ବୁଦ୍ଧିମତୀ ମଲ୍ଲିକା

kashmiri belle PH79 l
Reading Time: 5 minutes

ସହସ୍ର ବର୍ଷ ତଳର କଥା । କାଶ୍ମୀର ଦେଶର ଏକ ନଗରୀ ସମୀପରେ ଏକ ପାହାଡ ଥିଲା । ସେହି ପାହାଡରେ ଏକ ମହଲ ତିଆରି କରି ଜଣେ ରାକ୍ଷସ ସେଠାରେ ବାସ କରୁଥିଲା । ରାକ୍ଷସମାନଙ୍କର ବୁଦ୍ଧି କମ୍ ହେଲେ କ’ଣ ହେବ, ସେମାନେ କିନ୍ତୁ ଖୁବ୍ ବଳଶାଳୀ ଥିଲେ । ଏହି କାରଣରୁ ସାଧାରଣ ମନୁଷ୍ୟ ସେମାନଙ୍କୁ ଖୁବ୍ ଭୟ କରୁଥିଲେ । ସେମାନେ ମଣିଷଙ୍କ ଉପରେ ଅତ୍ୟାଚାର କରି, ସେମାନଙ୍କୁ ଭୟଭୀତ କରି ନିଜର ଭରଣପୋଷଣ କରୁଥିଲେ । ତାଙ୍କର ସମ୍ମୁଖୀନ ହେବାପାଇଁ କାହାର ହେଲେ ମଧ୍ୟ ସାହସ ବା ଧୈର୍ଯ୍ୟ ନ ଥିଲା । ତେଣୁ ସେମାନେ ନିଦ୍ୱର୍ନ୍ଦ୍ୱରେ ନିଜର ଅତ୍ୟାଚାର ଚଳେଇଥିଲେ । ଯଦି କେହିବା ତାଙ୍କର ବିରୋଧ କରୁଥିଲେ, ସେମାନଙ୍କୁ ଏହି ରାକ୍ଷସମାନେ ମାରି ପକାଉଥିଲେ । କ୍ରମଶଃ ଏହି ରାକ୍ଷସମାନଙ୍କର ସଂଖ୍ୟା କମି ଆସିଲା ଓ ପରେ ସେମାନେ ସମୂଳେ ନିଶ୍ଚିହ୍ନ ହୋଇଗଲେ । କେତେକ ବୁଦ୍ଧିମାନ୍ ମଣିଷଙ୍କର ସାହସ ଓ ପ୍ରତ୍ୟୁପନ୍ନମତିତାରୁ ଏହା ସମ୍ଭବ ହେଲା ।

କାଶ୍ମୀରର ଏହି ରାକ୍ଷସ ନିଜର ଅସୀମ ବଳ ଦ୍ୱାରା ଆଖପାଖର ମଣିଷମାନଙ୍କୁ ଭୟଭୀତ କରି ରଖିଥିଲା । ବହୁ ଧନ ସମ୍ପତ୍ତି ଲୁଟି ଆଣି ସେ ଠୁଳ କରିଥିଲା । ରାକ୍ଷସ ଲୋକମାନଙ୍କୁ ମାରି ପକାଇବାରେ କି ଧନ ସମ୍ପତ୍ତି ଲୁଟି ଆଣିବାରେ ସେଠିକାର ଲୋକମାନେ ଯେତେ ଦୁଃଖ ପାଉ ନ ଥିଲେ, ତା’ଠାରୁ ସେମାନେ ଅଧିକ ଦୁଃଖିତ ହେଉଥିଲେ ଯେତେବେଳେ ସେ ନଗର ମଧ୍ୟକୁ ପ୍ରବେଶ କରି କାହାକୁ କହେ, “ମୁଁ ତୋର ଝିଅକୁ ବିବାହ କରିବି ।” ସେହି ବ୍ୟକ୍ତି ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ନିଜ ଝିଅକୁ ତା’ ହାତରେ ଦେଇଦିଏ । କିନ୍ତୁ ସେହି ଝିଅ ଆଉ ବେଶୀ ଦିନ ବଂଚି ରହିପାରେ ନାହିଁ । ତା’ପରେ ସେ ରାକ୍ଷସ ଆସି ଆଉ ଗୋଟିଏ ଝିଅକୁ ନିଜ ପତ୍ନୀ ରୂପେ ନେବାପାଇଁ ଧମକ ଦିଏ । ଏହି କାରଣରୁ ସେଠିକା ନଗରବାସୀ, ବିଶେଷ କରି ଅବିବାହିତା କନ୍ୟାମାନେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥାଆନ୍ତି ।

ଏହିପରି ଚବିଶି ଜଣ ପତ୍ନୀଙ୍କୁ ମାରି ସାରିବା ପରେ ସେ ପଚିଶତମ ପତ୍ନୀ ସନ୍ଧାନରେ ନଗର ଅଭିମୁଖେ ବାହାରିଲା । ଜଣେ ଦରିଦ୍ର କୃଷକ ତା’ର କ୍ଷେତରେ କାମ କରୁଥାଏ । ରାକ୍ଷସ ତା’ ନିକଟକୁ ଯାଇ କହିଲା, “ମୁଁ ତୋ’ର ଝିଅକୁ ବିବାହ କରିବି । ଏହା ଶୁଣିବା ମାତ୍ରେ ସେ କୃଷକ ଜଣକ ଅତ୍ୟନ୍ତ ଭୟଭୀତ ହୋଇ ଆଉ କିଛିବି କହି ପାରିଲା ନାହିଁ । ତା’ର ମଲ୍ଲିକା ନାମରେ ଗୋଟିଏ ଝିଅ ଅଛି । ବିବାହ ଯୋଗ୍ୟା ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ତା’ର ବିବାହ କରି ପାରି ନ ଥିଲା ।”

“ମୁଁ କାଲି ରାତିରେ ତୁମ ଘରକୁ ଭୋଜନ ନିମନ୍ତେ ଆସିବି । ସେତେବେଳେ ବିବାହ କଥା ସ୍ଥିର କରି ଦେବ ।” ଏପରି କହି ସେ ରାକ୍ଷସ ସେଠାରୁ ଚାଲିଗଲା ।

ଘରକୁ ଆସି ସେହି କୃଷକ ନିଜ କନ୍ୟାକୁ ସବୁକଥା ଜଣାଇଲା କିନ୍ତୁ ମଲ୍ଲିକା ସବୁକଥା ଶୁଣିବା ପରେ ମଧ୍ୟ ତିଳେମାତ୍ର ମଧ୍ୟ ଭୟ କଲେ ନାହିଁ । ପିତାଙ୍କୁ ସେ କହିଲା, “ମୁଁ ଯେପରି କହିବି, ତୁମେ ଠିକ୍ ସେପରି କରିବ । ଏହାଦ୍ୱାରା ଆମେ ହୁଏତ ସେ ରାକ୍ଷସ କବଳରୁ ବର୍ତ୍ତିଯାଇ ପାରିବା । ନଚେତ୍ ରାକ୍ଷସ ଏହି ବିବାହ ପ୍ରସ୍ତାବରେ ରାଜି ନ ହୋଇ ଏଠୁ ଚାଲିଯାଇପାରେ । କିନ୍ତୁ ପ୍ରସ୍ତାବରେ ସମ୍ମତ ହେଲେ ମଧ୍ୟ, ମୋର ଉପାୟ ଅନୁଯାୟୀ ତୁମକୁ ଦାରିଦ୍ର୍ୟର ଏ କଷଣରୁ ସବୁଦିନ ପାଇଁ ରକ୍ଷା ମିଳିବ ।”

ମଲ୍ଲିକାର ପରାମର୍ଶ ଅନୁଯାୟୀ, ତା’ର ପିତା ନିଜ ପାଖରେ ଯେତେ ଅର୍ଥ ଥିଲା, ତାହା ଖର୍ଚ୍ଚ କରି ବହୁତ ଗୁଡିଏ ଠେକୁଆ କିଣିଲେ । ଗୋଟିଏ ସୁରେଇ ଅଙ୍ଗୁର ରସ ଆଣିଲେ । ମଲ୍ଲିକା ଆଖପାଖ ପଡୋଶୀଙ୍କ ଠାରୁ ଅନେକ ଗୁଡିଏ ସୁନ୍ଦର ସୁନ୍ଦର ହାତବୁଣା ଲୁଗା ଆଣିଲା । ତାହା ସବୁ ଖାଦ୍ୟ ପଦାର୍ଥ ନିକଟରେ ସେ ରଖିଦେଲା । ରାକ୍ଷସ ଆସିବା ବେଳକୁ ଅତି ସ୍ୱାଦିଷ୍ଟ ଠେକୁଆ ମାଂସ ତରକାରୀ ହେଲା । ରାକ୍ଷସର ଭୋଜନ ସ୍ଥଳୀରେ ଗୋଟିଏ ପାତ୍ରରେ ମାଂସ ଓ ସୁରେଇରେ କିଛି ଅଙ୍ଗୁର ରସ ମଦିରା ରଖାଗଲା ।

ରାକ୍ଷସ ଆସି ଭୋଜନ ପାଇଁ ବସି ପଡିଲା । ମାଂସ ତରକାରୀ ତା’ ପାଟିକୁ ଖୁବ୍ ଭଲ ଲାଗିଲା ।

ରାକ୍ଷସ ଖୁସି ହୋଇ କହିଲା “ବାଃ, ମୋ ପାଇଁ ବହୁତ ପଇସା ଖର୍ଚ୍ଚ କରି ଏତେ ବଢିଆ ତରକାରୀ ବନେଇଛ । ମୁଁ ଭୋଜନପ୍ରିୟ ଅଟେ ।”

ମଲ୍ଲିକା କହିଲା “ଏଥିରେ ପ୍ରଶଂସା କରିବାର କ’ଣ ଅଛି । ଘରେ ମୂଷା ଥିବାଯାଏଁ ଆମର କିଛି ବି ଚିନ୍ତା ନାହିଁ । ମୂଷା ସଂଖ୍ୟା କମିଗଲେ ଅଟାର ରୋଟି ଖାଇବାକୁ ପଡିବ ।”

ଏକଥା ଶୁଣି ସେ ରାକ୍ଷସ ମଲ୍ଲିକାକୁ ପ୍ରଶଂସା କରି କହିଲା “ମୂଷା ମାଂସରୁ ବି ପୁଣି ଏତେ ସୁନ୍ଦର ତରକାରୀ ହୋଇପାରୁଛି? ମୁଁ ଆଜିଯାଏଁ ଯେତେଜଣଙ୍କୁ ବିବାହ କରିଥିଲି, ତନ୍ମଧ୍ୟରୁ କେହିବି ମୋତେ ମୂଷା ମାଂସ ତରକାରୀ ଖାଇବାକୁ ଦେଇ ନାହାଁନ୍ତି ।” ନିକଟରେ ଏତେ ହାତବୁଣା ସୁନ୍ଦର ଲୁଗାପଟା ପଡି ଥିବାର ଦେଖି ରାକ୍ଷସ କହିଲା, “ମନେ ହେଉଛି, ତୁମକୁ ବୁଣାବୁଣି ମଧ୍ୟ ବେଶ୍ ଭଲ ଭାବରେ ଜଣାଅଛି ।”

ମଲ୍ଲିକା ଲୁଗାଗୁଡିକୁ ଭଲ ଭାବରେ ଫିଟାଇ ତାର କାରୁକାର୍ଯ୍ୟ ସେ ରାକ୍ଷସକୁ ଦେଖାଇ କହିଲା, “ଗତ ମାସରେ ଏହାର କାମ ମୁଁ ଆରମ୍ଭ କରିଥିଲି । ମାତ୍ର ଏବେ ଏହା ସରିଗଲାଣି ।” ଏସବୁ ଦେଖି ସେ ରାକ୍ଷସ ମନରେ ତା’ପ୍ରତି ଉତ୍ପନ୍ନ ହୋଇଥିବା ଶ୍ରଦ୍ଧାଭାବ ଦ୍ୱିଗୁଣିତ ହୋଇଗଲା । ଖାଇ ସାରିବା ପରେ ସେ ସୁରେଇର ସବୁଯାକ ମଦିରା ପାନ କରିଦେଲା । ଶେଷରେ ସେ କହିଲା, “ବାଃ ଏହା ଅତି ବଢିଆ ମଦ । ଏଥିପାଇଁ ମଧ୍ୟ ବହୁତ ପଇସା ଖର୍ଚ୍ଚ କରିଥିବ ।”

କୃଷକଟି କହିଲା “ଆଦୌ ନୁହେଁ । ପଚାସଢା ଫଳରୁ ରସ ବାହାର କରି ଏହି ମଦିରା ପ୍ରସ୍ତୁତ ହୋଇଛି । ଏହି ଫଳ ତ ଆଉ ଅନ୍ୟ କିଛି କାମରେ ଲାଗି ପାରିବ ନାହିଁ । ତେଣୁ ମୋର ଝିଅ ମଲ୍ଲିକା ସେଥିରୁ ଏକ ପ୍ରକାର ମଦିରା ତିଆରି କରେ ।”

ରାକ୍ଷସ କୃଷକକୁ ପଚାରିଲା “ମୁଁ ତ କାହିଁ ଆଗରୁ ଜାଣି ନ ଥିଲି ଯେ ପଚାସଢା ଫଳରୁ ବି ଏତେ ଭଲ ମଦିରା ତିଆରି ହୋଇପାରେ ବୋଲି । ଆମେ ତ ତା’କୁ ସବୁ ଘୁଷୁରୀକୁ ଖାଇବାକୁ ଦେଇଥାଉ । ମଲ୍ଲିକା ମୋ ଘରକୁ ଆସିଲେ, ମୋର ବେଶ୍ ଲାଭ ହେବ । ଏବେ କୁହ ଯୌତୁକ ରୂପେ ତୁମେ କ’ଣ ଦେବ?”

କୃଷକ କହିଲା “ମଲ୍ଲିକାଠାରୁ ବଳି ଆଉ କିଛିବି ଯୌତୁକ ନାହିଁ । ସେ ତୁମର ପତ୍ନୀ ହୋଇ ମୋ ଘରୁ ଚାଲିଗଲେ, ମୋର ଯଥେଷ୍ଟ କ୍ଷତି ହେବ । ତେଣୁ ତା’କୁ ଯିଏ ବିବାହ କରିବ, ସେ ଓଲଟି ମୋତେ କ୍ଷତି ପୂରଣ ଦେବା କଥା । ତୁମେ ଜାଣ, ଆମ ଗ୍ରାମର ଜମିଦାରଙ୍କର ପତ୍ନୀଙ୍କର ଦେହାନ୍ତ ଘଟିଛି । ସେ ଆଉଥରେ ପୁଣି ବିବାହ କରିବାକୁ ଚାହୁଁଛନ୍ତି । ସେ ସମସ୍ତଙ୍କୁ କହି ବୁଲୁଛନ୍ତି, ମଲ୍ଲିକାକୁ ମୋ ସହିତ ବିବାହ କରାଇଲେ, ମୁଁ ତା’ର ପିତାଙ୍କୁ ଅର୍ଦ୍ଧେକ ଧନ ସମ୍ପତ୍ତି ଦେବି ।”

ଏକଥା ଶୁଣି ସେ ରାକ୍ଷସ ରାଗି ଉଠି କହିଲା, “ତୋର ପୁଣି ଏତେ ସାହସ? ମୋ ସହିତ ଏପରି କଥା ହେଉଛୁ? ତୋ ଝିଅକୁ ଜବରଦସ୍ତ ଉଠାଇ ନେଲେ ତୁ ମୋର କ’ଣ କରି ପାରିବୁ?”

“ତେବେ ମୋର ଯାହା ମନେ ହେଉଛି, ମଲ୍ଲିକା ସମ୍ବନ୍ଧରେ ତୁମର ସାମାନ୍ୟତମ ଧାରଣା ମଧ୍ୟ ନାହିଁ । ସେ ବହୁତ ଜିଦ୍ଖୋର୍ ଝିଅ । ସେ ଯଦି କେଉଁ କଥାରେ ରାଗିଯାଏ, ତେବେ ତାକୁ ହାଣି ଖଣ୍ଡ ଖଣ୍ଡ କରି ଦେଲେ ମଧ୍ୟ ସେ ତା’ ଜିଦ୍ରୁ ଆଦୌ ଘୁଂଚିବ ନାହିଁ । ଭଲରେ କହିଲେ, ସେ ସବୁ କାମ କରିବାକୁ ରାଜି ।” ଏହିପରି ଭାବେ କୃଷକ ତା’ ଝିଅର ଗୁଣ ବର୍ଣ୍ଣନା କଲେ ।

ରାକ୍ଷସ କହିଲା “ତେବେ ଠିକ୍ ଅଛି । ମୁଁ ତୁମକୁ ଯୌତୁକ ରୂପେ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ଦେବି ।” “ନା ଏତିକିରେ ହେବ ନାହିଁ । ତା’ର ତିନିଗୁଣ ମୁଦ୍ରା ତୁମକୁ ଦେବାକୁ ପଡିବ ।” କୃଷକଟି ଏପରି କହିବାରୁ ରାକ୍ଷସ ତାହା ଦେବାକୁ ରାଜି ହେଲା । ସେତିକି ଧନ ସେହି କୃଷକର ଦରିଦ୍ରତା ମେଂଟାଇବା ପାଇଁ ଯଥେଷ୍ଟ ଥିଲା ।

ତା’ପରଦିନ ସେ ରାକ୍ଷସ ଏକ ଥଳୀରେ ଧନ ଆଣି କୃଷକ ହାତକୁ ସେସବୁ ଦେଲା । ଏହି ସମୟରେ ମଲ୍ଲିକା ସେ ରାକ୍ଷସକୁ କହିଲା, “ବିବାହ ପୂର୍ବରୁ ମୋର ଦୁଇଟି ଇଚ୍ଛା ତୁମକୁ ଯେମିତି ହେଲେବି ପୂରଣ କରିବାକୁ ପଡିବ । ପ୍ରଥମରେ ସୁବିଧାରେ ମୋର ପରିବାର ଚଳାଇବା ପାଇଁ ତୁମେ ମୋ ପାଇଁ ଗୋଟିଏ ଘର ନିଜ ହାତରେ ତୋଳିଦେବ । ଆଉ ଅନ୍ୟ ଇଚ୍ଛାଟି ହେଲା, ଶୀତ କାଳରେ ବରଫପାତ ସମୟରେ ବୁଢା ବତକର ଯେଉଁ ପର ଝଡିବ, ସେଥିରେ ମୋ ପାଇଁ ଗୋଟିଏ କୋମଳ ଗଦି ତିଆରି କରିଦେବ । ସୁଖ ନିଦ୍ରାରେ ନ ଶୋଇଲେ ମୁଁ ଆଦୌ ପରିଶ୍ରମ କରି ପାରିବି ନାହିଁ ।”

ରାକ୍ଷସ ତାହା ଶୁଣି ମନେ ମନେ ଭାବିଲା, “ଏଇ ସବୁ ଇଚ୍ଛା ପୂରଣ କରିବା ତ ମୋପକ୍ଷେ ସେମିତି କିଛି ଅସମ୍ଭବ କାର୍ଯ୍ୟ ନୁହେଁ, ଯାହାହେଉ, ସେ ମୋତେ ହୀରା, ନୀଳା, ସୁନା ଗହଣା ଆଦିକିଛି ମାଗିନାହିଁ । ଖାଲି ମୋ ହାତ ତିଆରି ଘର ତା’ର ଦରକାର । ଭଲ ହେଲା, ମଜୁରୀ ଲଗାଇ ଘର ତିଆରି କରିଥିଲେ, ମୋର କେତେ ଅର୍ଥ ସରିଯାଇଥାନ୍ତା ।” ଏହାଭାବି ସେ ରାକ୍ଷସ ପରିଶ୍ରମ କରି ନିଜେ ଏକ ଘର ତୋଳିଦେଲା ।

ଶୀତକାଳ ଆସିଗଲା । ମଲ୍ଲିକା ଗଦି ପାଇଁ ଏକ କପଡା ଖୋଳ ତିଆରି କରି ରଖିଲା ଓ ବରଫ ପଡିବା ସମୟକୁ ଅପେକ୍ଷା କରି ରହିଲା । ବରଫପାତ ହେବା ସଙ୍ଗେ ସଙ୍ଗେ, ସେହି ଅଂଚଳର ଲୋକମାନେ କହିଲେ, “ବତକ ପର ଏବେ ଝଡିବାକୁ ଆରମ୍ଭ କରିବ ।”

ମଲ୍ଲିକା ସେହି ରାକ୍ଷସ ନିକଟକୁ ବତକ ପର ସଂଗ୍ରହ କରିବା ପାଇଁ ଖବର ପଠାଇଲା । ରାକ୍ଷସ ଆସି ପହଁଚିଲା ଓ ମଲ୍ଲିକାକୁ କହିଲା, “ଏତେ ବରଫ ପଡୁଛି? ମୁଁ କିପରି ବତକ ପର ଗୋଟାଇବି?”

ମଲ୍ଲିକା କହିଲା “ଆରେ ବୋକା, ତୁମେ ଏକ ଫାଉଡା ଆଣି ବରଫରୁ ପରତକ କାଢିଆଣ । ତା’ପରେ ତା’କୁ ମୋର ଏହି ଥଳୀରେ ଭରିଦିଅ ।”

ରାକ୍ଷସ ଫାଉଡାରେ ବରଫରୁ ବତକ ପର ଆଣି ସେ ଗଦିର ଖୋଳରେ ଭରିବାରେ ଲାଗିଲା । ସଂନ୍ଧ୍ୟା ସମୟକୁ ସେହି ଥଳୀଟି ପର ଓ ବରଫରେ ପୂର୍ଣ୍ଣ ହୋଇ ଆସିଲା । ମଲ୍ଲିକା ସେହି ବରଫର ଗଦି ବିଛାଇ ଦେଇ ରାକ୍ଷସକୁ କହିଲା, “ଆଜି ରାତିରେ ତୁମେ ଏହି ଗଦିରେ ଶୋଇ ପରୀକ୍ଷା କର, ଏହା କେତେ ଆରାମ ଦାୟକ ଅଟେ । କାଲି ଆମର ବିବାହ ହେବ ।”

ଦିନସାରା ବରଫରୁ ପର ଗୋଟାଇ ସେହି ରାକ୍ଷସ ତ ଭୀଷଣ କ୍ଳାନ୍ତ ହୋଇ ପଡିଥିଲା । ବରଫର ଗଦି ପକାଇ ଶୋଇବାକୁ ସେ ଚେଷ୍ଟା କଲା । କିନ୍ତୁ ସେହି ଗଦି ଅତ୍ୟନ୍ତ ଥଣ୍ଡା ହୋଇଥିବାରୁ ତା’କୁ ସେଠାରେ ଆଦୌ ନିଦ ଆସିଲା ନାହିଁ । ସାରା ରାତି ସେଥିରେ ସେ ଖାଲି ଛଟପଟ ହେଲା ।

ସକାଳୁ ଉଠିବା ବେଳକୁ ତା’ର ଦେହ ସାରା ଦରଜ ହୋଇ ଯାଇଥାଏ । ଏପରିକି ହଲଚଲ ହେବା ପାଇଁ ମଧ୍ୟ ତା’ର ଆଉ ବଳ ନ ଥାଏ । ମନେ ମନେ ଭାବିଲା, “ଏସବୁ ମୋ ଦ୍ୱାରା ହେବନାହିଁ ମାନୁଛି, ମଲ୍ଲିକା ଜଣେ ଭଲ ପତ୍ନୀ ହୋଇ ପାରିବ । କିନ୍ତୁ ଏପରି ଗଦିରେ ଶୋଇଲେ, କେଇ ଦିନରେ ମୋର ମୃତ୍ୟୁ ସୁନିଶ୍ଚିତ ।” ରାକ୍ଷସ ଏପରି ଚିନ୍ତାକରି ତରତରରେ ବାହାରି ନିଜ ଘରକୁ ପଳାଇ ଆସିଲା । କାରଣ ତା’କୁ ଡର ଲାଗୁଥାଏ ଯେ କାଳେ ମଲ୍ଲିକା ସେଠାରେ ଆସି ପହଁଚିଯାଇ କହିବ, “ଆସ, ଆମେ ବିବାହ କରିବା ।”

ମଲ୍ଲିକା ରାକ୍ଷସ ତା’ ଘରକୁ ପଳାଇ ଯାଇ ଥିବାର ଜାଣିବା ପରେ ତା’ର ପିତାଙ୍କୁ ସେ ରାକ୍ଷସ ନିକଟକୁ ପଠାଇଲା । କୃଷକ ରାକ୍ଷସ ନିକଟକୁ ତା’ର ଚାକର ହାତରେ ଖବର ପଠାଇଲା ଯେ କନ୍ୟା ପ୍ରସ୍ତୁତ ହୋଇ ଅପେକ୍ଷା କରିଛି । ଶୀଘ୍ର ଆସ ବିବାହ ହେବ ।

ରାକ୍ଷସ ତାର ଚାକର ହାତରେ ଖବର ଦେଲା “ମୋର ଦେହ ଭଲ ନାହିଁ । ତାକୁ କହିଦେବ ମୁଁ ଆଉ ବିବାହ କରି ପାରିବି ନାହିଁ ।”

ତା’ ଚାକର ଠାରୁ ଏପରି ଖବର ପାଇ କୃଷକ ପୁଣି ନିଜ ଲୋକକୁ ପଠାଇ କହିଲା, “ସେ ମୋର ଝିଅର ଆଶା ଭାଙ୍ଗି ଦେଇଛି । ତେଣୁ ତାକୁ ଏଥିପାଇଁ ଜୋରିମାନା ଦେବାକୁ ପଡିବ ।”

ରାକ୍ଷସ ସେହିପରି ଶଯ୍ୟାରେ ପଡି ରହି କହିଲା, “ମୁଁ ତ ଆଗରୁ ଯୌତୁକ ଦେଇ ସାରିଛି । ଏବେ ପୁଣି ଆଉ କ’ଣ ଦେବି?”

ଚାକର ଫେରିଆସି କହିଲା “ସେମାନେ କହୁଛନ୍ତି, ଆପଣ କାଲି ରାତିରେ ବତକ ପରର ଗଦିରେ ଶୋଇ ତାକୁ କୁଆଡେ ନଷ୍ଟ କରି ଦେଇଛନ୍ତି, ତେଣୁ ତାଙ୍କ ଝିଅର ଆଉ କେତେଗୁଡିଏ ବତକ ପର ଦରକାର ।”

“ବାପ୍ରେ ବାପ୍! ବତକ ପର! ଆଉ ବତକ ପର ଗୋଟାଇବାକୁ ମୁଁ ଯାଇ ପାରିବି ନାହିଁ । ଆମ ଘରେ ଯେତେ ବତକ ଅଛି, ତାକୁ ସେସବୁ ଦେଇଦିଅ । ତା’କୁ କହ ଚୁପ୍ଚାପ୍ ସେ ଏଠାରୁ ଚାଲିଯାଉ । ନହେଲେ..” ରାକ୍ଷସ ରାଗି ଉଠିପଡିବା ବେଳକୁ ତା’ର ଗୋଡହାତ ଆଉ ଚଳୁ ନ ଥାଏ । ପ୍ରଚଣ୍ଡ ଥଣ୍ଡାରେ ବରଫର ଗଦିରେ ଶୋଇବାରୁ ତାର ଶରୀରରେ ଆଉ ବଳ ନ ଥାଏ ।

ମଲ୍ଲିକାର ବାପା ରାକ୍ଷସର ସବୁ ବତକ ନେଇ ଖୁସି ମନରେ ଘରକୁ ଫେରିଗଲେ । ରାକ୍ଷସ ରୋଗ ଶଯ୍ୟାରେ ପଡି ପଡି ଶୀତକାଳ ଶେଷ ବେଳକୁ ମୃତ୍ୟୁ ବରଣ କଲା । ବୁଦ୍ଧିମତୀ ମଲ୍ଲିକା ଏକ ଯୋଗ୍ୟ ବରକୁ ବିବାହ କରି ସୁଖରେ ତା’ ଜୀବନ ବିତାଇଲା ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.