inspirational moral stories for adults

🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ମହା ପଣ୍ଡିତ “🌻

Maha pandit
Reading Time: 6 minutes

ସୀତାପୁରର ଜମିଦାର ମାଧବଙ୍କ ପୁଅ ବିଦ୍ୟାଧର ଜଣେ ବିଦ୍ୱାନ ଥିଲେ । ବ୍ୟବସାୟରେ ସେ ଆଦୌ ମନ ଦେଉ ନଥିଲେ । ସେ ଆହୁରି ପଢିବାକୁ ଚାହୁଁଥିଲେ, ଅଧିକ ବିଦ୍ୟାର୍ଜ୍ଜନ କରିବେ । କିନ୍ତୁ ବିଦ୍ୟା ପ୍ରତି ତାଙ୍କର ଆଗ୍ରହ ଯେତିକି ଥିଲା ବିଦ୍ୟା ଯୋଗୁଁ ସେତିକି ଗର୍ବ ବି ଥିଲା । ତେଣୁ ଅଧିକାଂଶ ଲୋକଙ୍କୁ ସେ ନିମ୍ନ ଦୃଷ୍ଟିରେ ଦେଖୁଥିଲେ ।

ବହୁତ ଥର ମାଧବ ପୁଅକୁ ବୁଝାଇବାକୁ ଚେଷ୍ଟା କଲେ କି ବିଦ୍ୟାର୍ଜ୍ଜନ ଭଲ, କିନ୍ତୁ ବିଦ୍ୟା ପାଇଁ ଗର୍ବ କରିବା ଆଦୌ ଭଲ ନୁହେଁ । ସେ କିନ୍ତୁ ତାଙ୍କ ବାପାଙ୍କ କଥାକୁ କୌଣସି ମୂଲ୍ୟ ଦେଉ ନଥିଲେ ।

ଦିନେ ମାଧବ ତାକୁ କହିଲେ, “ପୁଅ, ତୋର ଏ ଗର୍ବ ଯୋଗୁଁ ଯଦି ଗ୍ରାମଲୋକେ ଆମ ବିରୁଦ୍ଧରେ ଯିବେ, ତେବେ ସେଇଟା କ’ଣ ଭଲ ହେବ?”

ବାପାଙ୍କ କଥା ଶୁଣି ସେ ହସି ପକାଇ କହିଲେ, “ବାପା, ମୁଁ କ’ଣ ଏତେ ମୂର୍ଖ ଯେ ସେ କଥା ଜାଣିନାହିଁ? ଆମ ଗାଁର ଶ୍ରେଷ୍ଠ ଧନୀ ହେଲେ କନକ ଗୁପ୍ତ, ରତ୍ନସେନ ଓ ମୋତିରାମ । ମୋର ସେମାନଙ୍କ ସହ ଘନିଷ୍ଠ ବନ୍ଧୁତା ଅଛି । ଗାଁର ମୁଖିଆ ମହାନନ୍ଦ ଓ ପହଲମାନ ଭୀମ ମଧ୍ୟ ମୋ ସହିତ ବନ୍ଧୁତା କରିଛନ୍ତି । ତେଣୁ ଚିନ୍ତା କାହିଁକି?”

ବାପା କହିଲେ “ତୁ ଯେଉଁମାନଙ୍କ ନାମ କହିଲୁ ସେମାନେ ସମସ୍ତେ ଲୋକମାନଙ୍କୁ ହଇରାଣ କରି ଆନନ୍ଦ ପାଆନ୍ତି । ଗରୀବ ଦୁଃଖିଙ୍କର ଅଭିଶାପ ସେମାନଙ୍କ ଉପରେ ପଡେ । ତୁ ସେଇମାନଙ୍କ ସହିତ ବନ୍ଧୁତା କରି ଏତେ ଗର୍ବ କରୁଛୁ?”

ବାପାଙ୍କ କଥା ଶୁଣି ବିଦ୍ୟାଧର ଚିଡି ଉଠି କହିଲେ, “ବାପା ସେମାନେ ବଦମାସ୍ ହୁଅନ୍ତୁ ବା ମହା ଗୁଣ୍ଡା ହୁଅନ୍ତୁ, ଗାଁରେ ସେମାନଙ୍କ ସାମନାରେ ମୁଣ୍ଡ ଉଠାଇ କଥା ସୁଦ୍ଧା କହିବାକୁ କେହିବି ସାହସ କରନ୍ତି ନାହିଁ । ମୁଁ ଯଦି ସେମାନଙ୍କ ସହିତ ବନ୍ଧୁତା ନ ରଖିବି ତେବେ ସେମାନେ ଚାହିଁଲେ ମୋର ବହୁତ କ୍ଷତି କରି ପାରିବେ । ସେଥିପାଇଁ ମୁଁ ସେମାନଙ୍କ ସହିତ ବନ୍ଧୁତା କରିଛି । ସେମାନଙ୍କୁ ଖୁସି କରିବା ପାଇଁ ମୁଁ କେବଳ ଅନ୍ୟମାନଙ୍କୁ ହସି ଉଡାଏ ।”

ମାଧବ ବୁଝିଗଲେ ଯେ ବିଦ୍ୟାଧର ଯେତେ ପଢିଥିଲେ ମଧ୍ୟ ତା’ର ତା’ ନିଜ ଉପରେ ମୋଟେ ନିୟନ୍ତ୍ରଣ ନାହିଁ; ତେଣୁ ବାଜେ ଲୋକଙ୍କ ହାତରେ ପଡି ସେ ଧୀରେ ଧୀରେ ଖରାପ ହେବାକୁ ଯାଉଛି ।

ଦିନେ ମାଧବଙ୍କର ବନ୍ଧୁ ପ୍ରବୋଧ କିଛିଦିନ ତାଙ୍କ ସହିତ ରହିବାକୁ ଆସିଥା’ନ୍ତି । ଦୁଇଦିନ ମଧ୍ୟରେ ସେ ବିଦ୍ୟାଧରଙ୍କର ବିଦ୍ବତା କଥା ଢଙ୍ଗଢାଙ୍ଗ ସବୁ ବୁଝିଗଲେ । ସେ ମାଧବଙ୍କୁ କହିଲେ, “ଶୁଣ, ମୋର ବଡଝିଅ ସହିତ ବିଦ୍ୟାଧରର ବିବାହ କରାଇବା ପାଇଁ ମୋର ଭାରି ଇଚ୍ଛା । ତା’ର ସବୁ ଭଲଗୁଣ ଅଛି କିନ୍ତୁ ଅହଂକାର ସବୁ ଗୁଣକୁ ନଷ୍ଟ କରୁଛି । ତାକୁ ଥରେ ଗଙ୍ଗାନଗରର ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ପାଖକୁ ପଠାଇ ଦିଅ ସବୁ ଠିକ୍ ହୋଇଯିବ ।”

ମାଧବଙ୍କ ମନକୁ ଏହି କଥାଟା ବେଶ୍ ପାଇଲା । ତେଣୁ ସେ ତାଙ୍କ ପୁଅକୁ କହିଲେ, “ପୁଅ, ଗଙ୍ଗାନଗରର ବିଷ୍ଣୁ ଶର୍ମା ଜଣେ ସୁନାମଧନ୍ୟ ବିଦ୍ୱାନ ଓ ପଣ୍ଡିତ । ତୁ ଥରେ ଯଦି ତାଙ୍କୁ ହରାଇ ପାରିବୁ ତେବେ ତୋର ନାମ ସବୁଦିନ ଲାଗି ଇତିହାସରେ ରହିଯିବ ।”

ବିଦ୍ୟାଧର ତ ଏପରି ଏକ ସୁଯୋଗ ଖୋଜୁଥିଲେ; ଯଦ୍ୱାରା ତାଙ୍କ ଅହଂକାର ତୁଷ୍ଟ ହେବ । ତେଣୁ ସେ ପିତାଙ୍କ କଥାକୁ ଖୁସିରେ ଗ୍ରହଣ କଲେ ଓ ଗଙ୍ଗାନଗର ଚାଲିଗଲେ ।

ସେଠାରେ ପହଁଚି ସେ ଯେପରି ଶତ୍ରୁତା ସହ କଥା ଆରମ୍ଭ କଲେ ବିଷ୍ଣୁ ଶର୍ମା ସେପରି ନୁହଁନ୍ତି । ସେ ସବୁକଥା ବଡ ସ୍ନେହରେ କହୁଥା’ନ୍ତି । ଶେଷକୁ କହିଲେ, “ବାଃ ତୁମ ଚେହେରା ଏତେ ସୁନ୍ଦର ଓ ଚାହାଣୀ ବୁଦ୍ଧିମାନ ବ୍ୟକ୍ତି ପରି । ଦେଖିଲେ ଜଣାଯାଏ ତୁମେ ଜଣେ ବଡ ବିଦ୍ୱାନ । କୁହ ତୁମେ ସବୁ କି ପ୍ରକାର ବିଷୟ ଓ କି କି ପୁସ୍ତକ ସବୁ ପଢିଛ? ତାହେଲେ ମୁଁ ମଧ୍ୟ ତୁମ ସଂସ୍ପର୍ଶରେ ଆସି ଲାଭବାନ୍ ହେବି ।”

ବିଦ୍ୟାଧର କେତୋଟି ଗ୍ରନ୍ଥର ନାମ କହିଲେ । ପଣ୍ଡିତ ବିନୟ ସହକାରେ କହିଲେ, “ଆରେ ଏତେ ବହି ପଢିଛ? ତେବେ ତ ତୁମକୁ ବିଦ୍ୟାବୁଦ୍ଧିରେ କେହିବି ପରାସ୍ତ କରିପାରିବେ ନାହିଁ । ମୁଁ ନିଜେ ମଧ୍ୟ ନୁହେଁ । ମୁଁ ଏହା ମାନୁଛି ଯେ ତୁମେ ମହାନ୍ । ତୁମେ ଏଠାରେ କିଛିଦିନ ରୁହ । ମୁଁ ତୁମଠାରୁ କିଛି ଶିଖି ପାରିବି ।”

ବିଦ୍ୟାଧର କହିଲେ “ନା, ମୁଁ ଆପଣଙ୍କ କଥାରେ ସହମତ ନୁହେଁ । କୌଣସି ପ୍ରତିଯୋଗିତା ବା ଆଳାପ ଆଲୋଚନା ବିନା ଏପରି ଜିତିବାରେ କୌଣସି ଆନନ୍ଦ ନାହିଁ । ବରଂ ଆପଣଙ୍କ ସହ ପ୍ରତିଯୋଗିତା କରି ହାରିଗଲେ ଆନନ୍ଦ ଅଛି । ତେଣୁ ଆମେ ଦୁହେଁ ଏକାଠି ବସି ଶାସ୍ତ୍ର ଆଲୋଚନା କରିବା ।”

ବିଷ୍ଣୁ ଶର୍ମା କହିଲେ “ଠିକ୍ ଅଛି । ତୁମର ଯାହା ଇଚ୍ଛା । ତୁମେ ମୋ ଘରେ ଚାରିଦିନ ରୁହ । ପଂଚମ ଦିନ ଆମେ ସହରକୁ ଯିବା । ସେଠାରେ ଜମିଦାରଙ୍କ ଘରେ ପଣ୍ଡିତମାନଙ୍କର ପ୍ରତିଯୋଗିତା ହେବ । ସେମାନେ ସେଠାକୁ ମୋତେ ନିମନ୍ତ୍ରଣ କରିଛନ୍ତି । ତୁମେ ମଧ୍ୟ ମୋ ସହିତ ଯିବ ଓ ପ୍ରତିଯୋଗିତାରେ ଭାଗ ନେବ । ତଦ୍ୱାରା ତୁମର ବିଦ୍ୟାର ପିପାସା ମଧ୍ୟ ଶାନ୍ତ ହୋଇଯିବ ।”

ବିଷ୍ଣୁ ଶର୍ମାଙ୍କଠାରୁ ଉଚିତ୍ ଉତ୍ତର ପାଇ ସେ ଖୁବ୍ ଖୁସି ହୋଇଗଲେ । ସେ ଭାବିଲେ “ଏହା ତ ଏକ ସୁବର୍ଣ୍ଣ ସୁଯୋଗ ।” “ବିଷ୍ଣୁ ଶର୍ମାଙ୍କୁ ତ ହରାଇବି, ଅନ୍ୟମାନଙ୍କୁ ମଧ୍ୟ ହରାଇ ଦେବି ।”

ବିଦ୍ୟାଧର ବିଷ୍ଣୁ ଶର୍ମାଙ୍କ ଘରେ ଚାରିଦିନ ରହିଲେ, ବିଷ୍ଣୁ ଶର୍ମାଙ୍କ ପତ୍ନୀ ତାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଦେଖାଇଲେ । ପଣ୍ଡିତଙ୍କର ଦୁଇପୁଅ ତାଙ୍କର ବହୁତ ସେବା କଲେ । ପ୍ରତିଦିନ ସେ ଦୁହେଁ ସାହିତ୍ୟ ଉପରେ ଚର୍ଚ୍ଚା କରୁଥା’ନ୍ତି ।

ଏବେ ବିଦ୍ୟାଧର ଧୀରେ ଧୀରେ ବୁଝିବାକୁ ଲାଗିଲେ ଯେ ବିଷ୍ଣୁ ଶର୍ମା ବିଦ୍ୟାଧରଙ୍କର କୌଣସି ଯୁକ୍ତି ଖଣ୍ଡନ କରୁନାହାଁନ୍ତି ।ସେଥିରେ ତା’ର ଗର୍ବ ଆହୁରି ବଢିଗଲା । ସେ ଭାବିଲେ ପଣ୍ଡିତଙ୍କର ଯଥେଷ୍ଟ ଜ୍ଞାନ ନାହିଁ ବୋଲି ଜ୍ଞାନଚର୍ଚ୍ଚା କରିବାକୁ ବୋଧହୁଏ ସେ ସଦାବେଳେ ପଛଉଛନ୍ତି ।

କିନ୍ତୁ ପଣ୍ଡିତଙ୍କର ଗୋଟାଏ କଥା ସେ ଆଦୌ ବୁଝିପାରିଲେ ନାହିଁ । ଦିନେ ବିଷ୍ଣୁ ଶର୍ମାଙ୍କ ପାଖକୁ ଜଣେ ଚାଷୀ ଆସିଲା । ହାତରେ ଅନେକ ପରିବା, ଫଳ ନେଇ ସେ ଆସିଥାଏ । ସେସବୁ ପଣ୍ଡିତଙ୍କୁ ଦେଇ ସେ କହିଲା, “ଏଗୁଡିକ ଆପଣ ଭୋଜନ କଲେ ମୁଁ ଧନ୍ୟ ହେବି ।”

ଚାଷୀଟିର ଏଭଳି କଥା ଶୁଣି ପଣ୍ଡିତ ହସି ପକାଇ କହିଲେ, “ବିଦ୍ୟାରେ ପେଟ ପୁରେନାହିଁ । ତୁମପରି ଖାଦ୍ୟ ପାଇଁ ଫସଲ କରିବା ଲୋକଙ୍କ ଯୋଗୁଁ ମଣିଷର ଜୀବନ ରହୁଛି । ତୁମେ ମହାନ୍ । ସମସ୍ତ ପ୍ରାଣୀଙ୍କର ସୃଜନକର୍ତ୍ତା ହେଲେ ଈଶ୍ୱର । ଅନ୍ନଦାତା ସୁଖୀ ଭବ ।” ଏହିପରି ପ୍ରଶଂସା କରି କରି ତାକୁ ସେ ସେଠାରୁ ବିଦାୟ ଦେଲେ ।

ପଣ୍ଡିତଙ୍କ ପାଖକୁ ଆହୁରି କେତେକ ଲୋକ ଆସିଲେ । ଦେଖିଲେ ମନେହୁଏ ସେମାନେ ମଧ୍ୟ ଗାଉଁଲି ଲୋକ । ସେମାନଙ୍କୁ ବହୁତ ସମ୍ମାନ ଦେଖାଇ ବିଦାୟ ଦେଲେ । ହେଲେ ଏସବୁ ବିଦ୍ୟାଧରକୁ ମୋଟେ ଭଲ ଲାଗୁ ନଥାଏ ।

ଏହିପରି ଭାବେ ଚାରିଦିନ ବିତିଗଲା ଓ ସହର ଯିବା ପାଇଁ ସମୟ ଆସିଗଲା । ଦୁହିଁଙ୍କର ଦୁଇଟି ଗଣ୍ଠିଲି ବନ୍ଧା ହେଲା । ଏବେ ନଦୀକୂଳ ପର୍ଯ୍ୟନ୍ତ ପହଁଚିଲେ ପାରିହେବା କଥା । ଯେଉଁ ଶ୍ରମିକଟି ଏସବୁରେ ସାହାଯ୍ୟ କରେ ତା’ର ଦେହ ଖରାପ ଥାଏ ବୋଲି ସେ ଅନ୍ୟ ଜଣକୁ ପଠାଇ ଦେଇଥାଏ । ଏହି ନୂଆ ଶ୍ରମିକଟି ଟିକିଏ ଚିଡିଚିଡା ସ୍ୱଭାବର । ଦୁଇଟି ଗଣ୍ଠିଲି ଦେଖି ସେ ଆଗ କୁନ୍ଥେଇଲା । ଶେଷକୁ ଚିଡିମିଡି ହୋଇ ସେ ଗଣ୍ଠିଲି ଦୁଇଟି ଧରି ଚାଲିଲା । ଚାଲି ଅତି ମନ୍ଥର । ପଣ୍ଡିତ ଭାବିଲେ ଯଦି ଥରେ ନାବ ସେ କୂଳକୁ ଯାଏ ତେବେ ଫେରିବାକୁ ଡେରି ହେବ । ତେଣୁ ସେ ଶ୍ରମିକକୁ ଟିକିଏ ଜୋର୍ରେ ଚାଲିବାକୁ କହିଲେ । ତା’ର ସ୍ୱଭାବ ତ ଚିଡିଚିଡା ଥିଲା । ଏକଥା ଶୁଣି ସେ ରାଗିଯାଇ କହିଲା, “ଦେଖିପାରୁ ନା କି ଖରା କେତେ ଟାଣ ହୋଇଛି? ଥରେ ଯଦି ନିଜେ ଗଣ୍ଠିଲି ଧରି ଚାଲନ୍ତ ତେବେ ଜାଣନ୍ତ କେତେ କଷ୍ଟ ।”

ବିଦ୍ୟାଧର କହିଲେ “କଥା ତ କହୁଛୁ ଯେପରି ପଇସା ନ ନେଇ କାମ କରୁଛୁ? ବୋଝଟା ଓଜନ ହୋଇଛି ବୋଲି ଏତେ କଥା କହୁଛୁ? ଦୁଇପଇସାର ମଣିଷ ହୋଇ କଥା କହୁଛି ଦଶହଜାରୀ ।”

ପଣ୍ଡିତେ ଦେଖିଲେ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ତେଣୁ ସେ ତାକୁ ଶାନ୍ତ କରିବାକୁ ଯାଇ କହିଲେ, “ଭାଇ, ଏ କାମ ତ ନିଶ୍ଚୟ କଷ୍ଟ । ତେବେ ଡଙ୍ଗା କାଳେ ଚାଲିଯିବ ବୋଲି ମୋର ଭୟ । ତା’ପରେ ତୁମର ଓ ଆମର ପରିଶ୍ରମ ସବୁ ବୃଥା ହୋଇଯିବ । ଯଦି ଆମ କଥା ତୁମକୁ ଖରାପ ଲାଗୁଛି ତେବେ କ୍ଷମା କରିଦିଅ ଆଉ ତୁମେ ତୁମ ସୁବିଧା ଅନୁସାରେ ଚାଲ ଯେପରି ତୁମକୁ ଭଲ ଲାଗୁଛି । ଯଦି ଭାଗ୍ୟରେ ଥାଏ ତ ଡଙ୍ଗା ମିଳିବ ।”

ଏକଥା ଶୁଣି ସେହି ଶ୍ରମିକଟି ବେଶ୍ ଜୋର୍ରେ ଚାଲିବାକୁ ଲାଗିଲା । ନାବିକଟି ପଣ୍ଡିତଙ୍କୁ ଦେଖି ହାତଯୋଡି କହିଲା, “ମୁଁ କାଲିଠାରୁ ଖବର ପାଇଥିଲି କି ଆଜି ଆପଣ ଆସୁଛନ୍ତି । ତେଣୁ ମୁଁ ଡଙ୍ଗାକୁ ବନ୍ଦ କରି ରଖିଛି । ଆପଣ ଆସିଲେ ଡଙ୍ଗା ଛାଡିବ । ଠିକ୍ ଯେପରି ଶ୍ରୀରାମଙ୍କ ପାଇଁ କେଉଟ ପ୍ରତୀକ୍ଷା କରିଥିଲା ।”

“ଏଡେବଡ କଥାଟି କହି ମୋତେ ଆଉ ଅଧିକ ଲଜ୍ଜିତ କରନାହିଁ । ମୋ ବିଦ୍ୟା ତୁମ ବିଦ୍ୟା ଆଗରେ କିଛିବି ନୁହେଁ ।” ତା’ପରେ ସେ ନାବିକକୁ ବହୁତ ପ୍ରଶଂସା କଲେ ।

ପଣ୍ଡିତଙ୍କର ସେ ନାବିକକୁ ଏଭଳି ପ୍ରଶଂସା କରିବାଟା ବିଦ୍ୟାଧରଙ୍କର ଆଦୌ ପସନ୍ଦ ହେଲାନାହିଁ । ଡଙ୍ଗାରେ ବସିବା ପରେ ପଣ୍ଡିତ ଅନ୍ୟ ଲୋକମାନଙ୍କ ଆଗରେ ବିଦ୍ୟାଧରଙ୍କର ପ୍ରଶଂସା କରି କହିଲେ, “ଏହି ଯୁବକଟି ଜଣେ ବଡ ପଣ୍ଡିତ । ମୋଠାରୁ ମଧ୍ୟ ବଡ ।”

ଡଙ୍ଗା ଯାଇ କିଛି ସମୟ ପରେ ସହରରେ ପହଁଚିଲା ଜମିଦାରଙ୍କ ଦେବାନ୍ କେତେ ଆଗରୁ ପଣ୍ଡିତଙ୍କୁ ପାଛୋଟି ନେବା ପାଇଁ ଘାଟରେ ଆସି ବସିଥା’ନ୍ତି ।ଡଙ୍ଗା ଘାଟରେ ଲାଗୁ ଲାଗୁ ସେ ଦୌଡି ଆସି କହିଲେ, “ପଣ୍ଡିତ ମହାଶୟ, ଜମିଦାର ନିଜେ ଆପଣଙ୍କୁ ସ୍ୱାଗତ କରିବାକୁ ଘାଟକୁ ଆସିଥାନ୍ତେ; କିନ୍ତୁ ହଠାତ୍ କିଛି କାମ ପଡିଯିବାରୁ ସେ ଆଉ ଆସିପାରିଲେ ନାହିଁ । ଆପଣଙ୍କର ସବୁକିଛି ବୁଝିବା ପାଇଁ ସେ ମୋ ଉପରେ ଦାୟିତ୍ୱ ଦେଇଛନ୍ତି । ଆପଣଙ୍କୁ ପ୍ରଣାମ କରିଛନ୍ତି ଓ ଆପଣଙ୍କ ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି ।” ଦେବାନଙ୍କ କଥା ଶୁଣି ପଣ୍ଡିତ ହସିଦେଲେ ଓ କହିଲେ, “ଦେଖନ୍ତୁ, ଦେବାନବାବୁ, ମୋ ସ୍ଥାନରେ ଯଦି ରାଜାବି ଏଠାକୁ ଆସିଥା’ନ୍ତେ ତ ଜମିଦାରବାବୁ ସବୁକାମ ଛାଡି ତାଙ୍କୁ ସ୍ୱାଗତ କରିବାକୁ ଆସିଥାନ୍ତେ । ଏସବୁ କଥା କାହିଁକି କହୁଛନ୍ତି ଦେବାନ୍ବାବୁ? ପଣ୍ଡିତ ଓ ବିଦ୍ୱାନ୍ଙ୍କୁ ଆଦର କରିବା ବା ଗୁଣକୁ ଆଦର କରିବା ରାଜା ବିକ୍ରମଙ୍କ ଶାସନବେଳେ ହୁଏତ ଥିଲା । ଏବେ ସେସବୁ ସ୍ୱପ୍ନ । ବାଘଛାଲ ଘୋଡି ହୋଇ ପଡିଲେ କ’ଣ ଘୁସୁରୀ କେବେବି ବାଘ ହୋଇଯିବ କି? ମୁଁ ଜାଣେ ଜମିଦାର ଅତର ବୋଳି ହୋଇ ଘରେ ବସିଥିବେ । ଆଉ ମୋ ପରି ଜଣେ ଗରୀବ ବ୍ରାହ୍ମଣକୁ ସ୍ୱାଗତ କରିବାକୁ କାହିଁ ଏଠାକୁ ଆସନ୍ତେ? କିନ୍ତୁ ଆପଣ ଏକଥା ମଧ୍ୟ ତାଙ୍କୁ କହିଦେବେ ଯେ ମୋର ଆଶୀର୍ବାଦ ସେ ଯଦି ଲୋଡନ୍ତି ତେବେ ସେ ମୋ ପାଖକୁ ଆସିବେ ।”

ପଣ୍ଡିତଙ୍କ କଥା ଶୁଣି ଦେବାନ୍ଙ୍କ ମୁହଁ ବିକଳ ହୋଇଗଲା, ବିଦ୍ୟାଧର ସବୁ ଶୁଣିବା ପରେ ପଣ୍ଡିତଙ୍କ ଏଭଳି ସାହସ ଦେଖି ଚମକି ପଡିଲେ । ସେ ତ ତାଙ୍କ ସ୍ୱପ୍ନରେ ସୁଦ୍ଧା ଏହା ଭାବି ନଥିଲେ କି ବିଷ୍ଣୁ ଶର୍ମାଙ୍କର ଅହଂର କିଛି ମାତ୍ରା ଅଛି । ଏସବୁ ଦେଖି ସେ ବ୍ୟସ୍ତ ହୋଇ ପଡିଲେ କାଳେ ଜମିଦାର ରାଗ ରଖି କ’ଣ କିଛି କରିଦେବେ । ଦେବାନ୍ ସବୁକଥା ନୀରବରେ ଶୁଣିଲେ; ପୁଣି ଏମାନଙ୍କର ରହିବା ବ୍ୟବସ୍ଥା କରିଦେଇ ଖବର ଦେବାକୁ ଜମିଦାରଙ୍କ ପାଖକୁ ପଳାଇଲେ । କିଛି ସମୟ ପରେ ନିଜେ ଜମିଦାର ଆସିଲେ ଓ ପଣ୍ଡିତଙ୍କ ପାଖରେ କ୍ଷମା ମାଗିଲେ ।

ବିଷ୍ଣୁ ଶର୍ମା ଚୁପ୍ ରହିଲେ । ଖାଲି ମୁଣ୍ଡ ହଲାଇ ଉତ୍ତର ଦେଲେ । ଜମିଦାର ଯିବା ପରେ ବିଦ୍ୟାଧର ଆଶ୍ଚର୍ଯ୍ୟ ହୋଇ ପଣ୍ଡିତଙ୍କୁ କହିଲେ, “ଯେଉଁ ସାଧାରଣ ଲୋକ ଆପଣଙ୍କର ପ୍ରଶଂସା କଲା, ଆପଣ ମଧ୍ୟ ସେମାନଙ୍କୁ ପ୍ରଶଂସା କଲେ । ଜଣେ ଶ୍ରମିକ ଆପଣଙ୍କ ସହିତ ବାଜେ ବ୍ୟବହାର କଲା; ଆପଣ ସେଥିରେ ନ ରାଗି ତାକୁ ଓଲଟା କ୍ଷମା ମାଗି ପକାଇଲେ । ତେବେ ଜମିଦାରଙ୍କ ପ୍ରତି ଆପଣଙ୍କ ବ୍ୟବହାର ଏପରି କାହିଁକି ହେଲା? ଏଠାରେ ଯେଉଁ ପ୍ରତିଯୋଗିତା ହେବ ସେଥିରେ ତ ଆପଣ ହାରିଯିବେ, ବୋଧହୁଏ ସେଥିପାଇଁ ଆପଣ ଏପରି ବ୍ୟବହାର କଲେ ।”

ଏକଥା ଶୁଣି ପଣ୍ଡିତ ଟିକିଏ ମୁଣ୍ଡ ହଲାଇ କହିଲେ, “ଯିଏ ପ୍ରକୃତ ପଣ୍ଡିତ, ସିଏ ନିଜଠାରୁ ଦୁର୍ବଳ ଲୋକକୁ ସମ୍ମାନ କରିବା ଉଚିତ୍ । କିନ୍ତୁ ଯିଏ ବଡ ତା’ରି ଆଗରେ ଅହଂକାର ଦେଖାଇଲେ କିଛିବି କ୍ଷତି ନାହିଁ । ତଦ୍ୱାରା ସେମାନେ ତୁମ କଥା ଶୁଣିବେ ।”

ବିଦ୍ୟାଧର କହିଲେ “ମୁଁ ଏକଥା ସ୍ପଷ୍ଟ ବୁଝିପାରିଲି ନାହିଁ । ଭଲକରି ବୁଝାନ୍ତୁ ।”

ପଣ୍ଡିତ ପ୍ରଶ୍ନ କଲେ “ନିଜର ବିଦ୍ବତା ଯୋଗୁଁ ଯଦି କୌଣସି ପଣ୍ଡିତକୁ ଆୟତରେ ରଖିପାର ତେବେ ଜାଣିବ ସେ ଜଣେ ମହାନ୍ ପଣ୍ଡିତ । ଏହି ପ୍ରତିଯୋଗିତାରେ ମୁଁ ବିନୟ ଦ୍ୱାରା ନୁହେଁ ବିଦ୍ବତାର ଶକ୍ତି ଯୋଗୁଁ ଜିତିବାକୁ ଚାହେଁ । ଜମିଦାରଙ୍କ ପ୍ରତି ମୁଁ ଯଦି ବିନୟ ଭାବ ଦେଖାଏ ଓ ପ୍ରତିଯୋଗିତାରେ ଜିତିଯାଏ ତେବେ ମୋର ସନ୍ତୋଷ ହେବନାହିଁ, କ’ଣ କହୁଛ?”

ପଣ୍ଡିତଙ୍କ କଥା ଶୁଣି ବିଦ୍ୟାଧରଙ୍କର ପ୍ରଥମ କଥା ମନେ ପଡିଲା ଓ ସେ ନିଜେ ଲଜ୍ଜିତ ହେଲେ । ସେତେବେଳେ ସେ ବୁଝିଲେ ଦୁର୍ବଳ, ମୂର୍ଖ ବା ଅପାଠୁଆ ଲୋକଙ୍କ ପ୍ରତି ସମ୍ମାନ ଦେବ, ବିନୟୀ ହେବ; କିନ୍ତୁ ପ୍ରତିଯୋଗୀତାରେ ବିଦ୍ୱାନ ଲୋକଙ୍କ ସହିତ ସାମ୍ନା କରିବ । ।ବିଷ୍ଣୁଶର୍ମା ବିଦ୍ୟାଧରଙ୍କୁ ବହୁତ ସମ୍ମାନ କରିଛନ୍ତି । ଏହାର ଅର୍ଥ ସେ ତାଙ୍କୁ ସଦାବେଳେ ଛୋଟ ଜ୍ଞାନ କରିଛନ୍ତି ।

ଏବେ ବିଦ୍ୟାଧରଙ୍କର ପ୍ରତିଯୋଗିତାରେ ଭାଗ ନେବାକୁ ଆଉ ସାହସ ନଥିଲା । ସେ ଚୁପ୍ଚାପ୍ ବିଷ୍ଣୁଶର୍ମାଙ୍କଠାରୁ ଅନୁମତି ନେଇ ନିଜ ଘରକୁ ଫେରିଗଲେ । ଏବେ ତାଙ୍କର ବ୍ୟବହାର ଓ ଚାଳିଚଳଣ ସମ୍ପୂର୍ଣ୍ଣ ଭିନ୍ନ ।

ଏଣିକି ଧୀରେ ଧୀରେ ତାଙ୍କର ଖ୍ୟାତି ବଢି ଚାଲିଲା । ତାଙ୍କୁ ସମସ୍ତେ ମହା ପଣ୍ଡିତ ବୋଲି କହିଲେ । ତା’ପରେ ଥରେ ଜମିଦାର ତାଙ୍କୁ ମଧ୍ୟ ପ୍ରତିଯୋଗୀତାରେ ଭାଗ ନେବାକୁ ନିମନ୍ତ୍ରଣ କଲେ ।

 

🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଅପୂର୍ବଙ୍କ ପରାକ୍ରମ “🌻

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x