ପ୍ରତାପଙ୍କ ଉପବାସ

Fasting
Reading Time: 7 minutes

ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ।

ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ଏଇ ଘୋର ଅନ୍ଧକାର ରାତ୍ରିରେ, ଭୂତ-ପ୍ରେତ ବିଚରଣ କରୁଥିବା

ଏହି ଭୟାନକ ଶ୍ମଶାନରେ ତୁମେ ନାନାଦି ଯାତନା ଭୋଗ କରୁଛ । ଯେଉଁ ଲକ୍ଷ୍ୟପ୍ରାପ୍ତି ପାଇଁ ତୁମେ ଏହି ପରିଶ୍ରମ କରୁଛ, କେବେ ତାହା ତୁମକୁ ମିଳିବ ଓ ତା’ର ସୁଫଳ ତୁମ ଭାଗ୍ୟରେ ଅଛି କି ନାହିଁ, ସେ କଥା ମଧ୍ୟ ତମେ ଜାଣ ନାହିଁ । କେବେକେବେ ଆମର କଳ୍ପନାତୀତ କୌଣସି ଆଶା ମଧ୍ୟ ଅତି ସହଜରେ ପୂରଣ ହୋଇଯାଏ । ଏପରି ଘଟିବାର କାରଣ, ବିଜ୍ଞ ତପସ୍ୱୀ କିମ୍ବା ତର୍କବିଦ୍ମାନେ ମଧ୍ୟ ସଠିକ୍ ଭାବେ କହି ପାରିବେ ନାହିଁ । ଉଦାହରଣ ସ୍ୱରୂପ, ପ୍ରତାପ ନାମକ ଜଣେ ବ୍ୟକ୍ତିଙ୍କ ଉପବାସ ସମ୍ବନ୍ଧରେ ମୁଁ ତୁମକୁ କାହାଣୀଟିଏ କହିବି । ମନଦେଇ ତୁମେ ତାହା ଶୁଣ । ଫଳରେ ତୁମ ଶ୍ରମଭାର କିଛିଟା ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା । ବଳଭଦ୍ରପୁର ଗ୍ରାମର ବଳରାମଙ୍କ ଗୃହ ପଛପଟେ ଥିବା ଜମି ତଳେ ଗୁପ୍ତଧନ ରହିଛି, ଏପରି ଧାରଣା ଅନେକଙ୍କ ମନରେ ଥିଲା । ଏହା ଲାଭ କରିବା ପାଇଁ ବଳରାମ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି ।

ଏକଦା, ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସି କହିଲେ, “ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଆପଣଙ୍କ ଘରେ ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବାକୁ ଦେବେ । ଚତୁର୍ଥଦିନ ତାଙ୍କୁ ସମ୍ପୂର୍ଣ୍ଣ ଉପବାସୀ ରଖିବେ । ପଂଚମ ଦିବସରେ ତାଙ୍କ ହାତରେ କୋଦାଳ ଦେଇ ଜମିକୁ ଖୋଳିବା ପାଇଁ କହିବ । ସେ ଯେଉଁଠାରେ କୋଦାଳ ପ୍ରହାର କରିବେ, ଠିକ୍ ସେହିଠାରୁହିଁ ତୁମେ ଗୁପ୍ତଧନ ପାଇବ ।”

ସେହିଦିନଠାରୁ ବଳରାମ, କେତେ ଲୋକଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ, ଯେଉଁମାନେ କି ଲୋକଚକ୍ଷୁରେ ଉତ୍ତମ ମଣିଷର ଆସନ ପାଇଛନ୍ତି । ସେମାନଙ୍କୁ ମଧ୍ୟ ସେ କହନ୍ତି ଯେ, ଧନ ମିଳିଲେ, ତାହାର ଅର୍ଦ୍ଧେକ ସେ ତାଙ୍କୁ ପ୍ରଦାନ କରିବେ । କିନ୍ତୁ କେହି ବି ତାଙ୍କ ନିମନ୍ତ୍ରଣ ସ୍ୱୀକାର କରୁ ନ ଥାନ୍ତି । ସେମାନେ କହନ୍ତି, ପରଧନ ପ୍ରତି ଲୋଭାସକ୍ତ ହେବା ଏକ ପ୍ରକାର ପାପ ଅଟେ । ଅବଶ୍ୟ ପ୍ରଲୋଭନରେ ପଡି, କେହି କେହି ଆସୁଥିଲେ । ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବା ପରେ, ଚତୁର୍ଥ ଦିନ କଠୋର ଉପବାସ ମଧ୍ୟ ରହିଥିଲେ । କିନ୍ତୁ ପଂଚମଦିନ କୋଦାଳରେ ଭୂମି ଖନନ କରିବାରୁ କିଛି ବି ମିଳିଲା ନାହିଁ । ଓଲଟି ସେମାନେ ଉତ୍ତମ ଲୋକ ନୁହଁନ୍ତି ପ୍ରମାଣିତ ହେବାରୁ, ଲଜ୍ଜାରେ ମୁହଁ ଦେଖାଇ ନ ପାରି ଚାଲିଗଲେ । କିଛି ଲୋକ ଖୋଲାଖୋଲି ଭାବେ କହିଲେ, ସନ୍ନ୍ୟାସୀଙ୍କର କଥାରେ ବୋଧହୁଏ ଆଦୌ ସତ୍ୟତା ନାହିଁ ।

କିଛିଦିନ ପରେ ବଳରାମଙ୍କ ଘରକୁ ଭବିଷ୍ୟବାଣୀ କରିଥିବା ସେହି ସନ୍ନ୍ୟାସୀ ଜଣକ ଆସିଲେ । ବଳରାମ ତାଙ୍କୁ ସବୁ ଘଟଣା ଶୁଣାଇଲେ । ସନ୍ନ୍ୟାସୀ ଗମ୍ଭୀର ହୋଇ କହିଲେ, “ଚତୁର୍ଥ ଦିନର କଠୋର ଉପବାସ କହିଲେ, ଜଳ ମଧ୍ୟ ପାନ କରିବା ଅନୁଚିତ୍ । କ’ଣ ଏହି ନିୟମ ତୁମେ ପାଳନ କରିଛ?”

ବଳରାମ ମନେପକେଇଲେ ଯେ କିଛି ଲୋକ ଫଳ ଖାଇଥିଲେ, କେହି କେହି ମଧ୍ୟ ଦୁଧ ପିଇଥିଲେ ଓ ସମସ୍ତେ ପ୍ରାୟ ଜଳପାନ କରିଥିଲେ । ଏବେ ବଳରାମ ଜାଣିଗଲେ, କଠୋର ଉପବାସ କିପରି ପାଳନ କରିବାକୁ ହୁଏ । ସେ ସନ୍ନ୍ୟାସୀଙ୍କୁ କହିଲେ, “ସ୍ୱାମୀ, ଏହି କଠୋର ଉପବାସ ଅନ୍ୟ କେହି ହୁଏତ ପାଳନ କରିବାକୁ ରାଜି ହେବେ ନାହିଁ, ଯଦି ମୁଁ ସ୍ୱୟଂ ଏହି କାମ କରେ ତେବେ କିପରି ହେବ?”

“ତୁମର ଏହି ଉଦ୍ଧେଶ୍ୟ ସାଧନ ପାଇଁ, ଫଳକୁ ଆଶା ନ କରି କଠୋର ଉପବାସ-ବ୍ରତ ପାଳନ କରିବାକୁ ଇଚ୍ଛୁକ, ଜଣେ ସତ୍ପୁରୁଷ ଆବଶ୍ୟକ । ନିଜର ପ୍ରୟୋଜନ ପାଇଁ ତୁମେ ଉପବାସ ରହିଲେ, ତାହା ସ୍ୱାର୍ଥ ରୂପେ ଗଣନା କରାଯିବ । ଏଠାରୁ କିଛି ଦୂର ଗଲେ, ଗୋଟିଏ ଛୋଟ ଗ୍ରାମ ପଡିବ । ସେହି ଗ୍ରାମରେ ପ୍ରତାପ ନାମକ ଜଣେ ବ୍ୟକ୍ତି ବାସ କରନ୍ତି । ଗ୍ରାମର ସମସ୍ତଙ୍କ ନିକଟରେ ସେ ଖୁବ୍ ପରିଚିତ । ସେ ତୁମର ଏହି କଠୋର ଉପବାସ-ବ୍ରତ ପାଇଁ ଉପଯୁକ୍ତ ବ୍ୟକ୍ତି । ତେଣୁ ତୁମେ ତାଙ୍କୁ ଆମନ୍ତ୍ରିତ କରି ନେଇଆସ ।”

ବଳରାମ ତୁରନ୍ତ ପ୍ରତାପଙ୍କୁ ଡାକି ଆଣିବା ପାଇଁ ବାହାରିଲେ । ପାଦରେ ଚାଲି ଚାଲି ସଂନ୍ଧ୍ୟା ସୁଦ୍ଧା ସେ ଯାଇ ଗ୍ରାମରେ ପହଁଚିଲେ । ପ୍ରତାପଙ୍କ ଘରର ଠିକଣା ସେ ସହଜରେ ଜାଣିପାରିଲେ । କାରଣ ତାଙ୍କ ଘର ଇନ୍ଦ୍ରପୁରୀ ସଦୃଶ ଏକ ଭବନ ଥିଲା ।

ପ୍ରଥମରୁ ବଳରାମଙ୍କର ଧାରଣା ଥିଲା, ପ୍ରତାପ ଜଣେ ଦରିଦ୍ର ଲୋକ ହୋଇଥିବେ । ଭିତରକୁ ଯାଇ ସେ ଦେଖିଲେ, ତାଙ୍କର ଭବନ ଦାସଦାସୀରେ ଭରା । ପ୍ରତାପ, ସମସ୍ତଙ୍କଠାରୁ ଦୀର୍ଘକାୟ ଓ ଉଜ୍ଜ୍ୱଳବର୍ଣ୍ଣ ଥିଲେ । ତାଙ୍କ ଶରୀରରେ ରେଶମୀ ବସ୍ତ୍ର ଓ ଅସୁମାରି ଗହଣା ଶୋଭା ପାଉଥାଏ । ମନ୍ଦିରର ଦେବପ୍ରତିମା ସଦୃଶ ତାଙ୍କର କାନ୍ତି ଝଟକି ଉଠୁଥାଏ ।

ବଳରାମଙ୍କୁ ଦେଖୁ ଦେଖୁ, ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରତାପ ନିଜେ ଚାଲିଆସିଲେ । କେଉଁ କାରଣରୁ ସେ ଆସିଛନ୍ତି, ପ୍ରଶ୍ନ କଲେ । ଏପରି ଜଣେ ମହାନୁଭବଙ୍କୁ ନିଜର କାର୍ଯ୍ୟ ସମ୍ବନ୍ଧରେ ଜଣାଇବାକୁ ସେ ସଙ୍କୋଚ ଅନୁଭବ କରୁଥା’ନ୍ତି ।

ତଥାପି ମଧ୍ୟ ପ୍ରତାପ ବାରମ୍ବାର ପ୍ରଶ୍ନ କରି, ତାଙ୍କ ଆଗମନର କାରଣ ବୁଝିନେଲେ ।

ବଳରାମ ମନେ ମନେ ଏହି କଥାକୁ ନେଇ ଡରି ଯାଇଥାନ୍ତି ଯେ, ତାଙ୍କ କଥାରେ ପ୍ରତାପଙ୍କର ପ୍ରତିକ୍ରିୟା କ’ଣ ଯେ ହେବ? କିନ୍ତୁ ପ୍ରତାପ ତାଙ୍କ କାନ୍ଧକୁ ଥାପୁଡେଇ କହିଲେ, “ଆଜି ରାତିକ ଏଠାରେ ବିଶ୍ରାମ ନିଅନ୍ତୁ, କାଲି ପ୍ରଭାତରେ ଆମେ ଦୁହେଁ ସାଙ୍ଗ ହୋଇ ଯିବା । ଏହା ଭିତରେ ମୁଁ ଅନ୍ୟାନ୍ୟ ବନ୍ଦୋବସ୍ତ କରୁଛି ।”

ଏକଥା ଶୁଣି ବଳରାମ ଖୁବ୍ ଖୁସି ହୋଇଗଲେ ।

ପ୍ରତାପଙ୍କର ଆତିଥ୍ୟ, ତାଙ୍କୁ ତୃପ୍ତ କଲା । ପ୍ରଶାନ୍ତ ଚିତରେ ସେ ନିଦ୍ରା ଗଲେ । ପ୍ରଭାତରେ ପ୍ରତାପଙ୍କର ଜଣେ ସେବକ ନିଦ୍ରାଭଙ୍ଗ କରି ତାଙ୍କୁ କହିଲେ, “ମାଲିକ ପ୍ରସ୍ତୁତ ହୋଇ ବସିଛନ୍ତି । ଆପଣ ଶୀଘ୍ର ବାହାରି ପଡନ୍ତୁ ।”

ବଳରାମଙ୍କୁ, ସେବକ ଖୁବ୍ ଯତ୍ନର ସହିତ ସ୍ନାନ କରାଇଲା । ସେ ସେବକଟିଠାରୁ ପ୍ରତାପଙ୍କର ଆଚାର ବ୍ୟବହାର ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ । ସେବକର କହିବା ଅନୁସାରେ, ପ୍ରତାପ ନିଜର କର୍ମଚାରୀମାନଙ୍କୁ ଭଲ ବେତନ ଦିଅନ୍ତି । କିନ୍ତୁ, ସେମାନଙ୍କୁ ସେ ଖୁବ୍ ଗାଳିମନ୍ଦ କରନ୍ତି । ଅନେକ ଗୁଡିଏ ଭଲ ଗୁଣର ଅଧିକାରୀ ହେଲେ ମଧ୍ୟ, ସେ ଅନେକ ଖରାପ ଗୁଣର ଶିକାର ଅଟନ୍ତି । ବଳରାମଙ୍କୁ ଏହା ଆଶ୍ଚର୍ଯ୍ୟାନ୍ୱିତ କଲା ।

ଆତୁର ହୋଇ ସେ ପଚାରିଲେ, “ସିଧା କହିଲ, ପ୍ରତାପ ଜଣେ ଭଲ ଲୋକ କି ଖରାପ ଲୋକ?”

ସେବକ କହିଲା “ସେ ଉଭୟ ଭଲ ଓ ଖରାପ ଲୋକ, କିନ୍ତୁ ତାଙ୍କର ବିଶିଷ୍ଟତା ହେଲା ସେ କେବେ ବି ନିଜର ଖରାପ ଗୁଣ ଗୁଡିକ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି ନାହିଁ ।”

ଏହାଶୁଣି ବଳରାମ ଚିନ୍ତିତ ହୋଇ ପଡିଲେ, “କାହିଁକି କେଜାଣି, ସନ୍ନ୍ୟାସୀ ଏହି ଲୋକଟିର ନାମ ବତେଇଲେ । ଏହାର ଉପବାସରେ, ମୋର କାର୍ଯ୍ୟସିଦ୍ଧି ହେବ କି ନାହିଁ ସେକଥା କିଏ ଜାଣେ?”

ଅଜାଣତରେ ତାଙ୍କ ପାଟିରୁ ଏକଥା ବାହାରିଗଲା ।

ଏହାଶୁଣି ସେବକ ହସି ହସି କହିଲା, “ଆପଣଙ୍କର ଏହି ଉପବାସ-ବ୍ରତ କଥା, କାଲି ରାତିସାରା ଆମ ମାଲିକ ପ୍ରଚାର କରୁଛନ୍ତି । ଆମେ ସବୁ ଶୁଣି ଚକିତ ହେଲୁ । ଉପବାସ ଦୀକ୍ଷା ପାଇଁ ଆପଣଙ୍କୁ ଆମ ମାଲିକଙ୍କୁ ଛାଡି ଅନ୍ୟ କେହି ମିଳିଲେ ନାହିଁ? ସମସ୍ତେ ଦିନରେ ତିନିଥର ଭୋଜନ କରନ୍ତି, କିନ୍ତୁ ସେ ଛଅଥର ଭୋଜନ କରନ୍ତି । ତାଙ୍କୁ ଉପବାସ ରଖେଇବା ଭଗବାନଙ୍କ ଦ୍ୱାରା ମଧ୍ୟ ସମ୍ଭବ ନୁହେଁ ।”

ତା’ର କଥାରେ ବଳରାମଙ୍କ ଚିନ୍ତା ଆହୁରି ବଢିଗଲା । ଶେଷରେ ସନ୍ନ୍ୟାସୀଙ୍କ କଥା ଉପରେ ପୂର୍ଣ୍ଣ ଭରସା ରଖି ନିଜକୁ ସେ ଦୁଃଶ୍ଚିନ୍ତାରୁ ମୁକ୍ତ କଲେ ।

ଅଳ୍ପ ସମୟ ଭିତରେ ଯାତ୍ରା ପାଇଁ ଗାଡି ସଜହୋଇ ଆସିଲା । ଗାଡିରେ ଅନେକଗୁଡିଏ ଗଣ୍ଠିଲି ରଖାଯାଇଥାଏ । ବଳରାମ ଓ ପ୍ରତାପ ସହିତ ଜଣେ ରୋଷେୟା ମଧ୍ୟ ସେଥିରେ ବସିଲା । ତା’ର ପରିଚୟ କରାଇ ପ୍ରତାପ ବଳରାମଙ୍କୁ କହିଲେ, “ମୁଁ ଟିକେ ଭୋଜନପ୍ରିୟ ଅଟେ । ଏହାର ହାତ-ରନ୍ଧାକୁ ଛାଡିଦେଇ ମତେ ଅନ୍ୟ କାହାର ମଧ୍ୟ ରୋଷେଇ ମୋଟେ ରୁଚେ ନାହିଁ । ଏଣୁ ମୁଁ ଯେଉଁଠାକୁ ଗଲେ ବି, ତା’କୁ ସଙ୍ଗରେ ନେଇ ଯାଏ ।”

ଗାଡି ଚାଲିଥାଏ, ବାଟରେ ରୋଷେଇଆ, ଦୁଇଜଣଙ୍କୁ ଫଳାହାର ଦେଲା । ପ୍ରତାପ, ବଳରାମଙ୍କଠାରୁ ଦୁଇ ଗୁଣ ଅଧିକ ଖାଇଲେ । ତାଙ୍କର ଜୀର୍ଣ୍ଣ ଶକ୍ତି ଦେଖି ବଳରାମ ଥକ୍କା ମାରି ଚାହିଁଲେ । ଅଳ୍ପ ସମୟ ପରେ ପ୍ରତାପ ପୁଣି କିଛି ଜଳଖିଆ ଖାଇଲେ ।

ଅଳ୍ପବାଟ ଯିବା ପରେ, ସେମାନେ ରାସ୍ତାରେ ଜଣେ ଲୋକକୁ ଦେଖିଲେ । ପ୍ରତାପ ଗାଡି ଅଟକାଇ ତା’ ସହିତ କଥାହେଲେ । ସେ ଲୋକଟି କହିଲା, “ମୋର ପତ୍ନୀ ବେମାର ପଡିଛି । ବୈଦ୍ୟଙ୍କର କଥାନୁଯାୟୀ କିଛି ବୁଟି ନେଇ ଘରକୁ ଫେରୁଛି ।” ପ୍ରତାପ ସହାନୁଭୂତି ପ୍ରକାଶ କରି ଧୈର୍ଯ୍ୟ ଧରିବା ପାଇଁ ତାକୁ ସାନ୍ତ୍ୱନା ଦେଲେ ।

“ଦୟାକରି ମୋତେ ମଧ୍ୟ ଆପଣଙ୍କ ଗାଡିରେ ନେଇଯାଆନ୍ତୁ । ମୁଁ ଶୀଘ୍ର ଗାଁରେ ପହଁଚିପାରିବି । ମୋର ପତ୍ନୀ ରୋଗ କଷ୍ଟରେ ବିଚଳିତ ହେଉଥିବ । ଏହି ଔଷଧ ସେବନ କଲେ ତାକୁ ଉପଶମ ମିଳିବ ।” ଏହାକହି ସେ ଲୋକଟି ହାତଯୋଡି ଅନୁରୋଧ କଲା ।

“ଜୀବନ-ମରଣ ସମସ୍ୟା ନୁହେଁ ତ? ଶରୀରର କଷ୍ଟକୁ ତ ନିଶ୍ଚୟ ସହିବାକୁ ପଡିବ । ପାଂଚବର୍ଷ ପୂର୍ବେ, ତମ ପତ୍ନୀ, ନିଜ ପୁଅକୁ ଲହୁଣୀ ଚୋରି କରିଛି ବୋଲି ସନ୍ଦେହ କରି, ଅଯଥାରେ ନିସ୍ତୁକ ବାଡେଇ ଥିଲେ । ତା’ରି ଫଳସ୍ୱରୂପ, ଆଜି ସେ ନିଜେ ବେମାରରେ ପଡିଛନ୍ତି । ଏବେ କଷ୍ଟ ନ ଭୋଗି ସେ ଆଉ ଯିବେ କୁଆଡେ?” ଏପରି କହି, ଲୋକଟିକୁ ସାଙ୍ଗରେ ନ ଆଣି ପ୍ରତାପ, ଗାଡି ଆଗକୁ ଚଳେଇଲେ ।

ତାଙ୍କର ଏପରି ବ୍ୟବହାର, ବଳରାମଙ୍କୁ ଖୁବ୍ ବିସ୍ମିତ କଲା ।

ଆଉ ଟିକେ ଆଗକୁ ଯାଇଛନ୍ତି ତ ଦେଖିଲେ ଜଣେ ଲୋକ, ଗୋଟିଏ ଗଛ ମୂଳେ ବସି କାନ୍ଦିବାରେ ଲାଗିଛି । ପ୍ରତାପ ଗାଡି ଅଟକେଇ ତା’ପାଖକୁ ଯାଇ ତାକୁ ନିରେଖି ଚାହିଁ ପଚାରିଲେ, “ତୁମେ ନରସିଂହ ନା? ଏଠାରେ ବସି କାହିଁକି କାନ୍ଦୁଛ?”

ତା’ପରେ ନରସିଂହ କାନ୍ଦି କାନ୍ଦି କହିଲା, “ଚାରିଦିନ ପୂର୍ବେ, ମୋ ପିତାଙ୍କର ଦେହାନ୍ତ ଘଟିଛି । ତାଙ୍କ କଥା ମନେ ପକେଇ, ମୁଁ ଏଠାରେ ଦୁଃଖରେ କାନ୍ଦୁଛି । ତାଙ୍କ ବିୟୋଗର ଆଘାତ ମୁଁ ଆଦୌ ସହ୍ୟ କରିପାରୁନାହିଁ ।”

“କ’ଣ? ତୁମ ବାପା ଚାଲିଗଲେ? ପିଲାଦିନେ ବହୁତ ଥର ମତେ ସେ ପିଜୁଳି, କୋଳି ବଡ ଆଦରରେ ଖାଇବାକୁ ଦେଇଛନ୍ତି ।” ଏତିକି କହି ପ୍ରତାପ ନରସିଂହଠାରୁ ଅଧିକ ଜୋର୍ରେ କାନ୍ଦି ଉଠିଲେ ।

ନରସିଂହ, ପ୍ରତାପଙ୍କର ଏପରି କାନ୍ଦ ଦେଖି ସ୍ତମ୍ଭିତ ହୋଇଗଲା । ନିଜ କାନ୍ଦ ବନ୍ଦ କରି ପ୍ରତାପଙ୍କୁ ସେ ତୁନି କରାଇଲା । କିନ୍ତୁ ପ୍ରତାପ ସାଙ୍ଗେ ସାଙ୍ଗେ ହସି କହିଲେ, “ତୁମ ବାପା ଜଣେ ଦୁଷ୍ଟ ଲୋକ । ସେ ତାଙ୍କ ଜୀବନ କାଳରେ, ବହୁତ ଲୋକଙ୍କୁ ଧୋକା ଦେଇଛନ୍ତି । ଜମିରେ କାମ କରୁଥିବା ମଜୁରୀଆଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ଠିକ୍ ଭାବେ ସେ ଦିଅନ୍ତି ନାହିଁ । ମୋର ଏକ ଏକର ଜମି ନିଜ ଜମିରେ ମିଶାଇ ଦେଇଛନ୍ତି । ଏପରି ପାଷାଣ୍ଡର ମୃତ୍ୟୁରେ ହସିବା ଦରକାର, କାନ୍ଦୁଛୁ କାହିଁକି?” ଏହା କହି ଗାଡିରେ ସେ ବସିଲେ ।

ହୁଏତ ପ୍ରତାପଙ୍କ କଥାରେ ସତ୍ୟତା ଥିଲା । ମାତ୍ର ଏପରି ଅପ୍ରିୟ ବ୍ୟବହାର କରିବା ମଧ୍ୟ ଅନୁଚିତ୍ । ବଳରାମଙ୍କୁ ତାଙ୍କର ଚାଲିଚଳଣ ଆଦୌ ଭଲ ଲାଗୁ ନ ଥାଏ । ଦ୍ୱିପହର ବେଳକୁ ଗାଡି ଅଟକାଇ, ପ୍ରତାପ ଆକଣ୍ଠ ଭୋଜନ କଲେ । ପ୍ରତାପ ଖରାପ ନ ଭାବିବା ପାଇଁ, ବଳରାମ ଇଚ୍ଛା ନଥିଲେ ମଧ୍ୟ ଅଳ୍ପ କିଛି ଖାଇନେଲେ ।

ପ୍ରତାପ କହିଲେ “ଏଠାରେ ଆମେ କିଛି ସମୟ ବିଶ୍ରାମ ନେବା । ଘଡିଏ ପରେ ମତେ ପୁଣି ଭୋକ ଲାଗିବ । ସେତେବେଳେ ପୁଣି ଥରେ ଖାଇ ଏଠାରୁ ବାହାରିବା ।”

ବଳରାମ, ତାଙ୍କର ଭୋକ ଦେଖି ଆଚମ୍ବିତ ହେଉଥାଆନ୍ତି । ପୁଣିଥରେ ଭୋଜନ ସମାପ୍ତ ହେବା ପରେ ଗାଡି ଚାଲିଲା । ସଂନ୍ଧ୍ୟା ସମୟକୁ ସେମାନେ ଯାଇ ଘରେ ପହଁଚିଲେ ।

ଘରେ ପ୍ରତାପଙ୍କ ବ୍ୟବହାର ବଡ ବିଚିତ୍ର ମନେ ହେଉଥାଏ । ପ୍ରଥମେ ସେ ବଳରାମଙ୍କ ପତ୍ନୀଙ୍କର ସୌନ୍ଦର୍ଯ୍ୟର ପ୍ରଶଂସା କଲେ । ପରେପରେ ସେ କହିଲେ, ତୁମେ ସୁନ୍ଦର ହେଲେ କ’ଣ ହେବ, ଘରଦ୍ୱାର ସୁନ୍ଦର କରି ରଖିପାରୁନାହଁ । ବିଚାରୀ, ଏ କଥାରେ ବଡ ଦୁଃଖ ପାଇଲା । ପୁଣି ସେ ବଳରାମଙ୍କ ସନ୍ତାନ-ସନ୍ତତିଙ୍କୁ ସ୍ନେହ ଆଦର କରି ପ୍ରଶଂସା କଲେ । କିନ୍ତୁ କ୍ଷଣକ ପରେ କହିଲେ, ଏମାନେ ଅତି ଗେଲବସର ହୋଇ ଦୁଷ୍ଟ ହୋଇଯାଇଛନ୍ତି । ବଳରାମଙ୍କୁ ଗୁପ୍ତଧନ ମିଳିବ, ଏହି କଥାରେ ପ୍ରତାପ ଆନନ୍ଦ ପ୍ରକାଶ କରୁଥିଲେ ମଧ୍ୟ, ତା’ର ଏହି କାମ ପାଇଁ ତାଙ୍କୁ ନିଜ ଘରଛାଡି ଏତେଦୂର ଆସିବା ପାଇଁ ପଡିଲା କହି ବିରକ୍ତିବି ପ୍ରକାଶ କରୁଥିଲେ ।

ତିନିଦିନ ଧରି, ପ୍ରତାପ ତାଙ୍କ ଘରେ ସ୍ୱାଦିଷ୍ଟ ଭୋଜନ କରୁଥାନ୍ତି । ଦିନକୁ ଛଅଥର ଖାଇପାରୁଥିବା ଲୋକ, ସେମାନେ ତ ଆଗରୁ କେବେବି ଦେଖି ନ ଥିଲେ, ତେଣୁ ପ୍ରତାପଙ୍କର ଭୋଜନ ଏକ ଚର୍ଚ୍ଚାର ବିଷୟ ହୋଇଥାଏ । ବଳରାମଙ୍କ ପରିବାର ସଦସ୍ୟମାନେ ସନ୍ଦେହ କରୁଥାନ୍ତି, ଏ ଲୋକ ଉପବାସ ରହିପାରିବ ତ?

ତୃତୀୟ ଦିନ ରାତ୍ରି ସମୟରେ, ଶୋଇବା ପୂର୍ବରୁ ପ୍ରତାପ ବଳରାମଙ୍କ ପତ୍ନୀଙ୍କୁ ଡକେଇ କହିଲେ, “ଦେବୀ, କାଲି ମୋର କଠୋର ଉପବାସ-ବ୍ରତ । ଏମିତିକି ମୁଁ କାଲି ଜଳ ମଧ୍ୟ ସ୍ପର୍ଶ କରିବି ନାହିଁ । ତେଣୁ ତୁମେ କାଲି ବିଶ୍ରାମ ନେଇ ପାରିବ ।”

କିଛି କ୍ଷଣ ପରେ ବଳରାମଙ୍କୁ ଡାକି ସେ କହିଲେ, “ତୁମକୁ ଗୁପ୍ତଧନ ମିଳିଲେ, ମୋତେ ସେଥିରୁ କେତେ ଅଂଶ ଭାଗ ଦେବ?”

ତାଙ୍କ କଥା ଶୁଣି ବଳରାମ ଭାବୁଥାନ୍ତି ଯେ, ଏତେ ସ୍ୱାର୍ଥପର ଲୋକ ହାତରେ ମତେ କାହିଁକି ବା ଧନ ମିଳିବ? ତଥାପିବି ସେ କହିଲେ, “ଯଦି ଗୁପ୍ତଧନ ମିଳେ, ତେବେ ତା’ର ଏକ-ଚତୁର୍ଥାଂଶ ମୁଁ ଅବଶ୍ୟ ତୁମକୁ ଦେବି ।”

ଚତୁର୍ଥ ଦିବସ ଆସି ପହଁଚିଲା । ବଳରାମ ଭାବିଲେ, ପ୍ରତାପ କଠୋର ଉପବାସ କରିବେ, କିନ୍ତୁ ପ୍ରତାପ ନିଜ ରୋଷେଇଆକୁ ଡାକି ରାନ୍ଧିବା ପାଇଁ ଆଦେଶ ଦେଲେ । ସେଦିନ ସେ ତିନିଥର ପୁରାପେଟ ଭୋଜନ କଲେ । ପଚାରିବାରୁ କହିଲେ, “ଏମିତି ତ ମୁଁ ଦିନରେ ଛଅଥର ଭୋଜନ କରେ । ଏହି ତିନିଥର ଖାଇବା, ମୋ ପାଇଁ କଠୋର ଉପବାସ ସଦୃଶ ଅଟେ ।”

ବଳରାମ ପୁଣି ଚିନ୍ତିତ ହେଲେ । ପରଦିନ ସକାଳେ ପ୍ରତାପ, ହାତରେ କୋଦାଳ ଧରି ଜମି ଖନନ କଲେ । ପ୍ରଥମ ଚୋଟରେ ହିଁ ଝଣ୍ଝଣ୍ ଶବ୍ଦ ଭିତରୁ ଶୁଭିଲା । ଆଉଟିକେ ଗଭୀରକୁ ଖୋଳିବାରୁ, ସୁନା ମୋହର ଭର୍ତ୍ତି ଏକ ବଡ ଗରା ମିଳିଲା ।

ଏହି କାହାଣୀଟି ବେତାଳ ଶୁଣାଇବା ପରେ ରାଜାଙ୍କୁ ସେ ପ୍ରଶ୍ନ କଲା, “ରାଜନ୍! ସନ୍ନ୍ୟାସୀ ତ ବଳରାମଙ୍କୁ କହିଥିଲେ, ଗୁପ୍ତଧନ ପ୍ରାପ୍ତି ପାଇଁ ଜଣେ ଉତ୍ତମଲୋକକୁ ତିନିଦିନ ଖାଇବାକୁ ଦେବାପରେ, ଚତୁର୍ଥଦିନ ଉପବାସ ରହିବା ପାଇଁ ପଡିବ । ଏୟା ତ? କିନ୍ତୁ ପ୍ରତାପ ସନ୍ନ୍ୟାସୀଙ୍କ କଥାନୁଯାୟୀ ଚତୁର୍ଥଦିନ ଉପବାସ ରହିଲେ ନାହିଁ । ତଥାପି ତାଙ୍କ ଦ୍ୱାରା ଗୁପ୍ତଧନର ସନ୍ଧାନ ମିଳିଲା । ଏବେ ପ୍ରତାପଙ୍କ ଠାରେ ଥିବା ଉତ୍ତମ ପୁରୁଷର ଲକ୍ଷଣଗୁଡିକ ଆଲୋଚନା କରିବା । ନିଜ ପତ୍ନୀର ଅସୁସ୍ଥତାବଶତଃ ବିଚଳିତ ହେଉଥିବା ଜଣେ ଲୋକକୁ ସମବେଦନା ଜଣେଇବା ଦୂରର କଥା, ଓଲଟି ସେ ତାଙ୍କୁ ଗାଳି ଦେଇ କହିଲେ, “ଏ କଷ୍ଟ ତାଙ୍କୁ ତ ସହିବାକୁ ହିଁ ପଡିବ ।” ପିତାଙ୍କ ମୃତ୍ୟୁରେ କାତର ନରସିଂହଙ୍କୁ ସାନ୍ତ୍ୱନା ଦେବେ କ’ଣ, ସେ ତାଙ୍କୁ କଡାକଡା କଥା କହି ତାଙ୍କ ପିତାଙ୍କ ଚରିତ୍ର ସଂହାର କଲେ । ବଳରାମଙ୍କ ଗୁପ୍ତଧନରୁ ଭାଗ ମାଗିଲେ । ଏହା ସବୁ ଦେଖି ମନେ ହେଉଛି, ସଂଯୋଗବଶତଃ ବଳରାମଙ୍କୁ ଧନପ୍ରାପ୍ତି ହୋଇଛି, ସୁଗୁଣର ପ୍ରଭାବ ଯୋଗୁଁ ଆଦୌ ନୁହେଁ । ମୋ ଦୃଷ୍ଟିରେ ସନ୍ନ୍ୟାସୀଙ୍କ ଭବିଷ୍ୟତବାଣୀ ବା ପ୍ରତାପଙ୍କ ଉତ୍ତମ ମଣିଷ-ପଣିଆ ବଳରାମଙ୍କୁ ଗୁପ୍ତଧନ ମିଳିବାର କାରଣ, ଏହା ସମ୍ପୂର୍ଣ୍ଣ ଭୁଲ୍ ଧାରଣା । ମୋର ଏହି ସନ୍ଦେହ ଦୂର କରିବାର ସାମର୍ଥ୍ୟ ଥାଇ ମଧ୍ୟ, ତୁମେ ଯଦି ନିରୁତ୍ତର ରହିବ, ତେବେ ତୁମର ମସ୍ତକ ଶତଧା ବିଦିର୍ଣ୍ଣ ହେବ ।”

ବିକ୍ରମାର୍କ ତୁରନ୍ତ ଉତ୍ତର ଦେଲେ, “ମଣିଷ ମାତ୍ରକେ ଭୁଲ୍ ରହିବ । କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଉତ୍ତମ ଲକ୍ଷଣ ପ୍ରକାଶ କରିବା ଏକ ଛଳନା ମାତ୍ର । ଆମେ ତା’କୁ ହିଁ ଉତ୍ତମ ବ୍ୟକ୍ତି ଭାବେ ଗ୍ରହଣ କରୁ, ଯିଏକି ନିଜର ଦୁର୍ଗୁଣକୁ ପରିସ୍ଥିତି ଓ ସମୟ ଅନୁଯାୟୀ ଗୋପନୀୟ ରଖି ଓ ଉତ୍ତମ ଗୁଣର ପରିପ୍ରକାଶ କରେ । ପ୍ରତାପ ନିଜ ବ୍ୟକ୍ତିତ୍ୱକୁ ଦୁଇଭାଗରେ ବିଭକ୍ତି କରିଛନ୍ତି – ଭଲ ଓ ଖରାପ । ସେ ସର୍ବଦା ସ୍ପଷ୍ଟବାଦୀ । ତେଣୁ ଭଲ ବା ଖରାପ, କୌଣସି ପ୍ରତିକ୍ରିୟାକୁ ସେ ଲୁଚାଇ ରଖନ୍ତି ନାହିଁ । ପ୍ରଥମ ବ୍ୟକ୍ତିତ୍ୱ ଅନୁସାରେ, ସେ ଅପରକୁ ସହାୟତା କରନ୍ତି, ଦ୍ୱିତୀୟ ବ୍ୟକ୍ତିତ୍ୱ ଦ୍ୱାରା ପରିଚାଳିତ ହୋଇ, କଟୁକଥା କହନ୍ତି ।

ସ୍ୱୟଂ ବିଭବଶାଳୀ ହୋଇ ମଧ୍ୟ ବଳରାମଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବଳରାମଙ୍କ ପତ୍ନୀଙ୍କ ହାତରନ୍ଧା ରୋଷେଇ ଖାଇଛନ୍ତି । ତାଙ୍କ ଭିତରେ ଥିବା ଖରାପ ସ୍ୱଭାବର ବ୍ୟକ୍ତି, ରୋଷେଇଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବା ପାଇଁ ଇଚ୍ଛା କରୁଛି । ତାଙ୍କର ଉତ୍ତମ ଗୁଣ, ତାଙ୍କୁ ଛଅଥର ପ୍ରତିବଦଳରେ ତିନିଥର ଖାଇବା ପାଇଁ, ପ୍ରେରଣା ଦେଇଛି, ଯାହା ତାଙ୍କ ପରି ଭୋଜନଲୋଭୀ ବ୍ୟକ୍ତି ପାଇଁ କଠୋର ଉପବାସ ସହିତ ସମାନ ଅଟେ । ସେହି କାରଣରୁ, ତାଙ୍କ ଦ୍ୱାରାହିଁ ବଳରାମଙ୍କ ଗୁପ୍ତଧନର ସନ୍ଧାନ ମିଳିଛି । ଏହା ଆଦୌ ସଂଯୋଗ ବଶତଃ ନୁହେଁ ।”

ରାଜାଙ୍କ ମୌନତା ଭଙ୍ଗ କରିବାରେ ସଫଳ ହୋଇ ବେତାଳ, ଶବ ସହ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ଯାଇ ବୃକ୍ଷଡାଳରେ ଝୁଲି ପଡିଲା ।

 

ଆନ୍ତର ସୌନ୍ଦର୍ଯ୍ୟ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.