Inspirational Moral Stories Servant's argument

ଗପଟିଏ……🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻”ଚାକରର ଯୁକ୍ତି”🌻

Story in Odia
Reading Time: 3 minutes

ଗୋଟିଏ ଗ୍ରାମରେ ଧ୍ରୁବ ନାମକ ଜଣେ ବ୍ୟକ୍ତି ଥାଏ । ତା’ର ନିଜର ବୋଲି ଏ ଦୁନିଆରେ ଆଉ କେହିବି ନଥାନ୍ତି; ବିବାହ ମଧ୍ୟ ସେ କରି ନଥାଏ ସେଥିପାଇଁ ଘର ଚଳାଇବା ପାଇଁ ଚାକରଟିଏ ସେ ରଖିଥାଏ । ସେ ଘରକାମ ଓ ରନ୍ଧାବଢା ସବୁ କରେ । ତା’ର ନାମ ଭୋଳା ।

ଦିନେ ଧ୍ରୁବ ରାସ୍ତାରେ ଯାଉଛି । ଜଣେ ପରିଚିତ ବ୍ୟକ୍ତି ତାକୁ ଡାକି କହିଲେ, “ଆରେ ଧ୍ରୁବ, ବହୁଦିନ ପରେ ତତେ ମୁଁ ଦେଖୁଛି । ଏବେ ମୋ ଦୋକାନକୁ ବହୁତ ସ୍ୱାଦିଷ୍ଟ ଆମ୍ବ ସବୁ ଆସିଛି । ତୋତେ ମୁଁ ଦୁଇଟି ଦେବାକୁ ଚାହୁଁଥିଲି । ଖାଇ ଦେଖ ଭାରି ମିଠା । ତୋତେ ମୁଁ ଖୁସିରେ ଦେଉଛି ବିକୁ ନାହିଁ ।”

ଧ୍ରୁବ ତାଙ୍କୁ ଧନ୍ୟବାଦ ଦେଇ ଦୁଇଟି ଆମ୍ବ ଧରି ଖୁସିରେ ଘରକୁ ଫେରିଲା । ଚାକରକୁ କହିଲା, “ଭୋଳା, ଆମ୍ବ ଦୁଇଟି ଭଲକରି ଧୋଇ କାଟିକରି ରଖିଥା, ମୁଁ ବଜାରରୁ ଫେରିଲେ ଭାତ ସହିତ ତାକୁ ଖାଇବି ।”

ଭୋଳା ଆମ୍ବକୁ ଭଲ କରି ଧୋଇ କାଟିଲା । ଖଣ୍ଡେ ନେଇ ଚାଖିଲା, ଫେର୍ ଖଣ୍ଡେ, ଆହୁରି ଖଣ୍ଡେ – ଏମିତି ଖାଉ ଖାଉ ଅଧେରୁ ବେଶି ସେ ଖାଇଗଲା । ଏବେ ସେ କ’ଣ ବା କରେ । ଭାବିଲା ମାଲିକଙ୍କୁ କହିବ ଆମ୍ବ ହଜିଗଲା । ଏଇକଥା ମନରେ ଠିକ୍ କରି ବାକିତକ କଟା ଆମ୍ବ ସେ ଖାଇଦେଲା ଓ ଚୋପାଟାକୁଆ ସବୁ ଲୁଚାଇ ନେଇ ଦୂରରେ ଫିଙ୍ଗିଦେଇ ଆସିଲା ।

ଧ୍ରୁବ ଘରକୁ ଫେରିବା ସମୟରେ ଜଣେ ସାଧୁଙ୍କ ସହିତ ତା’ର ଦେଖା ହେଲା । କଥାବାର୍ତ୍ତା କରୁ କରୁ ସେ ବୁଝିଲା ଯେ ସାଧୁ ବହୁତ ଦୂରରୁ ଆସିଛନ୍ତି । ତା’ପରେ ସେ ବିନୟପୂର୍ବକ କହିଲା, “ମହାଶୟ, ଦୟାକରି ଆପଣ ଆଜି ମୋ ଘରେ ଆତିଥ୍ୟ ସ୍ୱୀକାର କରନ୍ତୁ, ମୁଁ ଧନ୍ୟ ହେବି ।”

ସାଧୁ ଏପରି ଅପ୍ରତ୍ୟାଶିତ ଅନୁରୋଧ ପାଇ ଖୁବ୍ ଖୁସି ହୋଇ ଧ୍ରୁବ ସହିତ ତା’ ଘରକୁ ଗଲେ । ଧ୍ରୁବ ତାଙ୍କୁ ବାହାର ଘରେ ବସାଇ ଦେଇ ଭିତରକୁ ଗଲା ଓ ଭୋଳାକୁ କହିଲା, “ଦେଖ୍ ଭୋଳା, ମୋ ସହିତ ଜଣେ ସାଧୁ ଆସିଛନ୍ତି ରୋଷେଇବାସ ତ ସରିଛି । ଆମ୍ବ ମଧ୍ୟ କଟାକଟି କରି ରଖିଥିବୁ । ଆମେ ତାହା ତାଙ୍କୁ ଖାଇବାକୁ ଦେବା ।

“ଆଜ୍ଞା, ମୁଁ କିମିତି ଆମ୍ବ କାଟିଥା’ନ୍ତି, ଏ ଛୁରୀ ତ ବିଲ୍କୁଲ୍ ପୁରୁଣା ହୋଇ ସେଥିରେ କଳଙ୍କି ଲାଗି ଗଲାଣି ।

“ଓଃ ଏଇ କଥା । ମୁଁ ଏବେ ସେଇଟା ପଥରରେ ଘଷି ପଜେଇ ଦେଉଛି ।” ଧ୍ରୁବ ଏହା କହି ସେ ତା’ ଘର ପଛପଟରେ ପଡିଥିବା ପଥରରେ ଛୁରୀଟି ଘସି ଘସି ପଜାଇବାକୁ ଲାଗିଲା ।

ଏଣେ ଭୋଳା ବାହାର ଘରକୁ ଆସି ସାଧୁଙ୍କୁ କହିଲା, “ସାଧୁଜୀ, ଆପଣ କିପରି ମୋ ମାଲିକଙ୍କ ଜାଲରେ ପଡିଲେ? ତାଙ୍କ ବିଷୟରେ ଆପଣ କିଛି ଶୁଣି ନାହାଁନ୍ତି କି?”

ସାଧୁ କହିଲେ “ଆରେ ପୁଅ, ମୁଁ ତ ଆଜି ପ୍ରଥମ କରି ତୁମ ଗ୍ରାମକୁ ଆସିଛି । ଏଠିକା ଲୋକଙ୍କ ବିଷୟରେ ମୁଁ କିପରି କ’ଣ ଜାଣିବି?”

ଭୋଳା ଟିକିଏ ତା’ ସ୍ୱର କମ୍ କରି ଧୀର ଭାବରେ ସେ ସାଧୁଙ୍କୁ କହିଲା, “ଓହୋ ଆପଣ ଜାଣନ୍ତି ନାହିଁ କି ମୋ ମାଲିକ ଶକ୍ତିପୂଜା କରନ୍ତି ବୋଲି? ତାଙ୍କ ପୂଜା ପାଇଁ ମଣିଷର କାନ ଦରକାର ହୁଏ । ଆପଣଙ୍କ ପରି ବିଦେଶୀ ସାଧୁ ଲୋକଙ୍କୁ ଦେଖିଲେ ସେ ଘରକୁ ଡାକି ଆଣି ଭଲଭାବେ ଖୁଆଇ ପିଆଇ ସେମାନଙ୍କ କାନକାଟି ଛାଡି ଦିଅନ୍ତି । ଏମିତି କେତେ କାନ ସେ କାଟି ସାରିଲେଣି । କାନ ପାତି ଶୁଣନ୍ତୁ ଘର ପଛପଟେ ସେ ଛୁରୀ ପଜାଉଛନ୍ତି ଆପଣଙ୍କ କାନକାଟିବେ ବୋଲି ।”

ସାଧୁ ଝରକା ଦେଇ ଦେଖିଲେ କଥାଟା ସତ୍ୟ । ସେ ଭୟରେ କମ୍ପି ଉଠିଲେ ଓ ଯଥାଶୀଘ୍ର ସେ ସ୍ଥାନ ଛାଡି ଚାଲିଗଲେ । ଧ୍ରୁବ ଫେରି ଆସି ଭୋଳାକୁ କହିଲା, “ଭୋଳା, ଏବେ ଛୁରୀ ପଜାଇ ଦେଲି । ଶିଘ୍ର ଆମ୍ବ କାଟି ପକା । ସାଧୁଙ୍କୁ ଭୋକ ହେଉଥିବ ।”

ଭୋଳା ହସି ହସି କହିଲା, “ବାବୁ ଆମ୍ବ କାହିଁ, ପୁଣି ସାଧୁ ବା କାହାନ୍ତି?”

ଧ୍ରୁବ ବ୍ୟସ୍ତ ହୋଇ ବାହାର ଘରକୁ ଆସି ଦେଖିଲା ପ୍ରକୃତରେ ସାଧୁ ଆଉ ସେଠାରେ ନାହାଁନ୍ତି । ପୁଣି ଭୋଳା କହିଲା, “ବାବୁ ସିଏ ବୋଧେ ଟିକିଏ ଲୋଭୀ ସାଧୁ । ଭିତର ଘରକୁ ଆସି ଆମ୍ବ ଦୁଇଟି ଝୁଲାରେ ପୁରାଇ ନେଇ ଚମ୍ପଟ ।”

ଧ୍ରୁବ କହିଲା, “ଆହା ଏତେ ଦୂରକୁ ଆସି ଅତିଥି ନ ଖାଇ ଚାଲିଗଲେ ମୋର ଅପରାଧ ନିଶ୍ଚୟ ହେବ । ବେଶି ଦୂର ସେ ଯାଇ ନଥିବେ ଯାଉଛି ମୁଁ ତାଙ୍କୁ ଡାକି ଆଣେ ।”

ହାତରେ ଯେ ଶାଣ ଦିଆ ଛୁରୀଟି ରହିଛି ସେ କଥା ଧ୍ରୁବର ଆଉ ମୋଟେ ଖିଆଲ୍ ନାହିଁ । ସେ ତରବରରେ କିଛିବାଟ ଗଲା ପରେ ସାଧୁଙ୍କୁ ଦୂରରୁ ଦେଖି ଡାକିଲା, “ସାଧୁଜୀ, ଆପଣ ଫେରି ଆସନ୍ତୁ ଖାଇକରି ଯିବେ ।”

ଧ୍ରୁବ ହାତରେ ଛୁରୀ ଦେଖି ସାଧୁ ଆହୁରି ଜୋର୍ରେ ଦୌଡିବାକୁ ଆରମ୍ଭ କଲେ । ଧ୍ରୁବ ତାଙ୍କୁ କିଛିଦୂର ଅନୁସରଣ କରି ବ୍ୟର୍ଥ ମନୋରଥ ହୋଇ ଘରକୁ ଫେରି ଆସିଲା । ଆମ୍ବ ଗଲା ସାଧୁ ବି ଗଲେ । ଏଣେ ସାଧୁ ଦେଖିଲେ ଧ୍ରୁବ ତାଙ୍କୁ ଆଉ ଅନୁସରଣ କରୁନାହିଁ, ସେ ଟିକିଏ ଥକ୍କା ମାରି ଗୋଟିଏ ଯାଗାରେ ବସି ଭାବିଲେ, “ଯାଃ ଭଗବାନ୍ଙ୍କ ଦୟାରୁ ମୁଁ ଆଜି ଏକ ବଡ ବିପଦରୁ ରକ୍ଷା ପାଇଲି ।” ଆଉ ଭୋଳା ମନେ ମନେ ଅତି ଆନନ୍ଦରେ ଖାଲି ହସୁଥାଏ । ଏବେ ପର୍ଯ୍ୟନ୍ତ ଆମ୍ବର ମିଠାସ୍ୱାଦ ତା’ ମନରେ ରହିଛି ଓ ତା’ର ବାସ୍ନା ତା’ ମୁହଁରେ ମଧ୍ୟ ରହିଛି ।

=============================
☘️🌸🌼🙏 ସମାପ୍ତ 🙏🌼🌸☘️
=============================

 

🌹 ଗପଟିଏ…🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻”ପରିବର୍ତ୍ତନ”🌻

Recommended For You

About the Author: Sonali Patnaik

Sonali Patnaik is majorly into secondary research and reports writing. She is an avid reader and reads a variety of novels, a music lover and a movie buff. She also loves to travel and fond of cooking experiments. She expresses her views on various topics and does so through her well-researched articles.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x