ଜୀବନ ଯମୁନା

lifeRIver
Reading Time: 4 minutes

ଜାତୀୟ ରାଜପଥରେ ନିଜର ଭାରାକ୍ରାନ୍ତ ମନ ନେଇ ଏକାକୀ ଆଗେଇ ଚାଲିଛି ସୌମ୍ୟା; ଅସ୍ତବ୍ୟସ୍ତ ଅଙ୍ଗ ବସ୍ତ୍ର, ଟଳମଳ ପାଦ ଦୁଇଟିର ଗତି । ସେ ଆଜି କୁଆଡେ ଯାଉଛି ନିଜେ ବି ଜାଣେନା। ଆଖିରୁ ଝରିପଡୁଥିବା ଝରଝର ଅଶ୍ରୁଧାରକୁ ପୋଛିବାକୁ ବି ସେ ସାହସ ଜୁଟାଇ ପାରୁ ନାହିଁ ଯେମିତି; ନିଜକୁ ଖୁବ୍ ଚାଲାଖ ମଣୁଥିବା ସୌମ୍ୟାର ଜୀବନରେ ଏମିତି ସବୁ ଯେ ଦିନେ ଘଟିଯିବ ସେକଥା ସ୍ଵପ୍ନରେ ସୁଦ୍ଧା ବି ସେ କଳ୍ପନା କରିନଥିଲା। ସୌମ୍ୟା ଭାବୁଛି କ’ଣ ଥିଲା ତାର ଭୁଲ୍ , ଯାହାର ପରିଣାମ ସେ ଆଜି ଭୋଗୁଛି ?

ପ୍ରେମକୁ ଶାଶ୍ଵତ , ପବିତ୍ର , ଚିରନ୍ତନ ଭାବିବା ନା ଆଖି ବୁଜି ସୂରଜକୁ ନିଜଠାରୁ ଅଧିକ ବିଶ୍ଵାସ କରିବା , କେଉଁଟା ତା’ର ଭୁଲ୍ ଥିଲା ? ନା ଏ ଦୁଇଟି ଯାକ ନିଷ୍ପତି ହିଁ ତା’ର ସମ୍ପୂର୍ଣ୍ଣ ଭୁଲ୍ ଥିଲା ? କାହିଁକି ସୂରଜ ତା’ ସରଳ ମନ ଆଉ ନିଷ୍ପାପ ହୃଦୟ ସହ ଏପରି ହୀନ ଜଘନ୍ୟ କୁତ୍ସିତ ଖେଳ ଖେଳିଲେ ? ମାନସପଟ୍ଟରେ ରୋମନ୍ଥିତ ହେଉଛି ଆଜି ଅତୀତର ସେହି କଳଙ୍କିତ ଅଧ୍ୟାୟ ସବୁ; ଯାହା ଦିନେ ଥିଲା ସୌମ୍ୟାର ଏକାନ୍ତ ନିଜର ସ୍ଵର୍ଗୀୟ ଅନୁଭବ ବୁଣୁଥିବା ମଧୁମୟ ମୁହୂର୍ତ୍ତମାନ।

ନୂଆ ନୂଆ କଲେଜରେ ପାଦ ଥାପିଛି ଅନିତ୍ୟ ସୁନ୍ଦରୀ ସୌମ୍ୟା; ବୟସ ପାଖାପାଖି ଷୋହଳ କି ସତର ହେବ, ନୀଳ ନୟନା , ସୁନ୍ଦର ଘନ କଳା ମୁଚୁମୁଚୁ କେଶରାଜି ସାଙ୍ଗକୁ ଗୋରା ତକତକ ଡଉଲଡାଉଲ ଚେହେରା। କୌଣସି ସ୍ଵର୍ଗ ଅପ୍ସରୀ ଠାରୁ ବି କିଛି କମ୍ ନୁହେଁ ରୂପରେ; ଯେତେ ଦୃଢ଼ମନା ପୁରୁଷ ହେଉ ନା କାହିଁକି ପ୍ରଥମ ଦେଖାରୁ ହିଁ ସୌମ୍ୟାର ପ୍ରେମରେ ପଡ଼ିଯିବାଟା ଥୟ।

ସେ ଦିନ ଥାଏ କଲେଜର ଆନୁଆଲ୍ ଫଙ୍କସନ ସାଂସ୍କୃତିକ କାର୍ଯ୍ଯକ୍ରମରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଉପରେ ଏକ ନାଟକ କରିବାକୁ ମନସ୍ଥ କରିଛନ୍ତି ସିନିୟର ପିଲାମାନେ। ଦ୍ରୌପଦୀ ଭୂମିକାରେ ଯେଉଁ ଝିଅଟି ଆଗରୁ ପ୍ରାକ୍ଟିସ କରିଥିଲା , ଅନିର୍ବାଜ୍ୟ କାରଣ ବଶତ ସେ ସେଦିନ ଅସୁସ୍ଥ ହୋଇ ମେଡ଼ିକାଲରେ ଆଡମିଟ ହେଲା। ଚହଳ ପଡ଼ିଗଲା ସାରା କଲେଜରେ; ଏବେ କାହାକୁ ଦିଆଯିବ ଏହି ଚରିତ୍ରଟି? ଦୈବାତ ସୌମ୍ୟା ହିଁ ଆସିଛି ସମସ୍ତଙ୍କ ନଜରକୁ, ଆଉ ତା’ ଇଚ୍ଛା ବିରୋଧରେ ବାଧ୍ୟ କରି ତାକୁ ଦିଆଗଲା ଦ୍ରୌପଦୀ ଚରିତ୍ରଟି।

ବିଚାରି କାହାକୁ ତ କିଛି କହି ପାରେନି, ବାଧ୍ୟ ଶିଶୁଟିଏ ପରି ସମସ୍ତଙ୍କ କଥାରେ ହଁ ଭରିଲା। ନିଜର ସୁନ୍ଦର ଅଭିନୟ ଚତୁରୀ ଦ୍ଵାରା , ବିନା ପ୍ରାକ୍ଟିସରେ ସେଦିନ ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଲା। ଏଇଠୁ ହିଁ ତା’ର ପରିଚୟ ହୋଇଥିଲା ସୂରଜ ସହିତ। କଥାବାର୍ତ୍ତା ଆଉ ମିଳାମିଶା ଫଳରେ ସେମାନଙ୍କ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଲା; ଯାହା ପରେ ପ୍ରେମର ରୂପ ନେଲା । ଏମିତି ଦିନ ଆସିଲା ଯେ ଗୋଟିଏ ଦିନ ବି କେହି କାହାକୁ ନ ଦେଖି , କଥା ନ ହୋଇ ରହିବା ସମ୍ଭବ ହେଲାନି ଆଉ। ପ୍ରେମ ମନ ଆଉ ହୃଦୟ ସ୍ତରରେ ଥିଲେ ସବୁ ଠିକ୍ ଠାକ୍ କିନ୍ତୁ ଯେଉଁ ଦିନ ହୃଦୟର ଆବେଗ ସବୁ ଓହ୍ଲେଇ ଆସିନ୍ତି ଦେହ ସ୍ତରକୁ ସେଦିନ ଯୋଗୀ ବି ପାଦ ଖସାଏ ଅମଡ଼ା ବାଟରେ। ତାପରେ ଯାହା ହେବାକଥା ହେଲା। ପ୍ରେମର ସନ୍ତକ ସ୍ୱରୂପ ସେ ଏବେ ଅନ୍ତସତ୍ଵା । ଏକଥା ଯେ ସୂରଜକୁ ନକହିଛି ତା’ ନୁହେଁ । ମାତ୍ର ନିଜର ମନର ଓରିମନା ମେଣ୍ଟାଇବା ପରେ ସୂରଜ ଆଉ ତା କଥାକୁ କର୍ଣ୍ଣପାତ କଲାନି । ବାରମ୍ବାର କହିଛି, ନେହୁରା ହୋଇଛି, କିନ୍ତୁ ସୂରଜ ଆଭୋଏଡ଼ କରିଛି । ବିବାହ , ସ୍ୱାମୀ ଆଉ ସଂସାର ଏସବୁ ତା ପାଇଁ ବର୍ତ୍ତମାନ ଦିବାସ୍ଵପ୍ନ ।

ଏ ନିଷ୍ଠୁର ସମାଜ ଆଉ ତା’ ଭିତରେ ତା’ର ରକ୍ଷଣଶୀଳ ପରିବାରଟି । କେମିତି ଏ କଥା କହିବ ସେ କାହାକୁ ? ଘରେ ଜାଣିଲେ ମହାଭାରତ । ତା’ର ବାପା, ମା, ଭାଇ, ଏମାନଙ୍କ ମନରେ କ’ଣ ବିତିବ ସେ ଜାଣେ । ଝିଅମାନଙ୍କ ଚରିତ୍ର ତ ଏମିତି; ଥରେ ସେଥିରେ କଳଙ୍କ ଲାଗିଗଲେ ସାରା ଜୀବନ ପାଇଁ ତାକୁ ଆଉ କେବେ ଧୋଇ ହୁଏନି। ତେଣୁ ତା’ ଆଗରେ ଏବେ ଗୋଟିଏ ମାତ୍ର ବାଟ , ସେଇଟା ହେଲା ଆତ୍ମହତ୍ୟା ।

ସେ ଜାଣିଛି ଆତ୍ମହତ୍ୟା ଗୋଟେ ମହାପାପ, ଭୀରୁତା ଓ ପଳାୟନପନ୍ଥୀଙ୍କ ଲକ୍ଷଣ । ମାତ୍ର ଏବେ ତା’ ନିକଟରେ ଏହା ବ୍ଯତୀତ ଆଉ କିଛି ବିକଳ୍ପ ବି ନାହିଁ । ଆଗରେ ଟ୍ରେନଲାଇନ୍; କିଛି ଦୂରରୁ ଖୁବ୍ ଦ୍ରୁତ ଗତିରେ ମାଡ଼ି ଆସୁଛି ଯାନ୍ତ୍ରିକ ଲୌହଦାନବ , ଘର୍ଘର ନାଦରେ ଭୟଙ୍କର ଶବ୍ଦ କରି । ଅଧିକ କିଛି ଭାବିବାକୁ ଆଉ ଏବେ ସମୟ ନାହିଁ । ଆଖିବୁଜି ଲାଇନ ଉପରେ ବେକ ଦେଇ ନିଶ୍ଚଳ ଭାବେ ଶୋଇଗଲା ସୌମ୍ୟା।

ଅନ୍ତରାତ୍ମା ଏବେ ତା’ର ଶୂନ୍ୟ । ସେ ଭାବୁଛି ତା’ରି ଭଳି କେତେ ଯେ ସୌମ୍ୟା ଏମିତି ଏହି ପ୍ରବଞ୍ଚକ ପ୍ରେମିକ ପୁରୁଷ ସୂରଜ ମାନଙ୍କ କାମନାର ବୁଢିଆଣୀ ଜାଲର କବଳରେ କବଳିତ ହୋଇ ଅସମୟରେ ଏହି ଟ୍ରେନ ଲାଇନରେ ନିଜର ବେକ ଦେଖାଇ ଅପମୃତ୍ୟୁକୁ ଯେ ବରଣ କରୁଥିବେ ତାର ସୀମା ନାହିଁ । ସେ ଆଖି ବୁଜିଦେଲା । ଏଇ ଆସିଗଲା ନିକଟକୁ ବୋଧେ । ଥରି ଉଠିଲାଣି ରେଳ ଧାରଣା । ଆଉ ବୋଧେ ଗୋଟେ ସେକେଣ୍ଡରେ ସବୁ କାମ ତମାମ ହୋଇଯିବ ।

ସୌମ୍ୟା ମିଶ୍ର ଭାରି କଡା ସବ୍ କଲେକ୍ଟର । କୌଣସି ଗଲତି ତାଙ୍କ ଅଫିସରେ ହେବାକୁ ଦେଉ ନାହାଁନ୍ତି । ସେ ଆସିବା ଦିନରୁ ଜିଲ୍ଲାର ସରକାରୀ କଳ ଠିକରେ ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ , କୃଷି ସବୁ ବିଭାଗରେ ସ୍ୱଚ୍ଛତା ଆଣିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ନୂଅା ସବ୍ କଲେକ୍ଟର । ସୂରଜ ପଟ୍ଟନାୟକ ସବ କଲେକ୍ଟର ଅଫିସରେ ବଡବାବୁ ।

ସେ ଭାରି ବିଳାସୀ ଆଉ ସୌଖିନ ସ୍ୱଭାବର ଯୁବକ । ଜୁଆ ଆଉ ଯୁବତୀ ତା’ର ଯେପରି ନିଶା । ଜୁଆ ଖେଳିବା ,ବିଦେଶୀ ପାନୀୟ ସେବନ କରିବା , ସୁନ୍ଦରୀ ଯୁବତୀମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ଯୌବନ ସହ ଖେଳି ପ୍ରତିଟି ରାତିକୁ ରଙ୍ଗୀନ କରିବା ତା’ର ଅଭ୍ୟାସ । ଏଥିପାଇଁ ଯେଉଁ ଟଙ୍କା ଦରକାର ସେଥିକି ତା’ର ଦରମା ଟଙ୍କା ଅଣ୍ଟେ ନାହିଁ ।

ତେଣୁ ସେ ନିଜ ପଦର ଅପବ୍ୟବହାର କରି ଅନୈତିକ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରେ । କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ସୂରଜର ଅନୈତିକ କାର୍ଯ୍ଯ କଳାପ ସୌମ୍ୟା ମିଶ୍ରଙ୍କ ଆଖିରୁ ବାଦ ପଡିଲାନି । ବହୁ ଅଭିଯୋଗ ଆସିଲା । ସେ ଭିତରେ ଭିତରେ ସୂରଜ ବିପକ୍ଷରେ ପ୍ରମାଣ ଏକାଠି କରିବାକୁ ଲାଗି ପଡ଼ିଲେ । ସେ ଚିନ୍ତା କଲେ ଯେ ଏଭଳି ସମାଜ ବିରୋଧୀ ଲମ୍ପଟ ଓ ଲାଞ୍ଚଖୋର କର୍ମଚାରୀ ସମାଜ ପାଇଁ ଅନାବଶ୍ୟକ ଓ କ୍ଷତିକାରକ ।

ସବ୍ କଲେକ୍ଟର ସୌମ୍ୟା ମିଶ୍ରଙ୍କ ଅଦାଲତ । କାଠଗଡ଼ାରେ ଗୋଟିଏ ପଟେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ସୂରଜ ପଟ୍ଟନାୟକ ଓ ଅନ୍ୟ ପଟେ ସୂରଜ ଦ୍ୱାରା ଶୋଷିତ କିଛି ଅଭିଯୋଗକାରୀ । ଧୈର୍ଯ୍ୟର ସହ ଶୁଣିଲେ ସବ କଲେକ୍ଟର ଅଭିଯୋଗକାରୀଙ୍କ ସବୁ କଥା । ସୁଯୋଗ ଦେଲେ ସୂରଜକୁ ନିଜକୁ ନିର୍ଦ୍ଦୋଷ ପଣିଆ ପ୍ରମାଣିତ କରିବାକୁ । କିନ୍ତୁ ସୂରଜ ପାଖରେ ନିଜ ସପକ୍ଷରେ ସଫେଇ ଦେବାକୁ କିଛି ବି ନଥିଲା।

ସେ କେବଳ ନିଜ ପୂର୍ବ ପ୍ରେମର ଦ୍ବାହୀ ଦେଇ ଖସିଯିବାକୁ ଚେଷ୍ଟା କରୁଥିଲା ମାତ୍ର । କିନ୍ତୁ ସୌମ୍ୟା ଥିଲେ ନିର୍ବିକାର । ସେ ସୂରଜକୁ ଚାକିରୀରୁ ଡିସମିଶ କରିବା ସହ ସଙ୍ଗେ ସଙ୍ଗେ ଗିରଫ କରିବାକୁ ପୋଲିସକୁ ବି ନିର୍ଦ୍ଦେଶଦେଲେ । ଆଜି ସବ୍ କଲେକ୍ଟର ସୌମ୍ୟା ମିଶ୍ର ବହୁତ ଶାନ୍ତି ଅନୁଭବ କରୁଛନ୍ତି । ଏଥିପାଇଁ ନୁହେଁ ଯେ ସେ ତାଙ୍କ ପ୍ରତାରଣାର ପ୍ରତିଶୋଧ ନେଇପାରିଛନ୍ତି । ବରଂ ଏଥିପାଇଁ ବହୁତ ଆଶ୍ୱସ୍ତ ଯେ , ସେ ଏକ ଅସାମାଜିକ , ଦୁର୍ନୀତିଖୋର , ବିଳାସୀ , ଲମ୍ପଟ , ଚାରିତ୍ରହୀନ କର୍ମଚାରୀ କବଳରୁ ବହୁ ନିରୀହ ଲୋକଙ୍କୁ ରକ୍ଷା କରିପାରିଛନ୍ତି ।

ଏଥିପାଇଁ ସେ ତାଙ୍କର ଜୀବନଦାତା ଓ ତାଙ୍କୁ ଏ ସ୍ଥାନରେ ପହଞ୍ଚେଇଥିବା ତଥା ତାଙ୍କ ଗର୍ଭସ୍ଥ ସନ୍ତାନକୁ ସମାଜରେ ପିତାର ପରିଚୟ ଦେଇଥିବା ଆଶୁତୋଷଙ୍କୁ ନିଜ ହୃଦୟରୁ କୃତଜ୍ଞତା ଜଣାଇଥିଲେ । ଆଶୁତୋଷ ଯିଏ କି ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିଲେ । ସହରରେ ଏକ ଚଟି ଘରେ ରହି ଟିଉସନ କରି ବହୁ ସଂଘର୍ଷ ଭିତରେ ବି ଜୀବନରେ ଆଗକୁ ବଢ଼ିବାର ସ୍ଵପ୍ନ ନେଇ ବଞ୍ଚିବାର ପ୍ରୟାସ କରୁଥିଲେ । ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଚନ୍ତି ।

ସେଦିନ ସେ ସାଇକେଲରେ ଟିଉସନ ପାଇଁ ଗଲାବେଳେ ଜଣେ ଅଜଣା ଯୁବତୀଙ୍କୁ ରେଳ ଧାରଣା ଉପରେ ଲୋଟି ଯିବାର ଦେଖିଲେ । ଟ୍ରେନ ଆସୁଥିଲା ଖୁବ୍ ଦ୍ରୁତ ଗତିରେ । ସେ ସାଇକେଲଟା ଫୋପାଡ଼ିଦେଇ ସୌମ୍ୟାଙ୍କୁ ଝିଙ୍କିନେଇଥିଲେ ଟ୍ରାକ ବାହାରକୁ । ସୌମ୍ୟା ଠାରୁ ସବୁ ଶୁଣିବା ପରେ , ତା’ ଜୀବନରେ ନୂତନ ଆଶାର ସଞ୍ଚାର କରିଥିଲେ ।

ସଙ୍ଘର୍ଷ ଭିତରେ ଜୀବନକୁ ସାମନା କରିବାକୁ ସାହସ ଦେଇଥିଲେ । ତା’ ଗର୍ଭସ୍ଥ ଶିଶୁକୁ ପିତୃତ୍ୱର ପରିଚୟ ଦେଇ ନିଜର ମହାନ ବ୍ୟକ୍ତିତ୍ୱର ପରିଚୟ ଦେଇଥିଲେ । ପଢିବାକୁ ପ୍ରେରଣା ଦେଇ ଆଗକୁ ବଢିବାର ପ୍ରୋତ୍ସାହନ ଦେଇଥିଲେ । ସେଥିପାଇଁ ଦିନ ରାତି ଏକ କରି ନିଜେ ଅଧିକ ପରିଶ୍ରମ କରୁଥିଲେ । ସୌମ୍ୟାଙ୍କ ପାଠ ପଢା ଖର୍ଚ୍ଚ ସହ ଏକ ନିଃସ୍ପାପ ଶିଶୁର ରକ୍ଷଣା ବେକ୍ଷଣା ମଧ୍ୟ ତାଙ୍କର ଦାୟୀତ୍ୱ ବୋଲି ଧରିନେଇଥିଲେ ।

ଆଜି ସୌମ୍ୟା ମିଶ୍ର ଯଦି ଆଇ ଏ ଏସ ଅଧିକାରୀ ହୋଇ ସବ୍ କଲେକ୍ଟର ହୋଇଥାନ୍ତି ତେବେ ତା’ର ସବୁ କୃତିତ୍ତ୍ଵର ଅଧିକାରୀ ହେଉଛନ୍ତି ଆଶୁତୋଷ । ସୌମ୍ୟା ନିଜ ଜୀବନର ସବୁକିଛି ତାଙ୍କ ପାଦ ତଳେ ସମର୍ପଣକରି ନିଜକୁ ଧନ୍ୟା ମନେକରୁଛି । ଆଶୁତୋଷଙ୍କ ଭଳି କିଛି ଭଲ ଲୋକ ଅଛନ୍ତି ବୋଲି ତ ଆଜି ଏ ସମାଜରେ ସୌମ୍ୟା ଭଳି ଝିଅମାନଙ୍କର ଦିଗହରା ଜୀବନ ଯମୁନାର ଶ୍ରୋତ ସ୍ଵତଃସ୍ପୂର୍ତ୍ତ ଭାବରେ ଅବାରିତ ଧାରାରେ ଆଗକୁ ଆଗକୁ ପ୍ଲାବିତ ହୋଇ ଚାଲିଛି ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.