର ସୁଦର୍ଶନ ଅଟନ୍ତି । କିନ୍ତୁ ଆପଣଙ୍କ ଦରବାରରେ ଏପରି ମୂର୍ଖ, ଅଯୋଗ୍ୟ ପଣ୍ଡିତମାନଙ୍କୁ କାହିଁକି ସ୍ଥାନ ଦେଇଛନ୍ତି?”

ଏହି ପଦକ କଥାରୁ ରାଜା ଶତଭୋଜ ବୁଝିପାରିଲେ ଯେ, ଏହି ବ୍ୟକ୍ତି ସମ୍ପୂର୍ଣ୍ଣ ବୁଦ୍ଧିହୀନ ଓ ମୂର୍ଖ ଅଟେ । ଏଣୁ ସେ କୌତୁହଳ ହୋଇ ପ୍ରଶ୍ନ କଲେ, “ଆଚ୍ଛା କହିଲ, ମୋର ପଣ୍ଡିତବର୍ଗଙ୍କ ମଧ୍ୟରେ କେଉଁ ବୁଦ୍ଧି ଊଣା ଅଛି?”

“ସେମାନେ ମୋତେ ସମ୍ମାନ ଜଣାଇବାକୁ ମନା କରିଦେଲେ । ଏହା ସେମାନଙ୍କର ଏକ ହୀନ ବୁଦ୍ଧିର ପରିଚୟ ନୁହେଁ ତ ଆଉ କ’ଣ? ଆପଣ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଇ ମୋତେ ଉପଯୁକ୍ତ ସମ୍ମାନ ଦେବା ପାଇଁ ଆଦେଶ ଦିଅନ୍ତୁ ।” ଏହିପରି ଭାବେ ପ୍ରମୋଦ ଅତି ସ୍ପଷ୍ଟ ଭାବେ ନିଜର ମନୋଭାବ ପ୍ରକାଶ କଲା ।

ଶତଭୋଜ କୌତୁକ କରିବା ଉଦ୍ଧେଶ୍ୟରେ ସହସା ପ୍ରଶ୍ନ କଲେ “ତୁମେ ଯେପରି କହୁଛ, ମୁଁ ତାହା ନ କଲେ ତୁମେ କ’ଣ କରି ପାରିବ?” ପ୍ରମୋଦକୁ ଗ୍ରାମର କେତେକ ଯୁବକ ମଧ୍ୟ ଏପରି ପ୍ରଶ୍ନ କରନ୍ତି । ସେ ତାଙ୍କୁ ଧମକ ଦିଏ “ମୋତେ ଏପରି କହିଲେ, ମୋ ଭଉଣୀକୁ ତୁମକୁ ବିଭା ଦେବି ନାହିଁ ।” ସେହି କଥା ମନେ ପଡି ଯିବାରୁ ସେ ରାଜାଙ୍କୁ କହିଲା, “ମୁଁ ଆପଣଙ୍କର କ’ଣ କରି ପାରିବି, ତାହା ମୁଁ କହିବି ନାହିଁ । କିନ୍ତୁ ମୁଁ ଆପଣଙ୍କର କ’ଣ ନ କରିବି ତାହା କହି ପାରିବି । ତାହା କହିଲେ, ଆପଣ ସ୍ୱର୍ଗରୁ ତଳକୁ ଖସି ପଡିବା ପରି ମନେ କରିବେ ।”

ମହାରାଜ ଅଧିକ କୌତୁକ କରି ପଚାରିଲେ “ସତରେ! ତେବେ କ’ଣ ସେ କଥା!”

“ମୋ ଭଉଣୀର ବାହାଘର ଆପଣଙ୍କ ସହିତ କରାଇବି ନାହିଁ ।” ପ୍ରମୋଦର ଏପରି ଧମକ ଶୁଣି ଶତଭୋଜ ହସି ଉଠିଲେ । ତାଙ୍କ ମନରେ ଏହି କୌତୁହଳ ଜାତ ହେଲା ଯେ ଏପରି ଭାଇର ଭଉଣୀଟି କିପରି ହୋଇଥିବ, ତାକୁ ତ ସେ ନିଶ୍ଚୟ ଦେଖିବା କଥା । ତା’ ସହିତ କଥା ହେଲେ, ଆହୁରି ମଧ୍ୟ ମଜା ହେବ । ସେହି ଉଦ୍ଧେଶ୍ୟରେ ସେ ପ୍ରମୋଦକୁ କହିଲେ, “ତୁମ ଭଉଣୀକୁ ମୁଁ ଥରେ ଦେଖିବାକୁ ଇଚ୍ଛା କରୁଛି । ତାହା ପରେ ଯାଇ ମୁଁ ସ୍ଥିର କରିବି ମୋର ପଣ୍ଡିତମାନଙ୍କ ଠାରୁ ତୁମେ ସମ୍ମାନ ପାଇବାକୁ ଯୋଗ୍ୟ କି ନୁହଁ ।”

ପ୍ରମୋଦ ରାଜାଙ୍କ କଥାରେ ଏକମତ ହେଲା । ରାଜା ପ୍ରମୋଦ ସହିତ ତା’ର ଭଉଣୀକୁ ଦେଖିବା ପାଇଁ ଗଲେ । ମାତ୍ର ପ୍ରମିଳାକୁ ଦେଖିବାକ୍ଷଣି ତାଙ୍କର ବୁଦ୍ଧି ହଜିଗଲା । ପ୍ରମିଳାର ସୌନ୍ଦର୍ଯ୍ୟ ଆଗରେ ଦେବଲୋକର କେଉଁ ଅପରୂପା ଅପ୍ସରା ମଧ୍ୟ ତାଙ୍କୁ ତୁଚ୍ଛ ମନେହେଲା । କିଛି ସମୟ ପରେ ରାଜା ଏକଥା ବୁଝି ପାରିଲେ ଯେ, ଭାଇ ପରି ପ୍ରମିଳା କିନ୍ତୁ ଏତେ ମାତ୍ରାରେ ବୁଦ୍ଧିହୀନା ନୁହେଁ । ତାହାର ସାଧାରଣ ବିଷୟ-ବୁଦ୍ଧି ରହିଛି ।

ଶତଭୋଜ ପ୍ରଶ୍ନ କଲେ “ତୁମ ପରି ଅତି ସୁନ୍ଦରୀ କନ୍ୟା ମହାରାଣୀ ହେବା ଯଥାର୍ଥ ଅଟେ । ତୁମେ ଏହି ବିବାହରେ ଏକମତ କି?”

ରାଜାଙ୍କ ଠାରୁ ଏପରି ପ୍ରସ୍ତାବ ଶୁଣି ପ୍ରମୋଦ ହସ୍ତକ୍ଷେପ କରି କହିଲା, “ପ୍ରଭୁ ଆପଣ ପ୍ରଥମେ ମୋତେ ରାଜଦରବାରର ପଣ୍ଡିତଙ୍କ ଦ୍ୱାରା ସମ୍ମାନିତ ତ କରାନ୍ତୁ । ତାପରେ ଯାଇ ବିବାହ କଥା । ଆପଣଙ୍କୁ ଏହି ସର୍ତ୍ତ ମାନିବାକୁ ପଡିବ ।”

ଶତଭୋଜ ବିରକ୍ତ ହୋଇ କହିଲେ, “ଆମେ ଦୁହେଁ ବିବାହ ପାଇଁ ଏକମତ । ତୁମର ଏଥିରେ ମୁଣ୍ଡ ଖେଳାଇବାର କିଛିବି ଦରକାର ନାହିଁ । ତୁମେ ଯଦି ଚାହିଁବ ତ, ମୁଁ ତୁମକୁ କିଛି ଧନରତ୍ନ ଉପହାର ଦେଇପାରେ ।”

ପ୍ରମିଳା ରାଜାଙ୍କ କଥାରେ ବାଧା ଦେଇ କହିଲା, “ମହାରାଜ, ସେ ମୋର ବଡ ଭାଇ ଅଟନ୍ତି । ସେ ମଧ୍ୟ ଏପରି କିଛି ଅସମ୍ଭବ ଇଚ୍ଛା ପ୍ରକାଶକରି ନାହାଁନ୍ତି, ଯାହାକି ଆପଣଙ୍କ ପକ୍ଷରେ ପୂରଣ କରିବା ଅସମ୍ଭବ । ଆପଣ ପ୍ରକୃତରେ ମୋତେ ବିବାହ କରିବା ପାଇଁ ଇଚ୍ଛୁକ ଥିଲେ, ଏହି ସାଧାରଣ କଥା ପାଳନ କରିବାରେ ଅନିଚ୍ଛା ପ୍ରକାଶ କରନ୍ତୁ ନାହିଁ ।” ଶତଭୋଜଙ୍କୁ ତା’ କଥା ସଠିକ୍ ମନେହେଲା । ତେଣୁ ସେ ପ୍ରମିଳାର ଅନୁରୋଧ ରକ୍ଷା କରିବା ପାଇଁ ପ୍ରତିଶୃତି ଦେଲେ । ଶିବିରକୁ ଫେରି ସେ ପଣ୍ଡିତମାନଙ୍କୁ ତାଙ୍କର ପ୍ରସ୍ତାବ ଶୁଣାଇଲେ, “ପ୍ରମିଳାଙ୍କ ସହିତ ପ୍ରଥମ ଦେଖାରେ ମୁଁ ତାଙ୍କ ସୌନ୍ଦର୍ଯ୍ୟରେ ଅତ୍ୟନ୍ତ ବିମୋହିତ । ଆମ ଦୁଇ ଜଣଙ୍କର ବିବାହ ନିମନ୍ତେ ଆପଣମାନଙ୍କର ସହଯୋଗ ଲୋଡା ।”

ଏକଥା ଶୁଣି ପଣ୍ଡିତଗଣ ପରସ୍ପରକୁ ଚାହିଁଲେ । ସେମାନେ ମନରେ ଭାବିଲେ ପ୍ରମୋଦ ପରି ମହାମୂର୍ଖ ଆମ ପରି ପଣ୍ଡିତମଣ୍ଡଳୀ ଦ୍ୱାରା ସମ୍ମାନିତ ହେଲେ, ମହାରାଜଙ୍କୁ କ’ଣ ଅପମାନ ବୋଧ ହେବ ନାହିଁ । ଛାର ଜଣେ ସ୍ତ୍ରୀଲୋକ ପାଇଁ ରାଜନ୍ ଏତେ ନୀଚସ୍ତରକୁ ଚାଲିଯିବାଟା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

ଶେଷରେ ସେମାନେ ସ୍ପଷ୍ଟ ଜଣାଇ ଦେଲେ ଯେ, ସେମାନଙ୍କ ଦ୍ୱାରା ଏହା କରିବା ମୋଟେ ସମ୍ଭବ ନୁହେଁ । ଏଥିଲାଗି ମହାରାଜ ସେମାନଙ୍କୁ ବାଧ୍ୟ କଲେ, କିନ୍ତୁ ସେମାନେ କହିଲେ, ସେମାନେ ନିଜ ପଦବୀ ତ୍ୟାଗ କରି ଏଠୁ ଚାଲିଯିବେ ପଛକେ ହେଲେ ଜଣେ ମହାମୂର୍ଖକୁ ପଣ୍ଡିତ ରୂପେ ସେମାନେ କଦାପି ମଧ୍ୟ ସ୍ୱୀକାର କରି ପାରିବେ ନାହିଁ । ଶତଭୋଜ ସେମାନଙ୍କୁ ଆଉ ବାଧ୍ୟ କରି ପାରିଲେ ନାହିଁ । କିନ୍ତିୁ ପ୍ରମିଳାକୁ ନିଜ ମନରୁ ଆଦୌ ଭୁଲାଇ ପାରିଲେ ନାହିଁ । ଏଣିକି ସେ ସଦା ସର୍ବଦା ବିଷର୍ଣ୍ଣ ରହିଲେ । ଶେଷରେ ଏହି କଥା ପ୍ରମିଳା କାନକୁ ଗଲା । ସେ ପଣ୍ଡିତମାନଙ୍କୁ ନିଜ ଗୃହକୁ ଡକାଇ ପଚାରିଲେ, “ଶୁଣିଛି, ଆପଣମାନେ କୁଆଡେ ମହାପଣ୍ଡିତ ଅଟନ୍ତି । ମାତ୍ର ଆପଣମାନଙ୍କର ପାଣ୍ଡିତ୍ୟ ମହାରାଜଙ୍କୁ କୌଣସି ପ୍ରକାର ସାହାଯ୍ୟ କରିପାରୁନାହିଁ, ଏହା ଜାଣି ମୁଁ ବଡ ଦୁଃଖିତ ।”

ତାଙ୍କର ଏଭଳି କଥାରେ ପଣ୍ଡିତମାନେ ବିସ୍ମିତ ହୋଇ କହିଲେ, “ଆମର ପାଣ୍ଡିତ୍ୟ ମହାରାଜଙ୍କୁ ସର୍ବଦା ସାହାଯ୍ୟ କରି ଆସିଛି । ମାତ୍ର ଜଣେ ମୂର୍ଖର ଭଉଣୀକୁ ବିବାହ କରିବା ବିଷୟରେ ଏହା ରାଜାଙ୍କ କାମରେ ଲାଗିପାରୁ ନାହିଁ ।”

ପ୍ରମିଳା ପ୍ରଶ୍ନ କଲା, “କାହିଁକି?”

ପଣ୍ଡିତ କହିଲେ “ଏହି ବିବାହ ପାଇଁ ତୁମର ବଡଭାଇକୁ ଆମକୁ ସମ୍ମାନିତ କରିବା ପାଇଁ ପଡିବ । ଆଉ ଜଣେ ଅଯୋଗ୍ୟକୁ ସମ୍ମାନ କରିବା ପଣ୍ଡିତ ଧର୍ମର ବିରୁଦ୍ଧାଚରଣ କରୁଛି ।”

ପ୍ରମିଳା ପଚାରିଲା “ମୁଁ ଯେବେ ପ୍ରମାଣ କରିଦେବି ଯେ ମୋର ଭାଇ ଏହି ସମ୍ମାନର ଯୋଗ୍ୟ ଅଟନ୍ତି, ତେବେ କ’ଣ ଆପଣମାନେ ତାଙ୍କୁ ସମ୍ମାନିତ କରିବେ?”  ପଣ୍ଡିତମାନେ ପଚାରିଲେ “ତୁମ ଭାଇଙ୍କର ତ କୌଣସି ବିଷୟରେ ଜ୍ଞାନହିଁ ନାହିଁ । ଅଥଚ ତୁମେ କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିବ?”

ତହୁଁ ପ୍ରମିଳା ସ୍ମିତ ହସି କହିଲା, “ମୋ ଭାଇଙ୍କର ଯୋଗ୍ୟତା ପ୍ରମାଣ କରିବା ଅର୍ଥ ଏହା ନୁହେଁ ଯେ, ସେ କେଉଁ ବିଷୟରେ ଜ୍ଞାନ ହାସଲ କରିଛନ୍ତି ତାହା ପ୍ରମାଣ କରିବା । କେତେକ କ୍ଷେତ୍ରରେ ଆମେ ଅତି ମୂଲ୍ୟବାନ, ଅପରିହାର୍ଯ୍ୟ ମଣୁଥିବା ବସ୍ତୁ ମଧ୍ୟ ଅଦରକାରୀ ମନେ ହୋଇଥାଏ ।” ପ୍ରମିଳା ଏହା କହି ଗୃହ ଭିତରକୁ ଯାଇ କେତେଗୁଡିଏ ଉପହାର ତୁରନ୍ତ ନେଇ ଆସିଲା । ସେହି ଉପହାରମାନ ପ୍ରମିଳାକୁ ବିବାହ କରିବା ପାଇଁ ଆଶା ପୋଷଣ କରିଥିବା ବିଭିନ୍ନ ଦେଶର ରାଜକୁମାରମାନେ ପଠାଇଥିଲେ ।

ପ୍ରମିଳା ପ୍ରଥମେ ଗୋଟିଏ ଉପହାର ପେଡି ଭିତରୁ ଫିଟାଇ ଦେଖାଇଲେ । ତାହା ନିମକାଠରେ ନିର୍ମିତ ଏକ ସୁନ୍ଦର ମୂର୍ତ୍ତି ଥିଲା । ଏହା ପ୍ରଶାନ୍ତି ରାଜ୍ୟରୁ ଆସିଥିଲା, ଯେଉଁଠାରେ କି ପ୍ରଚୁର ପରିମାଣରେ ଚନ୍ଦନକାଠ ମିଳେ । ଅତି ସାଧାରଣ କାମରେ ଚନ୍ଦନକାଠ ବ୍ୟବହୃତ ହେଉଥିବା ବେଳେ, ନିମ କାଠ ଦୁର୍ଲଭ ହୋଇଥିବାରୁ ସେହି ଦେଶର ଯୁବରାଜ ଏହି ବିଚିତ୍ର ଉପହାର ପଠାଇଛନ୍ତି ।

ତତ୍ପରେ ସେ ଅନ୍ୟ ଏକ ପେଡି ଖୋଲି ତହିଁରୁ ଏକ ତାମ୍ର ମୁଦ୍ରିକା ବାହାର କଲା । ଏହି ଦେଶରେ ଅଗଣିତ ସୁବର୍ଣ୍ଣ ଖଣି ରହିଛି । ସେଠାକାର ଲୋକମାନେ ସୁବର୍ଣ୍ଣ ପାତ୍ରରେ ରୋଷେଇ କରନ୍ତି । କିନ୍ତୁ ସୁବର୍ଣ୍ଣ ଆଭୂଷଣର ପ୍ରଚଳନ ସେଠାରେ ନାହିଁ । ସେଠାରେ ତାମ୍ର ଆଭୂଷଣର ଚାହିଦା ସବୁଠୁ ଅଧିକ । ତାମ୍ର ଅଳଙ୍କାରରେ ଅତି ସହଜରେ କଳଙ୍କ ଧରି ଯାଉ ଥିବାରୁ ଏଥିରେ ଲୌହର ଖାଦ ମିଶ୍ରଣ କରାଯାଇଥାଏ । ସେହି ମିଶ୍ରିତ ଧାତୁରେ ମୁଦ୍ରିକାଟି ପ୍ରସ୍ତୁତ ହୋଇଥାଏ ।

ଅନ୍ୟ ଏକ ପେଟିରୁ ସେ ଅତି ସୁନ୍ଦର କୃଷ୍ଣ ହୀରକ ବାହାର କଲା । ଏହା ଯେଉଁ ଦେଶରୁ ଆସିଥିଲା, ସେଠାରେ ନୀଳା, ରତ୍ନ, ମୋତି ଇତ୍ୟାଦି ମୂଲ୍ୟବାନ ଧାତୁ ପ୍ରଚୁର ପରିମାଣରେ ମିଳେ । କିନ୍ତୁ କୋଇଲା ଖୁବ୍ କମ୍ ଉପଲବ୍ଧ ହୁଏ । ତେଣୁ ଏହି କୃଷ୍ଣ ହୀରକ, ସେହି ଦେଶର ଏକ ଅତି ମୂଲ୍ୟବାନ ସମ୍ପଦ ।

ପ୍ରମିଳା ଏହିପରି ଭାବେ ସେ ପଣ୍ଡିତମାନଙ୍କୁ ଅନେକ ଗୁଡିଏ ଉପହାର କାଢି ଦେଖାଇଲା । ଏହି ସବୁ ବିଚିତ୍ର ଧରଣର ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଦେଖି ପଣ୍ଡିତମାନେ ଆଚମ୍ବିତ ହୋଇଗଲେ । ସେମାନେ ପ୍ରମିଳାକୁ କହିଲେ, “ଆମେ ତ କେବଳ କାହାଣୀରେ ଯାହା ଶୁଣିଥିଲୁ ଯେ, ଏପରି ବସ୍ତୁଗୁଡିକର ମର୍ଯ୍ୟାଦା କେତେକ ଦେଶରେ ହେଉଛି । ମାତ୍ର ତୁମେ ଅତ୍ୟନ୍ତ ଭାଗ୍ୟବତୀ ଯେ, ଏହି ସବୁ ବସ୍ତୁମାନ ଉପହାର ସ୍ୱରୂପ ଲାଭ କରିପାରିଛ!”

ପଣ୍ଡିତମାନେ ପ୍ରଶ୍ନ କଲେ “ଏହି ସବୁ ବସ୍ତୁ ଦେଖିବା ପରେ ଆମେ ତୁମ ଭାଇକୁ ସମ୍ମାନ ଜଣାଇବୁ, ଏପରି ଅନୁରୋଧ ଆମକୁ ବିଚିତ୍ର ମନେ ହେଉଛି । ଏହି ବସ୍ତୁ କ’ଣ ତୁମ ଭାଇଙ୍କର ଯୋଗ୍ୟତାର ମାପକାଠି? ତା’ପରେ ପ୍ରମିଳା ହାତଯୋଡି କହିଲା, “ମହୋଦୟ, ଆପଣମାନେ ବୁଦ୍ଧି ବିଚାରରେ ମୋ’ଠାରୁ ଯଥେଷ୍ଟ ଅଭିଜ୍ଞ । ମୋର ମନେ ହେଉଛି, ମୋତେ ପରୀକ୍ଷା କରିବା ପାଇଁ ଆପଣମାନେ ଏପରି ପ୍ରଶ୍ନ କରୁଛନ୍ତି ।”

ପଣ୍ଡିତମାନେ ଆହୁରି ଚିନ୍ତିତ ହୋଇପଡିଲେ । କିନ୍ତୁ ଜଣେ ବୟସ୍କ ପଣ୍ଡିତ ପ୍ରମିଳାର ଶିରରେ ହାତ ରଖି ତାକୁ ଆଶୀର୍ବାଦ କରି କହିଲେ, “କନ୍ୟା, ତୁମର ଏହି କଥା ଆମ ମନରୁ ଅହଂକାର ଦୂରେଇଦେଲା । ଯଦି ଆମେ ସୂକ୍ଷ୍ମ ଅର୍ଥରେ ଚିନ୍ତା କରିଥାନ୍ତୁ ଯେ ଜଣେ ମୂର୍ଖକୁ କିପରି ଓ କାହିଁକି ସମ୍ମାନ ଦେଖାଇବାକୁ ହେବ, ତେବେ ଆମ ମହାରାଜାଙ୍କୁ ଏପରି ବିଷର୍ଣ୍ଣମନରେ ସମୟ ବିତାଇବାକୁ ପଡି ନ ଥାନ୍ତା । ତୁମେ ଯେପରି ଉଦାହରଣ ଦେଖାଇ, ମୂର୍ଖର ଯଥାର୍ଥତା ପ୍ରତିପାଦନ କରାଇ ପାରିଲ, ଏପରି ଚମତ୍କାର କଥା ମୁଁ ଆଗରୁ କେଉଁଠାରେ ମଧ୍ୟ ଶୁଣି ନଥିଲି । ତୁମପରି ଜଣେ ବୁଦ୍ଧିମତୀ ରାଣୀଙ୍କ ଅଧିନରେ ପ୍ରଜା ହେବା ଆମ ପାଇଁ ଏକ ସୌଭାଗ୍ୟର କଥା । ତେଣୁ ଆମେ ସ୍ଥିର କରୁଛୁ ଯେ ତୁମ ଭାଇଙ୍କୁ ସମ୍ମାନିତ କରିବୁ ।” ଏପରି କହି ସେ ଅନ୍ୟ ପଣ୍ଡିତମାନଙ୍କୁ ଚାହିଁଲେ ।

ବେତାଳ ଏହି କାହାଣୀଟି ଶୁଣାଇବା ପରେ ରାଜାଙ୍କୁ ସେ ପ୍ରଶ୍ନ କଲା, “ରାଜନ୍! ପଣ୍ଡିତମାନେ ସ୍ୱୀକାର କଲେ ଯେ ମହାମୂର୍ଖ ମଧ୍ୟ ସମ୍ମାନର ଯୋଗ୍ୟ ଅଟେ । ଶତଭୋଜଙ୍କ ଦରବାରରେ ପଣ୍ଡିତମାନଙ୍କ ସମ୍ବନ୍ଧରେ ମୋର କିଛି କହିବାର ଅଛି । ରାଜା ପ୍ରମିଳାକୁ ବିବାହ କରି ନ ପାରି ଦୁଃଖିତ ହେବାରୁ, ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଏହି ପ୍ରସ୍ତାବ ସ୍ୱୀକାର କଲେ । ମୂର୍ଖକୁ ସମ୍ମାନ ଜଣାଇବା ତାଙ୍କର ପାଣ୍ଡିତ୍ୟ ପ୍ରତି ଏକ ଘୋର୍ ଅପମାନ ସଦୃଶ । ସେ ଯାହା ବି ହେଉ, ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସେହି ପଣ୍ଡିତମାନେ ଏପରି ଅସଂଗତ, ଅଯଥାର୍ଥ ନିଷ୍ପତି ନେଲେ । ମୁଁ ଜାଣିବା ପାଇଁ ଚାହୁଁଛି ଯେ, ଏହି ବିଚିତ୍ର ଉପହାର ଗୁଡିକ ମାଧ୍ୟମରେ ପ୍ରମିଳା ପ୍ରକୃତରେ କ’ଣ କହିବା ପାଇଁ ଚାହୁଁଥିଲା? ପଣ୍ଡିତମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଆଉ ତା’ର ଏକ ଚାଲବାଜୀ ନୁହେଁ ତ? ବୃଦ୍ଧ ପଣ୍ଡିତ ଚମତ୍କାର ଭାଷଣ ଦେଇ ତା’ର ପ୍ରଶଂସା କଲେ ଓ ଅନ୍ୟ ପଣ୍ଡିତମାନେ କିଛି ନ ବୁଝି ମଧ୍ୟ ମୁଣ୍ଡ ହଲାଇ ତାଙ୍କୁ ସମର୍ଥନ କଲେ । ଏହି ସବୁ ଘଟଣା କ’ଣ ହାସ୍ୟାସ୍ପଦ ମନେ ହେଉନାହିଁ? ମୋର ଏହି ସନ୍ଦେହର ତୁରନ୍ତ ଉତ୍ତର ଦିଅ । ଉତ୍ତର ଜାଣି ମଧ୍ୟ ନିରୁତ୍ତର ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ ବେତାଳର ସନ୍ଦେହର ସମାଧାନ କରି କହିଲେ, “ସାଧାରଣତଃ ଯେଉଁ ବସ୍ତୁ ଯେଉଁଠାରେ ଦୁଷ୍ପ୍ରାପ୍ୟ ଓ ବିରଳ, ସେହି ବସ୍ତୁ ପାଇଁ ସେଠାରେ ଆଦର ଓ ଆକର୍ଷଣ ବେଶୀ । ଗୋଟିଏ ଦେଶର ଅତି ମୂଲ୍ୟବାନ ବସ୍ତୁ, ଅନ୍ୟ ଦେଶରେ କିପରି ମୂଲ୍ୟହୀନ ତା’ର ପ୍ରମାଣ ସେ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପିତ କଲେ । ପଣ୍ଡିତମାନେ ଦୁର୍ଲଭ ହୋଇଥିଲେ ମଧ୍ୟ, ପ୍ରମୋଦ ପରି ମହାମୂର୍ଖ ମଧ୍ୟ ବିରଳ ଅଟେ । ବୃଦ୍ଧ ପଣ୍ଡିତ ବୁଝି ପାରିଲେ ଯେ ପ୍ରମୋଦକୁ ସମ୍ମାନିତ କରିବା ଅର୍ଥ, ସେ ଜଣେ ମହାମୂର୍ଖ ଅଟେ, ଏହି ସତ୍ୟକୁ ସ୍ୱୀକାର କରିବା । ତେଣୁ ସେ ପ୍ରମିଳାଙ୍କ କଥାର ସୂକ୍ଷ୍ମ ଅର୍ଥଟି ଧରି ପାରିଲେ ଓ ତାଙ୍କ ପରି ବିବେକଶୀଳା ମହାରାଣୀ ପାଇବା ସୌଭାଗ୍ୟର କଥା, ଘୋଷଣା କଲେ ।”

ସେହିପରି ରାଜାଙ୍କର ମୌନଭଙ୍ଗ କରାଇବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ରାଜାଙ୍କର କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.