ବିଷମ ପରୀକ୍ଷା

Odia Story Critical Tests
Reading Time: 5 minutes

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତୁମେ ଭାଗ୍ୟ ଉପରେ ବିଶ୍ୱାସ କର କି ନାହିଁ ତା ତ ମୁଁ ଜାଣେନା । ଅନେକ ସମୟରେ ସୌଭାଗ୍ୟ ହାତ ପାଆନ୍ତାକୁ ଆସିଲେ ମଧ୍ୟ ମଣିଷ ତାକୁ ଗ୍ରହଣ କରିବାକୁ ଆଦୌ ସାହସ କରେ ନାହିଁ । ତୁମେ ଏ ବିଷୟରେ ସଚେତନ ତ? ତୁମକୁ ମୋର ଏହି କଥାଟି ବୁଝାଇଦେବା ନିମନ୍ତେ ମୁଁ ଏକ କାହାଣୀ କହୁଛି । ମନ ଦେଇ ମୋ କଥା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ହେବାଭଳି ମନେ ହେବ ।”

ଏତିକି କହିସାରି ତା’ପରେ ସେ ବେତାଳ ଗପିଲା : ରାଜା ପ୍ରତାପ ଦେବ ଚନ୍ଦ୍ରପୁର ରାଜ୍ୟରେ ରାଜୁତି କରୁଥିଲେ । ତାଙ୍କର ଏକମାତ୍ର ସନ୍ତାନ କାଂଚନ ଯେ କି ଅତ୍ୟନ୍ତ ସୁନ୍ଦରୀ ଥିଲେ । କାଂଚନ ସହିତ କଳିଙ୍ଗର ରାଜପୁତ୍ର ଜୟଚନ୍ଦ୍ରଙ୍କର ବିବାହ ସ୍ଥିର ହୋଇଥାଏ । ରାଜକୁମାରୀ କାଂଚନ ଏବଂ ଜୟଚନ୍ଦ୍ର ପରସ୍ପର ପରସ୍ପରକୁ ପସନ୍ଦ କରନ୍ତି ।

ସେତେବେଳେ କଳିଙ୍ଗ ସହ ବାଲି ଓ ଜବ ଦ୍ୱୀପର ବିଶେଷ ସମ୍ପର୍କ ଥାଏ । ତାଙ୍କ ପିତାଙ୍କ ନିର୍ଦ୍ଧେଶରେ ରାଜକୁମାର ଜୟଚନ୍ଦ୍ର ଥରେ ଏ ଉଭୟ ଦ୍ୱୀପ ବୁଲି ସେ ସମ୍ପର୍କ ଦୃଢ କରିବାକୁ ଗଲେ । ଆଠମାସରେ ସେ ଲେଉଟି ଆସିବା କଥା । ମାତ୍ର ଏଭିତରେ ଦୀର୍ଘ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ବୋଇତର କୌଣସି ଖୋଜ୍ ଖବର ମିଳିଲା ନାହିଁ ।

ଏଣେ ଚନ୍ଦ୍ରପୁରର ରାଜଜ୍ୟୋତିଷ କହିଲେ, ଆଗାମୀ ତିନିମାସ ଭିତରେ ରାଜକୁମାରୀ କାଂଚନଙ୍କର ବିବାହ ହେବା ଦରକାର । କାହିଁକିନା ତାହା ପରେ ବିବାହ ହେଲେ ସେ ବର୍ଷକ ଭିତରେ ନିଶ୍ଚୟ ବିଧବା ହେବେ ।

ରାଜା ପ୍ରତାପ ଦେବ ଏଥର ମହାସଙ୍କଟରେ ପଡିଲେ । ଏକଥା ତ ପ୍ରଘଟ ହୋଇଯିବ । ତିନିମାସ ଭିତରେ ରାଜକୁମାରୀଙ୍କୁ ବିଭା ନଦେଲେ ପରେ ଆଉ କେହି ବାହା ହୋଇ ମରିବାକୁ ତ ବାହାରିବେ ନାହିଁ । ଏଣେ କାଂଚନ ତାଙ୍କର ଏକମାତ୍ର ସନ୍ତାନ ହୋଇଥିବା ଦୃଷ୍ଟିରୁ ତାଙ୍କ ସ୍ୱାମୀ ହିଁ ଚନ୍ଦ୍ରପୁରର ଭାବି ରାଜା ହେବା କଥା । ଚନ୍ଦ୍ରପୁର କଳିଙ୍ଗ ସୀମାନ୍ତରେ ଅବସ୍ଥିତ । ଜୟଚନ୍ଦ୍ରଙ୍କ ସହ କାଂଚନଙ୍କର ବିବାହ ହୋଇଥିଲେ ସ୍ୱାଭାବିକ ଭାବରେ ଚନ୍ଦ୍ରପୁର କଳିଙ୍ଗ ସହ ମିଶିଯାଆନ୍ତା ।

ରାଜା କାଂଚନଙ୍କୁ ଯେତେ ବୁଝାଇଲେ ବି କାଂଚନ ଜୟଚନ୍ଦ୍ରଙ୍କୁ ଛାଡି ଆଉ କାହାକୁ ମଧ୍ୟ ବାହା ହେବାକୁ ମୋଟେ ରାଜି ହେଲେ ନାହିଁ । ଏଣେ ଆଖପାଖର ଆଠ ଦଶଗୋଟି ରାଜ୍ୟର ରାଜକୁମାରମାନେ କାଂଚନଙ୍କୁ ବିଭା ହେବାକୁ ଉଦ୍ଗ୍ରୀବ । ଏଣେ ବେଳବି ଗଡି ଯାଉଛି । ଏବେ ସେ ରାଜା ଆଉ କ’ଣ ବା କରିବେ? ପାତ୍ର ମିତ୍ର ମନ୍ତ୍ରୀ ଓ ଅମାତ୍ୟମାନଙ୍କ ଦ୍ୱାରା ରାଜକୁମାରୀଙ୍କୁ ବିବାହ ପ୍ରସ୍ତାବରେ ସମ୍ମତ କରାଇବାକୁ ସେ ବହୁବାର ଚେଷ୍ଟା କଲେ । ଶେଷରେ ଜଣାଇଦେଲେ, ରାଜକୁମାରୀ ସମ୍ମତ ନହେଲେ ସେ ନିଜେ ରାଜ୍ୟଛାଡି ଚାଲିଯିବେ ।

ଅଗତ୍ୟା ରାଜକୁମାରୀ କହିଲେ, “ବେଶ୍ । ତାହେଲେ ମୁଁ ବିଭା ହେବି । କିନ୍ତୁ ମୋତେ ଯିଏ ବିଭା ହେବ, ସେ ଗୋଟାଏ ସାହସର ପରୀକ୍ଷାରେ ଉତୀର୍ଣ୍ଣ ହେବା ଦରକାର ।”

ରାଜା ଏଥର ଖୁସି ହେଲେ । କିନ୍ତୁ ରାଜକୁମାରୀ ପରୀକ୍ଷା ପାଇଁ ଯେଉଁ ସବୁ ସର୍ତ୍ତ ରଖିଲେ, ତାହା ଶୁଣି ତାଙ୍କ ମନ ଭାରି ଖରାପ ହୋଇଗଲା । ସେ ସର୍ତ୍ତରେ କେହି ରାଜି ହେବେ ବୋଲି ତାଙ୍କର ଆଦୌ ବିଶ୍ୱାସ ହେଲା ନାହିଁ ।

ତେଣୁ ସର୍ତ୍ତର ରୂପ ନ ଜଣାଇ ସେ ଖାଲି ପାଣିପ୍ରାର୍ଥୀମାନଙ୍କ ପାଖକୁ ଏହି ଖବର ପଠାଇଲେ କି ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଯିଏ ଏକ ସାହସ ପରୀକ୍ଷାରେ ଉତୀର୍ଣ୍ଣ ହେବ, କେବଳ ସିଏହିଁ କାଂଚନଙ୍କୁ ବିଭା ହେବ ।

ଏଣେ, ସେ ରାଜ୍ୟର ଗୋଟାଏ ଗାଁରେ ବିରୂପ ନାମରେ ଜଣେ ଯୁବକ ଥାଏ । ତା’ ନାମ ବିରୂପ; ଏଭଳି ହେବାର କାରଣ, ତା’ର ଜନ୍ମରୁ ହାତ ଯୋଡିକ ନଥାଏ । ତାକୁ ଜନ୍ମ ଦେଇ ତା’ ମା ମରି ଯାଇଥାନ୍ତି । ତେଣୁ ତା’ ବାପା ପୁଣି ଆଉ ଥରେ ବିଭା ହେଲେ । ବିରୂପକୁ ତା’ ଜେଜେମା ପାଳୁଥାନ୍ତି । ଜେଜେମାଙ୍କ ମୃତ୍ୟୁ ପରେ ବିଚରାର ଦୁଃଖ ଗଞ୍ଜଣାର ଯେପରି କୌଣସି ଅନ୍ତ ନଥାଏ । ବିମାତା ତାକୁ ଆଖିରେ ମୋଟେ ଦେଖି ପାରେ ନାହିଁ । ତାକୁ ସେ ବଡ ଦହଗଞ୍ଜ କରାଏ । ଦିନେ ସକାଳେ ବିମାତା ଚିତ୍କାର କରି କହିଲା, “ଏତେ ଲୋକଙ୍କୁ ମରଣ ହେଉଛି, ତୋତେ କାହିଁ ହେଉନାହିଁ?”

ବିରୂପ ନିରୀହ ଭାବରେ କହିଲା “ମୃତ୍ୟୁ ପରା ଭାଗ୍ୟର କଥା?”

ବିମାତା କହିଲା “ତୁ ମୃତ୍ୟୁ ଭାଗ୍ୟକୁ ଟିକିଏ ଖୋଜାଖୋଜି କଲେ ହୁଅନ୍ତା ନାହିଁ? ଘରେ ବସିଥିବା ଲୋକକୁ ତ ଭାଗ୍ୟ ବି ଭୁଲିଯାଏ ।”

ବିରୂପ ପ୍ରତି ଗାଁର ସବୁ ଲୋକଙ୍କର ଭାରି ସହାନୁଭୂତି ଥାଏ । ତେଣୁ ସେମାନେ ତାକୁ କହିଲେ, “ଆଦୌ ଚିନ୍ତା କରନା ବାବୁ! ତୁ ଯାଇ ମନ୍ଦିର ପିଣ୍ଡାରେ ରହ । ଆମେ ତତେ ମୁଠିଏ ମୁଠିଏ କରି ଖାଇବାକୁ ଦେବୁଁ । ମନ୍ଦିର ପଛପଟେ ଯେଉଁ ମୂକ ବଧିର ଲୋକଟାଏ ଆଶ୍ରାନେଇ ରହିଛି, ସେ ତୋତେ ଲୁଗାପଟା ପିନ୍ଧାଇଦେବ, ସେ ବ୍ୟବସ୍ଥା ଆମେ କରିବୁ ।” କିନ୍ତୁ ବିରୂପ କାହାରି ଉପରେ ଆଉ ବୋଝ ହୋଇ ରହିବାକୁ ମନକରୁ ନଥିଲା ।

ବିରୂପ ମୃତ୍ୟୁ-ଭାଗ୍ୟ ସନ୍ଧାନରେ ବାହାରି ପଡିଲା । ସେ ଚାଲି ଚାଲି ଯାଇ ରାଜଧାନୀରେ ପହଁଚିଲା । ସେଠାରେ ସେ ଦେଖିଲା ବହୁଲୋକ କୁଆଡେ ଯାଉଛନ୍ତି । ସେ ବି ଅନ୍ୟମନସ୍କ ଭାବରେ ସେମାନଙ୍କ ପଛେ ପଛେ ଚାଲିଲା ।

ସେଦିନ ଜ୍ୟୋତିଷମାନେ କହିଥିବା ତିନିମାସ ପୂରିବାକୁ ଆଉ ମାତ୍ର ଦିନଟିଏ ବାକିଥାଏ । କାଳେ ଜୟଚନ୍ଦ୍ର ଆସିଯିବେ, ଏହି ଆଶାରେ ଏହି ଶେଷ ଦିନହିଁ କାଂଚନ ତାଙ୍କ ବର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥାନ୍ତି ।

ପାଣିପ୍ରାର୍ଥୀ ତରୁଣ ରାଜକୁମାରମାନେ ନାନାପ୍ରକାର ଚାକଚକ୍ୟମୟ ପୋଷାକ ଏବଂ ଅଳଙ୍କାରମାନଙ୍କରେ ସୁସଜ୍ଜିତ ହୋଇ, କିଏ ବା ପାତ୍ରମିତ୍ର ଧରି ନୌକା ଯୋଗେ, କିଏ ବା ରଥାରୋହଣ କରି, କିଏ ହାତୀ ଉପରେ ବସି ତ ଆଉ କିଏ ଦର୍ଶନୀୟ ଘୋଡା ଉପରେ ସବାର୍ ହୋଇ ଆସି ସେଠାରେ ପହଁଚିଗଲେ । ସେମାନଙ୍କୁ ରାଜାଙ୍କ ଅତିଥି ଭବନରେ ସ୍ୱାଗତ କରି ସମାଦରେ ରଖାଗଲା । ସମସ୍ତେ ନିଜ ନିଜ ସାହସ ଓ ଦମ୍ଭ ଉପରେ ଆସ୍ଥା ରଖିଥାନ୍ତି । କିଏ ଯୁଦ୍ଧଜୟ କରିଥାଏ, କିଏ ବା ମଲ୍ଲବୀର ଭାବରେ ବେଶ୍ ଖ୍ୟାତି ଲାଭ କରିଥାଏ । ଆଉ ପୁଣି କିଏ ବା ଉତ୍ତମ ଶିକାରୀ ଥିଲେ ।

ଆଶାୟୀ ହୋଇ ଆସିଥିବା ରାଜକୁମାରମାନେ ଯେତେବେଳେ ପରୀକ୍ଷାର ରୂପ ଜାଣିଲେ, କେହି ପରୀକ୍ଷା ଦେବାକୁ ବାହାରିଲେ ନାହିଁ । ତିନୋଟି ବଳୟରେ ଶାଣୀତ ଅସୀମାନ ଉଦ୍ୟତ ହୋଇ ରହିଥାନ୍ତି । ବଳୟ ମଝିକୁ ଗୋଟାଏ ପ୍ରାଚୀର ଉପରୁ ଡେଇଁପଡିବାକୁ ହେବ । ଯାହା ଦେହରେ ଅସୀ ଲାଗିଯିବ, ତା’ର ବଂଚିବାର ଆଶା ପୁରାପୁରି କ୍ଷୀଣ । ବଂଚିଲେ ବି ସେ ଭୀଷଣ ମାତ୍ରାରେ ଆହତ ହେବ । ରାଜକୁମାରମାନେ ପରସ୍ପର ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଉଥାନ୍ତି, “ଭାରତରେ ରାଜକୁମାରୀଙ୍କର କ’ଣ ଏମିତି ଦୁର୍ଭିକ୍ଷ ପଡିଛି ଯେ ଆମେ ମୃତ୍ୟୁବିଜୟ ଭିତରକୁ ଲମ୍ପ ଦେବୁ!” “ଏଇଟା ବିବାହ ପାଇଁ ନିମନ୍ତ୍ରଣ ନା ହତ୍ୟାପାଇଁ ଏକ ସୁଚିନ୍ତିତ ଯୋଜନା?”

ରାଜକୁମାରମାନଙ୍କ ଏଭଳି ମନ୍ତବ୍ୟ ରାଜା ଓ ମନ୍ତ୍ରୀଙ୍କ କାନରେ ଗୁପ୍ତଚରମାନେ ଆସି କହି ଦେଉଥାନ୍ତି । ରାଜା ମନ୍ତ୍ରୀ ବୁଝୁଥାନ୍ତି ଯେ, ସେମାନେ ଏପରି କହିବା ମୋଟେ ଅସ୍ୱାଭାବିକ ନୁହେଁ । ତଥାପି ମଧ୍ୟ ସେ ରାଜା ଆଶା କରୁଥାନ୍ତି, ସେମାନେ ନିଜ ସମ୍ମାନ ଦୃଷ୍ଟିରୁ ପରୀକ୍ଷାରେ ନିଶ୍ଚୟ ଅବତୀର୍ଣ୍ଣ ହେବେ । ଆହତ ହେଲେ ବି ଯିଏ ବଂଚି ରହିବ, ତାହା ସହ ରାଜକୁମାରୀଙ୍କ ବିବାହ ଦେଇ ସେ ନିଶ୍ଚିନ୍ତ ହେବେ ।

ରାଜକୁମାରମାନେ ପ୍ରାଚୀର ଉପରକୁ ଉଠିଯାଉଥାନ୍ତି ଓ ଓହ୍ଲାଇ ଆସୁଥାନ୍ତି । ଜଣ ଜଣ କରି ବିରକ୍ତିପୂର୍ଣ୍ଣ କଣ୍ଠରେ ପ୍ରତିଯୋଗିତାରୁ ଓହରିଯିବାର ଘୋଷଣା କରୁଥାନ୍ତି ।

ଏସବୁ ଘଟଣା ଦେଖି ରାଜାଙ୍କର ମନ ଭୀଷଣ ଖରାପ ହୋଇଥାଏ । ହଠାତ୍ ସେ ଦେଖିଲେ, ତାଙ୍କ ଆଗଦେଇ ପାଗଳ ଭଳି ଦିଶୁଥିବା ଗୋଟିଏ ହସ୍ତହୀନ ଯୁବକ ଅଗ୍ରସର ହୋଇ ପ୍ରାଚୀର ଆରୋହଣ କଲା । ତାକୁ କେହି ଅଟକାଇ ପାରିବା ପୂର୍ବରୁ ସେ ଅସୀ ବଳୟ ଭିତରକୁ ଲମ୍ପ ଦେଲା । ଆଶ୍ଚର୍ଯ୍ୟର କଥା, ତା’ଦେହରେ ଆଂଚ ବି ଲାଗିଲା ନାହିଁ । ସେ ତା’ଭିତରୁ ବାହାରି ଆସିବା ମାତ୍ରେ ତାକୁ ଫୁଲମାଳ ଦିଆଗଲା । ପାତ୍ରମିତ୍ରମାନେ ଏଥିରେ ଖୁସି ହେବେ କି ଦୁଃଖିତ ହେବେ କିଛିବି ବୁଝି ପାରୁନାହାଁନ୍ତି ।

କେତେଜଣ ରାଜକୁମାର ବିରୂପ ପାଖକୁ ଆସି କହିଲେ, “ସାବାସ୍! ତମେ ବର୍ତ୍ତମାନ ରାଜକନ୍ୟା କାଂଚନଙ୍କୁ ବିଭା ହେବ! ତମ ଭଳି ଆଉ ଯୋଗ୍ୟ ବର କାହୁଁ ମିଳିବେ?”

ବିରୂପ କହିଲା “ନା! ମୁଁ ଏଠାକୁ ଭିନ୍ନ ଉଦ୍ଧେଶ୍ୟରେ ଆସିଥିଲି । ତାହା ପୂରଣ ହୋଇଛି ।”

ତା’ର ଏଭଳି କଥାରେ ରାଜକୁମାରମାନେ କହିଲେ “ତମେ କ’ଣ ବୋକା? ଏ ସୌଭାଗ୍ୟ କ’ଣ କେବେ କେହି ଛାଡେ?”

ତହୁଁ ସେ ବିରୂପ କହିଲା “ମୁଁ ବୋକା ନୁହେଁ, ହତଭାଗ୍ୟ ।”

ରାଜକୁମାରମାନେ କହିଲେ “ତମେ ହୁଏତ ହତଭାଗ୍ୟ ଥିଲ । କିନ୍ତୁ ବର୍ତ୍ତମାନଠାରୁ ଭାଗ୍ୟବାନ ବନିଯିବ । ଆମେ ସର୍ତ୍ତରକ୍ଷା କରି ରାଜା ଯେମିତି ତମକୁ କନ୍ୟାଦାନ କରିବେ, ସେଥିପାଇଁ ରାଜାଙ୍କୁ ବାଧ୍ୟ କରିବୁ । ତମେ ବ୍ୟସ୍ତ ହୁଅ ନାହିଁ । ରାଜକାର୍ଯ୍ୟ ବୁଝାବୁଝିର ଦାୟିତ୍ୱ ରାଜକୁମାରୀ ନେବେ । ସେ ଅତ୍ୟନ୍ତ ବୁଦ୍ଧିମତୀ । ନହେଲେ ଆମେ ଆସି ତମକୁ ସାହାଯ୍ୟ କରିବୁ । ଏ ସୌଭାଗ୍ୟ ପାଦରେ ଠେଲିଦିଅନାହିଁ ।”

“ଜଣଙ୍କ ପାଇଁ ଯାହା ସୌଭାଗ୍ୟ, ଆଉ ଜଣଙ୍କ ପାଇଁ ତାହା ଅଭିଶାପ ହୋଇପାରେ ।” ଏହା କହି ବିରୂପ ସେଠାରୁ ବାହାରିଗଲା ।

ସେହି ମୁହୂର୍ତ୍ତରେ ଖବର ଆସି ପହଁଚିଲା ଯେ, ରାଜକୁମାର ଜୟଚନ୍ଦ୍ରଙ୍କ ବୋଇତ ଝଡରେ ଦିଗଭ୍ରଷ୍ଟ ହୋଇ ସୁମାତ୍ରା ଉପକୁଳକୁ ଚାଲିଯାଇଥିଲା । ସେ ଏବେ ଆସି ପହଁଚିଛନ୍ତି । କହିବା ବାହୁଲ୍ୟ, ଜୟଚନ୍ଦ୍ରଙ୍କୁ ସବୁ ଜଣାଇ ସେଠାକୁ ଅଣାଗଲା ଓ ତିନିମାସ ପୂର୍ଣ୍ଣ ହେବାର ରାତିକ ପୂର୍ବରୁ କାଂଚନଙ୍କ ସହ ତାଙ୍କ ବିବାହ ସମାହିତ ହେଲା ।

ରାଜ୍ୟବ୍ୟାପି ଆନନ୍ଦ ଉତ୍ସବ ଭିତରେ ଅନ୍ୟପାଣିପ୍ରାର୍ଥୀ ରାଜକୁମାରମାନେ ଚୁପ୍ଚାପ୍ ବିଦାୟ ନେଇ ସେଠାରୁ ଚାଲିଗଲେ । ସମ୍ଭବତଃ ରାଜକୁମାରୀଙ୍କୁ ବିରୂପ ସହିତ ବିଭା କରାଇବା ନିମନ୍ତେ ଯେଉଁ ମନ୍ତ୍ରଣା ସେମାନେ କରୁଥିଲେ, ସେଥିପାଇଁ ସେମାନେ ନିଜେ ନିଜେ ଲଜ୍ଜିତ ଅନୁଭବ କରୁଥିଲେ । ଏଣେ କଳିଙ୍ଗର ରାଜକୁମାରଙ୍କ ଭଳି ବୀର ଓ ପ୍ରତିପତିଶାଳୀ ବରପାତ୍ରଙ୍କୁ ବିରୋଧ କରିବା ଅର୍ଥ ନିଜର ଅନିଷ୍ଟ ଡାକି ଆଣିବା ବୋଲି ସେମାନେ ବୁଝୁଥିଲେ ।

ଏଣେ ବିରୂପ ଯେପରି ଆଜୀବନ ଭଲରେ ଚଳିବ, ରାଜା ସେ ବ୍ୟବସ୍ଥା କରି ଦେଲେ ।

ବେତାଳ ତା’ କାହାଣୀଟି ଏଇଠି ଶେଷ କରି ସେ ହଠାତ୍ ନିଜ କଣ୍ଠସ୍ୱର ତୀବ୍ର କରି ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜା! ବିରୂପ ଭିନ୍ନ ଉଦ୍ଧେଶ୍ୟରେ ଆସିଥିଲା ଓ ତାହା ପୂରଣ ହୋଇଛି ବୋଲି କହିବା ଦ୍ୱାରା କ’ଣ ବୁଝାଉଥିଲା? ଜଣଙ୍କ ପାଇଁ ଯାହା ସୌଭାଗ୍ୟ, ଆଉଜଣଙ୍କ ପାଇଁ ତାହା ଅଭିଶାପ ବୋଲି ସେ ଏପରି କହିବାର ଅର୍ଥ କ’ଣ? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ମଧ୍ୟ ଯଦି ତମେ ନିରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ତିଳେ ବି ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ, “ବିରୂପର ଉଦ୍ଧେଶ୍ୟ ଥିଲା ମୃତ୍ୟୁ ଭାଗ୍ୟର ଅନ୍ୱେଷଣ । ସେ ଅସୀ-ବଳୟ ଦେଖି ବୁଝିଲା, ଯଦି ଆଶୁ ମୃତ୍ୟୁ ତା ଭାଗ୍ୟରେ ଥିବ, ତେବେ ସେ ଭାଗ୍ୟ ବରଣ କରିବା ସକାଶେ ଏହା ହିଁ ସୁବର୍ଣ୍ଣ ସୁଯୋଗ । ସେ ଲମ୍ପ ଦେଲା, କିନ୍ତୁ ମଲା ନାହିଁ । ସେ ସିଦ୍ଧାନ୍ତ କଲା ଯେ ମୃତ୍ୟୁ ପାଇଁ ତାର ସମୟ ହୋଇ ନାହିଁ । ଦ୍ୱିତୀୟ ପ୍ରଶ୍ନର ଉତ୍ତର ମଧ୍ୟ ସହଜ । ସେ କାଂଚନକୁ ବିଭା ହେଲେ ଲୋକହସା ହେବ । ସିଏ କିଏ, ଆଉ ରାଜ୍ୟ ଶାସନ କିଏ! ପୁଣି ରାଜକୁମାରମାନେ ସେହି ମୁହୂର୍ତ୍ତରୁ ତା’ ପ୍ରତି ଥଟ୍ଟା ପରିହାସର ସୂତ୍ରପାତ କରିଥିଲେ । ସେପରି ଜୀବନ ଅଭିଶାପ ଛଡା ଆଉ କ’ଣ ବା ହୋଇପାରେ? ବିରୂପ ସିନା ଦେଖିବାକୁ ବିକଳାଙ୍ଗ ଥିଲା, କିନ୍ତୁ ସେ ବୋକା ନଥିଲା । ତା’ର ବିବେକ ବୋଧ ଯଥେଷ୍ଟ ଥିଲା । ତା’ର ଭାଗ୍ୟ ମଧ୍ୟ ଖୁବ୍ ଭଲ ବୋଲି କହିବାକୁ ହେବ । ସାହସ-ପରୀକ୍ଷାରେ ଉତୀର୍ଣ୍ଣ ହେବା ଯୋଗୁଁ ସେ ଆଜୀବନ ଆରାମ୍ରେ ରହିବାର ବ୍ୟବସ୍ଥା ରାଜା କରିଦେଲେ ।”

ରାଜାଙ୍କର ଏପ୍ରକାର ଉତ୍ତର ପ୍ରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ମଧ୍ୟ

ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲିପଡିଲା ।

 

ସମ୍ମାନ ପାଇଁ ଯୋଗ୍ୟତା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.