🌺ମା ରୁ ମାମା ପର୍ଯ୍ୟନ୍ତ🌺

maa
Reading Time: 6 minutes

ମୁଁ IAS ପ୍ରଶାନ୍ତ ମହାପାତ୍ର ,ମୋ ସ୍ତ୍ରୀ ମିଲି ,ନା ନା ଭୁଲ କହିଲି ,ମିସେସ୍ ମହାପାତ୍ର ,କାରଣ ସେ ମିସେସ୍ ମହାପାତ୍ର ନଚେତ୍ ମାଡ଼ାମ୍ ଶୁଣିବାକୁ ପସନ୍ଦ କରେ।ମୋର ଗୋଟିଏ ଛୋଟିଆ ପୁଅ ବୟସ ମାତ୍ର ଛଅ ଵର୍ଷ।ମୋଟା ମୋଟି କହିବାକୁ ଗଲେ ଛୋଟ ଓ ସୁଖୀ ସଂସାର ।ମୋ ସ୍ତ୍ରୀ ଜଣେ ଡକ୍ଟର ।ମୁମ୍ବାଇ ରେ ମୋର ଘର ଅଛି,ଯଦିଓ ମୁଁ ରହେ ସରକାରୀ କ୍ୱାର୍ଟର୍ ରେ।ମୋ ସ୍ତ୍ରୀ ଭାରି ବୁଦ୍ଧିମତି ଆଉ ଏଇଟା ତା’ର ବୁଦ୍ଧି ,ଯେଉଁଥିପାଇଁ ନିଜ ଘର ଭଡ଼ା ଲାଗିଛି ।ମୋଟା ମୋଟି ମୁଁ ସୁଖୀ ମଣିଷ ଟେ ବୋଲି ଭାବି ପାରନ୍ତି।
ମୁଁ ଆଜି କେବଳ ମୋ ସ୍ତ୍ରୀ ବିଷୟରେ କହିବି ପ୍ରଥମରୁ କହିଛି , She is Mrs Mohapatra ।ଆବଶ୍ୟକତା ଠୁ ଅଧିକା କେୟାରି। ଖାଲି ମୋ ପାଇଁ ନୁହେଁ ମୋ ପୁଅ ପାଇଁବି ।ମୋର ଛଅ ବର୍ଷର ପୁଅ ତାକୁ ସେ ଭୋର 5 ଟା ରୁ ଉଠାଏ ।ଖରା, ବର୍ଷା ,ଶୀତ ସବୁଦିନ ସକାଳୁ ତାକୁ ନେଇ ୱାକିଂ ରେ ଯାଏ ।ସେଠୁ ଫେରିଲେ ଯଦିଓ ତାକୁ ଖୁବ୍ ଭୋକ ଲାଗୁଥାଏ ତାକୁ ସେ ମାତ୍ର ଗୋଟେ ଗ୍ଲାସ ଜୁସ୍ ଦିଏ ।କିଛି ସମୟ ପରେ ଗୋଟେ ବାଉଲ୍ ଗଜା ମୁଗ ଯାହା ତାର ଜମା ବି ପସନ୍ଦ ନୁହେଁ।ମୁଁ ଘରେ ଥିଲେ ମୋ ଖାଇବା ବି ପ୍ରାୟ ସେଇଆ।ସେ ରୋଷେଇ ଜାଣିନି କି ଜାଣିଶୁଣି କରେନି ମୁଁ ଆଜି ଯାଏ ଜାଣିନି,କିନ୍ତୁ ଆମେ ସବୁବେଳେ ସିଝା ସନ୍ତୁଳା ଖାଉ।ହଁ ସୁପ୍ ନଚେତ୍ ଦଲିଆ ବି ବେଳେ ବେଳେ ଥାଏ ଆମ ମେନୁ ରେ,ନଚେତ୍ ଫଳ ଯାହା ସବୁ ଆମ ବାପ ପୁଅଙ୍କୁ ଯମା ପସନ୍ଦ ନୁହେଁ।କିନ୍ତୁ ନାଚାର । ମୁଁ ତ ବେଳେ ବେଳେ ବାହାରେ ଖାଇଁ ନିଏ ହେଲେ ମୋ ପୁଅ ? ବିଚରା ବବଲୁ କେବଳ ଖାଇବାର ସ୍ବପ୍ନ ଦେଖେ।ମୋର ଟାଇଟ୍ ପ୍ରୋଗ୍ରାମ ଭିତରେ କେଵେ କେମିତି ଯଦି ତାକୁ ବାହାରକୁ ନିଏ,ମାଡ଼ାମ୍ ଘରୁ ତାଗିଦ କରିଥାନ୍ତି ,”ବାହାର ଖାଦ୍ୟ ଦେବ ନାହିଁ ଦେହ ଖରାପ ହେବ Only juice, nothing else “ତା ଅଲକ୍ଷ ରେ ଆମେ ବାପ ପୁଅ ଖୁବ୍ ମସ୍ତି କରୁ,ଧୁମ ଖାଉ,ପରସ୍ପରକୁ ପ୍ରମିସ୍ କରୁ ମାମା ଯେମିତି ନଜାଣେ।
ବବଲୁ ର ସବୁ କିଛି ରୁଟିନ୍।ଖାଇବା ,ପଢିବା,ଖେଳିବା ,ଶୋଇବା ବିଚରା …😔। ବେଳେ ବେଳେ ଭାରି ଦୟା ଲାଗେ କଠୋର ଅନୁଶାସନ ଆଉ ଏ ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ପିଲାଟା ଅଣନିସ୍ୱାସୀ ହୋଇପଡେ।ମୁଁ ଭାବେ ଆମେ ତ ଏତେ ଖେଲୁଥିଲୁ ତା ପୁଣି ବାଲି ଧୁଳିରେ ,ଯାହା ମାନେ ତାହା ଖାଉ ଥିଲୁ,ଆମେ କଣ ଶୃଙ୍ଖଳିତ ନୁହେଁ? ନା ପ୍ରତିଷ୍ଠିତ ନୁହେଁ ? ମାତ୍ର କିଏ ବୁଝେଇବ ମିଲି କୁ ?ବବଲୁର ଶୋଇବା ଘର ଅଲଗା ,ସେ କେଵେ ତା ମା କୋଳରେ ଶୋଇନି।ଯଦିଓ ମୁଁ କଲେଜ ଯିବା ଯାଏ ମୋ ମା ପାଖେ ଶୋଉ ଥିଲି,ଗୀତ ଶୁଣି ଶୁଣି ମାଆକୁ ଜାବୁଡ଼ି ଧରି ।ରାତି ସାରା ତା ହାତ ମୋ ପିଠିରେ ବୁଲୁ ଥିଲା।ମୋ ମା’ ତା ହାତ ରେ ମୋତେ ମୋ ପସନ୍ଦ ର ଖାଦ୍ୟ ଖୁଆଇ ଦିଏ ।ଖାଇ ସାରିଲେ ତା କାନିରେ ମୋ ମୁହଁ ପୋଛିଦିଏ। ଶିଶୁ ସୁଲଭ କୌଣସି ସ୍ଵଭାଵ ମୁଁ
ବବ୍ ଲୁ ପାଖରେ ପାଏ ନାହିଁ ।ଯଦି ବି କିଛି କରେ ତା ମା’ର ଅନୁପସ୍ଥିତି ରେ।ମା ଥିଲେ ସେ ପୁରା ଚୁପ୍।
ପାଂଚ ଵର୍ଷ ତଳେ ମୋ ମା ଆସିଥିଲା ,ପ୍ରଥମରୁ କହିଛି ମୋ ସ୍ତ୍ରୀ ଭାରି କେୟାରିଂ ।ତେଣୁ ମୋ ପଖାଳ ଖିଆ ମା, ବିନା ପଖାଳ ରେ ଛଟପଟ ହୋଇ ଚାରି ପାଂଚ ଦିନରେ ଗାଁ କୁ ପଳେଇଲା।ଆମର ଏ ସିଝା ଖାଦ୍ୟ ସେ ଖାଇ ପାରେନି ବୋଲି ବେଳେ ବେଳେ ଯଦି କିଛି ରୋଷେଇ କରେ, ନା ମିଲି ସେସବୁ ଖାଏ ନା ଆମକୁ ଦିଏ।ମା ,ସେଇଯେ ଯାଇଛି ଆଉ ଆସିନି।ମୁଁ ବି ପାଂଚ ଵର୍ଷ ହେଲା ଗାଁ କୁ ଯାଇନି।ମାଆ ସାନ ଭାଇ ପାଖରେ ରୁହେ । ତା ସ୍ତ୍ରୀ ବହୁତ ଭଲ,ମା ର ଖୁବ୍ ଯତ୍ନ ନିଏ।ବେଳେ ବେଳେ ମାଆ କଥା ଓ ଗାଁ କଥା ମୋର ବହୁତ ମନେପଡେ।ବବଲୁ କୁ ଗାଁର କାହାଣୀ ଶୁଣାଏ।ତା ‘ର ଭାରି ଇଛା ଗାଁ କୁ ଯିବ।ଜେଜେମା ,ଦାଦା ,ଖୁଡୀ,ସମସ୍ତଙ୍କୁ ଦେଖିବ।ତାକୁ ମୁଁ କଥା ଦେଇଛି ଏଥର ଶୀତ ଛୁଟିରେ ଆମେ ଗାଁ କୁ ଯିବା।କାରଣ ଶୀତ ଋତୁ ରେ ଗାଁ ର ଦୃଶ୍ୟ ସୁଂଦର ଆଉ ନିଆରା ,ଯାହା ବବଲୁ କୁ ଆକୃଷ୍ଟ କରିବ।
ବମ୍ବେ ରେ ମୁଁ ଯୋଉଠି ରୁହେ,ସେଠି ପାଖାପାଖି ଅନେକ ଓଡ଼ିଆ ଲୋକ ମଧ୍ୟ ଥାନ୍ତି।ମୁଁ ସମସ୍ତଙ୍କ ସହ ମିଶେ ।ବିଦେଶ ରେ ନିଜ ଭାଷା ଭାରି ଆପଣାର ଲାଗେ।କିନ୍ତୁ ମୋ ସ୍ତ୍ରୀ ସେସବୁ ପସନ୍ଦ କରେନା ।ଏଇ ଯେମିତି – ନାନୀ ,ଭାଉଜ ,ବା ମିଲି ଡାକ ତାକୁ ଭଲ ଲାଗେନା ।ଭଲଲାଗେ କେବଳ ମିସେସ୍ ମହାପାତ୍ର ବା ମାଡ଼ାମ୍।ତାକୁ ବୁଝେଇଲେ ସେ ରାଗିଯାଏ କହେ, I don’t like this .ଏମିତି କି କାହା ସହ ପୁଅକୁ ବି ମିଶିବାକୁ ଛାଡେନା।ସବୁବେଳେ ନିଜ ଷ୍ଟାଟସ ଲୋକଙ୍କ ସହ ସେ ମିଶେ ଯେଉଁମାନେ ଖାଲି ଫର୍ମାଲିଟି ଜାଣନ୍ତି।ଆର୍ଟିଫିସିଆଲ ଲୋକ ତାର ବହୁତ ପସନ୍ଦ।
ଏଥର ଶିତ ଛୁଟି ରେ ମିଲିକୁ ବହୁତ ବୁଝେଇଲି ଟିକେ ଗାଁ କୁ ଯିବା।ଗାଁ ଏବଂ ଗାଁ ଲୋକ ତାର ଜମା ପସନ୍ଦ ନୁହଁ,ଯା ହଉ ବହୁ କଷ୍ଟରେ 4 ଦିନପାଇଁ ଯିବାକୁ ରାଜି ହେଲା।କିନ୍ତୁ ସର୍ତ “ତୁମ ଗାଉଁଲି ଲୋକଙ୍କ ଭଳି ମୁଁ ଶାଢ଼ୀ ପିନ୍ଧି ପାରିବିନି ।ମୁଁ ମୋର ଜିନ୍ସ ଟି ସାର୍ଟ ହିଁ ପିନ୍ଧିବି ,କହିବ ଯଦି ସାଲୁୱାର ଚଳେଇ ଦେଇ ପାରେ but Saree no way”ବବ୍ଳୁକୁ ଗାଁ କୁ ନେବା ଓ ନିଜେ ଟିକେ ମାଆ ର ସାନ୍ନିଧ୍ୟ ପାଇବା ମୋ ପାଇଁ ଏତେ important ଥିଲା ଯେ ମୁଁ ତାର ସବୁ ସର୍ତ ମାନିନେଲି ।ଶେଷରେ ଆମେ ଗ୍ରାମାଭିମୁଖି ହେଲୁ।ଫ୍ଲାଇଟ ରେ ଭୁବନେଶ୍ୱର ସେଠୁ ଆମ ଗାଁ 60 କିଲୋମିଟର ,ଵସ୍ ରେ ଯିବାକୁ ହୁଏ।ବବୁଲୁ ଯଦିଓ ଵସ୍ ଅନୁଭୁତି ସାଉଁଟି ବାକୁ ଚାହୁଁ ଥିଲା ମୁଁ କିନ୍ତୁ କୌଣସିମତେ ମିଲି କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲି ତେଣୁ କାର୍ ବୁକ୍ କଲି।ଆଗରୁ ଭାଇ କୁ ଫୋନ୍ କରି ଥିଲି ।ମୋ ଭାଇ ଗାଁ ସ୍କୁଲ ରେ ଟିଚର୍। ମୋର ସେ ବହୁତ ଗେହ୍ଲା।କିନ୍ତୁ ମିଲି ତାକୁ ଜମା ପସନ୍ଦ କରେନା।ଆମେ ଗାଁରେ ପ୍ରବେଶ କଲୁ ଆମ ଘର ଦେଖାଗଲା ।କେମିତି ଗୋଟେ ଅଜଣା ପୁଲକରେ ଛାତି ଜୋରରେ ଧଡ଼ ପଡ କରୁଥିଲା। ମାଆ ଅପେକ୍ଷା କରି ଠିଆ ହୋଇଥିଲା ।ଘର ଯେତିକି ପାଖେଇ ଆସୁଥିଲା ମୋ ଭିତରୁ କେମିତି ଗୋଟେ କୋହ ଉଠୁଥିଲା ,ଘର ସାମ୍ନା ସିଝୁ ଅମରି ର ବାଡ଼ ଘେରା ଆବଦ୍ଧ ଦାଣ୍ଡ ପଟ ,ଯାହାକୁ ଆମେ କହୁ ଖଳାବାଡ଼ି,ଆଉ ସେଇଠି ଆମକୁ ଚାହିଁ ଠିଆ ହେଇଥିଲା ମୋ ମାଆ ,ଧଳା ଶାଢ଼ୀ,ଧଳାଫୁର୍ ଫୁର୍ ଚୁଟି, ପାନ ଖିଆ ନାଲି ଓଠ,ସାକ୍ଷାତ ଆମ ଗାଁ ବୁଢ଼ୀ ମଙ୍ଗଳା ପରି ଦିଶୁଥିଲା।ଆମକୁ ଦେଖି ଧାଇଁ ଆସିଲା ଆଉ ସାନ ଭାଇ କୁ ଡାକ ଛାଡିଲା । ଆରେ ଟୁଟୁ ଦେଖ୍ ରେ ମୋ ପିଲେ ଆସିଲେଣି ।ଗାଡ଼ିରୁ ଓହ୍ଲେଇ ଆମେ ମାଆ ର ପାଦ ଛୁଇଁଲୁ।ମାଆ ସମସ୍ତଙ୍କୁ ଏକାଠି ଜାକି ପକେଇଲା ।ଵଵଲୁ ମାଆକୁ ଜାବୁଡ଼ି ଧରିଥାଏ ।ମିଲି ନାଁସିକା କୁଁଚନ କଲା।କାରଣ ମୋ ବୋଉ ଦେହର ଗାଉଁଲି ଗନ୍ଧ ତାକୁ କାଳେ ଅତିଷ୍ଠ କରୁଥିଲା।ମୁଁ କିନ୍ତୁ ସେଇ ବାସ୍ନାରେ ପାଗଳ ଥିଲି।ମା କାନ୍ଦି ପକେଇଲା।ମୋ ମୁହଁ କୁ ଆଉଁସି ଦେଲା ।କହିଲା ,ଖାଉନୁ କିରେ ଧନ?କେତେ ଝଡି ଯାଇଛୁ।ଯଦିଓ ମୁଁ ପୁରା ମୋଟା ମୋଟି ହୋଇଯାଇଥିଲି ।କିନ୍ତୁ ମାଆର ନଜର ନାଁ, ସବୁ ମା ଗୁଡା ନାକ କାଁଦୁରି ,ଆଉ ସବୁ ମାଆଙ୍କୁ ତାଙ୍କ ଛୁଆ ସବୁବେଳେ ଦୁର୍ବଳ ଦିଶନ୍ତି,।
ସାନ ଭାଇ ଆମକୁ ପ୍ରଣାମ କଲା ଓ ଗାଡ଼ିରୁ ଜିନିଷ ପତ୍ର ନେଇ ଆସିଲା।ଭାଇବୋହୂ ଆସି ମୋତେ ଓ ମିଲି କୁ ପ୍ରଣାମ କଲେ ।ମିଲି କହିଲା “ବବଲୁ ଅଙ୍କଲ ଆଣ୍ଟି ଙ୍କୁ ହାଲୋ କୁହ “।ବବଲୁ କିନ୍ତୁ ପାଦ ଛୁଇଁ ସମସ୍ତଙ୍କୁ ପ୍ରଣାମ କଲା ।ସେମାନେ ତାକୁ କୋଳେଇ ନେଲେ ଏବଂ କହିଲେ ନାଁରେ ବାବା ଅଙ୍କଲ ଆଣ୍ଟି ନୁହେଁ ଦାଦା ଖୁଡୀ ,ବବଲୁ ର କଅଁଳ କଣ୍ଠ ରୁ ଦାଦା ଖୁଡୀ ଖୁବ୍ ମିଠା ଲାଗୁଥିଲା।ଖୁବ୍ କମ ସମୟରେ ବବଲୁ ସମସ୍ତଙ୍କ ସହ ମିଶି ଗଲା ।ଆମେ ଫ୍ରେସ୍ ହୋଇ ଖାଇବସିଲୁ।ମାଆ ନିଜ ହାତରେ ମୋ ପାଇଁ ମୋ ପସନ୍ଦ ର ଖାଦ୍ୟ ସବୁ ରାନ୍ଧିଥିଲା।ପଖାଳ,ଛୋଟମାଛ ଭଜା ,କଳମ ଶାଗ,ବଡ଼ିଚୁରା ,ଓଃ !ପୁରା ଅମୃତ।ମାଆ ନିଜେ ବସି ମୋତେ ଓ ଵଵଲୁ କୁ ଖୁଆଇ ଦେଲା ।କି ଶାନ୍ତି !!ଆଶ୍ଚର୍ଯ୍ୟ ଏସବୁ ଜିନିଷ କେଵେ ଚାଖି ନଥିବା ମୋ ପୁଅ, ଭାରି ଖୁସିରେ ସବୁ ପୋଛିପାଛି ଖାଇ ଦେଇଥିଲା।ମୁଁ ଖାଇସାରି ମାଆ କାନିରେ ମୁହଁ ପୋଛିଲି କାରଣ ଏଇଟା ମୋର ପୁରୁଣା ଅଭ୍ୟାସ।ବବଲୁ କୁ ମାଆ ତା ରୁମ୍ କୁ ନେଇଗଲା ,ଆଉ ଗଲା ବେଳେ କହିଗଲା ତମେ ସବୁ ବିଶ୍ରାମ ନିଅ।ଏତେ ଦିନ ପରେ ଗାଁ କୁ ଆସିଛି ତେଣୁ ନିଦ ଲାଗୁ ନଥାଏ।ଭାବିଲି ଯାଉଛି ମାଆ ଓ ଭାଇ ସହ ଗପିବି ।ଯାଇ ଦେଖେତ ମାଆକୁ ଜାବୁଡ଼ି ଧରି ଗୋଡ ହାତ ଲଦି ବବଲୁ ଶୋଇଛି ନିଘୋଡ଼ ନିଦରେ । ତାକୁ ଏମିତି ଦେଖି ମୋ ଆଖିରେ ଲୁହ ଆସିଗଲା ମାଆ ଶୋଇ ନଥିଲା ।ମୁଁ ଯାଇ ବବଲୁ ପାଖରେ ଠିଆ ହେଲି ମା ମତେ ଚାହିଁଲା ପଚାରିଲା,”ଶୋଇନୁ କିରେ ଧନ? ଆ ବସ” ।ମୁଁ ବସିଲି କହିଲି ମା ବବଲୁ ଶୋଇପଡ଼ିଛି? ମାଆ ହସିଲା ” ହଁ ରେ ବାପ ତୋ ପୁଅ ଏଇଲେ ଗପ ଶୁଣୁଥିଲା ଶୋଇପଡ଼ିଲା।ମୁଁ ଦୀର୍ଘନିଶ୍ୱାସ ଛାଡ଼ିଲି,ପ୍ରଥମ ଥର ବବଲୁ କୁ ଏମିତି ଖାଇବା ଆଉ ଶୋଇବାର ଦେଖିଲି ,ବିଚରା ବବଲୁ ସବୁଥିରୁ ବଂଚିତ।ମାଆ ସହ ବସି ଗାଁ କଥା ଗପିଲି।ବବଲୁ ଉଠିଲା ଦିନ ଚାରିଟାରେ ।ମୁଁ ପଚାରିଲି କଣ ନିଦ ଭାଙ୍ଗିଲା ବେଟା?ଯିବୁ ଆମ ବାରିଆଡ ବୁଲି? ଖୁସି ହୋଇଗଲା ବବଲୁ ,ସିଓର୍ ପାପା ଚାଲ ।ଲମ୍ବା ବାରି ଆମର ବାଟ ସାରା ବବଲୁ ପଚାରୁ ଥାଏ ,ଏଇଟା କୋଉ ଗଛ,ଏଇଟା କୋଉ ଫୁଲ ,କୋଉ ଫଳ, କୋଉ ପକ୍ଷୀ ,ଇତ୍ୟାଦି ଇତ୍ୟାଦି।ଶେଷରେ ପୋଖରୀ ପାଖେ ପହଂଚିଲୁ ,ପୋଖରୀକୁ ଏତେ ପାଖରୁ ଦେଖି ଛୁଇଁ ସେ ଖୁସିରେ ଉଛୁଳି ପଡ଼ିଲା ।ମୁଁ ତା ହାତ ଧରିଲି ସେ ଗୋଡ ହାତ ବୁଡ଼େଇ ଧୁମ ଖେଳିଲା ,ପାହାଚ ଉପରେ ବସିଲା ବବଲୁ ,ପାପା ଏଠି ଟିକେ ବସିବା ଭାରି ଭଲ ଲାଗୁଛି ।ମୁଁ କହିଲି ହଁ ବସ।ବାପ ପୁଅ ଦୁହେଁ ବସିଲୁ ,ପୋଖରୀର ମାଛ ମାନଙ୍କୁ ଦେଖୁଥାଏ ବବଲୁ।ସେମିତି ପୋଖରୀକୁ ଚାହିଁ ଚାହିଁ ସେ କହିଲା” ତୁମ ଗାଁ କେତେ ସୁଂଦର ପାପା।ମୁଁ ହସିଲି କାଇଁ ଏଇଟା ତ ତୋର ବି ଗାଁ ।ସେ ଖୁସି ହେଇଗଲା ,ସତରେ ଏଇଟା ମୋ ଗାଁ ? ଆଉ ଵମ୍ବେ?
କଣ ଉତ୍ତର ଦେବି? କହିଲି ସେଇଟା ତୋ ମାମା ର ଗାଁ ,ସେ ହସିଲା। କହିଲା “ପାପା !ମାମା କୁ କହିବନି।ତା ଗାଁ ଯମା ଭଲ ନୁହେଁ ,ଆମ ଗାଁ ଭଲ।ପାପା ତୁମ ଗାଁ ,ତୁମ ମା ,ଦାଦା ଖୁଡୀ ସମସ୍ତେ ବହୁତ ଭଲ।ତମେ ଦେଖିଛ ନା ପାପା ମାଆ ଆଉ ଖୁଡି ଯେମିତି ଡ୍ରେସ ପିନ୍ଧୁଛନ୍ତି ,ମୁଁ କହିଲି ଶାଢ଼ୀ? ହଁ ହଁ ଶାଢ଼ୀ ,ସେମାନେ ସେଥିରେ God ପରି ଲାଗୁନାହାନ୍ତି? ମାମା କାଇଁ ପିନ୍ଧୁନି? ଜାଣିଛ ପାପା ତୁମ ମା ବହୁତ ଭଲ ।ସେ ମତେ ଖୁଆଇ ଦେଲେ ଗପ କହିଲେ ଖାଇବା ଯେମିତି ଟେଷ୍ଟି ,ଗପ ତ ଆଉ କଣ କହିବି,so nice papa ଆଛା ପାପା ଏଇ ଯୋଉ ତୁମ ମାଆ ,ସେ ତୁମ ମାମା ନା? “ହଁ ବାପା ସେ ମୋ ମାମା “ଆଛା ପାପା ତୁମ ମାଙ୍କୁ ତୁମ ପାଇଁ କିଏ ଆଣି ଦେଇ ଥିଲେ?ତା ପ୍ରଶ୍ନ ରେ ମୁଁ ହସିଲି କହିଲି ମୋ ଜେଜେ ବାପା।ସେ କହିଲା ତୁମ ଜେଜେ ବାପା ବହୁତ ଭଲ ନୁହେଁ?ମୁଁ କହିଲି କାହିଁକି?ସେ ଟିକେ ଉଦାସ ସ୍ୱର ରେ କହିଲା କାହିଁକିନା ସେ ତୁମ ପାଇଁ ଭଲ ମାଆ ଟିଏ ଆଣିଦେଲେ ।ମୋ ଜେଜେ ମୋ ପାଇଁ ଏମିତି ମାଆ ଟିଏ ଆଣି ଦେଲେନି?ସେ ମୋ ପାଇଁ ‘ମାମା’ କାଇଁ ଆଣିଲେ ,’ମାମା’ ଭଲ ନୁହେଁ ‘ମାଆ’ ଭଲ।”କଣ ଉତ୍ତର ଦେବି ଅବୋଧ ଶିଶୁଟିକୁ।କହିଲି ସରି ବାପା ତୋ ପାଇଁ ମାମା ମୁଁ ଆଣିଛି ।ତୋ ଜେଜେ ନୁହେଁ।କାରଣ ସେତେବେଳେ ସେ ନଥିଲେ ,।ଥିଲେ ହୁଏତ ତୋ ପାଇଁ ମାମା ନ ଆଣି ମାଆ ଆଣି ଥାନ୍ତେ ।ମୁଁ ଜାଣି ପାରିଲିନି ମାମା ନେଇଆସିଲି।ସେ ଜଣେ matured person ପରି କହିଲା ” you are wrong papa,you have done a mistake” ମାଆ ସହ ମାମା କୁ ସମାନ କରିହବନିMaa is some thing different”ମୁଁ ନିରବ ରହିଲି ।ସତରେ କେତେ ସତ କହୁଥିଲା ବଵଲୁ।”Maa is some thing different”. ନ ହବ ବା କେମିତି ?ବବଲୁ ର ‘ମାମା ଶିକ୍ଷିତା ଜଣେ ପ୍ରତିଷ୍ଠିତ ଡକ୍ଟର ଙ୍କ ଝିଅ ନିଜେ ବି ଡାକ୍ତର।ବମ୍ବେରେ ଘର ସେଇଠି ତା ସହ ପରିଚୟ,ପ୍ରେମ ଆଉ ବିବାହ ।ମୋ ‘ମା’ ଅଶିକ୍ଷିତା ,ଜଣେ ଗାଉଁଲି ଚାଷୀ ର ଝିଅ ଜେଜେଙ୍କ ପସନ୍ଦ ବାପାଙ୍କ ବିବାହ।ତେଣୁ କାହିଁ ମାମା ଆଉ କାହିଁ ମାଆ, ଆଉ ଏସବୁ ଭିତରେ ମାଆ ରୁ ମାମା ପର୍ଯନ୍ତ ମୋର ଯାତ୍ରା କେତେ ନିଷ୍ଫଳ।କେତେ ଦୟନିୟ।
ଚାରି ଦିନ କେମିତି ବିତି ଗଲା ଜଣା ପଡ଼ିଲାନି।ବବଲୁ ତା ମାମା କୁ ଭୁଲି ସାରିଥିଲା ।ସବୁବେଳେ ଜେଜେମା ନଚେତ୍ ଖୁଡୀ।ଫେରିବା ଦିନ ପାଖେଇ ଆସିଲା।ମା ବ୍ୟାଗରେ କେତେ କଣ ସଜାଡିଥିଲା ।ମୁଢି ,ମୁଆଁ ,ଆଚାର ,ବଡ଼ି ,ବାଡ଼ିପିଜୁଳି ଇତ୍ୟାଦି ,ଆଉ ସବୁ ଥିଲା ବବଲୁ ର ପସନ୍ଦ ।କାନ୍ଦୁଥିଲା ମାଆ ,କାନ୍ଦୁଥିଲା ବଵଲୁ ।ଜାବୁଡ଼ି ଧରିଥିଲା ଜେଜେ ମାଆ ଙ୍କୁ।ହାତ ଧରି ଟାଣୁ ଥିଲା ମିଲି।ମାଆ ଠୁ ଦୂରେଇ ଯାଉଥିଲା ବବଲୁ ମାମା ପାଖକୁ ।ଏକ ମୁହାଁ ହେଇ ଚାଲୁଥିଲା ମିଲି। ବବଲୁ ଲୁହ ବତୁରା ଆଖିରେ ହାତ ବଢ଼େଇ ଥିଲା ଜେଜେ ମା ଆଡକୁ ।ମୁଁ ଭାଵ ପ୍ରବଣ ହୋଇପଡିଲି ।ମା କାନ୍ଦୁଥିଲା ।ଗାଡି ଯେତିକି ଦୂରେଇ ଯାଉଥିଲା ବଵଲୁ ସେତିକି ଯୋରରେ କାନ୍ଦୁଥିଲା ।ହାତ ତାର ଦୂରେଇ ଯାଉଥିଲା ‘ମାଆ’ ରୁ ‘ମାମା’ ପର୍ଯ୍ୟନ୍ତ

** ଆରତି ପଟ୍ଟଯୋଷି **

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.