ବୋଉ ବଡ଼ ମିଛେଇ

your story 1024x455 1
Reading Time: 3 minutes

ମୁଁ, ମୋର ଦୁଇ ଭଉଣୀ ଓ ବାପା ବୋଉ ଙ୍କୁ ନେଇ ଆମର ସୁଖୀ ପରିବାର। ସମ୍ପତ୍ତି କହିଲେ ତିନି ବଖରା ଚାଳ ଛପର ଘର, ଘର ଆଗପଟେ ଏକ ଛୋଟ ଅଗଣା ଓ ପଛ ପଟେ ଗୋଟେ ବାଡି। ଆଉ ଚାରି ଏକର ଚାଷ ଜମି। ଜମି ରୁ ମିଲୁଥିବା ଧାନ, ବାଡ଼ି ରୁ ମିଲୁଥିବା ପନିପରିବା ଓ ଗାଇ ଠାରୁ ମିଲୁଥିବା ଖିର ରେ ଆମ ପରିବାର ଯେମିତି ସେମିତି ଚଳିଯାଏ। ବଡ ଦୁଇ ଭଉଣୀ ଙ୍କ ବିଭାଘର ଶେଷ ହୋଇଛି ଓ ମୁଁ ପାଠ ପଢ଼ା ଜାରି ରଖିଛି।
ବାପା ବୋଉ ଦୁଃଖୀ ହେବାର କେବେ ମୁଁ ଦେଖିନି। ବିବାହ ର ପଚିଶ ବର୍ଷ ପରେ ବାପା ତାଙ୍କ ସ୍ଵଳ୍ପ ସଞ୍ଚିତ ଅର୍ଥ ରେ କଟକ ରୁ ଏକ ଶାଢ଼ି ଆଣି ବୋଉ କୁ ଦେଖାଇ କହିଲେ, ” ରମା ବୋଉ, ଦେଖିଲ ଶାଢ଼ି ଟା କିପରି ହୋଇଛି, ପିନ୍ଧିଲ ଦେଖି, ଶାଢ଼ି ଟା ତୁମକୁ କିପରି ମାନୁଛି? ” ଲକ୍ଷ୍ୟ କଲି ବୋଉର ଆଖି ଦୁଇଟା ଆନନ୍ଦ ରେ ଉଜ୍ଜ୍ବଳ ହୋଇ ଉଠିଲା। ସେ କହିଲା, ” ଏ ମା, କି ସୁନ୍ଦର ଦିଶୁଛି! ଝିଅ ମାନଙ୍କ ଘରକୁ ଗଲେ କି ତୁମ ସାଙ୍ଗ ରେ କଟକ ଗଲେ ମୁଁ ଏହାକୁ ପିନ୍ଧିବି। ଘରେ ପିନ୍ଧି ଏହାକୁ କାହିଁକି ନଷ୍ଟ କରିବି? ” ଦେଖିଲି ବାପା ବି ଆନନ୍ଦ ରେ କୁରୁଳି ଉଠୁଥିଲେ।
ରଜ ରେ ରମା ଅପା ଆସିଥିଲା। ବୋଉ ଆଲମାରୀ ଖୋଲୁ ଥିବା ବେଳେ ଅପା ଆଖିରେ ଶାଢ଼ି ଟା ପଡିଗଲା। ଡିମା ଡିମା ଆଖି କରି କହିଲା, ” ବୋଉ, କି ସୁନ୍ଦର ଶାଢ଼ି ଲୋ, ବାପା ଏଇଟା ତୋ ପାଇଁ ଆଣିଛନ୍ତି ନା? ” ବୋଉ ସାମନ୍ୟ ହସି ନୀରବ ରହିଲା। ଅପା ଫେରିଲା ଦିନ ବୋଉ ତାକୁ ଶାଢ଼ି ଟା ଦେଇ କହିଲା, ” ବାପା ଏଇଟା ତୋ ପାଇଁ ଆଣିଥିଲେ ଲୋ। ରଜ ରେ ତୁ ଆସିବୁ ବୋଲି ସାଇତି ରଖିଥିଲି। ”

ବୋଉ କି ଖୁସି ରେ ମିଛ କହିଲା!

ଗତ ବର୍ଷ ଜମି ରେ ପ୍ରଚୁର ମୁଗ ହୋଇଥିଲା। ଘର ପାଇଁ କିଛି ରଖି ଅବଶିଷ୍ଟ ମୁଗ ର ବିକ୍ରି ଲବ୍ଧ ଟଙ୍କା ରେ ବାପା ବୋଉ ପାଇଁ ହଲେ କାନ ଫୁଲ ଆଣିଥିଲେ। ବୋଉ ର ଗୋରା ମୁହଁ କୁ ସେହି କାନ ଫୁଲ ଖୁବ୍ ସୁନ୍ଦର ଦିଶୁ ଥିଲା। ଦିନେ ସାନ ଅପା ବୁଲି ଆସିଥିଲା। ସେ ବୋଉ ମୁହଁ କୁ ଅନାଇ କହିଲା, ” ବୋଉଲୋ, ତୋ ଜ୍ୱାଇଁଙ୍କୁ କେତେ ଥର ଏଇ ଭଲି କାନ ଫୁଲ ଆଣିବାକୁ କହିଲିଣି, ଶୁଣୁ ନାହାଁନ୍ତି ଜମା। ଆମ ବାପା କେତେ ଭଲ। ”
ଅପା ଫେରିଲା ଦିନ ବୋଉ ବାଧ୍ୟ କରି କାନ ଫୁଲ ହଳକ ତାକୁ ପିନ୍ଧାଇ ଦେଲା। ବାପା କାମ ରୁ ଫେରି ବୋଉ ମୁହଁ କୂ ଅନାଇ ଚମକି ଉଠିଲେ। ତତକ୍ଷଣାତ ସେ ବୋଉ କୁ ପ୍ରଶ୍ନ କଲେ, ” କାନ ଦୁଇ ଟି ଖାଲି କାହିଁକି, ରମା ବୋଉ? “ବୋଉ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ” କାନ କୁ ଆଉ ଧାତୁ ସୁହାଉ ନି, କାନରେ ଘା ହୋଇ ଯାଇଛି। ମୁଁ ଓହ୍ଲାଇ ରଖି ଦେଇଛି। ”

ମୁଁ ଆଶ୍ଚର୍ଯ୍ୟ ହେଲି କି ସୁନ୍ଦର ଭାବେ ବୋଉ ମିଛ କହିଲା।

ପିଲାଦିନେ ବାପା ମାଛ କି ମାଂସ ଆଣିଲେ ବୋଉ ପ୍ରଥମେ ଆମ କୁ ବାଢ଼ି ଦିଏ ଏବଂ ଶେଷ ରେ ଖାଇ ବସେ। ଦିନେ ବଢିଆ ମାଂସ ତରକାରୀ ହୋଇ ଥିଲା। ବୋଉ ପରଷିବା ବେଳେ ବାପା ପଚାରିଲେ, ” ରମା ବୋଉ, ତମ ପାଇଁ ରଖୁଛ ଟି? ” ବୋଉ ଟିକେ ହସି ଦେଲା।
ତାପରେ ଦେଖିବାକୁ ପାଇଲି ବୋଉ ଥାଲିଏ ଭାତ, ଖାଲି ଝୋଳ ଓ ଦୁଇ ଖଣ୍ଡ ଆଲୁ ଧରି ବସିଛି। ପଚାରି ବାରୁ କହିଲା, “”ଧନରେ, ମୋର କଣ ଆଶା ନାହିଁ? ପଖାଳ ସାଥିରେ ମାଂସ କସା ସକାଳ ବେଳା ଖାଇ ଥିଲି, ତେଣୁ ରଖିଲି ନାହିଁ। ”

ଜାଣିଲି ବୋଉ ମମତା ରେ କି ମିଛ କହି ପାରେ!

ସମୟ କ୍ରମେ ମୁଁ ପିଲାମାନ ଙ୍କ ସହ ଚାକିରି କ୍ଷେତ୍ର କଟକ ସହରରେ ରହିଲି। ବାପା ବୋଉ ଙ୍କୁ ଚେଷ୍ଟା କରି ମଧ୍ୟ କଟକ ଆଣି ପାରିଲି ନାହିଁ। ମାସ କୁ ମାସ କିଛି ଟଙ୍କା ପଠାଏ। ଦିନେ ଖବର ପାଇଲି, ବୋଉର କହୁଣୀ ରେ ଘା ହୋଇଛି, ଜମା ଶୁଖୁ ନାହିଁ। ବୋଉ କୁ କଟକ ଆଣି ଡାକ୍ତର ଦେଖାଇ ବା ପାଇଁ ଗାଁ କୁ ଗଲି। ବୋଉ ତ ରାଜି ହେଲାନି, ବରଂ କହିଲା, ” ସାମନ୍ୟ ଘା ଟା, ଏଠି ଭଲ କବିରାଜ ଅଛନ୍ତି। ମୁଁ ଗଲେ ବାପା କେମିତି ଚଳିବେ? ” ମୁଁ ଫେରି ଆସିଲି।
ହଠାତ୍ ଦିନେ ଖବର ପାଇଲି ବୋଉ ଆଉ ନାହିଁ। ତତ୍ କ୍ଷଣାତ୍ ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ଗାଁ ରେ ପହଞ୍ଚିଲି। ତା ତକିଆ ନିକଟରୁ ଏକ ଚିଠି ଓ ରୁମାଲ ରେ ବନ୍ଧା ହୋଇଥିବା ଟଙ୍କା ମିଳିଲା। ଚିଠି ରେ ଲେଖା ହୋଇ ଥିଲା, ” ଧନ ରେ, ମୋତେ ଯେଉଁ ରୋଗ ହୋଇଥିଲା ତା ର ଚିକିତ୍ସା ତୋ ପକ୍ଷେ ସମ୍ଭବ ନୁହେଁ ରେ। ପଇସା ଖର୍ଚ୍ଚ କରି କରି ତୁ ବରବାଦ୍ ହୋଇ ଯାଇ ଥାନ୍ତୁ। ତୋ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଥାନ୍ତା। ମୁଁ କେମିତି ସହି ପାରିଥାନ୍ତି ରେ? କ୍ୟାନସର ର କଣ ଉତ୍ତର ଅଛି? ତୋ ପଠାଇଥିବା ଟଙ୍କା ରୁମାଲ ରେ ବାନ୍ଧି ରଖିଛି। ତୋ ପିଲା ଙ୍କ କାମରେ ଲାଗିବ। ବାପା ଙ୍କୁ ସାଙ୍ଗ ରେ ନେଇଯିବୁ। ତାଙ୍କର ଟିକିଏ ବି ଯେପରି ଅବହେଳା ନ ହୁଏ ରେ ଧନ ମୋର, ନହେଲେ ସେ ଏକୁଟିଆ ହୋଇଯିବେ ରେ, ସେ ଦୁଃଖୀ ରହିଲେ ମୋ ଆତ୍ମା ଶାନ୍ତି ପାଇବନି ରେ। ”

ବୋଉ ତା ଜୀବନ କୁ ବାଜି ମାରି ବି ମିଛ କହିପାରେ! ଏଡେ ମିଛେଇ ମୋ ବୋଉ। ପୃଥିବୀ ଟା ନୂଆ ନୂଆ ଲାଗୁଛି।

 

This beautiful story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.