ଗପଟିଏ🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻”ଷଡ଼ଯନ୍ତ୍ରର ସୁଫଳ”🌻

Shadayantra image
Reading Time: 4 minutes

ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ ।

ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ ଧରି ଏକ ଗୁପ୍ତଦ୍ୱାର ବାଟ ଦେଇ ଦୁର୍ଗ ମଧ୍ୟରେ ଥିବା ଶତ୍ରୁମାନଙ୍କ କବଳରୁ ମୁକ୍ତ ହୋଇ ପଳାୟନ କଲେ ।

ବାଟରେ ବଣ ରାସ୍ତାରେ ଯାଉ ଯାଉ ଅନେକ ଦୂର ପରେ ହଠାତ୍ ସୁଲତାନ୍ କୌଣସି ଶବ୍ଦ ଶୁଣି ପାରିଲେ । କାନପାରି ଜାଣିଲେ ଅଦୂରରେ ଅନେକ ଲୋକ ଘୋଡାରେ ବସି ଆସୁଛନ୍ତି । ଶତ୍ରୁଦଳର ଲୋକ ଆସୁଛନ୍ତି ଭାବି ସେ ତରବରରେ ଶିଶୁପୁତ୍ରକୁ ରାସ୍ତାକଡର ଗୋଟିଏ ଗଛମୂଳେ ଶୁଆଇ ଦେଇ ପାଖ ପାହାଡ ଖୋଲରେ ଯାଇ ଲୁଚି ରହିଲେ । ରାଣୀ ପୁଅ ପାଇଁ ଦୁଃଖ କରିବାରୁ ସୁଲତାନ୍ କହିଲେ, “ଦେଖ ଆମ ପାଖରେ ଛୁଆ ଥିଲେ ତା’ର କାନ୍ଦ ଶତୃଦଳକୁ ବା ଡାକୁଦଳକୁ ଆକର୍ଷଣ କରିବ । କିନ୍ତୁ ଛୋଟ ପିଲାଟାକୁ ଦେଖି କେହି ହୁଏ ତ ତାକୁ ମାରିବେ ନାହିଁ ।”

କିଛି ସମୟ ପରେ ଘୋଡାସବାର ଦଳ ଆସିଲେ । ସେମାନେ ସୈନିକ ନଥିଲେ, ବରଂ ଏକ କୁଖ୍ୟାତ ଡାକୁଦଳ ଥିଲେ । ଦଳର ମୁଖ୍ୟ ଏଇ ଛୋଟ ଶିଶୁଟିକୁ ନିର୍ଜନ ଜଙ୍ଗଲ ପ୍ରଦେଶରେ ଦେଖି ଖୁବ୍ ଖୁସି ହୋଇଗଲା । ତା’ପରେ ଛୁଆଟିକୁ ଉଠାଇ ନେଇ ସେମାନେ ତାଙ୍କ ରାସ୍ତାରେ ଚାଲିଗଲେ ।

ଛୁଆକୁ ହରାଇ ବେଗମ୍ କାନ୍ଦିବାରେ ଲାଗିଲେ । ସୁଲତାନ୍ ବେଗମଙ୍କୁ ବୁଝାଇବାକୁ ଯାଇ କହିଲେ, “କାହିଁକି ଆଉ କାନ୍ଦୁଛ?” କେହି କାହା ଜୀବନର ମାଲିକ ନୁହେଁ । ଆମର ଏବେ ଯେଉଁପରି ଅବସ୍ଥା ହୋଇଛି ଆମେ ଯେ କେତେଦିନ ବଂଚିବା ବା ରାସ୍ତାରେ ମରିବା କିଛି ଜଣାନାହିଁ । ଯଦି ସେମାନେ ଛୁଆକୁ ନେଇଗଲେ ଅନ୍ତତଃ ସେ ତ ବଂଚିବାର କିଛି ସମ୍ଭାବନା ଅଛି । ଆସ ଆମେ ଦୁହେଁ ଆଲ୍ଲାଙ୍କୁ ପ୍ରାର୍ଥନା କରିବା, ଯେପରି ଆମ ପୁଅର ଦୀର୍ଘଜୀବନ ହେଉ ଓ ପରେ ଆମ ସହିତ ସେ ମିଳିତ ହେଉ ।

ଦୁହେଁ ପ୍ରାର୍ଥନା କରି ସାରିବା ପରେ ଦୀର୍ଘ ପଥ ଅତିକ୍ରମ କରି ଅନେକ ଦିନ ପରେ କୌଣସି ଏକ ବନ୍ଧୁରାଜାଙ୍କ ରାଜ୍ୟରେ ଯାଇ ପହଁଚିଲେ ଓ ସେଠାରେ ସେମାନେ ଆଶ୍ରୟ ନେଲେ । ସେ ରାଜା ଖୁବ୍ ଶକ୍ତିଶାଳୀ ଥିଲେ । ସେଠାରେ ସେମାନେ ଅନେକ ବର୍ଷ ରହିବା ପରେ ସେହି ରାଜାଙ୍କର ସୈନ୍ୟସାମନ୍ତ ଧରି ଦିନେ ଶତ୍ରୁକବଳିତ ନିଜ ରାଜ୍ୟକୁ ଆକ୍ରମଣ କଲେ । ଫଳରେ ଯୁଦ୍ଧ ହେଲା । ସୁଲତାନ୍ ବିଜୟ ଲାଭ କରି ନିଜ ରାଜ୍ୟ ପୁନଃ ଫେରି ପାଇଲେ ଓ ବେଗମଙ୍କ ସହିତ ସେ ଆନନ୍ଦରେ ରହିଲେ ।

କିଛିଦିନ ଉତାରୁ ଥରେ ଏକ ବଡ ଡକାୟତ ଦଳ ଧରା ପଡିଲେ । ସେମାନଙ୍କର ଆଗରୁ ଅନେକ ଅସାମାଜିକ କାମ ସକାଶେ ବଦନାମ ଥିଲା । ଆଉ କେହିବି ତାଙ୍କୁ ଧରି ପାରୁ ନଥିଲେ । ଏବେ ସେମାନେ ଧରା ପଡିବାରୁ ସୁଲତାନ୍ ସମସ୍ତିଙ୍କୁ ମୃତ୍ୟୁ ଦଣ୍ଡର ଆଦେଶ ଦେଲେ ।

ପରଦିନ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ରାଜା ସବୁ ବନ୍ଦୀମାନଙ୍କୁ ଦେଖିବାକୁ ଗଲେ । ସେଠାରେ ଜଣେ ଯୁବକ ଡାକୁର ଚେହେରା ଓ ବ୍ୟବହାରରେ ଅତ୍ୟନ୍ତ ପ୍ରିତ ହୋଇ ସୁଲତାନ୍ ତାକୁ ମୃତ୍ୟୁ ଦଣ୍ଡରୁ ଅବ୍ୟାହତି ଦେଲେ ।

ପରଦିନ ସୁଲତାନ୍ ତାକୁ ନିକଟକୁ ଡାକି ପଚାରିଲେ, “ତୋର ନାମ କ’ଣ? ତୁ ତ ଡାକୁ ପରି ଦେଖା ଯାଉନାହୁଁ ।”

ଯୁବକ ଜଣକ କହିଲା “ମୁଁ ଡାକୁମାନଙ୍କ ସରଦାରଙ୍କ ପୁଅ । ମୋର ନାମ ସଲୀମ୍ ।”

ସୁଲତାନ୍ ପଚାରିଲେ “ତୁ ଏସବୁ ବାଜେ କାମ ଆଉ କେବେ ମଧ୍ୟ କରିବୁ ନାହିଁ ମୁଁ ତୋତେ ମୋ ଦରବାରରେ କାମ ଦେବି । ରାଜି ଅଛୁ ତ?”

ସଲୀମ କହିଲା “ହଜୁର୍, ମୁଁ ଖୁସିରେ ଚାକିରୀ କରିବି ଏବଂ ଜୀବନରେ ଆଉ କେବେବି ହେଲେ ଚୋରୀ ଡକାୟତି କରିବି ନାହିଁ ।”

ସେହିଦିନ ସୁଲତାନ୍ ତାକୁ ଦରବାରରେ ଚାକିରୀ ଦେଲେ । ସେ ଏତେ କୁଶଳତାର ସହିତ ଓ ବିଶ୍ୱାସର ସହିତ କାମ କଲା ଯେ ସୁଲତାନ୍ ତା’ ଉପରେ ଖୁସି ହୋଇ କିଛିଦିନ ପରେ ତାକୁ ସେ ଅଧିକା କାର୍ଯ୍ୟଭାର ଦେଲେ । ଏହିପରି କ୍ରମେ ବଢି ବଢି ଦିନେ ସେ ସୁଲତାନ୍ଙ୍କର କୋଷାଧ୍ୟକ୍ଷ ହେଲା । ଅବସ୍ଥା ଏପରି ଥିଲା ଯେ ସଲୀମ୍ର ବିନା ଅନୁମତିରେ ରାଜକୋଷରୁ କେହି ମଧ୍ୟ ଧନ ନେଇପାରୁ ନଥିଲେ । ଆଗରୁ ଉଜୀରମାନେ ସବୁ ଧନରତ୍ନ ଚୋରେଇ ନେଉଥିଲେ । ତେଣୁ ସଲୀମ୍ର ଉପସ୍ଥିତି ଉଜୀରମାନଙ୍କ ପାଇଁ ଅସହ୍ୟ ହେଲା । ଉଜୀରମାନେ ସମସ୍ତେ ମିଳି ତାକୁ ରାସ୍ତାରୁ ହଟାଇ ଦେବାକୁ ଷଡଯନ୍ତ୍ର କଲେ ।

ଦିନେ ସୁଲତାନ୍ ସହରର ବାହାରକୁ ଯାଇଥା’ନ୍ତି । ଏପରି ସୁଯୋଗ ଦେଖି ଉଜୀରମାନେ ସେମାନଙ୍କ ଷଡଯନ୍ତ୍ର କାର୍ଯ୍ୟକାରୀ କରାଇବାରେ ଲାଗି ପଡିଲେ । ସେମାନେ ମୁହଁରେ ମିଠାକଥା କହି ସଲୀମ୍କୁ କିଛି ମଦ ପିଆଇଲେ ଓ ସେଥିରେ ସେମାନେ ଅଳ୍ପ ବିଷ ମଧ୍ୟ ମିଶାଇଥିଲେ । ଘୋର୍ ନିଶା ଓ ବିଷର ପ୍ରଭାବରୁ ସେ ଅଚେତ୍ ହୋଇ ପଡିଲା । ସେହି ଅବସ୍ଥାରେ ଏ ଉଜୀରମାନେ ତାକୁ ଟେକି ନେଇ ସୁଲତାନ୍ଙ୍କ ପଲଙ୍କରେ ଶୁଆଇ ଦେଲେ ।

ରାତିରେ ସୁଲତାନ୍ କ୍ଳାନ୍ତ ହୋଇ ଘରକୁ ଫେରି ଦେଖିଲେ ତାଙ୍କ ଶଯ୍ୟାରେ କିଏ ଶୋଇଛି । ସେ ଯେତିକି ଆଶ୍ଚର୍ଯ୍ୟ ହେଲେ ଲୋକଟାର ଔଦ୍ଧତ୍ୟରେ ସେ ସେତିକି କ୍ରୋଧାନ୍ୱିତ ମଧ୍ୟ ହେଲେ । ସେ କହିଲେ ଏପରି କାମ ଯିଏ କରିଛି ତା’ର ମୃତ୍ୟୁଦଣ୍ଡ ସୁନିଶ୍ଚିତ ।

ଉଜୀରମାନେ କହିଲେ, “କିଏ ଆଉ କରିବ? ଆପଣ ଯାହାକୁ ପ୍ରଶ୍ରୟ ଦେଇ ଉପରକୁ ତୋଳି ଧରିଛନ୍ତି ସେଇ ସଲୀମ୍ । ସେ ବୋଧେ ନିଜକୁ ନିଜେ ସୁଲତାନ୍ ଭାବୁଛି । ନ ହେଲେ ଏପରି କାମ କରିବାକୁ ତା’ର ସାହସ କେଉଁଠୁ ଆସିଲା ।”

ସିପାହୀମାନେ ତାକୁ ଶେଯରୁ ଉଠାଇ ଠିଆ କରାଇଲେ ଓ କହିଲେ, “ହଜୁର ଅତ୍ୟଧିକ ମଦ୍ୟପାନ ହେତୁ ଏପରି ହୋଇଛି । କାରଣ ସେ ଏବେ ତା’ ହୋସ୍ରେ ନାହିଁ ।”

ଉଜୀରମାନେ କହିଲେ, “ଏ ଅକ୍ଷମଣୀୟ ଅପରାଧ କରିବାକୁ ତା’ଛଡା ଆଉ ଦ୍ୱିତୀୟ ବ୍ୟକ୍ତି କିଏ ବା ପୁଣି ଏତେ ସାହସ କରନ୍ତା ।”

ସଲୀମ୍କୁ ଦେଖି ସୁଲତାନ୍ଙ୍କର ମନରେ ଟିକେ ଦୟା ହେଲା । କିନ୍ତୁ ସେ ନିଜେ ଦେଇଥିବା ମୃତ୍ୟୁଦଣ୍ଡର ଆଦେଶ ଆଉ ପ୍ରତ୍ୟାହାର କଲେ ନାହିଁ ।

ପରଦିନ ମୃତ୍ୟୁଦଣ୍ଡ ଦିଆ ହେବା କଥା । ସଲୀମ୍କୁ ବଧସ୍ଥଳୀକୁ ନିଆଗଲା । ରାଜ୍ୟସାରା ଲୋକ ସେଠାରେ ଜମା ହୋଇଥା’ନ୍ତି । ଭିଡ ଭିତରୁ ଜଣେ ବୃଦ୍ଧଲୋକ ବାହାରି ଆସି ସଲୀମ୍କୁ ଧରି କାନ୍ଦି କାନ୍ଦି କହିଲା, “ପୁଅ ତୁ କ’ଣ ଏବେ ବି ବଂଚିଛୁ? ମୁଁ ଭାବିଥିଲି କି ଅନ୍ୟ ଡାକୁଙ୍କ ସହିତ ତତେ ମଧ୍ୟ ମାରିଦିଆ ଯାଇଛି । କିନ୍ତୁ ହାୟ ହତଭାଗ୍ୟ ମୁଁ ତତେ ଏଇ ଅବସ୍ଥାରେ ଯାହା ଦେଖିଲି । ଏବେ କ’ଣ କରିବି?”

ସେହି ବୁଢାକୁ ସମସ୍ତେ ଡାକୁ ସରଦାର ବୋଲି ଚିହ୍ନିଲେ । ଉଜୀରମାନେ ସେହି ବୁଢାକୁ ବନ୍ଦୀ କରି ସୁଲତାନ୍ଙ୍କୁ ଖବର ଦେଲେ । ସୁଲତାନ୍ ନିଜେ ଆସି ବଧସ୍ଥଳରେ ପହଁଚିଲେ ।”

ସୁଲତାନ୍ଙ୍କୁ ଦେଖିବା ମାତ୍ରେ ଡାକୁ ସର୍ଦାର୍ ତାଙ୍କ ପାଦରେ ପଡି କହିଲା, “ହଜୁର୍ ମୁଁ ତାକୁ । ମୋତେ ପଛେ ମାର ହେଲେ ମୋ ପୁଅକୁ ଛାଡିଦିଅ । ମୋ ପୁଅ ଜଣେ ସ୍ୱର୍ଗଦୂତ । ସେ ଦେବତା ପରି ବ୍ୟକ୍ତି । ତାକୁ ମାର ନାହିଁ ।”

ଏକଥା ଶୁଣି ଉଜୀରମାନେ ଥଟ୍ଟା କରି କହିଲେ “ଆହାହା; ସବୁ ବାପାମାନେ ନିଜ ପୁଅକୁ ତ ଏମିତି ଦେବତା ବୋଲି କୁହନ୍ତି ।”

ସର୍ଦାର୍ କହିଲା “ହଜୁର୍ ସେ ସ୍ୱର୍ଗର ଦେବତା ନ ହୋଇଥିଲେ ମୁଁ କିପରି ଏକ ଅପନ୍ତରା ସ୍ଥାନରେ ତାକୁ ପାଇଥା’ନ୍ତି । ସମସ୍ତେ ଭାବନ୍ତି ଯେ, ସଲୀମ୍ ମୋ ପୁଅ । କିନ୍ତୁ ମୁଁ ତାକୁ ଗୋଟିଏ ପାହାଡ ପାଖରେ ଥିବା ଜଙ୍ଗଲ ଧାରରୁ ପାଇଥିଲି ।”

ସୁଲତାନ୍ ନିଜର ହଜିଥିବା ପୁଅ କଥା ମନେ କରି ପଚାରିଲେ “ପାହାଡ ପାଖରେ? ପୁଣି ଜଙ୍ଗଲ ଧାରରେ? କେବେ? କିପରି?”

ଡାକୁ ସର୍ଦାର୍ କୋଡିଏ ବର୍ଷ ତଳର ଘଟଣା ବର୍ଣ୍ଣନା କରି କହିଲା, “ଇଏ ସେଇ ପୁତ୍ର । ତାକୁ ମୁଁ ମୋ ନିଜ ପୁଅ ପରି ପାଳନ କରିଛି ।”

ସୁଲତାନଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବହିବାକୁ ଲାଗିଲା । ସେ ଜାଣିପାରିଲେ ସଲୀମ ତାଙ୍କର ସେହି ହଜିଲା ପୁଅ ବ୍ୟତୀତ ଆଉ କେହି ବି ନୁହେଁ । ସୁଲତାନ୍ ମହା ଆଡମ୍ବରରେ ତାଙ୍କ ପୁଅକୁ ଧରି ରାଜମହଲକୁ ଯାଇ ବେଗମଙ୍କୁ ସବୁକଥା ଖୋଲି କହିଲେ । ରାଜ୍ୟସାରା ଆନନ୍ଦ ଉତ୍ସବ ଲାଗିଲା । ରାଜା କିନ୍ତୁ ସେ ଉଜୀର୍ ମାନଙ୍କ ଉପରେ ଭୀଷଣ ମାତ୍ରାରେ ରାଗିଯାଇ ସେମାନଙ୍କୁ ପାହାଡ ଉପରୁ ଠେଲି ତଳେ ପକାଇ ମାରି ଦେବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ ।

କିନ୍ତୁ ସଲୀମ୍ କହିଲେ, “ହଜୁର୍ ସେମାନେ ଷଡଯନ୍ତ୍ର ନ କରିଥିଲେ ଆପଣ ମୋତେ ଆଜି କେବେବି ଚିହ୍ନି ପାରି ନ ଥା’ନ୍ତେ । ମୁଁ ସବୁଦିନ ପାଇଁ ସେମିତି ଅଜଣା ହୋଇ ରହିଥା’ନ୍ତି । ସେମାନଙ୍କୁ କ୍ଷମା କରି ଦିଅନ୍ତୁ ।”

ସୁଲତାନ୍ କହିଲେ “ଆଚ୍ଛା ଠିକ୍ ଅଛି । ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ।”

ତା’ପରେ ସଲୀମ୍ର ସହାୟତାରେ ସୁଲତାନ ଅମିରୁ ବହୁ ବର୍ଷ କାଳ ଶାସନ କଲେ ଓ ଲୋକପ୍ରିୟତା ଅର୍ଜ୍ଜନ କଲେ କିନ୍ତୁ ସଲୀମ୍ ସମସ୍ତଙ୍କର ଅତି ପ୍ରିୟପାତ୍ର ଥିଲା ।

=============================
☘️🌸🌼🙏 ସମାପ୍ତ 🙏🌼🌸☘️
=============================

 

🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଅପୂର୍ବଙ୍କ ପରାକ୍ରମ “🌻

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.