ମହାମିଳନ…

nri 660 111517041031
Reading Time: 10 minutes

ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଓହ୍ଲାଇ ଭୁବନେଶ୍ୱର ରେଳଷ୍ଟେସନ ଅଭିମୁଖେ ଓଲା ଟ୍ୟାକ୍ସିଟିଏ ବୁକ୍ କଲେ ରାଜେଶ । ଦୀର୍ଘ ପଚିଶି ବର୍ଷ ପରେ ଓଡିଶା ଫେରୁଛନ୍ତି ସିଏ । ମନରେ ଅନେକ ଖୁସି । ଓଡ଼ିଶାରେ ତାଙ୍କର କେହି ନାହାନ୍ତି । ଓଡ଼ିଶା କଣ ପୂରା ଦୁନିଆରେ ରକ୍ତସମ୍ପର୍କୀୟ କେହି ନାହାଁନ୍ତି ତାଙ୍କର । ହେଲେ କାହିଁକି କେଜାଣି ଏତେ ବର୍ଷ ବିଦେଶରେ ରହି ନିଜ ଦେଶ, ନିଜ ରାଜ୍ୟକୁ ଫେରିବା ବେଳେ ଆନନ୍ଦରେ ଗଦଗଦ୍ ହେଇଯାଉଥିଲେ ରାଜେଶ ଓରଫ୍ ରାଜେଶ ବାବୁ, ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀର ଜଣେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ପଦାଧିକାରୀ । ଏଇ ବୋଧେ ନିଜ ଜନ୍ମଭୂମିର ଆକର୍ଷଣ, ନିଜ ମାଟିର ବତୁରା ନିରୁତା ସ୍ନେହ । ରାଜେଶ ବାବୁ ଭାବପ୍ରବଣ ହେଇ ଉଠୁଥିଲେ, ଭାବପ୍ରବଣତାକୁ ଲୁଚେଇବାକୁ ଯାଇ ଆଖିରେ କଳା ଚଷମାଟା ପିନ୍ଧି ପକାଇ, ମଖମଲ ରୁମାଲରେ ମୁହଁ ପୋଛି ପକେଇଲେ ସେ ।

ଟ୍ୟାକ୍ସି ଆସିଯାଇଥିଲା । ଆଉ ଷ୍ଟେସନ ଆଡକୁ ମୁହେଁଇଲେ ସେ । ଫୋନ ବାହାର କରି ଚନ୍ଦନକୁ କଲ୍ କରିବାକୁ ଯାଉ ଯାଉ ଅଟକିଗଲେ । ନାହିଁ ଥାଉ, ଡାଇରେକ୍ଟ୍ ଯାଇ ତାକୁ ସରପ୍ରାଇଜ୍ଟା ଦେଲେ ଆହୁରି ଭଲ ହେବ । ହଠାତ୍ ତାଙ୍କୁ ଏତେ ବର୍ଷ ପରେ ଦେଖି ଚନ୍ଦନ ଖୁସିରେ ଫାଟି ପଡ଼ିବ । ପିଲାଟି ଦିନରୁ ଅନାଥାଶ୍ରମରେ ବଢି ଆସିଥିବା ରାଜେଶ ବାବୁଙ୍କର ଏ ପୃଥିବୀରେ ନିଜର କହିଲେ କେବଳ ଚନ୍ଦନ ।

ରକ୍ତ ସମ୍ପର୍କୀୟ ଯଦିଓ ନୁହେଁ, ତଥାପି ଜୀବନର ଅନେକ ମହାର୍ଘ ମୁହୂର୍ତ୍ତ ସେ ଚନ୍ଦନ ସହ ବିତେଇଛନ୍ତି । ଚନ୍ଦନ ଆଗେ ନିଜର ସବୁ ପୌରୁଷ ପଣିଆକୁ ପଛରେ ପକେଇ ନିହାତି ଛୋଟ ପିଲା ପରି କଇଁ କଇଁ ହେଇ କାନ୍ଦିଛନ୍ତି । ସମୟ ସୁଅରେ ବୋହିଯାଇଛି ସେ ମୁହୂର୍ତ୍ତ, ହଜିଯାଇଛି ସେ ଦିନ, କିନ୍ତୁ ଏବେ ବି କଟିନି ସମ୍ପର୍କର ଅଦେଖା ଡୋରି, ଏବେ ବି ସେଥିରେ ସୁଗନ୍ଧ ଭରା, ବେଶ୍ ତାଜା । ଜୀବନରେ ଅନେକ ସାଙ୍ଗ ସାଥି ଆସିଛନ୍ତି କିନ୍ତୁ ଚନ୍ଦନଙ୍କ ସ୍ଥାନ କେହି ନେଇ ପାରିନାହାନ୍ତି ଅଥବା କାହାକୁ ଦେବାକୁ ଚାହିଁ ନାହାଁନ୍ତି ରାଜେଶ ବାବୁ ।

ଭାବନା ସରିବା ଆଗରୁ ଟ୍ୟାକ୍ସି ବ୍ରେକ୍ ଦେଲା । ଆଉ ପ୍ଲାଟଫର୍ମ ଅଭିମୁଖେ ଆଗେଇଗଲେ ରାଜେଶ ବାବୁ । ଟିକେଟ୍ ଆଗରୁ ଅନଲାଇନରେ କରିଦେଇଛନ୍ତି । ଭୁବନେଶ୍ୱରରୁ ପୁରୀ । ଏବେ ଯୁଗ ଖୁବ୍ ଆଗୁଆ । ଖୁବ୍ ବଦଳି ଯାଇଛି ଜୀବନଶୈଳୀ । ଅପେକ୍ଷାକୃତ ସହଜରେ ହେଇ ପାରୁଛି ସବୁ କାମ । ଏଇ ଭୁବନେଶ୍ୱରକୁ ବି ଚିହ୍ନି ପାରୁନଥିଲେ ରାଜେଶ ବାବୁ । ସବୁଠି ଆଧୁନିକତାର ସ୍ପର୍ଶ । ସବୁଠି ନୂତନତ୍ୱର ଛାପ । ହେଲେ ଏବେ ବି ପବନର ଛୁଆଁରେ କିଛି ଫରକ୍ ନାହିଁ ।

ୱେଟିଂ ରୁମରୁ ଫ୍ରେଶ ହେଇ, ଷ୍ଟେସନର ଫୁଡ୍ କୋର୍ଟରେ ଅଳ୍ପ ଖାଇନେଲେ ସିଏ । ଟରେନ ଆସିବାକୁ ଆଉ ତିରିଶ ମିନିଟ୍ । ଅତଏବ ଏଇ ସମୟଯାକ ବହିଟିଏ ପଢ଼ି କାଟିବା ପାଇଁ ମନସ୍ଥ କଲେ ସେ । ବହିପଢ଼ା ଛାଡିବାର ପଚିଶ ବର୍ଷ ହେଇ ସାରିଥିଲା । କେଉଁ ବହି ପଢ଼ିବେ ଭାବୁ ଭାବୁ, ଦୋକାନ ପିଲାଟି ପଚାରିଲା, “ବାବୁଜୀ କୌନ୍ ସି ଖିତାବ ଚାହିୟେ?”

“ଭଲ ଓଡ଼ିଆ ବହି ଗୋଟେ ଦେଖାଉନୁରେ । ”ରାଜେଶ ବାବୁଙ୍କ ମୁହଁରୁ ଏଇ ପଦକ ଶୁଣି ସେ ଓଡ଼ିଆ ବୋଲି ଜାଣିବା ପରେ ପିଲାଟି ବଡ଼ ଉତ୍ସାହରେ କହିଲା, “ସାର୍ ସୁରଭି ସାମନ୍ତରାୟଙ୍କ ‘ପ୍ରତୀକ୍ଷାରେ, ଏକ ପ୍ରେମକଥା’ ବହିଟି ନିଅନ୍ତୁ, ନହେଲେ ମୁକୁନ୍ଦ ପାଣିଙ୍କ ଅନ୍ଧାରି ରାତି……”

ପିଲାଟି ଆହୁରି କେତେ କଣ କହିବାକୁ ଯାଉଥିଲା, କିନ୍ତୁ ରାଜେଶ ବଧିର ପାଲଟି ଯାଉଥିଲେ । ଯେଉଁ ସୁରଭିଙ୍କ ପାଇଁ ପଚିଶ ବର୍ଷ ସବୁ ସାଙ୍ଗସାଥି, ଦେଶଠୁ ସମ୍ପର୍କ କାଟି ସେ ପ୍ରବାସୀ ହୋଇ ରହିଥିଲେ, ଓଡିଶା ଆସୁ ଆସୁ ତାଙ୍କୁ ପ୍ରଥମେ ସେଇ ନାଆଁ ଶୁଣିବାକୁ ମିଳିବ, ତା ଥିଲା ତାଙ୍କ କଳ୍ପନାତୀତ ।

ଚୁପଚାପ୍ ବହି କିଣା ସ୍ଥଗିତ କରି ଚାଲିଆସିଥିଲେ ରାଜେଶ ବାବୁ । ଭାବିବିନି ଭାବିବିନି ହଉଥିଲେ ମଧ୍ୟ ଅତୀତ, ଧସେଇ ପଶୁଥିଲା ତାଙ୍କ ମନରେ । ହ୍ୱାଟସ୍ ଆପ୍ ଖୋଲି ଚନ୍ଦନଙ୍କୁ ମେସେଜ୍ କଲେ, ରାଜେଶ ବାବୁ, “ ହ୍ୟାଲୋ ଚନ୍ଦନ । ମୁଁ ରାଜେଶ । ଆଶା କରୁଛି ମନେ ରଖିଥିବୁ । ଏତେ ବର୍ଷ ପରେ ମୋ ମେସେଜ୍ ଦେଖି ତୁ ଆଶ୍ଚର୍ଯ୍ୟ ହେଇ ଯିବା ସ୍ଵାଭାବିକ୍ । ମୋ ଉପରେ ରାଗ ବା ଅଭିମାନ ଥିଲେ, ଆଜି ଦିନକ ପାଇଁ ତାକୁ ଭୁଲି ଯିବାକୁ ତୋତେ ଅନୁରୋଧ କରିବି । ଆଜି ମୁଁ ପୁରୀ ଯାଉଛି । ମୁଁ ଜାଣିଛି ତୁ ଏବେ ପୁରୀରେ ସପରିବାର ଅଛୁ । ଯଦି କୌଣସି ଅସୁବିଧା ନଥାଏ ତାହେଲେ ମୁଁ ପହଁଞ୍ଚିଲେ ଦେଖା ହେବ । ସାତଟା ତିରିଶରେ ଗାଡ଼ି ଷ୍ଟେସନ ପହଁଞ୍ଚିବ । ଅପେକ୍ଷାରେ । “

ରାଜେଶଙ୍କ ଛାତି ଜୋର୍ ଜୋରରେ ଧକଧକ ହେଉଥିଲା । କେଜାଣି ଚନ୍ଦନ କଣ ଭାବୁଥିବ? ପଚିଶି ବର୍ଷ ପରେ ଅକସ୍ମାତ୍ ଏମିତି । ଟୁଂ ଟୁଂ ମେସେଜ୍ର ଘଣ୍ଟି ବାଜି ଉଠିଲା । ରାଜେଶଙ୍କ ସାହାସ ନଥିଲା ସେ ମେସେଜ୍ ଖୋଲି ଦେଖିବା ପାଇଁ । ଫୋନ୍ ସ୍ଵିଚ ଅଫ କରି ପକେଟରେ ରଖିଦେଲେ ସେ । ପୁରୀ ପହଁଞ୍ଚିଲେ ଦେଖା ଯିବ କଣ ହେବ । ୟା ଭିତରେ ଟରେନ ଆସିଯାଇଥିଲା । ଝରକା ପାଖ ସିଟରେ ବସିପଡ଼ି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଇଁ ଥିଲେ ରାଜେଶ ।

ଏଇ ଦୁନିଆରେ ଆଜିଯାଏଁ ସେ ହିଁ ତ ସବୁ ସମୟ ରାଜେଶଙ୍କ ପାଖରେ ଅଛନ୍ତି । ପୁରୀ ଯିବା ବେଳେ ରାଜେଶଙ୍କୁ ଲାଗୁଥିଲା ସେ ନିଜ ଘରକୁ ଯାଉଛନ୍ତି । ସବୁ ଓଡ଼ିଆଙ୍କ ହୃଦୟ କନ୍ଦରର ସବୁଠୁ ଉଚ୍ଚ ଆସନରେ ବିରାଜମାନ, ସେଇ ଚକାଆଖି । ଧନୀ ଠୁ ଆରମ୍ଭ କରି ଗରିବ, ଦାନୀ ଠୁ ଆରମ୍ଭ କରି ଚୋର ସମସ୍ତଙ୍କୁ ଯଦି କିଏ ଗୋଟିଏ ଡୋରିରେ ବାନ୍ଧି ରଖିଥାଏ, ସେ ହେଉଛି ଏଇ କାଳିଆ, କୋଟି ଓଡ଼ିଆଙ୍କ ପରମ ପୂଜ୍ୟ । ଟରେନ ଛାଡିଦେଇଥିଲା । ଫୋନ ଖୋଲି ଚନ୍ଦନର ମେସେଜ୍ ଦେଖିବାକୁ ଇଚ୍ଛା ହଉଥିଲେ ବି ସାହସ ହେଉ ନଥିଲା ରାଜେଶ ବାବୁଙ୍କର ।

ଏତେ ଦିନ ଧରି ଅଜ୍ଞାତବାସ ପ୍ରାୟ ରହୁଥିଲେ ସେ । ନା କୋଉ ସୋସିଆଲ ମିଡିଆ ନା ଫୋନ ନା ଆଉ କିଛି । ସେଦିନ କାହିଁକି କେଜାଣି ମନ ବହୁତ୍ ଡାକିଲା ଥରେ ନିଜ ଜନ୍ମମାଟିକୁ ଫେରି ଯିବାକୁ । ଆଉ ପ୍ରଥମେ ଯେଉଁ ଦୁଇଟି ନାଆଁ ମନେ ପଡିଲା, ତା ଥିଲା ସୁରଭି ଆଉ ଚନ୍ଦନଙ୍କର । ଫେସବୁକରେ ଫେକ୍ ଆଇଡି ଖୋଲି ଚନ୍ଦନଙ୍କୁ ଖୋଜିଲେ ସେ ଆଉ ଖୁବ ସହଜରେ ଚନ୍ଦନ ବିଷୟରେ ସବୁ ତଥ୍ୟ ମିଳିଗଲା ଆଉ ଫୋନ ନମ୍ବର ବି । ସୁରଭିଙ୍କୁ ଥରେ ଖୋଜିବାକୁ ଇଚ୍ଛା ଥିଲେ ମଧ୍ୟ ନିଜକୁ ବହୁକଷ୍ଟରେ ଅଟକେଇ ଥିଲେ ସିଏ । ସୁରଭି ଏବେ ଆକାଶଙ୍କ ସହ ଖୁସିରେ ଥିବେ । ଏତେବର୍ଷ ପରେ ବି ରାଜେଶଙ୍କ ଆଖି ଜାଲୁଜାଲିଆ ହେଇ ଆସିଲା ।

ସୁରଭି ରାଜେଶଙ୍କ ଜୀବନର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତ୍ୟକ ଦିନ ସୁରଭିଙ୍କୁ ମନେ ପକାନ୍ତି ରାଜେଶ । ଅଫିସରୁ ଘରକୁ ଫେରିଲେ ଏକା ଏକା ସୁରଭିଙ୍କ ସହ ମନକୁ ମନ କଥା ହୁଅନ୍ତି । ଚିକାଗୋରେ ଥିବା ବେଳେ ଜଣେ ପୋଟ୍ରେଟ ଆର୍ଟିଷ୍ଟଙ୍କୁ କହି, ସୁରଭିଙ୍କର ଖୁବ୍ ଏକ ବଡ ତୈଳ ଚିତ୍ର ତିଆରି କରି ବେଡ଼ରୁମରେ ସଜେଇଛନ୍ତି । ଯେବେ କୌଣସି ବନ୍ଧୁ ସେ ଚିତ୍ର ଦେଖି ସୁରଭିଙ୍କ ରୂପର ଭୂୟସୀ ପ୍ରଶଂସା କରନ୍ତି, ଖୁସିରେ ଭରି ଉଠେ ରାଜେଶଙ୍କ ମନ ।

ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲା ଟ୍ରେନ୍ । ଟ୍ରେନ୍ ଉପରକୁ ଉଠିଲେ, ଜଣେ ଯୁବକ । ଧଳା ରଙ୍ଗରଟି ସାର୍ଟଟିଏ ପିନ୍ଧିଛନ୍ତି । ଉପରେ ନାଲି ରଙ୍ଗରେ ଲେଖା ହେଇଛି “ରାଇଟିଂ ଇଜ୍ ମାଇଁ ପାସନ୍” ।

ସୁରଭି ବି କହନ୍ତି ସବୁବେଳେ । “ଜାଣିଛ, ରାଜେଶ, ରାଇଟିଂ ଇଜ୍ ମାଇଁ ପାସନ୍ । ଆଇ ଆମ୍ ଇନ୍ କମ୍ପ୍ଲିଟ୍ ଉଇଦାଉଟ୍ ଇଟ୍ । ”

ହାଃ ହାଃ । ମନ ଭିତରେ ସ୍ମିତ ହସଟିଏ ଫୁଟି ଉଠିଲା ରାଜେଶଙ୍କର । ସ୍ମୃତି ମାନଙ୍କର ପ୍ରକୃତି ସେମିତି । ତାଙ୍କୁ ଯେତେ ଦୂର୍ ଦୂର୍ କଲେ ମଧ୍ୟ ସେମାନେ ଠେଲି ପେଲି ପଶନ୍ତି ମନରେ । ସେମାନେ ଅଣାୟତ୍ତ, ଲଗାମ୍ ଛଡା । ଚାବୁକ ମାରି ତାଙ୍କୁ ଅଟକେଇ ହୁଏନି । ନିଜ ଇଚ୍ଛାରେ ଦେହ,ମନ ଏବଂ ମସ୍ତିଷ୍କକୁ ଅକ୍ତିୟାର କରି ନିଅନ୍ତି ।

ସୁରଭି । ସୁରଭି ସାମନ୍ତରାୟ । ସୁରଭିଙ୍କ ସ୍ମୃତିର ସତେଜ ସୁଗନ୍ଧରେ ଚହଟି ଉଠିଲା ଟ୍ରେନର କମ୍ପାର୍ଟମେଣ୍ଟ୍, ଚହଟି ଉଠିଲେ ରାଜେଶ ବାବୁ, ମହକି ଗଲା ତାଙ୍କ ଆଖପାଖ । ଅନେକ୍ ବର୍ଷ ତଳେ କେଉଁ ଗୋଟେ ପତ୍ରିକାରେ ସୁରଭିଙ୍କ ବର୍ଷା ଓ ବାଦଲ କବିତା ପଢ଼ି ବିମୁଗ୍ଧ ହେଇ ଯାଇଥିଲେ ରାଜେଶ । ଏତେ ସୁନ୍ଦର ଭାବପୂର୍ଣ୍ଣ କବିତା କେବଳ ଅନୁଭବୀ ହିଁ ଲେଖିପାରେ । ବହୁତ ଲୋକ ଗଳ୍ପ କବିତା ଲେଖନ୍ତି । କିନ୍ତୁ କିଛି ଲୋକଙ୍କ ଶବ୍ଦରେ ଗୋଟେ ଅପୂର୍ବ ସମ୍ମୋହନୀ ଶକ୍ତି ଥାଏ । ପଢୁ ପଢୁ ପାଠକକୁ ଲାଗେ, ଯେମିତି ସାଧା ଫର୍ଦ୍ଦ ଉପରେ କିଏ ଜୀବନକୁ ଉତ୍ତାରି ଦେଇଛି ।

ପତ୍ରିକାର ଶେଷ ଫର୍ଦ୍ଦରେ ଲେଖକ ପରିଚୟ ଦେଖି ରାଜେଶ ବିଶ୍ୱାସ କରିପାରୁନଥିଲେ ଏଇ କବିତାଟି ଗୋଟିଏ ବାଇଶି ବର୍ଷର ଲେଖନୀର ଯାଦୁ ବୋଲି । ବାଇଶି ବର୍ଷର ଅନଭିଜ୍ଞ ହାତର ସୃଜନରେ କିନ୍ତୁ ବାସ୍ତରୀ ବର୍ଷର ଅନୁଭବୀ ମନର ସ୍ପଷ୍ଟ ପ୍ରତିଫଳନ ବେଶ୍ ବାରି ହେଇ ପଡୁଥିଲା । ଲେଖିକାଙ୍କ ଠିକଣାରେ ପ୍ରଶଂସା ସୂଚକ ପତ୍ରଟିଏ ଲେଖନ୍ତି ଯୁବକ ରାଜେଶ । କଥା ବାର୍ତ୍ତା ବଢେ ଦିନକୁ ଦିନ । କିନ୍ତୁ କଥା ସବୁବେଳେ ସାହିତ୍ୟ ଚର୍ଚ୍ଚାରୁ ଆରମ୍ଭ ଆଉ ଶେଷ ବି ସେଇଠି । ପ୍ରଥମେ ସୁରଭିଙ୍କ କବିତା ଓ ଗଳ୍ପ ପ୍ରେମରେ ପଡ଼ିଥିବା ରାଜେଶ କିନ୍ତୁ ଆସ୍ତେ ଆସ୍ତେ ସୁରଭିଙ୍କୁ ନିଜ ହୃଦୟରେ ବସେଇ ସାରିଥାଆନ୍ତି । ଦିନ ଗଡେ । ଅନେକ ଗଳ୍ପ କବିତା ସମାରୋହରେ ଦେଖା ହୁଅନ୍ତି ଦୁହେଁ । ସୁରଭି ଯାଆନ୍ତି କବିତା ପାଠ ପାଇଁ ଆଉ ରାଜେଶ ଯାଆନ୍ତି ସୁରଭିଙ୍କୁ ଦେଖିବା ପାଇଁ ।

ଚନ୍ଦନ ବି ଜାଣିପାରନ୍ତି ରାଜେଶଙ୍କ ମନକଥା । ସ୍ଵଭାବରେ ଢେର୍ ଅଧିକ ଲାଜକୁଳା ରାଜେଶ କିନ୍ତୁ ଆଗକୁ ଆଗେଇ ପାରନ୍ତିନି । ସୁରଭିଙ୍କୁ ପାଖରେ ଦେଖିଲେ ହୃତ୍ ସ୍ପନ୍ଦନ ବଢିଯାଏ ରାଜେଶଙ୍କର । ଚନ୍ଦନ ଦିନେ ଫିଲ୍ମ ଯିବାର ପ୍ଲାନ୍ କରନ୍ତି ରାଜେଶ ଆଉ ସୁରଭିଙ୍କ ସହ । ଉଦ୍ଦେଶ୍ୟ କିନ୍ତୁ ଦୁହିଁଙ୍କୁ ଏକାଠି କରିବା । ଏତେ ଲାଜକୁଳା ସାଙ୍ଗ ପାଇଁ ଏତିକି ତ କରିପାରିବେ ଚନ୍ଦନ । ଦିନ ଗଡେ, ବନ୍ଧୁତ୍ୱ ଆହୁରି ନିବିଡ ହୁଏ । ସନ୍ଧ୍ୟାରେ ମିଶି ଚାଟ୍ ଗୁପଚୁପ ଖିଆ ବଢିଯାଏ । ଦିନକୁ ଦିନ ସୁରଭିଙ୍କ ପ୍ରେମରେ ଗଭୀର ଭାବେ ଆସକ୍ତ ହୋଇ ଉଠନ୍ତି ସେ । ହଷ୍ଟେଲରେ ପହଁଞ୍ଚିବା ପରେ ଚନ୍ଦନ ଠୁ ଢେର୍ ଗାଳି ଶୁଣନ୍ତି ରାଜେଶ ।

“ତୁ ଏମିତି ଅନେଇ ଥା, ଆଉ କିଏ ଆସି ତାକୁ ଉଡେଇ ନେଇଯିବ । “ କୃତ୍ରିମ କ୍ରୋଧ ଦେଖାଇ କହନ୍ତି ଚନ୍ଦନ ।

“ଯାହା ବି ହଉ, ଆଜି ମୁଁ ନିଶ୍ଚୟ ମୋ ମନକଥା ତାକୁ କହିବି,” କହନ୍ତି ରାଜେଶ । ଟାଉନ୍ ହଲରେ ହେଉଥିବା କବିତା ସମ୍ମିଳନୀକୁ ଚନ୍ଦନକୁ ନେଇ ଆସନ୍ତି ସିଏ । ହଲରେ ପହଞ୍ଚୁ ପହଞ୍ଚୁ ରାଜେଶଙ୍କ ଆଖି ଚାରିଆଡ଼େ ଖୋଜେ ସୁରଭିଙ୍କୁ । ପ୍ରତୀକ୍ଷାର ଅନ୍ତ ଘଟାଇ ସୁରଭି ଆସନ୍ତି ନିଜର ଜନୈକ ବାନ୍ଧବୀଙ୍କ ସହ । ହାଲକା ଗୋଲାପି ରଙ୍ଗର ସାଲୱାରକମିଜ, ଓଠରେ ଇଷତ୍ ନାଲି ଲିପଷ୍ଟିକ୍ ଆଉ ମୃଦୁ ପଦପାତରେ ଯେତେବେଳ ତନୁପାତଳୀ ସୁରଭି ଆସନ୍ତି, ରାଜେଶଙ୍କ ହୃତ୍ ସ୍ପନ୍ଦନ ଗୋଟେ ସେକଣ୍ଡ ପାଇଁ ବନ୍ଦ ହେଇଯାଏ । ଶ୍ରୋତା ଗ୍ୟାଲେରୀରେ ବସିଥିବା ରାଜେଶ ଆଉ ଚନ୍ଦନକୁ ଦେଖି ହାତ ହଲାନ୍ତି ସୁରଭି । ଗପସପ ଚାଲେ । ମଝିରେ ବାହାନା କରି ଉଠିଯାଆନ୍ତି ଚନ୍ଦନ ଆଉ ରଞ୍ଜିତା, ସୁରଭିଙ୍କ ବାନ୍ଧବୀ । ଟିକିଏ କଥୋପକଥନ ପରେ ଗଳା ଝାଡି ରାଜେଶ କହନ୍ତି, “ଆଉ ବିବାହ କେବେ କରୁଛ?”

ହସିଦେଇ ସୁରଭି କହନ୍ତି, ବିବାହ ହୋଇସାରିଛି କହିଲେ ଚଳେ । ତାଙ୍କୁ ମୁଁ ମୋ ମନ ମନ୍ଦିରରେ ସର୍ବୋଚ୍ଚ ଆସନରେ ସ୍ଥାନିତ କରିସାରିଛି ମୁଁ । ଖାଲି ଅପେକ୍ଷା ସେ କେତେବେଳ ବୁଝିପାରିବେ ।

ହସନ୍ତି ରାଜେଶ ଠୋ ଠୋ ହେଇ । “ସୁନ୍ଦରୀ ଝିଅ ମିଛ କହିଲେ ଆହୁରି ସୁନ୍ଦର ଲାଗନ୍ତି” କହି ପୁଣି ଥରେ ହସି ଉଠନ୍ତି ରାଜେଶ ।

“ବିଶ୍ୱାସ ହେଉନି? ହଉ ରୁହ,” କହି ପର୍ସରୁ ଫୋଟୋଟିଏ କାଢ଼ି ଦେଖାନ୍ତି ସୁରଭି ।

ଫଟୋରେ ସୌମ୍ୟଦର୍ଶୀ ଯୁବକ ଜଣେ । ସୁରଭି ଆଉ ସବୁ କଣ କହୁଥାଆନ୍ତି କିନ୍ତୁ ରାଜେଶ କିଛି ଶୁଣିପାରୁନଥାନ୍ତି । ସଙ୍କୁଚିତ ହେଇ ଯାଆନ୍ତି ସେ ନିଜ ଭିତରେ, କାହିଁ ଧନୀ ଘରର ଅଲିଅଳି ଝିଅ ସୁରଭି, କାହିଁ ଅନାଥାଶ୍ରମରେ ବଢ଼ିଥିବା ରାଜେଶ । ସେ ପୂର୍ଣ୍ଣମୀ ଆକାଶର ରୁପେଲି ଚନ୍ଦ୍ରମା ହେଲେ, ରାଜେଶ ହେଉଛନ୍ତି କୋଉ ଗୋଟେ ଅପନ୍ତରାରେ ପାଣି ଟିକେ ପାଇଁ ଫୁଟିଥିବା ଦରମଲା କଇଁ । ସୁରଭିଙ୍କ ନା ଡକାଯାଏ କବିତା ପାଠ ପାଇଁ । ଉଠି ଚାଲିଆସନ୍ତି ରାଜେଶ । ରୁମରେ କବାଟ ବନ୍ଦ କରି ରଡି ରଡି କାନ୍ଦନ୍ତି ସେ । ଆଜି କାଇଁ ବାପା ବୋଉଙ୍କ ମନେପଡ଼େ । ନିଜର ଅସ୍ତିତ୍ଵ ଉପରେ ଘୃଣା ଆସେ, କାନ୍ଦି କାନ୍ଦି ଶୋଇପଡ଼ନ୍ତି ସେ, ସବୁ ବନ୍ଧୁଙ୍କ ଅଗୋଚରରେ ।

ରାତି ପାହିଯାଏ । ଆଜି ହଷ୍ଟେଲରେ ହଇଚଇ । କ୍ୟାମ୍ପସ ସିଲେକ୍ସନର ରେଜଲ୍ଟ ବାହାରିବ । ସିଟ୍ ମାତ୍ର ପାଞ୍ଚଟି । ବହୁରାଷ୍ଟ୍ରୀୟ କମ୍ପାନୀ । ଆଶାୟୀ ପ୍ରାର୍ଥୀ ଅନେକ । ରାଜେଶଙ୍କୁ କିନ୍ତୁ କିଛି ଫରକ୍ ପଡ଼େନି । ସେମିତି ବିଛଣାରେ ପଡ଼ିଥାନ୍ତି ସେ । ଧାଇଁ ଧାଇଁ ଆସନ୍ତି ଚନ୍ଦନ । ରାଜେଶଙ୍କୁ କୁଣ୍ଢେଇ ପକେଇ କହନ୍ତି, ତୋର ସିଲେକ୍ସନ ହେଇଯାଇଚିରେ । ଏବେ ଜଲଦି ସୁରଭିକୁ ଗୁଡ୍ ନ୍ୟୁଜ ଦେଇଦେ ।

ଭାଗ୍ୟ ତୋର ଭାରି ବଢ଼ିଆରେ ରାଜୁ । ଆଜି ଠୁ ତୋ ଜୀବନର ସବୁ ଦୁଃଖ ଦିନ ସରିଲା । ଆଗକୁ ଖାଲି ଖୁସି ହିଁ ଖୁସି । ଏତେ ସମୟ ହେଲା ଦବେଇ ରଖିଥିବା ଯନ୍ତ୍ରଣା,କୋହ ଆଉ ଅନ୍ତର୍ଦାହ ସବୁ ଲୁହ ହେଇ, ରାଜେଶଙ୍କ ଆଖି ଦେଇ, ଚନ୍ଦନଙ୍କ କାନ୍ଧରେ ବୋହି ଯାଆନ୍ତି ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି । କିଛି ବୁଝିପାରନ୍ତି ନାହିଁ ଚନ୍ଦନ । ସେମିତି କାନ୍ଦି କାନ୍ଦି ସବୁ ଘଟଣା କହନ୍ତି ରାଜେଶ । ଚନ୍ଦନ ବୁଝାଏ । ସୁରଭିକୁ ଥରେ ହେଲେ ନିଜ ମନକଥା କହିବାକୁ ପ୍ରବର୍ତ୍ତାଏ ।

“ନାଁ । ପ୍ରେମରେ ମୁଁ ଏତେ ସ୍ୱାର୍ଥପର କେମିତି ହେବି କହ । ସେ ଭଲ ପାଏ ଆଉ କାହାକୁ, ମୋ ନିଜ ସ୍ଵାର୍ଥ ପାଇଁ ମୁଁ ତାଙ୍କ ମଝିରେ ଆସିବାକୁ ଚାହୁଁନି ଲୁହ ପୋଛି କହନ୍ତି ରାଜେଶ । “ତୁ ଏ ଯୁଗର ରାମଚନ୍ଦ୍ର । “ ବିରକ୍ତ ହୋଇ କହନ୍ତି ଚନ୍ଦନ । ଝରକା ଦେଇ ବାହାରକୁ ଚାହାଁନ୍ତି ରାଜେଶ । ଆକାଶ ପୁରା ନୀଳ, ଶୂନ୍ୟ । ପାଖ ମନ୍ଦାର ଗଛଟି ଝାଉଁଳି ପଡିଚି । ବୋଧହୁଏ ଚେରକୁ ପୋକ ଖାଇଦେଇଛି ।

“ଦେଖ ରାଜେଶ ତୁ ଯଦି ନକହିବୁ, ତାହେଲେ ମୁଁ ଯାଇ ସୁରଭିକୁ କହିଦେବି ତୋ ମନକଥା । “

“ନାହିଁ । ମୋ ମୁଣ୍ଡକୁ ଛୁଇଁ କହ, ତୁ ସୁରଭିକୁ କିଛ଼ି ବି କହିବୁନି । ମୁଁ ଚାହେଁନା ସେ କୌଣସି ଦ୍ଵନ୍ଦ ଅଥବା ଅସୁବିଧାରେ ପଡ଼ୁ । “ ଉତ୍ତର ଦିଅନ୍ତି ରାଜେଶ ।

ୟା ପରେ ଆଉ ସମ୍ମିଳନୀକୁ ଯାଆନ୍ତିନି ରାଜେଶ କି, ସୁରଭିଙ୍କ ଠାରୁ କିଛି ଖବର ଆସେନି । କେଇଦିନ ପରେ କମ୍ପାନୀରେ ଯୋଗ ଦେବାକୁ ଆମେରିକା ବାହାରି ଯାଆନ୍ତି ରାଜେଶ । ଯିବା ପୂର୍ବରୁ ସୁରଭିକୁ ଦେଖିବାକୁ ଇଚ୍ଛା ଥିଲେ ବି ସେମିତି ବାହାରି ଯାଆନ୍ତି ସେ । ବିଦାୟ ଦିଅନ୍ତି ଚନ୍ଦନ । ତା ପରେ ନିଜ ଫୋନ ନମ୍ବର ବଦଳେଇ ଦିଅନ୍ତି ସେ । ମାସେ ଦୁଇ ମାସରେ କମ୍ପାନୀ ଚେଞ୍ଜ କରନ୍ତି ସେ । ନାଁ, ସେ ଆଉ କେବେ ଓଡିଶା ଆସିବେନି । ସୁରଭିଙ୍କ ଚୁମ୍ବକୀୟ ଆକର୍ଷଣୀୟ ଶକ୍ତିରୁ ନିଜକୁ ନିବୃତ୍ତ କରିବା ପାଇଁ ଏଇ ହିଁ ଗୋଟିଏ ରାସ୍ତା । ଦୂରତ୍ୱ । କିନ୍ତୁ ମନକୁ କଣ ଦୂରତ୍ୱ ଅଟକାଇ ପାରେ । ଏସବୁ ଖାଲି ପ୍ରବଞ୍ଚନା । ଦୂରତ୍ୱରେ ପ୍ରେମ କମିଯାଏନି । ବରଂ ବଢ଼ିଯାଏ ସହସ୍ର ଗୁଣ । କିନ୍ତୁ କାଳେ ତାଙ୍କର ଉପସ୍ଥିତି ସୁରଭିଙ୍କ ଜୀବନରେ କୌଣସି ଅସୁବିଧା ଆଣିବ, ସେଥିପାଇଁ ରାଜେଶଙ୍କର ଏ ଚରମ ନିଷ୍ପତ୍ତି ।

ବାସ୍ । ଆଜି ଏତେ ଦିନ ପରେ ଆସୁଛନ୍ତି ସେ ନିଜ ଜନ୍ମମାଟିକୁ । କେଜାଣି ସୁରଭି କେମିତି ଦେଖାଯାଉଥିବେ । ଏତେ ଦିନ ବିଦେଶରେ ରହି ରାଜେଶ ବହୁତ୍ ବଦଳି ଯାଇଛନ୍ତି । ଦେହରେ ବୟସର ଛାପ ନାହିଁ । ରଙ୍ଗ ଅପେକ୍ଷାକୃତ ଅଧିକ ଗୋରା ହେଇଯାଇଛି । ସୁରଭି କେମିତି ଦେଖା ଯାଉଥିବେ କେଜାଣି । ହାତରେ ସଙ୍ଖା, ମୁଣ୍ଡରେ ସିନ୍ଦୂର, ଶାଢ଼ି ପିନ୍ଧା ସୁରଭିଙ୍କୁ ବଧୁ ବେଶରେ କଳ୍ପନା କଲେ ରାଜେଶ । ଟିକିଏ କଷ୍ଟ ହେଲା ଛାତି । ମିଠା କଷ୍ଟ ଇଏ । ଏଇ କଷ୍ଟ ହିଁ ତ ରାଜେଶଙ୍କର ସାଥୀ ଏତେଦିନ ହେଲା । ମନେ ମନେ ପୁଣି ଥରେ ହସିଦେଲେ ରାଜେଶ । ସେ ଟିକେ ଅଧିକ ଫିଲ୍ମି ହେଇଯାଉ ନାହାନ୍ତି ତ ।

ପାଶ୍ଚାତ୍ୟ ବନ୍ଧୁମାନେ ରାଜେଶଙ୍କୁ ସୁରଭିଙ୍କ ପାଇଁ ଅବିବାହିତ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ।

“ହାଓ ଆର ୟୁ ମ୍ୟାନେଜିଂ ଦିସ ବ୍ରୋ? ଇଟ୍ସ ସ୍ଟ୍ରେଞ୍ଜ । ୟୁ ଗାଇଜ୍ ହେଭ୍ ନେଭର୍ ହେଡ୍ ସେକ୍ସ । ଇଭନ୍ ସି ଡୋନ୍ଟ ନୋ ଏବାଉଟ୍ ୟୋର ଫିଲିଙ୍ଗ୍ସ । ସି ହାଜ୍ ନୋ ଆଇଡିଆ ଦାଟ୍ ୟୁ ଆର୍ ଷ୍ଟିଲ୍ ଅନମାରେଡ୍ । ଦେଆର୍ ଆର୍ ସୋ ମେନି ବ୍ୟୁଟିଫୁଲ୍ ଗାର୍ଲସ୍ ହିଅର୍ । ହ୍ୱାଏ ଡୋଣ୍ଟ ୟୁ ଗେଟ୍ ସେଟଲଡ୍ । “ ଷ୍ଟିଭଙ୍କ ପ୍ରଶ୍ନରେ ହସି ଦିଅନ୍ତି ରାଜେଶ । ବୁଝେଇ ପାରନ୍ତିନି ଯେ, କିଛି ପ୍ରେମ ଦେହାତୀତ । ଶରୀର ବିନା ବି ପ୍ରେମ କରିହୁଏ । ଆଉ ଯିଏ ଥରେ ସୁରଭିଙ୍କୁ ପ୍ରେମ କରିଛି, ସେ ଯେ ଜୀବନ ଯାକ ତାଙ୍କ ସ୍ମୃତିରେ ବିତେଇପାରିବ ସେଇଟା ଅସମ୍ଭବ ନୂହେଁ । ଅଫିସରେ ଅନେକ ତରୁଣୀ ତାଙ୍କୁ ପ୍ରେମ ନିବେଦନ କରିଛନ୍ତି । ସବୁକୁ ଖୁବ୍ ଭଦ୍ର ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ।

କେହି କେହି ପଚାରନ୍ତି, “ଆର୍ ୟୁ ଏ ଗେ?”

“ଆର୍ ୟୁ ଇମ୍ପୋଟେଣ୍ଟ?” ଆଉ କିଏ କହନ୍ତି ।

ହସିଦିଅନ୍ତି ସବୁଥର ସିଏ ।

ସାତଟା ପଇଁଚାଳିଶ । ଟ୍ରେନ ପୁରୀ ପହଂଚି ଯାଇଥିଲା । ଗାଡ଼ିରୁ ଓହ୍ଲାଇ ଟିକିଏ ଆଗକୁ ଯାଉ ଯାଉ ନଜରରେ ପଡ଼ନ୍ତି ଚନ୍ଦନ । ଚେହେରା ଯେମିତି ଥିଲା ଠିକ୍ ସେମିତି, ଖାଲି ଯାହା ପେଟଟି ଟିକେ ବାହାରି ପଡିଛି ଆଉ ଆଖିରେ ଚଷମା ଲାଗିଛି । ଟିକିଏ ନିରିଖେଇ ଦେଖିଲା ପରେ, “ରାଜେଶ!” ଧାଇଁ ଆସନ୍ତି ଚନ୍ଦନ । ଗୋଟିଏ ମୁହୂର୍ତ୍ତ ପାଇଁ ଦୁଇ ବନ୍ଧୁ ସ୍ଥାନ, ବୟସ, କାଳ, ପାତ୍ର ଭୁଲି କୁଣ୍ଢେଇ ଧରନ୍ତି ଦୁହିଁଙ୍କୁ ।

“ତୁ ଆସିଛୁ?” ନିଜ ଆଖିକୁ ବିଶ୍ୱାସ କରି ପାରୁ ନଥିଲେ ଚନ୍ଦନ । ରାସ୍ତା ସାରା ଗପିଗପି ଚନ୍ଦନଙ୍କ ଘରେ ପହଂଚି ଯାଇଥିଲେ ଦୁହେଁ ।

“ମୁଁ ଥାଉ ଥାଉ ତୁ ହୋଟେଲରେ ରହିବୁ? ଅସମ୍ଭବ । “ କହନ୍ତି ଚନ୍ଦନ ।

ଏତେ ଦିନ ପରେ ସାଙ୍ଗ ଆସିଛି । ପତ୍ନୀଙ୍କୁ କହି ସବୁ ମନପସନ୍ଦର ଖାଇବା ବନାନ୍ତି ଚନ୍ଦନ । ଭୋଜନ ପରେ, ଦୁଇ ବନ୍ଧୁ ସି ବିଚକୁ ବୁଲି ଯାଆନ୍ତି । ପନ୍ଦର ବର୍ଷ ହେବ ଏଇଠି ରହୁଛନ୍ତି ଚନ୍ଦନ । ଘର ସମୁଦ୍ରଠୁ ତିନିଶହ ମିଟର ହେବ ।

ଜୀବନର ଉଠାଣି ଗଡାଣି ବିଷୟରେ ଗପୁ ଗପୁ ସୁରଭିଙ୍କ କଥା ପଚାରନ୍ତି ରାଜେଶ ।

“ଏବେ ବି ସୁରଭି ମନେ ଅଛି?” ହସିଦେଇ କହନ୍ତି ଚନ୍ଦନ ।

“ଏବେ ବି ଅବିବାହିତ ମୁଁ । ଷ୍ଟିଲ ଭର୍ଜିନ୍ । ହାଃ ହାଃ!” ହସନ୍ତି ରାଜେଶ ।

ଦୁଇ ମିନିଟ୍ ନୀରବ ରହନ୍ତି ଚନ୍ଦନ ଆଉ କହନ୍ତି, “କାଲି ସୁରଭି ଘରକୁ ଯିବା । ସେ ବି ପୁରୀରେ ରହୁଛି, ନିଜ ଘରେ । “

“ହେଲେ! ତା ସ୍ଵାମୀ, ପିଲା । ମୁଁ ଚାହେଁନି ପରିଣତ ବୟସରେ ମୋ ପାଇଁ ତା ସଂସାରରେ ଝଡ଼ ଆସୁ । “ରାଜେଶ କହନ୍ତି ।

“ତୁ ଚୁପ୍ । “ ଖୁବ୍ ବଡପାଟିରେ କହନ୍ତି ଚନ୍ଦନ । “ଏତେ ଦିନ ନକହି ଗାୟବ ହେଇ ଯାଇଥିଲୁ । ଏବେ ମୁଁ ଯାହା କହିବି ସବୁ ତୋତେ ମାନିବାକୁ ହେବ । “

ରାଜେଶ ବି ଏତେ ବର୍ଷ ପରେ ସୁରଭିଙ୍କୁ ଦେଖିବାର ମୋହ କମେଇ ପାରୁ ନଥିଲେ । ଆସ୍ତିସୂଚକ ମୁଣ୍ଡ ହଲାଇଲେ ସେ ।

ସେ ରାତିଟା ରାଜେଶଙ୍କ ପାଇଁ ସବୁଠୁ ବଡ଼ ରାତି ଥିଲା । କାଲି କଣ ପିନ୍ଧିବେ? ସୁରଭିକୁ ଦେଖିଲେ କଣ କହିବେ, ସୁରଭି କଣ କହିବ? କେମିତି ଦେଖାଯାଉଥିବ? ଇତ୍ୟାଦି ପ୍ରଶ୍ନ ରାଜେଶଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲା । ପଚିଶି ବର୍ଷର ଅଧୁରା ଗପ ପାଇଁ ଗୋଟିଏ ରାତି ବହୁତ୍ କମ୍ ଥିଲା ଉଭୟ ବନ୍ଧୁଙ୍କ ପାଇଁ । ଗପୁ ଗପୁ ରାତି ପାହି ଯାଇଥିଲା । ନିତ୍ୟକର୍ମ ସମାପନ ଆଉ ସ୍ଵଳ୍ପ ପ୍ରାତଃ ଭୋଜନ ପରେ ଚନ୍ଦନଙ୍କ କାର୍ରେ ସୁରଭିଙ୍କ ଘର ଉଦ୍ଦେଶ୍ୟରେ ବାହାରିଥିଲେ ଦୁଇବନ୍ଧୁ ।

ଗାଡ଼ିର ଗତି ସହ ତାଳ ଦେଇ ରାଜେଶଙ୍କ ହୃତ୍ ସ୍ପନ୍ଦନ ବି ଖୁବ୍ ଜୋର୍ରେ ବଢ଼ିଚାଲିଥିଲା । ଏ ପ୍ରୌଢ ବୟସରେ ବି ତାଙ୍କୁ ଲାଗୁଥିଲା ସେ ସେଇ ତେଇଶି ଚବିଶି ବର୍ଷର ଯୁବକ । କେଇ ମିନିଟ୍ ପରେ ଗାଡ଼ି ଗୋଟେ ଘର ଆଗରେ ଅଟକିଲା । ଘର ତ ନୂହେଁ ଗୋଟେ ବଡ଼ ବଙ୍ଗଳା କହିଲେ ଚଳେ । ଘର ଆଗରେ ଖୁବ୍ ସୁନ୍ଦର ବଗିଚା । ଉଡେନ୍ ନେମ୍ ପ୍ଲେଟରେ ଗୋଲଡେନ୍ ଅକ୍ଷରରେ ଲେଖା ହେଇଛି, ରାଇଟର ପ୍ରଫେସର୍ ସୁରଭି ସାମନ୍ତରାୟ ।

କାଇଁ ସୁରଭିର ସ୍ୱାମୀଙ୍କ ନାଁ? ସେହି ଭାଗ୍ୟବାନ ପୁରୁଷ, ଯାହାଙ୍କ ପାଇଁ ଏ ଜନ୍ମରେ ସୁରଭି ରାଜେଶଙ୍କ ପାଇଁ କେବଳ ସ୍ମୃତି ହେଇ ରହିଯାଇଛନ୍ତି । କିନ୍ତୁ କାଇଁ ନାହିଁ ତ କୋଉଠି ବି, ବୋଧହୁଏ ସୁରଭି ନିଜ ସ୍ୱାମୀଙ୍କୁ ବହୁତ୍ ଡୋମିନେଟ୍ କରି ରଖିଛି । ହାଃ ହାଃ । ହସିଦେଲେ ରାଜେଶ । ବଗିଚା ଡେଇଁ ଘରର ମୁଖ୍ୟ ଦରଜା ଆଡକୁ ଆଗେଇଲେ ସେ । କଲିଙ୍ଗ୍ ବେଲ୍ ଚିପିବାର କେଇ ମିନିଟ୍ ପରେ କୋଡ଼ିଏ, ଏକୋଇଶ ବର୍ଷର ଝିଅଟିଏ ଆସି ଦୁଆର ଖୋଲିଲା । “ଆରେ ଚନ୍ଦନ ଅଙ୍କଲ୍ । ଆସନ୍ତୁ ଭିତରକୁ । ମାମା ଗାଧୋଇବାକୁ ଯାଇଛନ୍ତି । ଆପଣ ଭିତରେ ଅପେକ୍ଷା କରନ୍ତୁ । ”

ଏଇ ତାହେଲେ ସୁରଭିର ଝିଅ । କାହିଁକି କେଜାଣି ରାଜେଶଙ୍କ ମନ ଟିକେ ଭାରି ଲାଗିଲା । ସୁରଭିଙ୍କୁ ଥରେ ଖୁବ୍ ଜୋରରେ ଆଲିଙ୍ଗନ କରିବାକୁ ଇଚ୍ଛା ହେଲା । ଏମିତି ଇଚ୍ଛା ଯେ ଆଜି ହେଇଛି ତା ନୂହେଁ, କିନ୍ତୁ ଆଜି ଟିକେ ଅଲଗା ଅଲଗା ଲାଗୁଥିଲା ।

ଦୁଇବନ୍ଧୁ ସୋଫାରେ ବସିଲେ । ଘର ଭିତରେ ନଜର ବୁଲେଇ ଆଣିଲେ ରାଜେଶ । ଜଗନ୍ନାଥଙ୍କର ଗୋଟେ ବିରାଟ ବଡ଼ ଚିତ୍ର ଲାଗିଛି ୱାଲରେ । ଛୋଟ ଗ୍ଲାସ ସେଲ୍ଫରେ ଢେର୍ କପ୍ ଆଉ ଟ୍ରଫି । ବୋଧହୁଏ ସୁରଭିର ଝିଅର । ବାରମ୍ବାର ବ୍ୟସ୍ତ ହେଇ ହାତଘଣ୍ଟାକୁ ଦେଖୁଥିଲେ ରାଜେଶ । ଗୋଟିଏ ସେକେଣ୍ଡ ଗୋଟିଏ ଯୁଗ ପରି ଲାଗୁଥିଲା । ହଠାତ୍ ଘର ଭିତରକୁ ପଶିଆସିଲେ ସୁରଭି । ହଳଦିଆ ରଙ୍ଗର ପାଟଶାଢୀ, ଓଦା କେଶରେ ସୁରଭି ଲାଗୁଥିଲେ କୋଉ ଗୋଟେ ଅପସରି ଯେମିତି । ସେଦିନର ଟାଉନ୍ ହଲରେ ତରୁଣୀ ସୁନ୍ଦରୀଙ୍କୁ ଦେଖି ଯେମିତି ରାଜେଶଙ୍କ ସ୍ପନ୍ଦନ ଅଟକି ଯାଇଥିଲା ଆଜି ବି ଠିକ୍ ସେମିତି । କିନ୍ତୁ ସୁରଭିଙ୍କ ସୀମନ୍ତ ଯେ ଶୂନ୍ୟ । ତା ମାନେ ଆକାଶ କଣ?

କିନ୍ତୁ ସୁରଭିଙ୍କ ହାତରେ ତ ନାଲି ଆଉ ହଳଦିଆ ମିଶା ଚୁଡ଼ି ।

ଚନ୍ଦନଙ୍କ ପାଖରେ ସୋଫାରେ ରାଜେଶଙ୍କୁ ଦେଖି ଥମ୍ କରି ରହିଗଲା ସୁରଭିଙ୍କ ପାଦ । ପଡିଯାଉ ପଡିଯାଉ ଦୁଆର ବନ୍ଧକୁ ଧରି ରହିଗଲେ ସେ । ସମସ୍ତେ ଚୁପ୍ । କାହାରି ପାଟିରେ ଭାଷା ନାହିଁ । ଚାରୋଟି ଆଖି ପରସ୍ପର ଉପରେ ନିବଦ୍ଧ ।

ନୀରବତା ଭାଙ୍ଗି ଚନ୍ଦନ ଆଗେଇ ଗଲେ ସୁରଭିର ବୁକ୍ ସେଲ୍ଫ ଆଡ଼େ ଆଉ ଗୋଟିଏ ବହି ଉଠେଇ ଆଣି ବଢେଇ ଦେଲେ ରାଜେଶଙ୍କ ହାତକୁ । ଏଇ ନେ ପଢ଼ । ସୁରଭିର ଆତ୍ମଜୀବନୀ । ଅବୋଧ ବାଳକ ସମ ରାଜେଶ ଚାହିଁଥିଲେ ଚନ୍ଦନଙ୍କ ମୁହଁକୁ ।

ଚନ୍ଦନ ଆରମ୍ଭ କଲେ, “ତୁ ଯେ ସୁରଭିକୁ ପ୍ରେମ କରୁ, ସେକଥା ସୁରଭି ବେଶ୍ ଭଲ ଭାବେ ଜାଣିଥିଲା । କିନ୍ତୁ ସବୁ ଝିଅ ଚାହାଁନ୍ତି ତାଙ୍କ ଇପ୍ସିତ ପୁରୁଷ ପ୍ରଥମେ ନିଜ ପ୍ରେମ ଅଭିବ୍ୟକ୍ତ କରୁ । କିନ୍ତୁ ତୁ ତ ବନ୍ଧୁତ୍ୱରୁ କଥା ଆଉ ଆଗକୁ ବଢ଼ାଉ ନଥିଲୁ । ସେଥିପାଇଁ ସୁରଭି ଆଉ ରଞ୍ଜିତା ପ୍ଲାନିଂ କରି ତୋତେ ଆକାଶ କଥା ମିଛରେ କହିଥିଲେ, କାଳେ ତୁ ନିଜ ମନକଥା ପ୍ରକାଶ କରିବୁ ବୋଲି । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି । ଆଉ ମୁଁ ଏ ପ୍ଲାନିଂ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲି । କିନ୍ତୁ ତୁ ତ କିଛି ନବୁଝି ମନେ ମନେ ମହାନ୍ ହେଇ, ଫରେନ୍ ଚାଲିଗଲୁ । ସେଦିନର କବିତା ସମାରୋହ ପରେ ସୁରଭିର ଆଇଙ୍କର ମୃତ୍ୟ ହେଇଗଲା ଆଉ ସୁରଭି ମାସେ ପାଇଁ ଗାଆଁକୁ ଚାଲିଗଲା । ସୁରଭି ଗାଆଁରୁ ଫେରିଲା ପରେ ହଷ୍ଟେଲ୍ ଠିକଣାରେ ତୋତେ ବହୁତ୍ ଚିଠି ଲେଖିଲା ।

ତୋ କଥା ଅନୁଯାୟୀ ମୁଁ ସୁରଭିକୁ କିଛି କହୁ ନଥିଲି । କିନ୍ତୁ ଯୋଉଦିନ ସୁରଭି ତୋତେ ପ୍ରେମ ନିବେଦନ କରି ଚିଠି ଲେଖିଲା, ସେଦିନ ମୁଁ ସୁରଭିକୁ ଦେଖା କରି ତୁ ବି ତାକୁ ଭଲ ପାଉ ବୋଲି କହିଦେଲି । ସେଦିନ ଆମେ ଦୁଇଜଣ ବହୁତ୍ ଖୁସି ହେଇଥିଲୁ । ତୋ କମ୍ପାନୀ ଠିକଣାରେ ଯୋଗାଯୋଗ କରିବାକୁ ଚେଷ୍ଟା କରି କୌଣସି ଲାଭ ହେଇନଥିଲା । ତୁ ହଜି ଯାଇଥିଲୁ କୋଉ ଗୋଟେ ପୁରୁଣା ଗୀତ ପରି । ଦିନ ଗଡ଼ିଚାଲିଲା । ସୁରଭିକୁ ସମସ୍ତେ ବିବାହ କରିବା ପାଇଁ ବୁଝେଇଲେ । ସେ କିନ୍ତୁ ନିଜ ଜିଦରେ ଅଟଳ ଥିଲା । ତା ପରେ ଅନାଥାଶ୍ରମଟିଏ ଖୋଲିଲା ସେ ନିଜ ଚେଷ୍ଟାରେ । ଯୋଉ ଝିଅ ଆସି ପ୍ରଥମେ ଦୁଆର ଖୋଲିଲା, ସେ ହଉଛି ସୁରଭିର ପ୍ରଥମ ପାଳିତ ସନ୍ତାନ । ଏବେ ସୁରଭିର ଚାରୋଟି ଆଶ୍ରମ । ପାଖାପାଖି ଦୁଇଶହ ପିଲା ଏବେ ସୁରଭିର ଦାୟିତ୍ଵରେ । ଏଇ ଘରେ ସୁରଭି ସହ ପ୍ରାୟ ପନ୍ଦରଟି ପିଲା ରହୁଛନ୍ତି ।

ଆମେ ଭାବିଥିଲୁ ତୁ ସେଇଠି ବିବାହ କରି ଖୁସିରେ ରହିଛୁ । କିନ୍ତୁ କାଲି ଯେତେବେଳ ତୋ ଠୁ ତୁ ଅବିବାହିତ ବୋଲି ଜାଣିଲି, ସତରେ ଭଗବାନଙ୍କ ଲୀଳା ଆଗେ ମୁଁ ହାର୍ ମାନିଗଲି । ” ଗୋଟିଏ ନିଃଶ୍ଵାସରେ ଏତିକି କହିଗଲେ ଚନ୍ଦନ । ମନ୍ତ୍ରମୁଗ୍ଧ ହେଇ ଶୁଣୁଥିଲେ ରାଜେଶ । କାଠ ମୂର୍ତ୍ତି ପରି ବସିଥିଲେ ସୁରଭି । ଘର ଭିତରୁ ରାଜେଶଙ୍କ ଫୋଟୋ ହାତରେ ଧରି ଚାରି ପାଞ୍ଚ ବର୍ଷର କୁନି ଛୁଆଟିଏ ଆସିଲା । ଥରେ ରାଜେଶ ଆଉ ଥରେ ଫୋଟୋକୁ ଦେଖି କହିଲା, “ମାମା ଇଏ ତାହେଲେ ବାବା ନାଁ?” ଏତିକି କହୁ କହୁ ଆଉ କେତୋଟି କୁନି ଓ ବଡ଼ ପିଲା ଆସି ରାଜେଶଙ୍କ ବେକକୁ ଧରି ବାବା ବାବା କହି ଝୁଲି ପଡ଼ିଲେ । ଟିକିଏ ଆଗେଇ ଯାଇ, ସୁରଭିଙ୍କୁ କୋଳେଇ ନେଲେ ରାଜେଶ । ଯୌବନ ବିଗତ ପ୍ରାୟ । ଆଉ ସେ ଉଦ୍ଦାମତା ନାହିଁ କହିଲେ ଚଳେ । ଅଛି ଖାଲି ପ୍ରେମ । ନିରୁତା ପ୍ରେମ । ଆନନ୍ଦର ଲୁହରେ ଓତଃପ୍ରୋତ ଦୁଇ ପ୍ରେମୀଙ୍କ ମହାମିଳନ ଦେଖି ଜଗତନିୟନ୍ତାଙ୍କ ଉଦ୍ଦେଶ୍ୟରେ ଯୋଡ଼ ହସ୍ତରେ ପ୍ରଣିପାତ କରୁଥିଲେ ଚନ୍ଦନ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.