ପୁଣି କାଳିଆ ଲେଉଟିଛି

story
Reading Time: 3 minutes

ଖବରକାଗଜଟାକୁ ଦେଖାଇ ଶ୍ରୀମତୀ ହସମୁଖରାଙ୍କ ଉଦ୍ଦେଶ୍ୟରେ କହିଲେ, ଏଇ ଦେଖ ଓଡ଼ିଶା ସରକାର ଏବେ ଯୋଜନା କରିଛନ୍ତି, ଆସନ୍ତା ମାସଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସବୁ କାଗଜପତ୍ର ଓଡ଼ିଆରେ ଲେଖାଯିବ୤ ଜାଣ ଏଣିକି ଓଡ଼ିଆର ମାନ ବଢ଼ିବ୤ ଘରଣୀଙ୍କ କଥା ଶୁଣି ଶ୍ରୀମାନ୍‌ ହସମୁଖରା ହୋ ହୋ ହସିଉଠିଲେ୤ ଶ୍ରୀମତୀ ଆଶ୍ଚର୍ଯ୍ୟରେ କାକଚକ୍ଷୁପ୍ରାୟ ଆଖି ଦି’ଟାକୁ ଘୂରାଇ କହିଲେ- ମୋ କଥା କ’ଣ ବିଶ୍ବାସ ହେଉନି ? ଏଇ ଦେଖୁନ, ଖବରକାଗଜରେ ପରା ବାହାରିଛି୤ ସବୁ ଧୋବ ଧାଉଳିଆ ବାବୁ ଖାଲି ଇଙ୍ଗିଲିଶି ଶବ୍ଦକୁ ଚୋବାଉଛନ୍ତି ଆଉ ଲେଖୁଛନ୍ତି୤ ସାଧାରଣ ଲୋକମାନେ ବୁଝିପାରୁ ନାହାଁନ୍ତି୤ ଓଡ଼ିଆରେ ଚିଠିପତ୍ର ଲେଖାଲେଖି ହେଲେ ସେମାନେ ସହଜରେ ବୁଝିପାରିବେ୤ ଏଥିରେ ତମ ପରି ଅଧ୍ୟାପକମାନେ ଖୁସିହେବା କଥା, ଓଲଟା ମୋ କଥା ଶୁଣି ଢ଼ୋଲ ପରିକା ହସୁଚ ! ହସମୁଖରା ବାବୁ ହସ ବନ୍ଦକରି କହିଲେ- ସବୁ କଥାକୁ ସହଜରେ ବିଶ୍ବାସ କରିଯିବା ତମର ଗୋଟିଏ ଅଭ୍ୟାସ୤ କିହୋ, ଯେତେ ଆଇନ ହୁଏ କ’ଣ କାର୍ଯ୍ୟରେ ପରିଣତ ହୁଏ ? ତାହା ଯଦି ହେଉଥାନ୍ତା, ଗାନ୍ଧିଜୀଙ୍କର ରାମରାଜ୍ୟ ଏତେ ଦୂରରେ କାହିଁକି ଥାଆନ୍ତା ? ଆଜି ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟରେ ପ୍ରଚଳନ କରିବା କଥା ଶୁଣି ପିଲାଦିନେ ଶୁଣିଥିବା ରାଧୁନନାଙ୍କର କାଳିଆ ବିଲେଇ ଗପଟା ମନେପଡୁଛି୤ ରାଧୁନନାଙ୍କର ଗୋଟିଏ କଳା ବିଲେଇ ଥିଲା୤ ସେଇଟା ନିହାତି ନିଉଛଣା୤ ଆଜିକାଲିକା ଦୁର୍ନୀତିଗ୍ରସ୍ତ ବାବୁଙ୍କର ପରି ସେ ଯେତେ ଖାଉଥିଲା ତାକୁ ସେତେ ନିଅଣ୍ଟ ପଡୁଥିଲା୤ ତେଣୁ ସେ ରାଧୁନନା ଏବଂ ସାଇପଡ଼ିଶା ଘରେ କିଛି ରଖିଲା ନାହିଁ୤ ପେଟ ବିକଳିଆଙ୍କର ଦାନାରେ, ନିଦ ବିକଳିଆଙ୍କର ଥାନରେ ଏବଂ କାମ ବିକଳିଆଙ୍କର ନାରୀରେ ଭେଦଭାବ ନ ଥାଏ୤ ଯେଉଁଠି ଯେମନ୍ତ ମିଳିଲା ସେ ଗ୍ରହଣ କରିନିଅନ୍ତି୤ ଏଇ ନ୍ୟାୟରେ କାଳିଆ ସମସ୍ତଙ୍କର ଘର ଉଜାଡ଼ିବାରୁ ଦିନକୁ ଦିନ ରାଧୁନନାଙ୍କ ନିକଟରେ ଅଭିଯୋଗର ସଂଖ୍ୟା ବୃଦ୍ଧିପାଇଲା୤ ସେ ବାଧ୍ୟହୋଇ ତାକୁ ଗୋଟିଏ ଅଖାରେ ପୁରାଇ ଗାଁଠାରୁ କିଛି ଦୂରରେ ଛାଡ଼ିଦେଇ ଆସିଲେ୤ ସମସ୍ତେ ଆଶ୍ବସ୍ତ ହେଲେ୤ କିନ୍ତୁ ଦି’ତିନିଦିନ ପରେ ଦେଖାଗଲା- ଟାଣୁଆ ନେତାମାନେ ସରକାରୀ ଜାଗାକୁ ମାଡ଼ିବସିବା ପରି କାଳିଆ ତା’ର ପୁରୁଣା କର୍ମକ୍ଷେତ୍ରକୁ ଫେରିଆସି ପୁନର୍ବାର କାରନାମା ଚଳାଇ ନିଜର ପୈତୃକ ସମ୍ପତ୍ତି ବୋଲି ଭାବୁଥିବା ଚୁଲିମୁଣ୍ଡକୁ ଜବରଦଖଲ କରି ଆରାମରେ ନିଶ ସାଉଁଳୁଛି୤ ବ୍ରାହ୍ମଣ ଶାସନ ସାରା ଚର୍ଚ୍ଚାହେଲା- ପୁଣି କାଳିଆ ଲେଉଟିଛି୤ ରାଧୁନନା ଏମିତି ଦି’ତିନିଥର ଚେଷ୍ଟାକଲେ, ମାତ୍ର ପ୍ରତ୍ୟେକ ଥର କାଳିଆ ସେ ଚେଷ୍ଟାକୁ ନିଜ ପାରିଲାପଣିଆରେ ଫୁ କରି ପୁଣି ଲେଉଟି ଆସେ୤

ଶେଷକୁ ରାଧୁନନା ବିଚାର କଲେ ବୋଧେ କାଳିଆର ମନମୁତାବକ ଖାଇବାଟା ଠିକ୍‌ ହେଉନାହିଁ ତେଣୁ ‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍‌’ ନ୍ୟାୟରେ ସେ ୟା’ଘରେ ତା’ଘରେ ପଶି ହାଣ୍ଡି ଗଡ଼ଉଛି୤ ଏହି ବିଚାରରେ ସେ ଦୁଧଭାତ ଏବଂ ମାଛଭାତ ପେଟପୁରା ଖାଇବାକୁ ଦେଲେ, କିନ୍ତୁ ଫଳ କିଛି ହେଲାନାହିଁ୤ ନିଜ ଘରେ ଯେତେ ଧନସମ୍ପତ୍ତି ଥିଲେ ବି ପରଧନଲୋଭୀ ଯେମିତି ଅନ୍ୟ ଧନ ଲୁଟିବାକୁ ପଛାଏ ନାହିଁ ସେମିତି କାଳିଆ ମାଲିକର ସବୁ ଖାଇଲେ ବି ନିଜ ପ୍ରବୃତ୍ତିକୁ ବଦଳାଇପାରିଲା ନାହିଁ୤ ଆଜି ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ କଥା ଶୁଣି ସେହି କାଳିଆ ଲେଉଟିବା କଥା ମନେପଡୁଛି୤ ଆଜି ନୁହେଁ ୧୯୮୫ ମସିହାଠାରୁ ଏମିତି ସରକାରୀ ନିର୍ଦ୍ଦେଶନାମା ବାହାରୁଛି, କିନ୍ତୁ ଆମ ବାବୁମାନେ ଏହି ରାଧୁନନାଙ୍କ ବିଲେଇ ପରି ସେ ସବୁକୁ ଫୁ କରି ଦେଇଛନ୍ତି୤ ତୁମେ ବୋଧେ ଜାଣିନ, ବର୍ଷସାରା କେତେଟା ଚିଠି ଓଡ଼ିଆରେ ଲେଖାଲେଖି ହୋଇଛି ସେ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥାଏ୤ କିନ୍ତୁ ସେ ସବୁ ଉପର ଠାଉରିଆ୤ ପାଞ୍ଚ ଜାଗାରେ ପଚାଶ କରି ପଠାଇଦେଲେ କେହି ଦେଖିବାକୁ ନାହିଁ କି ଖୋଜିବାକୁ ନାହିଁ୤ ସେତେବେଳେ ପ୍ରତ୍ୟେକ କାର୍ଯ୍ୟାଳୟକୁ ଓଡ଼ିଆ ଟାଇପ୍‌ ମେସିନ୍‌ ତଥା ଇଂଲିଶ ଶବ୍ଦଗୁଡ଼ିକର ସରଳ ଓଡ଼ିଆ ଅର୍ଥ କରାଯାଇ ଯୋଗାଇ ଦିଆଯାଇଥିଲା୤ ତଥାପି ଆମ ବାବୁମାନେ କର୍ଣ୍ଣପାତ କଲେ ନାହିଁ୤ କର୍ଣ୍ଣପାତ ନ କରି ସେମାନେ ଯେ ଗୋଟିଏ ବଡ଼ ପାପ କରିଛନ୍ତି ସେକଥା କୁହାଯାଇ ପାରିବ ନାହିଁ୤ କିହୋ, ଘରେ ସିନା କେହି ଭଲରେ ଦି’ପଦ ଓଡ଼ିଆରେ କଥା କହୁଥିଲେ ସେମାନେ ସିଆଡ଼କୁ ମନ ବଳାଇଥାନ୍ତେ ? ସହଜେ ତ ଆମ ବାବୁମାନଙ୍କର ବିଦେଶୀ ଭାଷାପ୍ରୀତି ଅଧିକ୤ ତେଣୁ ସେମାନଙ୍କ ଝିଅପୁଅମାନେ ବିଦେଶୀ ଭାଷାରେ ପାଠ ପଢ଼ିଲେ୤ ହିନ୍ଦୀ ଇଂଲିଶ ମିଶା କୋଲାବରି ଗୀତ ଶୁଣିଲେ୤ ଅଠର କହିଲେ ନ ବୁଝି ଏଇଟିନ୍‌ ବୁଝିଲେ୤ ଘରେ ଦୂରଦର୍ଶନ ଖୋଲିକି ଦେଖୁନ ବଳେ ବଳେ ବୁଝିଯିବ- ଆମ ଓଡ଼ିଆ ଉପସ୍ଥାପିକା-ଉପସ୍ଥାପକମାନେ କିପରି ହାତଗୋଡ଼ ଛାଟି ଚାଳିଶଟା ଇଂଲିଶ ଏବଂ ତିରିଶଟା ହିନ୍ଦୀ ଶବ୍ଦ ସହିତ ଦି’ତିନିଟା ଓଡ଼ିଆ ଶବ୍ଦ ଫେଣ୍ଟିଦେଇ ଗଳ ଗଳ ହୋଇ କହିଯାଉଛନ୍ତି୤ ତୁମେ ଯଦି ସାବଧାନ ସହକାରେ ନ ଶୁଣିବ ତେବେ ଜାଣିପାରିବ ନାହିଁ ସେଇଟା ଓଡ଼ିଆ ନା ଆଉ କିଛି ଭାଷା୤ ।ଏ ପରିସ୍ଥିତିରେ ଆମ ବାବୁମାନେ ଯେତେବେଳେ ଇଂଲିଶରେ ଓଏଏସ୍‌ କି ଆଇଏଏସ୍‌ ପରୀକ୍ଷା ଦେଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ସେମାନେ ଇଂଲିଶରେ ଚିଠି ଲେଖି କି ଦୋଷ କରି ପକେଇଲେ ? ବାରମ୍ବାର କାଳିଆ ବିଲେଇ ଲେଉଟିବା ପରି ସରକାର ସେଇ କଥାକୁ ଥରକୁ ଥର ଲେଖିଦେଲେ କ’ଣ ହେବ ? କିଛି ଆଖିଦୃଶିଆ ବ୍ୟବସ୍ଥା କରିବା ଦରକାର ନା ନୁହେଁ ?

ଶ୍ରୀମତୀ କହିଲେ-ସରକାର ତ ଆଇନ କଲେ୤ ସେ ଅଧିକ କ’ଣ କରିବେ କହୁନ ? ହସମୁଖରା କହିଲେ- ଖାଲି ଆଇନ କରିଦେଲେ ଚଳିବନି୤ ଏଥିପାଇଁ ଆନ୍ତରିକ ଉଦ୍ୟମ ରହିବା ଉଚିତ୍‌୤ ଗୋଟିଏ ଭାଷା ପ୍ରଶାସନର ପ୍ରୋତ୍ସାହନ ପାଇଲେ ହିଁ ବଞ୍ଚିଥାଏ୤ ଗୁପ୍ତଯୁଗରେ ଏଥିପାଇଁ ସଂସ୍କୃତର ପ୍ରଭୂତ ଉନ୍ନତି ଘଟିଥିଲା୤ ଥରୁଟିଏ ଭାବ ବିହାର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟର ପିଲାମାନେ ନିଜ ନିଜ ମାତୃଭାଷାରେ ସିଭିଲ୍‌ ପରୀକ୍ଷା ଦେଉଥିବାବେଳେ ଆମ ଓଡ଼ିଶାର ପିଲାମାନେ ଓଡ଼ିଆରେ ପରୀକ୍ଷା ଦେଇପାରିବେ ନାହିଁ କାହିଁକି ? ସବୁଠାରୁ ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ ଅଧ୍ୟାପକ ବା ଶିକ୍ଷକ ହେବା ପାଇଁ ଯେଉଁ ଓଇଏସ୍‌ ପରୀକ୍ଷାର ବ୍ୟବସ୍ଥା ଅଛି ସେଥିରେ ଓଡ଼ିଆର ସ୍ଥାନ ନାହିଁ୤ ଯୁକ୍ତଦୁଇ କମର୍ସ ପିଲାମାନେ ଏବଂ ଯୁକ୍ତତିନି ବିଜ୍ଞାନ ପିଲାମାନେ ଇଂଲିଶ ବାଧ୍ୟତାମୂଳକ ବିଷୟ ଭାବରେ ପଢ଼ନ୍ତି, କିନ୍ତୁ ଓଡ଼ିଆ ପଢ଼ନ୍ତି ନାହିଁ୤ ହାଇସ୍କୁଲରେ ସବୁ ବିଷୟରେ ଶିକ୍ଷକ ନିଯୁକ୍ତି ପାଇଥାନ୍ତି, କିନ୍ତୁ ଓଡ଼ିଆ ପଢ଼ାଇବା ପାଇଁ ଶିକ୍ଷକ ନ ଥାନ୍ତି୤ ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ ବା ଅନ୍ୟ ଶିକ୍ଷକ ଫାଙ୍କା ପାଇଲେ ଓଡ଼ିଆ ପଢ଼ାନ୍ତି୤ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ବହି ଏବଂ ଶିକ୍ଷକ ନଥିବାରୁ ଅନ୍ୟଭାଷା ଧସେଇ ପଶିଆସୁଛନ୍ତି୤ ସରକାର ଯଦି ପ୍ରତି ଚାକିରି ଏବଂ ଶ୍ରେଣୀ ପରୀକ୍ଷାରେ ଓଡ଼ିଆକୁ ଏକ ବାଧ୍ୟତାମୂଳକ ବିଷୟ ରୂପେ ରଖନ୍ତେ ତେବେ ଅନ୍ତତଃ ସମସ୍ତେ ଦେବାକୁ ଚେଷ୍ଟା କରନ୍ତେ୤ ଆବଶ୍ୟକ ନ ଥିଲେ ତୁଚ୍ଛାଟାରେ କିଏ କାହିଁକି ପଢ଼ିବ କହୁନ ? କଥାରେ ପରା ଅଛି- ପ୍ରୟୋଜନ ମନୁଦ୍ଦିଶ୍ୟ ନ ମନ୍ଦୋଦ୍ଧପି ପ୍ରବର୍ତ୍ତତେ୤ ଯଦି ଓଡ଼ିଶାରେ ଓଡ଼ିଆ ଭାଷାକୁ ଏମିତି ଆଦର, ବାହାରେ ଏହାର କି ଅବସ୍ଥା ଥିବ ଚିନ୍ତା କର୤ ଓଡ଼ିଆ ଲେଖକଙ୍କୁ ଏଠାରେ ଉପଯୁକ୍ତ ସ୍ଥାନ ମିଳେନାହିଁ୤ ପୁରସ୍କାର ପାଇଁ ଏତେ ଟଣାଓଟରା ଯେ ହାଇକୋର୍ଟକୁ ଧାଁଦୌଡ଼ କରିବାକୁ ପଡ଼େ୤ ଏତେ କନ୍ଦଳ ଅନ୍ୟ ଭାଷାରେ ତୁମେ କେବେ ଦେଖିଛ ? ଏଥିରୁ ଓଡ଼ିଆ ଭାଷା ସାହିତ୍ୟରେ ତେତେ କୁତ୍ସା, କେତେ ଅଭିସନ୍ଧି, କେତେ ପ୍ରିୟାପ୍ରୀତି ଚାଲିଛି ତାହା ତୁମ ମାଷ୍ଟ୍ରିଆ ମୁଣ୍ଡାରେ ନିଶ୍ଚୟ ବୁଝିପାରିବ୤ ଏପରି ପରିସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି କାହାର ଅନୁରାଗ ନା ଅନୁରକ୍ତି ରହିବ ? ଆମ ଓଡ଼ିଆ ପ୍ରୀତି ଏମିତି ହୋଇଥିବାରୁ ବାବୁମାନେ ଓଡ଼ିଆରେ ଚିଠିପତ୍ର ଲେଖିବା ସହଜ ହେବ କି ? ତେଣୁ ରାଧୁନନାଙ୍କର କାଳିଆ ବିରାଡ଼ି ପରି ସରକାରୀ ଚିଠି ଆସୁଥିବ ଯାଉଥିବ୤ ଫଳ ଶୂନ୤ ଶ୍ରୀମତୀ ହସିଦେଇ କହିଲେ- ୟା ଭିତରେ ଏତେ କଥା ?

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.