ସେଦିନ କିଛି ଅଲଗା ଥିଲା

istock calendar days
Reading Time: 4 minutes

ସବୁଦିନ ପରି ଆଲାର୍ମ ବାଜିବା ଆଗରୁ ନିଦଟି ମୋର ଭାଙ୍ଗିଗଲା । ତଳ ଠାକୁର ଘରୁ ଘଣ୍ଟିଟି ସେମିତି ବାଜି ଚାଲିଥାଏ । ତକିଆଟିକୁ ମୁଣ୍ଡତଳୁ କାଢ଼ି ମୁହଁ ଉପରେ ଦେଇଦେଲି । କାନକୁ ଯେତେ ମୁଦିବାକୁ ଚେଷ୍ଟା କଲେ ବି ଆଉ ପାରିଲିନି । ସେ ଶବ୍ଦ ବେଶି ଜୋରରେ କାନ ମଧ୍ୟକୁ ପ୍ରବେଶ କରୁଥାଏ । ଆଖିକୁ ଆଉ ନିଦ ହେଲାନି । ଚିଡ଼୍‌ଚିଡ଼୍ ହୋଇ ମୁଁ ଉଠି ବସିଲି । ପାଟିରୁ ସେଇ ନିତି ଦିନିଆ କଥା ପଦକ ଆପେଆପେ ବାହାରି ପଡ଼ିଲା । “ଓହୋ ଏ ସୁବାଷ ଭାଇନାଙ୍କ ସକଳୁଆ ଭକ୍ତି ମଣିଷକୁ ଟିକେ ଶାନ୍ତିରେ ଶୁଆଇ ଦେବନି ।”

ମୋ ପରିଚୟଟା ଟିକେ ଦେଇ ଦିଏ । ଭଲ ନାମ ପ୍ରକାଶ (ଅଫିସିଆଲ) । ଡାକ ନାମ ଲିଟୁ । ଶ୍ରଦ୍ଧାରେ ଅନେକେ ବିଭିନ୍ନ ନାମରେ ଡାକନ୍ତି । ବର୍ତ୍ତମାନ +୩ ତୃତୀୟ ବର୍ଷର ଛାତ୍ର । ଘରୁ ବାହାରେ ରହି ପାଠ ପଢ଼େ । ବିଗତ ଦୁଇ ବର୍ଷଧରି ଏଇ ସୁବାଷ ଭାଇନାଙ୍କ ଘର ମୋ ବାସ ପାଲଟିଛି । ହା ହା ହା । ଆଜ୍ଞାଙ୍କର ଶୁଭ ନାମ ହେଉଛି ସୁବାଷ ଚନ୍ଦ୍ର ମହାପାତ୍ର । ବୟସ ୬୦ ବର୍ଷ । ପେସା ସରକାରୀ ଚାକିରୀ । ମୁଁ ୟାଙ୍କ ଘରେ ଭଡ଼ାରେ ରହି ପାଠ ପଢ଼େ । ତେବେ ମୁଁ ମଜାରେ ତାଙ୍କୁ ସୁବାଷ ଭାଇନା ବୋଲି ଡାକେ । ଖାଣ୍ଟି ବ୍ରାହ୍ମଣ ଲୋକ । ତେବେ ମୁଁ ତାଙ୍କ ସାମ୍ନାରେ ଡାକେନାହିଁ । ପଛରେ ଡାକେ । ଏମିତି ସାଧାରଣରେ ମଉସା ବୋଲି ଡାକେ । ପରିବାର କହିଲେ ବୁଢ଼ାବୁଢ଼ୀ ଦୁଇ ଜଣ । ଦୁଇ ପୁଅ ବାହାରେ ଚାକିରୀ କରନ୍ତି ।

ଘଣ୍ଟି ଶବ୍ଦରେ ନିଦଟି ମୋର ଭାଙ୍ଗିଗଲା । ଦୁଇ ହାତ ଉପରକୁ ଟେକି ଅଳସ ଭାଙ୍ଗୁ ଭାଙ୍ଗୁ ନଜରଟି ମୋର କାନ୍ଥ ଘଣ୍ଟା ଉପରେ ପଡ଼ିଲା । ସମୟ ବାଜିଥିଲା ୬ଟା ବାଜି ୩୦ ମିନିଟ । ଭାବିଲି ନିଦ ଛାଡ଼ିନି ବୋଧେ ସମୟ ଭୁଲ ଦେଖା ଯାଉଛି । ମୁଁ ଟିକେ ଆଖି ମକଚି ଆଉ ଥରେ ଘଣ୍ଟାକୁ ଦେଖିଲି । ସେହି ସମାନ ସମୟ । କଥାଟା ମତେ କେମିତି କେମିତି ଲାଗିଲା । କାରଣ ଦୁଇବର୍ଷ ହେବ ପ୍ରାୟତଃ ସମାନ ୭ଟା ୩୦ରେ ସୁବାଷ ଭାଇନାଙ୍କ ଠାକୁର ଘରୁ ଘଣ୍ଟି ବାଜେ । ଆଉ ସେହି ଶବ୍ଦ ଶୁଣି ସମାନ ସମୟରେ ମୋ ନିଦ ସବୁବେଳେ ଭାଙ୍ଗେ । ହେଲେ ଆଜି ଏଥିରେ ବ୍ୟତିକ୍ରମ କାହିଁକି । ମନରେ ଦ୍ଵନ୍ଦ ସୃଷ୍ଟିହେଲା । ପ୍ରକୃତ କଥାଟା ଜାଣିବାକୁ ଚାଦର ଖଣ୍ଡେ ଘୋଡ଼ିହୋଇ ମୁଁ ତଳକୁ ଚାଲିଲି ।

ଦୁଆର ବନ୍ଧଠି ଟିକେ ଆଖି ପକେଇ ମୁଁ ବାଡ଼ି କୂଅ ଆଡ଼େ ଚାଲିଲି । ସେତେବେଳକୁ ସୁବାଷ ଭାଇନା ପୂଜାସାରି ପୋଷାକ ପିନ୍ଧିବାରେ ବ୍ୟସ୍ତ । କୂଅମୂଳେ ଥୁଆ ହୋଇଥିବା ବାଲ୍‌ତିରୁ ମୁନ୍ଦେ ପାଣି ମୁହଁରେ ଛାଟିଦେଲି । ଓହୋ କି ଥଣ୍ଡା । ଖରାବେଳେ ବରଫ ଭଳି ଥଣ୍ଡା ରହୁଥିବା ଏ କୂଅର ପାଣି ଶୀତ ଦିନେ ଡବଲ ଥଣ୍ଡା । ସେଥିପାଇଁ ମୁଁ ୟା ନାଁ ଦେଇଛି ବରଫ କୁଣ୍ଡ । ସାଙ୍ଗେ ସାଙ୍ଗେ ପାଖ ତାରରେ ଝୁଲୁଥିବା ଓଦା ଗାମୁଛାଟିରେ ପୋଛି ହୋଇଗଲି । ଆଉ ଚାଲିଲି ବୁଢ଼ାବୁଢ଼ୀଙ୍କ ପାଖକୁ ।

ସୁବାଷ ଭାଇନା ମାନେ ମଉସା ପୋଷାକ ପିନ୍ଧି ଉତ୍କଳ ପ୍ରସଙ୍ଗ ବହିଖଣ୍ଡେ ଧରି ପଢ଼ୁଥାନ୍ତି । ମୁଁ ଯାଇ ତାଙ୍କ ଚୌକି ପାଖ ଦଉଡ଼ିଆ ଖଟ ଉପରେ ବସି ପଡ଼ିଲି । ମାଉସୀ ବୋଧେ ରୋଷେଇ ଘରେ ଚାହା କରୁଥିଲେ । କାହିଁକି ନା ସେପଟୁ ଅଦା ଗୋଲମରିଚର ଭଲ ବାସ୍ନା ଆସୁଥାଏ । ମୁଁ ଟିକେ ମଉସାଙ୍କ ଆଡ଼କୁ ନଜର ଦେଲି । ଆଶ୍ଚର୍ଯ୍ୟ ହେଲି କି ସବୁଦିନ ସାର୍ଟ ପ୍ୟାଣ୍ଟ ପିନ୍ଧୁଥିବା ଲୋକଟି ଆଜି କ’ଣ ଧୋତି ପିନ୍ଧିଛନ୍ତି । ମୁଁ ପ୍ରଶ୍ନିଳ ଆଖିରେ ତାଙ୍କ ଆଡ଼କୁ ଚାହିଁ ରହିଥାଏ । ଏହି ସମୟରେ ମାଉସୀ ଗରମ ଚାହା କପେ ମୋ ହାତକୁ ବଢ଼େଇଦେଲେ । ଆଉ କପେ ମଉସାଙ୍କୁ ଦେଇ ନିଜେ ଛୋଟ ଗିନାଟିରେ ଅଳ୍ପ ଚାହା ଧରି ତଳ ପିଢ଼ା ଉପରେ ବସିଲେ ।

ମୁଁ କଥା ଆରମ୍ଭ କଲି । ଓହୋ କି ଶୀତ । ଖରାଟିକେ ନପଡ଼ିଲେ ବାହାରକୁ ଗୋଡ଼ କାଢ଼ିବାକୁ ଜମାରୁ ଇଛା ହେଉନି । ଏ ଅବସ୍ଥାରେ କୁଆଡ଼େ ଯେ କାମରେ ଯିବା ବଡ଼ ମୁସ୍କିଲ । ମୋ କଥା ଶୁଣି ମାଉସୀ ଆରମ୍ଭ କଲେ । ଆଉ କୁଆଡ଼େ ଯିବା ଦରକାର ନାହିଁ । ନିତ୍ୟକର୍ମ ସାରି ଘରେ ବସି ଖାଲି ବହି ପଢ଼ିବା କଥା । ମୁଁ ପଚାରିଲି ମଉସା ଅଫିସ ଯିବେନିକି? ଘରେ ବସିଲେ କ’ଣ ଚଳିବ । ମୋ କଥା ପଦକ ଶୁଣି ମାଉସୀଙ୍କ ମୁହଁ ଟିକେ ଶୁଖିଗଲା । ତା’ପରେ ହସିକି କହିଲେ ବାବୁଙ୍କର ଆଜି ଅଫିସରେ ଶେଷ ଦିନ । ସେଥିପାଇଁ ଆଜି ଘଣ୍ଟେ ଆଗରୁ ରେଡ୍ଡି । କାଲିଠୁ ଆଉ କୁଆଡ଼େ ଯିବା ଦରକାର ନାହିଁ ଖାଲି ଘରେ ବସିବା କଥା ।

କଥାଟା ଶୁଣି ମୁଁ ବି ଟିକେ ଭାବବିହ୍ଵଳ ହୋଇପଡ଼ିଲି । ମଉସାଙ୍କ ନୀରବତା ଭିତରେ ବି ତାଙ୍କ ମନର କଷ୍ଟକୁ ମୁଁ ସ୍ପଷ୍ଟ ବାରି ପାରୁଥିଲି । ମୋ ଆଖି ଆଗରେ କଲେଜ ଫେୟାରୱେଲ ସମୟର ଚିତ୍ର ନାଚି ଉଠିଲା । +୨ ବେଳର ସେ କୋହଭରା ଚିତ୍ର । ସାଙ୍ଗସାଥୀଙ୍କୁ ବିଦାୟ ଦେବାର ଦୁଃଖ । ଆଉ ଜୁନିଅରମାନେ ଆୟୋଜନ କରିଥିବା ଉତ୍ସବରେ ମିଛି ମିଛିକା ହସ । ସେଦିନ ଫେୟାରୱେଲ ପାର୍ଟିରେ ମୋର ଶେଷ ଭାଷଣ; କହିବାବେଳେ ପାଟି ଥରୁଥାଏ, ଆଖି ଜକେଇ ଆସୁଥାଏ, ମୋ ସାମନାରେ ବସିଥିବା ସାଙ୍ଗମାନଙ୍କର ବି ସମାନ ଅବସ୍ଥା । ସବୁବେଳେ ମୋ ଭାଷଣ ଶୁଣି ତାଳି ମାରୁଥିବା ସେ ହାତଗୁଡ଼ିକ ଆଖିର ଲୁହକୁ ପୋଛିବାରେ ବ୍ୟସ୍ତ ଥିଲେ । ଆଉ ଦିନ କେଇଟା ପରେ +୩ ବି ସରିଯିବ । ଆମେ ସିନିୟରଙ୍କୁ ବିଦାୟ ଦେଲାଭଳି ଆମକୁ ବି ବିଦାୟ ଦିଆଯିବ । ସାଙ୍ଗସାଥି, ମଜା ମସ୍ତି ଆଉ କଲେଜ ଖଟି ସବୁ ହେଇଯିବ ସାତସପନ । ମୋ ଆଖି ଆଗରେ ସେ ସବୁ ଗୋଟେ ପରେ ଗୋଟେ ସିନେମାର ପରଦା ଭଳି ନାଚୁଥାଏ । ମୁଁ ଏକଦମ ଅଲଗା ଦୁନିଆରେ ଥାଏ ।

ମଉସା ଚୌକିରୁ ଉଠିଲେ । ସାଙ୍ଗେ ସାଙ୍ଗେ ମୋ ଅନ୍ୟମନସ୍କତାରେ ବ୍ରେକ ଲାଗିଲା । ବହିଟି ଥୋଇଦେଇ ମଉସା ଘର ଭିତରକୁ ଗଲେ । ମୁଁ ମାଉସୀଙ୍କୁ ପଚାରିଲି । ଆମ ମଉସା ତ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଲୋକ । ସବୁବେଳେ ସେଇଆ ପିନ୍ଧି ଅଫିସ ଯାଆନ୍ତି । ହେଲେ ଆଜି ଏ ଧୋତି କାହିଁକି । ସେପଟୁ ମଉସା କହିବାକୁ ଲାଗିଲେ । ୩୦ ବର୍ଷ ତଳେ ଏଇ ଧୋତି ପିନ୍ଧି ଚାକିରୀ ଜୀବନ ଆରମ୍ଭ ହୋଇଥିଲା । ପ୍ୟାଣ୍ଟସାର୍ଟ ପିନ୍ଧା ବହୁତ କମ ଲୋକଙ୍କୁ ସେତେବେଳେ ଦେଖିବାକୁ ମିଳୁଥିଲା । ଲୋକେ ତ ଖାଇବାକୁ ପାଉନଥିଲେ ଆଉ ଚିକଣିଆ ପିନ୍ଧିବେ କୁଆଡ଼ୁ । ଏବେ ସିନା ପଇସା ହେଇଗଲା ଆଗରୁ କୋଉଠି ଥିଲା । ମୁଁ ବୁଝିଗଲି ମଉସା ଚାକିରୀ ଆରମ୍ଭ ଦିନ ଭଳି ଶେଷଦିନ ବି ଧୋତିପିନ୍ଧି ଅଫିସ ଯିବେ ।

ସତରେ ମଣିଷ ଯେତେ ଉପରକୁ ଉଠିଲେ ବି ପୁରୁଣା ଦିନସବୁ ତା’ ପାଇଁ ବହୁତ ଦାମୀ । ଆଜି କାଲିର ବ୍ୟସ୍ତତା ଭିତରେ ବି ଏ ସବୁକୁ କେବେ କେବେ ଖୋଜି ବସିଥାଏ । ପୁଣି ପଛକୁ ଫେରିଯିବାକୁ ଚାହିଁଥାଏ । ଆଉ ସାଉଁଟିବାକୁ ଚେଷ୍ଟା କରିଥାଏ ସେ ସବୁ ସ୍ମୃତିକୁ । କେତେ ଯେ ସୁଖ ଦୁଃଖ ଏବଂ ଆତ୍ମୀୟତା ଯେ ତା’ ସହ ଯୋଡ଼ା । ଆଉ ସେମିତି ଥିଲା ମଉସାଙ୍କ ଏ ଧୋତି । ଲାଗୁଥିଲା ମଉସାଙ୍କର କର୍ମଜୀବନରୁ ଅବ୍ୟାହତି ନେବାରେ ଆଦୌ ଇଛା ନାହିଁ । ଏବେ ବି ତାଙ୍କ ଭିତରେ ଅଦ୍ୟମ ଇଛାଶକ୍ତି, କାମ କରିବାର ଉତ୍ସାହ ତାଙ୍କର ପ୍ରତିଟି କଥାରୁ ଜଣାପଡ଼ୁଥିଲା । ହେଲେ ଏ ସରକାରୀ ନିୟମ ଯେ । କିଏ ବା କ’ଣ କରିପାରିବ ।

ହଠାତ ଘର ଆଗରେ ଜଣଙ୍କର ଗାଡ଼ି ଆସି ଲାଗିଲା । ସୁବାଷ ବାବୁ… ସୁବାଷ ବାବୁ… ଡାକ ପକାଇଲେ ବ୍ୟକ୍ତି ଜଣକ । କବାଟ ଖୋଲୁ ଖୋଲୁ ସାମନାରେ ଥିଲେ କୁମର ବାବୁ । ମଉସାଙ୍କ ପୁରୁଣା ବନ୍ଧୁ ଏବଂ ସହଯୋଗୀ । ଉଭୟଙ୍କ ସମ୍ପର୍କ ବହୁ ନିବିଡ଼ । ପରସ୍ପରର ସୁଖ ଦୁଃଖରେ ଅକ୍ଳେଶରେ ଛିଡ଼ା ହୁଅନ୍ତି । କୁମର ବାବୁ ମଉସାଙ୍କୁ ନେବାପାଇଁ ଆସିଥିଲେ । ମଉସା ପ୍ରତ୍ୟହ ସାଇକେଲ ଯୋଗେ କୁମର ବାବୁଙ୍କ ଘରକୁ ଯାଇଥାନ୍ତି ଆଉ ସେଠାରୁ ଦୁହେଁ ସାଙ୍ଗ ହୋଇ ବାଇକରେ ବସି ଅଫିସ ଯାଆନ୍ତି । ଆଜି ମଉସାଙ୍କ ଚାକିରୀର ଶେଷ ଦିନ ଥିବା ହେତୁ କୁମର ବାବୁ ତାଙ୍କୁ ଘରୁ ନେବାପାଇଁ ଆସିଥାନ୍ତି ।

ସୁବାଷ ବାବୁ ଜଲଦି ବାହାରନ୍ତୁ ବିଳମ୍ବ ହୋଇଯିବ । କୁମର ବାବୁଙ୍କ କଥାଶୁଣି ମଉସା ହଁ ହଁ କହି ସ୍ପୀଡ଼ ବଢ଼ାଇ ଦେଲେ । ଖାଲି ସାର୍ଟ ପକେଟଟାରେ କ’ଣ କିଛି ଭର୍ତ୍ତି କରିଥାନ୍ତି । ବାକି ଆଜି ବ୍ୟାଗ ପତର କିଛି ନାଇଁ । ମଉସା ଯାଉ ଯାଉ ସାଇକେଲଟା ଉପରେ ଟିକେ ହାତ ବୁଲେଇଦେଇ ଗଲେ । ଏତିକିବେଳେ ମାଉସୀ ଜୋରରେ କହି ଉଠିଲେ, “ଏ ମାଆ ଆଜି କିଛି ବନେଇବାକୁ ଭୁଲି ଯାଇଛି । ଟିକେ ରୁହ ରୁହ ରୁଟି ଦି’ପଟ ଆଉ ଭଜା ଟିକେ ବନେଇ ଦେଉଛି ନେଇଯିବ । ନହେଲେ ଖରାବେଳେ ଖାଇବ କ’ଣ ।” ମାଉସୀଙ୍କ କଥାଶୁଣି ମୁଁ, କୁମର ବାବୁ ଏବଂ ମଉସା ତିନିହେଁ ଜୋରରେ ହସି ଉଠିଲୁ । ମାଉସୀ ବୋଧେ ଆମ ହସ ଦେଖି ବୁଝିଗଲେ ଯେ ଆଜିର ଦିନ ଭିନ୍ନ । ଆଜି ଆଉ ମଉସାଙ୍କୁ ସଞ୍ଜବେଳକୁ ଫେରିବାକୁ ପଡ଼ିବନି । ସସମ୍ମାନେ ଫୁଲତୋଡ଼ା ଦେଇ ଖୁଆଇ ପିଆଇ ସଅଳ ଛାଡ଼ିଦେବେ ମଉସାଙ୍କ ସହଯୋଗୀ ଆଉ ଉପର ଅଫିସରମାନେ ।

କୁମାର ବାବୁ ଗାଡ଼ି ଷ୍ଟାର୍ଟ କଲେ । ମଉସା ପଛପଟେ ବସିଗଲେ । ଆମ ଆଡ଼େ ଉଭୟେ ଟିକେ ଚାହିଁଦେଇ ବାହାରିଗଲେ । ମାଉସୀ ଦୁଆର ବନ୍ଧଟାରେ ଆଉଜିକରି ଛିଡ଼ା ହୋଇଥାନ୍ତି । ଆଖିରେ ଲୁହ ଭର୍ତ୍ତି । ମୁଁ କହିଲି ଆରେ ମାଉସୀ ମନଦୁଃଖ କାଇଁ କରୁଛ ଏବେ ତ ତମପାଇଁ ସୁବିଧା ହେଲା । ଏଣିକି ଟିକେ ଡେରିଯାଏଁ ଶୋଇପାରିବ ଆଉ ସକଳୁଆ ରୋଷେଇବାସର ଝୀଂଝଟ ବି ନାହିଁ । ମାଉସୀ କହିଲେ ଚୋପା ଶାନ୍ତି । ଯେତେ କଷ୍ଟ ହେଉପଛେ ଏ ଲୋକଟା ଖାଇପିଇ ସକାଳୁ ଯାଉଥିଲା ଯେ ସଞ୍ଜରେ ଫେରୁଥିଲା । ମୁଁ ଟିକେ ଦିନଯାକ ଶାନ୍ତିରେ ବସୁଥିଲି କି ଉଠୁଥିଲି । ଏବେ ଘରେ ରହି ସାରାଦିନ ବଜବଜ ହେବ ଆଉ ମୋ ମୁଣ୍ଡ ଖରାପ କରିବ । ଦୁହେଁ ହସି ହସି ବେଦମ ।

 

This story is curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.