Famous short story in Odia on Pocket money

🌹 ଗପଟିଏ….. 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ହାତ ଖର୍ଚ୍ଚ “🌻

pocket money
Reading Time: 3 minutes

ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି ।

ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ ।

ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା ଡାଲିର ଦାୟିତ୍ୱ ନେବା ପାଇଁ କ୍ଷେତରେ ଜଣେ ଲୋକ ନିଯୁକ୍ତ ହୋଇଥାଏ ।

ଦୁଇ ସପ୍ତାହ ପରେ ସେ ଡାଲି ତଦାରଖ କରିବା ବେଳକୁ ଦୁଇ ବସ୍ତା କମ୍ ହେଲା । ସେ ଜଗୁଆଳୀ ଲୋକକୁ ଏହି ସମ୍ବନ୍ଧରେ ପଚାରିଲେ । ସେ ସାରା ରାତ୍ରି ଅନିଦ୍ରା ରହି ଜଗିବାରେ ଆଦୌ କୌଣସି ଅବହେଳା କରି ନ ଥିବାର ପ୍ରକାଶ କଲା । ମାତ୍ର ଭରତ ତା’ର କଥାକୁ ମୋଟେ ବିଶ୍ୱାସ କଲେ ନାହିଁ । ଏଥର ନିଜର ପୁତ୍ର ଚନ୍ଦନକୁ ସେ ଏହି ଦାୟିତ୍ୱ ଦେଲେ ।

ମାତ୍ର ସେହି ରାତ୍ରିରେ ଏକ ବସ୍ତା ଡାଲି କେଉଁଆଡେ ଉଭାନ୍ ହୋଇଗଲା । ଭରତ ବିବ୍ରତ ହୋଇ ଏ ସମ୍ବନ୍ଧରେ ଅନୁସନ୍ଧାନ କଲେ । ଗ୍ରାମବାସୀ ମାନଙ୍କଠାରୁ ସେ ଜାଣିବାକୁ ପାଇଲେ ଯେ, ଚନ୍ଦନ ଦୋକାନରେ ଡାଲି ବସ୍ତା ଦେଇ ଥିବାର ସେମାନେ ସମସ୍ତେ ଦେଖିଛନ୍ତି । ହଠାତ୍ ଏହି କଥାକୁ ସେ ବିଶ୍ୱାସ କରି ପାରିଲେ ନାହିଁ । ତାଙ୍କର ପୁତ୍ର ପୁଣି ଏପରି କାମ ବି କରିପାରେ, ସେ ତ କେବେବି ଏକଥା କଳ୍ପନା ସୁଧା କରିପାରୁ ନ ଥିଲେ । ଏପରି ଦୁଶ୍ଚିନ୍ତାରେ ଥିବା ସମୟରେ ସେଠାରେ ବୀର ଆସି ପହଁଚିଲା । ବୀର ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କାମ କରେ । ମାଲିକର କିଛି କାମ ନେଇ ଏହି ଗ୍ରାମକୁ ସେ ଆସିଥିଲା ।

ଭରତ ତାକୁ କହିଲେ, “ଦେଖ, ତୁମର ମାଲିକଙ୍କ କାମ ଏତେବି ଜରୁରୀ ନୁହେଁ । ଚାରି ପାଞ୍ଚ ଦିନ ଏଠାରେ ରହି ସେ ଡାଲି ଚୋରକୁ ଧରିବାରେ ମୋତେ ଟିକେ ଆଗ ସାହାଯ୍ୟ କର ।”

ସେହି ରାତ୍ରିରେ ବୀରକୁ କ୍ଷେତରେ ଜଗିବା ପାଇଁ ଭରତ ସୂଚନା ଦେଲେ । କିନ୍ତୁ ସକାଳୁ ଉଠି ବୀର ଦେଖେ ତ, ଆଉ ଏକ ବସ୍ତା ଡାଲି ଚୋରୀ ହୋଇଯାଇଛି । ଭରତ କ୍ଷେତକୁ ଆସି ତାହା ଜାଣିଲେ । ଅନୁମାନ କରି ବୀରକୁ ସେ କହିଲେ, “ଏଠାରେ ପଡିଥିବା ପାଦଚିହ୍ନରୁ ଏହା ସ୍ପଷ୍ଟ ଜାଣି ହେଉଛି ଯେ ଏହା ଜଣେ ଚୋରର କାମ । କିନ୍ତୁ ଜଣେ ଚୋର ଏତେ ବଡ ବସ୍ତା ଉଠାଇ ନେଇ ପାରିବା ତ ଆଦୌ ସମ୍ଭବ ନୁହେଁ । ତୁମେ ବସ୍ତା ଉଠାଇବାରେ ସେହି ଚୋରକୁ ନିଶ୍ଚୟ ସାହାଯ୍ୟ କରିଛ ।”

ବୀର ତା’ ମୁଣ୍ଡ ତଳକୁ କରି କହିଲା, “ମାଲିକ, ମୁଁ ତ କିଛିବି ଜାଣେ ନାହିଁ । ହାଲିଆ ହୋଇ ଶୋଇ ପଡିଥିଲି । ସକାଳୁ ନିଦ ଭାଙ୍ଗି ଦେଖେତ ଏପରି ସବୁ ଘଟିଛି ।”

ବୀର ଧମକ ଦେଇ କହିଲେ “କ୍ଷେତକୁ ଜଣେ ଆସିବାର ପାଦଚିହ୍ନ ପଡିଛି । ତୁମେ ସେହି ଜଣଙ୍କୁ ସାହାଯ୍ୟ ନକରିଥିଲେ ସେ କେବେବି ବସ୍ତା ଉଠାଇ ପାରି ନ ଥାନ୍ତା । ସତ କଥା କୁହ ।”

“ତେବେ କ’ଣ ଆପଣ ମୋ କଥାକୁ ବିଶ୍ୱାସ କରୁ ନାହାଁନ୍ତି ।” ନିକଟରେ ବଳଦକୁ ଖାଇବାକୁ ଦେଉଥିବା ଚନ୍ଦନ ଆଡକୁ ଚାହିଁ ସେ କହିଲେ, “ତେବେ ନିଜ ପୁଅକୁ ପଚାରନ୍ତୁ, ଡାଲି ବସ୍ତା କିଏ ଉଠେଇ ନେଇଛି?”

ଏହାଶୁଣି ଭରତ ଚନ୍ଦନକୁ କଡାସ୍ୱରରେ କହିଲେ, “ସତ କୁହ, ବସ୍ତା ଉଠାଇବାରେ କିଏ ତୁମକୁ ସାହାଯ୍ୟ କରିଛି?”

ଚନ୍ଦନ ନିଜର ଚୋରୀ ଧରା ପଡିଯାଇଥିବାର ଜାଣି ଲଜ୍ଜ୍ୟାରେ ଆପଣା ମୁଣ୍ଡ ତଳକୁ ପୋତି କହିଲା, “ମୋତେ କେହିବି ସାହାଯ୍ୟ କରି ନାହାଁନ୍ତି । ମୁଁ ନିଜେ ଉଠାଇଛି ।”

ତା’ର ଏପରି ଜବାବରେ ଭରତ ଅତ୍ୟନ୍ତ ଚକିତ ହୋଇଗଲେ । ଦୁଇଜଣ ବଳବାନ୍ ଲୋକ ଯେଉଁ ଭାରି ବସ୍ତା ଉଠାଇ ପାରିବେ ନାହିଁ, ତାହା ଭରତ ଉଠାଇ ନେଇଥିବା କଥା ସେ ଆଦୌ ବିଶ୍ୱାସ କରୁ ନ ଥିଲେ । ତେଣୁ ସେ କହିଲେ, “ତେବେ ତୁମେ କହୁଛ ଯେ, ଏକାକୀ ବସ୍ତା ନେଇଛ ତେବେ ମୋ ଆଗରେ ଆଉଥରେ ଉଠାଇ ଦେଖାଇଲ ।”

ଚନ୍ଦନ ଏକ ଡାଲିବସ୍ତା ନିଜ ପିଠିକୁ ଆଉଜାଇ ଆଣିଲା । ଦୁଇହାତ କାନ୍ଧ ପଟେ ପଛକୁ ନେଇ ସେ ବସ୍ତାକୁ ଜୋର୍ରେ ଧରିଲା । ସବୁ ବଳ ଲଗାଇ ବସ୍ତା ଉଠାଇବା ବେଳକୁ ଦୁଇ ତିନି ଥର ଚକ୍କର କାଟିଲା ସତ କିନ୍ତୁ ତା’ପରେ ସେ ସ୍ଥିର ହୋଇ ଠିଆ ହେଲା ।

ଭରତ ବିସ୍ମିତ ହୋଇ ଏସବୁ ଘଟଣା ଦେଖୁଥିଲେ । ତା’ପରେ ସେ କହିଲେ, “ଚନ୍ଦନ, ଯାଅ ଏହି ବସ୍ତା ଦୋକାନରେ ଦେଇ ଆସ ।”

ଚନ୍ଦନ କିଛି ନ କହି ଅପରାଧୀଙ୍କ ପରି ତଳକୁ ଚାହିଁଲା । ଭରତ ନିକଟକୁ ଆସି ସ୍ନେହରେ ତା’ର ପିଠି ଥାପୁଡେଇ ବସ୍ତା ତଳକୁ ଓହ୍ଲାଇ ଦେଲେ ଓ ନରମ ଗଳାରେ ସେ କହିଲେ, “ମୁଁ ସତ କହୁଛି, ତୁମେ ଅସାଧାରଣ ବଳ ଦେଖାଇ ପାରିଛ । ତେଣୁ ମୁଁ ତୁମକୁ ଏକ ଉପହାର ଦେବି ।”

ଚନ୍ଦନ ପିତାଙ୍କର ଏଭଳି ମନୋଭାବ ପରିବର୍ତ୍ତନରେ ଖୁସୀ ହୋଇ ସେଠାରୁ ଚାଲିଗଲା । ଏହାପରେ ଭରତ ବୀରକୁ କହିଲେ, “ଏବେ ଏଠାରେ ଯାହା କିଛିବି ଘଟିଗଲା, ତୁମେ ତାହା ଦେଖିଲ ତ?”

ବୀର ଅଳ୍ପ ହସି କହିଲା, “ମାଲିକ, ଏତକ ନୁହେଁ, ରାତିରେ ଏହା ମଧ୍ୟ ମୁଁ ଆଉଥରେ ଦେଖି ସାରିଛି ।”

ଭରତ ପଚାରିଲେ “ଆଚ୍ଛା, ତେବେ ମୋତେ କାହିଁକି ମିଛ କହୁଥିଲ?”

ବୀର କହିଲା, “ନିଜ ପୁଅର ଚୋରୀକୁ କ’ଣ ଚୋରୀ କୁହାଯିବ? ମୁଁ ଶୁଣୁଛି, ଆପଣଙ୍କ ପୁଅ ଖୁବ୍ ପରିଶ୍ରମୀ ।”

ଭରତ ପୁଅର ପ୍ରଶଂସା କରି କହିଲେ, “ହଁ ସେ ତ ସବୁ କାମକୁ ଆଗଭର । ଖୁବ୍ ସକାଳୁ ଉଠି ଘରବାଡି ସେ ପରିଷ୍କାର କରେ । ବଳଦଙ୍କୁ ଖାଇବାକୁ ଦିଏ । କ୍ଷେତରୁ ସଜ ଘାସ ଆଣେ । ସାରାଦିନ କ୍ଷେତରେ ନାନା ପ୍ରକାରର ସେ କାମ କରେ । କେଉଁ କାମରେବି ସେ ପଛ ଘୁଂଚା ଦିଏ ନାହିଁ । ମୋତେ ତ ଏହା ଭାବି ବଡ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏତେ ପରିଶ୍ରମୀ ଯୁବକ ଶେଷରେ ଚୋରୀ ପରି ଏକ ହୀନକାମ କରିବାକୁ ଗଲା କାହିଁକି?”

ବୀର କହିଲେ, ଏତେ ଛୋଟ କଥାରେ ମନ ଦୁଃଖ କରିବା ମୋଟେ ଠିକ୍ ନୁହେଁ । ଆପଣଙ୍କର ପୁଅ ଅନେକ ସୁଗୁଣର ଅଧିକାରୀ । ହେଲେ ମଧ୍ୟ ପିଲାମାନେ ବଡ ହେବା ପରେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ କିଛି ଦରକାର ପଡେ । ହାତ ଖର୍ଚ୍ଚ ପାଇଁ କିଛି ନ ପାଇଲେ, ସେମାନଙ୍କର ଏପରି କୁଅଭ୍ୟାସ ଆରମ୍ଭ ହୁଏ । ଗୁରୁଜନମାନେ ସେମାନଙ୍କର ଆବଶ୍ୟକତା ପ୍ରତି ସଦା ସର୍ବଦା ଧ୍ୟାନ ଦେବା ଉଚିତ୍ । ମୁଁ ସ୍ୱୀକାର କରୁଛି ଯେ, ଚୋରୀ ଏକ ଅପରାଧ । କିନ୍ତୁ ଏଥିରେ ପୁଅକୁ ଅପରାଧୀ ମନେ ନ କରି ତା’ର ଏପରି ଅଭ୍ୟାସର କାରଣ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ । ଯାହା ହେଉ, ଚନ୍ଦନ ତ ଆଉ ପର ଜିନିଷ ଚୋରୀ କରି ନାହିଁ, ଏପରି ହୋଇଥିଲେ ଆପଣ ଅଧିକ ଅପମାନିତ ହୋଇ ଥାଆନ୍ତେ ।”

ଭରତ ପୁଅର ବଳ ବପୁ ଦେଖି ଛୋଟ ଉପହାର ଦେବା କଥା କହିଥିଲେ ସିନା ଏବେ ପ୍ରକୃତରେ ନିଜର ଭୁଲ୍ ବୁଝି ପାରିଲେ । ଏହାପରେ ଚନ୍ଦନକୁ ଆଉ କେବେ ମଧ୍ୟ ଚୋରୀ କରିବାକୁ ପଡିନାହିଁ । କାରଣ ତା’ର ମନବୁଝି ଭରତ ହାତଖର୍ଚ୍ଚର ଯୋଗାଡ କରି ତାକୁ ଦେଇଦିଅନ୍ତି । ସେହିଦିନଠାରୁ ଚନ୍ଦନନାଥ ଆଉ କୌଣସି ଦିନ କିଛି ଚୋରୀ କରିନାହିଁ । ବରଂ ପ୍ରତ୍ୟେକ ଜିନିଷ ସେ ନିଜ ଦାୟିତ୍ୱରେ ରଖିଚି ।

 

ପୁଅକୁ ବଳି ବାପ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x