free short stories inspirational moral stories

🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଦଗା! “🌻

janhamamun story
Reading Time: 4 minutes

ଜଣେ ନବାବ୍ ଥିଲେ । ତାଙ୍କର ସୁନ୍ଦରୀ କନ୍ୟାଟିଏ ଥିଲେ । ଖାଲି ସୁନ୍ଦରୀ ନୁହେଁ, ସେ ଯୁଦ୍ଧ ବିଦ୍ୟାରେ, ଘୋଡା ଚଢିବାରେ, ତୀର ଚାଳନାରେ ବି ଧୁରନ୍ଧର ଥିଲେ । ନବାବ୍ଙ୍କର ପୁଅ ନଥିଲେ ବୋଲି ପୁଅପିଲା ଯେଉଁ ସବୁ ବିଦ୍ୟା ଶିଖିବା ସ୍ୱାଭାବିକ, କନ୍ୟା ବା ଶାହ୍ଜାଦୀ ସେସବୁ ଶିଖି ନେଇଥିଲେ ।

ଶାହ୍ଜାଦୀଙ୍କ ବିଭା ହେବା ବୟସ ହେଲା । ନବାବ୍ ପାତ୍ର ଖୋଜିଲେ । ଶାହ୍ଜାଦୀ କହିଲେ, “ବାବା, ତମେ ଏଣୁତେଣୁ ଜଣେ ନବାବ୍ ବା ସୁଲତାନ୍ର ପୁଅଟିଏ ଯୋଗାଡ କରି ଆଣିଲେ ମୋଟେ ଚଳିବ ନାହିଁ । ମୋତେ ଯିଏ ବିଭା ହେବ, ସେ ଯୁଦ୍ଧ ବିଦ୍ୟା, ଅସ୍ତ୍ରଚାଳନା, ଘୋଡାଚଢା ଇତ୍ୟାଦିରେ ଅନ୍ତତଃ ମୋର ସମକକ୍ଷ ହୋଇଥିବ ବା ମୋଠାରୁ ଅଧିକ ଗୁଣୀ ହୋଇଥିବା ଏକାନ୍ତ ଆବଶ୍ୟକ ।”

ନବାବ୍ ପଚାରିଲେ “ଆରେ ଝିଅ, ସେମିତି କିଏ ଥିବ, ତାକୁ କେମିତି ଖୋଜି ବାହାର କରିବା?”

ଶାହ୍ଜାଦୀ କହିଲେ “ବାବା, ସେଥିରେ ଅସୁବିଧାଟା କ’ଣ? ସର୍ବସାଧାରଣ ଏବଂ ଆଖପାଖର ରାଜ୍ୟମାନଙ୍କୁ ଜଣାଇଦିଅ କି ଯିଏ ମୋତେ ବିଭା ହେବାକୁ ମନ ବଳାଇବ ସିଏ ଆସି ମୋ ସହ ଏସବୁ ବିଷୟରେ ପ୍ରତିଯୋଗିତାରେ ଭାଗ ନେବ । ଯଦି ମୋତେ ପରାଜିତ କରି ପାରିବ, ତେବେ ଯାଇ ବିଭା ହେବ!”

ନବାବ୍ ବୁଝାଇ ଦେଲେ “ଝିଅ! ତୁ ବୁଝିପାରୁ ନାହୁଁ । ଏଥିରେ ବହୁତ ଅସୁବିଧା ଅଛି । ଯିଏ ମନ ସିଏ ଆସି ପ୍ରତିଯୋଗିତାରେ ଭାଗ ନେବାକୁ ଚାହିଁବ । ସେ ହାରି ଯାଉ ବରଂ, କିନ୍ତୁ ତୋ ସହ ଲଢିଥିଲା, ଏହିକଥାରେ କ’ଣ କମ୍ ଗର୍ବିତ ହେବା କଥା?”

ଶାହ୍ଜାଦୀ ପ୍ରସ୍ତାବ ଦେଲେ “ବାବା, ସେ ଅବସ୍ଥାର ପ୍ରତିକାର ମଧ୍ୟ ମୁଁ ସ୍ଥିର କରି ରଖିଛି । ତମେ ସଙ୍ଗେ ସଙ୍ଗେ ଏକଥା ବି ଘୋଷଣା କରିବ କି ଯିଏ ହାରିଯିବ, ତା’ ଘୋଡା ଓ ଅସ୍ତ୍ର ବ୍ୟାଜ୍ୟପ୍ତ ହେବ । ଖାଲି ସେତିକି ନୁହେଁ, ତା’ ପିଠିରେ ମୋ ନାମ ଛେଙ୍କା ଦେଇ ଲେଖିଦିଆଯିବ!”

ନବାବ୍ଙ୍କ ମନକୁ କଥାଟି ଏଥର ବେଶ୍ ପାଇଲା । ଶାହ୍ଜାଦୀଙ୍କ ପ୍ରସ୍ତାବ ଅନୁସାରେ ଘୋଷଣା କରିଦିଆ ଗଲା ।

ତଥାପି ମଧ୍ୟ ଅନେକ ଯୁବକ ଆସିଲେ । ଘୋଡା ଦୌଡରେ, ଅସୀ ଚାଳନାରେ, ତୀର ମାରିବାରେ ଓ ଘୋଡାରେ ଚଢି କଂଟକିତ ଗଦା ସାହାଯ୍ୟରେ ଯୁଦ୍ଧ କରିବାରେ – ଏମିତି କେତେ ବିଷୟରେ ପ୍ରତିଯୋଗିତା ହେଉଥାଏ । ଅଧିକାଂଶ ଯୁବକ ପ୍ରଥମ ଗୋଟାଏ ଦୁଇଟା ବିଷୟରେହିଁ ହାରି ଯାଉଥାନ୍ତି । ଚାରିଜଣ ପ୍ରକାଣ୍ଡ ମଣିଷ ପ୍ରସ୍ତୁତ ହୋଇ ରହିଥାନ୍ତି ଦୌଡିଯାଇ ପରାଜିତ ପ୍ରାର୍ଥୀକୁ ମାଡି ବସି ତା’ ହାତ ପଛକୁ କରି ବାନ୍ଧି ଦେଉଥାନ୍ତି ଓ ପିଠିରେ ତତଲା ଲୁହାରେ ଶାହ୍ଜାଦୀଙ୍କ ନାମ ଲେଖି ଦେଉଥାନ୍ତି ।

ଲୋକେ ସବୁଦିନେ ସେଠାରେ ଜମା ହୋଇ ପ୍ରତିଯୋଗିତା ଉପଭୋଗ କରୁଥାନ୍ତି ।

ଦିନେ ବହୁ ଦୂରରୁ ଜଣେ ରାଜପୁତ୍ର ଆସି ନବାବଙ୍କୁ ଭେଟିଲେ ଓ ସେ ସେହି ପ୍ରତିଯୋଗିତାରେ ଭାଗନେବେ ବୋଲି କହିଲେ । ରାଜପୁତ୍ରଙ୍କ ପିତା ନବାବ୍ଙ୍କର ମିତ୍ର ଥିଲେ। ନବାବ୍ ରାଜପୁତ୍ରଙ୍କ ଆଚାର ବ୍ୟବହାରରେ ମୁଗ୍ଧ ହୋଇ କହିଲେ, “ପୁଅ, ତମେ ତ ମୋ ଝିଅର ସର୍ତ୍ତ ଜାଣିଛ । ଯଦି ପରାସ୍ତ ହେବ, ତମ ପିଠିରେ ତା’ ନାମ ଲେଖା ହେବ । ତମେ ତମ ରାଜ୍ୟରେ ଭବିଷ୍ୟତର ରାଜା । ଏଭଳି ହିନସ୍ତା ହେବା ତମ ପକ୍ଷରେ ଆଦୌ ଭଲ ହେବନାହିଁ ପରା!”

କିନ୍ତୁ ରାଜପୁତ୍ର କହିଲେ, “ଜାହାଁପନା! ମୁଁ କାହିଁକି ପରାସ୍ତ ହେବି? ମୁଁ ତ ସବୁ ବିଦ୍ୟାରେ ପାରଙ୍ଗମତା ଲାଭ କରିଛି । ଏଣୁ ମୋର ଆଶା ମୁଁ ଜିତିଯିବି ।”

ନବାବ୍ ପଚାରିଲେ “ଆଉ ଯଦି ଜିତି ନ ପାରିବ?”

ରାଜପୁତ୍ର ଗମ୍ଭୀର ହୋଇ କହିଲେ, “ନ୍ୟାୟସଙ୍ଗତ ପ୍ରତିଯୋଗିତାରେ ମୁଁ ଜିତିବି । ଯଦି ପ୍ରତାରଣା ଯୋଗୁଁ ହାରିବି, ତେବେ…” ରାଜପୁତ୍ର ହସିଲେ ।

ନବାବ୍ ସନ୍ତୁଷ୍ଟ ହେଲେ । ପ୍ରତିଯୋଗିତା ଆରମ୍ଭ ହେଲା । ଖୁବ୍ ଅଳ୍ପ ସମୟ ଭିତରେ ଶାହ୍ଜାଦୀ ବୁଝିପାରିଲେ ଯେ ଏଥର ସିଏ ଯାହଙ୍କ ସହ ଲଢୁଛନ୍ତି, ସିଏ ଜଣେ ଅସାଧାରଣ କୌଶଳୀ ଯୋଦ୍ଧା । ତତ୍ସଙ୍ଗେ ସଙ୍ଗେ ସେ ଭଦ୍ର ମଧ୍ୟ । କାରଣ ଯେତେବେଳେ ଘୋଡାରେ ଚଢି ପରସ୍ପର ଆକ୍ରମଣ କଲାବେଳେ ଶାହ୍ଜାଦୀ ଅଡୁଆ ଅବସ୍ଥାରେ ପଡୁଛନ୍ତି, ସେତେବେଳେ ରାଜପୁତ୍ର ତାଙ୍କର ସେ ଅବସ୍ଥାର ସୁଯୋଗ ନେଇ ତାଙ୍କୁ ହରାଇଦେବା ପରିବର୍ତ୍ତେ ଅପେକ୍ଷା କରୁଛନ୍ତି । ଶାହ୍ଜାଦୀ ସମ୍ଭାଳିଯିବା ପରେ ଯାଇ ପୁଣି ଲଢୁଛନ୍ତି ।

ରାଜପୁତ୍ରଙ୍କ ଏପ୍ରକାର କୃତିତ୍ୱ ଦେଖି ଦର୍ଶକମାନେ ପ୍ରବଳ ଉତ୍ସାହରେ ତାଙ୍କର ଜୟଧ୍ୱନି କରିବାକୁ ଲାଗିଲେ । ସେଥିରେ ଶାହ୍ଜାଦୀ ଘୋର୍ ଅପମାନ ଅନୁଭବ କଲେ । ସେ ନିଜକୁ ସେହି ପରିସ୍ଥିତିରୁ ରକ୍ଷା କରିବା ନିମନ୍ତେ ଗୋଟାଏ କୌଶଳ କଲେ । ହଠାତ୍ ରାଜପୁତ୍ରଙ୍କ ଆଡେ ଅନାଇ ସେ ମୃଦୁ ହସିଦେଲେ । ରାଜପୁତ୍ର ଭାବିଲେ, ସେ ବୋଧହୁଏ କିଛି କହିବାକୁ ଚାହୁଁଛନ୍ତି । ତେଣୁ ସେ ଅସ୍ତ୍ର ସମ୍ବରଣ କଲେ । ସେହି ମୁହୂର୍ତ୍ତରେ ଶାହ୍ଜାଦୀ ତାଙ୍କୁ ଘୋଡାରୁ ପକାଇ ଦେଲେ ।

ସଙ୍ଗେ ସଙ୍ଗେ ଚାରି ବଳବାନ ଲୋକ ଯାଇ ରାଜପୁତ୍ରଙ୍କୁ ମାଡି ବସି କାବୁ କଲେ ଓ ତାଙ୍କ ପିଠିରେ ଶାହ୍ଜାଦୀଙ୍କ ନାମ ଲେଖିଦେଲେ । ରାଜପୁତ୍ର ଉଠି ବସି ଆଉ କୁଆଡେ ନ ଅନାଇ ନିଜ ଶିବୀରକୁ ପଳେଇଗଲେ ।

ନବାବ୍ ଶାହ୍ଜାଦୀଙ୍କୁ କହିଲେ, “ଝିଅ, ତୁ ଆଉ କିଛି ଅନ୍ୟାୟ ମାର୍ଗରେ ରାଜପୁତ୍ରଙ୍କୁ ହରାଇ ନାହୁଁ ତ?”

ଶାହ୍ଜାଦୀ ଜବାବ୍ ଦେଲେ “ନା, ନା, ଅନ୍ୟାୟ କ’ଣ?” କିନ୍ତୁ ତାଙ୍କ ମନରେ ସୁଖ ନଥାଏ । ସେ ଯେ ଅନ୍ୟାୟ କରିଛନ୍ତି, ସେକଥା ତ ତାଙ୍କୁ ଆଉ ଅଜଣା ନଥିଲା!

ଏହା ପରେ ଆଉ କୌଣସି ପ୍ରାର୍ଥୀ ସେହି ପ୍ରତିଯୋଗିତା ପାଇଁ ଆସିଲେ ନାହିଁ । ରାଜପୁତ୍ରଙ୍କୁ ପ୍ରବଂଚନା କରି ହରାଇଥିବା ହେତୁ ଶାହ୍ଜାଦୀ ବି ଅନେକ ସମୟ ବିମର୍ଷ ରହୁଥାନ୍ତି । ସଖିମାନଙ୍କ ସହ ଉଦ୍ୟାନରେ ସେ ବୁଲୁଥାନ୍ତି ।

ଦିନେ ଉଦ୍ୟାନର ଗୋଟାଏ କୋଣରେ ଜଣେ ବୁଢା ବସିଥିବାର ସେମାନେ ଦେଖିଲେ । ବୁଢା ତା’ ଆଗରେ ଗୁଡାଏ ଦୁର୍ମୂଲ୍ୟ ହୀରାଖଣ୍ଡ ଠୁଳ କରିଥାଏ ।

କୌତୁହଳୀ ଶାହ୍ଜାଦୀ ସେହି ବୁଢା ପାଖକୁ ଯାଇ ପଚାରିଲେ, “ଏସବୁ କ’ଣ ବିକିବ?”

ବୁଢା କହିଲା “ନା, ମୋତେ ଯିଏ ବିଭା ହେବ, ତାକୁ ମୁଁ ଏସବୁ ଦେବି ।”

ସମସ୍ତେ ହସି ଉଠିଲେ । ବୁଢା! ତମର ପୁଣି ଏ ଅବସ୍ଥାରେ ବିଭା ହେବାକୁ ସଉକ୍ କାହିଁକି ହେଲା?”

“ସଉକ୍ ହେଲା ସଉକ୍! ତମକୁ କିଏ ବାଧ୍ୟ କରୁଛି? ବିଭା ବୋଇଲେ ଆଉ କିଛି ନୁହେଁ । ଖାଲି ମୋ ସାଙ୍ଗରେ ଥରେ ଘୋଡାରେ ଚଢି ଏ ଗଛ ଚାରିପଟେ ବୁଲି ଆସିବାକୁ ହେବ । ମୋ କାଜୀ ଏଇଠି ଅଛନ୍ତି । ସିଏ ବାହା କରାଇ ଦେବେ । ଘୋଡାଚଢା ପରେ ପୁଣି ବାହାଘର ବିଧିବଦ୍ଧ ଭାବରେ ରଦ୍ଦ କରିଦେବେ ।”

ଶାହ୍ଜାଦୀ ତାଙ୍କ ସଖିମାନଙ୍କୁ କହିଲେ, “କିଏ ରାଜି ଅଛ?” ସମସ୍ତେ ରାଜି ଥିଲେ । ଏହା ମଜା ଲାଗୁଥିଲା । ପୁଣି ଏତେ ହୀରା ମିଳିବ!

ଜଣେ ସେଉଠୁ ବାହାରି ପଡିଲେ । କାଜୀ ବୁଢା ପଛରେ ବସିଥିଲେ । ବାହାଘର କରେଇ ଦେଲେ । ବୁଢା କୌଣସି ମତେ ଘୋଡାରେ ଚଢିଲା । ମୁହୂର୍ତ୍ତକର ପତ୍ନୀ ତା’ ପାଖରେ ବସିଲା । ଗଛ ଚାରିପଟେ ଥରେ ବୁଲି ଆସି ବୁଢା କହିଲା, “ତାଲାକ୍!” କାଜୀ ବି କହିଦେଲେ, “ବାହାଘର ରଦ୍ଦ ହେଲା ।” ହୀରାତକ ଝିଅଟିକୁ ମିଳିଗଲା ।

ପରଦିନ ଦେଖିବା ବେଳକୁ ବୁଢା ପୁଣି ପୁଳାଏ ହୀରା ଧରି ସେଠାରେ ବସିଛି । ସେଦିନ ଆଉ ଜଣେ ସଖି ବୁଢାକୁ ମୁହୂର୍ତ୍ତକ ପାଇଁ ବିଭା ହୋଇ ହୀରାତକ ପାଇଲା । ଚାରିଦିନରେ ଚାରି ସଖି ଏମିତି ଲାଭବାନ୍ ହେଲେ ।

ପଂଚମଦିନ ଶାହ୍ଜାଦୀ ଏକୁଟିଆ ସେହି ଉଦ୍ୟାନ ଭିତରକୁ ଯାଇ ଦେଖିବା ବେଳକୁ ସବୁଠାରୁ ସୁନ୍ଦର ହୀରା ସେହିଦିନ ପାଇଁ ରହିଛି । ଆଖପାଖରେ କେହିବି ନଥିଲେ । ଶାହ୍ଜାଦୀ କହିଲେ, “ଆସ । ମୁଁ ଆଜି ତମକୁ ବିଭା ହେବି ।”

କାଜୀ ବିଭା କରାଇ ଦେଲେ । ଦୁହେଁ ଘୋଡାରେ ଚଢିଲେ । ମୁହୂର୍ତ୍ତକ ଭିତରେ ବୁଢା ଘୋଡା ଝପଟାଇ ଉଦ୍ୟାନ ଟପି ବିଜୁଳି ବେଗରେ ଯାଇ ନିଜ ଶିବୀରରେ ପହଁଚିଲା।

ରାଜକୁମାରୀ ଲଜ୍ଜା ଓ ବିସ୍ମୟରେ ପଚାରିଲେ, “ଇଏ କ’ଣ?”

“ତମକୁ ତାଲାକ୍ ଦେବାର ଇଚ୍ଛା ମୋର ନାହିଁ । ମୁଁ ବିଧିବଦ୍ଧ ଭାବରେ ବିବାହ କରିଛି । ଆଜିଠାରୁ ତମେ ମୋ ସ୍ତ୍ରୀ ହୋଇ ରହିଲ ।” ଏହି ଉତ୍ତର ଦେଇ ବୁଢା ସଙ୍ଗେ ସଙ୍ଗେ ତା’ର ମିଛ ଦାଢୀ ଖୋଲି ଦେଲା । ମୁହଁରୁ ରଙ୍ଗ ଉଠାଇ ଦେଲା । ଦେଖିବା ବେଳକୁ ସେ ସେହି ରାଜପୁତ୍ର ।

ଏଣେ ଶାହ୍ଜାଦୀଙ୍କ ମନରେ ଉଲ୍ଲାସ ଫିଟି ଉଠିଲା । କିନ୍ତୁ ସେ ତାହା ନ ଦେଖାଇ କହିଲେ, “ତମେ ମୋତେ ଦଗାଦେଇ ବିଭା ହୋଇଛ!”

ରାଜପୁତ୍ର ପଚାରିଲେ “ତମେ ମୋତେ ଦଗା ଦେଇ ସେଦିନ ହରାଇ ନଥିଲ?”

ଶାହ୍ଜାଦୀ ଆଉ କିଛିବି ଉତ୍ତର ଦେଇ ପାରିଲେ ନାହିଁ । ରାଜପୁତ୍ର ପୁଣି କହିଲେ, “ମୋ ପିଠିରେ ତମ ନାମ ଲେଖାଇବାର କିଛିବି ଦରକାର ନଥିଲା । ମୋ ହୃଦୟରେ ତମେ ରହିଛ ।” ଏକଥା ଶୁଣି ଶାହ୍ଜାଦୀ ଲଜ୍ଜାରେ ତାଙ୍କ ମୁହଁ ତଳକୁ କଲେ ।

ରାଜପୁତ୍ର ନବାବ୍ଙ୍କ ପାଖକୁ ସମ୍ବାଦ ପଠାଇଲେ । ନବାବ୍ ନିଜେ ଆସି ଉଭୟଙ୍କୁ ପ୍ରାସାଦକୁ ନେଇଗଲେ । ତାଙ୍କ ଆନନ୍ଦର କୌଣସି ସୀମା ନଥାଏ । ମହାସମାରୋହରେ ଦୁଇ ଜଣଙ୍କର ଆନୁଷ୍ଠାନିକ ଭାବରେ ବିବାହ ଉତ୍ସବ ଅନୁଷ୍ଠିତ ହେଲା ।

 

ଗପ ଟିଏ ଜହ୍ନମାମୁଁ ପୃଷ୍ଠାରୁ: ତାନ୍ତ୍ରିକ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x