🍁 ବନ୍ଧ୍ୟା 🍁

Tamil Girl with her Parrots
Reading Time: 4 minutes

ହରିପୁର ଗ୍ରାମରେ ରାମ ଓ ଜାନକୀ ନାମକ ସ୍ୱାମୀ ସ୍ତ୍ରୀ ରହୁଥା’ନ୍ତି । ତାଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ ମାଧବ । ଜାନକୀର ଭଉଣୀ, ଝିଅଟିଏ ଜନ୍ମ କରି ମରିଗଲା । ଜାନକୀ ସେ ଛୁଆକୁ ନିଜ ଘରକୁ ଆଣି ତା’ର ପାଳନ ପୋଷଣ କଲା । ସେ ଝିଅଟିର ନାମ ମଲ୍ଲିକା ରଖାଗଲା ।

ମଲ୍ଲିକା ତା’ବାଳୁତ କାଳରୁ ମାତୃହୀନା ବୋଲି ରାମ ଓ ଜାନକୀ ଦୁହେଁ ତାକୁ ଅଧିକ ସ୍ନେହ ଦେଇ ରଖିଥା’ନ୍ତି । ଜାନକୀ ଯେତେ ବଡ ହେଉଥାଏ ବହୁତ ସ୍ନେହ ପାଇ ସେ ସେତିକି ଯିଦ୍ଖୋର୍ ଓ ଗର୍ବୀ ମଧ୍ୟ ହେଉଥାଏ । ତେଣୁ ମଝିରେ ମଝିରେ ରାମ, ଜାନକୀକୁ କହୁଥାଏ ଯେ ଝିଅଟି କ୍ରମେ ବଡ ହେଉଛି, ତାକୁ ଏଥର ଶାସନରେ ରଖିବା ଉଚିତ୍ । ନହେଲେ ସେ ତ ପୁରାପୁରି ନଷ୍ଟ ହୋଇଯିବ ।

ଏକଥା ଶୁଣି ଜାନକୀ କହେ, “ତମେ କାହିଁକି ଏତେ ରାଗୁଛ? କାରଣ ସେ ତୁମ ଝିଅ ନୁହେଁ । ମୁଁ ତାକୁ ଏଠାକୁ ଆଣି ବହୁତ ବଡ ଭୁଲ୍ କାମ କରିଛି ।”

ଏମିତି ସମୟ ବିତିଯାଉଥାଏ । ମଲ୍ଲିକା ଏବେ ଜଣେ ଯୁବତୀ ଝିଅ ହୋଇଗଲାଣି । ତେଣୁ ତା’ ପାଇଁ ବରଟିଏ ଖୋଜା ହେଉଥାଏ । କିନ୍ତୁ ସେ ଏତେ ଗର୍ବି, ଯିଦ୍ଖୋର୍ ଓ ଖାମଖେୟାଲି ଯେ ପ୍ରସ୍ତାବ ଆସେ କିଛିନା କିଛି ଭୁଲ୍ ଦେଖାଇ ସେ ମନା କରିଦିଏ ।

ଅନେକ ପ୍ରସ୍ତାବ କଟି କଟି ଶେଷକୁ ଗିରିଧର ନାମକ ଏକ ଯୁବକ ସହିତ ମଲ୍ଲିକାର ବିବାହ ସ୍ଥିରୀକୃତ ହେଲା । ମଲ୍ଲିକା ହଠାତ୍ ଖୁବ୍ ଭଲ ବ୍ୟବହାର କରିବାକୁ ଲାଗିଲା ଓ ସେ ନୀରବ ରହିଲା ।

ବିବାହ ସ୍ଥିର ହେବା ମାତ୍ରେ ଜାନକୀ ରାମକୁ କହିଲା, “ଦେଖିଲ ତ । ସବୁବେଳେ ସମସ୍ତେ ଖାଲି ତାକୁ ଯିଦ୍ଖୋର୍ ଗର୍ବି ବୋଲି କହୁଥିଲେ । କେତେ ସୁନ୍ଦର ସ୍ୱଭାବ ଆମ ଝିଅର କେତେ ସୁନ୍ଦର ଭାବରେ ସେ ଭଦ୍ର ଓ ଶାନ୍ତ ହୋଇ ସବୁ ପ୍ରଶ୍ନର ଉତ୍ତର ଦେଉଥାଏ? ଏବେ ତା’ ବିଷୟରେ ଆଉ କିଛି ଅଭିଯୋଗ କରିବ ନାହିଁ, କ’ଣ ବୁଝିଲ?”

ସ୍ତ୍ରୀର ଏଭଳି କଥା ଶୁଣି ରାମ ହସିଦେଲା, ସେ ଆଉ କିଛି ମଧ୍ୟ କହିଲା ନାହିଁ । କିଛିଦିନ ପରେ ଦିନେ ରାମ ଜନକୀକୁ କହିଲା, “ଏବେ ମଲ୍ଲିକାର ବିବାହ ତ ଠିକ୍ ହୋଇ ଗଲାଣି, ମାଧବ ପାଇଁ ମଧ୍ୟ କନ୍ୟାଟିଏ ଯୋଗାଡ ହେଲେ ଏକାଥରେ କାମ ଛିଡିଯା’ନ୍ତା । ତମେ କ’ଣ କହୁଛ?”

ଜାନକୀ କହିଲା “ମାଧବ ପାଇଁ କାହିଁକି ଏତେ ବ୍ୟସ୍ତ?” ରାମଦେବ କହିଲା, “ପ୍ରକୃତରେ ନାରାୟଣ ତା’ ଝିଅ କମଳା ପାଇଁ କେବେଠାରୁ ମୋତେ କହି ରଖିଛି । କମଳା ଭାରି ଭଲ ଝିଅଟିଏ ।”

ନାରାୟଣ ଓ ରାମଦେବ ଏ ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ଜାନକୀ ନାରାୟଣର ପରିବାରକୁ ବେଶ୍ ଭଲ ଭାବରେ ଜାଣେ । ନାରାୟଣର ପୁଅ ବେଣୁ ଓ ମାଧବ ମଧ୍ୟରେ ବି ନିବୀଡ ବନ୍ଧୁତା ଥାଏ । ଜାନକୀ ନାରାୟଣଙ୍କ ପରିବାର ବିଷୟରେ ଭଲ ଭାବରେ ଜାଣିଥାଏ ।

ଜାନକୀ ପଚାରିଲା “କିନ୍ତୁ କମଳାର ପ୍ରସ୍ତାବ ତ ଅନ୍ୟ କାହା ସହିତ ପଡିଥିଲା ବୋଲି ମୁଁ ଶୁଣିଥିଲି । ସେକଥା କ’ଣ ହେଲା?”

ରାମ କହିଲା, “ସେ ପ୍ରସ୍ତାବ ଭାଙ୍ଗିଗଲା । ତମେ ତ ସେକଥା ଭଲ ଭାବରେ ଜାଣିଛ ।”

ଜନକୀ କହିଲା “ମୁଁ ଜାଣିଛି ସେ ପ୍ରସ୍ତାବ କାହିଁକି ଭାଙ୍ଗିଗଲା । କମଳା ବହୁତ ମୁହଁଖୋର ସେଇଥିପାଇଁ ।”

ଯେତେବେଳେ ସ୍ୱାମୀ ସ୍ତ୍ରୀ ଏ ବିଷୟରେ କଥା ହେଉଥିଲେ ସେତେବେଳେ ମାଧବ ମଧ୍ୟ ସେଇଠି ଥିଲା । ମା’ର କଥା ଶୁଣି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା । ସେ ଆଉ ତା’ ନିଜକୁ ସମ୍ଭାଳି ନପାରି କହିଲା, “ମା’, ଏକଥା ପୁଣି ତୁମେ କହୁଛ? ତୁମେ ତ ତାକୁ ପିଲାଟିବେଳୁ ଜାଣିଛ । ତଥାପି ବି ତା’ ବିଷୟରେ ତମେ ଏପରି କଥା କହୁଛ?”

ପୁଅ ବଡ ମଣିଷଙ୍କ ମଝିରେ ପଶି କଥା କହିବାଟା ଜାନକୀକୁ ମୋଟେ ଭଲ ଲାଗିଲା ନାହିଁ । ଏଣୁ ସେ ମାଧବକୁ ରାଗିକରି ଅନାଇଲା । ମାତ୍ର ମାଧବର ସେଥିରେ କୌଣସି ମଧ୍ୟ ପ୍ରତିକ୍ରିୟା ହେଲା ନାହିଁ । ସେ ପୁଣି ଶାନ୍ତ ଭାବରେ କହିଲା, “ମା’ ତମେ ବୋଧେ ପ୍ରକୃତ କଥା କିଛି ଜାଣିନାହଁ । କମଳାର କୌଣସି ନିକଟ ସମ୍ପର୍କିୟ ବନ୍ଧୁବାନ୍ଧବ ସହିତ ପ୍ରସ୍ତାବ ପଡିଥିଲା । ସେମାନେ ବହୁତ ବେଶି ଯୌତୁକ ମାଗିଲେ । ତେଣୁ କମଳାର ମା’ବାପା ନାଚାର ହୋଇ ବସିଲେ, ସେଥିପାଇଁ ସେ ସମ୍ବନ୍ଧ କଟିଗଲା ।”

“ତୁ ସେ ବାଜେକଥା କହିବା ବନ୍ଦ କର । ବଡଙ୍କ କଥାରେ ତୋର ମଝିରେ ପଶିବା ଆଦୌ ଉଚିତ୍ ନୁହେଁ । ଅନ୍ୟମାନେ ଭାବିବେ ଦିନେ ନା ଦିନେ ଏପରି ପିଲା ମା’ବାପାଙ୍କୁ ଓ ଶାଶୁଶଶୁରକୁ ଘରୁ ବାହାର କରିଦେବ । ତମେ ବାପପୁଅ ଯଦି ସବୁ ଠିକ୍ କରିଛ ତେବେ ମଝିରେ ମୁଁ କାହିଁକି ପଶିବି?” ଏତିକି କହି ଜାନକୀ ସେଠୁ ପଳାଇଲା ।

ଶେଷକୁ ମଲ୍ଲିକାର ବିବାହ ଗିରିଧାରୀ ସହିତ ହେଲା । ମଲ୍ଲିକା ଶାଶୁଘରକୁ ଗଲା । ପୁଣି କମଳା ବି ବୋହୁ ହୋଇ ଏଠାକୁ ଆସିଲା । ଜାନକୀର ତ କମଳା ପ୍ରତି ଆଗରୁ ବିଦ୍ୱେଷଭାବ ଥିଲା; ତେଣୁ ବିବାହ ପରେ କମଳାର ଅଳ୍ପ କିଛି ଦୋଷ ଦେଖିଲେ ସେ ଖାଲି ତାକୁ ବଡ କରି କହିବ ।

କମଳା ସବୁକିଛି ନୀରବରେ ସହ୍ୟ କରୁଥାଏ ଓ ନମ୍ରତାର ସହିତ କଥାବାର୍ତ୍ତା କରୁଥାଏ । ଏପରିକି ଜାନକୀ ମଧ୍ୟ ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ହୁଏ ।

ଥରେ ମାଧବ ଓ କମଳା, ମଲ୍ଲିକା ସହିତ ଦେଖା କରିବାକୁ ଗଲେ; କିନ୍ତୁ କିଛି ସମୟ ପରେ ସେମାନେ ଦୁହେଁ ଲେଉଟି ଆସିଲେ । ସେମାନଙ୍କ ପଛେ ପଛେ ମଲ୍ଲିକା ଓ ଗିରିଧାରୀ ମଧ୍ୟ ସେଠାରେ ଆସି ପହଁଚିଲେ । କମଳାର ମୁଣ୍ଡରେ ପଟି ବନ୍ଧା ହୋଇଥାଏ । ଏସବୁ ଦେଖି ରାମଦେବ ବଡ ବ୍ୟସ୍ତ ହୋଇ ପଡି ପଚାରିଲେ, “କମଳାର ଇଏ କ’ଣ ହେଲା? ପଟିବନ୍ଧା କାହିଁକି?”

ସେ ପ୍ରଶ୍ନର ଉତ୍ତର କମଳା ବା ମାଧବ କେହି ହେଲେବି ଦେଲେନାହିଁ । ଜ୍ୱାଇଁ ଗିରିଧାରୀ କହିଲା “ସେକଥା ନିଜ ଝିଅ ମଲ୍ଲିକାକୁ ପଚାରନ୍ତୁ । ଜ୍ୱାଇଁ ପୁଣି ରାଗିକରି ଶାଶୁଙ୍କୁ ଅନାଇ କହିଲା, “ଇଏସବୁ ଆପଣଙ୍କ ଆଦରର ଝିଅର କୃତିତ୍ୱ । ଯେଉଁଦିନଠାରୁ ସେ ଆମ ଘରକୁ ବୋହୁ ହୋଇ ଆସିଲାଣି, ସେହି ଦିନଠାରୁ ତା’ର ରାଗ, ଯିଦି ଓ କଡାକଥା ଆମେ ସହ୍ୟ କରି ଚାଲିଛୁ । କିନ୍ତୁ ଆଜି କୌଣସି ଏକ ଛୋଟ କଥାରେ ସେ ମୋ ମା’ ଉପରକୁ ଗୋଟାଏ ଥାଳିଆ ଧରି ଫୋପାଡିଲା । ମୋ ମା’ର ତ ମୁଣ୍ଡ କ’ଣ ହୋଇଯାଇଥା’ନ୍ତା । କିନ୍ତୁ ମଝିରେ କମଳା ଆସି ଯିବାରୁ ତା’ ମୁଣ୍ଡରେ ବାଜି ଧାର ଧାର ହୋଇ ରକ୍ତ ବୋହିଗଲା ।”

ଜୁଆଇଁଙ୍କ କଥା ଶୁଣି ଜାନକୀ ସ୍ତବ୍ଧ ହୋଇଗଲା ଓ ରାଗରେ ମଲ୍ଲିକାକୁ ଚାହିଁଲା । ମଲ୍ଲିକା ମା’କୁ ଧରି କାନ୍ଦିଲା । କିନ୍ତୁ ପୂର୍ବପରି ଜାନକୀ ଆଉ ତାକୁ ସାନ୍ତ୍ୱନା ଦେଇ ପାରିଲା ନାହିଁ । କିଛି ସମୟ ପରେ ଗିରିଧାରୀ କହିଲା, “ଏବେ ଏଠାରୁ ଚାଲ, ଘରକୁ ଯିବା ।” ତା’ପରେ ସେ ଦୁହେଁ ତାଙ୍କ ଘରକୁ ଫେରିଗଲେ ।

ଜ୍ୱାଇଁଙ୍କ କଥା ଶୁଣି ଜାନକୀର ମନ ଭଲ ନଥିଲା, ସଂଧ୍ୟାବେଳେ ସେ ହରିକଥା ଶୁଣିବାକୁ ମନ୍ଦିରକୁ ଗଲେ । ହରିକଥା ପଢିବାବାଲା ପଣ୍ଡିତ ସେତେବେଳେ ରାମ ବନବାସରେ କୌଶଲ୍ୟାଙ୍କ ଦୁଃଖ କଥା ବର୍ଣ୍ଣନା କରୁଥିଲେ । ସେ କହୁଥିଲେ –

“ସ୍ୱଭାବତଃ ସ୍ତ୍ରୀ କରୁଣାମୟୀ । କିନ୍ତୁ ସ୍ତ୍ରୀର ଦୁଇଟି ରୂପ ଥାଏ । ମା’ର ରୂପରେ ସେ ସହନଶୀଳା ଓ ସ୍ନେହମୟୀ । ମାତ୍ର ଶାଶୁ ରୂପରେ ତା’ର ବ୍ୟବହାର ଠିକ୍ ବିପରୀତ । ନିଜ ଝିଅର ଦୋଷ ଦୁର୍ବଳତା ଘୋଡାଇବାରେ ସେ ଖୁବ୍ ବ୍ୟସ୍ତ ଥାଏ । କିନ୍ତୁ ବୋହୁ ପ୍ରତି ସେ ଅନ୍ୟ ପ୍ରକାର । ଯେତେ ଭଲ ବୋହୁ ହେଲେ ମଧ୍ୟ ସେ ଖୋଜି ଖୋଜି ଦୋଷ ବାହାର କରି ତାକୁ ଗାଳିଦେବେ । କିନ୍ତୁ ପ୍ରକୃତ ମାତୃତ୍ୱ ଯାହା ପାଖରେ ଥାଏ ସେ ନିଜ ଝିଅ ଓ ବୋହୁକୁ ସବୁବେଳେ ସମାନ ଆଖିରେ ଦେଖିବ । ପୁଣି ଏପରି ମା’ ବି ଅଛନ୍ତି ଝିଅ ବୋହୁ ଦୁହିଁଙ୍କ ଉପରେ ଅତ୍ୟାଚାର କରନ୍ତି । ସେ ମା’ ନୁହେଁ ବନ୍ଧ୍ୟା ।” ପଣ୍ଡିତଙ୍କର ଶେଷ ଶବ୍ଦ ଗୁଡିକର ପ୍ରଭାବ ସେ ଜାନକୀ ଉପରେ ବେଶ୍ ପଡିଲା । ସେ ବହୁ ସମୟ ଧରି ସେହି କଥା ଉପରେ ଚିନ୍ତା କଲା ।

ହରିକଥା ସମାପ୍ତ ହେବା ପରେ ସେ ଦୁହେଁ ଘରକୁ ଫେରିଲେ । ବାଟରେ ରାମଦେବ ଜାନକୀକୁ କହିଲା, “ଶୁଣିଲ ତ? ପଣ୍ଡିତଙ୍କ କଥା ଅନୁସାରେ ତୁମେ ତ ବନ୍ଧ୍ୟା ।”

ସ୍ୱାମୀଙ୍କ କଥା ଶୁଣି ଜାନକୀରଆଖିରୁ ଲୁହ ଅବିରତ ବୋହି ଚାଲିଲା । ପରେ ସେ ଆଖି ପୋଛି କହିଲା, “ମୁଁ ମାନୁଛି ଯେ, ଆଜି ପର୍ଯ୍ୟନ୍ତ ମୁଁ ବନ୍ଧ୍ୟା ଥିଲି, କିନ୍ତୁ ଏବେ ମୋର ଆଖିରୁ ସେ ପରଦା ଖସି ଯାଇଛି । ଝିଅ ପ୍ରତି ସ୍ନେହ ଦେଖାଇ ମୁଁ ମୋ ବୋହୁ ପ୍ରତି ବଡ କଠୋର ହୋଇଥିଲି । କମଳା ପରି ବୋହୁ ପାଇବା କେତେ ସୌଭାଗ୍ୟର କଥା । ମଲ୍ଲିକା ମା ଛେଉଣ୍ଡ ବୋଲି ମୁଁ ତାପ୍ରତି ଅଧିକ ଆଦର ଦେଖାଇ ତାକୁ ନଷ୍ଟ କରିଛି । ପ୍ରକୃତରେ ଦେଖିଲେ ପ୍ରତ୍ୟେକ ଝିଅ ତାଙ୍କ ଶଶୁର ଘରକୁ ଯିବା ପରେ ମାତୃହୀନା ପିଲା ପରି ହୋଇଯା’ନ୍ତି । ସେତେବେଳେ ଶାଶୁର ସ୍ନେହ ତା’ ପାଇଁ ଯଥେଷ୍ଟ ଆବଶ୍ୟକ । ମୋ କ୍ଷେତ୍ରରେ ମୁଁ ଯେଉଁଦିନ କମଳା ଓ ମଲ୍ଲିକାକୁ ସମାନ ଆଖିରେ ଦେଖିପାରିବି ସେହିଦିନହିଁ ମୁଁ ନିଜକୁ ‘ମା’ର ଯୋଗ୍ୟତା ପ୍ରାପ୍ତ କରିବି ।”

ସ୍ତ୍ରୀର ମୁହଁରୁ ଏପରି କଥା ଶୁଣି ରାମଦେବ ବହୁତ ଖୁସି ଓ ଟିକେ ଆଶ୍ୱସ୍ତ ବି ହେଲେ । ତା’ପରେ ସେ ଥଟ୍ଟା କରି କହିଲା, “ହଁ ତୁମେ ପ୍ରକୃତ ମାତୃତ୍ୱ ପ୍ରାପ୍ତ କରିବା ଉଚିତ୍ । କିନ୍ତୁ କମଳାକୁ ମଲ୍ଲିକା ପରି ଅଧିକ ସ୍ନେହ କରି ଯେପରି ଆଉ ନଷ୍ଟ ନ କର ।” ଏତିକି କହି ସେ ବହୁତ ହସିଲା । ଜାନକୀ ମଧ୍ୟ ତାଙ୍କ ସହିତ ହସିବାରେ ଲାଗିଲା ।🙏

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.