ବେଦବତୀ

bedabati
Reading Time: 6 minutes

ଚନ୍ଦନପୁର ଗ୍ରାମରେ ଏକ ସୁଖୀ ଦମ୍ପତି ରାମଦାସ ଓ ଲକ୍ଷ୍ମୀ ବାସ କରୁଥିଲେ । ବିବାହର ଦୀର୍ଘ ଦିନ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜାତ ହେଲା । ସେହି ଅପୂର୍ବ ସୁନ୍ଦରୀ କନ୍ୟା ସନ୍ତାନର କମନୀୟ ମୁଖଶ୍ରୀରୁ ବେଦବାଣୀ ଝରି ଆସୁଥିବା ପରି ମନେ ହେଉଥିଲା । ତେଣୁ ସେମାନେ ତା’ର ନାମ ବେଦବତୀ ରଖିଲେ ।

ଦିନେ ସେହି କନ୍ୟା ତା’ର ମା’ଙ୍କ ଠାରୁ ଦୁଗ୍ଧପାନ କରିବା ସମୟରେ ହାତ ମୁଠାରେ ମା’ଙ୍କ ଶାଢୀର ଏକ ଅଂଶ ଧରିଥିଲା । ମା’ ଯେତେ ଚେଷ୍ଟା କଲେ ମଧ୍ୟ, ତା’ର ହାତମୁଠାରୁ ଶାଢୀ ଛଡାଇ ପାରିଲେ ନାହିଁ । ରାମଦାସ ମଧ୍ୟ ସେ କନ୍ୟା ହାତରୁ ଶାଢୀର ଅଂଶଟି ଟାଣି ଆଣିବା ପାଇଁ ଆଦୌ ସକ୍ଷମ ହେଲେ ନାହିଁ । ଶେଷରେ ଶାଢୀଟି ଚିରିଗଲା ପଛକେ ତାହା ସେହି ଛୋଟ ପିଲାର ହାତରୁ ଆଉ ବାହାରି ପାରିଲା ନାହିଁ । ଏକ ମୂଲ୍ୟବାନ ଶାଢୀ ନଷ୍ଟ ହୋଇ ଯିବାରୁ ମା’ ଅତ୍ୟନ୍ତ ମନଦୁଃଖ କଲେ । କିନ୍ତୁ ତିନି ବର୍ଷର ବାଳିକାକୁ ସେ କ’ଣ ବା କହିବେ? ଏହି କଥା ଯିଏ ବି ଜାଣିଲେ, ସେମାନେ କହିଲେ ଏତେ ଛୋଟ ବାଳିକାର ଏପରି କାଣ୍ଡ ଏକ ସାଧାରଣ କଥା ନୁହେଁ ।

ଆଉ ତିନିମାସ ପରେ ବେଦବତୀ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଏକ ମେଜକୁ ଟାଣି ଆଣିଲା । ସେହି ମେଜ ଉପରେ ଏକ ବହୁ ପୁରୁଣା କାଚ ସୁରେଇ ଥିଲା । ତାହା ତଳକୁ ଖସିପଡି ଖଣ୍ଡ ବିଖଣ୍ଡିତ ହୋଇଗଲା । ସେହି ସୁରେଇର ଗଢଣ ଅତି ସୁନ୍ଦର ଥିଲା । ପୂର୍ବ ପୁରୁଷ ଅମଳର ଏହି ସୁରେଇ ଉପରେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିଲା । ତାହା ନଷ୍ଟ ହୋଇଗଲେ ମଧ୍ୟ, କନ୍ୟା ପ୍ରତି ଆଘାତ ନ ହୋଇ ଥିବାରୁ ଲକ୍ଷ୍ମୀ ଟିକେ ଆଶ୍ୱସ୍ତ ହେଲେ ।

ବର୍ଷକର ହେବା ବେଳକୁ ବେଦବତୀ ଘରର ଅନେକ ଜିନିଷ ଭାଙ୍ଗି ସାରିଥିଲା । କେତେ ଲୋକ କହିଲେ ଘରେ ଛୋଟ ପିଲା ଥିଲେ, ଏପରି ସବୁ ଭଙ୍ଗାରୁଜା ହେବାଟାତ ସ୍ୱାଭାବିକ । କିନ୍ତୁ ଅନ୍ୟ କେତେଜଣ ମନ୍ତବ୍ୟ ଦେଲେ ବେଦବତୀ ଉପରେ ନିଶ୍ଚୟ କେହି ଦୁଷ୍ଟ ଶକ୍ତି ସବାର ହୋଇଛି । ରାମଦାସ ମଧ୍ୟ ଅନୁଭବ କଲେ ଏଥିରେ ଅବଶ୍ୟ କୌଣସି ରହସ୍ୟ ରହିଛି । ଏତେ ଛୋଟ ବାଳିକା ଠାରେ ପୁଣି ଏତେ ଶକ୍ତି । ତାଙ୍କୁ ଏସବୁ ଅସ୍ୱାଭାବିକ ମନେ ହେଉଥିଲା । ତେଣୁ ସେମାନଙ୍କ କଥାରେ ବିଶ୍ୱାସ କରି ରାମଦାସ ଯାଇ ଏକ ହଠଯୋଗୀକୁ ସାକ୍ଷାତ କଲେ ।

ଚନ୍ଦନପୁର ଠାରୁ ଦୁଇ କୋଶ ଦୂରରେ ରହୁଥିବା ଏହି ହଠଯୋଗୀ ଅଷ୍ଟସିଦ୍ଧି ସାଧନା କରିଛନ୍ତି । ଲୋକମାନଙ୍କ ମତରେ ଏପରି କୌଣସି ମାୟା ବିଦ୍ୟା ନାହିଁ, ଯାହାକି ତାଙ୍କୁ ଅଜଣା । ରାମଦାସ ତାଙ୍କ ନିକଟରେ ନିଜର ସମସ୍ୟା ପ୍ରକାଶ କଲେ । ତାହା ଶୁଣି ତାଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ, ନିଜର ଶକ୍ତିର ପରିଚୟ ଦେବାପାଇଁ ଏହାକୁ ସେ ଏକ ସୁଯୋଗ ମନେ କଲେ । ମନ୍ତ୍ରଦଣ୍ଡ ସହିତ ସେ ରାମଦାସଙ୍କ ସହିତ ଚନ୍ଦନପୁର ଅଭିମୁଖେ ବାହାରି ପଡିଲେ ।

ମନ୍ତ୍ରଦଣ୍ଡ ରଖା ହୋଇଥିବା ମେଜ ନିକଟରେ ବେଦବତୀ ଠୁକୁରୁ ଠୁକୁରୁ ଚାଲିରେ ପାଦ ପକାଇ ଯାଇ ପହଁଚିଲା । ମନ୍ତ୍ରଦଣ୍ଡଟି ହାତରେ ଧରିବା ପାଇଁ ଚେଷ୍ଟା କରିବାରୁ ତାହା ସିଧା ମେଜ ଉପରୁ ଗଡିଆସି ତଳେ ପଡି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା । ଏହା ଦେଖି ହଠଯୋଗୀ ଚକିତ ହୋଇ ପଡି ଚିତ୍କାର କଲେ, “ଏହି ବାଳିକା ମୋର ମନ୍ତ୍ରଦଣ୍ଡ ତଳେ ପକାଇ ତାକୁ ଭାଙ୍ଗି ପକାଇଲା । ତେଣୁ ୟେ କୌଣସି ସାଧାରଣ ବାଳିକା ନୁହେଁ । ପୁଣି ଏପରି କନ୍ୟାର ନାମ ତୁମେ ବେଦବତୀ ରଖିଛ । ତା’ର ନାମ ଭେଦବତୀ ହେବା ଉଚିତ୍ । ତା’ର ଚିକିତ୍ସା ମୋ ଦ୍ୱାରା ମୋଟେ ସମ୍ଭବ ନୁହେଁ । ମୁଁ ଏଠାରେ ଆଉ ଦଣ୍ଡଟିଏ ବି ରହିବି ନାହିଁ ।” ଏହା କହି ହଠଯୋଗୀ ତାଙ୍କ ମନ୍ତ୍ରଦଣ୍ଡର ଭଗ୍ନାଂଶଗୁଡିକୁ ସଂଗ୍ରହ କରି ସେଠାରୁ ଯଥାଶୀଘ୍ର ସେ ଚାଲିଗଲେ ।

ସେହି ଦିନଠାରୁ ସମସ୍ତେ ବେଦବତୀକୁ ଭେଦବତୀ ନାମରେ ସମ୍ବୋଧନ କଲେ । ଏହିପରି ଭାବେ ସେ ଯୁବତୀ ଅବସ୍ଥାରେ ଆସି ପଦାର୍ପଣ କଲା । ତା’ର ଏପରି କର୍ମକାଣ୍ଡ ପିତାମାତାଙ୍କ ପାଇଁ ଭୀଷଣ ଚିନ୍ତାର କାରଣ ହୋଇଥାଏ । ସେ ଗଛରୁ ଫଳ ତୋଳିବା ପାଇଁ ଚାହିଁଲେ ଗଛର ଡାଳ ଆପେ ଆପେ ଭାଙ୍ଗିଯାଏ । ଫୁଲଟିଏ ତୋଳିବା ପାଇଁ ଗଲେ ଫୁଲଗଛ ମୂଳରୁ ଊପୁଡିଯାଏ । କୁଅରୁ ପାଣି ଆଣିବା ପାଇଁ ଗଲେ ବାଲ୍ଟୀ ସହ ଦଉଡି ମଧ୍ୟ କୁଅରେ ଖସିପଡେ । ଘର ଝାଡୁ କଲେ ଘର ଚଟାଣରେ ଦାଗ ହୋଇଯାଏ । ବାସନ ଧୋଇଲେ ତାହା ବଙ୍କାତେଢା ହୋଇଯାଏ । ଲୁଗାସଫା କରିବାକୁ ଗଲେ ଲୁଗା ଚିରିଯାଏ । ତା’ର ହାତରେ ଏପରି ସବୁବେଳେ କିଛି ନା କିଛି ବସ୍ତୁ ନଷ୍ଟ ହେଉଥାଏ । ତେଣୁ ତା’ ହାତରେ କୌଣସି କାମ କରେଇବା ପାଇଁ ପିତାମାତାଙ୍କର ମନରେ ଭୟ ହୁଏ ।

ଭେଦବତୀ କାହା ଘରକୁ ଗଲେ, ସେହି ଘରର ଲୋକମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୁଏ । ତେଣୁ ପ୍ରାୟତଃ ଗ୍ରାମ ବାହାରେ ସେ ଖେଳାବୁଲା କରେ । ବେଦବତୀ ନାମରୁ ଭେଦବତୀରେ ପରିଣତ ହୋଇଥିବା ଏହି ବିଚିତ୍ର କନ୍ୟାର ଭବିଷ୍ୟତ ନେଇ ପିତାମାତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥାଏ । ଭାଗ୍ୟକୁ ଆଦରି ସେମାନେ ଯାହା ଖାଲି ଧୈର୍ଯ୍ୟ ରଖିଥାନ୍ତି ।

ଏହି ସମୟରେ ଚନ୍ଦନପୁର ଠାରୁ ଏକ କୋଶ ଦୂରରେ ଅବସ୍ଥିତ ମୃତିକାପୁର ଗ୍ରାମର ନନ୍ଦନ ନାମକ ଜଣେ ଯୁବକ ନିଜର ଚମତ୍କାର ବିଦ୍ୟା ପାଇଁ ବେଶ୍ ଖ୍ୟାତି ଲାଭ କରିଥାଏ । ନିଜର ସେହି ବିଦ୍ୟା ସାହାଯ୍ୟରେ ସେ ମାଣିକ୍ୟ ଚୋରି କରେ । ତା’ର ଚୋରିର ଏକ ଭିନ୍ନ ଉପାୟ ଥାଏ । ସେ ତା’ ହାତରେ, ପାପୁଲି ଭିତରେ ରହି ପାରୁଥିବା ପରି ଏକ ମଣିଷର ମୂର୍ତ୍ତି ତିଆରି କରେ । ମାଣିକ୍ୟ ଦୋକାନକୁ ଯାଇ ସେ ଅତି ଚତୁରତାର ସହ ମାଣିକ୍ୟ ଚୋରି କରି ଏହି ମୂର୍ତ୍ତି ଭିତରେ ସେସବୁକୁ ରଖିଦିଏ । ମାଟି ଭିତରେ ମାଣିକ୍ୟ ରହିବା ପରେ ଏହା ବଜ୍ରଠାରୁ ମଧ୍ୟ ଅଧିକ କଠିନ ହୋଇଯାଏ । ପରେ ସେହି ମୂର୍ତ୍ତିକୁ ଭାଙ୍ଗି ସେ ତା’ ଭିତରୁ ମାଣିକ୍ୟ କାଢି ଆଣେ । ଏହି ବିଦ୍ୟା କେବଳ ନନ୍ଦନକୁହିଁ ଜଣାଥାଏ । ସେହି କାରଣରୁ ତାଙ୍କୁ କେହିବି ସନ୍ଦେହ କରନ୍ତି ନାହିଁ ।

ନନ୍ଦନ ଥରେ ବଜ୍ରପୁରୀ ଯାଇଥାଏ । ସେଠାରେ ବଜ୍ରନାଥ ନାମକ ଜଣେ ଯୁବକଙ୍କ ଦୋକାନରେ ସେ ପଶି ମାଣିକ୍ୟ କିଣିବା ପାଇଁ ଆସିଥିବା ଲୋକଙ୍କ ପରି ନିରୀକ୍ଷଣ କରୁଥାଏ । ଚତୁରତାର ସହ ସେ ଏକ ମୂଲ୍ୟବାନ ମାଣିକ୍ୟ ଆଣି ତାକୁ ହାତରେ ଧରିଥିବା ମାଟିର ମୂର୍ତ୍ତି ଭିତରେ ରଖି ଦେଉଥିବା ସମୟରେ ସେହି ଦୋକାନର ଜଣେ କର୍ମଚାରୀ ତାହା ଲକ୍ଷ୍ୟ କଲେ । ସେ ସଙ୍ଗେ ସଙ୍ଗେ ବଜ୍ରନାଥଙ୍କୁ ଏହି ବିଷୟରେ ଜଣାଇଲେ ।

ସେ ମୂର୍ତ୍ତିର ଗଢଣ ଏପରି ହୋଇଥାଏ ଯେ, ଯେମିତି କେହି ବି ଜାଣି ପାରିବେ ନାହିଁ ଯେ ଏହା ଭିତରେ ମାଣିକ୍ୟ ରହିପାରିବ । ତେବେ ମଧ୍ୟ କର୍ମଚାରୀ ବେଶୀ ଜୋର୍ ଦେବାରୁ ବଜ୍ରନାଥ ଶେଷରେ ତା’ କଥାରେ ବିଶ୍ୱାସ କଲେ ।

“ମହାଶୟ, ଏହି ମୂର୍ତ୍ତିଟି ଅଭେଦ୍ୟ ପଦାର୍ଥରେ ତିଆରି । ତେଣୁ ଏହା ଭିତରେ ମାଣିକ୍ୟ ରହିବା ଆଦୌ ସମ୍ଭବ ନୁହେଁ । ଆପଣମାନଙ୍କର ଏ ଅଭିଯୋଗ ଅସତ୍ୟ, କପୋଳକଳ୍ପିତ, ଏହପରି ଭାବେ ନନ୍ଦନ ନିଜକୁ ନିର୍ଦୋଷ ସାବ୍ୟସ୍ତ କରୁଥାଏ ।”

କିନ୍ତୁ ବଜ୍ରନାଥ କହିଲେ, “ମୋର କର୍ମଚାରୀମାନେ ତ କେବେବି ମିଥ୍ୟା କହନ୍ତି ନାହିଁ । ତାହା ସତ୍ୟ । ଆମ ଦୋକାନରେ ହିସାବରୁ ଗୋଟିଏ ମାଣିକ୍ୟ ଊଣା ପଡୁଛି । ଏହି ମୂର୍ତ୍ତିଟି ଭାଙ୍ଗି ପରୀକ୍ଷା କଲେ ତୁମର କୌଣସି ଆପତ୍ତି ନାହିଁ ତ?”

ନନ୍ଦନ ତାଙ୍କ କଥାରେ ସମ୍ମତି ଜଣାଇଲା । ମୂର୍ତ୍ତିଟିକୁ ଭାଙ୍ଗିବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଦୋକାନର କର୍ମଚାରୀମାନେ ବିଫଳ ହେଲେ, ହାତରେ ହାତୁଡିରେ କିମ୍ବା ମାଣିକ୍ୟ କଟା ହେଉଥିବା ଯନ୍ତ୍ରରେ ମଧ୍ୟ ତାହା ଭାଙ୍ଗିଲା ନାହିଁ । ତାହା ଦେହରେ ମଧ୍ୟ ଦାଗ ସୁଦ୍ଧା ବସିଲା ନାଇଁ । କେତେକ କହିଲେ, “ଏତେ ଶକ୍ତ ମୂର୍ତ୍ତି ଭିତରେ ମାଣିକ୍ୟ ରହିବା ତ କେବେବି ସମ୍ଭବ ନୁହେଁ ।”

କେବଳ ବଜ୍ରନାଥ କହୁଥିଲେ, “ମୋର ମାଣିକ୍ୟର ମୂଲ୍ୟ ଅଢେଇ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ମୂର୍ତ୍ତିଟିକୁ ଭାଙ୍ଗି ତା’ ଭିତର ନ ଦେଖିବା ଯାଏଁ ମୁଁ ଏହା ବିଶ୍ୱାସ କରିବି ନାହିଁ । କିନ୍ତୁ ମୁଁ ତାହା କିପରି ଭାଙ୍ଗି ପାରିବି, ମୋତେ କେହି କିଛି ଉପାୟ ବତାନ୍ତୁ ।”

ଏହି ସମୟରେ ସେହିବାଟ ଦେଇ ଚନ୍ଦନପୁର ଗ୍ରାମବାସୀ ଜଣେ ଯାଉଥିଲେ । ସେ ଏହି ଘଟଣା ଜାଣିବା ପରେ କହିଲେ, “ଏହି କାମ ଆମ ଗ୍ରାମର ଭେଦବତୀ ନିଶ୍ଚୟ କରି ପାରିବ ।” ଏହାପରେ ଉପସ୍ଥିତ ଲୋକମାନଙ୍କୁ ସେ ଭେଦବତୀର କାହାଣୀ ଶୁଣାଇଲେ । ଲୋକମାନେ କହିଲେ, “ଏହା ଏକ ମନଗଢା କାହାଣୀ ପରି ମନେ ହେଉଛି । ଏପରି କାମ ଜଣେ ବାଳିକା ପକ୍ଷରେ କେବେବି ସମ୍ଭବ ନୁହେଁ ।” କିନ୍ତୁ ବଜ୍ରନାଥ କହିଲେ, “ଏହି କଥାକୁ ଏପରି ହସରେ ଉଡେଇଦେବା ନାହିଁ । କାହା ନିକଟରେ କେଉଁ ବିଦ୍ୟା ଲୁଚି ରହିଛି, ତାହା ଜାଣିବା ମୋଟେ ସହଜ ନୁହେଁ । ମୋ ବିଚାରରେ ଏହି ଯୁବକ ନିକଟରେ ନିଶ୍ଚୟ କୌଣସି ଚମତ୍କାର ଗୁଣ ରହିଛି । ଯଦି ଏହି ମୂର୍ତ୍ତି ଭିତରେ ମାଣିକ୍ୟ ରହିଥିବା କଥା ପ୍ରମାଣିତ ହୋଇଯାଏ, ତେବେ ନନ୍ଦନ ପରି ଜଣେ ମହାଚୋର ଆଜି ନିଶ୍ଚୟ ଧରା ପଡିବ । ଏଥିପାଇଁ ମୋତେ ପ୍ରଶଂସା ମିଳିବ । ପୁରସ୍କାର ବି ମିଳିବ । ଭେଦବତୀ ଏହି ମୂର୍ତ୍ତି ଭାଙ୍ଗିବା ପାଇଁ ସକ୍ଷମ ହେଲେ ମୁଁ ତାକୁ ଏକଲକ୍ଷ ମୁଦ୍ରା ଉପହାର ଦେବି ।”

ନନ୍ଦନ ଏହି ଆହ୍ୱାନକୁ ମଧ୍ୟ ସ୍ୱୀକାର କଲା । କିନ୍ତୁ ସେ ଏହି ସର୍ତ୍ତ ରଖିଲା ଯେ ଯଦି ଭେଦବତୀ ଏହି ମୂର୍ତ୍ତି ଭାଙ୍ଗିବାକୁ ସକ୍ଷମ ନ ହୁଏ, ତେବେ ବଜ୍ରନାଥ ତା’ ପୁରୁଣା ମାଣିକ୍ୟ ସବୁ ଉପଯୁକ୍ତ ଦାମ୍ ଦେଇ କିଣିବା ପାଇଁ ବାଧ୍ୟ । ବଜ୍ରନାଥ କହିଲେ “ମୂର୍ତ୍ତି ଭିତରୁ ମାଣିକ୍ୟ ବାହାରିଲେ, ପ୍ରମାଣିତ ହୋଇଯିବ ଯେ ତୁମ ଘରେ ସବୁ ମାଣିକ୍ୟ ଚୋରୀମାଲ୍ ଅଟେ । ତେଣୁ ସେଗୁଡିକୁ ତୁମେ ସରକାରଙ୍କୁ ସମର୍ପଣ କରିବା ପାଇଁ ବାଧ୍ୟ । ତୁମକୁ ମଧ୍ୟ ମୋର ଏହି ସର୍ତ୍ତ ମାନିବାକୁ ପଡିବ ।”

ଏହିପରି ସେ ଦୁହେଁ ସର୍ତ୍ତ ରଖି ଚନ୍ଦନପୁର ଗ୍ରାମରେ ଯାଇ ପହଁଚିଲେ । ସେମାନେ ରାମଦାସଙ୍କ ଘର ନିକଟରେ ପହଁଚି ପ୍ରଥମେ ଭେଦବତୀକୁ ଭେଟିଲେ । ଭେଦବତୀର ଅପୂର୍ବ ରୂପମାଧୁରୀ ସେମାନଙ୍କୁ ବଡ ବିସ୍ମିତ କଲା । ବଜ୍ରନାଥ ନିଜର ସମସ୍ୟା ବ୍ୟକ୍ତ କରି କହିଲେ, “ମୋର ନାମ ବଜ୍ରନାଥ । ମୁଁ ଜଣେ ମାଣିକ୍ୟ ବେପାରୀ । ଏହି ମୂର୍ତ୍ତି ଭିତରେ ଏକ ମାଣିକ୍ୟ ଅଛି କି ନାହିଁ ତାହା ଜାଣିବା ପାଇଁ ଆମେ ବହୁ ଚେଷ୍ଟା କରି ଏହାକୁ ଭାଙ୍ଗିବାରେ ବିଫଳ ହେଲୁ । ତୁମେ ତାହା କରି ପାରିଲେ ମୁଁ ତୁମକୁ ଏକଲକ୍ଷ ମୁଦ୍ରା ଉପହାର ଦେବି ।”

ନନ୍ଦନ ମଧ୍ୟ ଭେଦବତୀ ନିକଟକୁ ଯାଇ ନିଜର ପରିଚୟ ଦେଇ କହିଲା, “ଯଦି ଏହି ମୂର୍ତ୍ତି ଭିତରେ ମାଣିକ୍ୟ ନ ଥିବା କଥା ପ୍ରମାଣିତ ହୁଏ, ତେବେ ମୁଁ ତୁମକୁ ବିବାହ କରିବି ।”

ସେମାନଙ୍କ କଥା ଶୁଣି ଭେଦବତୀ କହିଲା, “ମୋର ମାତା-ପିତା ମୋର ମୁରବି ଅଟନ୍ତି । ତାଙ୍କ ସହିତ ବିବାହ ସମ୍ବନ୍ଧରେ ଆଲୋଚନା କର । ମୋ ହାତକୁ ସେ ମୂର୍ତ୍ତିଟିକୁ ଦିଅନ୍ତୁ । ଏତେ କଠିନ ମୂର୍ତ୍ତି ମୋ ହାତରେ ଭାଙ୍ଗି ପାରୁଛି କି ନାହିଁ ମୁଁ ତାହା ପରୀକ୍ଷା କରେ ।”

ବଜ୍ରନାଥ ତା’ ହାତକୁ ସେ ମୂର୍ତ୍ତିଟି ବଢାଉଥିବା ସମୟରେ ତାହା ବେଦବତୀ ହାତରୁ ଖସି ପଡିଲା । ତାହା ତଳେ ପଡି ଖଣ୍ଡବିଖଣ୍ଡିତ ହୋଇ ଯିବା ସହିତ, ଏହା ଭିତରେ ଥିବା ମାଣିକ୍ୟ ବାହାରି ପଡିଲା ।

“ହେଇଟି ମୋର ମାଣିକ୍ୟ ।” ବଜ୍ରନାଥ ଏପରି କହି ଖୁସୀରେ ଡେଇଁପଡି ତାହା ଧରି ପକାଇଲେ । ଏହା ଦେଖି ନନ୍ଦନ ଭୟରେ ଥରି ଉଠିଲା ଓ ମିଛରେ ଥରି ଥରି ସେ କହି ଉଠିଲା, “ଏହା ଏକ ଚାଲବାଜୀ । ମୁଁ ମାଣିକ୍ୟ ଚୋରି କରିନାହିଁ ।” ଏପରି କହି କହି ନନ୍ଦନ ସେଠାରୁ ଧାଇଁ ପଳାଉଥିବା ସମୟରେ କେତେଜଣ ଯୁବକ ଦୌଡିଯାଇ ତାକୁ ଧରି ପକାଇଲେ । ବଜ୍ରନାଥ ସେମାନଙ୍କୁ କହିଲେ, “ଏହି ଚୋରକୁ ରାଜଧାନୀ ନେଇ ଯାଇ କଟୁଆଳଙ୍କ ହାତରେ ଅର୍ପଣ କର । ଏହା ଘରେ ଅନେକ ଚୋରି ମାଣିକ୍ୟ ରହିଛି । ସେଗୁଡିକ ମଧ୍ୟ ଉଦ୍ଧାର ହୋଇ ପାରିବ ।”

ଗୃହ ସମ୍ମୁଖରେ ଲୋକ ଠୁଳ ହୋଇଥିବାର ଦେଖି ରାମଦାସ ଓ ଲକ୍ଷ୍ମୀ ବ୍ୟତିବ୍ୟସ୍ତ ହୋଇ ପଡିଲେ । ସେଠାରେ ସେମାନେ ବେଦବତୀ ଠାରୁ ସମସ୍ତ ବିଷୟ ଜାଣି ପାରିଲେ । ବେଦବତୀ ପିତାମାତାଙ୍କୁ କହିଲା, “ମୂର୍ତ୍ତି ଭାଙ୍ଗି ପାରିଲେ ଏହି ଯୁବକ ମୋତେ ଏକଲକ୍ଷ ମୁଦ୍ରା ପୁରସ୍କାର ଦେବେ ବୋଲି କହିଥିଲେ ।”

ରାମଦାସ ଓ ଲକ୍ଷ୍ମୀ ତାଙ୍କ କନ୍ୟାର ଏଭଳି କଥାକୁ ଅବିଶ୍ୱାସ କଲେ । ତେଣୁ ସେମାନେ ବିସ୍ମିତ ହୋଇ ବଜ୍ରନାଥକୁ ଦେଖିବାରୁ, ସେମାନଙ୍କୁ ସେ ପ୍ରଣାମ କରି ବିନୟର ସହିତ କହିଲେ, “ଏକଲକ୍ଷ ମୁଦ୍ରା କ’ଣ ଆପଣମାନେ ସମ୍ମତି ହେଲେ ମୁଁ ବେଦବତୀଙ୍କୁ ବିବାହ କରିବା ପାଇଁ ରାଜି ।”

ଏହା ଶୁଣି ରାମଦାସ ଓ ଲକ୍ଷ୍ମୀଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ଭେଦବତୀ ଲଜ୍ଜାରେ ମଥାନତ କରି ମା’ଙ୍କ ପଛପଟେ ଯାଇ ଠିଆ ହେଲା । ସେମାନେ କୃତଜ୍ଞତା ପୂର୍ବକ କହିଲେ, “ଏହାଠାରୁ ବଳି ଆନନ୍ଦର କଥା ଆମ ପାଇଁ ଆଉ କ’ଣ ବା ହୋଇପାରେ । ତା ସମ୍ବନ୍ଧରେ ସବୁ ଜାଣିବା ପରେ କେହି ଯୁବକ ଯେ ତାକୁ ବିବାହ କରିବା ପାଇଁ ରାଜି ହେବେ, ତାହା ତ ଆମର କଳ୍ପନାର ବାହାରେ ଥିଲା । ତା’ର ଭବିଷ୍ୟତ ପାଇଁ ଆମେ ବଡ ଚିନ୍ତିତ ଥିଲୁ । ତୁମେ ଜଣେ ସାହସୀ ଯୁବକ, ତେଣୁ ବେଦବତୀର ପାଣିଗ୍ରହଣ କରିବାକୁ ଆଗେଇ ଆସିଛ । ସେଥିପାଇଁ ଆମେ ତୁମ ନିକଟରେ ଚିରଋଣୀ ରହିବୁ ।”

କିଛି ଦିନ ପରେ ବଜ୍ରନାଥ-ବେଦବତୀଙ୍କର ବିବାହ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେଲା । କିନ୍ତୁ ବିବାହ ପରେ ବେଦବତୀକୁ ଭେଦବତୀ ବୋଲି ଡାକିବା ପାଇଁ ଆଉ କେହି ମଧ୍ୟ ସାହସ କଲେ ନାହିଁ । ଏହାପରେ ମଧ୍ୟ ବେଦବତୀର ହାତରୁ ପଡି କେତେ ଜିନିଷ ନଷ୍ଟ ହୋଇଛି । ମାତ୍ର ତାହାକୁ କେହି ଏତେ ଗୁରୁତ୍ୱ ଦେଲେ ନାହିଁ । ପ୍ରଥମତଃ ସେ ଜଣେ ଧନୀକ ବ୍ୟକ୍ତିଙ୍କର ସ୍ତ୍ରୀ । ଦ୍ୱିତୀୟରେ ବେଦବତୀର ହାତରୁ ଜିନିଷ ଖସିପଡି କେବଳ କ୍ଷତି ହେଉନାହିଁ । ଏହାଦ୍ୱାରା ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଲାଭ ମିଳିପାରିବ, ଏହି ବିଶ୍ୱାସ ଅନ୍ୟମାନଙ୍କ ମନରେ ଜାତ ହେଲା । ତା’ର ଭେଦବତୀ ନାମ କିଛି ଦିନ ପରେ ଲୋକମାନେ ପାଶୋରି ଦେଲେ । ଏବେ ସେ ଜଣେ ଧନଶାଳୀ, ସୌଭାଗ୍ୟବତୀ, ରୂପବତୀ ସୁଗୃହିଣୀ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.