🌹 ଗପଟିଏ ଜହ୍ନମାମୁଁ ପୃଷ୍ଠାରୁ 🌹🌻ପତିବ୍ରତା

Pavitrata
Reading Time: 6 minutes

ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ନିଜ କାନ୍ଧରେ ପକାଇ ସେ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ତୁମେ ଧନ୍ୟ; ଶ୍ମଶାନର ଏହି ଭୟାନକ ବାତାବରଣ କୌଣସି ବୀରପୁରୁଷ ହୃଦୟରେ ମଧ୍ୟ ଭୟ ସଂଚାର କରିବ । ଅଥଚ ତୁମେ ନିଜ କାର୍ଯ୍ୟରେ ଅଟଳ ।

ମନେହୁଏ ତୁମର ଲକ୍ଷ୍ୟ ନିଶ୍ଚୟ ମହାନ୍ । କେବେକେବେ କୌଣସି ସାଧାରଣ ମନୁଷ୍ୟ ସ୍ୱାର୍ଥ ଯୋଗୁଁ କୌଣସି ତପସ୍ୱୀଙ୍କର ତପସ୍ୟା ଭଙ୍ଗ କରି ଦେଇଥା’ନ୍ତି । ସେପରି ତପସ୍ୱୀ ମଧ୍ୟ ମହାନ୍ ଯିଏ ମୋକ୍ଷଲାଭ ପାଇଁ ତପସ୍ୟା କରୁଥା’ନ୍ତି ଓ ନିଜର ସର୍ବସ୍ୱ ତ୍ୟାଗ କରିଥା’ନ୍ତି । ତୁମେ ହୁଏତ ଏକଥା ବିଶ୍ୱାସ କରିବ ନାହିଁ । କାରଣ ମୋର ଭୟ ହୁଏ ତୁମର ଏ ପ୍ରୟାସକୁ ଦେଖି କେହି ସାଧାରଣ ଲୋକ ହସି ଉଡାଇବ ନାହିଁ ତ? ହୁଏତ ସେ କହିବ ବିକ୍ରମାର୍କଙ୍କ ପରି ବୀର, ତେଜସ୍ୱୀ, ଓ ଆଦର୍ଶ ରାଜା ନିଜର ଲକ୍ଷ୍ୟ ପ୍ରାପ୍ତିର ମୋହରେ ପଡି ଏପରି କରୁଛନ୍ତି । ଏହି ସମ୍ପର୍କରେ ମୁଁ ଜଣେ ପତିବ୍ରତାର କାହାଣୀ ଶୁଣାଇବି । ମନ ଦେଇ ଶୁଣ; ଫଳରେ ତମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –

ହେମରିରି ନାମକ ଗ୍ରାମରେ ଧୀର ନାମକ ଏକ ଯୁବକ ଥିଲା । ତାକୁ ତା’ ବାପମା’ ବଡ ଗେହ୍ଲାରେ ବଢାଇଥିଲେ । ତେଣୁ କ୍ରମେ ବଡ ହେବାରୁ ସେ ନାନା ପ୍ରକାର ଖରାପ ଅଭ୍ୟାସ ଓ ବିଳାସବ୍ୟସନ ମଧ୍ୟରେ ଦିନ କାଟିଲା । ସେମାନେ ଭାବିଥିଲେ କି ବଡ ହୋଇଗଲେ ସେ ଆପେ ବୁଝିଯିବ ଓ ତା’ର ସମସ୍ତ ବଦଭ୍ୟାସକୁ ସେ ଛାଡିଦେବ କିନ୍ତୁ କ୍ରମେ ତା’ର କୁପ୍ରବୃତ୍ତି ବଢି ଚାଲିଲା ।

ବାପମା’ ଭାବିଲେ ଅନେକ କୁମାର୍ଗଗାମୀ ଯୁବକ ବିବାହ ପରେ ସତ୍ମାର୍ଗକୁ ଆସନ୍ତି; ତେଣୁ ଧୀରକୁ ବିବାହ ଦେଲେ ହେବ । କିନ୍ତୁ ତା’ର ଦୁର୍ଗୁଣ ଶୁଣିବା ପରେ, କେଉଁ ଭଲ ଘରର ଲୋକ ତାକୁ ଝିଅ ଦେବ । ଯଦି କେହି ଦରିଦ୍ର ଘରର ଝିଅ, ତାକୁ ବିବାହ କରେ ଏବଂ ସହନଶୀଳା ଓ ବୁଦ୍ଧିମତୀ ହୋଇଥିବ ତେବେ ଯାଇ ଧୀର ବାଟକୁ ଆସିବ ।

ପାଖ ଗ୍ରାମରେ ଧବଳ ନାମକ ଜଣେ ବ୍ୟକ୍ତିର ଏକମାତ୍ର ଝିଅ ଥାଏ, ତାର ନାଁ ଶାନ୍ତା । ସେ ଖୁବ୍ ସୁନ୍ଦରୀ ଥିଲା ଓ ପିଲାବେଳରୁ ପୁରାଣ ଆଦି ପଢାପଢି କରି ସେ ଅନେକ ସଦ୍ଗୁଣ ଅର୍ଜନ କରିଥାଏ ।

ଥରେ ଶାନ୍ତାର ମା’ ଅସୁସ୍ଥ ହୋଇ ପଡିଲେ । ଶାନ୍ତା ଦୁଇବର୍ଷ ପୂର୍ବରୁ ଜମିଦାରଙ୍କ ସ୍ତ୍ରୀଙ୍କ ଅସୁସ୍ଥ ସମୟରେ ତାଙ୍କ ପାଖରେ ରହି ସେବା ଶୁଶ୍ରୁଷା କରୁଥିଲା । ସେ ସୁସ୍ଥ ହେବା ପରେ କହିଲେ, “ଶାନ୍ତା, ତୋର ଭବିଷ୍ୟତରେ ଯେତେବେଳେ ଯାହା ଦରକାର ତୁ ମୋତେ କହିବୁ, ମୁଁ ତାହା ଅବଶ୍ୟ ଦେବି । ତୁ ମୋର ଅସୁସ୍ଥ ସମୟରେ ବଡ ଉପକାର କରିଛୁ । ତୋର ଇଚ୍ଛା ଯାହା ହେବ ନିଃସଙ୍କୋଚରେ କହିବୁ ମୁଁ ତାହା ତୁରନ୍ତ ପୂର୍ଣ୍ଣ କରିବି ।”

ସେକଥା ମନେପଡିବାରୁ ତାଙ୍କ ସହିତ ଦେଖା କରିବାକୁ ଶାନ୍ତା ଗଲା । ସେତେବେଳେ ଧୀରର ବାପା ମଧ୍ୟ ସେଇଠାରେ ଥିଲେ । ଶାନ୍ତାକୁ ଦେଖି ଓ ତା’ ବିଷୟରେ ସବୁକିଛି ପଚାରି ବୁଝିବା ପରେ, ଧୀରର ବାପା ଭାବିଲେ ଯେ ଯେପରି ହେଉ ପଛେ ଏହି ଝିଅଟିକୁ ସେ ତାଙ୍କ ବୋହୂ କରିବେ । ତା’ପରେ ସେ ନିଜେ ଶାନ୍ତା ମା’ର ଚିକିତ୍ସା ଭାର ନେଲେ । ଧବଳର ସବୁ କରଜ ବି ସେ ଶୁଝି ଦେଲେ । ତା’ପରେ ସେ ଦିନେ ଧବଳକୁ କହିଲେ, “ଏହି ଗ୍ରାମରେ ମୋର ପାଞ୍ଚ ଏକର ଜମି ଅଛି । ସେ ଜମିତକ ତୁମେ ନିଅ ଓ ତୁମ ଝିଅକୁ ମୋ ପୁଅ ସହିତ ବିବାହ ଦିଅ ।”

ଧବଳ ଏକଥାରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଭାବିଲା “ଏତେ ବଡ ଧନୀ ଲୋକ ମୋ ସହିତ କାହିଁକି ବନ୍ଧୁ ବାନ୍ଧିବାକୁ ଚାହୁଁଛନ୍ତି” ତେଣୁ ସେ ଧୀରର ବାପାଙ୍କୁ ଧୀର ବିଷୟରେ ପଚାରିଲେ । ଧୀରର ବାପା କିଛି ନ ଲୁଚାଇ ସ୍ପଷ୍ଟ କରି ସବୁକଥା କହିଲେ । ତା’ପରେ ସେ କହିଲେ, “ତୁମ ଝିଅ ଯୋଗୁଁ ତୁମର ଦରିଦ୍ରତା ଦୂର ହେବ, ଏବଂ ମୋ ପୁଅ ମଧ୍ୟ ସୁଧୁରି ଯିବ ।”

ଧବଳ ଟିକିଏ ଚିନ୍ତାରେ ପଡିଲା, କିନ୍ତୁ ଶାନ୍ତା ସବୁ ଶୁଣି, ପରିସ୍ଥିତିର ମଙ୍ଗଳ ଦୃଷ୍ଟିରୁ ନିଜେ ଏକଥାରେ ସ୍ୱୀକୃତି ଦେଲା; କାରଣ ସେ ଭାବିଲା ଯେ ତା’ ଯୋଗୁଁ ଅନ୍ତତଃ ତା’ର ବାପ ମା ତ ସୁଖରେ ରହିବେ ।

ଶାନ୍ତା ସହିତ ଧୀରର ବିବାହ ସମ୍ପନ୍ନ ହେଲା । ଧୀର ବିବାହ କରିବାକୁ ଡରୁଥିଲା, କାରଣ ଅଯଥା ଦାୟିତ୍ୱ ପୁଣି ତା’ର ସ୍ୱାଧୀନତାରେ ଜଣେ ସଦା ସର୍ବଦା ହସ୍ତକ୍ଷେପ କରିବ । କିନ୍ତୁ ଶାନ୍ତା ସେପରି ଝିଅ ନଥିଲା ସେ କେବେ ମଧ୍ୟ ତାକୁ ପଚାରେ ନାହିଁ ଯେ ସେ କୁଆଡେ ଯାଉଛି, କ’ଣ କରୁଛି । ଶାନ୍ତା ଦୃଷ୍ଟିରେ ଧୀର ପତି ଦେବତା ଥିଲା ।
ଶାନ୍ତାର ଏଭଳି ବ୍ୟବହାର ଧୀରର ବାପମା’ଙ୍କୁ ମୋଟେ ଭଲ ଲାଗିଲା ନାହିଁ । ସେମାନେ ଭାବିଲେ ଶାନ୍ତା ତାକୁ ନିଜ ବଶରେ ରଖିବା ପରିବର୍ତ୍ତେ, ତା’ର ଖରାପ ସ୍ୱଭାବକୁ ଓଲଟି ସେ ଅଧିକ ପ୍ରଶ୍ରୟ ଦେଉଛି । ଦିନେ ସେମାନେ ଶାନ୍ତାକୁ ଡାକି କହିଲେ, “ଝିଅ, ତୁ ତ ଆମ ଘରର ପରିସ୍ଥିତି ଭଲଭାବେ ଜାଣୁ । କେବଳ ପୁଅକୁ ବାଟକୁ ଆଣିବାକୁ ମୁଁ ତୋ ପରି ବୁଦ୍ଧିମତୀ ଝିଅକୁ ବୋହୂ କରି ଆଣିଛି । କିନ୍ତୁ, ତୁ ସବୁବେଳେ ନୀରବ ରହିଲେ ସେ ଆହୁରି ଅଧିକ ବିଗିଡି ଯିବ । ଆଉ ଯଦି ଏପରି ହୋଇଚାଲିବ ତ ଆମର ସର୍ବନାଶ ହୋଇଯିବ । ଏବେ ମଧ୍ୟ ବେଶି କିଛି ବିଳମ୍ବ ହୋଇ ନାହିଁ । ତାକୁ ସୁଧାରିବାକୁ ଚେଷ୍ଟା କର । ତଦ୍ୱାରା ଆମ ସମସ୍ତିଙ୍କର ମଙ୍ଗଳ ହେବ ।”

କିନ୍ତୁ ଶାନ୍ତା ଶାଶୁଶ୍ୱଶୁରଙ୍କ କଥା ଅସ୍ୱୀକାର କରି କହିଲା, “ଆପଣମାନେ ଗୁରୁଜନ । ଆପଣଙ୍କ କଥା ଶୁଣିବା ମଧ୍ୟ ମୋର ଧର୍ମ । କିନ୍ତୁ ମୋର ସ୍ୱାମୀ ମୋ ପାଇଁ ହେଲେ ଦେବତା । ତେଣୁ ତାଙ୍କରି ସେବା କରି ମୁଁ ପତିବ୍ରତ୍ୟ ଧର୍ମ ପାଳନ କରୁଛି । ତାହାହିଁ ମୋ ପାଇଁ ସବୁକିଛି ।”

କିଛି ଦିନ ପରେ ଧୀର ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇ ପଡିଲା । ବୈଦ୍ୟ ତାକୁ ପରୀକ୍ଷା କରି କହିଲେ, “ନଷ୍ଟଚରିତ୍ର ଯୋଗୁଁ ସେ ଆଜି ଏପରି ଭୟଙ୍କର ରୋଗ ଭୋଗୁଛି । ଏଠାରେ କୌଣସି ଔଷଧ ବି କାମ କରି ପାରିବ ନାହିଁ । ତେଣୁ ସେ ତା’ ସାରାଜୀବନ ସେହିପରି ନିଷ୍କର୍ମା ହୋଇ ପଡି ରହିବ ।”

ସ୍ୱାମୀର ଏପରି ଅବସ୍ଥା ଦେଖି ଶାନ୍ତା ଆଦୌ କାତର ହେଲା ନାହିଁ । ତା’ର ତା’ ସ୍ୱାମୀ ପାଇଁ ଟିକିଏ ହେଲେ ବି ଘୃଣା ଭାବ ନଥିଲା । ସେ ନିଜ ଜୀବନ ଦେଇ ତା’ର ସେବା କରିବାରେ ଲାଗିଥାଏ । ଧୀରର ବାପମା ସାଧୁସନ୍ୟାସୀ ଦେଖିଲେ ତାଙ୍କୁ ସେ ପୁଅର ଜୀବନ ରକ୍ଷା ପାଇଁ ପ୍ରାର୍ଥନା କରୁଥା’ନ୍ତି ।

ଦିନେ ଜଣେ ସାଧୁ ତାଙ୍କୁ କହିଲେ, “ତୁମର ବୋହୂ ଯଦି ପତିବ୍ରତା ହୋଇଥିବ, ତେବେ ତୁମର ପୁଅ ବଂଚିପାରିବ ହିମଗିରି ନିକଟରେହିଁ ଜଙ୍ଗଲଟିଏ ଅଛି । ସେଥିରେ ଏକ ସରୋବର ଅଛି । ସେହି ସରୋବର ତଟରେ ଥିବା ଆମ୍ବଗଛର ଚେର ଦ୍ୱାରା ସେ ଭଲ ହୋଇଯାଇ ପାରିବ । ସରୋବରର ନାମ ରାମକୃପା ।”

ଧୀରର ପିତା କହିଲେ, “ମୋ ବୋହୂ ଯେ ମହାପତିବ୍ରତା ଏଥିରେ ତ କୌଣସି ସନ୍ଦେହ ନାହିଁ । ମୁଁ ନିଜେ ଯାଇ ଗଛର ଚେର ନେଇ ଆସିବି ।”

ସାଧୁ ଅଳ୍ପ ହସି କହିଲେ, “ତୁମକୁ ଯିବାକୁ ହେବ ନାହିଁ । ବୋହୂ ନିଜେ ଗୋଟିଏ ଟୋକେଇରେ ତା’ର ସ୍ୱାମୀକୁ ମୁଣ୍ଡରେ ମୁଣ୍ଡାଇ ନେଇ ସେହି ରାମକୃପା ସରୋବରକୁ ଯିବ । ସେଠାରେ ଜଣେ ସାଧୁ ତପସ୍ୟାରେ ବସିଥା’ନ୍ତି । ତାଙ୍କରି ସାଧନା ପ୍ରଭାବରେ ସରୋବର ତୀରରେ ଥିବା ଆମ୍ବଗଛର ଚେର ଏପରି ମହାନ୍ ଗୁଣ ପ୍ରାପ୍ତ କରିଛି । ତା’ପରେ ବୋହୁ ନିଜେ ସେହି ସାଧୁଙ୍କୁ ଭକ୍ତି ସହ ପ୍ରାର୍ଥନା କରିବା ପରେ ଆମ୍ବଗଛର କିଛି ଚେର କାଟି ଆଣିବ । ସେହି ଚେରକୁ ଧୀର ଚୋବାଇ ଖାଇଲେ ସେ ଧୀରେ ଧୀରେ ସୁସ୍ଥ ହୋଇଯିବ ।”

ସାଧୁଙ୍କ କଥା ଶାନ୍ତାକୁ କୁହାଗଲା । ସେ ତତ୍କ୍ଷଣାତ୍ ଧୀରକୁ ଟୋକେଇଟିରେ ମୁଣ୍ଡାଇ ଜଙ୍ଗଲକୁ ଚାଲିଗଲା । କିଛିବାଟ ଯିବା ପରେ ସେ ଆଉ ଚାଲି ପାରିଲା ନାହିଁ । କୌଣସି ସ୍ଥାନରେ ଝୁଂଟି ସେ ପଡିଗଲା । ଟୋକେଇ ମଧ୍ୟ ପଡିଗଲା । ସେ ଭଗବାନଙ୍କୁ ପ୍ରାର୍ଥନା କରି କହିଲା, “ହେ, ଭଗବାନ୍, ମୁଁ ଯଦି ପତିବ୍ରତା ହୋଇଥିବି, ତେବେ ମୋ ସ୍ୱାମୀ ସମସ୍ତ ବିପଦ ମଧ୍ୟରେ ସୁରକ୍ଷିତ ହୋଇ ରହିବେ ।”

କିଛି ସମୟ ପରେ ଶାନ୍ତା ଆଖି ଖୋଲି ଦେଖିଲା ଧୀର ପଡିଯାଇ ମଧ୍ୟ ଅକ୍ଷତ ଅବସ୍ଥାରେ ଅଛି । ତା’ପରେ ଧୀର କହିଲା, “ମୋ ତଂଟି ଶୁଖି ଯାଉଛି, କିଛି ଆଖୁରସ ଖାଇବାକୁ ଇଚ୍ଛା ହେଉଛି ।”

ଶାନ୍ତା ଚତୁର୍ଦ୍ଦିଗକୁ ଚାହିଁ ଦେଖିଲା ଯେ ଜଙ୍ଗଲରେ ଯେଉଁଠି ସେ ପଡିଗଲା ତାହାହିଁ ସେହି ସ୍ଥାନ ଯେଉଁଠାକୁ କି ସେ ଏତେ ଦୂରରୁ ଆସିଛି । ସୁନ୍ଦର ରାମକୃପା ସରୋବର ଓ ତା’ କୂଳରେ ଏକ ବିରାଟ ଫଳଭରା ଆମ୍ବଗଛ । ସେ ଛୁରୀଟିଏ ଧରି ଗଛ ପାଖକୁ ଯାଇ ଆମ୍ବଟିଏ କାଟିଲା । ବସନ୍ତଋତୁ ନୁହେଁ ଅଥଚ ଏତେ ଆମ୍ବ ଫଳିଛି । ଆମ୍ବଟି ହାତରେ ଧରିଛି, ଦେଖିଲା ତତ୍କ୍ଷଣାତ୍ ତାହା ଏକ ସୁନାର ଗିନା ହୋଇଗଲା ଓ ଗିନା ମଧ୍ୟରେ ସୁନ୍ଦର ଆଖୁରସ ମଧ୍ୟ ଭରିଗଲା । ସେ ସେହି ରସ ଧୀରକୁ ପିଆଇଲା । ତା’ପରେ କୁଠାର ଧରି ଗଛର ଚେର କାଟିବାକୁ ସେ ବାହାରିଲା । ମାତ୍ର ଚେର କାଟିବା ପୂର୍ବରୁ ପଛରୁ ଯେମିତି କିଏ କହିଲା, “ରୁହ” ।

ଶାନ୍ତା ପଛକୁ ଚାହିଁ ଦେଖିଲା ଜଣେ ସାଧୁ । ସେ କହିଲେ, “ଫଳରେ ଭରା ଗଛଟିକୁ କାଟିବାକୁ ଯାଉଛ? ତୁମେ କିଏ? ଜାଣିନାହଁ କି ଏହା ଏକ ଘୋର୍ ଅପରାଧ? ଏପରି କାମ କାହିଁକି କରୁଛ?”

ଶାନ୍ତା ସବୁକିଛି ତାଙ୍କୁ ଆମୁଳଚୂଳ ବର୍ଣ୍ଣନା କଲା । ତା’ପରେ ସାଧୁ କହିଲେ, “ମୁଁ ହେଲି ଗଛତଳେ ତପସ୍ୟା କରୁଥିବା ସେହି ସାଧୁ, ମୋ ତପସ୍ୟା ପ୍ରଭାବରୁ ବୃକ୍ଷଟି ଏପରି ମହାନ୍ ଗୁଣ ଲାଭ କରିପାରିଛି । ମୋର ବିରୋଧ କରି ଓ ମୋତେ କିଛି ନ କହି ବୃକ୍ଷକୁ ସ୍ପର୍ଶ କରିପାରିବ ନାହିଁ ।”

ତା’ପରେ ଶାନ୍ତା ଦେଖିଲା ତା’ ହାତରୁ କୁଠାରଟି ଉଡିଯାଇ ତଳେ ପଡିଲା ଓ ସାଧୁ ହସିଲେ । ତା’ପରେ ଶାନ୍ତା ସେହି ସାଧୁଙ୍କର ପାଦରେ ପ୍ରଣାମ କରି କହିଲା, “ଆପଣ ଯଦି ସାଧୁ ଓ ଆପଣଙ୍କର ଯଦି ତପସ୍ୟା ଶକ୍ତି ଅଛି, ତେବେ ମୋ ସ୍ୱାମୀଙ୍କୁ ସୁସ୍ଥ କରି ଦିଅନ୍ତୁ, ନହେଲେ ମୋ ରାସ୍ତାରେ ବାଧା ସୃଷ୍ଟି କରନ୍ତୁ ନାହିଁ ।”

ତପସ୍ୱୀ ଗମ୍ଭୀର ହୋଇ କହିଲେ, “ତୁମର ସ୍ୱାମୀ ଜଣେ ପାପୀ ଲୋକ । ସେ ଏବେ ନିଜର ପାପଫଳ ଭୋଗ କରୁଛି । ତାକୁ ମୁଁ କ’ଣ ଭଗବାନ୍ ମଧ୍ୟ ଚାହିଁଲେ ବଂଚାଇ ପାରିବେ ନାହିଁ ।”

ଶାନ୍ତା ଦୃଢ ସ୍ୱରରେ କହିଲା, “କିନ୍ତୁ ମୁଁ ଯଦି ପତିବ୍ରତା ହୋଇଥାଏ, ତେବେ ଭଗବାନ ମୋ କାର୍ଯ୍ୟରେ ସାଫଲ୍ୟ ଆଣିବା ପାଇଁ ନିଶ୍ଚୟ ମୋତେ ସହାୟତା କରିବେ ।” ଏତିକି କହି ସେ କୁଠାର ଧରି ପୁଣି ଗଛପାଖକୁ ଯାଇ ଚେର କାଟିଲା । ସାଧୁ ତାକୁ ପ୍ରଭାବିତ କରିବାକୁ ନାନା ମନ୍ତ୍ର ପଢିଲେ । କିନ୍ତୁ କୌଣସି ଲାଭ ହେଲା ନାହିଁ ।

ଶାନ୍ତା ଆମ୍ବଗଛରୁ ଚେର ଆଣି ଧୀରକୁ ଦେଲା । ଧୀର ତାହା ଖାଇବା ମାତ୍ରେ ସୁସ୍ଥ ହୋଇଗଲା । ତା’ପରେ ସେ ଦୁହେଁ ତପସ୍ୱୀଙ୍କୁ ପ୍ରଣାମ କରି ସେଠାରୁ ଫେରି ଆସିଲେ ।

ଜଣେ ସାଧାରଣ ସ୍ତ୍ରୀ ପାଖରେ ହାରିଯାଇ ତପସ୍ୱୀ ଦୁଃଖରେ ଭୂମି ଉପରେ ପଡିଗଲେ ।

ବେତାଳ ରାଜାଙ୍କୁ କାହାଣୀଟି ଶୁଣାଇବା ପରେ କହିଲା, “ଧୀର ତା’ ବାପମାଙ୍କ କଥା ଶୁଣିଲା ନାହିଁ ଓ ଅନେକ ବଦଭ୍ୟାସ ସବୁର ଶୀକାର ହୋଇଗଲା । ସ୍ୱାସ୍ଥ୍ୟ ଖରାପ ହୋଇ ଯାଇ ମୃତ୍ୟୁର କବଳରେ ସେ ପଡିବାକୁ ଯାଉଥିଲା; ସେପରି, ଦୁଶ୍ଚରିତ୍ର ଓ ଲମ୍ପଟ, ଲୋକକୁ ବଂଚାଇବାକୁ ଯାଇ ଶାନ୍ତା ସେହି ମହାନ୍ ଗଛଟିକୁ କାଟିବାକୁ ଗଲା । ତପସ୍ୱୀ ତ ନିଃସ୍ୱାର୍ଥ ଥିଲେ; ସେ ତ ମୋକ୍ଷ ପାଇଁ ତପସ୍ୟା କରୁଥିଲେ, ଜଣେ ସାଧାରଣ ସ୍ତ୍ରୀ ପାଖରେ, ତାଙ୍କ ତପସ୍ୟାଶକ୍ତି କାହିଁକି ବିଫଳ ହୋଇଗଲା? ଏହା ବିଧିର ବିଧାନ ନା ଏପରି କିଛି ଅନ୍ତର୍ନିହିତ ସତ୍ୟ ଅଛି ଯାହା ମଣିଷର ସୁବୁଦ୍ଧିର ବାହାରେ? ମୋର ଏହି ସନ୍ଦେହ ଦୂର କର । ଉତ୍ତର ଜାଣିକି ବି ତମେ ଯଦି ମୌନ ରହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମାର୍କ କହିଲେ, “ଶାନ୍ତାର ପତିବ୍ରତା ଧର୍ମ ଅତ୍ୟନ୍ତ ନିଷ୍ଠା ଓ ନିଃସ୍ୱାର୍ଥରେ ପୂର୍ଣ୍ଣ । ସେପରି ଧର୍ମ ସମ୍ମୁଖରେ କେହିବି ତିଷ୍ଠି ପାରିବେ ନାହିଁ । ସେ ସାଧାରଣ ସ୍ତ୍ରୀ ହୋଇ ନିଃସ୍ୱାର୍ଥ କାମ କଲା, କିନ୍ତୁ ମୋକ୍ଷ ପାଇଁ ତପସ୍ୟା କରୁଥିବା ସାଧୁ ସ୍ୱାର୍ଥର ଅଧିନ ହୋଇ ଗଛଟି ପାଇଁ ନାନା ମନ୍ତ୍ର ଉଚ୍ଚାରଣ କଲେ, କିନ୍ତୁ ସତୀନାରୀର ନିଷ୍ଠା ନିକଟରେ ତାହା ଯମାରୁ କାମ କଲାନାହିଁ । ଜଣେ ନିଜେ ମୋକ୍ଷ ପ୍ରାପ୍ତ କଲେ ତଦ୍ୱାରା ଅନ୍ୟର ବା ପୃଥିବୀର ବିଶେଷ କ’ଣ ଉପକାର ହେଲା ।

ତାଙ୍କର ଅନ୍ୟକୁ ସହାୟତା କରିବା ଉଚିତ୍; କିନ୍ତୁ ତା’ ପରିବର୍ତ୍ତେ ସେ ବରଂ ଅନ୍ୟକୁ କଷ୍ଟ ଦେଉଛନ୍ତି । ଅନ୍ତତଃ ଯେଉଁ ଗଛ ପ୍ରତି ତାଙ୍କର ମାୟା ବା ଯେଉଁ ଗଛର ମହାନ୍ ଶକ୍ତି ତାଙ୍କ ତପୋବଳରୁ ହୋଇଛି; ତାକୁ ତ ଥରେ ବଂଚାଇବା ତାଙ୍କର ଉଚିତ୍ । ତାହା ମଧ୍ୟ ସେ କଲେ ନାହିଁ, କେବଳ ଶାନ୍ତାକୁ ଗାଳି ଦେଲେ ଗଛ ପ୍ରତି ସେ ଆସକ୍ତ । କିନ୍ତୁ ଅନ୍ୟର ମଙ୍ଗଳ ପାଇଁ କିଛି କରୁ ନାହାଁନ୍ତି ।” ବିକ୍ରମାର୍କଙ୍କର ମୌନ ଭଙ୍ଗ ହୁଅନ୍ତେ ବେତାଳ ପୁଣି ପୂର୍ବୋକ୍ତ ବୃକ୍ଷରେ ଯାଇ ଶବ ସହିତ ଝୁଲି ପଡିଲା ।

 

ନିଷ୍ପତ୍ତି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.