ବାକ୍ୟବିନ୍ୟାସ

rain
Reading Time: 2 minutes

ଦିନେ ସୁରସିଂହ ନାମକ ଜଣେ ଲୋକ ପଡୋଶୀ ଗାଁରେ ଯାଇ ପହଁଚିଲା । ସେଠାରେ ହାଟ ବସିଥାଏ । ହାଟରେ ସେ ଗୋଟିଏ ଛତା ଦୋକାନ ଦେଖିଲା । ଦୋକାନୀ ହେଉଛି ସେହି ଗାଁର ବୀରସିଂହ ।

ସେ ଦେଖିଲା ସେ ଦୋକାନକୁ ପତଳା ଲୋକଟିଏ ଆସିଲା । ବୀରସିଂହ ତାକୁ ଛତା ଦେଖାଇ କହିଲା, “ଦେଖ ଭାଇ, ତମେ ତ ପତଳା ଲୋକ । ତମର ତ ହାଲୁକା ଛତାଟିଏ ଦରକାର । ଏହି ଛତାଟି ନିଅ । ତୁମପାଇଁ ସୁବିଧା ହେବ । ଯେତେଦୂର ଚାହିଁବ ବୋହି ନେଲେ ବି ଆଦୌ ଥକା ହେବନାହିଁ ।”

ସେହି ପତଳା ଗ୍ରାହକଟି ଛତା ଖୋଲି ଦେଖିଲା । ତା’ପରେ ପଇସା ଦେଇ ଛତାଟି ନେଇ ସେଠାରୁ ସେ ଚାଲିଗଲା । କିଛି ସମୟ ପରେ ଜଣେ ମୋଟା ଗ୍ରାହକ ସେଠାକୁ ଆସିଲା । ବୀରସିଂହ ତାକୁ ଛତାଟିଏ ଧରାଇ ଦେଇ କହିଲା, “ତୁମର ଟିକିଏ ଭଲ ସ୍ୱାସ୍ଥ୍ୟ, ତେଣୁ ହାଲୁକା ଛତା ତୁମ ପାଇଁ ନୁହେଁ । ଶୀଘ୍ର ଖରାପ ହୋଇଯିବ । ତେଣୁ ଏହି ଛତାଟି ନିଅ । ସବୁଆଡୁ ଭଲ ହେବ ।” ଲୋକଟି ଛତା ଖୋଲି ଭଲ ଭାବରେ ଯାଂଚ କରି ଦେଖିଲା । ବୀରସିଂହ କହିଲା, “ଅନ୍ୟାନ୍ୟ ଜିନିଷ କଥା ଛାଡ; ଛତା କିଣିବ ତ ଭଲକରି ଦେଖିଚାହିଁ କିଣିବ; ଯେପରି ତାହା ତୁମ ଶରୀର ଗଠନ ସହିତ ଠିକ୍ ଯାଉଥିବ । ଏହି ଛତା ବହୁତ ଦିନ ଯାଏଁ ରହିବ । ଝଡ ହେଉ, ବର୍ଷା ହେଉ, ତୋଫାନ ହେଉ, ଏ ଛତାର କିଛି ହେଲେବି ହେବନାହିଁ ।” ବୀରସିଂହର କଥା ଶୁଣି ସେହି ମୋଟା ବ୍ୟକ୍ତି ବହୁତ ଖୁସି ହୋଇଯାଇ ଛତାଟି କିଣି ସେଠାରୁ ଚାଲିଗଲା ।

ସୁରସିଂହ ମନ ଦେଇ ଏସବୁ ଦେଖୁଥିଲା; ତା’ପରେ ସେ ଦୋକାନ ପାଖକୁ ଆସିଲା । ବୀରସିଂହ ତାକୁ ଚିହ୍ନିଲା ଓ ତାକୁ ସଙ୍ଗେ ସଙ୍ଗେ ଦୋକାନ ଭିତରକୁ ସସମ୍ମାନେ ପାଛୋଟି ନେଲା । ତା’ପରେ ସେ ପଚାରିଲା, “କ’ଣ ସୁରସିଂହ, ତୁମର ସବୁ କିଛି କୁଶଳ ତ?”

“ହଁ, ସବୁ କିଛି କୁଶଳ । କିନ୍ତୁ ମୁଁ ତ କେତେବେଳୁ ଆସି ତୁମର ଛତା ବିକ୍ରି କରିବାର କଳାର ନିପୁଣତା ଦେଖୁଛି । ତମେ ତ ବେଶ୍ ଗ୍ରାହକମାନଙ୍କ ମନନେଇ ପାରିଛ? ତମେ ପତଳାକୁ ଓ ମୋଟାକୁ ଦୁହିଁଙ୍କୁ ବେଶ୍ ବୁଝାଇ କରି ଛତା ବିକ୍ରି କଲ । କିନ୍ତୁ ମୁଁ ତ ବେଶି ମୋଟା ନୁହେଁ କି ପତଳାବି ନୁହେଁ । ଏବେ ମୋର ଛତା ଦରକାର । କ’ଣ କରାଯିବ?”

ବୀରସିଂହ ଚଟ୍କରି କହିଲା, “ତୁମକୁ ଛତା ବିକିବା କ’ଣ ବା କଷ୍ଟକର କାମ? ବର୍ଷାଦିନ ତ ପ୍ରାୟ ଆସିଗଲାଣି । ତୁମ ପାଇଁ ଛତା କିଣିବା ଏବେ ତୁରନ୍ତ ଆବଶ୍ୟକ । ନହେଲେ ବର୍ଷାରେ ଭିଜି ତୁମେ ତୁମ ଦେହ ନଷ୍ଟ କରିବ । ସ୍ୱାସ୍ଥ୍ୟ ଖରାପ ହେଲେ, ଅନ୍ୟାନ୍ୟ କାମ ମଧ୍ୟ ତୁମେ ଆଉ କିଛିବି କରିପାରିବ ନାହିଁ । ତେଣୁ ତୁମେ ଛତା ନିଶ୍ଚୟ କିଣ ।” ଏତିକି କହି ବୀରସିଂହ ଗୋଟାଏ ଛତା ଉଠାଇ ସୁରସିଂହଙ୍କୁ ଦେଖାଇଲା ଓ କହିଲା, “ଏଇଟି ସବୁଦିଗରୁ ତୁମ ପାଇଁ ଠିକ୍ ହେବ ।”

ସୁରସିଂହ ଛତାଟିକୁ ଏପଟ ସେପଟ କରି କରି ପରଖି ଦେଖିଲା ଓ କହିଲା, “ମନେ ହେଉଛି, ଏ ଛତାଟି ଏତେ ବେଶି ଭଲ ନୁହେଁ ।”

“ନା, ନା, ସେପରି କୁହନାହିଁ । ଏହାକୁ ହାତରେ ଧରି ତମେ ରାସ୍ତାରେ ଚାଲିଲେ, ଗ୍ରାମର ସବୁଠାରୁ ବଡ ଭଦ୍ରଲୋକ ପରି ଦେଖାଯିବ । ଆଉ ଯଦି ଏହାକୁ ଖୋଲିକରି ଚାଲିବ, ତେବେ ତ ଜମିଦାର ପରି ଦେଖାଯିବ । ଆଉ ଯଦି ଘୋଡା ଉପରେ ବସି ଏ ଛତା ଖୋଲି ଧରିବ ତେବେ ତ ସାକ୍ଷାତ୍ ମହାରାଜା ପରି ଦିଶିବ ।”

ସୁରସିଂହ ଛତା ଖୋଲିଲା ଓ କହିଲା, “ତୁମ କଥାରେ ମୋର ଆଦୌ ବିଶ୍ୱାସ ନାହିଁ ।” ବୀରସିଂହ ପାଦେ ପଛକୁ ଘୁଂଚିଯାଇ କହିଲା, “ମୁଁ ଯାହାକିଛି କହିଲି ସେଥିରେ ଟିକିଏ ହେଲେ ମଧ୍ୟ ମିଥ୍ୟାଚାର ନାହିଁ । ଏ ଛତାକୁ ଧରି ଆପଣ ଯେପରି ଠିଆ ହୋଇଛନ୍ତି, ଦେଖିଲେ ଲାଗୁଛି ଆପଣଙ୍କର ସବୁକିଛି ବହୁତ ବଦଳି ଯାଇଛି ।”

ସୁରସିଂହ ଏପରି କଥା ଶୁଣି କହିଲା, “ଇଏ ପୁଣି କ’ଣ? ତୁମେ ତ ମୋତେ “ତୁମେ” ବୋଲି କୁହ । ଏବେ ହଠାତ୍ “ଆପଣ” ବୋଲି କ’ଣ କହୁଛ?”

ବୀରସିଂହ ତାହାର ବିଚକ୍ଷଣ ବୁଦ୍ଧି ଖଟାଇ କହିଲା, “ଏହି ଛତାଟି ଖୋଲି ତା’ ତଳେ ଆପଣଙ୍କୁ ଦେଖି ମୁଁ “ତୁମେ” ବୋଲି ଆଉ କେଉଁ ସାହସରେ କହିବି?”

ବୀରସିଂହର କଥାରେ ସୁରସିଂହ ଗଦ୍ ଗଦ୍ ହୋଇ କହିଲା, “ଠିକ୍ ଅଛି, ଏ ଛତା ମୁଁ କିଣୁଛି ।” ତା’ପରେ ଉଚିତ୍ ଦାମ୍ ଦେଇ ସେ ଛତାଟି କିଣିନେଲା । ଯିବାବେଳେ ସେ ନିମ୍ନ ସ୍ୱରରେ କହିଲା, “ବୀରୁଭାଇ, ତୁମେ ମୋତେ କହିଲ – ସତରେ କ’ଣ ଲମ୍ବା, ଛୋଟ, ପତଳା, ମୋଟା ଇତ୍ୟାଦି ସବୁପ୍ରକାର ଲୋକଙ୍କ ପାଇଁ ତୁମେ ସବୁ ପ୍ରକାର ବିଭିନ୍ନ ଛତା ରଖିଛ?”

ବୀରସିଂହ ହସି ହସି କହିଲା, “ନାହିଁ ତ, ସବୁ ଛତା ଏକ । ଗ୍ରାହକ ଅନୁସାରେ କଥା କହିଥାଏ । ମୋ କଥା ଗ୍ରାହକମାନଙ୍କର ପସନ୍ଦ ହୁଏ । ନହେଲେ ମୋ ଛତା କିଏ କିଣିବ?”

ସୁରସିଂହ ଦେଖିଲା ଏପରି ଏକ ବ୍ୟବସାୟ ପାଇଁ ବୀରସିଂହଙ୍କ ପରି ଜଣେ କଥା କହିବାର ଆବଶ୍ୟକତା ରହିଛି । ସେ ମଧ୍ୟ ହସି ହସି ନିଜ ଛତାଟି ଖୋଲି ନିଜ ରାସ୍ତାରେ ଚାଲିଗଲା ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x