ନିଷ୍ପତ୍ତି

Odia Short Story Nishpati
Reading Time: 8 minutes

କଲି ସାନ୍ଧ୍ୟର କଥା, ସେତେବେଳେକୁ ପାଖାପାଖି ଆଠଟା ହେବ, ମୋ ମୋବାଇଲ ରିଙ୍ଗ ହେଲା ।

ଫୋନ ଉଠେଇଲା ବେଳକୁ ସେପଟୁ ରୀନା ଭାଉଜଙ୍କ କାନ୍ଦିବାର ସ୍ୱର ଶୁଣାଗଲା । ମୁଁ ତାଙ୍କୁ ଶାନ୍ତ କରାଇ ପଚାରିଲି “ଭାଉଜ କଣ ହେଲା ଯେ ଏମିତି କାନ୍ଦୁଛ…?” ସେପଟୁ ସେ କାନ୍ଦ କାନ୍ଦ ସ୍ୱରରେ ମୋତେ ପଚାରିଲେ “ବୁଲୁ… ତୁମେ ବର୍ତ୍ତମାନ କେଉଁଠି….? କେତେ ସମୟ ଭିତରେ ଆମ ଘରେ ପହଞ୍ଚିବ ….?”

ମୁଁ କହିଲି “ମୁଁ ତ ଥାନାରେ ଅଛି…କିନ୍ତୁ ଘଟଣାଟା କଣ …। କୁହ ପ୍ରବ୍ଲେମ କଣ ହୋଇଛି… କଣ ଭାଇ ଘରେ ନାହାନ୍ତି କି…?” ସେପଟୁ କେବଳ ବାରମ୍ବାର ଗୋଟିଏ କଥା ଶୁଣା ଯାଉଥାଏ ଯେ ତୁମେ ଟିକେ ଘରକୁ ଆସ । ମୁଁ ବାଧ୍ୟ ହୋଇ ଆଶ୍ୱାସନା ଦେଇ କହିଲି “ହଉ… ହଉ…. ମୁଁ ବାହାରୁଛି, କିଛି ନ ହେଲେ ବି ଘଣ୍ଟାଏ ଲାଗିଯିବ । ମୁଁ ଏବେ ଥାନାର ଅଛି, କିଛି ଅର୍ଜେଣ୍ଟ କାମକୁ ସାରିଦେଇ ଯାଉଛି”।

ପ୍ରକୃତରେ, ମୁଁ ସେତେବେଳେ ଥାନାରେ ନ ଥିଲି । ମୋତେ କିନ୍ତୁ ମିଛ କହିବାକୁ ପଡିଲା କାରଣ ମୁଁ ଯାଇଥିଲି ଓଲଡ଼ ଏଜ ହୋମକୁ । ସେଠି ମୋ ମା’କୁ ଗତ ସପ୍ତାହରେ ଥଇଥାନ କରି ଆସିଥିଲି ଏବଂ ମୁଁ ଚାହୁଁଥିଲି ସେକଥା ମୋର ବନ୍ଧୁବାନ୍ଧବ ନ ଜଣାନ୍ତୁ । ଗତକାଲି ସେ ସଂସ୍ଥାକୁ କିଛି ଡୋନେସନ ଦେବାକୁ ଯାଇଥିଲି ଆଉ ତା ସହିତ ମା’କୁ ଦେଖାକରି ତା’ର ହାଲଚାଲ ବୁଝିବାକୁ । ମୋ ହିସାବରେ ଗତକାଲି ମୋତେ ଡଲୀକୁ ଖବର ଦେବାର ଥିଲା ଯେ ସବୁ କିଛି ବ୍ୟବସ୍ଥା ହୋଇଗଲା । ଏବେ ଆମ ବିବାହ ପାଇଁ କୌଣସି ଅସୁବିଧା ହେବ ନାହିଁ । ହେଲେ ହଠାତ ରୀନା ଭାଉଜଙ୍କ ଫୋନଟା ସବୁ ଗଡବଡ଼ କରିଦେଲା । ଯେମିତି ସେମିତି ପୁରା ବ୍ୟସ୍ତ ଭାବରେ ସେଠିକାର କାମ ସବୁ ସାରି ଭାଉଜଙ୍କ ଘରେ ପହଞ୍ଚିଲି ।

ଘରେ ପହଞ୍ଚି ଦେଖିଲି, ତାଙ୍କ ଘରଟା ପୁରାପୁରି ନିସ୍ତବ୍ଧ ଥିଲା । ବଡ଼ଭାଇ, ମୋ ନିଜ ଗାଁ’ର ଓ ଅତି ଆପଣାର । ତାଙ୍କ ପରିବାର ସହିତ ମୁଁ ଓତଃପ୍ରୋତ ଭାବରେ ଜଡିତ । ଭାଇ ଆମର ଜଣେ ସୁନାମଧନ୍ୟ ଜର୍ଜ, ଏବେ ସେ ସେସେନ୍ସ ଜର୍ଜ ଭାବରେ ଏହି ସହରରେ ଅବସ୍ଥାପିତ । ଦେଖିଲି ସେ ଖୁଵ ନିସ୍ତେଜରେ ସୋଫାସେଟ ଉପରେ ବସିଛନ୍ତି । ପାଖରେ ଭାଉଜ ଛିଡା ହୋଇ ବାହୁନି ବାହୁନି କାନ୍ଦୁଥିଲେ । ତାଙ୍କ ବାର ବର୍ଷର ପୁଅ ମଧ୍ୟ ତାଙ୍କ ପାଖରେ ଛିଡା ହୋଇଥିଲା, ସେ ବି ଖୁଵ ବିବ୍ରତ ଦେଖା ଯାଉଥିଲା। ନଅ ବର୍ଷର ଝିଅ, ସେ କିଛି ବି କହି ପାରୁନଥିଲା।

ମୁଁ ବଡ଼ଭାଇଙ୍କୁ ପଚାରିଲି “ଭାଇ କଥା କଣ…., କଣ ହେଲା ଯେ, ମୋତେ ଭାଉଜ ଏମିତି ଛାନିଆରେ ଡକା ପକାଇଲେ…?” ବଡଭାଇ ପୁରାପୁରି ନିରବ, ତାଙ୍କ ମୁହଁରେ କିଛି ବଚନ ନାହିଁ । ମୁଁ ଭାଉଜଙ୍କୁ ଚାହିଁ ପଚାରିଲି “ଅରେ ଭାଉଜ ତୁମେ ତ କୁହ… ଘଟଣା କଣ…?” ଏଥର ଭାଉଜ ସାହସ ପାଇଲା ପରି ଟିପୟ ଉପରେ ପଡିଥିବା ପେପରକୁ ଉଠାଇ ମୋତେ ଦେଇ କହିଲେ “ଏଇ ଦେଖ, ଏଇଟା ଛାଡପତ୍ରର କାଗଜ, ତୁମ ଭାଇ କୋର୍ଟରୁ ତିଆରି କରି ଆଣିଛନ୍ତି, ମୋତେ ଛାଡପତ୍ର ଦେବା ପାଇଁ ଚାହୁଁଛନ୍ତି ।”

ମୁଁ ଆଶ୍ଚର୍ଯ୍ୟ ହୋଇଗଲି,ଏଇଟା କେମିତି ହୋଇ ପାରିବ…? ଏତେ ସୁନ୍ଦର ପରିବାର । ଦୁଇ ଦୁଇଟା ଛୁଆ, ସବୁ କିଛି ଭଲରେ ଭଲରେ ଚାଲି ଆସୁଛି, ପୁଣି ଏହା ଭିତରେ ଛାଡପତ୍ର….!!! ନା… ନା… ଭାଇ ବୋଧେ ମଜା କରୁଛନ୍ତି, ଏପରି ମଜା କରିବା ଅଭ୍ୟାସ ତାଙ୍କର ଆଗରୁ ରହିଛି । ଆଛା…. ଏଠିତ ମାଉସୀଙ୍କୁ ଦେଖିବାକୁ ମିଳୁନି, ସେ ପୁଣି କୁଆଡେ ଗଲେ…? ମୁଁ ପିଲାମାନଙ୍କୁ ପଚାରିଲି “ତୁମ ଜେଜେମା କୁଆଡେ ଗଲେ କାହିଁ ଦେଖା ଯାଉ ନାହାଁନ୍ତି…?” ପୁଅ କହିଲା “ବାବା ତାଙ୍କୁ ନେଇ କେଉଁ ଗୋଟେ ଆଶ୍ରମରେ ଛାଡି ଦେଇଛନ୍ତି ।” ମୁଁ ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲି “କେବେ ଛାଡିଲେ….?” ଏଥର ପିଲେ ଦୁହେଁ ସମବେତ ସ୍ୱରରେ କହିଲେ “ଗତ ତିନିଦିନ ତଳେ”

ମୁଁ ଦେଖିଲି ତାଙ୍କ ଚାକର ପିଲାଟା ଅନିତି ଦୂରରେ ରହି ଏ ସବୁ ଦେଖୁଛି, ତାକୁ କହିଲି “ବାବୁରେ ଦୁଇ କପ ଚାହା ତିଆରି କରି ଆଣିଲୁ।” କିଛି ସମୟ ପରେ ଚାହା ଆସିଗଲା, ମୁଁ ଗୋଟେ କପ ଧରିଲି, ଆର କପଟି ଭାଇଙ୍କ ଆଡକୁ ବଢାଇଲି । ସେ କିନ୍ତୁ ମୁଣ୍ଡ ହଲେଇ ମନା କରିଦେଲେ…। ମୁଁ ଦେଖିଲି ସେ ବିକୃତ ମୁହଁ କରି କାନ୍ଦ କାନ୍ଦ ହୋଇ ଗଲେଣି । ମୁଁ ଚାହା କପଟା ଓଠରେ ଲଗେଇ ଗୋଟେ ଢ଼ୋକ ପିଇଛି କି ନାହିଁ ଭାଇଙ୍କର ଭୋ ଭୋ ହୋଇ କାନ୍ଦ ଶୁଭିଲା…।

ସେ ସେମିତି କାନ୍ଦି କାନ୍ଦି କହୁଥିଲେ “ମୁଁ ତିନିଦିନ ହେଲା କିଛି ଖାଇନାହିଁ । ମୋର ସତୁରି ବର୍ଷର ବୁଢ଼ୀମା’କୁ କିଛି ଅଜଣା ଲୋକଙ୍କ ହାତରେ ସମର୍ପି ଦେଇ ଚାଲି ଆସିଲି । ଗତବର୍ଷ ଠାରୁ ଆମ ଘରେ ତା ପାଇଁ ଏତେ ଅସୁବିଧା ହୋଇଗଲା ଯେ ରିନା ସଫା ସଫା କହିଦେଲା କି “ମୁଁ ଆଉ ତୁମ ମା’ଙ୍କୁ ସମ୍ଭାଳି ପାରିବିନି, ତୁମେ ତାଙ୍କର ବ୍ୟବସ୍ଥା ଅନ୍ୟ କେଉଁଠି କର ।” ବର୍ଷେ ହେଲା ନା ରୀନା ମା’ଙ୍କ ସହିତ କଥା ହେଉଥିଲା, ନା ପିଲାମାନଙ୍କୁ କଥା ହେବାକୁ ଦେଉଥିଲା । ମୁଁ ସବୁଦିନେ କୋର୍ଟରୁ ଫେରିଲା ବେଳକୁ ମା’କୁ କାନ୍ଦୁଥିବାର ଦେଖୁଥିଲି । ଏପରି କି ଚାକର ପିଲାର ବ୍ୟବହାର ମଧ୍ୟ ମା ପ୍ରତି ଭାରି ଅସହ୍ୟ ହୋଇଯାଇଥିଲା।

“ବୁଲୁ ତୁ କହ… ତୁ ତ ଦେଖିଛୁ ମୋ ମା’ କେମିତି କଷ୍ଟ କରି ମୋତେ ମଣିଷ କରିଛି । ତୋ କାନରେ ପଡିଥିବ କି ନାହିଁ, ସେ ଦିନର କଥା, ଯେତେବେଳେ ମୁଁ ଚାରି ବର୍ଷର ଥିଲି ମୋ ବାପା ଅଟୋଗାଡି ଚଳେଇ ରାତିରେ ଘରକୁ ଫେରିଲା ବେଳକୁ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ । ସେ ସମୟରେ ଆମର କିଏ ସାହା ଭରସା ଥିଲା..?? ଏଇ ମା, ଘରଘର ବୁଲି ବାସନ ମାଜୁଥିଲା, କାହାର ଗୁହାଳ ସଫା କରୁଥିଲା ତ କା ଘରେ ଢେଙ୍କିରେ ଧାନ କୁଟୁଥିଲା । ଏସବୁ କାହା ପାଇଁ, କେବଳ ମୋ ପାଇଁ, ମୋତେ ପାଠ ପଢାଇବା ପାଇଁ ।

ଚାରି ବର୍ଷରୁ କତେ ଯେ କଷ୍ଟ ନ କରିଛି ମୋତେ ଚବିଶ ବର୍ଷରେ ଗୋଟେ ଜର୍ଜ କରିବା ପାଇଁ । ଲୋକ ଏବେ ବି କହୁଛନ୍ତି, ଯେତେବେଳେ ସେ ଅନ୍ୟ ଘରକୁ କାମ କରିବା ପାଇଁ ଯାଏ ସେତେବେଳେ ବି ମୋତେ ଏକୁଟିଆ ଛାଡି ଯାଇନାହିଁ । ଆଉ ଆଜି ସେ ସତୁରି ବର୍ଷର ବୁଢ଼ୀକୁ ଏମାନଙ୍କ ସ୍ୱାର୍ଥ ପାଇଁ ବୃଦ୍ଧାଶ୍ରମରେ ମୁଁ ଛାଡି ଚାଲି ଆସିବାକୁ ବାଧ୍ୟ ହେଲି । ଗତ ତିନିଦିନ ହେଲା, ମା’ର ସେଦିନର ଦୁଃଖକଷ୍ଟ କଥା, ଯାହା କେବଳ ମୋ ପାଇଁ କରି ଆସିଥିଲା ତାକୁ ମନେ ପକାଇ ମୁଁ କେତେ ଯେ ଯନ୍ତ୍ରଣା ପାଉଛି…! କଣ ବା କରି ପାରିବି, ଯେଉଁ ଦିନ ତାକୁ ବୃଦ୍ଧାଶ୍ରମରେ ଛାଡି ଆସିଲି ତା ପରଦିନ ଲକଡାଉନ ଆରମ୍ଭ ହୋଇଗଲା । ଏବେ ତାକୁ ଦେଖିବାକୁ ଚାହିଁଲେ ବି ମୁଁ ଯିବା ପାଇଁ ଅସମର୍ଥ । ସରକାର ଅନୁମତି ଦେବାର କାରଣ ପଚାରିଲେ ମୁଁ କଣ ଜବାବ ଦେବି.. । ଖୁଵ ଲଜ୍ୟାର କଥା ।

ଭାଇଙ୍କ ମୁହଁରେ ଦରଦ କଥା ସବୁ ଅନର୍ଗଳ ବାହାରି ଆସୁଥିଲା, ସେ କହୁଥିଲେ “ମୋର ଆଜିବି ମନେ ଅଛି, ମେଟ୍ରିକ ପରୀକ୍ଷାର ସମୟ ଥିଲା, ରାତିରେ ଲଣ୍ଠନ ଲଗେଇ ପାଠ ପଡ଼ିଲା ବେଳକୁ ମା ରାତିରାତି ଅନିଦ୍ରା ରହି ମୋ ପାଖରେ ବସି ରହୁଥିଲା । ଏଥିପାଇଁ କି କାଳେ ମୋତେ ନିଦ ଆସିଲେ ମୋ ପଢାପଢି ସମ୍ପୂର୍ଣ୍ଣ ହୋଇ ପାରିବ ନାହିଁ। ଗୋଟେ ଦିନ ମା’କୁ ବହୁତ ଜ୍ଵର ହୋଇଥିଲା । ଉଠିକି ରାନ୍ଧିବା ପାଇଁ ବି ବଳ ପାଉନଥିଲା । ମୁଁ ପରୀକ୍ଷା ଦେଇ ଫେରିଲେ ଖାଇବାକୁ ମାଗିବି ବୋଲି ବହୁତ କଷ୍ଟରେ ଉଠି ରାନ୍ଧି ଥିଲା। ମୁଁ ତା ଦେହ ତତିବା ଦେଖି ପଚାରିବାରୁ ହସିକି କହିଲା “ନା ରେ ବାବୁ ଚୁଲି ମୁଣ୍ଡରେ ବସି ରାନ୍ଧୁଥିଲି ତ ତେଣୁ ଦେହଟା ଗରମ ଲାଗୁଥିବ।” ଲୋକଙ୍କ ଠାରୁ ଧାରଉଧାର କରି ମୋତେ ଓକିଲାତି ପାଠ ପଢ଼ାଇବା ପାଇଁ ସହରକୁ ପଠାଇ ଥିଲା । ଏମିତି କି ମୋର ସମୟ ଅଯଥା ନଷ୍ଟ ନହେବା ପାଇଁ ମୋତେ ଟିଉସନ ପଢ଼ାଇବାକୁ ବି ଦେଉ ନଥିଲା। ଏହା କହି କହି ଭାଇ କାନ୍ଦିବାରେ ଲାଗିଲେ।

ଭାଇ ସୋଫାରୁ ଉଠି ଠିଆ ହେଲେ । କାନ୍ଥରେ ଟଙ୍ଗା ହୋଇଥିବା ମାଉସୀଙ୍କ ଫୋଟୋକୁ ଦେଖି କହୁଥିଲେ “ଯଦି ଏପରି ମା’ ର ମୁଁ ପୁଅ ହୋଇ ରହି ପାରିଲି ନାହିଁ, ତାହାହେଲେ ମୋ ସ୍ତ୍ରୀ ଆଉ ପିଲାଙ୍କର ମୁଁ ବା କଣ ହୋଇପାରିବି । ଯେଉଁ ମା’ର ମାଂସ ପିଣ୍ଡୁଳା ଆଜି ମୋ ଶରୀରର ଅଂଶ ବିଶେଷ ହୋଇଛି, ଆଜି ସେହି ମା’କୁ ଏମିତି ଲୋକଙ୍କ ପାଖରେ ସମର୍ପି ଦେଇ ଆସିଛି ଯେଉଁମାନେ ତା’ର ପ୍ରକୃତି, ତା’ର ରୋଗ, ତା’ର ଅଭ୍ୟାସ ବିଷୟରେ କଣ କିଛି ହେଲେ ଜାଣନ୍ତି ନାହିଁ । ଆଉ ଏଭଳି ମା’ ପାଇଁ ମୁଁ କିଛି କରି ପାରିଲି ନାହିଁ ତାହାହେଲେ ଭଲା ଏମାନଙ୍କ ପାଇଁ ମୁଁ କଣ କରି ପାରିବି…?

ସେ ପୁଣି କହିଲେ “ଆଜି ସ୍ୱାଧୀନତା ଏମାନଙ୍କ ପାଇଁ ଏତେ ଆଦରର ବସ୍ତୁ ହୋଇଯାଇଛି ଯେ, ତା ପାଇଁ ଗୋଟେ ସତୁରି ବର୍ଷର ବୁଢ଼ୀ ଏମାନଙ୍କ ଉପରେ ବୋଝ ଭଳି ଲାଗୁଛି । ତେଣୁ ମୁଁ ପୁରାପୁରି ସ୍ୱାଧୀନ ଦେବା ପାଇଁ ଚାହୁଁଛି । ଯଦି ମୁଁ ବିନା ବାପରେ ଛୋଟରୁ ଏତେ ବଡଟିଏ ହୋଇ ପାରିଲି ତାହାହେଲେ ଏହି ଛୁଆମାନେ ବି ସେମିତି ବଞ୍ଚି ପାରିବେ । ସେଥିପାଇଁ ମୁଁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେଇଛି ଯେ ରୀନାକୁ ଛାଡପତ୍ର ଦେଇ ତାକୁ ପୂର୍ଣରୂପେ ସ୍ୱାଧୀନତା ଦେଇଦେବି । ସାରା ସମ୍ପତ୍ତି ଏମାନଙ୍କ ନାମରେ କରି ଦେଇ ମୁଁ ମଧ୍ୟ ସେହି ଓଲଡ଼ ଏଜ ହୋମକୁ ଯାଇ ରହିବି । କିଛି ନ ହେଲେ ତ ମୁଁ ମୋର ମା’ ପାଖରେ ରହି ଅନ୍ତତଃ ତା ମାରିବା ପର୍ଯ୍ୟନ୍ତ ତାର ଦେଖାଶୁଣା କରିପାରିବି । ଜଣେ ବିଧବା ବୁଢ଼ୀ ତାର ପୁଅ ପାଇଁ ଏତେ ସବୁ କରିଲା ପରେ ବି ଜୀବନର ଶେଷ ସମୟରେ ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ ହେଉଛି । ତାହାହେଲେ ସେ ପୁଅକୁ ମଧ୍ୟ ସେଠି ଯାଇ ରହିବାକୁ ପଡିବ । ଦୁହିଙ୍କ ମନରେ ଯନ୍ତ୍ରଣା ତ କିଛି ପରିମାଣରେ କମିଯିବ ।

ବଡଭାଇ ଯେତିକି କହୁଥିଲେ ତାଠାରୁ ଅଧିକ କାନ୍ଦୁଥିଲେ । ସେ ଆଖିରୁ ଲୁହ ପୋଛି ମୋ ଆଡ଼କୁ ଦେଖି କହିଲେ “ତୁ ଠିକ ସମୟରେ ଆସି ବହୁତ ଭଲ କଲୁ… ବୁଲୁ, ନେ ସେ କୋର୍ଟ ପେପରରେ ରିନାଠୁ ଦସ୍ତଖତ କରାଇ ନେଇଆସ, ରାତି ବହୁତ ହୋଇଗଲାଣି । କଲି ସକାଳୁ ଏସବୁର ଅନ୍ତ ମୋତେ କରିବାକୁ ପଡିବ ।

ମୁଁ ବଡ଼ ଧର୍ମସଂକଟରେ ପଡ଼ିଗଲି । ଭାଇ ମାଉସୀଙ୍କୁ ଛାଡିକି ଯେତିକି ନିଜକୁ ଦୋଷୀ ବୋଲି ଭାବୁ ନଥିବେ ତାଠୁ ଶହେ ଗୁଣରେ ମୁଁ ନିଜକୁ ଦୋଷୀ ମାନୁଥିଲି । ମୁଁ ଖୁଵ ଅନ୍ୟମନସ୍କ ହୋଇଗଲି । ତିନି ଦିନରେ ଭାଇଙ୍କ ପାଇଁ ଏତିକି ଅସହ୍ୟ ହୋଇ ଗଲାଣି ଯେ ସେ ଛାଡପତ୍ର ଦେବା ପର୍ଯ୍ୟନ୍ତ ଚାଲି ଆସିଲେ ଅଥଚ ସପ୍ତାହେ ହେଲା ମୋ ମା’କୁ ବୃଦ୍ଧାଶ୍ରମରେ ଛାଡି ଡଲୀକୁ ବହାହେବି ବୋଲି ମୁଁ ଅନେକ ଖୁସି ହେଉଛି । ଆଜି ମୁଁ ଯେଉଁ କାମ କରିଛି ତା ପାଇଁ ଦୋଷ କାହାକୁ ଦେବି…? ମୋର କାହାଣୀ ବଡଭାଇର କହୁଥିବା କାହାଣୀର ସତ୍ୟତା ଠାରୁ ଅନେକ ଗୁଣରେ ଅଧିକ ।

ମୁଁ ବି ତ ଡାଲିର କଥାରେ ପଡି ମୋ ମା’ଙ୍କୁ କେଇ ଦିନ ପୂର୍ବରୁ ସହର ବାହାରେ ଥିବା ବୃଦ୍ଧାଶ୍ରମରେ ଛାଡି ଆସିଥିଲି । ଆଜି ବଡଭାଇ ସଂସାର କରି ମାଉସୀଙ୍କୁ ଛାଡିଦେଲେ କେବଳ ତାଙ୍କ ବିବାହିତ ପତ୍ନୀର ଜିଦରେ । କିନ୍ତୁ ମୁଁ ତ ଏବେବି ସଂସାର ଦେଖିନାହିଁ, ବାହା ବି ହୋଇନାହିଁ, ଆଗକୁ ହେବାର ଅଛି । ଡଲୀର ସର୍ତ୍ତ ଥିଲା ଵିଵାହ ପରେ ଆମେ ଦୁହେଁ ଏକୁଟିଆ ରହିବା, କେବଳ ଆମେ ଦୁହେଁ । ଡଲୀକୁ ହରାଇ ଦେବା ଭୟରେ ମୁଁ ନିଷ୍ପତ୍ତି ନେଇ, ମା’ଙ୍କୁ ବୁଝାସୁଝା କରି ଛାଡି ଆସିଲି । ଏହି ବଡଭାଇ ହିଁ ସେ ଡଲିକୁ ମୋତେ ପରିଚୟ କରାଇ ଥିଲେ ଯେତେବେଳେ ସେ କୋର୍ଟରେ ପ୍ରାକ୍ଟିସ କରୁଥିଲା । ସାଧାରଣ ପରିଚୟରୁ ଧୀରେ ଧୀରେ ସମ୍ପର୍କ ପ୍ରେମରେ ପହଞ୍ଚି ଶେଷରେ ବିବାହରେ ସମାପ୍ତ ହେବାକୁ ଯାଉଥିଲା । ଆଜି ସେ ମଧ୍ୟ ଜର୍ଜ ରୂପେ ଅବସ୍ଥାପିତ ।

କଣ ଯେ କରିବି ମୁଁ ନିଜେ ସ୍ଥିର କରିପାରୁ ନଥିଲି । ଠିକ ସେ ସମୟରେ ଡଲୀର କଲ ଆସିଲା, ମୁଁ ମୋବାଇଲକୁ ରିସିଭ କରି ବାହାରକୁ ଚାଲି ଆସିଲି । ସେପଟୁ ଡଲୀର ଆଶ୍ଚର୍ଯ୍ୟର କଣ୍ଠ ଶୁଣା ଯାଉଥିଲା “ଗୋଟେ ଜରୁରୀ କଥା ଅଛି, ଯଦି ଫ୍ରି ଅଛ ତାହାହେଲେ କହିବି।” ମୋର ଉତ୍ତରକୁ ଅପେକ୍ଷା ନ କରି ଡଲୀ କହିଲା “ତୁମ ବଡଭାଇର ଛାଡପତ୍ରର ପିଟିସନ କାଲି ମୋ କୋର୍ଟରେ ଆଗ୍ରହ ପାଇଁ ପଡିବ ବୋଲି ମୁଁ ଖବର ପାଇଲି, କାରଣଟା କଣ ହୋଇଥିବ ତୁମଠାରୁ ଆଉ ଅଧିକ କିଏ ଜାଣିଥିବ… ତେଣୁ ଫୋନ କଲି । ଘଟଣା କଣ ହୋଇଛି କହିବ କି…?” ମୁଁ ଉତ୍ତର ଦେଲି “ଡଲୀ, ମୁଁ ଏବେ ଅର୍ଜେଣ୍ଟ କାମରେ ଅନ୍ୟ ଥାନାରେ ବସିଛି, ଆଉ ସେମିତି ବି ତାର କାରଣ ମୁଁ ଏବେ କିଛି ଜାଣିନି । କିନ୍ତୁ ଫୁରସତ ମିଳିଲେ ତାହାର କାରଣ ମୁଁ ନିଶ୍ଚୟ ଜାଣିବି ଆଉ ତୁମକୁ ମଧ୍ୟ ଜଣାଇବି । ମୁଁ ଫୋନ ରଖୁଛି, ପରେ କଥାବାର୍ତ୍ତା ହେବି ।

ଘର ଭିତରକୁ ଆସି ଦେଖିଲି, ଭାଇ ବେଡ଼ରୁମକୁ ଚାଲି ଗଲେଣି । ରୀନା ଭାଉଜ ସେମିତି ଛିଡା ହୋଇ ଛୋଟ ପିଲାଙ୍କ ପରି କାନ୍ଦୁଥିଲେ । ତାଙ୍କ ଆଖିରେ ଅନୁତାପର ଲୁହ ବହୁଥିଲା । ସେ ମୋ ହାତକୁ ଧରି କହିଲେ “ବୁଲୁ ତୁମେ କିଛି କର, ନ ହେଲେ କାଲି ସକାଳୁ ମୋ ସଂସାର ଭାସିଯିବ । ଜଣେ ଜର୍ଜର ପତ୍ନୀ ହିସାବରେ ମୁଁ କାହାକୁ ମୁହଁ ଦେଖାଇ ପାରିବି ନାହିଁ ।” ମୁଁ କହିଲି “ଡ୍ରାଇଭରକୁ କୁହ କାର ବାହାର କରିବ, ଆମେ ସେ ବୃଦ୍ଧାଶ୍ରମକୁ ଯିବା ଆଉ ମା’ଙ୍କୁ ଘରକୁ ନେଇ ଆସିବା। ସେ ଆସିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।” ଭାଉଜ କହିଲେ “ଏତେ ରାତିରେ…!! ଏବେ ରାତି ବାରଟା ଉପରେ ହେଲାଣି, ଆସନ୍ତାକାଲି ଗଲେ କଣ ହେବନି । ମୁଁ କହିଲି “ଭାଉଜ କାଲି କିଏ ଦେଖିଛି, ଆଉ ତୁମେ ତ ଏବେ କହୁଥିଲ ଯେ କାଲି ସକାଳୁ ତୁମ ସଂସାର ଭାସିଯିବ ବୋଲି ।” ବଡଭାଇଙ୍କୁ ଉଠାଇ ମୁଁ ସବୁ କଥା ବୁଝାଇ କହିଲି । ସେ ରାଜି ହୋଇଗଲେ, ସମସ୍ତେ ଚାଲିଲୁ ବୃଦ୍ଧାଶ୍ରମକୁ ।

ବହୁତ ଅନୁରୋଧ ପରେ ୱାଚମେନ ଗେଟ ଖୋଲିଲା । ଏମିତି କି ବଡଭାଇ ଶେଷରେ ଗେଟକିପରର ପାଦ ଧରି ପକାଇଲେ । ଗେଟକିପର କହିଲା “ଏମିତି କଣ କରୁଛନ୍ତି ସହାଵ।” ସେ ଗେଟର ତାଲା ଖୋଲୁ ଖୋଲୁ କେବଳ ଏତିକି କହିଲା “ଆପଣ ଜଣେ ଜର୍ଜ, ସବୁ ପ୍ରମାଣ ପାଖରେ ଥାଇ ମଧ୍ୟ ନିଜ ମା’କୁ ତ ନ୍ୟାୟ ଦେଇ ପାରିଲେନି, ତାହାହେଲେ ଅନ୍ୟଙ୍କୁ କଣ ନ୍ୟାୟ ଦେଉଥିବେ।” ଆମକୁ ସେଠି ଛିଡା କରେଇ ସେ ଭିତରକୁ ଗଲା ଆଉ ଜଣେ ମହିଳା ୱାର୍ଡନକୁ ନେଇ ଆସିଲା । ସେ ସ୍ତ୍ରୀଲୋକ ଭାଇଙ୍କୁ ଦେଖି ଭାରି ଗରମ ଖାଇଲେ, କହିଲେ “କଣ ଜର୍ଜ ସହାଵ ସେଦିନ ଆମେ କେତେ ବୁଝେଇଲୁ ଅଥଚ ଟିକେ ଶୁଣିଥାଆନ୍ତ ଭଲା, ଆଜି ପୁଣି କଣ ହେଲା । ଏବେ ରାତି ଦୁଇଟା ବାଜିଲାଣି, ଯଦି ବୁଢ଼ୀକୁ ନେଇ ତୁମେ ମନେ ତା’ର ରଫାଦଫା କରିଦିଅ ତାହାହେଲେ ଦାୟୀ କିଏ ହେବ…?

ମୁଁ ଭଗବାନଙ୍କ ପାଖରେ କଣ ଜବାବ ଦେବି । କଲି ସକାଳୁ ମେନେଜର ମୋତେ ହିଁ ଦାୟୀ କରିବେ । ନା… ନା…. ମୁଁ ନେବାପାଇଁ ଅନୁମତି ଦେଇ ପାରିବି ନାହିଁ ।” ମୁଁ ବାଧ୍ୟ ହୋଇ କହିଲି ସିଷ୍ଟେର, ମୁଁ ଏହି ଏରିଆର ପୋଲିସ ଏ.ସି.ପି., ମୋ ଉପରେ ଭରସା ରଖନ୍ତୁ ମାଉସୀଙ୍କର କିଛି ହେବ ନାହିଁ। ଏମାନେ ବହୁତ ମନସ୍ତାପରେ ବଞ୍ଚୁଛନ୍ତି । ତେଣୁ ମୋର ଅନୁରୋଧ ରକ୍ଷା କରି ତାଙ୍କୁ ଡିସଚାର୍ଜ କରିଦିଅନ୍ତୁ।” ଶେଷରେ ୱାର୍ଡନ ରାଜି ହୋଇ କେବଳ ମୋତେ ହିଁ ମାଉସୀଙ୍କ ପାଖକୁ ନେଇଗଲେ । ତାଙ୍କ କୋଠରୀ ଭିତରେ ଯାଇ ଯାହା ଦେଖିଲି, ତାହା ବଖାଣିବା ସ୍ଥିତି ମୋର ନଥିଲା ।

ମାଉସୀ ଟେବୁଲ ଉପରେ ପୁରା ଫେମିଲିର ଗୋଟେ ଫୋଟକୁ ହାତରେ ଜାବୁଡି ଧରି ଗଭୀର ନିଦ୍ରାରେ ଖଟ ଉପରେ ଶୋଇ ରହିଥିଲେ । ମୁଁ ତାଙ୍କୁ ଉଠାଇଲି, ସେ ଉଠି ମୋତେ ଦେଖି କଇଁ କଇଁ ହୋଇ କାନ୍ଦିଲେ । ମୁଁ ତାଙ୍କୁ ବୋଧ କରାଇ କହିଲି “ଆମେ ସମସ୍ତେ ଆପଣଙ୍କୁ ନେବାକୁ ଆସିଛୁ ।” ସେତିକିବେଳେ ଭାଇ ଭାଉଜ ଓ ପିଲାମାନେ ଚାଲି ଆସିଥିଲେ । ପୁରା ପରିବାର ମାଉସୀଙ୍କୁ ଧରି କାନ୍ଦିବାରେ ଲାଗିଲେ । ସେପଟ ବଡଭାଇ ବଡ଼ ବ୍ୟସ୍ତରେ ଡିସଚାର୍ଜ କରି ନେବାପାଇଁ ରେଜିଷ୍ଟରରେ ଦସ୍ତଖତ କରୁଥିଲେ ।

ଏତେ ରାତିରେ ସେ ବୃଦ୍ଧାଶ୍ରମଟି କୋଳାହଳରେ ଫାଟି ପଡ଼ୁଥିଲା, ଆଖପାଖ ରୁମରେ ରହୁଥିବା ଅନ୍ୟ ବରିଷ୍ଠ ନାଗରିକଙ୍କ ଭିଡ଼ ଲାଗିଗଲା । ସମସ୍ତେ ମାଉସୀଙ୍କୁ ଛାଡିବା ପାଇଁ ଗେଟ ପର୍ଯ୍ୟନ୍ତ ଆସିଲେ । ସେମାନଙ୍କ ଆଖିରେ ବି ସେହି ଏକା ଆଶାର ସଂକେତ ଦେଖା ଯାଉଥିଲା, କାଳେ ତାଙ୍କର ବି କେହି ପରିଜନ ତାଙ୍କୁ ନେବା ପାଇଁ ଆସିବେ କି…!! ଗାଡି ଭାଇଙ୍କ ଘର ଅଭିମୁଖେ ଚାଲୁଥିଲା । ଭାଉଜ ଏବଂ ପିଲାମାନେ ତ ଶାନ୍ତ ଓ ନିରବ ଥିଲେ କିନ୍ତୁ ରାସ୍ତାସାରା ମା ଆଉ ପୁଅର କଥାବାର୍ତ୍ତା ଚାଲିଥାଏ । ଦୁହେଁ ଦୁହିଁଙ୍କ ଗତ ତିନି ଦିନର ଦୁଖଃସୁଖ ପଚାରି ବୁଝୁଥିଲେ । ଘରେ ପହଞ୍ଚିଲା ବେଳକୁ ପାଖାପାଖି ଭୋର ଚାରିଟା ହେଲାଣି ।

ମୁଁ ସମସ୍ତଙ୍କ ଠାରୁ ବିଦାୟ ନେଇ ବାହାରିଲି । ଭାଉଜ ମୋତେ ବାଧ୍ୟ କଲେ ରହିଯିବା ପାଇଁ । ରେଷ୍ଟ ନେଇ, ସକାଳୁ ବ୍ରେକଫାଷ୍ଟ ଖାଇ ଯିବାକୁ । ମୁଁ ମନା କରିବାରୁ ଭାଇଙ୍କୁ ଗୁହାରି କଲେ, ଭାଇ ମଧ୍ୟ ବଳେଇଲେ ରହି ଯିବାକୁ କିନ୍ତୁ ମୁଁ ମନା କଲି । ମୁଁ ଭାଇଙ୍କୁ କହିଲି “ମୋତେ ଏହିକ୍ଷଣି ଆଉଗୋଟେ ଓଲଡ଼ ଏଜ ହୋମକୁ ଯିବାକୁ ପଡ଼ିବ । ସେଠି ମୋତେ ବି କେହି ଜଣେ ଅପେକ୍ଷା କରି ରହିଛି ।” ଭାଇ ଆଶ୍ଚର୍ଯ୍ୟ ହୋଇ କହିଲେ “ସେଠି ପୁଣି କିଏ ଅଛି…?” ମୁଁ କହିଲି “କାଲିକି କହିବି ।”

ମୁଁ କାର ଧରି ବହାରି ଆସିଲି । ରାସ୍ତାସାରା ସେ ସବୁ ଦୃଶ୍ୟ ମୋ ମନରେ ଭାସି ଉଠୁଥିଲା ଯାହା ପିଲାବେଳେ ମୋ ପାଇଁ ମା କରିଥିଲେ । ସତେ ଯେମିତି ସବୁ ଫିଲ୍ମର ସିନ ଭଳି ଘୁରୁଥାଏ । ଗାଁ ର ଚାଟଶାଳିର ପଢିବା ଠାରୁ ନେଇ ସହରର କଲେଜରେ ପଢିବା, ପାଠ ପଢି ମଣିଷ ହେବା ଏବଂ ଆଜି ଓଡିଶା ପୋଲିସ ସେବାରେ ଯୋଗ ଦେଇ ଏ.ସି.ପି. ହେବା ପର୍ଯ୍ୟନ୍ତ ।

ମା ସର୍ବଦା ମା ହିଁ ରହିବ । ତାର ମାରିବା ପୂର୍ବରୁ କେହି ତାକୁ ନ ମାରନ୍ତୁ । ମା ଆମର ସାହାସ ଅଟନ୍ତି । ତାଙ୍କୁ କେବେ ବେସାହାରା ହେବା ପାଇଁ ଦେବାନାହିଁ । ଯଦି ସେ ଦୁର୍ବଳ ହୋଇଯାଏ ତାହାହେଲେ ଆମ ସଂସ୍କୃତିର ମେରୁଦଣ୍ଡ ଦୁର୍ବଳ ହୋଇଯିବ । ବିନା ମେରୁଦଣ୍ଡର ସମାଜରେ ସଂସ୍କୃତି ଖୋଜିଲେ ମିଳେନି । ଯଦି ମା’ର ଆଖିରୁ ଲୁହ ପଡେ ତାହାହେଲେ ସେ କରଜ ଜନ୍ମ ଜନ୍ମ ପାଇଁ ରହିଯିବ । ମଣିଷ ପାଖରେ ସବୁ ରହିଥିବ, କିନ୍ତୁ ଜୀବନରେ ଶାନ୍ତି ନଥିବ । ସେ ଶାନ୍ତି କେବଳ ମା’ର ପଣତ କାନିରେ ମିଳିଥାଏ, ସେହି ପଣତକାନିକୁ କେବେ ଚିରିବା ପାଇଁ ଦେବାନି । ମୋତେ ଲାଗୁଥିଲା ଏକ ନୂତନ ପ୍ରଭାତ ମୋତେ ଅପେକ୍ଷା କରି ରହିଛି।

 

ଏ ହେଉଛି ପ୍ରକୃତ ସଫଳତାର ସୂତ୍ର

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.