ବୋଉର_ପେନସନ

maa 1
Reading Time: 4 minutes

ବୋଉର ପେନସନ କାହା ସହ ତୁଳନୀୟ ?ଭାରତୀୟ ରିଜର୍ଭ ବ୍ୟାଙ୍କ ଅଥବା ବନ୍ଦ ହୋଇପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର !!!
ଏ ପ୍ରଶ୍ନ ମୁଁ ବାରମ୍ବାର ନିଜକୁ ପଚାରେ।ଆଉ ଉତ୍ତର ସବୁବେଳେ ସମାନ ହିଁ ଆସେ।
ମମତାଙ୍କ ପାଟି ଶୁଣି ଭାବନାରାଜ୍ୟରୁ ଫେରିଆସିଲି।
-“ପେନସନ ନୁହେଁ ଟେନସନ।ବୋଉ କହୁଛନ୍ତି ତାଙ୍କ ପେନସନ ଟଙ୍କା କାଳେ ପୁଣି ଚୋରୀ ହୋଇଛି।ତାଙ୍କ ପେନସନ ଖାତା ଓ ଟଙ୍କା ନେଇ ତମେ ଆଜି ବ୍ୟାଙ୍କ ଲକର ରେ ରଖ।ଏସବୁ ପାଲା ମୁଁ ଆଉ ସମ୍ଭାଳି ପାରିବି ନାହିଁ।”
ଶ୍ରୀମତୀଙ୍କ ଅଭିଯୋଗ ଶୁଣି ଫେଁ କିନା ହସିଦେଇ କହିଲି,”ଏଥିରେ ନୂଆ କଥା କଣ ?ବୋଉ ର କଣ କିଛି ମନେ ରହୁଛି ?ନିଜେ ତକିଆତଳେ କିମ୍ବା ଟ୍ରଙ୍କ ଅବା ଅନ୍ୟ କେଉଁଠି ରଖିଦେଇଥିବ। ତେବେ ଏଥର ଚୋର କିଏ ଆଉ କେତେ ଟଙ୍କା ?”
– ତିରିଶ ଟଙ୍କା ହଜିଛି ବୋଲି କହୁଛନ୍ତି।ଚାକରାଣୀ ମଞ୍ଜୁକୁ ଓ କେଶବକୁ ସକାଳୁ ବହେ ଗାଳି ଦେଇ ସାରିଲେଣି।ଗାଡି ଭଡା ପାଇଁ ରଖିଥିଲେ ବୋଲି କହୁଛନ୍ତି।”
ପେପର ଟା ରଖି ପଚାରିଲି,”ଗାଡି ଭଡା !କୁଆଡେ ଯିବ ବୋଉ ?”
– ଆଜି ପରା ନଭେମ୍ବର ପହିଲା। ବ୍ୟାଙ୍କ ଯିବେ ,ଲାଇଫ ସାର୍ଟିଫେକେଟ ଦେବେ ଓ ପେନସନ ଆଣିବାକୁ।ତମେ ରେଡି ହୋଇନ ଯେ ?ଏଇନା ମୋତେ କେତେ କଥା ଶୁଣାଇବେ।”
ମନେମନେ ହସି,ରେଡି ହେଲି।ବ୍ୟାଙ୍କ ଗଲା ପୂର୍ବରୁ କାରରେ ପୁରାଟାଙ୍କି ପେଟ୍ରୋଲ ଭରିବା ପାଇଁ ମୋ ହାତରେ ତିରିଶ ଟଙ୍କା ଧରାଇଦିଏ।ଆଜିକା ଯୁଗରେ ତିରିଶ ଟଙ୍କାରେ ପେଟ୍ରୋଲ!

ବାପାଙ୍କ ଅନ୍ତେ,ଫ୍ୟାମିଲି ପେନସନ ବୋଉ କୁ ମିଳୁଥିଲା।ବୋଉ ଶୋଉଥିବା ରୁମର ଖଟ ତଳେ ଗୋଟେ ବଡ଼ ଦସ୍ତା ବାକ୍ସ ଥିଲା ,ଯାହାକୁ ସେ ତା ବାପଘରୁ ଆଣିଥିଲା।ତା ରୁମରେ କପ ବୋର୍ଡ ଥିବା ସତ୍ୱେ,ନିଜର କିଛି ଭଲ ଲୁଗା ଓ ପେନସନ ବହି ସେଇ ଦସ୍ତା ବାକ୍ସରେ ରଖୁଥିଲା,ଯାହାକୁ ଅନ୍ୟମାନେ ସିନ୍ଦୁକ ବୋଲି ଚିଡାଉ ଥିଲେ।ଗାଁ ଘରେ ଅବଶ୍ୟ ଏବେ ବି ଵଡ଼ କାଠ ସିନ୍ଦୁକଟା ଥୁଆ ହୋଇଛି।ତାକୁ ସହରକୁ ଆଣିବାକୁ ହେଲେ ଟ୍ରକ ଓ କ୍ରେନ ଦରକାର
ଓ ଘରେ ଜାଗା ନାହିଁ ବୋଲି ବୁଝାଇଛି ।ନାତି ଚାକିରୀରି କଲେ ବଡ଼ ଘରେ ନାତୁଣୀ ବୋହୁ ପାଇଁ ସେଇ ସିନ୍ଦୁକ ରଖିବ ବୋଲି ବୋଉ କହେ।
ଏବେ ଘରେ ଥିବା ସେଇ ଟ୍ରଙ୍କରେ ଗୋଟେ ବିରାଟ ବଡ଼ ତାଲା ପଡୁଥିଲା,ଯାହାର ଚାବିକାଠି ଗୋଟେ ରୂପାପେନ୍ଥାରେ ଲଗାହୋଇ ବୋଉ କାନିରେ ବନ୍ଧା ହୋଇ ଝୁଲୁଥିଲା।ବାକ୍ସ ଭିତରେ ଥିବା ଜିନିଷ ଅପେକ୍ଷା ସେ ଆଣ୍ଟିକ ତାଲାର ଦାମ ବୋଧେ ଅଧିକ ଅଧିକ ବୋଲି ମୋତେ ଲାଗେ।
– ବୋଉଙ୍କ ଗନ୍ତାଘର ସେ ତାଲାକୁ ଚୋର ବି କାଟିବାକୁ ସାହାସ କରିବନି।”ମମତା କହେ।
ବୋଉ ମୋତେ ଚୁପ କିନା କହେ,”ଦୁଇ ବୋହୁଙ୍କର ମୋରି ବାକ୍ସ ଓ ପେନସନ ଖାତା ଉପରେ ଆଖି।”
ଚମକି ପଡି ମୁଁ ଚାରିଆଡକୁ ଅନାଏ।ମମତା ପଛପଟୁ କହେ, ମୋତେ ଆପଣଙ୍କ ପେନସନ ଟଙ୍କାରୁ ତ କିଛି କିଣିକି ଦେଉ ନାହାନ୍ତି।
ବୋଉ ହସେ।କହେ,”ଗଲାଥର ଯେଉଁ ଶାଢ଼ୀ କିଣିଥିଲି ତାକୁ ଚିରି ଦେଲୁଣୁ ନା କଣ ?”
– ବୋଉ,ସେ ସୂତା ଶାଢୀରୁ ରଙ୍ଗ ଛାଡ଼ିଲା ପରେ ମଂଜୁକୁ ଦେଇଥିଲି ବୋଲି,ଆପଣ ତାକୁ ଚୋରଣୀ କହିଲେ ବୋଲି ସେ ଆଣି ମୋତେ ଫେରାଇ ଦେଇଥିଲା।”
– ହଉ,ଏଥର ପେନସନ ପାଇଲେ ପାଞ୍ଚଶ କି ହଜାରେ ବାଲା କିଣିଦେବି।”
ମୁଁ ହସେ।
ବାପା ପେନସନ ପାଇଲା ଦିନ, ଗାଁ ଟ୍ରେଜେରୀ ରୁ ଫେରିଲା ବେଳେ ରସଗୋଲା,ପିଲାଙ୍କ ପାଇଁ ଚକୋଲେଟ,ବିସ୍କୁଟ ଓ ଭଲ ବାର ଥିଲେ ତାଳ ପତ୍ର ରେ ଗୁଡା ଖାସୀ ମାଂସ ନେଇକି ଆସୁଥିଲେ।
ବୋଉ ବି ପହିଲା ଦିନ ସଜବାଜ ହୋଇ ପ୍ରସ୍ତୁତ ହୋଇଯାଏ।ନିଜ ମାଣିଆବନ୍ଧ ଶାଢ଼ୀକୁ ଯତ୍ନରେ ପିନ୍ଧି ,ମମତା କିମ୍ବା ନାତୁଣୀଙ୍କ ଉଦ୍ଦେଶ୍ୟରେ ଡାକ ଛାଡେ।
– ଆଲୋ,ଟିକେ ମୋ ବ୍ଲାଉଜରେ ବୋତାମ ଦେଇଦେଲ।ସେପ୍ଟିପିନ ସବୁ ମୋ ତକିଆ ତଳୁ କିଏ ନେଇଛି ?ମୋରି ଜିନିଷ ଉପରେ ସମସ୍ତଙ୍କ ଆଖି।ମୋ ପୁଅକୁ କେତେ ଖର୍ଚାନ୍ତ କରାଇବ ?”
ତା ବ୍ଲାଉଜ,ସାୟା ବି ଚୋରୀ ହେଉଛି ବୋଲି ମୋତେ ଅଭିଯୋଗ କରେ।ସମସ୍ତେ ହସନ୍ତି, ମୁଁ କିନ୍ତୁ ଧ୍ୟାନ ଦେଇ ତା ଅଭିଯୋଗ ଶୁଣେ ବୋଲି ବେଶୀ ଭଲ ପାଏ ମୋତେ।
ବୋଉ ଘରେ ବ୍ଲାଉଜ ପିନ୍ଧେନା ବୋଲି
ମମତା କହେ,”ବୋଉ ,ଏତେ ବ୍ଲାଉଜ ଅଛି,ପିନ୍ଧୁ ନାହାନ୍ତି ?”
ମୋ ପୁଅ,ଝିଅ ବୋଉକୁ ଚିଡାନ୍ତି।
– ଜେଜେମା,ସିନେମା ହିରୋଇନ ଠାରୁ ଅଧିକ ଏକ୍ସପୋଜ କରୁଛ।ସେନ୍ସର ବୋର୍ଡରେ କଂପ୍ଲେନ ହେବ।”
ପାକୁଆ ପାଟିରେ ହସି ବୋଉ କହେ,”ଆଲୋ,କେଉଁ ନାଗର ମୋତେ ଅନେଇବ ଯେ ଲୁଚେଇବି ? ଏଇଆ କୁ ପରା ଚୁଚୁମି ଚୁଚୁମି ତମ ବାପା,ଦାଦା, ତମେ ଓ ତମ ଦାଦାଙ୍କ ଛୁଆ ସବୁ ବଡ଼ ହୋଇଛ।ତମ ପିଲା ଛୁଆ ହେଲେ ବି ଏଇ ବୁଢ଼ୀ ଛାତିରେ ଓହଳିବେ।”
-ଜେଜେମା ଟା ଭାରି ଅଭଦ୍ର।ପାଟିରେ ବାଦ ବତା ରଖୁନି।”
ସମସ୍ତେ ହୋ ହୋ ହୋଇ ହସନ୍ତି।ମୋତେ ଲାଗେ ବୋଉମାନେ ସବୁ ମମତା ର ଅନନ୍ତ ସାଗର ,ଆକାଶ ପରି ବ୍ୟାପ୍ତ।ସାନଭାଇ ବମ୍ବେରେ ରହେ।ବୋଉ କୁ ପାଖକୁ ନେବାକୁ କହେ।ହେଲେ ମୁଁ ଛୋଡନା।ବୋଉ ତ ମୋ ଜୀବନ।ତାକୁ ଦିନେ ନଦେଖିଲେ ….
ବର୍ଷରେ ଥରେ ଅଧେ ଦଶ ପନ୍ଦର ଦିନ ପାଇଁ ଗଲେ ଆମେ ସମସ୍ତେ ବୋଉକୁ ଝୁରୁ।ବେଶୀ ମୁଁ।
ମମତା ମୋତେ ଚିଡାଏ,” ଦୁଧଖିଆ ଛୁଆ।”
ଏବେ ଆଗଭଳି ପ୍ରତିମାସ ଟ୍ରେଜେରୀ ବା ବ୍ୟଙ୍କ ଯିବା ଦରକାର ନାହିଁ ;ପାସବୁକରେ ଟଙ୍କା ଆପେ ଆପେ ଜମା ହେଉଛି।ସୁବିଧା ପାଇଁ ଏଟିଏମ ବି ଅଛି। ସିନିଅର ସିଟିଜନ ପାଇଁ ଅଧିକ ସୁବିଧା।
ହେଲେ ବୋଉ ପ୍ରତିମାସ ବ୍ୟାଙ୍କ ଯାଏ ଓ କିଛି ଟଙ୍କା ନିଜେ ଉଠାଇ ଆଣେ।ନାତି,ନାତୁଣୀଙ୍କ ପାଇଁ ଉପହାର, ଘର ପାଇଁ ମିଠା,ବାରମଜା ,ଚାକରାଣୀ ପାଇଁ କ୍ଲିପ,ଚୁଡ଼ି,ଘରେ କାମ କରୁଥିବା କେଶବ ପାଇଁ ସାର୍ଟ କି ଲୁଙ୍ଗି ଓ ମମତା ପାଇଁ ନାଲି ଶଙ୍ଖା ସିନ୍ଦୁର ଆଣେ।ନାତି,ନାତୁଣୀଙ୍କୁ ହାତ ଖର୍ଚ୍ଚ ଦିଏ।ପାଞ୍ଜି ଦେଖି ସେଇ ମାସ କଣ ପୁନେଇ ପର୍ବ ପଡିବ ତାହା ଦେଖି ବ୍ୟାଙ୍କରୁ ଫେରିଲା ବେଳକୁ ଉଠାଇଥିବା ପେନସନ ଟଙ୍କାରୁ ମୋ ହାତରେ ଶହେ ଟଙ୍କା ଦେଇ ଲମ୍ବା ତାଲିକା ବତାଇଦିଏ।
-“ଭଲ ଗୁଆ ଘିଅ,ବଳିତା,ଶୁଖିଲା ନଡିଆ,ଖଇ,ଉଖୁଡ଼ା,ମୁରୁଜ,ଧୂପକାଠି,ଝୁଣା, ମହୁ ଓ ଭଲ ପରିବା ଆଣିବୁ।ହଁ ମନେ କରି ନଡିଆ ବାଲାଠୁ ଶୁଖିଲା ନଡିଆ କତା ଆଣିବୁ,ଝୁଣା ଦେବାକୁ।”
ହଜାରେ ଟଙ୍କାର ଜିନିଷ ବରାଦ କରି ମୁଁ ଫେରିଲା ବେଳେ ମୋତେ ପଚାରେ,”ଟଙ୍କା ହେଇଗଲା ନା ବଳିଲା ?”
ହସିଦେଇ ବୋଉ ହାତକୁ ଦଶ, କୋଡ଼ିଏ ଫେରାଇଦେଲା ବେଳେ କହେ,”ତୋ ବାପା ଜମା ମୁଲେଇ ପାରୁନଥିଲେ।ଯୋଗଣୀଖିଆ ଦୋକାନୀ ଠକୁଥିଲେ।ତୁ ପୁରା ମୋ ଭଳି।”
ବୋଉକୁ କୁଣ୍ଢେଇ ପକାଇ ମୁଁ କହେ,
– “ତୋ ପେନସନ ଟଙ୍କା ବୋଲି ଦୋକାନୀ ଶସ୍ତାରେ ଦେଲା।”
ବୋଉକୁ ଭଲ କରି ଦିଶୁ ନଥିଲା କି ଶୁଭୁ ନଥିଲା।ତଥାପି ସବୁ ହିସାବ କିତାଵ ଦେଖେ ଓ ଆମକୁ ପଚାରେ।
ପିଲାମାନେ ବୋଉ ସାଙ୍ଗରେ ସବୁବେଳେ ଲଗାଇ ଥାନ୍ତି।
– ଜେଜେମା,ତମ ପେନସନ ଖାତାରେ କେତେ ଟଙ୍କା ହେଲାଣି ?ଆମ ନାଁ କୁ ଟ୍ରାନ୍ସଫର କରିଦିଅ।”
– ରୁହ,ମୁଁ ମଲେ ସବୁ ତୁମର।ତମ ଜେଜେ ପରା ମୋ ବାଟ ଅନେଇ ବସିଛି।”
ବୋଉ ପାଟିରେ ମୁଁ ହାତ ଦେଇ ତାକୁ ଧମକାଇଲା ଢ଼ଙ୍ଗରେ କହେ,
-“ଆମକୁ ଛାଡି କୁଆଡେ ଯିବାର ନାଁ ଧରିବୁନି।ଚିହ୍ନିବୁ ମୋତେ।ତୋ ଅନ୍ତେ ପେନସନ ସରକାର ଆମକୁ ନଦେଇ ନିଜେ ନେଇଯିବେ।ଯେତେଦିନ ଅଧିକ ବଞ୍ଚିବୁ, ପେନସନ ସେତେ ଅଧିକ ପାଇବୁ।”
ଆଖି ବଡ଼ବଡ଼ କରି ଅବିଶ୍ବାସ ଚାହାଣୀ ରେ ମୋତେ ଅନାଇ କହେ,
-ତୁ ସତ କହୁଛୁ !ମୋ ପିଲାଙ୍କୁ ମିଳିବନି ? ଅଳପେଇଷା ସରକାରଙ୍କ ମୋ ପେନସନ ଟଙ୍କାରେ ଆଖି ?ଅଣ ପଣ ନାତି ନାତୁଣୀଙ୍କ ବାହାଘର ଦେଖିଲା ଯାଏଁ ଅପେକ୍ଷା କରିବି।ହେଉ,ବେଡ଼ରୁମକୁ ଚାଲ, ମୋର ପେନସନ ହିସାବ ଖାତା ଟିକେ ଦେଖିବୁ।”
ମମତା ହସିଦେଇ ମୋ କାନରେ କହେ,
– ଅର୍ଥ ମନ୍ତ୍ରୀ ଓ ମହାରାଣୀଙ୍କ ବଜେଟ ହିସାବ ହେବ।ଲଞ୍ଚ ପୂର୍ବରୁ ବାହାରକୁ ବାହାରିବ।”
ଘର ଭିତରେ ବୋଉ ଗୋଟେ ବଡ଼ ପୁରୁଣା ଡାଏରୀ କାଢ଼େ।ବିଭିନ୍ନ ପୃଷ୍ଠାରେ ସେ ମୋ ହାତରେ ହିସାବ ଲେଖାଏ।ନାତି ନାତୁଣୀ ପାଇଁ ସଞ୍ଚୟ।ନାତିଙ୍କ ପାଠ ପଢ଼ା,ଭବିଷ୍ୟତରେ ନାତୁଣୀ ବାହାଘର ପାଇଁ ଫ୍ରିଜ,ପ୍ରେସରକୁକୁର,ଗ୍ରାଇଣ୍ଡର ଓ ବାସନ ସବୁ ସେ ଦେବ ବୋଲି ଫିକ୍ସ ଡ଼ିପୋଜିଟ ଟଙ୍କା କେତେ ହେଲା ବୋଲି ପଚାରେ।ବୋଉ ଜାଣେନା ତା ନାତୁଣୀ ଚାକିରୀ କରି ମାସକୁ ଦେଢ଼ ,ଦୁଇ ଲକ୍ଷ ଦରମା ପାଉଛି।
ତଥାପି ବୋଉ ପ୍ରତିମାସ ନାତୁଣୀକୁ ହାତ ଖର୍ଚ୍ଚ ଦିଏ।ଝିଅ ବି ଖୁସିରେ ନିଏ।ଦାଣ୍ଡରେ କଣ ବିକ୍ରୀ ଆସିଲେ କିଣେ।ମୋ ପ୍ରିୟ ଛୁନୁଛୁନିଆ ଶାଗ କି ଦହିବରା ନିଶ୍ଚୟ କିଣେ।ବିକାଳୀ ମାନେ ବି ବୋଉକୁ ଡରନ୍ତି।
-ହଇରେ,ଆଉ ଟିକେ ଲାଭ ଦେଉନ। ମୋ ପେନସନ ପଇସାରୁ ଦେଉଛି।ବୁଢ଼ୀ ମଣିଷକୁ ଠକିଲେ ଧର୍ମ ସହିବନି।”
ବିଚରା ବିକାଳୀମାନେ ବୋଉକୁ ମୁଣ୍ଡିଆ ମାରି ଡବଲ ଜିନିଷ ଦେଇକି ଯାଆନ୍ତି।ବୁଢ଼ୀ ମାଙ୍କୁ ସମସ୍ତଙ୍କ ଡର।ତା ପୁଅ ବଡ଼ ଅଫିସର ଏବଂ କାହାର କଣ ଦରକାର ହେଲେ ତାକୁ ଜଣାଇବାକୁ ସମସ୍ତଙ୍କୁ ତାଗିଦ କରେ।ସାନ ପୁଅ ବମ୍ବେର ଡାକ୍ତର ବୋଲି ବି କହିବାକୁ ଭୁଲେନା।
ଗାଁ ଘର ମୂଲିଆ,ହଳିଆ,ବ୍ରାହ୍ମଣ,ଠାକୁର,ଦୋଳ,ଜନ୍ମାଷ୍ଟମୀ ଖର୍ଚ୍ଚ ପାଇଁ ଅଲଗା ହିସାବ ହୁଏ।ତା ପେନସନ ଟଙ୍କାରେ ସବୁ ହୋଇଯିବ ବୋଲି ମୁଁ ତାକୁ କହେ ବୋଲି ସେ ଖୁସି ହୁଏ।ତଥାପି ମୋତେ କହେ,
– ବୋଉ ର ପେନସନ ବୋଲି ଆଖି ବୁଜି ଖର୍ଚ୍ଚ କରିବୁନି।ହୁସିଆର ହେବୁ।ବ୍ୟାଙ୍କ ବାଲାଙ୍କୁ ବି ବିଶ୍ବାସ ନାହିଁ।ଠିକ ଟଙ୍କା ଖାତାରେ ଚଢୁଛି କି ନାହିଁ ପରୀକ୍ଷା କରିବୁ।ବୁଢ଼ା ବୁଢ଼ୀଙ୍କ ଖାତାରୁ ଆଜିକାଲି ବେଶୀ ଚୋରୀ।କେତେ ଲକ୍ଷ ରହିଲାଣି ?ଚିନୁ,ରିଙ୍କି,ବୁବୁ,ଶ୍ରୁତିଙ୍କ ବାହାଘର ପାଇଁ ଅସୁବିଧା ହେବନି ତ ?”
– ତୋ ପେନସନ ଖାତା ଓ ଫିକ୍ସ ଡିପୋଜିଟ ରେ ଏତେ ଟଙ୍କା ଯେ ହିସାବ କରିବା କଷ୍ଟ।”
ଏକ ବିମୁଗ୍ଧ ଦୃଷ୍ଟିରେ ମୁଁ ବୋଉକୁ ଅନାଏ।ସରଳ ନିଷ୍କପଟ ମୁହଁରେ ଧାରେ ହସ।
ମନ ଭିତରେ ପୁଣି ପ୍ରତିଧ୍ବନିତ ହୁଏ ସେଇ ପ୍ରଶ୍ନ,”ବୋଉର ପେନସନ,କାହା ସହ ତୁଳନୀୟ ?”
ସତରେ କିଏ ହିସାବ କରିପାରିବ ମୋ ବୋଉର ପେନସନ ଟଙ୍କାରେ ଥିବା ମମତା,ସ୍ନେହକୁ।ତାହା ତ ଅସୁମାରୀ,ଅନନ୍ତ।ସେ ଏମିତି ଏକ ମହାରାଣୀ ଯାହାର ଗନ୍ତାଘର କେବେ ଖାଲି ହେବନି।
ଆଉ ବୋଉ ର ପେନସନ ହିସାବ ଦୁନିଆର କୌଣସି ଚାଟାର୍ଡ ଆକାଉଣ୍ଟଟାଣ୍ଟ ବି କରିପାରିବ ନାହିଁ।
ବୋଉକୁ କୁଣ୍ଢାଇ ମୁଁ ଗେଳ୍ହେଇ ହୋଇ କହେ,”ସମସ୍ତଙ୍କୁ ଦେଉଛୁ, ମୋତେ ତ ହାତ ଖର୍ଚ୍ଚ ଦେଇନୁ ?”
ପାକୁଆ ପାଟିରେ ଏକ ନୈସର୍ଗିକ ହସ ହସି ମୋତେ ଗେଲ କରି ମୋ ହାତରେ ଗୋଟେ ନୋଟ ଗୁଞ୍ଜିଦେବା ଆଗରୁ କହେ,”ବାଇଆ ଟା; ମୁଁ ପା ତୋ ପାଇଁ ଅଲଗା କରି ରଖିଛି।”
ମୋ ହାତରେ ବୋଉର ପେନସନ ଟଙ୍କା।ଦୁନିଆର ସବୁ ଖୁସି ଯେମିତି ଖୁନ୍ଦିହୋଇ ପ୍ରିଣ୍ଟ ହୋଇଯାଇଛି ସେଇ ଗୋଟାଏ ନୋଟ ରେ।
ନୋଟ ଭିତରେ ଭାସି ଉଠେ ବୋଉ’ର ମୁହଁ।
ବିହ୍ଵଳ ହୋଇ ମୁଁ ଅନେଇ ରହେ ସେଇ ଦଶଟଙ୍କିଆ ନୋଟକୁ।

 

(©ଅରବିନ୍ଦଦାସ)

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.