🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ସହନ ଶକ୍ତିର ରହସ୍ୟ “🌻

free short stories on Patience
Reading Time: 4 minutes

ଶ୍ୱେତନଗର ଏକ ପାହାଡିଆ ଅଂଚଳରେ ଥିବା ସ୍ଥାନ । ଥରେ ପ୍ରବଳ ଶୀତ ପଡିଥାଏ । ଲୋକମାନେ ଘରୁ ବାହାରକୁ ବାହାରିପାରୁ ନଥା’ନ୍ତି । ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ କାମଦାମ ଆରମ୍ଭ କରନ୍ତି ଓ ସୂର୍ଯ୍ୟାସ୍ତ ହେବା ଆଗରୁ ଘରେ କବାଟ ଦେଇ ରହନ୍ତି । ଶୀତର ଏପରି ଭୟଙ୍କର ପ୍ରକୋପ ଥିଲା ଯେ ଗରୀବ, ଧନୀ ନିର୍ବିଶେଷରେ ସମସ୍ତେ କଷ୍ଟ ପାଉଥା’ନ୍ତି ।

ସେ ବର୍ଷ ପୁଣି ଯେପରି ଶୀତ ପଡିଥାଏ, ସେପରି ଶୀତ ଗତ କୋଡିଏ ବର୍ଷ ଭିତରେ କେବେବି ଜଣା ନଥିଲା ବୋଲି ବୁଢାଏଁ କହୁଥାନ୍ତି ।

ଭଗତସିଂହ ସେ ଅଂଚଳର ଜଣେ ଧନୀ ଓ ବିଶିଷ୍ଟ ବ୍ୟକ୍ତି ଥିଲେ । ତାଙ୍କର ସେତେବେଳକୁ ବୃଦ୍ଧାବସ୍ଥା । ଶୀତର ପ୍ରକୋପରେ ତାଙ୍କ ଦେହ ଏତେ କମ୍ପୁଥାଏ ଯେ ଯେତେ କମ୍ବଳ ରେଜେଇ ଘୋଡେଇ ହେଲେ ବି ଫଳ କିଛି ହେଲେବି ହେଉ ନଥାଏ । ଏଣେ ଦେହ ମଧ୍ୟ ଆଗରୁ ଅସୁସ୍ଥ ଥାଏ । ତାଙ୍କର ଏ ଅବସ୍ଥାର କିପରି ପ୍ରତିକାର କରିବାକୁ ହେବ ସେକଥା ପରିବାରର ସମସ୍ତିଙ୍କର ଚିନ୍ତାର ବିଷୟ ହୋଇ ପଡିଲା ।

ତାଙ୍କ ପୁଅ ଜିତେନ୍ଦ୍ର ଏବେ ଘରକଥା ସବୁ ବୁଝୁଥାଏ । ରାତିରେ ଭଗତବାବୁଙ୍କ ଦେହର ଅବସ୍ଥା ଖରାପ ହେବାରୁ ଜିତେନ୍ଦ୍ରର ମା’ କହିଲେ, “ପୁଅ, ମୁଁ ଭାବୁଛି ଏ ଭୟଙ୍କର ଶୀତର ପ୍ରକୋପରେ ତାଙ୍କୁ ଜର ଧରିଛି । ତୁ ବୈଦ୍ୟଙ୍କୁ ଶୀଘ୍ର ଡାକ ।”

ଜିତେନ୍ଦ୍ର କହିଲା “କିନ୍ତୁ ମା’, ଏବେ ଘର ବାହାରକୁ ପାଦ ଦେବାର କାହାର ସାହସ ଅଛି? ଯଦିବା କିଏ କଷ୍ଟ କରି ବୈଦ୍ୟ ପାଖକୁ ଯାଏ ତେବେ ତୁ କ’ଣ ଭାବୁଛୁ ବୈଦ୍ୟ ଏ ଶୀତରେ ଏଠାକୁ ଆସିବେ?”

ଜିତେନ୍ଦ୍ରର ମା’ କହିଲେ “ବୈଦ୍ୟ ଆସିବେ ନାହିଁ ସତ । କିନ୍ତୁ କିଏ ଏଠାରୁ ଯାଇ ରୋଗର ଲକ୍ଷଣ ତାଙ୍କୁ କହିଲେ ସେ ହୁଏତ କିଛି ଔଷଧ ପଠାଇ ଦେବେ!”

ଜିତେନ୍ଦ୍ର ଏକଥା ଉପରେ ଆଉ ଯୁକ୍ତି କରି ପାରିଲା ନାହିଁ । କିନ୍ତୁ ତା’ ନିଜର ମଧ୍ୟ ଦେହ ଭଲ ନଥାଏ । ମା ତାହା ଜାଣିଲେ ଆହୁରି ଉତ୍କଣ୍ଠିତ ହେବେ ବୋଲି ସେ ସେକଥା ତାଙ୍କୁ ମୋଟେ କହୁ ନଥାଏ । କିନ୍ତୁ ଏ ଦାଋଣ ଥଣ୍ଡାରେ ବାହାରକୁ ଗଲେ ଯେ ତା’ ନିଜ ଅବସ୍ଥା ଅସମ୍ଭାଳ ହେବ, ଏଥିରେ ତା’ର କୌଣସି ସନ୍ଦେହ ନଥାଏ ।

ବୈଦ୍ୟଙ୍କ ଘରକୁ ପାଇଁ ସମସ୍ତଙ୍କୁ କୁହାଗଲା । କିନ୍ତୁ କେହି ବି ବାହାରିଲେ ନାହିଁ । ଚାକରମାନେ ମଧ୍ୟ ମନା କଲେ । ଜିତେନ୍ଦ୍ର ରାଗିଯାଇ ଗୋପାଳ ନାମକ ଏକ ଚାକରକୁ ଧମକାଇ କହିଲା, “ତୁ ଆଜି ବୈଦ୍ୟ ଘରକୁ ନ ଗଲେ ଏଠାରେ ଆଉ ଚାକିରୀ କରିପାରିବୁ ନାହିଁ ।” ବାଧ୍ୟ ହୋଇ ନିଜର ଅନିଚ୍ଛା ସତ୍ତ୍ୱେ ଗୋପାଳ ବାହାରିଲା ।

କବାଟ ଖୋଲିବାକୁ ଯିବା ମାତ୍ରେ ସେ ଦେଖିଲା ଜଣେ ଭିକାରୀ କହୁଛି, “ଭାଇ, କିଛି ଖାଇବାକୁ ଦିଅ ।” ଭିକାରୀଟି ନାମକୁ ମାତ୍ର ଖଣ୍ଡେ ଛିଣ୍ଡା କନା ପିନ୍ଧିଛି । ସାରା ଦେହ ତା’ର ଫୁଙ୍ଗୁଳା । ହାତରେ ମାଟିର ଭିକ୍ଷାପାତ୍ର ସେ ଧରିଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ସେହି ଭୟଙ୍କର ଶୀତରେ ସେ ନିର୍ବିକାର ହୋଇ ଠିଆ ହୋଇଥାଏ, ଦେହ ତା’ର ଟିକିଏ ବି ଥରୁ ନଥାଏ
ଏ ଦୃଶ୍ୟ ଦେଖି ଗୋପାଳ ଦୌଡି ଦୌଡି ଭିତରକୁ ଯାଇ ଜିତେନ୍ଦ୍ରକୁ କହିଲା, “ବାବୁ, ଆମର ବୈଦ୍ୟଙ୍କ ପାଖକୁ ଯିବା ଆଉ କିଛିବି ଦରକାର ନାହିଁ । ଜଣେ ସାଧୁ ଆସି ଆମ ଦ୍ୱାରରେ ଛିଡା ହୋଇଛନ୍ତି । ତାଙ୍କର ଅଦ୍ଭୁତ ମହିମା । ଏ ଭୟଙ୍କର ଶୀତରେ ଖାଲି ଦେହରେ ନିର୍ବିକାର ହୋଇ ସେ ଠିଆ ହୋଇଛନ୍ତି ।”

ଏହି ଖବର ଶୁଣି ଜିତେନ୍ଦ୍ର ଦେଖିବାକୁ ଦୌଡି ଆସିଲା । ଭିକାରୀ ତାକୁ ଦେଖି କହିଲା, “ବାବୁ, ମୁଠାଏ ଖାଇବାକୁ ଦିଅ । ମୁଁ କ୍ଷୁଧାର୍ତ୍ତ ।”

ଜିତେନ୍ଦ୍ର ଭିକାରୀକୁ ଚାହିଁ କହିଲା, “ମୋ ବାପା ଜର ଓ ଥଣ୍ଡାରେ କମ୍ପୁଛନ୍ତି । ତୁମେ ଯଦି ତାଙ୍କୁ ଭଲ କରିଦେବ ତେବେ ମୁଁ ତମକୁ ବହୁତ ଖାଦ୍ୟ ଦେବି ।”

ଭିକାରୀ କହିଲା, “ଏତେ ବଡ ସର୍ତ୍ତ କାହିଁକି ବାବୁ? ମୁଁ ତ ସାମାନ୍ୟ ଭିକାରୀ । ଜଡି ବୁଟି କ’ଣ ମୁଁ ଜାଣିନାହିଁ ।”

ଜିତେନ୍ଦ୍ର କିଛି ସମୟ ଭାବି କହିଲା, “ତେବେ ଦେଖ, ଆଉ ଗୋଟିଏ କାମ କରିଦିଅ । ପାଖ ଗଳିରେ ବୈଦ୍ୟ ରହୁଛନ୍ତି । ମୁଁ ଚିଠିଟିଏ ଲେଖି ଦେଉଛି । ତମେ ସେଠାକୁ ଯାଇ ମୋ ବାପାଙ୍କ ପାଇଁ କିଛି ଔଷଧ ନେଇ ଆସ ।”

ଭିକାରୀ କହିଲା “ଏବେ ମୋ ଶରୀର ଅତ୍ୟନ୍ତ ଅବସନ୍ନ ଓ କ୍ଳାନ୍ତ । ଟିକିଏ ଯଦି ଖାଇପିଇ ସୁସ୍ଥ ହୁଅନ୍ତି ତେବେ ମୁଁ ଅବଶ୍ୟ ସେଠାକୁ ଯା’ନ୍ତି ।”

ଜିତେନ୍ଦ୍ର କହିଲା “ଭାଇ, ଟିକିଏ ଭାବି ଦେଖ, ତମେ ଔଷଧ ନିହାତି ଯଦି ନ ଆଣିବ ତେବେ ମୁଁ ଆଉ କାହାକୁ ପଠାଇବି ।” କାରଣ ଜିତେନ୍ଦ୍ର ଭାବୁଥିଲା ଭିକାରୀ ଯଦି ଆଗ ଖାଇଦେବ ତେବେ ସେ ସେଠାକୁ ଯିବାଲାଗି କେବେବି ମଙ୍ଗିବ ନାହିଁ ।

ଭିକାରୀ ଖାଇବା ଆଶାରେ ବାଧ୍ୟ ହୋଇ ଯିବା ପାଇଁ ରାଜି ହେଲା । ଜିତେନ୍ଦ୍ର ରୋଗର ସବୁ ଲକ୍ଷଣ କାଗଜରେ ଲେଖି ଦେଲା ଓ କହିଲା, “ବୈଦ୍ୟଙ୍କଠାରୁ ଉତ୍ତର ଲେଖାଇ ଆଣିବ ।” କାରଣ, ଜିତେନ୍ଦ୍ରର ମନରେ ପୁଣି ଆଶଙ୍କା ହେଲା, ଲୋକଟି ରାସ୍ତାରୁ ମାଟିର ଗୁଲି ବନାଇ ଔଷଧ ବୋଲି ନେଇ ଆସିବ ନାହିଁ ତ?

ଭିକାରୀ ଯିବା ପରେ ଜିତେନ୍ଦ୍ର ବାପାଙ୍କ ଚିକିତ୍ସା କଥା ଭାବି ଖୁସି ହେଲା ଓ ମା, ଭାଇଭଉଣୀ ସହ କଥାବାର୍ତ୍ତା କଲା । ଜିତେନ୍ଦ୍ରର ମା’ କହିଲେ ଏପରି କ୍ଷୁଧାରେ, ଖାଲି ଦେହରେ ଏଇ ଭୟାନକ ଶୀତରେ ଯିବା ଆସିବା ଅସମ୍ଭବ । ସେମାନେ ଏକ ପ୍ରକାର ଚେର ପାଟିରେ ରଖିଥା’ନ୍ତି, ଯଦ୍ୱାରା ସେମାନଙ୍କୁ ଥଣ୍ଡା ଲାଗେ ନାହିଁ । ସେ ଫେରିଆସୁ ତା’ଠାରୁ ତାହା କି ଚେର ପଚାରିବା ।”

ଜିତେନ୍ଦ୍ର କହିଲା, “ସେ ଜଡିବୁଟି ଚେରମୂଳ ଜାଣୁ ବା ନ ଜାଣୁ ତା’ପରି ଜଣେ ସହନଶୀଳ ବ୍ୟକ୍ତିକୁ ଚାକର ଭାବେ ରଖିବା ଦରକାର । କେଡେ ବିପଦରେ ସେ ଆଜି ଆମକୁ ସାହାଯ୍ୟ କଲା!”

କଥାବାର୍ତ୍ତା ହେବା ଭିତରେହିଁ ଭିକାରୀ ଔଷଧ ଧରି ଲେଉଟି ଆସିଲା । ଔଷଧ ଖାଇ ବୁଢା ଆରାମ୍ରେ ଶୋଇଗଲେ ।

ଇତିମଧ୍ୟରେ ଜିତେନ୍ଦ୍ରର ସ୍ତ୍ରୀ କମଳା ସେ ଭିକାରୀକୁ ପେଟଭରି ଖୁଆଇଲା । ଖାଇବା ପରେ ସେ ପଚାରିଲା, “ତମେ କ’ଣ ଗାଈ ଦୁହିଁ ଶିଖିଛ?”

ଭିକାରୀ କହିଲା “ହଁ ମା’ ଜାଣେ,”

ଶୀତ ଯୋଗୁଁ ଚାରୋଟି ଦୁଧିଆଳୀ ଗାଈଙ୍କୁ କେହିବି ଦୁହିଁ ପାରୁ ନାହାଁନ୍ତି । କମଳା ଲୋଟା ଓ ବାଲ୍ଟି ନେଇ କହିଲା, “ଯାଅ, ଦୁଧ ଦୁହିଁ ଆଣ ।”

ଭିକାରୀ ଲୋଟା ବାଲ୍ଟି ନେଇ ପୁଣି ଦୁଧ ଦୁହିଁ ଆଣିଲା । ଏକଥା ଦେଖି ସମସ୍ତେ ଖୁସି । ବହୁତ ଶୀଘ୍ର କାମ କରୁଛି ଓ ଶୀତ ଖୁବ୍ ସହି ପାରୁଛି । ଜିତେନ୍ଦ୍ରର ମା’ ପଚାରିଲେ, “ତୋର ନାମ କ’ଣ?”

ଉତ୍ତର ଆସିଲା “ମୋହନ” ।

ତା’ପରେ ମୋହନକୁ ଶୋଇବା ପାଇଁ ଏକ ସପ ଦିଆଗଲା । ଶୋଇବା ବେଳକୁ ସେ ଜିତେନ୍ଦ୍ରଙ୍କ ମା’ଙ୍କୁ କହିଲା, “ମା’, ମୋତେ ଘୋଡାଇ ହେବାକୁ କିଛି ଦିଅ ।”

ଜିତେନ୍ଦ୍ରର ମା’ କହିଲେ, “ବାହାର ପିଣ୍ଡାରେ କମ୍ବଳଟାଏ ଶୁଖୁଛି ନେଇ ଆସି ଘୋଡାଇ ହୋଇପଡ ।”

ସେତିକିବେଳେ ଝଲକାଏ ଶୀତ ପବନ ପଶି ଆସି ପଞ୍ଜରା ଥରାଇ ଦେଲା ।

ମୋହନ କହିଲା, “ଘର ଭିତରେ ଯଦି କୌଣସି କମ୍ବଳ ଥାଏ ତାହାହେଲେ ମୋତେ ଦିଅ । ବର୍ତ୍ତମାନ ବାହାର ପିଣ୍ଡାକୁ ଯାଇ ହେଉନି ।”

ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ, ତୁମକୁ ବି ଥଣ୍ଡା ଲାଗୁଛି?”

ମୋହନ କହିଲା “ବାବୁ ଆପଣ ଏ କ’ଣ କହୁଛନ୍ତି? ଗରୀବ ହେଉ ବା ଧନୀ ହେଉ, ଥଣ୍ଡା କାହାକୁ ନ ଲାଗିବ?”

ଜିତେନ୍ଦ୍ର କହିଲା “ତମେ ଯେତେବେଳେ ବୈଦ୍ୟ ପାଖକୁ ବାହାରକୁ ଗଲ ଓ ଦୁଧ ଦୁହିଁବାକୁ ଗଲ ସେତେବେଳେ ଥଣ୍ଡା ଲାଗୁ ନଥିଲା?”

ମୋହନ କହିଲା “ବାବୁ, ସେକଥା ମୁଁ କିଛି ଜାଣିନାହିଁ । କେତେଦିନ ହେବ ଭୋକ ଉପାସରେ ଥିଲି । ତେଣୁ ସେତେବେଳେ ଭୋକର କଷ୍ଟହିଁ ସବୁଠାରୁ ଅଧିକ ଥିଲା । ତେଣୁ ଶୀତର ପ୍ରକୋପ ଏତେଟା ବାଧୁ ନଥିଲା । ଆଉ ଦୁଧ ଦୁହିଁବା ବେଳେ ଶୀତ ଲାଗିଲେ ମଧ୍ୟ କୃତଜ୍ଞତା ସ୍ୱରୂପ ସେ କାମ ମୁଁ କଲି । କାରଣ ତା’ ପୂର୍ବରୁ ମା’ ମୋତେ ପେଟଭରୀ ଖାଇବାକୁ ଦେଇଥିଲେ । ତେଣୁ ତାଙ୍କ କଥା ମାନି ଦୁଧ ଦୁହିଁଦେଲି ।”

ଏପରି ଉତ୍ତର ଶୁଣି ଜିତେନ୍ଦ୍ର ମନରେ ଏକ ନୂଆ ଭାବନା ଆସିଲା । ସେ ଭାବିଲା, କ୍ଷୁଧାର ଜ୍ୱାଳାରେ ସେ ଶୀତର ପ୍ରକୋପ ଭୁଲିଗଲା । ପୁଣି କୃତଜ୍ଞତାର ଭାବ ଯୋଗୁଁ ସେ ଶୀତକୁ ଖାତିର୍ କଲା ନାହିଁ । କିନ୍ତୁ ନିଜ ପାଇଁ କମ୍ବଳର ଦରକାର ବେଳେ ତାକୁ ଶୀତର ପ୍ରକୋପ ଜଣାଗଲା । ତା’ ଆଗରେ ମୋହନର ଉତ୍ତମ ସ୍ୱଭାବହିଁ ପ୍ରକଟ ହେଲା । ତା’ ଭିତରେ କୃତଜ୍ଞତା ଓ ସ୍ପଷ୍ଟବାଦୀତା ଥିଲା । ତଥାପି ବି ଜିତେନ୍ଦ୍ର ମନରେ ଏକ ଛୋଟ ସନ୍ଦେହ ରହିଗଲା ।

ସେ ମୋହନକୁ ପଚାରିଲା, “ଆଚ୍ଛା କ୍ଷୁଧା ଯେତେ ବେଶି ହେଉ ବା କୃତଜ୍ଞତା ଯେତେ ବେଶି ହେଉ ଶରୀରର ପୁଣି ତ ସହ୍ୟ କରିବାର ଶକ୍ତି ଅଛି । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁ ଶୀତରେ ରକ୍ତ ଜମାଟ ବାନ୍ଧିଯିବ ତାକୁ ତୁମେ କିପରି ସହ୍ୟ କରି ପାରିଲ?”

ମୋହନ ଏବେ ଅଳ୍ପ ହସି କହିଲା, “ବାବୁ, ଯାହାଙ୍କ ପାଖରେ ସବୁ ପ୍ରକାରର ସୁଖସୁବିଧା ଅଛି, ସେମାନେ ଶୀତ ଦେଖି ବେଶି ଡରନ୍ତି । ମୋ ମତରେ ଏ ଶୀତ ଏତେବି ଉତ୍କଟ ନୁହେଁ ଯେ ମଣିଷ କାମଧନ୍ଦା ଛାଡି ବସିବ । ତା’ଛଡା ଏ ଭୟଙ୍କର ଶୀତରୁ ରକ୍ଷା ପାଇବା ପାଇଁ ଯେତେବେଳେ ମୋ ପାଖରେ କିଛି ନାହିଁ, ସେତେବେଳେ ମୁଁ ମୋର ମାନସିକ ଶକ୍ତି ପ୍ରୟୋଗ କରେ । ବାସ୍, ଏହାହିଁ ମୋର ସହନଶକ୍ତିର ଅନ୍ତର୍ନିହିତ ରହସ୍ୟ ।”

ଜିତେନ୍ଦ୍ର ସବୁ ବୁଝିଗଲା । ସେହିଦିନଠାରୁ ଘରଲୋକେ ମଧ୍ୟ ସମସ୍ତେ ଶିଖିଗଲେ ଯେ ଚେଷ୍ଟାକରି ଅନେକ କିଛି ସହି ନିଆ ଯାଇ ପାରେ । ଚାକରମାନଙ୍କର ମଧ୍ୟ ଆଳ କାଢିବା ଅଭ୍ୟାସ ସେହିଦିନଠୁଁ ବନ୍ଦ ହୋଇଗଲା । ଆଉ ଏ ମୋହନ ସେ ଘରର ଜଣେ ସାଧାରଣ ସେବକ ନ ହୋଇ ପରିବାରର ଜଣେ ବିଶ୍ୱସ୍ତ ଓ ଘନିଷ୍ଠ ବ୍ୟକ୍ତି ଭାବରେ ରହିଲା ।

 

🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଦଗା! “🌻

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.