ଗପ ଟିଏ ଜହ୍ନମାମୁଁ ପୃଷ୍ଠାରୁ ♦️ ନାରାୟଣ ଓ ନଡିଆ ♦️

Odia Story Narayan Nadia
Reading Time: 4 minutes

ବଳଭଦ୍ର ନାମକ ଜଣେ ଯୁବକ ଗୁରୁକୂଳରେ ଶିକ୍ଷା ଶେଷକରି ନିଜ ଗ୍ରାମକୁ ଲେଉଟି ଆସିଲେ ।

ବଳଭଦ୍ରଙ୍କ ପିତା ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ସେ କ୍ଷେତବାଡି କରିବା ସଙ୍ଗେସଙ୍ଗେ ଲେଖାପଢା ମଧ୍ୟ କରୁଥା’ନ୍ତି ।

ସେ ସଂସ୍କୃତ ଗ୍ରନ୍ଥସବୁ ଅନୁବାଦ କରି ସହରର ଜଣେ ଧନୀଲୋକଙ୍କ ପାଖକୁ ପଠାଇ ଦିଅନ୍ତି । ଧନୀଲୋକ ତାଙ୍କୁ ବେଶ୍ ଭଲ ପାରିଶ୍ରମିକ ଦିଅନ୍ତି । ବଳଭଦ୍ରଙ୍କ ପିତା ଚାହୁଁଥିଲେ ଯେ ବଳଭଦ୍ର ତାଙ୍କୁ ଲେଖାପଢାରେ ସାହାଯ୍ୟ କରୁ ।

ବଳଭଦ୍ରଙ୍କୁ ମଧ୍ୟ ସେ କାମ ଭାରି ଭଲ ଲାଗିଲା । ପିତାପୁତ୍ର ମିଶି ଅନୁବାଦ କାମ ବଡ ଭଲ ଭାବରେ ଓ ଶୀଘ୍ର କରିପକାନ୍ତି । ସେମାନେ ହଂସ ପୁରାଣ ଅନୁବାଦ କରୁଥାନ୍ତି । କିଛିଦିନରେ ତାହା ଶେଷ ହେବାରୁ ପିତା ପୁତ୍ରକୁ କହିଲେ, “ପୁଅ, ତୁ ନିଜେ ଏହି ଅନୁବାଦଟି ନେଇ ଧନୀକଙ୍କ ପାଖକୁ ଯା । କେତେବର୍ଷ ଧରି ଏହି ଗ୍ରନ୍ଥଟିକୁ ଅନେକ ଲୋକ ଅନୁବାଦ କରିବାକୁ ଚାହିଁଲେ ମଧ୍ୟ କରିପାରୁ ନଥିଲେ । ଏବେ ଆମେ ଏଇଟି କରି ଦେଇଛେ, ତେଣୁ ତୁ ନିଜେ ନେଇ ଯା ।”

ତା’ପରେ ବଳଭଦ୍ର ସେ ଅନୁବାଦ ପୋଥିଟି ହାତରେ ଧରି ସହରକୁ ଗଲେ । ବାଟରେ ଜଣେ ଲୋକ ସହିତ ତା’ର ଦେଖା ହେଲା । ସେ ତାଙ୍କ ନିଜଆଡୁ ଡାକି କହିଲେ, “ତମେ ବଳଭଦ୍ର ନା? ବହୁତ ପଢାପଢି କରିଛ, ନୁହେଁ? ଏବେ ଯାଉଛ କୁଆଡେ?”

ବଳଭଦ୍ର ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଲେ ମଧ୍ୟ ନିଜେ ମନେପକାଇ ପାରିଲେ ନାହିଁ ଆଗରୁ କେଉଁଠି ସେ ଏ ଲୋକକୁ ଦେଖି ଥିଲେ ।

ବଳଭଦ୍ର ଟିକିଏ ଥତମତ ହେବାରୁ, ସେ ଅବସ୍ଥା ବୁଝିଯାଇ କହିଲେ, “ଆରେ ଭୁଲିଗଲ ନା କ’ଣ? ମୁଁ ନାରାୟଣ । ମୋତେ ଭଲ କରି ଚାହିଁ ଦେଖ । ତୁମର କିଛି ମନେ ପଡୁଛି?

ବଳଭଦ୍ରଙ୍କର ସବୁ ମନେ ପଡିଗଲା । ନାରାୟଣ ସବୁବେଳେ ପିଲାମାନଙ୍କୁ ଡାକି ଗଳ୍ପ ଶୁଣାନ୍ତି । ସେତେବେଳେ ବଳଭଦ୍ର ମଧ୍ୟ ପିଲାଙ୍କ ମଧ୍ୟରୁ ଜଣେ ଥିଲେ । ଏତିକି ମନେ ପଡିଲା ଯେ ଗଳ୍ପ ଚାଲିଥିବ, ମଝିରେ ନାରାୟଣଙ୍କ ସ୍ତ୍ରୀ ସେବତୀ ଆସି ସମସ୍ତିଙ୍କୁ ଭୀଷଣ ଗାଳିଦେଇ ସେଠାରୁ ତଡିଦିଅନ୍ତି । କିନ୍ତୁ ନାରାୟଣ ପୁଣି ପିଲାମାନଙ୍କୁ ଡାକିଆଣି ଗଳ୍ପ କୁହନ୍ତି । ପିଲାଏ ଏଥିରେ ବେଶ୍ ଖୁସି । ଗଳ୍ପଟି କେଉଁଠି ଅଧା ରହିଥିଲା ବା ଅଟକି ଥିଲା, ସେ କଥା ପିଲାମାନେ ପୁଣି କହିଦିଅନ୍ତି । ବଳଭଦ୍ର ପ୍ରଥମେ ଚିହ୍ନି ନ ପାରିବାରୁ ଦୁଃଖିତ ହେଲେ ।

ନାରାୟଣ ହସି ଦେଇ କହିଲେ, “ଆଚ୍ଛା, ସେ କଥା ଛାଡ, ତମେ ଯଦି କାଲି ଭିତରେ ସହରରୁ ଫେରିଆସିବ ତ ମୋ ପାଇଁ ଗୋଟିଏ ନଡିଆ କିଣି ନେଇ ଆସିବ । କାହିଁକିନା ପହରିଦିନ ଭଗବାନଙ୍କ ପୂଜାରେ ନଡିଆଟିଏ ବାଡେଇବାକୁ ହେବ; କିନ୍ତୁ ଆମ ଗ୍ରାମର ନଡିଆ ଗୁଡିକ ଭଲ ଜାତିର ନୁହେଁ ।

ବଳଭଦ୍ର କହିଲେ “ଆପଣଙ୍କ ପାଇଁ କାଲି ସଂଧ୍ୟାଭିତରେ ନଡିଆଟିଏ ନିଶ୍ଚୟ ଆସିଯିବ । ଏଥିଲାଗି ଆପଣ ଆଶ୍ୱସ୍ତ ରହନ୍ତୁ ।”

ନାରାୟଣ ପୁଣି କହିଲେ, “ଏଠାରେ ଯାହାକୁ ମୁଁ କାମ କରିବାକୁ କୁହେ ସମସ୍ତେ ହଁ ଭରନ୍ତି । କିନ୍ତୁ କରନ୍ତି ନାହିଁ । ତମେ ଅନ୍ତତଃ ସେପରି କରିବ ନାହିଁ ବୋଲି ମୋର ଆଶା ବିଶ୍ୱାସ ।”

ସଂଧ୍ୟାବେଳକୁ ବଳଭଦ୍ର ସହରରେ ପହଁଚି ଧନୀ ଜମିଦାରଙ୍କୁ ହଂସପୁରାଣ ଅନୁବାଦ ଥିବା ପାଣ୍ଡୁଲିପି ଧରାଇ ଦେଲେ । ଜମିଦାର ଏଥିରେ ବହୁତ ଖୁସି ହେଲେ ଓ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ ଏତେ ଶୀଘ୍ର ଏହା କିପରି ସମ୍ଭବ ହେଲା । ଉତ୍ତରରେ ବଳଭଦ୍ର ଅଳ୍ପ ହସି କହିଲେ ଯେ ତାଙ୍କର ଗୁରୁକୂଳ ବିଦ୍ୟାସମାପ୍ତି ପରେ ସେ ପିତାଙ୍କୁ ତାଙ୍କ ମହାନ୍ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବାରୁ ଶୀଘ୍ର କାର୍ଯ୍ୟଟି ଶେଷ ହେଲା । ଜମିଦାର ଶ୍ଳୋକଟିଏ କହିଲେ ଓ ବଳଭଦ୍ରଙ୍କୁ ତାହାର ଅର୍ଥ କରିବାକୁ କହିଲେ । ବଳଭଦ୍ର କହିଲେ ଯେ ସେହି ଶ୍ଳୋକର ଏକ ନୁହେଁ ଅନେକ ଅର୍ଥ ଅଛି । ଏତିକି କହି ସେ ସେହି ଶ୍ଳୋକର ଅଠର ପ୍ରକାରର ବ୍ୟାଖ୍ୟା କଲେ ।

ଏସବୁ ଶୁଣି ସେ ଜମିଦାର ଖୁବ୍ ଆଶ୍ଚର୍ଯ୍ୟହୋଇ କହିଲେ, “ତମେ ତ ଜଣେ ଅସାଧାରଣ ବିଦ୍ୱାନ୍ । ତମେ ଯଦି ଆଉ ଚାରିଦିନ ଏଠାରେ ରହିଯିବ ତ ମୁଁ ଏକ ବିଦ୍ୱାନ ସଭାର ଆୟୋଜନ କରିବି । ତମେ ସେଥିରେ ଅଂଶ ଗ୍ରହଣ କରିବ ।”

ଏପରି କଥା ଶୁଣି ସେ ବଳଭଦ୍ର ଏବେ ବଡ ଅଡୁଆରେ ପଡିଲେ । ସେ ନାରାୟଣଙ୍କ ନଡିଆ କଥା ଭାବିଲେ । ନିଜର ସ୍ୱାର୍ଥପାଇଁ ତାଙ୍କର ପୂଜାରେ ବାଧା ପଡିବ ତାହା ସେ ଚାହୁଁ ନଥିଲେ । ପୁଣି ଏତିକି ଟିକିଏ କଥାକୁ ସେ ବା ଜମିଦାରକୁ କିପରି କହିବେ? ଏପରି ଭାବୁ ଭାବୁ ତାଙ୍କ ମନକୁ ଗୋଟାଏ ଉପାୟ ଜୁଟିଲା । ସେ କହିଲେ, “ମହାଶୟ, ମୋ ଜେଜେମାଙ୍କ ଦେହ ଅସୁସ୍ଥ । ମୁଁ ଔଷଧ ନେଇ ଆଜି ରାତିରେ ଫେରିବି । ଏଠାରେ ରହିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ ।”

ଜମିଦାର ହସି ହସି କହିଲେ, “ଓ ଏଇ ମାତ୍ର କଥା? ତୁମେ ଔଷଧର ନାମ କୁହ । ମୁଁ ମୋ ଲୋକଙ୍କ ଦ୍ୱାରା ତାହା ତୁମ ଗ୍ରାମକୁ ପଠେଇ ଦେବି ।”

ବଳଭଦ୍ର ମହା ହଇରାଣରେ ପଡିଲେ । ସେ କହିଲେ, “ମହାଶୟ, ମୋ ଜେଜେମା’ଙ୍କ ମାନସିକ ରୋଗ । ମୁଁ ସେଠାରେ ଉପସ୍ଥିତ ନ ରହିଲେ ତାଙ୍କର ମାନସିକ ରୋଗ ବଢିଯାଏ ।”

ତା’ପରେ ସେ ଜମିଦାର ଆଉ ବେଶି ଜିଦ୍ କଲେ ନାହିଁ । ତାଙ୍କର ରହିବା ଖାଇବା ବ୍ୟବସ୍ଥା କରି ଦେଇ ସେ କହିଲେ ଯେ ପରଦିନ ଯିବା ପୂର୍ବରୁ ତାଙ୍କୁ ଯେପରି ସେ ଦେଖା କରି ଯାଆନ୍ତି । ସେଦିନ ସକାଳେ ସେ ସାରା ବଜାର ବୁଲିବୁଲି ନଡିଆଟିଏ ବି ପାଇଲେ ନାହିଁ । ବଡ ମନଦୁଃଖରେ ବଳଭଦ୍ର ଜମିଦାର ଘରକୁ ଫେରିଲେ ଓ ପୂଜାରୀକୁ କହିଲେ ଯେ ସେ ନଡିଆଟିଏ ଚାହାଁନ୍ତି ।

ପୂଜାରୀ କହିଲା, “ନଡିଆ ତ ବସ୍ତାଏ ଅଛି, ଗୋଟାଏ କାହିଁକି? ହେଲେ ବାବୁ ତମେ ଜମିଦାରଙ୍କ ଠାରୁ ଅନୁମତି ନ ଆଣିଲେ ମୁଁ ଦେଇ ପାରିବି ନାହିଁ । କିନ୍ତୁ ତମେ ଜମିଦାରଙ୍କୁ ନଡିଆଟିଏ ମାତ୍ର ମାଗିବ? ଇଏ ତ ସୁନ୍ଦର କଥା ହେବ ନାହିଁ ।”

କିନ୍ତୁ ନାରାୟଣଙ୍କୁ ମନେକରି ସେ ଜମିଦାରଙ୍କୁ ଯାଇ କହିଲେ, “ଜେଜେମାଙ୍କର ନଡିଆଟିଏ ଦରକାର । ଆଜି ବଜାର ବୁଲି ବୁଲି ଆସିଲି, ଗୋଟିଏ ହେଲେ ବି ପାଇଲି ନାହିଁ ।”

“ଏତିକି ଟିକିଏ କଥାକୁ ଏତେ ବ୍ୟସ୍ତ? ତା’ପରେ ଜମିଦାର ଚାରିଟି ନଡିଆ ଓ ପୁରାଣ ବାବଦ ଦଶହଜାର ଟଙ୍କା ତାକୁ ଦେଲେ ।

ବଳଭଦ୍ର ଗ୍ରାମରେ ପହଁଚିବା ବେଳକୁ ରାତି ହୋଇ ଗଲାଣି । ସେ ଟଙ୍କାସବୁ ତା’ ବାପାଙ୍କୁ ଦେଇଦେଇ, କ’ଣ ସବୁ ଘଟିଲା ସବିସ୍ତାରେ କହିଲେ ।

ବାପା କହିଲେ, “ଜମିଦାର କୌଣସି ଗ୍ରନ୍ଥ ପାଇଁ ଏତେ ଧନ ଦେଇ ନ ଥିଲେ । ମୋର କାଇଁ ମନେ ହୁଏ ସେ ତୋ ଉପରେ ବହୁତ ଖୁସି ହୋଇଛନ୍ତି । ତୁ ଯଦି ବିଦ୍ୱାନ୍ ସଭାରେ ଭାଗନେଇଥା’ନ୍ତୁ ତେବେ ସାରାଜୀବନ ଚଳିଲା ପରି ଧନ ସେ ତୋତେ ନିଶ୍ଚୟ ଦେଇଥାନ୍ତେ ।”

ବଳଭଦ୍ର କହିଲେ “ଗୁରୁକୂଳରେ ମୁଁ ଶିକ୍ଷା ପାଇଛି ଯେ ଧନଠାରୁ ବଚନ ରକ୍ଷାକରିବା ମହତ । ଆମକୁ ଯଦି ଧନ ମିଳିବାର ଥାଏ କେବେହେଲେ ମଧ୍ୟ ତାହା ମିଳିଯିବ । କିନ୍ତୁ ବଚନ ଥରେ ଗଲେ ଆଉ କଦାପି ମଧ୍ୟ ମିଳିବ ନାହିଁ ।”

ବଳଭଦ୍ରଙ୍କ ପିତା କହିଲେ “ନାରାୟଣ ପାଇଁ ତୁ ଯେଉଁ କାମ କଲୁ ତାହା ଠିକ୍ । କିନ୍ତୁ ଜାଣିବା ଉଚିତ୍ କେଉଁ କାମଟା ଅଧିକ ମୂଲ୍ୟବାନ୍ ।”

“ଆଚ୍ଛା” ଏହା କହି ବଳଭଦ୍ର ନଡିଆଟି ଧରି ନାରାୟଣଙ୍କ ଘରକୁ ଗଲେ । ସେଠାରେ ସେ ଦେଖିଲେ ଘରେ ତାଲା ପଡିଛି । ସେ ପଚାରି ବୁଝିଲେ ଯେ ତାଙ୍କ ସ୍ତ୍ରୀ ମରିବା ଦିନରୁ ତାଙ୍କର କୌଣସି କିଛିରେ ଠିକ୍ ନାହିଁ । ସେ କେତେବେଳେ ଆସନ୍ତି ଓ କେବେ ଯାଆନ୍ତି ସେ କଥା ସଠିକ୍ ଭାବେ କହିବା ଅସମ୍ଭବ ।

ବଳଭଦ୍ର କିଛି ସମୟ ସେଠାରେ ଅପେକ୍ଷା କରିବା ପରେ ନଡିଆ କଥା ଲେଖି ରଖି ଦେଇ ଆସିଲେ । ପରଦିନ ଯାଇ ସେ ଦେଖିଲେ ତାଲା ବନ୍ଦ । ଦ୍ୱିପ୍ରହର ସମୟରେ ପୁଣି ନଡିଆଟି ଧରି ଆସି ଦେଖିଲେ ନାରାୟଣ ନିଜଘରେ ବସି କ’ଣ ପଢୁଛନ୍ତି । ବଳଭଦ୍ରଙ୍କୁ ଦେଖି ରାଗିଯାଇ ସେ କହିଲେ, “ମୁଁ ପଢାପଢି କରିବାବେଳେ କେହି ବିଘ୍ନ ସୃଷ୍ଟି କରୁ ମୁଁ ତାହା ଆଦୌ ପସନ୍ଦ କରେ ନାହିଁ । କୁହ ତୁମର କ’ଣ ଦରକାର?”

ବଳଭଦ୍ର କହିଲେ “ଆପଣଙ୍କୁ ଦେଖା କରିବାକୁ କାଲି ଦୁଇଥର ଆଜି ଦୁଇଥର ଆସି ଦେଖିଲି ତାଲା ବନ୍ଦ । ଆପଣ ଯାଇଥିଲେ କୁଆଡେ?”

ନାରାୟଣ କହିଲେ “ମୁଁ କୁଆଡେ ବି ଯାଇନଥିଲି । ଲୋକମାନେ ଆସି ମୋ ପଢାପଢିରେ ବିଘ୍ନ ଘଟାନ୍ତି ବୋଲି ମୁଁ ବାହାରେ ତାଲା ଦେଇ ଭିତରେ ଥିଲି ।”

ବଳଭଦ୍ର ପ୍ରଶ୍ନ କଲେ “ଓ ଏପରି କଥା? ତେବେ ଆଜି ଆପଣ ଭଗବାନଙ୍କ ପାଇଁ ନଡିଆ ବାଡେଇ ନାହାଁନ୍ତି?”

ନାରାୟଣ କହିଲେ “ସେଇଟା ବଡ କଥା ନୁହେଁ । ଥିଲେ ବାଡେଇଥାନ୍ତି । ନଥିଲେ ନାହିଁ । କଥା କ’ଣ କି ଏବେ ମୋ ଦେହ ଭଲ ରହୁନାହିଁ । ଟିକିଏ ଉଗ୍ରଭସ୍ମ ମୁହଁରେ ଲେପିବା ପାଇଁ ବୈଦ୍ୟ କହିଛନ୍ତି । ତୁମେ କେବେ ସହର ଗଲେ ଉଗ୍ରଭସ୍ମ ମୋ ପାଇଁ ଆଣିବ ।”

ବଳଭଦ୍ର ଦେଖିଲେ ନଡିଆ ପ୍ରତି ତାଙ୍କର ଦୃଷ୍ଟି ମଧ୍ୟ ଯାଉନାହିଁ । ଶେଷକୁ ସେ ବାଧ୍ୟ ହୋଇ ନଡିଆଟି ତାଙ୍କ ହାତରେ ଦେଇ କହିଲେ, “ଏହି ନଡିଆ ଆପଣ ଆଣିବାକୁ ମୋତେ କହିଥିଲେ । ମୁଁ କେତେ ପ୍ରକାର କଷ୍ଟ ସ୍ୱୀକାର କରି ଏହା ଆଣିଲି । ଅଥଚ ଆପଣଙ୍କ ଦୃଷ୍ଟିରେ ବି ଏହା ପଡୁ ନାହିଁ? ଇଏ କି ପ୍ରକାର କଥା?”

ନାରାୟଣ କହିଲେ “କଥା କ’ଣକି କେହି ହେଲେ ବି ମୋ କାମ କରିଦିଅନ୍ତି ନାହିଁ । ଆଜି ଦେଖୁଛି ପ୍ରଥମଥର କେହି ମୋ ପାଇଁ କିଛି କଲା । ସେ ଯାହାବି ହେଉ, ତମକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ । କିନ୍ତୁ ମୁଁ ଯେଉଁ ଉଗ୍ରଭସ୍ମ କଥା କହିଲି ତାହା ବହୁତ ଦାମ୍ । ତେଣୁ ତମେ ତାହା ଆଣିବ ନାହିଁ । ଆଉ କାହାକୁ ମୁଁ ସେକଥା କହିବି । ସେ ଆଣିଦେବ ।”

ବଳଭଦ୍ର ନାରାୟଣଙ୍କ କଥା ଶୁଣୁଥିଲେ, ଗୁଡାଏ ନିରର୍ଥକ କଥା । ସେତେବେଳେ ତାଙ୍କ ପିତାଙ୍କ କଥା ସେ ଉପଲବ୍ଧି କରୁଥିଲେ ଯେ କେଉଁଥିରେ କି ପ୍ରକାର ମୂଲ୍ୟ ଅଛି, ତାହା ଦେଖି କାର୍ଯ୍ୟ କରିବାକୁ ଶିଖିବା ଉଚିତ୍ ।

 

ବିଷମ ପରୀକ୍ଷା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.