ବୋଉର ଶାଗଖରଡା

odia 2
Reading Time: 5 minutes

ବୋଉ ହାତର ଶାଗ ଖରଡ଼ା…..
ପନିକି ଧରି ବୋଉ ଶାଗ କାଟି,ଖରଡ଼ିଲା ବେଳେ ମୁଁ ଯେଉଁ ଗୀତଟି ଗାଉଥିଲି ;
ଆଜି ବାରମ୍ବାର ମନେ ପଡୁଥିଲା ପିଲାବେଳେ ପଢିଥିବା ସେଇ ଶିଶୁକବିତାର କିଛି ପଦ :

“ଏଇଟି ଆମର ରୋଷେଇ ଘର
ଏ ଘର ଭିତର ସଫା ସୁତର
ଏଇଠାରେ ମା ପରିବା କାଟେ,
ବେସର ବାଟେ,
ଜାଇ ରଗଡେ
ଶାଗ ଖରଡେ…….

କାହିଁକି କେଜାଣି ଭାରି ମନେପଡୁଥିଲା ବୋଉ ହାତ ଶାଗ ଖରଡ଼ା।
ନିଜର ଚେକପ୍ ପାଇଁ ଯାଇଥିଲି ଡକ୍ଟର ସ୍ମିତାଙ୍କ କ୍ଲିନିକ୍। ମୋ ଡାଏଟ ବିଷୟରେ ଲେଖିଲା ବେଳେ ମୋତେ ଡାକ୍ତରାଣୀ କହିଲେ,”ଶାଗରେ ପ୍ରଚୁର ଆଇରନ ଥାଏ। ଏବେ ନିୟମିତ ଶାଗ ଖାଇବେ।ଏଇ ସମୟରେ ଆପଣଙ୍କ ଦେହ ପାଇଁ ଶାଗ ଭଲ।”
ଡାକ୍ତରାଣୀଙ୍କ ଉପଦେଶ ଶୁଣି ହସିଦେଇ କହିଲି,”ଦୁର୍ବଳତା ଯୋଗୁ ଏବେ ନିଜେ ରୋଷେଇ କରିବାକୁ ଜମା ଇଛା ହେଉନି।କାମବାଲୀଟା ‘ର’ ‘ଠ’ କରି ରୋଷେଇ କରିଦିଏ। ପାଟିକୁ ସୁଆଦ ଲାଗିଲା ଭଳି ଶାଗ ତାକୁ ବନେଇ ଆସେନା। ମୋ ଶାଶୁ ଅନେକ ଦିନରୁ ଆରପାରିରେ। ମୋତେ ହିଁ କରିବାକୁ ପଡିବ।”
ଷ୍ଟେଥୋସ୍କୋପଟା ଟେବୁଲ ଉପରେ ଥୋଇ ସେ କହିଲେ,”ପ୍ରେଗନାନ୍ସି ସମୟରେ କିଛି ଜିନିଷର ବାସ୍ନା ଜମା ଭଲ ଲାଗେନା, ବାନ୍ତି ଉଠାଏ। ଯଦି ସେମିତି କିଛି ଲାଗୁଥିବ,ତେବେ ମୁହଁରେ କନା ବାନ୍ଧି କରି ପାରିବେ। ଆପଣଙ୍କ ଘରେ କେହି ଲେଡିଜ ? ଆପଣଙ୍କ ବୋଉଙ୍କୁ ପାଖକୁ ଡକାଇ ଆଣନ୍ତୁ।”
ମନେ ମନେ ସ୍ଥିର କରିଥିଲି ଶାଗ ମୁଁ କରିବି,ନିଜ ହାତରେ।
ଘରକୁ ଫେରିଲା ବେଳେ ବୋଉ ମୁହଁଟା ଆଖି ସାମ୍ନାରେ ଭାସି ଉଠିଲା।ବୋଉକୁ ହିଁ ଡକାଇବାକୁ ପଡିବ।
ବୋଉ ତା ଟ୍ରେଡ଼ ମାର୍କ ଶାଗ ଖରଡ଼ିଲା ବେଳେ ଦୁଇଟି କଥା ଧରାବନ୍ଧା ଭାବେ କୁହେ।
“ଶାଗକୁ ପନିକିରେ ଚୁନେଇ ଚୁନେଇ କାଟିବୁ ଓ ଲୁହା କଡ଼େଇରେ ପକେଇ ଲୁହା ଖଡ଼ିକାରେ ଭାଜିଵୁ। ଆଉ ହଁ,ଶାଗକୁ ଜମା ଘୋଡ଼େଇବୁନି। ଲୁହାକଡେଇ ପା’ ଦେହକୁ ହିତ। ବଡ଼ି ଟିକେ ପଡିଲେ ଶାଗ ସୁଆଦ ବଢେ। ଆଉ ତା ସାଙ୍ଗକୁ ଖାଲି ରାଗ,ମାନେ କଞ୍ଚା ଲଙ୍କା।”
ହସ ଲାଗେ ବୋଉ କଥା ଶୁଣି : ଲୁହା କଡେ଼ଇ ଆଉ ବୋଉର ସାଇନ୍ସ। ତେବେ ମୁଁ ଆଶ୍ଚର୍ଯ୍ୟ ହୁଏ ସାମ୍ନାରେ ଯେତେ ମାଛ,ମାଂସ,ମସଲାଦିଆ ତରକାରୀ ଥିଲେ ବି ବୋଉର ଶାଗ ଆଗରେ ସବୁ ତୁଛ ଲାଗେ କାହିଁକି ?
ଠୋପେ ତେଲ,ଫୁଟଣ,ରସୁଣ ; ଆଉ କିଛି ମସଲା ବିନା ଏତେ ଅମୃତ ସମାନ ଜିନିଷ କେମିତି କରେ ବୋଉ ?
ଲେଉଟିଆ,କୋଶଳା,ସଜନା,ପୁରୁଣୀ,କଳମ,ଏମିତିକି ପିତାଶାଗ ବି ବୋଉ ହାତରେ ମିଠା ଲାଗେ। ବୋଉ ହାତରେ କୁହୁକ ଥାଏ। ଚୁଲି,କଡେ଼ଇ ଓ ଲୁହା-ଖଡ଼ିକାରେ ସେ କୁହୁକ ଖେଳ ଦେଖାଇ ସ୍ବାଦିଷ୍ଟ ଶାଗ ଖରଡ଼ା ପରଶିଦିଏ।
“ଶାଗ ସମସ୍ତଙ୍କ ହାତରେ ହୁଏନା। କିଏ ଅଧିକା ସିଝାଇ ଦିଏ ତ କିଏ ପୋଡି ଦିଏ।ଆଉ କିଏ ଶାଗର ଶତ୍ରୁ ଲୁଣର ଭାଗ ମାପ ପାଏନା। ଶାଗ କଲାବେଳେ ଜମା ଅନ୍ୟମନସ୍କ ହେବୁନି।”
ମୁଁ ମନେ ମନେ ହସୁଥିଲି। ସବୁବେଳେ ଅନ୍ୟମନସ୍କ ହୋଇଯିବା ମୋ ଅଭ୍ୟାସରେ ପଡ଼ିଗଲାଣି।
ଶାଗ ଖରଡ଼ିବା ଗୋଟେ ଆର୍ଟ। “ସମସ୍ତଙ୍କ ହାତରେ କଣ ଶାଗ ହୁଏ”, ବୋଲି ମୋ ଯୁକ୍ତିକୁ ସିଦ୍ଧାର୍ଥ ଜମା ମାନନ୍ତିନି। ଓଲଟି ଛିଗୁଲେଇ ମୋତେ କୁହନ୍ତି,”ବୁଝିଲ ଇତି,ରୋଷେଇ ଭଳି ଶାଗ ଖରଡ଼ା ଗୋଟେ ରକେଟ ସାଇନ୍ସ ନୁହେଁ।ଗ୍ୟାସରେ କଡେ଼ଇ ବସା,ଶାଗ ପକେଇ ଭାଜ କିମ୍ବା ଡାଲିରେ ପରିବା ସହ ପକେଇ ସିଝେଇ ବଘାରି ଦିଅ। ବାସ ହୋଇଗଲା, ଶାଗ ଭଜା କିମ୍ବା ଶାଗ ତରକାରୀ।’
ଆବାକାବା ହୋଇ ମୁଁ ଭାବେ ଶାଗ ବନେଇବା କଣ ସତରେ ଏତେ ସହଜିଆ ଜିନିଷ !
ଶାଗଖରଡ଼ା ତ ଏକ ପ୍ରକାର ପରୀକ୍ଷା ; ଟେଷ୍ଟ। ନୂଆ ବାହାହୋଇ ଶଶୁର ଘରକୁ ଆସିଥିବା ପ୍ରତ୍ୟେକ ଓଡିଆ ବୋହୁ ପାଇଁ ଶାଗ ଖରଡ଼ିବା ହେଉଛି “ଲିଟମସ୍ ଟେଷ୍ଟ”। ଚତୁର୍ଥୀ ଦିନ ରୋଷେଇ ଘରକୁ ପଶି ବୋହୁ ଶାଗ ଭାଜି ଦେଇପିଣ୍ଡିରେ ଦେବ। ବଡବଡୁଆ ଆଶୀର୍ବାଦ କରିବେ। ଶାଗ ଭଜାରୁ କାଳେ ଜଣାପଡ଼େ ବୋହୂର ପାକ-କଳା।
ଅନ୍ୟମାନେ ଚାଖନ୍ତି,ପ୍ରଶଂସା କରନ୍ତି, ଖୁସିରେ ବୋହୁ ହାତରେ ଟଙ୍କା ବି ଦିଅନ୍ତି।ବୋହୁ ପାଇଁ ଅମୂଲ୍ୟ ଉପହାର ; ରୋଷେଇ ପାଇଁ। କାରଣ ସାରାଜୀବନ ଆଉ କେବେ ରୋଷେଇ ପାଇଁ ଖୁସି ହୋଇ
ତାକୁ କେହି ଟଙ୍କା ଦେବେନି। ସେଦିନ ଶାଗ ଭାଜିଲା ପରେ ଯାହା ଟଙ୍କା ମିଳିଥିଲା,ତାକୁ ଗୋଟେ ଡବାରେ ପୁରାଇ ସାଇତିଛି ମୁଁ।
ଚତୁର୍ଥୀଦିନ ମୁଁ କେତେ ଡ଼ରିଯାଇଥିଲି ଶାଗ ଭାଜିଲା ବେଳେ ! ସିଦ୍ଧାର୍ଥଙ୍କ ରୋଷେଇ ଘରେ କେଉଁଠି କଣ ଜିନିଷ ଥିବ ? ଦେହ ହାତରୁ ଝାଳ ବାହାରି ଯାଇଥିଲା। ଯଦିଓ ପାଖରେ ଠିଆ ହୋଇ ମାଇଁ ଓ ଖୁଡ଼ୀ-ଶାଶୁ ସବୁ ବତାଇ ଦେଉଥିଲେ ଓ ସାହାଯ୍ୟ ବି କରିଥିଲେ।
ମନେ ମନେ ଭାବିଥିଲି : ବୋଉ କେତେ ସହଜରେ ଶାଗ ଭାଜେ ? ସବୁବେଳେ କୁହେ,”ଠିକ ଖାଇ ବସିବା ପୂର୍ବରୁ ଶାଗ ଖରଡ଼ି ଗରମ ଗରମ ପରଶିବ।ଥଣ୍ଡା ଶାଗରେ କଣ ମଜା ଥାଏ ?”
ମୋ’ର ମନେପଡୁଥିଲା ବାହାଘର ପୂର୍ବରୁ ଜେଜେମା କଥା,”ସେଠି ଘରକରଣା ବତାଇଦେବା ପାଇଁ ତୋ ଶାଶୁ ବି ନାହିଁ।ଶଶୁର ଓ ସ୍ବାମୀଙ୍କ ଦାୟିତ୍ୱ ତୋର। ଶାଗ ଖରଡ଼ିବା ଟିକେ ତୋ ବୋଉ ପାଖରୁ ଶିଖି କି ଯା। ପାଠ ସହ ଶାଠ,ଘରକରଣା ବି ଦରକାର। ନହେଲେ ସମୁଦି ଘର କହିବେ ଜେଜେମା,ବୋଉ ଝିଅକୁ ଶଣ୍ଠଣା ଶିଖାଇନାହାନ୍ତି।”
“ତୁ ପରା ମୋ ସାଙ୍ଗରେ ଯୌତୁକରେ ଯାଇ ମୋତେ ସବୁ କାମରେ ତୁ ସାହାଯ୍ୟ କରିବୁ।”
“ମୋ ଲକ୍ଷ୍ମୀମନ୍ତିଆ ବୋହୁ ପେଟରୁ ଏ ଉଦଣ୍ଡୀ ଟୋକି କେମିତି ଜନ୍ମ ହେଲା କେଜାଣି ? ଆଲୋ ବୋହୁ ! ତୋ ଖେଚ୍ଡ଼ ଝିଅକୁ ଟିକେ ଶାଗ ଭଜା ହେଲେ ଶିଖାଇ ଦେ। ଆମ ମାନ ଇଜ୍ଜତ ସାରିବ ଏ ଝୁଅ।”
ଫେଁ ଫେଁ ହୋଇ ମୁଁ ହସେ।
ବୋଉ ଆକଟ କଲା ଭଳି ରୋଷେଇ ଘରକୁ ନେଇ ମୋତେ କହିଥିଲା,
“ଗରମ କଡ଼େଇରେ କେବେ ଶାଗ ପକାଇବୁ ନାହିଁ କି ଘୋଡାଇବୁ ନାହିଁ ; ରଙ୍ଗ ଫିକା ପଡିଯିବ। ଥଣ୍ଡା କଡ଼େଇରେ ଶାଗକୁ ରଖି,ଚୁଲିରେ ବସାଇ ଆଗେ ଟିକେ ବମ୍ଫେଇ,ପାଣି ମାରି ତା ପରେ ବଘାରିଲେ ବାସ୍ନା ଭଲ ହୁଏ। ଫୁଟଣ ଛୁଙ୍କ ଦେଇ ପରେ ବି ଶାଗ ପକାଇ ହେବ ; ହେଲେ ସୁଆଦରେ ଟିକେ ଉଣା। ଆଉ ହଁ,ଲୁହା କଡ଼େଇରେ ହିଁ ଶାଗ କରିବୁ। ସବୁବେଳେ ଲୁଣ ପଛରେ ପକାଇବୁ ଏବଂ କମ୍ ଦେବୁ। ଶାଗରେ ଲୁଣ,କମ୍-ବେଶୀ ହୋଇଗଲେ ସୁଆଦ ରହେନା। ହେଇ ଦେଖ ଏମିତି।”
“ନନ୍ ଷ୍ଟିକ୍ ଯୁଗରେ ଲୁହା କଡେ଼ଇ କିଏ କରୁଛି ? ତାକୁ ମଜାମଜି କରିବା ଆଉ ଗୋଟେ ଝଞ୍ଝଟ। ଲୁଣ ପଡିଛି କି ନାହିଁ ଚାଖିଦେଵ।”
“ଚୁପ, ଓଲେଇ ବୋହୁ ହୋଇ ଆଗ ଚାଖି ଅଇଁଠା କରିବୁ ନା କଣ ? ସବୁ ହେଉଛି ଅନୁମାନ। ତୋ ଶାଶୁ ପାଇଁ ଆଗ ଟିକେ ବାଢ଼ିଦେବୁ। ନନ୍-ଷ୍ଟିକରେ କଣ ଶାଗ ସୁଆଦିଆ ହେବ ?”
ବୋଉ ଶାଗ ଖରଡୁଥିଲା। କାହିଁକି କେଜାଣି ସେଦିନ ବୋଉ ନିଜ ମୁଣ୍ଡର ଓଢ଼ଣାକୁ ଟିକେ ଅଧିକ କରି ମୁହଁ ଲୁଚାଉ ଥିଲା। ଇତି ଚାଲିଯିବ ଏ ଘରୁ। ଏକମାତ୍ର ଗେଲ୍ଲୀ ଝିଅ ଘରୁ ବିଦା ହେବା ପୂର୍ବରୁ ମା’ର ହୃଦୟ କେମିତି ପରିସ୍ଥିତି ଦେଇ ଗତି କରେ ; ତାହା କେବଳ ଅନୁଭବୀ ହିଁ ଜାଣେ।
“ବୋଉ,ତୁ କାନ୍ଦୁଛୁ ?”
“ନାଇଁ ମ,ଏଇ ଚୁଲି ଧୂଆଁ ଆଖିରେ ପଶୁଛି। ଲୁହ ନୁହେଁ ଝାଳ କଣ୍ଟୋଉଛି।।”
ବୋଉକୁ କୁଣ୍ଢାଇ ଧରି କହିଥିଲି,”ତୁ ପରା ଗ୍ୟାସରେ ରୋଷେଇ କରୁଛୁ।”
ନୀରବ ଥିଲା ବୋଉ। ଥପ୍ ଥପ୍ ହୋଇ ଲୁହ ପଡୁଥିଲା ଶାଗ କଡ଼େଇରେ। ଜେଜେମା ବି ଆଖି ପୋଛୁଥିଲା। ବାପା କବାଟ ପାଖକୁ ଆସି କହିଥିଲେ, “ଇତିକୁ ଶାଗ ଖରଡ଼ା ଶିଖାଉଛ ନା କାନ୍ଦଣା ଟ୍ରେନିଙ୍ଗ ?”
ସେଦିନ ଶାଗ ଖାଇଲା ବେଳେ କାହିଁକି କେଜାଣି ଲୁହ ଜକେଇ ଆସିଥିଲା ମୋ ଆଖିରେ। ବାପ ଘର ଏବେ ପର ହୋଇଯିବ ; ଏଇ କଥା ବୋଧେ ଝିଅର ମନ,ହୃଦୟକୁ ରୁନ୍ଧି ଦିଏ।
ହଠାତ ବୋଉ କହିଲା,”ଆଲୋ,ଶାଗରେ ଲୁଣ ପକାଇବାକୁ ଭୁଲି ଯାଇଛି।ଅଲଣା ହୋଇଥିବ।”
ନିଜ ମନର ଦୁଃଖକୁ ଭୁଲି ଯାଇ ହସିଦେଇ କହିଥିଲି, “ଆଜି ପ୍ରଥମ ଥର ତୋ ହାତ ଶାଗ ଖରଡ଼ା ଲୁଣିଆ ହୋଇଛି। ଯେତିକି ଲୁହ ସେ ଶାଗରେ ପଡିଛି ……” ପୁଣି କାହିଁକି କେଜାଣି ମୋ କଣ୍ଠ ରୁନ୍ଧି ହୋଇଯାଇଥିଲା। ଅନୁଭବ କରିଥିଲି : ବୋଉ ଲୁହରେ ବି ମିଠାପଣ ଥାଏ।
“ମୋ ଦ୍ବାରା,ଏ ଶାଗ,ଫାଗ ହେବନି। ତୁ ଗଲେ କରିଦେବୁ ମୋ ପାଇଁ।”
“ତୋ ଘରେ ମୋର କି କାମ ? ଏଣିକି ଦାୟିତ୍ୱ ନେବା ଶିଖ।”
ଶାଗ ଖରଡ଼ା ବୋଉ ପାଇଁ ମାନସାଙ୍କ ; ହେଲେ ମୋ ପାଇଁ ଥିଲା, ଅବୁଝା ଜଟିଳ ଗଣିତ ; ଅଛିଣ୍ଡା ସମୀକରଣ।
ବୋଉଟା ଏଡେ କପଟିଆ ! ଜେଜେ ମା ଭଳି,ସେ ବି ସ୍ଵର୍ଗରେ। ନାତି କି ନାତୁଣୀ ଦେଖିବାକୁ ପାଖରେ ନାହିଁ।
ଗତ ଥର ଘରକୁ ବୁଲିବାକୁ ଯାଇଥିଲା ବେଳେ ମୁଁ ନେଇଆସିଥିଲି ସେଇ ପୁରୁଣା ଲୁହା କଡେଇ।

ଶାଗ ତକ ବୋଉ କହିଲା ଭଳି ଚୁନ ଚୂନ କରି କାଟି ; ଗ୍ୟାସରେ ଲୁହା କଡେଇଟା ବସେଇଲା ବେଳେ ମୋ ଆଖିରେ ଲୁହ ଟଳମଳ। କପ୍-ବୋର୍ଡରୁ ବୋଉର ଫଟୋ ବାହାର କରି ରୋଷେଇ ଘରକୁ ଆଣିଲି।
ଏଇ ଲୁହା କଡ଼େଇରେ ଖୁନ୍ଦି ହୋଇଛି ଅନେକ ପିଲାବେଳର ସ୍ମୃତି। ଏଇ କଡ଼େଇରେ ବୋଉ ଶାଗ ଖରଡୁ ଥିଲା।
ଚୁଲି ପାଖରେ ଲୁହା କଡେ଼ଇ ଓ ଲୁହା ପିଠା ପାତିଆ(ଖଡ଼ିକା)ର ଖଡ ଖାଡ଼ ଶବ୍ଦରେ ଏକ ସୁମଧୁର ସଙ୍ଗୀତ ଥିଲା।
ଆଉ ଯେତେବେଳେ ଠୋପେ ତେଲ,ଫୁଟଣ,ଶୁଖିଲା ଲଙ୍କା, ଦୁଇ ଚାରି କୋଲା ରସୁଣ ଛେଚା,ଅଳ୍ପ ପିଆଜ ଦେଇ ବୋଉ ଶାଗ ବଘାରେ ; ସେତେବେଳେ ଖଣ୍ଡ ମଣ୍ଡଳ ବାସେ।
ମହମହ ସେ ତାଜା-ଶାଗର ବାସ୍ନା ; ଚନ୍ଦନ,ଅଗରୁ ଠାରୁ ବି ଅଧିକ।
ଖାଇବାକୁ ବାଢ଼ିଲା ପୂର୍ବରୁ ସବୁ ଜିନିଷ ବୋଉ ଟିକେ ଟିକେ କାଢି ଗୋଟେ ଛୋଟ ପତରରେ ବାଢି ଦେଇପିଣ୍ଡି ପାଖରେ ଥୋଇଦିଏ। ପୂର୍ବ ପୁରୁଷଙ୍କ ପାଇଁ ଅର୍ଘ୍ୟ। କିନ୍ତୁ ମୋତେ ଲାଗେ : ଠାକୁର-ଘର କବାଟ ଖୋଲି ଠାକୁର ମାନେ ଫଟୋ,ମୂର୍ତ୍ତି ଭିତରୁ ନିଶ୍ଚେ ବାହାରି ଆସୁଥିବେ ; ବୋଉର ଶାଗ ଖରଡ଼ା ଦେଖିବାକୁ,ଚାଖି ବାକୁ।
କପ୍-ବୋର୍ଡରୁ ବୋଉର ଫଟୋ ବାହାର କରି ; ଟେବୁଲ ଉପରେ ଥିବା ଶାଗରେ ଛୁଆଇଁ ଦେଲା ବେଳେ ମୋ ମୁହଁରେ ଏକ ହସ ଫୁଟି ଉଠିଲା।
ଜଗନ୍ନାଥଙ୍କ ପାଖରେ ନୈବେଦ୍ୟ ବଢ଼ାଯାଉଥିବା ପ୍ରସାଦ ମା ବିମଳାଙ୍କୁ ଅର୍ପଣ କଲାପରେ ଯେମିତି ମହାପ୍ରସାଦ ହୁଏ ; ଠିକ ସେମିତି ଏଇ ନିହାତି ସାଧାରଣ ଦିଶୁଥିବା ଶାଗ ବୋଉ ହାତ ବାଜିଲା ପରେ ହିଁ ଅମୃତ,ଅସାଧାରଣ ଭାବେ ସ୍ବାଦିଷ୍ଟ ହୋଇଯାଏ। ଏକଥା କେବଳ ମୋ ଭଳି ଜଣେ ଅନୁଭବୀ ହିଁ ଜାଣେ।
ଶାଗ ଖରଡ଼ିଲା ବେଳେ ଆଜି ମୋ ନାକକୁ କୌଣସି ଗନ୍ଧ,ଅରୁଚି ବଦଳରେ ବାସ୍ନାରେ ମନ ପୁରିଉଠୁଥିଲା। ଶାଗ ଭଜା ଖାଇଲା ବେଳେ ଦୁନିଆରେ କେଉଁ ପୁଅ,ଝିଅ ଏମିତି ଅଛନ୍ତି ; ଯାହାର ବୋଉ କଥା ମାନେପଡେନା !
ମୋତେ ଲାଗିଲା : ବୋଉ ଯେମିତି ମୋ ସାମ୍ନାରେ ବସି ପଚାରୁଛି,”ଶାଗରେ ଲୁଣ ପକେଇଛୁ ତ ?”
ମୋ ପାଟିରୁ ଅନ୍ୟମନସ୍କ ଭାବେ ବାହାରି ପଡ଼ିଲା, “ଆଜି ତୋ କଥା ମନେ ପଡି ଯେତିକି ଲୁହ ଶାଗରେ ପଡିଛି ; କିଏ ଜାଣେ ଲୁଣିଆ କି ମିଠା ହୋଇଥିବ।”
ଛୋଟ କଦଳୀ ପତ୍ରରେ ସବୁ ଜିନିଷ ଟିକେ ବାଢି ବାହାରେ ଥୋଇଦେଲି ; ସବୁଦିନ ଭଳି।
ସିଦ୍ଧାର୍ଥ ରୋଷେଇ ଘରକୁ ଆସି,ଶାଗ ଟିକେ ଚାଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ଆରେ ,ବାଃ ! ଏତେ ସୁନ୍ଦର ଶାଗ,ବହୁତ ଟେଷ୍ଟି। କିଏ କରିଛି ଓ ତମେ କାହାସହିତ ଗପୁଛ ?”
ଆଖି ପୋଛି ଦେଇ,ଫଟୋକୁ ଅନାଇ କହିଲି,
“ବୋଉ…..”
(ଅରବିନ୍ଦଦାସ)

 

ନାଲି ଟିକିଲି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.