ଦୁଇଟି ନିରବ ହୃଦୟର ପ୍ରେମ କାହାଣୀ

love story
Reading Time: 10 minutes

ହଠାତ୍ ଏପରି ସୋନାଲି ସହ ଦେଖାହୋଇଯିବ କେବେ ବି ଭାବିନଥିଲା ଅଜୟ । ଶେଷଥର ପାଇଁ ସେ ତାକୁ ୬ବର୍ଷ ତଳେ ଭେଟିଥିଲା। ଏତେ ବର୍ଷର ଦୂରତା ମଧ୍ୟରେ କିଛି ବଦଳି ନଥିଲା ସୋନାଲି । ସେଦିନ ସେ ସାଲୁଆର କମିଜ୍ ପିନ୍ଧି କଲେଜ୍ ଆସୁଥିଲା କିନ୍ତୁ ଆଜି ସାଢି ପିନ୍ଧି ଆସିଛି । ସେ ଆଜି ବହୁତ ସୁନ୍ଦର ଦେଖାଯାଉଥିଲା । ଅଜୟ ଭାବିଲା ସୋନାଲି ପାଖକୁ ଯାଇ ଟିକିଏ ଭଲମନ୍ଦ କଥା ହେବ ଓ ଏହି ବାହାନାରେ ଜାଣିପାରିବ ତାର ବାହାଘର ହୋଇଛି କି ନାହିଁ । କିନ୍ତୁ ତାର ପୁର୍ବକଥା ମନେ ପଡିଯିବାରୁ ପାଦ ଦୁଇଟି ଆପେଆପେ ଅଟକିଗଲା । ସେଦିନ ପୁରା କଲେଜଟି ସୋନାଲିମୟ ଲାଗୁଥିଲା ଅଜୟକୁ । ବସିଲେ ଖାଇଲେ ଓ ଶୋଇଲେ ତାକୁ ସୋନାଲିର ମୁହଁ ଦେଖାଯାଉଥିଲା । ସେଦିନ ଥିଲା ସୋନାଲିର ବାର୍ଥଡେ ।

ବାର୍ଥଡେ ଗିଫ୍ଟ ସହ ନିଜ ମନର ଭାଷାକୁ ଲେଖି ଏକାନ୍ତରେ ସୋନାଲି ହାତକୁ ବଢାଇଥିଲେ ଅଜୟ । ଅପେକ୍ଷା କରିଥିଲା ସୋନାଲିର ପ୍ରତିକ୍ରିୟା କୁ । କିନ୍ତୁ ସୋନାଲି ଥରୁଟିଏ ଖୋଲି ପଢିଲା ନାହିଁ । ସିଧା ସିଧା ଫେରାଇ ଦେଇ କହିଥିଲା, ମୁଁ ଜାଣେ ତୁମେ ଏଥିରେ କଣ ଲେଖିଥିବ । ତୁମେ ମୋତେ ବହୁତ ଭଲପାଅ । ମୋ ବିନା ତୁମେ ବଞ୍ଚି ପାରିବନି । ଶୁଣ ସେ ପ୍ରେମ ପରି ଫାଲ୍ତୁ କାମ ପାଇଁ ମୋ ପାଖରେ ସମୟ ନାହିଁ । ଯଦି ତୁମେ ମୋତେ ପ୍ରକୃତରେ ଭଲ ପାଉଛ ମୋ ସାମନାକୁ କେବେ ବି ଆସିବନି । ଏହି କଥା କହିବା ସମୟରେ ତାର ମୁହଁ ଲାଲ୍ ପଡିଯାଇଥିଲା । ସେସବୁ ଘଟଣା ଅତୀତ । କିନ୍ତୁ ଏବେ ସୋନାଲି ତାର ପ୍ରତିଦ୍ବନ୍ଦି । କଲେଜରେ ଖୋଲିଥିବା ଅଧ୍ୟାପକ ପୋଷ୍ଟ ପାଇଁ ଦୁହେଁ ଆସିଛନ୍ତି ଇଣ୍ଟରଭିଉ ଦେବାକୁ ।

ଇଣ୍ଟରଭିଉ ଦେବା ପରେ କଲେଜ କତୃପକ୍ଷ ଫଳାଫଳ ଜଣାଇଥିଲେ । ସୋନାଲି ଅଧ୍ୟାପକ ପଦ ପାଇଁ ସିଲେକ୍ଟ ହୋଇଥିଲା । ଆଜିବି ସୋନାଲି ନିକଟରୁ ହାରିଯାଇଥିଲା ଅଜୟ । ସେ ହାରିଯାଇଥିଲା ବୋଲି ଯେତିକି ଦୁଃଖି ନଥିଲା ଅଧିକ ଖୁସି ହୋଇଥିଲା ସୋନାଲି ସିଲେକ୍ଟ ହୋଇଛି । କୁହାଯାଏ ଯୁଦ୍ଧ ଓ ପ୍ରେମରେ ସବୁକିଛି ସମ୍ଭବ । ଫରକ ଏତିକି ଯେ ଯୁଦ୍ଧରେ ଅନ୍ୟକୁ ପରାସ୍ତ କରି ବିଜୟ ପ୍ରାପ୍ତି ହୁଏ ପ୍ରେମରେ ଅନ୍ୟଠାରୁ ପରାସ୍ତ ହୋଇ ମଧ୍ୟ ବିଜୟ ଅନୁଭବ କରିହୁଏ । ସେଥିିପାଇଁ ତ ସେ ଜାଣି ଶୁଣି ଈଣ୍ଟରଭିଉରେ ଭୁଲ୍ ଉତ୍ତର ଦେଇଥିଲା । ଶେଷଥର ପାଇଁ ସୋନାଲିକୁ ଅଭିନନ୍ଦନ ଜଣାଇବା ପାଇଁ ଯାଇଥିଲା ଅଜୟ । କଙ୍ଗ୍ରାଚୁଲେସନ ସୋନାଲି ।

ହସିଲା ସୋନାଲି । ଠିକ୍ ସେହି ହସ, ଯେଉଁ ହସ ଦିନେ ପାଗଳ କରିଥିଲା ଅଜୟକୁ । ସୋନାଲି ହସି ହସି କହିଥିଲା ମୁଁ ଅଧିକ ଖୁସି ହୋଇଥାନ୍ତି ଯଦି ତୁମେ ସିଲେକ୍ଟ ହୋଇଥାନ୍ତ । ଏତିକି କହି ଚାଲିଯାଉଥିଲା ସୋନାଲି । ଅଜୟ ତାକୁ ପଛରୁ ଚାହିଁ ରହିଥିଲା ଓ ମନେ ମନେ ଭାବୁଥିଲା ତେବେ ସୋନାଲି କଣ ତାକୁ ବି ଭଲ ପାଉଛି ?

ସୋନାଲିର ସେହି ପଦିଏ କଥା ବାରମ୍ବାର ଅଜୟର ହୃଦୟକୁ ଦୋହଲାଇ ଦେଉଥିଲା । ଅଜୟ ବୁଝିପାରୁନଥିଲା ସୋନାଲି ଏବେ ତାକୁ ଭଲପାଇ ବସିନି ତ ? ତାର ମନେପଡିଗଲା କିଛି ପୁର୍ବ ସ୍ମୃତି । କଲେଜକୁ ନୂଆ ହୋଇ ଆସିଥିଲା ସୋନାଲି । ଯୁକ୍ତ ତିନ୍ କଳାରେ ଆଡମିଶନ କରିଥିଲା । ତାର ବାପା ଜଣେ ସରକାରି ଚାକିରିଆ ଥିଲେ । ବାପାଙ୍କ ବଦଳି ଯୋଗୁଁ ତାକୁ ତାର ପୁରୁଣା କଲେଜ୍ ଛାଡି ଏଠାରେ ଆଡମିଶନ୍ କରିବାକୁ ପଡିଥିଲା । କଲେଜ୍ ରେ ସେ ନୂଆ ହୋଇଥିବାରୁ ତାକୁ ସମସ୍ତଙ୍କ ସହିତ ଖାପ ଖୁଆଇ ଚଳିବାକୁ ସମୟ ଲାଗିଲା ।

ଏକ କଲେଜ୍ ଉତ୍ସବରେ ସୋନାଲି ତାର ନାଁ ଦେଇଥିଲା ଗିତ ଗାଇବା ପାଇଁ । ମଞ୍ଚ ଉପରକୁ ଯାଇ ଏକ ଜଗନ୍ନାଥ ଭଜନ ଗାଇଲା । କିଛି ଯୁବକ ତାକୁ ଥଟ୍ଟା କରିଥିଲେ ଯେ ଆଜିର ମଡର୍ଣ୍ଣ ଯୁଗରେ ସଡନ୍ ଆଲବମ୍ ଗାଇବାକୁ କହିଥିଲେ । ହୋ ହାଲ୍ଲା ଭିତରେ ମଞ୍ଚରୁ ଫେରିଆସୁଥିବା ସୋନାଲିକୁ ଅଟକାଇ ଥିଲା ଅଜୟ । ସେ ଅନ୍ୟମାନଙ୍କୁ ପାଟି କରି ଚୁପ୍ କରିବା ପରେ ସୋନାଲିକୁ ଅନୁରୋଧ କରିଥିଲା ଗିତ ପରିବେଷଣ କରିବା ପାଇଁ । ସୋନାଲି ଗାଇଥିଲା, ଖୁବ୍ ସୁନ୍ଦର, ମନମୁଗ୍ଧକର କାଳିଆ ଭଜନ । ଉତ୍ସବ ଶେଷରେ ସୋନାଲି ପୁରଷ୍କୃତ ହୋଇଥିଲା ମନମୁଗ୍ନକର କାଳିଆ ଭଜନ ପାଇଁ । କେବଳ ସୋନାଲି ନୁହଁ ଅନ୍ୟମାନେ ବି ପୁରଷ୍କୃତ ହୋଇଥିଲେ ।

ପରଦିନ ସୋନାଲି ଅଜୟକୁ ଦେଖି ଧନ୍ୟବାଦ ଜଣାଇଲା । ପ୍ରତିବଦଳରେ ଅଜୟ ଖୁବ୍ ସୁନ୍ଦର ହସଭରା ମୁହଁରେ ତାକୁ ସ୍ବାଗତ ଜଣାଇଥିଲା । ଅଜୟ ପଚାରିଲା ଏ ଭଜନ ମୁଁ ଆଗରୁ କେବେ ଶୁଣି ନାହିଁ, ତୁମେ ଏତେ ସୁନ୍ଦର ଭଜନ କେଉଁଠୁ ପାଇଲ ? ସୋନାଲି କହିଥିଲା ମୁଁ ସମୟ ପାଇଲେ କିଛି ଲେଖାଲେଖି କରେ, ଏ ଭଜନ ମୋର ନିଜ ଲେଖା । ଅଜୟ ତାକୁ ଭବିଷ୍ୟତରେ ଅଧିକରୁ ଅଧିକ ଲେଖିବା ପାଇଁ ଉତ୍ସାହିତ କରିଥିଲା । ସେଦିନ ଠାରୁ ଦୁହିଁକ ସମ୍ପର୍କ ଭଲ ବନ୍ଧୁ ରୁପେ ଗଢିଉଠିଥିଲା । ଧୀରେ ଧୀରେ ଦୁହେଁ ସାଙ୍ଗ ହୋଇ କଲେଜ୍ ଗଲେ, ସାଙ୍ଗ ହୋଇ କଲେଜ୍ କ୍ୟାଣ୍ଟିନ୍ ରେ ମଧ୍ୟାହ୍ନ ଭୋଜନ କଲେ ଓ ସାଙ୍ଗ ହୋଇ ଲାଇବ୍ରେରିରେ ପଢିବା ନିତିଦିନିଆ ହୋଇଗଲା ।

ସମୟ ଗଡିବା ସହିତ ଦୁହେଁ ଦୁହିଁକୁ ଭଲ ଭାବେ ବୁଝିସାରିଥିଲେ । ସୋନାଲି ପ୍ରତ୍ୟକ ଆବଶ୍ୟକତାରେ ସେ ଅଜୟର ସାହାଯ୍ୟ ଲୋଡୁଥିଲା । କେବେ ଚେବେ ସୋନାଲି କବିତା କି ଭଜନ ଲେଖି ସାରିବା ପରେ ଅଜୟକୁ ଶୁଣାଇ କେଉଁଠି ତୃଟି ଅଛି ପଚାରେ ଓ ଅଜୟ ନିଜର ମତାମତ ଦେଇଥାଏ । ଦିନେ ଦୁହେଁ ନିରୋଳାରେ ଲାଇବ୍ରେରିରେ ବସିଥିଲେ । ସୋନାଲି ଏକ କବିତା ପଢି ଶୁଣାଇଲା । କବିତାଟି ଶୁଣି ଅଜୟ ଅଧିକ ରୋମାଞ୍ଚିତ ହୋଇଗଲା । ତାକୁ ଲାଗିଲା ସୋନାଲି ଏ କବିତା ତା ଉଦ୍ଦେଶ୍ୟରେ ଲେଖିଛି । ସେଦିନ ସେ କିଛି ନକହି କବିତାଟି ଖୁବ୍ ସୁନ୍ଦର ହୋଇଛି କହି ଚାଲିଯାଇଥିଲା ସେଠାରୁ । ସେଦିନ ଠାରୁ ଅଜୟ ମନରେ ସୋନାଲି ପ୍ରତି ଦୁର୍ବଳତା ବଢିଲା । ସେ ମନେମନେ ସୋନାଲିକୁ ଖୁବ୍ ଭଲପାଇ ବସିଲା । ଅଜୟ ଭାବିଥିଲା ସୋନାଲି ଯେବେ ଖୁସି ଥିବ, ମୁଁ ତାକୁ ଭଲ ପାଉଛି କହିବି । ତେଣୁ ସେ ସୋନାଲିର ଜନ୍ମଦିନ ଗିଫ୍ଟ ସହିତ ନିଜ ମନର ଭାଷାକୁ ଲେଖି ସୋନାଲି ହାତରେ ଧରାଇଦେଇଥିଲା ।

କିନ୍ତୁ ସେଦିିନ ତାର ଆଶା ଆକାକ୍ଷ୍ୟାଂକୁ ସୋନାଲି ପାଦରେ ଆଡେଇଦେଲା । ଚିଠିକୁ ଖୋଲି ପଢିବାକୁ ଚେଷ୍ଟା କରିନି ସେ । ସିଧା ସିଧା ସୋନାଲି ଅଜୟକୁ କହିଥିଲା ଯଦି ପ୍ରକୃତରେ ମୋତେ ଭଲପାଉଛ, ମୋ ଆଗକୁ ଆଉ କେବେ ଆସିବ ନାହିଁ । ବାସ୍ ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ୬ବର୍ଷ ବିତିଗଲେ ମଧ୍ୟ ଅଜୟ କେବେ ତାକୁ ଦେଖା କରିନଥିଲା କି ତାର ସାମନାକୁ ଆସିନଥିଲା । ପୁଣି ଆଜି ସୋନାଲି କଣ ପାଇଁ କହିଥିଲା ଅଜୟ ତୁମେ ଯଦି ସିଲେକ୍ଟ ହୋଇଥାନ୍ତ ମୁଁ ଅଧିକ ଖୁସି ହୋଇଥାନ୍ତି । କଣ ହୋଇପାରେ ଏହାର ଅର୍ଥ ?

ଆଜ୍ଞା ଚାଲନ୍ତୁ ଫାଟକ ବନ୍ଦ କରିବି । କଲେଜ୍ ଜଗୁଆଳିର ଡାକରେ ଅଜୟ ଫେରିଆସିଥିଲା ଭାବନା ଦୁନିଆରୁ । ସେ ନିଜ ହାତ ଘଣ୍ଟା ଦେଖିଲା, ୨ଟା ବାଜିଲାଣି । ସୋନାଲି ଏଠାରୁ ଦୁଇ ଘଣ୍ଠା ହେଲା ଯାଈସାରିଛି । କିନ୍ତୁ ଅଜୟ ଏବେ ବି ଚାହିଁ ରହିଥିଲା ସୋନାଲିର ଯିବା ବାଟକୁ । ମନେମନେ ସେ ଭାବିଲା ଆଜି କାହିଁକି ସୋନାଲି ପାଇଁ ମୋର ଏତେ ଚିନ୍ତା । ସେ ତ ମୋତେ ମନା କରିଥିଲା ତାର ସାମନାକୁ ଯିବା ପାଇଁ । ମୁଁ ଏତେ ଦୁଃଖରେ ଥାଇ ତାକୁ ଚାକିରି ଦେବା କଣ ଠିକ୍ କରିଛି ….ନାଁ ନାଁ ବୋଧେ ଭୁଲ୍ କରିଦେଲି ମୁଁ । ଗାଁରେ ମୋ ବୁଢିମା ଅନେକ ଦୁଃଖ କଷ୍ଟ ସହି ପାଠ ପଢାଇଥିଲା ତାର ବୃଦ୍ଧବସ୍ଥାରେ ସାହା ହେବା ପାଈଁ , ହେଲେ ମୁଁ ମୋ ନିଜ ଗୋଡରେ କୁରାଢି ମାରିଛି । ଏ ପ୍ରଶ୍ନର ଉତ୍ତର ତାର ମନ ଖୋଜି ପାଉନଥିଲା ସତ ହେଲେ ହୃଦୟ କହୁଥିଲା ପ୍ରେମରେ ସବୁ ସମ୍ଭବ । ତୁ ହାରି ନାହୁଁ, ତୁ ଯିତି ଯାଇଛୁ । ନିଜ ପ୍ରେମ ଭଲପାଇବା ପାଇଁ ତୁ ତ୍ୟାଗ କରିଛୁ, ତୁ ମହାନ୍ ।

ଏହି କିଛିଦିନ ଯିବା ଆସିବା ସମୟରେ ସୋନାଲି ସହିତ ଦୁଇଥର ଦେଖାହେଲିଣି । ତାର ସେହି ସୁନ୍ଦର ତେଜିଆନ ଆଖି ଦୁଇଟି ଆଜି ଅଜୟକୁ ନିରିହ ପରି ଦିଶୁଛି । ନା ଅଜୟ ତାକୁ କିଛା କହେ ନା ସୋନାଲି । ବାସ୍ ଦୁହେଁ ଦୁହିଁକୁ ଅପଲକ ନୟନରେ ଦେଖନ୍ତି । ଅଜୟକୁ ଲାଗୁଥିଲା ସୋନାଲିର ସେ ନିରିହ ଆଖି ଦୁଇଟି ତାକୁ କିଛି କହିବାକୁ ଚାହୁଁଛି । ବୋଧେ ବୁଝି ପାରୁଥିଲା ଅଜୟ ସୋନାଲି ଆଖିର ଭାଷାକୁ । କିନ୍ତୁ ଭୟ ଲାଗୁଥିଲା ତାକୁ । ଥରୁଟିଏ ନିଜ ମନର ଭାଷାକୁ ଚିଠିରେ ଲେଖି ଦେଇଥିଲା ବୋଲି ଏତେ ସୁନ୍ଦର ସମ୍ପର୍କକୁ ସେ ୬ବର୍ଷ ପାଇଁ ହଜାଇ ଦେଇଥିଲା । ନା, ନା ମୁଁ ତା ସହିତ ଏପରି କିଛି କରିବି ନାହିଁ, ଯାହାକି ମୋତେ ଆଉଥରେ ଦୂରକୁ ଠେଲିଦେବ । ମୋ ପାଇଁ ସେ ନିରିହ ଆଖିର ଭାଷା ବହୁତ୍ କିଛି । ସେ ଭାଷାକୁ ପଢି ପଢି ତାର ସ୍ମୃତିରେ ସାରା ଜୀବନ ବଞ୍ଚି ରହିବି ।

ଆଜି ସୋନାଲିର ପ୍ରଥମ ଦିନ କଲେଜ୍ ଅଧ୍ୟାପକ ରୁପେ । ଖୁବ୍ ତରତର ହୋଇ ସେ କଲେଜ୍ କୁ ବାହାରିଗଲା । ପ୍ରଥମ ଦିନର ପ୍ରଥମ ଅନୁଭୂତି ଯେତିକି ତାକୁ ରୋମାଞ୍ଚିତ କରୁଥିଲା, ଅଜୟ କଥା ଭାବି ଭାବି ସେତିକି କଷ୍ଟ ଅନୁଭବ କରୁଥିଲା । ଆଜିବି ଅଜୟ ତା ନିକଟରୁ ହାରିଯାଇଥିଲା । ଅଜୟକୁ ଚାକିରି ମିଳିଥିଲେ ସେ ଅଧିକ ଖୁସି ହୋଇଥାନ୍ତେ ।

କଲେଜ୍ ରେ ପହଞ୍ଚିବା ପରେ ସମସ୍ତ ସାଥି ଅଧ୍ୟାପକ ଓ ଅଧ୍ୟାପିକା ତାକୁ ସ୍ବାଗତ କରିଥିଲେ । କଲେଜ୍ ର ପ୍ରଥମ ଦିନ ହୋଇଥିବାରୁ ତାକୁ ବେଶି କ୍ଲାସ୍ କରିବାକୁ ପଡିନଥିଲା । ମଧ୍ୟାହ୍ନରେ ବସି କଛି ଅଧ୍ୟାପିକା ବାନ୍ଧବିଙ୍କ ସହିତ କଥା ହେବା ସମୟରେ ଜଣେ ବାନ୍ଧବି ପଚାରିଲେ ଆପଣ ଏପର୍ଯ୍ୟନ୍ତ ବିବାହ କାହିଁକି କରିନାହାନ୍ତି ?

ଏ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲା ସୋନାଲି । ସେ ତ କେବେ କାହାକୁ କହିନାହିଁ ସେ ବିବାହିତ କି ଅବିବାହିତ । ଅଧ୍ୟାପିକା ମହାଶୟା ଜାଣିଲେ କିପରି ? ସେ ପଚାରିଲା ଆପଣ କିପରି ଜାଣିଲେ ମୁଁ ବିବାହ କରିନାହିଁ ? ସୋନାଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଧ୍ୟାପିକା ମହାଶୟା କହିଲେ ଇଣ୍ଟରଭିଉରେ ଆପଣ ଯେଉଁ ବାୟୋଡାଟା ଦେଇଥିଲ, ସେଥିରେ ଅବିବାହିତ ଲେଖା ଥିଲା । ସୋନାଲି ମୁହଁରେ ଏକ ଖୁସିର ଚମକ ଖେଳିଗଲା । ତାର ମନେପଡିଗଲା ଅଜୟ ବି ତାର ବାୟୋଡାଟାରେ ବିବାହିତ କି ଅବିବାହିତ ନିଶ୍ଚୟ ଲେଖିଥିବ ।

ତାର ମନରେ ସୁପ୍ତ ଭଲପାଇବା ଟିକିଏ ଜାଗି ଉଠିଲା । ମନେ ମନେ ସ୍ଥିର କଲା ଯେପରି ହେଉ ଅଜୟର ବାୟୋଡାଟା ମୋତେ ଦେଖିବାକୁ ପଡିବ । ତିନିଦିନର କଠିନ ପରିଶ୍ରମ ପରେ କଲେଜ୍ କ୍ଲର୍କ ଦୀନବନ୍ଧୁ ବାବୁଙ୍କ ବିଶ୍ବାସ ପାତ୍ର ହୋଇପାରିଥିଲା । ସେ ତାଙ୍କୁ ଅନୁରୋଧ କରିଥିଲା ଅଜୟର ବାୟୋଡାଟା ଦେଖାଇବା ପାଇଁ । ଦୀନବନ୍ଧୁ ବାବୁ ଯେତେବେଳେ ତାର ହାତରେ ଅଜୟର ବାୟୋଡାଟା ଧରାଇଦେଲେ, ସେ ଅପଲକ ନୟନରେ ଚାହିଁ ରହିଥିଲା । ଏ କଣ, ଅଜୟ ବି ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । କଣ ଆଜିବି ମୋତେ ଭଲ ପାଉଛନ୍ତି କି ? ଏ ପ୍ରଶ୍ନର ଉତ୍ତର ଖୋଜି ପାଇନଥିଲା ସୋନାଲି । ତାର ସମସ୍ଥ ସ୍ନାୟୁ ଚଳଚଞ୍ଚଳ ହେଲା । ସେ ନିଜ ଭବିଷ୍ୟତକୁ ଅଜୟ ହାତରେ ଟେକିଦେବ ସ୍ଥିର କଲା । ହେଲେ କିପରି ଓ କେଉଁଠି ମୁଁ ଅଜୟକୁ ପାଇବି ? ଯେଉଁ ମୁହଁରେ ତାଙ୍କୁ ଏତେ ଦୂରକୁ ଠେଲି ଦେଇଥିଲି, ଆଜି ପୁଣି କେଉଁ ମୁହଁରେ କହିବି ମୁଁ ତୁମକୁ ଭଲପାଏ ?

ବାୟୋଡାଟାରେ ଦିଆଯାଇଥିବା ଠିକଣାକୁ ସୋନାଲି ସଂଗ୍ରହ କଲା । ସେ ଠିକଣା ପୁଣି ଏହି ସହରର । ଯାହା ବି ହେଉ ମୁଁ ଅଜୟକୁ ଖୋଜିବି, ମୋ ନିଜ ଭୁଲ୍ ପାଇଁ ତାଙ୍କୁ ଶାସ୍ତି ଦେବା କଦାପି ଠିକ୍ ନୁହଁ । ମୁଁ ମୋ ଭୁଲ୍ ର ପ୍ରାୟଶ୍ଚୀତ ନିଶ୍ଚୟ କରିବି ।

ହାତରେ ଏକ କାଗଜ ଧରି କାହାକୁ ଖୋଜୁଥିଲା ସୋନାଲି । ମୁକୁତା ପରି ସୁନ୍ଦର ଦେଖାଯାଉଥିବା ମୁହଁଟି ଆଜି କଳା କାଠ ପଡିଯାଇଥିଲା । ହେଲେ କିଛି ଫରକ୍ ପଡିନଥିଲା ତାକୁ । ଅନେକ ଲୋକଙ୍କୁ ପଚାରି ପଚାରି ପହଞ୍ଚିଥିଲା ଅଜୟ ଦେଇଥିବା ଠିକଣାରେ । କଲିଂବେଲ୍ ଶଦ୍ଦରେ ଜଣେ ଯୁବକ ବାହାରକୁ ଆସି ସୋନାଲିକୁ ଦେଖି ପଚାରିଥିଲା କାହାକୁ ଖୋଜୁଛନ୍ତି ମାଡାମ ?

ସୋନାଲି ପଚାରିଥିଲା ଅଜୟ ମହାପାତ୍ର ଏଠାରେ ରୁହନ୍ତି ? ଯୁବକଟି କହିଲା କେବେ କେବେ ଇଣ୍ଟରଭିଊ କିମ୍ଭା ଅନ୍ୟ କୌଣସି କାମରେ ସହରକୁ ଆସିଲେ ଏଠାରେ ରୁହନ୍ତି । ସୋନାଲି କହିଲା ତେବେ ଏହି ୧୫ଦିନ ପୂର୍ବରୁ ଆସିଥିଲେ, ଏବେ ନାହାନ୍ତି କି ସେ ?

ଯୁବକଟି କହିଲା ଆପଣ ସୋନାଲି ମାଡାମ ନା ? ଅଜୟ କହିଥିଲା କେବେ ନା କେବେ ମୋର ଜଣେ ଅତି ନିଜର ମୋତେ ଖୋଜି ଖୋଜି ଏଠାରେ ପହଞ୍ଚିବେ । ସେ ତୁମକୁ ବହୁତ ଭଲପାଏ । ସେ କେବେ କହିନଥିଲେ ମଧ୍ୟ ମୁଁ ତାର ସାଙ୍ଗ ହିସାବରେ ଅନୁଭବ କରିଛି । କିନ୍ତୁ ସେ ଏହି ଦୁଇଦିନ ପୂର୍ବରୁ ଏଠାରୁ ରାଉଲକେଲା ଚାଲିଯାଇଛି ।

ସୋନାଲି ନିଜକୁ ସମ୍ଭାଳି ପାରିଲା ନାହିଁ, ଆଖିରୁ ତାର ଗଡି ଯାଉଥିଲା ଧାର ଧାର ଲୁହ । ସେଠାରେ ସୋନାଲିକୁ ଅଜୟ ମିଳି ନଥିଲା ସତ ମିଳିଥିଲା ଆଉ ଏକ ଠିକଣା । ମନ ଦୃଢ କଲା ସୋନାଲି । ନା ମୁଁ ଅଜୟ ଠାରୁ କେବେ ହାରିନି କି ଆଜି ହାରିବିନି । ମୋର ଗୋଟେ ଭୁଲ୍ ପାଇଁ ଯେତେ କଷ୍ଟ ହେବ ହେଉ, ଯେତେ ନୂଆ ଠିକଣା ମିଳିବ ମିଳୁ କିନ୍ତୁ ମୁଁ ନିଶ୍ଚୟ ଖୋଜି ବାହାର କରିବି । ୬ବର୍ଷ ମୋ ଠାରୁ ଦୂରେଇ ଯାଇଥିଲା, ଯାଉ ସେ କେତେ ଦୂର ଯିବ । ମୁଁ ଜିତି ଆସିଛି ଜିତିବି ମଧ୍ୟ । ନିଶ୍ଚୟ ମୁଁ ମୋ ପ୍ରେମକୁ ଖୋଜିପାଇବି ।

ସୋନାଲି ଭାବୁଥିଲା କଣ ମୋତେ ଅଜୟ କ୍ଷମା କରିବେ ନାହିଁ । ମୁଁ କଣ କରିପାରିଥାନ୍ତି, ମୁଁ ସେଦିନ ତାର ଭଲପାଇବାକୁ ଆଡେଇ ଦେଇ କିଛି ଭୁଲ୍ କରିନଥିଲି । ସେଥିରେ ମୋର କଣ ଦୋଷ ଥିଲା ?

୬ବର୍ଷ ପୂର୍ବର ଘଟଣା ତାର ମନେ ପଡିଗଲା । ସେଦିନ ସେ ରକ୍ତଦାନ ଶିବିରକୁ ରକ୍ତ ଦେବା ପାଇଁ ଯାଇଥିଲା । ସେଠାରେ ରକ୍ତ ନେବା ପୂର୍ବରୁ ପ୍ରଥମେ ପରିକ୍ଷା କରିଥିଲେ । ସେଦିନର ଘଟଣା ସୋନାଲିକୁ ବଞ୍ଚି ଥାଉ ଥାଉ ମାରିଦେଇଥିଲା । ରକ୍ତ ପରିକ୍ଷା ପରେ ଡକ୍ଟର କହିଥିଲେ ତୁମେ ଏଚ୍. ଆଇ. ଭି ପଜେଟିଭ୍ ରେ ଆକ୍ରାନ୍ତ ।

କିଛି ବୁଝିପାରିନଥିଲା ସୋନାଲି । ସେ ଏଚ୍.ଆଇ.ଭି ପରି ଏତେ ବଡ ରୋଗରେ ଆକ୍ରାନ୍ତ ହେଲା କିପରି ? ଡକ୍ଟର କହିଥିଲେ ତୁମେ ଏବେ ପ୍ରଥମ ପର୍ଯାୟରେ, ଏହାର ଚିକିତ୍ସା କଲେ ଭଲ ହୋଇପାରିବ । କିଛି ପରାମର୍ଶ ଦେଇ ରକ୍ତ ନନେଇ ଫେରାଇ ଦେଇଥିିଲେ । କିନ୍ତୁ ସୋନାଲି ଏସବୁ କଥା କହିବ କାହାକୁ ? କିଏ ବା ତାକୁ ବିଶ୍ବାସ କରିବ ? କାହାକୁ କିଛି ନକହି ଘଣ୍ଟା ଘଣ୍ଟା ଏକାନ୍ତରେ ବସି କାନ୍ଦୁଥିଲା । ସେ ବାପା ଓ ମାଙ୍କ ଏକମାତ୍ର ଅଲିଅଳି ଝିଅ ଥିଲା । ତେଣୁ ସେ ବାପା ଓ ମାଙ୍କୁ ତାର ରୋଗ ବିଷୟରେ ଜଣାଇ ଦୁଃଖ ଦେବାକୁ ଚାହୁଁନଥିଲା ।

ଦ୍ବତିୟତଃ ସେ ଭଲଭାବେ ଚିହ୍ନିଥିଲା ସମାଜକୁ । ଆଜି କଲି କାନ୍ଥ ବାଡରେ କାନ ଅଛି ଯଦି ଏକଥା କେହି ଶୁଣିନିଏ, ଦୁନିଆ ପ୍ରକାରର କଥା ଶୁଣିବାକୁ ମିଳିବ । କଲେଜ୍ ପଢୁଆ ଝିଅ କେଉଁ ଟୋକା ସହିତ ନଶର ପସର ହୋଇଥିବ, ନଚେତ୍ ଏପରି ସାଂଘାତିକ ଆସିଲା କେଉଁଠୁ ? ସେ ମରିବା ପାଇଁ ଯେତିକି ଡରୁନଥିଲା, ତାର ଚରିତ୍ରକୁ ନେଇ କଟୁ ମନ୍ତବ୍ୟ କୁ ଭୟ କରୁଥିଲା । ତେଣୁ ମନର କଷ୍ଟକୁ ମନରେ ରଖି ସମସ୍ତଙ୍କ ସହିତ ଖୁସିରେ ରହିବାର ଅଭିନୟ କରିଥିଲା ।

ସେ ବି ଭଲପାଉଥିଲା ଅଜୟ କୁ । ହେଲେ ଏସବୁ ଘଟଣା ପରେ କିପରି ସେ ଅଜୟକୁ ନିଜ ପ୍ରେମ ଡୋରିରେ ବାନ୍ଧି ପାରିଥାନ୍ତା ? ସେ ନିଜ ଛାତିରେ ପଥର ରଖି ଅଜୟ ଲେଖିଥିବା ଚିଠିକୁ ସିଧା ସିଧା ଫେରାଇ ଦେଇଥିଲା । ଚାହିଁଥିଲେ ସେ ଅଜୟର ପ୍ରେମ ସମ୍ପର୍କକୁ ଆଡେଇ ଦେଇ ବନ୍ଧୁତ୍ବ ସମ୍ପର୍କ ଯୋଡି ପାରିଥାନ୍ତା । କିନ୍ତୁ ଅଜୟର ପ୍ରେମ ଆଗରେ କେବେ ଯଦି ସେ ହାରିଯାଏ, ଯଦି ଭୁଲବଶଃତ ମଥା ତଳକୁ କରି ସେ ପ୍ରେମ ପାଇଁଁ ସ୍ବକୃତି ଦେଇଦିଏ, କଣ ହେବ ଅଜୟର ?

ଅଜୟ ପରି ଏକ ସୁନ୍ଦର ମଣିଷ ସଂସାରର ଖୁସି ଲୁଟିବାକୁ ଯାଇ ନିଜେ ଲୁଟି ଯାଇଥାନ୍ତା । ସେଥିପାଇଁ ସେ ନିଜ ଭଲ ପାଇବାକୁ ବଳି ପକାଇଦେଇଥିଲା ଓ ଅଜୟକୁ ମନା କରିଥିଲା ତା ସାମନାକୁ ନଆସିବା ପାଇଁ । ସେଦିନ ଠାରୁ ଅଜୟ ଯାଇଛି ଯେ ଆଜି ୬ବର୍ଷ ପରେ ଦେଖା । ଅଜୟ ଅଲଗା ହେବା ପରଠାରୁ ସେ ଡକ୍ଟର କହିଥିବା କଥା ଭାବି ଭାବି ଦୁର୍ବଳ ହୋଇପଡିଲା । ମୃତ୍ୟୁର ଭୟ ସବୁ ମୁହୁର୍ତରେ ତାକୁ ଖାଇଯାଉଥିଲା ।

ଧିରେ ଧିରେ ଚିନ୍ତାଗ୍ରସ୍ଥ ହୋଇ ଶଯ୍ୟାଶାୟୀ ହେଲା ସୋନାଲି । ଶରିରରେ ଜ୍ବରର ପରିମାଣ ବଢିବାକୁ ଲାଗିଲା । ଯେଉଁଦିନ ଡକ୍ଟର କହିଥିଲେ ଜ୍ବରର କାରଣ କିଛି ଜଣାପଡୁନି, ରକ୍ତ ପରିକ୍ଷା କରିବାକୁ ପଡିବ , ସେଦିନ ସୋନାଲି ବହୁତ କାକୁତି ମିନତୀ ହୋଇଥିଲା ନିଜ ବାପା, ମା’ ଓ ଡକ୍ଟରଙ୍କ ନିକଟରେ । ଯଦି ରକ୍ତ ପରିକ୍ଷା ପରେ ବାପା ଓ ମା ଜାଣିପାରିବେ ମୁଁ ଏଚ୍.ଆଇ.ଭି ରେ ଆକ୍ରାନ୍ତ, ସେ ବଞ୍ଚି ଥାଉ ଥାଉ ଦୁହେଁ ମରିଯିବେ । କିନ୍ତୁ ତାର ସମସ୍ତ କାକୁତି ମିନତୀ ବିଫଳ ହୋଇଥିଲା ।

ରକ୍ତ ପରିକ୍ଷା ପରେ ସୋନାଲି ଡକ୍ଟରଙ୍କୁ ଏକାନ୍ତରେ ଡାକି ପଚାରିଥିଲା ମୋ ରକ୍ତ ଏଚ୍.ଆଇ.ଭି ପଜେଟିଭ୍ ନା ? ଡକ୍ଟର ବିରକ୍ତ ହୋଇ କହିଥିଲେ ଏପରି ଲକ୍ଷଣ ତୁମ ରକ୍ତରେ କେବେ ବି ନାହିଁ ଓ ସେ ଯେଉଁ ଔଷଧ ଦେଇଥିଲେ ତତ୍କ୍ଷଣାତ ସୋନାଲି ଶୁସ୍ଥ ଅନୁଭବ କରିଥିଲା । ଏବେ ସୋନାଲି ଜାଣି ସାରିଥିଲା ସେ ସମ୍ପୁର୍ଣ୍ଣ ସୁସ୍ଥ । ରକ୍ତଦାନ ଶିବିରରେ ଯେଉଁ ରକ୍ତ ପରିକ୍ଷା କରାଯାଇଥିଲା ସେଥିରେ କୌଣସି ତ୍ରୁଟି ରହିଥିବ ସେ ନିଶ୍ଚିତ ହେଲା । ତାର ଶରୀର ପୁର୍ନର୍ବାର ଉଜ୍ବଳ ଦେଖାଗଲା । ରାତି ପାହିଲେ ସେ ଅଜୟ ପାଖକୁ ଯାଇ ସବୁ ସବୁକଥା କହି କ୍ଷମା ପ୍ରାଥନା କରିବ । ସେ ତାର ସପନର ରାଜକୁମାରକୁ ପୁଣି ଥରେ ଫେରାଇ ଆଣିବ ।

କିନ୍ତୁ ରାତି ପାହିଲା ସତ ହେଲେ ତାର ସପନର ରାଜକୁମାର ଆଉ ଫେରିନଥିଲା । ସେ ସବୁଦିନ ପାଇଁ କଲେଜ୍ ଛାଡି ଚାଲି ଯାଇଥିଲା । ଆଜି ୬ବର୍ଷ ପରେ ଆଉଥରେ ମୋ ଜୀବନକୁ ଫେରିଛି । କିନ୍ତୁ ସେ ଜାଣି ନାହିଁ ଅଜୟ ଏବେ ତାକୁ ବିବାହ କରିବ କି ନାହିଁ ? ହଠାତ୍ ସେ ଭାବନା ଦୁନିଆରୁ ଫେରି ଆସିଲା । ବସ୍ ପହଞ୍ଚି ସାରିଥିଲା ରାଉଲକେଲା ବସଷ୍ଟାଣ୍ଡରେ । ଏକ ଭୁଲ୍ ରକ୍ତ ପରିକ୍ଷା ତାର ଜୀବନରେ କିପରି କଳା ଅନ୍ଧାର ଆଣିଦେଇଥିଲା ସେ କଥା ଭାବି ଦୁଃଖ ଯେତିକି ଲାଗୁଥିଲା, ଅଧିକ ଭାବପ୍ରବଣ ହୋଇଯାଉଥିଲା ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ମଧୁର ପ୍ରେମର ମିଳନ ଆଶାରେ ।

ରାଉଲକେଲା ସହର- ହଠାତ୍ ଅଜୟ ସୋନାଲିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଆଖିରେ ଆଖିରେ ଦୁହେଁ ଦୁହିଁକୁ ଚିହ୍ନିବାକୁ ଚେଷ୍ଟା କରୁଥିଲେ । ଆଗକୁ ଆଗକୁ ମାଡି ଯାଉଥିବା ପାଦ ଦୁଇଟି ଅଟକି ଯାଇଥିଲା ସୋନାଲିର । କିଛି ସମୟ ପାଇଁ ଏକ ଶାନ୍ତ ବାତାବରଣ ଆଛାଦିତ କରିଥିଲା ସମଗ୍ର ପରିବେଶ । ସେ ଶାନ୍ତ ବାତାବରଣକୁ ଭାଙ୍ଗିଥିଲା ଦକ୍ଷିଣା ଦିଗରୁ ବହୁଥିବା ହାଲୁକାଏ ପବନ ।

ସୋନାଲିର ଓଢଣିଟି ହାଲୁକାଏ ପବନରେ ଉଡିଆସି ଛୁଇଁଥିଲା ଅଜୟର ଶରୀରକୁ । ଏକ ଲମ୍ବା ନିଶ୍ବାସ ନେଇଥିଲା ଅଜୟ । ଆଜି ପର୍ଯ୍ୟନ୍ତ ସୋନାଲି ଓଢଣୀର ବାସ୍ନା ତାର ମନେ ଅଛି । ଏପଟେ ସୋନାଲି ତାର ଓଢଣିକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରୁଛି କିନ୍ତୁ ସେ ବାରମ୍ବାର ବିଫଳ । ଯେପରି ଦକ୍ଷିଣା ପବନ ତା ସହିତ ଲୁଚକାଳି ଖେଳୁଛି । SORRY, ସୋନାଲି ନିଜ ଓଢଣିକୁ ଆୟତ କରୁକରୁ କହିଥିଲା । ଯେପରି ଅଜୟର ନିଦ ଭାଙ୍ଗିଗଲା ଓ ସେ ପଚାରିଲା, ତୁମେ ଏଠାରେ ? କିପରି ଅଛ ସୋନିଲି ?

ଅଜୟକୁ ଏତେ ପାଖରୁ ପାଇ ବହୁତ ଖୁସି ହୋଇଯାଇଥିଲା । ସେ ବୁଝି ପାରୁନଥିଲା କିପରି ମୁଁ ମୋ ଭୁଲ୍ ପାଇଁ କ୍ଷମା ମାଗିବି । ଅଜୟକୁ ଇମ୍ପ୍ରେସ କରିବାକୁ ଯାଇ ପଚାରିଲା “କିପରି ଦେଖାଯାଉଛି ?’ ଅଜୟ ପ୍ରଶ୍ନର ଉତ୍ତର ନଦେଇ ପଚାରିଥିଲା ସୋନାଲି । ଆଗପରି ବହୁତ ସୁନ୍ଦର ଦେଖାଯାଉଛ କହିବାକୁ ଚାହୁଁଥିଲେ ବି କହିପାରିନଥିଲା ଅଜୟ ।

ଅଜୟ କହିଲା ଶୁଣ, ଏବେ ମଧ୍ୟାହ୍ନ ଭୋଜନ ସମୟ ହୋଇଯାଇଛି । ମୁଁ ଏବେ ହୋଟେଲକୁ ଖାଇବାକୁ ଯାଉଥିଲି, ଆପଣ ଆସନ୍ତୁନା । ମୁଣ୍ଡ ହଲାଇ ହଁ କହିଥିଲା ସୋନାଲି । ଦୁହେଁ ସାମନାରେ ଥିବା ଏକ ହୋଟେଲ୍ କୁ ଯାଇଥିଲେ । କିଛି ଦୁରତାର ବ୍ୟବଧାନ ରଖି ପହଞ୍ଚିଥିଲେ ଝରକା ନିକଟରେ ଥିବା ଟେବୁଲରେ । ସୋନାଲି ମେନୁ କାର୍ଡ ଅଜୟ ହାତରେ ଧରେଇ ଦେଇ ନିଜ ଅସଜଡା ବାଳକୁ ସଜାଡିଲା । ଅଜୟର ଧ୍ୟାନ ମେନୁ କାର୍ଡ ଉପରେ ଯେତିକି ଥିଲା ତା ଠାରୁ ଅଧିକ କିଛି ସୋନାଲିକୁ ସେ ଲୁଚି ଲୁଚି ଦେଖୁଥିଲା ।

ପୁନର୍ବାର ଅଜୟ ସୋନାଲି ହାତକୁ ମେନୁ ଦେଇ କହିଲା ତୁମେ ଅର୍ଡର ଦିଅ । ଓ୍ବେଟର ଆସି ପହଞ୍ଚିଯାଇଥିଲା ଓ ଅର୍ଡର ଉଦ୍ଦେଶ୍ୟରେ ଅପେକ୍ଷ୍ୟା କରିଥିଲା । ସୋନାଲି କହିଥିଲା ଡାଲି, ମାଛ, ପନିର ଓ ପାପଡ, ବାସ୍ ଏତିକି ଯଥେଷ୍ଟ । ଓ୍ବେଟର ଯିବା ପରେ ସୋନାଲି ପଚାରିଥିଲା ତୁମେ ଆଜି ବି କଣ ପୂର୍ବ ପରି ଶାନ୍ତ ଓ ନିରବ ରହୁଛ ? ଅଜୟ ନିଜ ମନୋଭାବକୁ ଲୁଚାଇବାକୁ ଚେଷ୍ଟା କରି ମଧ୍ୟ କହିଥିଲା ଏବେ ବି ମୋ ପସନ୍ଦର ଖାଦ୍ୟ ତୁମର ମନେ ଅଛି ?

ସୋନାଲି କହିଲା କେତେ ବଦଳି ଯାଇଛ ତୁମେ ? କଣ ଆଜି ବି ଝିଅମାନେ ତୁମ ପ୍ରେମର ସାନିଧ୍ୟ ପାଇବା ପାଇଁ ପଛରେ ପଡୁଛନ୍ତି ?

ହଁ, ବହୁତ ଝିଅ ମୋ ପାଇଁ ସାରା ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ତୁମ ପରି କେହି ନୁହନ୍ତି । କେବଳ ତୁମେ ଥିଲ ମୋ ପାଇଁ ସବୁକିଛି ହେଲେ ତୁମେ ବୁଝିଲ ନାହିଁ ।

ତୁମେ ମୋତେ ବୁଝାଇଲ କେତେବେଳେ ଯେ ମୁଁ ବୁଝିଥାନ୍ତି । ସୋନାଲି କହିଥିଲା – କେବେ ବି ମୁହଁ ଖୋଲି କିଛି କହିଲ ନାହିଁ ।

କ’ଣ ମୁହଁ ଖୋଲି କହିବା ନିହାତି ଆବଶ୍ୟକ । ମୋ ଚିଠିର ଭାଷା କଣ ତୁମେ ବୁଝି ପାରିଲ ନାହିଁ । ଇତିମଧ୍ୟରେ ଓ୍ବେଟର ଆସି ସେମାନଙ୍କ ନିରବତାକୁ ଭାଙ୍ଗିଲା ଓ ଦୁହେଁ ଖାଇବାରେ ବ୍ୟସ୍ତ ହୋଇଗଲେ । କିନ୍ତୁ ସେମାନଙ୍କ ନିରବ ଆଖି ଦୁଇଟି ସବୁ କିଛି କହି ଚାଲିଥିଲା । ଦୁହେଁ ଖାଇସାରି ହୋଟେଲ୍ ବାହାରକୁ ଆସିଲେ । ରାସ୍ତା ପାର ହେବାକୁ ଯାଇ ଅଜୟ ଧରିଥିଲା ସୋନାଲିର ହାତକୁ । ସୋନାଲିକୁ ଯେପରି କୋଟି ରଙ୍କନିଧୀ ମିଳି ଯାଇଥିଲା । ଅଜୟର ହାତ ସ୍ପର୍ଶରେ ବାନ୍ଧି ହୋଇ ସେ ରାସ୍ତା ପାର ହୋଇଥିଲା । ଦୁହେଁ ଦୁହିଁକୁ ଆଖିରେ ଆଖିରେ କହୁଥିଲେ ମୁଁ ଆଜି ବି ତୁମକୁ ଅପେକ୍ଷା କରିଛି । ହେଲେ ସୋନାଲି ନିଜ ମନକଥା ଖୋଲି କହିପାରୁ ନଥିଲା ।

ସୋନାଲି ନିଜ ହାତଘଡି ଦେଖି କହିଲା ମୋତେ ଏବେ ଯିବାକୁ ପଡିବ । ଅଜୟ ମନରେ ତାକୁ ଛାଡିବାକୁ ଇଛା ନଥିଲେ ମଧ୍ୟ ସେ ନିରବରେ ମୁଣ୍ଡ ହଲାଇଥିଲା । ଚାପା କଣ୍ଠରେ ଅଧା ଫୁଟା ଫୁଲ ପରି ଅଜୟ କହିଥିଲା ଠିକ୍ ଅଛି ।

ସୋନାଲି ବୁଝିପାରୁନଥିଲା ଅଜୟ ତାକୁ ଯିବାକୁ କହୁଛି ନା ରହିବାକୁ କହୁଛି । ଗୋଟେ ଅଟୋ ଆସି ଅଟକି ଯାଇଥିଲା ସୋନାଲି ନିକଟରେ । ଅଟୋରେ ବସିବା ପରେ ସୋନାଲି ପଚାରିଥିଲା ମୁଁ ଏବେ ଯିବି ? ଅଜୟ ବି ମନେମନେ ଭାବୁଥିଲା କଣ ଏବେ ବି ତୁମେ ମୋ ନିରବତାକୁ ପଢିପାରୁନ ? ମୁଁ ଏବେ ବି ତୁମକୁ ଚାହେଁ ସୋନାଲି, ତୁମକୁ ଚାହେଁ । ତୁମେ ମୋ ଜୀବନ, ହେଲେ ମୁହଁ ଖୋଲି କହିପାରୁନଥିଲା ।

ସୋନାଲିର ହୃଦୟ ଯେପରି ଅଜୟର ମନକଥା ଶୁଣି ପାରିଥିଲା । ସେ ବି ଭାବିଲା ମୁଁ ବି ତୁମ ବିନା ବଞ୍ଚି ପାରିବି ନାହିଁ । କିନ୍ତୁ ତୁମେ ପୁଅଟେ ହୋଇ କାହିଁକି ମୋତେ କହିପାରୁନ, ତୁମେ ମୋତେ ଆଜି ବି ଭଲ ପାଉଛ । ମୁଁ ପରା ଗୋଟେ ଝିଅ, ମୋର ମନ ଓ ହୃଦୟ ବୋଲି ଗୋଟେ ଜିନିଷ ଅଛି କିନ୍ତୁ ନାରିର ପ୍ରକୃତ ଗହଣା ଲଜ୍ଜା ମୋତେ ମୋ ସୀମା ଟପିବା ପାଇଁ ଅନୁମତି ଦେଉନି । ମୁଁ ଆଜି ମୋ ଭୁଲ୍ ର କ୍ଷମା ମାଗିବା ପାଇଁ ଆସିଛି ହେଲେ କିଛି କହିବାକୁ ସାହସ ହେଉନାହିଁ । ତୁମେ କିଛି କୁହନା ଅଜୟ…

ଅଟୋ ଷ୍ଟାଟ ହୋଇସାରିଥିଲା – ଅଜୟ ଆଖିରେ ଧାର ଧାର ଲୁହ ଓ ସୋନାଲି ଆଖିରେ କ୍ଷମା ପ୍ରାଥନାର ଲୁହ । କିଛି ଦୂର ଅଟୋ ଆଗକୁ ଯାଇଛି କି ନାହିଁ, ଅଜୟର ହୃଦୟ ପଚାରିଲା କଣ ତୁ ଜାଣିପାରିଲୁ ନାହିଁ ସୋନାଲି ରାଉଲକେଲା କାହିଁକି ଆସିଥିଲା । ତୁ ଏତେ ପାଖରୁ ପାଇ ଆଉଥରେ ଛାଡିଦେଲୁ, ଏତେ କାପୁରୁଷ ତୁ୍, ଏତେ ଭୀରୁ ତୁ ? ତାର ହୃଦୟର ବାହାରି ଆସୁଥିବା ପ୍ରଶ୍ନ ଗୁଡିକ ତାର ମରଦପଣିଆକୁ ଧୀକ୍କାର କରୁଥିଲା । ସେ ନିଜର ସମସ୍ତ ଶକ୍ତି ଖଟାଇଲା ଓ ଅଭିନୟ ଢଙ୍ଗରେ ଦୁଇ ହାତ ଆଗକୁ ବଢାଇ ଈସାରା କଲା ସୋନାଲି ଉଦ୍ଦେଶ୍ୟରେ ।

ଅଜୟର ଦୁଇ ହାତ ଆଗକୁ ଲମ୍ବି ଯାଇ ସୋନାଲିକୁ ଆଲିଙ୍ଗନ କରିବାକୁ ଚାହୁଁଥିଲା । ବୋଧେ ଏ ଦୃଶ୍ୟ ଅଟୋର ମିରର୍ ରେ ଦେଖି ସାରିଥିଲା ସୋନାଲି । ନିଜ ଲଜ୍ଜାର ବନ୍ଧ ବାଡକୁ ଭାଙ୍ଗି ଦେଲା, ସେ ଆଜି ଅଜୟର । ଅଟୋକୁ ଅଟକାଇ ଦୌଡି ଆସିଥୀଲା ଅଜୟ ପାଖକୁ । ଯେପରି ଯୁଗ ଯୁଗ ଧରି ଦୁହେଁ ଦୁହିଁକୁ ଅପେକ୍ଷା କରିଥିଲେ ।

ଅଜୟ ବାହୁ ବନ୍ଧନରେ ଲୋଟି ଯାଇଥିଲା ସରମି ସୋନାଲି । ଦୁହିଁକ ଆଖିରେ ଆନନ୍ଦର ଅଶ୍ରୁ । ଦୁଇଟି ନିରବ ହୃଦୟର ମିଳନ ହୋଇଥିଲା ଓ ଦୁହେଁ ଗାଇଚାଲିଥିଲେ ପ୍ରେମର ଗାଥା । ସୋନାଲି କହିଲା ମୋତେ କ୍ଷମା କରିଦିଅ । କିନ୍ତୁ ତାର କଥା ଶେଷ ହେବା ପୂର୍ବରୁ ଅଜୟ ହାତରେ ତାର ମୁହଁ ବନ୍ଦ ହୋଇଯାଇଥିଲା । ଏକ ନିରବ ପ୍ରେମ କାହିଣିର ସୁନ୍ଦର ଓ ସୁଖଦ ମିଳନ ହୋଇଥିଲା ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.