ସଦାନନ୍ଦ – Odia Short Story

Odia Short Story: Sadaanand
Reading Time: 4 minutes

ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ ।

ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ ସେ ମୃତ୍ୟୁମୁଖରୁ ବର୍ତିଥାନ୍ତି । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ, ସେ ସେହି ଗ୍ରାମକୁ ଆସିଥାନ୍ତି ।

ପ୍ରାରବ୍ଧ, ସେହି ଗ୍ରାମର ଏକ ବିରାଟ କୋଠା ଭଡାରେ ନେଇଥାନ୍ତି । ଜଣେ ପୁଝାରୀ ଓ ଜଣେ ଚାକରକୁ ମଧ୍ୟ ପାଖରେ ରଖିଥାନ୍ତି । ପ୍ରତିଦିନ, ଗ୍ରାମର ମୁଖିଆଶ୍ରେଣୀ ଲୋକମାନେ, ତାଙ୍କ ପାଖକୁ ଗପସପ କରିବାକୁ ଆସନ୍ତି ।

କିନ୍ତୁ ପ୍ରାରବ୍ଧ ସର୍ବଦା ମନମାରି ରହୁଥାନ୍ତି । ଏହା ଲକ୍ଷ୍ୟକରି ଜଣେ ମୁଖିଆ କହିଲେ, “ଏହି ଗ୍ରାମରେ ସଦାନନ୍ଦ ନାମକ, ଯୁବକଟିଏ ଅଛି । ତା’ର ନାମ ଅନୁଯାୟୀ ସ୍ୱଭାବ ମଧ୍ୟ ସଦା ସନ୍ତୁଷ୍ଟ । ତାକୁ ଆପଣ ପାଖରେ ରଖନ୍ତୁ, ଦେଖିବେ, ଆପଣଙ୍କର ସ୍ୱଭାବରେ ମଧ୍ୟ ପ୍ରସନ୍ନତା ଓ ସନ୍ତୋଷଭାବ ପ୍ରକଟିତ ହେବ ।

ପ୍ରାରବ୍ଧଙ୍କୁ ଏକଥା ଭାରି ଭଲ ଲାଗିଲା । ସେ ସଦାନନ୍ଦକୁ ନିଜ ପାଖରେ ନିଯୁକ୍ତି ଦେଲେ । ତା’ର କାମ ହେଲା, ସର୍ବଦା ମାଲିକଙ୍କ ପାଖେ ପାଖେ ରହି ତାଙ୍କୁ ତୁଷ୍ଟ କରିବା ଓ ତାଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରିବା ।

ସଦାନନ୍ଦ, ମନପ୍ରାଣ ଦେଇ ପ୍ରାରବ୍ଧଙ୍କ ସେବାରେ ଲାଗି ପଡିଲା । ଯିଏ ବି ଦେଖୁଥାନ୍ତି, ସଦାନନ୍ଦର କାର୍ଯ୍ୟ ଦକ୍ଷତାର ଅନେକ ପ୍ରଶଂସା କରନ୍ତି । କିନ୍ତୁ ପ୍ରାରବ୍ଧଙ୍କ ମନର ଅବସ୍ଥା କିଛି ବି ବଦଳୁ ନ ଥାଏ । ଦିନେ ସେ ସଦାନନ୍ଦକୁ ପଚାରିଲେ, “ଦେଖିଲୁ, ମୋ ପାଖରେ ସୁଖର କେଉଁ ସାମଗ୍ରୀ ବା ଅଭାବ ରହିଛି? ତେବେ ବି ମୁଁ ଶାନ୍ତି ପାଇପାରୁନାହିଁ । କିନ୍ତୁ, ତୁ ଅବିଶ୍ରାନ୍ତ ଭାବେ ଖଟିଚାଲିଛୁ, ଅଥଚ ସବୁବେଳେ ହସହସ । ତୋ’ର ଏଇ ତୃପ୍ତିର ରହସ୍ୟ ମତେ ଜଣେଇଲୁ?”

ସଦାନନ୍ଦ ଓଲଟି ପ୍ରଶ୍ନ କଲା “ଏହି ସଂସାର ସୁଖ ଓ ଆନନ୍ଦରେ ଭରା । ଦୁଃଖ ବୋଲି କିଛି ନାହିଁ । ମୁଁ ତ ବୁଝିପାରୁନାହିଁ ଯେ, ଆପଣ କାହିଁକି ଦୁଃଖୀ ଓ ଅସନ୍ତୁଷ୍ଟ ରହୁଛନ୍ତି?”

ପ୍ରାରବ୍ଧ କହିଲେ “ପିଲାଦିନରୁ ମୁଁ ମଧ୍ୟ ଜାଣି ନ ଥିଲି ଯେ, ଏ ଦୁଃଖ କ’ଣ । ଶହେଟି ଟଙ୍କାକୁ ମୂଳଧନ କରି ମୁଁ ମୋ ବ୍ୟବସାୟ ଆରମ୍ଭ କରିଥିଲି । ମାତ୍ର ଏବେ ମୁଁ କୋଟିପତି । ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ, ମୁଁ ଏ ଗ୍ରାମକୁ ସ୍ଥାନ ପରିବର୍ତ୍ତନ ନିମନ୍ତେ ଆସିଛି । ମୋର ପରିବାର ଲୋକମାନେ ବ୍ୟବସାୟ କଥା ବୁଝୁଛନ୍ତି । ସେମାନେ ମୋତେ ଏଠାକୁ ଏକା ପଠାଇଦେଲେ । ସବୁକିଛି ଥାଇ, ସମସ୍ତେ ଥାଇ ମଧ୍ୟ ମୁଁ ଆଜି ନିଃସଙ୍ଗ, ସାଥିହୀନ । ଏହି ଚିନ୍ତାରେ, ମୁଁ ମ୍ରିୟମାଣ ହୋଇପଡୁଛି ।”

ଏ କଥାରେ ସଦାନନ୍ଦ ହସି ଦେଲା । କହିଲା, “ଆପଣଙ୍କର ତ ଏଥିରେ ଖୁସି ହେବା କଥା । ଆପଣଙ୍କ ଅନୁପସ୍ଥିତିରେ, ଆପଣଙ୍କ ପରିବାର ଲୋକ ସୂଚାରୁ ରୂପେ ବ୍ୟବସାୟ ପରିଚାଳନା କରିପାରୁଛନ୍ତି । ଆପଣ, ନିଜର ସୁଖପାଇଁ ମନଇଚ୍ଛା ଅର୍ଥ ଖର୍ଚ୍ଚ କରି ଆନନ୍ଦରେ ରହନ୍ତୁ ।”

ପ୍ରାରବଧ ମନମାରି କହିଲେ “କିନ୍ତୁ, ନିଜର ଲୋକ ପାଖରେ ରହି ସେବା କରିଥିଲେ, ମତେ ଯେଉଁ ଆନନ୍ଦ ମିଳିଥାନ୍ତା, ତାହା କ’ଣ ମୁଁ ଆଉ କେଉଁଥିରୁ ପାଇପାରିବି?”

ସଦାନନ୍ଦ ପଚାରିଲା “ଆପଣ ମତେ, ଦିନକୁ ଦଶଟଙ୍କା ମଜୁରୀ ରୂପେ ଦେଉଛନ୍ତି । କିନ୍ତୁ ଆପଣଙ୍କ ପରିବାରର ସଦସ୍ୟମାନେ ଦିନକୁ ହଜାରେ ଟଙ୍କା ଉପାର୍ଜନ କରୁଛନ୍ତି । ଏହା ଆପଣଙ୍କର ଲାଭ ନୁହେଁ କି?”

ପ୍ରାରବ୍ଧ ଗୁରୁତ୍ୱର ସହ କହିଲେ “ମୋ’ର ଏପରି ଦଶଟଙ୍କିଆ ଚାକରର ସେବା ଲୋଡା ନାହିଁ । ମାସକୁ ହଜାରେ ଟଙ୍କା ଗଲେ ପଛକେ ଯାଉ, ମୋର ସକଳ ଇଚ୍ଛା ପୂର୍ଣ୍ଣ କରି ମତେ ଆନନ୍ଦିତ କରିପାରୁଥିବା ଭଳି ଲୋକ ଦରକାର ।”

ସେ କହିଲା, “ମହାଶୟ, ଯିଏ ଅନ୍ୟ କୌଣସି କାମ କରିବାକୁ ସକ୍ଷମ ହୁଏ ନାହିଁ, ସେ ସେବକ ବୃତିରେ ପେଟ ପୋଷେ । ସମସ୍ତେ ଧନ ଉପାର୍ଜନ ପାଇଁ ପରିଶ୍ରମ କରିଥାଆନ୍ତି । ପାଖରେ ଧନ ସମ୍ପତ୍ତି ଥିଲେ, ଅନ୍ୟଠାରୁ ସେବା ପାଇବା ପାଇଁ ମନ ଭିତରେ ଇଚ୍ଛା ଜାଗ୍ରତ ହୁଏ । ଆପଣମାନଙ୍କ ପରି ଧନୀକ ଲୋକମାନଙ୍କର ପ୍ରକୃତ ସେବା, ମୋ ପରି ସେବକମାନଙ୍କ ଦ୍ୱାରା ହିଁ କରାଯାଇଥାଏ ।”

ରାମାୟଣ, ମହାଭାରତ ଆଦି ଗ୍ରନ୍ଥ ପଢିବାରୁ ବଂଚିତ ହୋଇଥିବାରୁ ପ୍ରାରବ୍ଧ ଦୁଃଖ ପ୍ରକାଶ କରୁଥିଲେ । ସଦାନନ୍ଦ ତା’ର ନିଜ ବିଚାରରେ ତାଙ୍କୁ ବୁଝାଇଥିଲା, “ଯେଉଁମାନଙ୍କର ସମୟ ଅବସର ଓ ବିଶ୍ରାମରେ କଟେ, ସେମାନେ ଗ୍ରନ୍ଥ-ପଠନରେ ମନ ଦେଇଥାନ୍ତି । କିନ୍ତୁ ଭଗବାନ ଆପଣଙ୍କୁ ଏତେ ପ୍ରକାର କର୍ମରେ ବ୍ୟସ୍ତ ରଖିଛନ୍ତି ଯେ, ବିଶ୍ରାମ ଓ ଅବସର ପାଇଁ ସମୟ ପାଇନାହାଁନ୍ତି । ସେଥିରେ ଦୁଃଖ କରିବାର କିଛି ନାହିଁ ।” ପ୍ରାରବ୍ଧ, ନିଜର ଭୟଙ୍କର ରୋଗ ପାଇଁ ମନଦୁଃଖ କରନ୍ତି । ସଦାନନ୍ଦ ବୁଝାଏ, “ଏକ ଭୟଙ୍କର ରୋଗ କବଳରୁ ଆପଣ ରକ୍ଷା ପାଇଛନ୍ତି, ତାହା ବଡ ସୌଭାଗ୍ୟ । ଆଉ ଏହି ରୋଗ କାରଣରୁ ଆପଣଙ୍କୁ ବିଶ୍ରାମ ପାଇଁ ସମୟ ମିଳିଛି ।”

ସଦାନନ୍ଦ ନିକଟରେ ପ୍ରାରବ୍ଧଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର, ସତେ ଯେପରି ପ୍ରସ୍ତୁତ ହୋଇ ରହିଥାଏ । ସେ ନିଜର ଦୁଃଖ ଭୁଲିବେ କ’ଣ, ସଦାନନ୍ଦର ସନ୍ତୋଷଭାବ ପ୍ରତି ଇର୍ଷା କରିବାକୁ ଲାଗିଲେ । ସଦାନନ୍ଦର ହସହସ ମୁଖମଣ୍ଡଳ, ତାଙ୍କ ଦୁଃଖକୁ ଦ୍ୱିଗୁଣିତ କଲା । ଶେଷରେ ଦିନେ, ଏହି କଥା, ଗ୍ରାମମୁଖିଆଙ୍କ ଆଗରେ ସେ ପ୍ରକାଶ କଲେ । ସେମାନଙ୍କ ଭିତରୁ ଜଣେ କହିଲେ, “ଏବେ ଆପଣଙ୍କୁ ଖୁସିହେବାର ଉପାୟ ମିଳିଗଲା । ତାକୁ ପ୍ରତିଦିନ ଭୀଷଣ ଗାଳି ଦିଅନ୍ତୁ । କଟୁ କଥାରେ ତା’ର ମନରେ ଦୁଃଖ ପହଁଚାନ୍ତୁ । ତା’ର ହସହସ ଚେହେରା ମଉଳିଗଲେ, ଆପଣଙ୍କର ଦୁଃଖ ବି ଉଭେଇ ଯିବ ।”

ସେହି ଦିନଠାରୁ, ପ୍ରାରବ୍ଧ ବିନାକାରଣରେ ସଦାନନ୍ଦଙ୍କୁ ଗାଳି ବର୍ଷଣ କରିବା ଆରମ୍ଭ କଲେ, ଧମକ ଦେଲେ, କିନ୍ତୁ ଏହାର କିଛି ମଧ୍ୟ ପ୍ରଭାବ ତା’ ଉପରେ ପଡୁ ନ ଥାଏ । ଶେଷକୁ ପ୍ରାରବ୍ଧ ଅତି କଟୁଭାଷା, ନିର୍ଲଜ, କୁକୁର ପରି ଶବ୍ଦରେ ମଧ୍ୟ ଗାଳିଦେଲେ ।

ପ୍ରାରବ୍ଧ ଘୁଷୁରୀ, ମଇଁଷି, ଗଧ ଇତ୍ୟାଦି ସମ୍ବୋଧନ କରି ତାକୁ ଡାକିଲେ ବି ସଦାନନ୍ଦ ହସିଦିଏ । ଶେଷରେ ଆଉ ସମ୍ଭାଳି ନ ପାରି ସେ ତା’କୁ ଡାକି ପଚାରିଲେ, “ମୁଁ ତତେ ଏତେ ଗାଳିଦେଉଛି, ଅଥଚ ତୁ ହସୁଛୁ?”

ସଦାନନ୍ଦ ହସି ହସି କହିଲା “କୁକୁର, ବିଶ୍ୱାସର ଅନ୍ୟ ଏକ ନାମ । ଘୁଷୁରୀ ଭଗବାନଙ୍କର ଦଶ ଅବତାର ମଧ୍ୟରେ ଏକ ଅବତାର ଅଟେ । ମଇଁଷି, ଗଧ, ଉତ୍ତମ ସେବକର ଉଦାହରଣ । ମୁଁ ଭାବୁଥିଲି, ଆପଣ ଏପରି ସମ୍ବୋଧନ କରି ମୋର ପ୍ରଶଂସା କରୁଛନ୍ତି । ପ୍ରଶଂସା ପାଇ ଖୁସିହେବା ତ ସବୁ ମଣିଷର ସ୍ୱଭାବ ।”

ତା’ପରେ ସେ ବହୁତ ଭାବି ଭାବି ଏକ ଉପାୟ ପାଂଚିଲେ । ଏକା ଥିବା ସମୟରେ, ଗାଳି କରିବାରୁ ସଦାନନ୍ଦ ଅପାମାନିତ ଅନୁଭବ କରୁନାହିଁ । ସମସ୍ତଙ୍କ ସମ୍ମୁଖରେ ବାରମ୍ବାର ଗାଳିଦେଲେ ସେ ନିଶ୍ଚୟ ଦୁଃଖ ପାଇବ । ଏହି ଉପାୟ ଅନୁସାରେ, ଗ୍ରାମମୁଖିଆମାନଙ୍କ ଉପସ୍ଥିତିରେ ସେ ତାକୁ ମନଇଚ୍ଛା ବକିଲେ । ତଥାପି ସଦାନନ୍ଦ ହସି ହସି ନିଜ କାମ ସାରି ସେଠାରୁ ଚାଲିଯାଉଥିବାର ଦେଖି, ପ୍ରାରବ୍ଧ ଉତ୍ତେଜିତ ହୋଇ ଅତି କଠୋର ଭାଷାରେ ତାକୁ ଭତ୍ସର୍ନା କଲେ ।

ସଦାନନ୍ଦ ତାଙ୍କର ସେହି ଗାଳିକୁ ମଧ୍ୟ ସହ୍ୟ କରିନେଲା । ମାତ୍ର ସତ୍ୟବାନ ନାମକ ଜଣେ ମୁଖିଆ, ତାହା ମୋଟେ ବରଦାସ୍ତ କରି ପାରିଲେ ନାହିଁ । ସେ ତୁରନ୍ତ ଜବାବ ଦେଲେ, “ଆରେ ସଦାନନ୍ଦ, ତୁ ଏତେ ଗାଳିଖାଇ ମଧ୍ୟ ଚୁପ୍ ରହୁଛୁ? ଏଠାରୁ କାମଛାଡି ଚାଲି ଯାଉନୁ?”

ତହୁଁ ସେ ସଦାନନ୍ଦ ହସି ହସି କହିଲା “ମୁଁ କ’ଣ ମାଗଣାରେ ଏଠି କାମ କରୁଛି? ପଇସା ନେଉଛି, ପରିଶ୍ରମ କରୁଛି ।”

ଟିକିଏ ରହି, ପୁଣି ସେ କହିଲା, “ଏହି ମାଲିକ ମୋର କାମରେ ସନ୍ତୁଷ୍ଟ । ଗାଳି ଦେଉଛନ୍ତି ସତକଥା, କେବେ ହେଲେ, କାମ ଛାଡି ଚାଲିଯିବା ପାଇଁ କହୁନାହାଁନ୍ତି । ସେ ମତେ ଯିବାପାଇଁ ନ କହିଲେ, ମୁଁ ଏ କାମଛାଡି ଅନ୍ୟ କେଉଁଠି କାମ କରିବା, ଅନ୍ୟାୟ ହେବ ।”

ସତ୍ୟବାନ ଆଉ କ’ଣ କହି ସଦାନନ୍ଦକୁ ସହାନୁଭୂତି ଜଣେଇବାକୁ ଯାଉଥିବାର ଦେଖି, ତାଙ୍କୁ ସେଥିରୁ ନିବୃତ କରି ପ୍ରାରବ୍ଧ କହିଲେ, “ମୁଁ ଏବେ ବୁଝିପାରିଲିଣି, ସେ କାହିଁକି ସବୁବେଳେ ସୁଖୀ । ପ୍ରତ୍ୟେକ ବିଷୟର ଭଲଦିଗଟି ସେ ଗ୍ରହଣ କରେ । କୌଣସି କାମକୁ ପରୋପକାର ନଭାବି, ନିଜ ସାମର୍ଥ୍ୟ ଅନୁଯାୟୀ ସେ ସେବା କରେ । ଆବଶ୍ୟକତାଠାରୁ ଅଧିକ ଫଳ ସେ କେବେବି ଆକାଂକ୍ଷା କରେ ନାହିଁ । ନିଜର ଯେତିକି ଅଛି, ସେତିକିରେ ସେ ତୃପ୍ତ ଥାଏ । ଅଧିକ ପାଇବା ଆଶାରେ, ସେ କେବେ ଦୁଃଖୀ ହୁଏ ନାହିଁ କି ବ୍ୟାକୁଳ ବି ହୁଏ ନାହିଁ । ଏହି ସବୁ କାରଣରୁ ସେ ଚିର-ସନ୍ତୋଷ, ସଦାହସହସ । ବୋଧହୁଏ, ତା’ ସଦୃଶ ଏପରି ନିରାସକ୍ତ ଭାବ ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । କିନ୍ତୁ ସେପରି ରହିବା ପାଇଁ ପ୍ରଚେଷ୍ଟା କରିବା ଆମ ସମସ୍ତଙ୍କର ଧର୍ମ ଓ କର୍ତ୍ତବ୍ୟ ଅଟେ । ଏହି ଜ୍ଞାନ, ମୋର ଚିନ୍ତା ଦୂର କରିବାରେ ମତେ ସାହାଯ୍ୟ କରିବ ।”

ଏହି ଘଟଣା ପରଠାରୁ ସଦାନନ୍ଦର ଆନନ୍ଦ ଭାବକୁ ଆଘାତ ପହଁଚେଇବାକୁ ଚେଷ୍ଟା ନ କରି, ନିଜର ଦୁଃଶ୍ଚିନ୍ତା ଦୂର କରିବା ପ୍ରୟାସରେ, ପ୍ରାରବ୍ଧ ଲାଗି ପଡିଲେ । କହିବା ବାହୁଲ୍ୟ, ଅନେକାଂଶରେ ସେ ମଧ୍ୟ ସଫଳ ହେଲେ ।

 

ଜିତୁ-ମିତୁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.