ନିସ୍ତବ୍ଧ ରାତିର ପାଉଁଜି

Paayal at night SHort story
Reading Time: 4 minutes

ରାତି ପାହିବାକୁ ଆଉ ବେଶ୍ କେଇ ଘଣ୍ଟା ବାକି ଥାଏ, ମିତାଲିର ଭୟ ଭରା ଡାକ ଶୁଭିଲା ଶୋଭନକୁ ।

“ଶୋଭନ !! ମୋତେ ବହୁତ ଡର ଲାଗୁଛି, ଗୋଟେ ପାଉଁଜିର ସ୍ଵର ମୋତେ ବାରମ୍ବାର ଉଠେଇଦେଉଛି ।” ମିତାଲି କୋହ ଆଉ ଭୟରେ କଣ୍ଠ ଥରେଇକି ଶୋଭନକୁ କହୁଥାଏ ।

ମିତାଲି କଥା ସରିଛି କି ନାହିଁ, ରୋଷେଇ ଘରୁ ପଟେ ଥାଳି ତଳକୁ ଖସି ପଡ଼ିଲା ପରି ଜୋରରେ ଶବ୍ଦଟେ ଭାସି ଆସିଲା । ଛାତ ଉପରେ ଦୁଲ୍ ଦୁଲ୍ ହେଇ କିଏ ଗୋଟେ ଚାଲି ଯାଉଛି ଯେମିତି?

ଭୟରେ ଶୋଭନକୁ ଦୁଇ ହାତରେ ଜାବୁଡ଼ି ଧରିଲା ମିତାଲି ଆଉ ଶୋଭନରେ ଛାତିରେ ମୁଣ୍ଡ ଗୁଞ୍ଜି ପକେଇଲା ।

“ଆରେ !!! ଛାଡ଼ ମ ! କ’ଣ ଗୋଟେ ଡରି ଯାଉଛ? ରୁହ ମୁଁ ଦେଖେ କ’ଣ ହେଲା କିଚେନ୍‌ରେ?” ଶୋଭନ କୌତୁହଳରେ କହିଲା ଆଉ ମିତାଲିର ଦୁଇ ହାତକୁ ଫିଟେଇ କି ଆଗକୁ ବଢ଼ିଲା ।

ଦେଖିଲ ! ମିତାଲି ! କିଛି ନାହିଁ ବାସନ ଷ୍ଟାଣ୍ଡରୁ ଲମ୍ବା ଟ୍ରେଟା ଖସି ପଡ଼ିଛି । ବୋଧେ ରଖିଲା ବେଳେ ଠିକରେ ରଖି ନଥିବ ତୁମେ?

ହେଁ !! ଆଶ୍ଚର୍ଯ୍ୟ ! ମିତାଲି ମନେ ମନେ ଭାବୁଥାଏ ସେ ତ ଏମିତି କରେନି କେବେ ବି; ଆଜିକି ୬ ବର୍ଷ ହେଲାଣି ବାହାଘର କେବ ଏମିତି ହେଇନି ଆଜି କେମିତି ହେଇଯିବ ଯେ? ହେଲେ ସେ ବାସନ ଷ୍ଟାଣ୍ଡରେ ପାଉଁଜି କାହିଁକି ବାନ୍ଧିଛନ୍ତି କେଜାଣି ଶୋଭନ୍?

“ଚାଲ ଶୋଇବା”, ଶୋଭନ ଠୁ ଏତିକି ଶୁଣିବା ପରେ ଦୁହେଁ ଶୋଇବାକୁ ଗଲେ ।

ଆଜି ଶୋଇବା ବେଳେ ମିତାଲିର ତାଗିଦ୍, “ତୁମର ସେ ଅଫିସ କାମ ଶୀଘ୍ର ସାର । ଆଉ କାଲି ମୋତେ ଗୋଟେ ନୂଆ ପାଉଁଜି ଆଣିଦେବ । ବହୁତ ଡେରିରେ ଶୋଉଛ ତୁମେ । ମୋତେ ଏକୁଟିଆ ବେଡ଼୍ ରୁମ୍‌ରେ ଗୋଟେ କେମିତି ଲାଗୁଛି ସବୁଦିନ? ସେ ହଲ୍ ସୋଫାରେ ପାଉଁଜି କାହିଁକି ବାନ୍ଧିଛ ଯେ?”

“ହଉ ତୁମେ ଶୋଇପଡ଼ ସକାଳେ କଥା ହେବ, ଆଉ ବେଶି କଥା ହେଲେ ପାଉଁଜି ବେଶି ଶୁଭିବ”, ମିତାଲିର କଥାରୁ ଶୋଭନ ନିଜକୁ ବଞ୍ଚେଇବାର ଏ ଛୋଟିଆ ପ୍ରୟାସ ମାତ୍ର ।

ଅଧା ଘଣ୍ଟା ହେଇଯିବ ମିତାଲିକୁ ନିଦ ଲାଗିଯାଇଥିବାର, କିଛି ସମୟ ପରେ ପରେ ଏବେ ଶୋଭନ ଶୁଣିବାକୁ ଲାଗିଲା ସେ ପାଉଁଜିର ସ୍ଵର ।

ମିତାଲିର କଥା ତାହେଲେ ଠିକ୍ ବୋଲି ଶୋଭନକୁ ବୁଝିବାକୁ ଆଉ ବିଳମ୍ବ ନଥିଲା । ଏବେ ସେ ଯଦି ମିତାଲିକୁ ନିଦରୁ ଉଠାଏ ତା’ହେଲେ ଶୋଭନର ପୁରୁଷ ପଣିଆକୁ ଧିକ୍ ଭାବିକି ସେ ଆଉ ମିତାଲିକୁ ନ ଉଠେଇକି ବେଡ୍ ରୁମରୁ ଉଠିକି ହଲ୍ ଆଡ଼େ ଗଲା । ଯେତେ ଯେତେ ସେ ହଲ ପାଖକୁ ଆଗାଉଥାଏ ପାଉଁଜି ସ୍ଵର ଆହୁରି ମଧୁର ଆଉ ଜୋରରେ ବାଜି ଉଠୁଥାଏ । ଏବେ ହଲରେ ମଝାମଝିରେ ଆସିକି ଶୋଭନ ପହଞ୍ଚିଗଲା । ପାଉଁଜିର ଶବ୍ଦ ବନ୍ଦ ହେଇଗଲା । ଗୋଟେ କର୍କଶ ଆଉ ଉତ୍ତେଜିତ ସ୍ଵରରେ ଭାସି ଆସିଲା, “ଶୋଭନ ! କ’ଣ ଭାବୁଛୁ ! ଏ ସାମ୍ରାଜ୍ୟକୁ ଏକୁଟିଆ ଭୋଗ କରିବୁ?”

ଏଇ ପଦେ କଥାରେ ଶୋଭନର ପାପଗୁଡ଼ା ସତେ ଯେମିତି ତା’ର ମନେ ପଡ଼ି ଯାଉଥାଏ । ହେଲେ ଏ ଅଶରୀରିକୁ ଏତେ ସବୁ ଜଣା କେମିତି?

ଭୟରେ ଶୋଭନ ପଚାରିଲା “କିଏ ତୁମେ? କ’ଣ ଚାହୁଁଛ? କ’ଣ ପାଇଲେ ମୁହଁ ବନ୍ଦ ରଖିବ ତୁମର?”

“ପ୍ରେତାତ୍ମାର କ’ଣ ଇଚ୍ଛା ତୁମେ କ’ଣ ଜାଣିନ ଶୋଭନ? କିଛି ଅପୂରଣୀୟ ଇଛା ନେଇକି ମୁଁ ଆଜି ବି ଏଇଠି ଘୂରି ବୁଲୁଛି । ଏଇ କବାଟ ପାଖେ ଲୁଚି ଲୁଚି ଖେଳେ ତମ ଝିଅ ସାରା ସହ । ସାରାର ଖେଳନା ଗୁଡ଼ାକ ଅଣ ନିଶ୍ଵାସୀ ହେଇଗଲେଣି ସେ ବସ୍ତା ଭିତରେ ରହି ରହି । ସେ ସବୁ ଜିନିଷର ମୁଁ ସାକ୍ଷୀ, ଯାହା ତୁମେ ମିତାଲିର ଅଗୋଚରରେ କରିଛ । ମିତାଲୀକୁ ହସ୍ପିଟାଲ ନେଲା ପରେ କ’ଣ ସବୁ ଚାଲେ ଏ ଶ୍ମସାନରେ । ଗୋଟି ଗୋଟି କଳା କାରନାମାର ସାକ୍ଷୀ ଆମେ ଦୁଇ ଜଣ ।”

ଏବେ ଶୋଭନ ଥରିବାକୁ ଲାଗିଲାଣି । ଏ ଲୋକ କିଏ ଯାହାକୁ ଏତେ ସବୁ ଜଣା?

ହଁ ଥରେ ମିତାଲି ଅଗୋଚରରେ ସେ ନିଜ ସହକର୍ମୀ ରିମିକୁ ଘରକୁ ବୁଲେଇ ଆଣିଥିଲା ଆଉ ଦୁହେଁ ଖୁବ ମସଗୁଲରେ ସେ ରାତି ବିତେଇ ଥିଲେ । ଘରକୁ ବୁଲେଇ ଆଣିବାଟା ବାହାନା ଥିଲା । ନହେଲେ ଘରକୁ ଆସିଥିବା ରିମିକୁ ଡ୍ରିଂକ୍ସରେ ଆଲ୍‌କୋହୋଲ୍ ଦେବାଟା ଶୋଭନର ଆଗୁଆ ନିଶ୍ଚିତ ଥିଲା ।

ରିମିକୁ କେମିତି ମନେ ମନେ ଚାହେଁ ସେ । ରିମି ତ ସେମିତିରେ ଅଫିସ୍‌ରେ ସମସ୍ତଙ୍କ ନାୟିକା, କିନ୍ତୁ ଶୋଭନ ତା’ର ବେଶି ପସନ୍ଦ । ସେଥିପାଇଁ ତ କାମ ବାହାନାରେ ବେଳେ ବେଳେ ଶୋଭନ ସାଙ୍ଗରେ ଘସିନେଶି ହେବା, ଅଫିସ୍‌ରେ କାହାକୁ ଅଛପା ନାହିଁ ।

ଆକାଶରେ ବିଜୁଳି ମାରିଲା ପରି ପଛକୁ ପଛ ସ୍ମୃତିଗୁଡ଼ିକ ଅଧ ମିନିଟରେ ସବୁ ଶୋଭନ ଆଖିରେ ନାଚିଗଲା ।
ସ୍ମୃତି ତ ନୁହେଁ ପାପ ଗୁଡ଼ା…

“ଶୋଭନ ଦାସ !!! କ’ଣ ଭାବୁଛୁ? କ’ଣ ଦୋଷ କରିଥିଲା ଏ କୁନି ସାରା ତୋ’ର? ଛି !! ତୁ ତା’ର ବାପା ବୋଲି କହିବାକୁ ବି ମୋତେ ଘୃଣା ଲାଗୁଛି । ସବୁ ସତ କଥା ମାନି ଯାଉନୁ କାହିଁକି ମିତାଲି ପାଖେ? ହଁ ଏବେ କୋଉ ବୁଝିବ ସିଏ?” ଅଶରୀରି କହି ଚାଲିଥାଏ ।

“ତୋର ସିନା ଝିଅ ପ୍ରତି ପିତୃତ୍ଵ ମରି ଯାଇଥିଲା, ହେଲେ ଆଜି ବି ମିତାଲିକୁ ମୁଁ ଖୋଜେ । ପଦେ କଥା କହନ୍ତି ତାକୁ, ଗପ ଶୁଣାନ୍ତି, ହେଲେ ସେ ତୋ ପରିକା ସାହସ ରଖେନି ବାପା ସାଙ୍ଗେ କଥା ହେବାକୁ? ବହୁତ ଝୁରେ ଏ ମନ ତାକୁ ତା’ର ସେ ମିଠା ମିଠା ହସ ଆଉ ହୃଦୟ ତରଳା ପାପା ଡାକ । ଆଉ କୁନି ସାରା, ଜାଣିଛୁରେ ପାପୀ, ସେ ସବୁ ଦିନ ମୋ ସହ ଲୁଚାଲୁଚି ଖେଳେ, ତା’ ମା’କୁ ବହୁତ ଡାକେ । ମିତାଲି ଶୁଣେନି କାହିଁକି କେଜାଣି?” ଅଶରୀରିର ଏତିକି କଥା ସରିବା ମାତ୍ରେ, ଶୋଭନକୁ ଦିଶିଯାଉଥିଲା ସେଦିନର ସେ କାଳରାତ୍ରି ।

ଅଫିସ ସାରିକି ସେଦିନ ଘରକୁ ଆସିଲା ପରେ, ମିତାଲି ଶୋଭନକୁ ଆସିଥିବା ରିମିର କଲ୍ ସବୁ ଶୁଣିଥିଲା । ଶୋଭନ ଦେହରେ ଥିବା ଚଞ୍ଚଳତା ଆଉ ଭୟ ମିତାଲିକୁ ଜଣେଇବା ପାଇଁ ଯଥେଷ୍ଟ ଥିଲା । ସକାଳେ ଇସ୍ତ୍ରୀ କରି ଦେଇଥିବା ସାର୍ଟଟା ସନ୍ଧ୍ୟାରେ ମୋଡ଼ା କାଗଜ ପରି ହେଇଯିବାଟା କେମିତି ହଜମ କରିପାରୁନଥିଲା ମିତାଲି? ଲାଗୁଥିଲା ଯେମିତି ଆଜି ସବୁ ସୀମା ଲଙ୍ଘି ଯାଇଥିଲା ଶୋଭନ ଆଉ ରିମିର ସମ୍ପର୍କ ।

ରାଗରେ କାର୍ ନେଇକି ବାହାରିଯାଇଥିଲା ନିଜ ବାପ ଘରକୁ, ସାଙ୍ଗରେ ନିଜ ବାପା ଆଉ ଝିଅ ସାରାକୁ ନେଇ । ବାପା କିଛି କହିବା ଆଗରୁ ମିତାଲି ତାଙ୍କୁ ନେଇକି ଘର ଆଡ଼େ ବାହାରିଲା ସାରା ସହ । ଶୋଭନର କ୍ଷମା ମାଗିବା ଆଉ କିଛି ଫରକ୍ ପଡ଼ି ନଥିଲା । ବାପାଙ୍କୁ ଖାଲି କହିଲା, ଶୀଘ୍ର ଆସ । ରାସ୍ତାରେ ବୁଝେଇଦେବି ଏ ସମୀକରଣଟା କ’ଣ?

ହେଲେ ବାଟରେ ଯାଉ ଯାଉ ଯେ କାଳ ଅପେକ୍ଷା କରିଥିବା ମିତାଲିକୁ ତିଳେ ହିଁ ଜଣା ନଥିଲା ।

ମତି ଭ୍ରମ ଆଉ ଅନ୍ୟ ମନସ୍କା ହେଇ ଘଟି ଗଲା କିଛି ଅଘଟଣ । କାର୍‌ଟା ପିଟି ହେଇଯାଇଥିଲା ଗଛରେ । ସବୁ ଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ ସାରା ଆଉ ମିତାଲିର ବାପା । ହସ୍ପିଟାଲରେ ଠିକ୍ ହେବା ପରେ ସ୍ମୃତି ଶକ୍ତି ହରେଇ ବସେ ମିତାଲି ଏଇ ଘଟଣା ପାଇଁ । ଖାଲି ଗୋଟିଏ ଜିନଷ ହିଁ ବୁଝେ ଏବେ ସେ, ସାରାର ପାଉଁଜି ।

“ମୋତେ କ୍ଷମା କର ବାପା, ମୋର ଅପରାଧ ହେଇଯାଇଛି । ଏସବୁ ପାଇଁ ମୁଁ ଦାୟୀ । ସାରା ଆଉ ତୁମେ ମୋ ଜୀବନରେ କେବେ ଆସିଥିଲ ବୋଲି ମୁଁ ଭାବିନଥିଲି । ମୋର କୁକର୍ମ ପାଇଁ ମୋତେ ଦଣ୍ଡ ଦିଅ । ମୋତେ କ୍ଷମା କରିଦିଅ । ମୋତେ କ୍ଷମା କରିଦିଅ । ମୋତେ କ୍ଷମା କରିଦିଅ ।”

“ଆରେ ଶୋଭନ ! କ’ଣ ହେଇଛି ତୁମର? ସକାଳ ହେଲାଣି ଉଠୁନ? ଖଟରେ ପଡ଼ିକି କାହାକୁ କ୍ଷମା ମାଗୁଛ?” ମିତାଲି ଶୋଭନକୁ ଉଠେଇ କହିଲା ।

“ହଁ ମୁଁ ଟିକେ ଶୋଇଯାଇଥିଲି, ନିଦ ଲାଗିଯାଇଥିଲା ତ ସ୍ୱପ୍ନଗୁଡ଼ା ଦେଖୁଥିଲି ।”

“ଶୋଭନ ଜାଣିଛ ! ଆମ ଖଟରୁ ଆଉ ବାସନ ଷ୍ଟାଣ୍ଡରୁ ପାଉଁଜିଗୁଡ଼ା କିଏ ନେଇ ଯାଇଛି । ତୁମେ ନେଇ ଆସିବ ତ, ସାରା ପିନ୍ଧିବ ।” ମିତାଲି ଅଭିଯୋଗ କରି କହୁଥିଲା ।

ଶୋଭନ ଭାବୁଥିଲା, “ହେଲେ ବାପା ତ କହୁଥିଲେ ସାରା ମିତାଲିକୁ ବହୁତ ଖୋଜୁଛି ।”

ଘରର କଲିଙ୍ଗ୍ ବେଲ୍ ବାଜିଲା । “ଶୋଭନ ବାବୁ ! ମେଣ୍ଟାଲ ହସ୍ପିଟାଲର ଆମ୍ବୁଲାନ୍ସ ଆସିଯାଇଛି ।” ଆର ପଟୁ କିଏ ଜଣେ କହିଲା ।

“ମିତାଲି ଚାଲ ବାହାର, ସାରା ପାଖକୁ ଯିବା”, ଶୋଭନ କହିଲା ।

“ହଉ ମୁଁ ସାରାର ପାଉଁଜିଟା ନେଇକି ଆସେ ।” ମିତାଲି ନିରୀହ ଶବ୍ଦ ଦୁଇଟା କହି ଘର ଭିତରକୁ ଦୌଡ଼ି ଗଲା ।

ଶୋଭନର ରିଂ ଆସିଲା ଫୋନକୁ ।

ଫୋନରେ ଉଠିଥିବା ନାଁଟାକୁ ଦେଖି ସ୍ମିତ ହସଟେ ଗଳି ପଡ଼ିଲା ଶୋଭନର ।

“ହେଲୋ !! ଆରେ ହଁ ମୁଁ ଏ କଣ୍ଟାକୁ ଠିକଣା ଲଗେଇଇକି ଆସୁଛି ଶୀଘ୍ର ତୁମ ପାଖକୁ ।”
“ସାରାକୁ କୁହ ଜିଦ୍ କରିବନି ମୁଁ ତା’ ପାଉଁଜି ନେଇକି ଯାଉଛି ।” ମିତାଲିର ଆମ୍ବୁଲାନ୍ସରେ ବସିବା ଆଗରୁ ଏଇ ଶେଷ ଦୁଇପଦ ।
“ସାର୍ ! ୟାର ଡୋଜ୍ ଟିକେ ବଢ଼େଇ ଦେବେ, ଆଜକାଲି ବହୁତ ପାଗଳାମୀ ବଢ଼ିଯାଇଛି।”, ଶୋଭନ୍ ଆମ୍ବୁଲାନ୍ସ୍ ଷ୍ଟାଫ୍‌ଙ୍କୁ କହିକି ଅଫିସ୍ ଆଡ଼କୁ ବାହାରି ପଡ଼ିଲା ।

 

ଆନ୍ତର ସୌନ୍ଦର୍ଯ୍ୟ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.