famous short story free short stories

🌹 ଗପଟିଏ………🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଅର୍ଥହୀନ ସ୍ୱାର୍ଥ “🌻

odia story
Reading Time: 6 minutes

ବିଦର୍ଭରେ ରାମଶର୍ମା ନାମକ ଜଣେ ବଡ ଅର୍ଥଶାସ୍ତ୍ରବିଦ୍ ଥିଲେ । ରାଜା ପ୍ରଜା ନିର୍ବିଶେଷରେ ସମସ୍ତେ ତାଙ୍କ ସହିତ ଆଲୋଚନା କରି ସବୁକିଛି କରୁଥିଲେ ।

ତେଣୁ ଦେଶର ଆର୍ଥିକ ଅବସ୍ଥା କ୍ରମେ ଉନ୍ନତି ଲାଭ କଲା । ଦେଶ ସୁଖସମ୍ପଦରେ ଭରା ହୋଇ ରହିଲା । ପ୍ରଜାମାନେ ସୁଖରେ ଥା’ନ୍ତି । ଟିକିଏ କିଛି ଅସୁବିଧା ହେଲେ ଲୋକମାନେ ତାଙ୍କ ପାଖକୁ ଯାଇ, ତାଙ୍କ ପରାମର୍ଶ ଅନୁସାରେ କାମ କରୁଥିଲେ ।

ବିଦର୍ଭର ପଡୋଶୀ ରାଜ୍ୟ ଇନ୍ଦ୍ରପୁରୀ ଥିଲା । ସେଠାରେ ଯେତେ ଚେଷ୍ଟା କଲେ ମଧ୍ୟ ଦାରିଦ୍ର୍ୟ ଘୁଂଚିଲା ନାହିଁ । ରାଜା ଅନ୍ୟଦେଶର ଆର୍ଥିକ ଅବସ୍ଥା ଓ ତାହାର ଉନ୍ନତି ଦେଖି ନିଜେ ବହୁତ ଚେଷ୍ଟା କଲେ ମଧ୍ୟ କିଛି ହେଲା ନାହିଁ ।

ରାମଶର୍ମା ଇନ୍ଦ୍ରପରୀର ଅବସ୍ଥା ବିଷୟରେ ଖବର ପାଇଲେ । ଦେଖିଲେ ନିଜ ଦେଶରେ ଆର୍ଥିକ ଅବସ୍ଥା ଏତେ ଭଲ, ଅଥଚ ସେହି ଏକପ୍ରକାର ନୀତିର ଅନୁସରଣ କରି ମଧ୍ୟ ଇନ୍ଦ୍ରପୁରୀରେ କାହିଁକି କୌଣସି ଫଳ ହେଉନାହିଁ । ଏହାର କାରଣ ଅନୁଧ୍ୟାନ କରିବା ପାଇଁ ସେ ଇନ୍ଦ୍ରପୁରୀ ଗଲେ ।

ଦୁଇ ରାଜ୍ୟ ମଧ୍ୟରେ ଏକ ଜଙ୍ଗଲ ଥିଲା, ରାମଶର୍ମା ଚାଲି ଚାଲି ଥକି ଯାଇ ଗୋଟିଏ ଗଛମୂଳରେ ବିଶ୍ରାମ କରୁଛନ୍ତି, ଠିକ୍ ଏହି ସମୟରେ ଗୋଟାଏ ଭୂତ ଗଛରୁ ତାଙ୍କ ଆଗକୁ ଡେଇଁପଡିଲା । ସେ ପର୍ଯ୍ୟନ୍ତ ତ ସେ କେବେବି ଭୂତ ଦେଖି ନ ଥିଲେ; ତେଣୁ ସେ ଟିକିଏ ଡରିଗଲେ । ଭୂତ କହିଲା, “ମହାଶୟ, ମୋତେ ଦେଖି ଆପଣ ମୋଟେ ଡରନ୍ତୁ ନାହିଁ । ମୁଁ ଇନ୍ଦ୍ରପୁରୀର ବଡ ଭାଗ୍ୟବାନ୍ ନାଗରିକ । ମୁଁ ଗୋଟିଏ ଗ୍ରାମରେ ଥିଲି ।

ମୋର ସମ୍ପତ୍ତି କେତେ ତାହା କେହିବି ଜାଣି ନଥିଲେ । କାରଣ ସେମାନେ ଖାଇପିଇ ଭଲରେ ଥା’ନ୍ତି, କାହିଁକି ଆଉ କୌଣସି କଥାରେ ନିଜ ମଥା ଖେଳାଇବେ । ଧନ କୌଣସି କାମରେ ଲାଗିଲା ନାହିଁ ବୋଲି ମୁଁ ମରିବା ପରେ ଭୂତ ହୋଇଗଲି । ତେଣୁ ସେହି ଧନକୁ କୌଣସି ପ୍ରକାରରେ ସଦୁପଯୋଗ ହେଲେ ମୁଁ ଏ ଭୂତ ରୂପରୁ ମୁକ୍ତି ପାଇଯିବି । ମୁଁ ଜାଣେ ଆପଣ ବିଖ୍ୟାତ ଅର୍ଥଶାସ୍ତ୍ରବିଦ୍ ରାମଶର୍ମା । ମୋର ସହାୟତା କରନ୍ତୁ ଯଦ୍ୱାରା ମୋତେ ପୁଣ୍ୟ ମିଳିବ ଓ ମୁଁ ମୁକ୍ତି ପାଇବି ।” ହାତଯୋଡି ପ୍ରାର୍ଥନା କରି ଭୂତ ତାଙ୍କୁ ଏସବୁ କଥା କହିଲା ।

ରାମଶର୍ମା କହିଲେ “ଏଇ ଟିକିଏ କଥା ପାଇଁ ଏତେ ବ୍ୟସ୍ତ କାହିଁକି? ମୁଁ ନିଜେ ଧନତକ ନେଇ ରାଜାଙ୍କୁ ଦେବି । ରାଜା ସେସବୁ ଜନହିତକର କାମରେ ଲଗାଇବେ ।”

ଭୂତ କହିଲା “ଆମ ରାଜା ଧନ ପାଇଲେ ଜନହିତକର କାର୍ଯ୍ୟରେ ଖର୍ଚ୍ଚ ନକରି ବିଳାସବ୍ୟସନରେ ଉଡାଇ ଦେବେ । ମୋ ଧନର ସଦୁପଯୋଗ ନହେଲେ ମୋତେ ତ ଏ ଭୂତ ରୂପରୁ ଆଦୌ ମୁକ୍ତି ମିଳିବ ନାହିଁ ।”

ରାମଶର୍ମା କହିଲେ, “ତୁମ ରାଜାଙ୍କର ପ୍ରଜାହିତ ପାଇଁ ଅନେକ ସଂସ୍ଥା ଅଛି । ମୁଁ ରାଜାଙ୍କୁ ଧନତକ ଦେଇ ବୁଝାଇ ଦେଲେ ସେ ଖୁସି ହେବେ ।”

ଭୂତ କହିଲା “ମନେ ହେଉଛି ଆପଣ ଆମ ଦେଶର ଲୋକସେବା ସଂସ୍ଥାମାନଙ୍କ ବିଷୟରେ ଅନଭିଜ୍ଞ । ସେହି ସଂସ୍ଥାସବୁ ଅନୀତିରେ ଭରା । ଆଜି ଆପଣ ଦଶଲକ୍ଷ ଟଙ୍କା ଦେଲେ ଲୋକଙ୍କ ପାଖରେ ଲକ୍ଷେଟଙ୍କା ମଧ୍ୟ ପହଁଚିବ ନାହିଁ ।”

ମରିବା ପରେ ମଧ୍ୟ ଭୂତ ଏତେ ବେଶି ଭାବୁଛି ଯେ ତା’ର ଧନ କେଉଁଠି ଖର୍ଚ୍ଚ ହେବ । ରାମଶର୍ମା ଭାବିଲେ ଏପରି ପରୋପକାରୀ ନାଗରିକ ଥାଉ ଥାଉ ଇନ୍ଦ୍ରପୁରୀରେ ପୁଣି କାହିଁକି ଦାରିଦ୍ର୍ୟ, ଅନଟନ ଲାଗିରହିଛି; ଏହିସବୁ କଥା ଭାବି ସେ ଭୂତକୁ କହିଲେ, “ତୁମ ରାଜାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଦେଶର ସେବାସଂସ୍ଥା ଉପରେ ମଧ୍ୟ ବିଶ୍ୱାସ ଅଛି । ଦେଖିଲେ ଲାଗୁଛି ତୁମ ରାଜ୍ୟର ପରିସ୍ଥିତି ଅବଶ୍ୟ କିଛିଟା ଭିନ୍ନ । ତୁମେ ତୁମ ଦେଶର ପଣ୍ଡିତମାନଙ୍କର ପରାମର୍ଶ ଗ୍ରହଣ କରି ପାରିଥା’ନ୍ତ ।”

ଭୂତ କହିଲା “ଆମ ଦେଶର ପଣ୍ଡିତମାନେ ଧନଲୋଭୀ । ଏକଥା କାହାକୁ କହିଲେ କହିବେ, ସେତକ ଧନ ମୋତେ ଦେଇଦିଅ । ସେଥିଯୋଗୁଁ ସେମାନଙ୍କ ଉପରେ ମୋର ଆଦୌ ବିଶ୍ୱାସ ନାହିଁ । ଆପଣଙ୍କ ପରି ନିଃସ୍ୱାର୍ଥପର ଲୋକ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି ।”

ରାମଶର୍ମା କହିଲେ ଯେ ଯେପରି ହେଉ ପଛେ ସେ ସେହି ଭୂତର ସହାୟତା କରିବେ । ରାମଶର୍ମା ଇନ୍ଦ୍ରପୁରୀ ଆଡକୁ ଚାଲିଲେ । ଭୂତ ମଧ୍ୟ ଅଦୃଶ୍ୟ ଭାବରେ ତାଙ୍କ ସହିତ ଚାଲିଲା । ଦୁହେଁ ଯାଇ ଏକ ଅତିଥିଶାଳାରେ ରହିଲେ ।

ନଗରର ଧନୀ ବ୍ୟବସାୟୀ ଧନସେନ ସେହି ଅତିଥିଶାଳାକୁ କରିଥିଲେ । ଦାନ ଧର୍ମରେ ତାଙ୍କର ନାମ ବିଖ୍ୟାତ । ରାମଶର୍ମା ଭୂତକୁ ତାଙ୍କ ବିଷୟରେ କହିଲେ, “ଧନସେନଙ୍କ ପୂର୍ବପୁରୁଷମାନେ ତ୍ରିପୁର ଦେଶର ନାଗରିକ ଥିଲେ । ସେମାନେ ନୀତି ନିୟମ ମାନି ବ୍ୟବସାୟ କରି ଧନ ଅର୍ଜନ କରୁଥିଲେ । ସେଥିପାଇଁ ଯେଉଁ ଦେଶରେ ବ୍ୟବସାୟ କଲେ ମଧ୍ୟ ତାଙ୍କର ଯଥେଷ୍ଟ ଲାଭ ହେଉଥିଲା । ତାଙ୍କ ଭାଇ ଗୁଣସେନ ତାଙ୍କର ଏପରି କାର୍ଯ୍ୟ ପାଇଁ ବହୁବାର ପୁରସ୍କୃତ ହୋଇଥିଲେ ।

ରାଜା ଓ ପ୍ରଜା ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଥିଲେ । ସେମାନେ ଆମ ରାଜ୍ୟରେ ଦୁଇଟି ମନ୍ଦିର, ସାତଟି ଧର୍ମଶାଳା ଓ ଚାରୋଟି ସୁନ୍ଦର ବୈଦ୍ୟ ଶାଳା ବସାଇ ଥିଲେ । ସେ ମଧ୍ୟ ଅନେକ ପାଠଶାଳା ବସାଇଥିଲେ । ଏବେ ମଧ୍ୟ ସେ ସେଠାକୁ ଟଙ୍କା ଦିଅନ୍ତି । ତେଣୁ ତାଙ୍କର ସାଧୁତା ଉପରେ ମୁଁ ତୁମକୁ କହିପାରେ ଯେ ସେ ଶତକଡା ଶହେ ଭାଗ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଅଟନ୍ତି । ତୁମର ସବୁଧନ ତାଙ୍କୁହିଁ ଦେଇଦିଅ ।”

ଭୂତ କହିଲା “ଆପଣଙ୍କ କଥା ଠିକ୍ ବୋଲି ମନେ ହେଉଛି । କିନ୍ତୁ ଏତେ ଗୁଡାଏ ଧନ ମୁଁ ଜଣେ ବିଦେଶୀକୁ ଦେଇଦେବାକୁ ଉଚିତ୍ ମନେ କରୁ ନାହିଁ । ନିଜ ଦେଶର ଲୋକକୁ ଦେଲେ ହିଁ ମୋର ଆତ୍ମା ତୃପ୍ତ ହେବ ।”

ଇତିମଧ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣ ରାମଶର୍ମାଙ୍କ ପାଖକୁ ଆସି କହିଲା, “ମହାଶୟ ମନେହୁଏ ଆପଣ ବିଦେଶୀ; ସେଥିପାଇଁ ଆପଣଙ୍କୁ ପଚାରିବାକୁ ସାହସ କରୁଛି । ମୋର ପୁରୁଣାଘର ଭାଙ୍ଗି ପଡିଲାଣି, ମୋର ମା’ ଅସୁସ୍ଥ ଓ ଆହୁରି ଅନେକ କିଛି ଅସୁବିଧା ରହିଛି । ଦୟା କରି ଯଦି କିଛି ସାହାଯ୍ୟ ଦିଅନ୍ତେ ତେବେ ବଡ ଉପକାର ହୁଅନ୍ତା । ଏହି ନଗରୀରେ ମୁଁ ଚାଳିଶ ବର୍ଷ ହେବ ରହିଲିଣି; କିନ୍ତୁ କେହି ଜଣେ ହେଲେବି କାଣୀକଉଡିଟିଏ ମୋତେ ସାହାଯ୍ୟ କରି ନାହିଁ । ଏ ଦେଶର ଲୋକ ବଡ ସ୍ୱାର୍ଥପର ।”

ରାମଶର୍ମା ସେହି ଦରିଦ୍ର ବ୍ରାହ୍ମଣଙ୍କୁ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଇ କହିଲେ, “ତୁମର ଅସୁବିଧାରେ ଯଦି କେହି ସହାୟତା ନକଲେ, ସେମାନଙ୍କୁ ସ୍ୱାର୍ଥପର କହିବା ଆଦୌ ଉଚିତ୍ ନୁହେଁ । ନିଜ ଦେଶର ଲୋକଙ୍କୁ ନିନ୍ଦା କରିବା ଅର୍ଥ ନିଜକୁ ନିନ୍ଦା କରିବା ସହ ସମାନ । ଭଗବାନଙ୍କ ଇଚ୍ଛାରୁ ତୁମର ସମସ୍ୟାସବୁ ସମାଧାନ ହୋଇଯିବ । ଧୈର୍ଯ୍ୟ ଧରି ରୁହ ।”

ବ୍ରାହ୍ମଣଟି ସେଠାରୁ ଚାଲିଯିବା ପରେ ସେ ଭୂତକୁ କହିଲେ, “ଆଚ୍ଛା, ତୁମର ଧନ ଏହି ଗରିବ ବ୍ରାହ୍ମଣଙ୍କୁ ଦିଅ ।”

ଭୂତ କହିଲା, “ଏକଥା ସତ ଯେ ବ୍ରାହ୍ମଣ ଦରିଦ୍ର ଓ ତା’ର ଧନର ଆବଶ୍ୟକତା ରହିଛି । କିନ୍ତୁ ଏତେ ବାଟ ଆସିବା ପରେ ମୁଁ କାହିଁକି ଅନ୍ୟଲୋକଙ୍କୁ ମୋ ଧନ ଦେବି । ବରଂ ଦେଖିବି ଆମଗ୍ରାମର କୌଣସି ଲୋକକୁ ଦେବି ।”

ଅତିଥିଶାଳାରେ କିଛି ସମୟ ବିଶ୍ରାମ କରିବା ପରେ ରାମଶର୍ମା, ସେ ଭୂତ ସହିତ ନଗର ବୁଲିବାକୁ ଗଲେ । ରାସ୍ତାରେ ଜଣେ ବ୍ରାହ୍ମଣ ସହିତ ସେମାନଙ୍କର ଦେଖା ହେଲା, ଯିଏକି ସେହି ଭୂତର ଗ୍ରାମର ଲୋକ । ତା’ର ମଧ୍ୟ ଧନର ଆବଶ୍ୟକତା ଅଛି ।

ଭୂତ କହିଲା, “ଯାହା ହେଉ ଏତେବେଳେକେ ଆମ ଗାଁର ଜଣେ ଲୋକ ତ ମିଳିଲା, ଏଣିକି ଅପେକ୍ଷା କରି ଦେଖେ ଯଦି କୌଣସି ଲୋକ ଆମ ସାହିର ମିଳିଯାଏ ।”

ଏଥର ଭୂତର ଉଦ୍ଧେଶ୍ୟ କ’ଣ ରାମଶର୍ମା ତାହା ବୁଝିଗଲେ । ସେ କହିଲେ, “ତୁମ ସାହିର କୌଣସି ଲୋକକୁ ନଦେଇ ବରଂ ତୁମ ଘରର କାହାକୁ ଦେଇଦେଲେ ତ ଭଲ ହୁଅନ୍ତା । ଚାଲ ଏବେ ଆମେ ତୁମ ଗ୍ରାମକୁ ଯିବା ।” ଦୁଇଜଣ ଯାଇ ଭୂତର ଗ୍ରାମରେ ପହଁଚିଲେ । ସେଠାରେ ଯାଇ ଭୂତର ଘରେ ପହଁଚି ଦେଖିଲେ ଖୁବ୍ ଉତ୍ସବ ଓ ଖିଆପିଆ ଲାଗିଛି ।

ଏସବୁ ଦେଖି ଭୂତ କହିଲା, “ଓହୋ, ମନେ ପଡିଲା, ଆଜି ତ ମୋର ଜନ୍ମଦିନ । ମୁଁ ଯେତେବେଳେ ଜୀବିତ ଥିଲି ସେତେବେଳେ ଆମ ଘରେ ମୋର ଜନ୍ମଦିନ ଅତି ଆଡମ୍ବର ସହକାରେ ପାଳନା କରା ଯାଉଥିଲା । ମୋର ପରିବାରର ଲୋକମାନେ ମୋତେ ଫୁଲମାଳ ପିନ୍ଧାଉଥିଲେ । ଭୋଜି କରା ହେଉଥିଲା । ସଙ୍ଗୀତ ସଭା ମଧ୍ୟ ଡକା ହେଉଥିଲା ।” ରାମଶର୍ମା ସେହି ଘର ମଧ୍ୟରେ ପ୍ରବେଶ କଲେ ଓ କହିଲେ, “ଜଣେ ମୃତବ୍ୟକ୍ତିର ଜନ୍ମଦିନକୁ ଆପଣ ଏତେ ଆଡମ୍ବର ସହକାରେ କରୁଛନ୍ତି, ଆପଣ ଧନ୍ୟ ।”

ଜଣେ ବିଧବା, ତାଙ୍କର ଦୁଇ ପୁତ୍ର ଓ ଦୁଇବୋହୂ ରାମଶର୍ମାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି । କିଛିସମୟ ପରେ ବିଧବା ସ୍ତ୍ରୀଟି କହିଲା, “ଆମେ ତ ତାଙ୍କୁ ଭୁଲି ଯାଇଛୁ । ସେ ଯେତେଦିନ ଧରି ଜୀବିତ ଥିଲେ, ତାଙ୍କ ଯୋଗୁଁ ଆମ ଘରେ ଆନନ୍ଦ, ଉତ୍ସବ କିଛିବି ହୋଇ ପାରୁ ନଥିଲା । ତାଙ୍କର ମୃତ୍ୟୁ ହେବା ପରେ ଆମେ ଆନନ୍ଦ ଉତ୍ସବ କରିପାରୁଛୁ । ଆମର କୋଡିଏ ଏକର ଜମି । ସେଥିରୁ ଯାହା ମିଳେ ଆମେ ସେଥିରେ ଆନନ୍ଦରେ ରହିଛୁ ।”

ରାମଶର୍ମା ପଚାରିଲେ “ଆପଣମାନେ କ’ଣ ତାଙ୍କୁ କେବେବି ମନେ ପକାଉ ନାହାଁନ୍ତି?”

“ମନେ ପକାଇ ନାହିଁ କାହିଁକି? ପରିବାରର ଲୋକ କୁହନ୍ତି, ଆଉ ଟିକିଏ ଆଗରୁ ମରି ଯାଇଥିଲେ, ଆମେ କେତେ ଆନନ୍ଦ ଉତ୍ସବ କରି ନଥା’ନ୍ତେ । ମୋର ସଉତୁଣୀର ଗୋଟିଏ ପୁଅ ଅଛି । ସେ ମଦୁଆ, ମଦ ପିଇ ଯାହାକୁ ପାଏ ତାକୁ ସେ ପିଟେ । ନାନା ପ୍ରକାରର ଅଭିଯୋଗ କରେ । ଆମେ ତାକୁ ବାରମ୍ବାର କହୁ ଯେ ତା’ର ବାପା ମରିଗଲା ପରେ ତା’ ସହିତ ଆମର ଆଉ କୌଣସି ମଧ୍ୟ ସମ୍ପର୍କ ନାହିଁ । କିନ୍ତୁ ସେ କ’ଣ କାହାକଥା କିଛି ଶୁଣେ? ମୁଁ ତା’ ବିରୁଦ୍ଧରେ ଅଭିଯୋଗ ସର୍ବଦା ଶୁଣୁଥାଏ । ସେତେବେଳେ ମଧ୍ୟ ଗୃହକର୍ତ୍ତାଙ୍କୁ ଆମେ ସ୍ମରଣ କରୁ ।” ସେ ବିଧବା ଜଣକ ବଡ ବିରକ୍ତିରେ ଏତକ କଥା କହିଲେ ।

ଏସବୁ କଥା ଶୁଣିବା ପରେ ଭୂତ ସେଠାରେ ଆଉ ରହିବାକୁ ଚାହିଁଲା ନାହିଁ । ରାମଶର୍ମାଙ୍କ କାନରେ ସେ କହିଲା, “ଏବେ ମୁଁ ବୁଝୁଛି, ବଡ ପୁଅ ଥାଉ ଥାଉ ମୁଁ ଦ୍ୱିତୀୟବାର ବିବାହ କରି କି ଭୁଲ୍ କରିଛି । ଏବେ ଆପଣ ଶୀଘ୍ର ଯାଇ ତା’ସହିତ ଦେଖା କରନ୍ତୁ । ତାକୁ ମୋର ଦୁର୍ଭାଗ୍ୟ କଥା ମଧ୍ୟ ଶୁଣାନ୍ତୁ ।”

ରାମଶର୍ମା ଗ୍ରାମଲୋକଙ୍କୁ ସେହି ଭୂତର ବଡ ପୁଅ ବିଷୟରେ କିଛି ପଚାରିବାରୁ ସେମାନେ କହିଲେ, “ସେ ତ ଅଳସୁଆ ହୋଇ ଖାଲି ବସି ରହିଛି । ଘରୁ ପଇସା ନେଇ ସେ ବହୁତ ମଦ ପିଏ । ତା’ର ସାବତମା’ ତାକୁ ଘରୁ ବାହାର କରି ଦେଲା । ଆମେ କହିଲୁ କି କୌଣସିମତେ ବଂଚିଯାଆ, ତା’ପରେ ଆମେ ଗ୍ରାମପଂଚାୟତରେ କହି ତୋର ଭାଗ ଜମି ତୋ ସାବତମା’ଠାରୁ ଆଣିଦେବୁ । କିନ୍ତୁ ସେ କୁହେ ଯେ ବାପାଙ୍କ ମୃତ୍ୟୁପରେ ତା’ର ମଥା ଖରାପ ହୋଇ ଯାଇଛି । ସେଇ ବାହାନାରେ ସେ ପ୍ରଚୁର ମଦ ପିଏ । ତାଳବଣ ପାଖରେ ଯାଇ ଦେଖ ମାତାଲ୍ ହୋଇ ସେ ବେହୋସ୍ ଅବସ୍ଥାରେ ପଡିଥିବ ।”

ରାମଶର୍ମା ତାଳବଣକୁ ଯାଇ ଦେଖିଲେ ସେ ବେହୋସ୍ ହୋଇ ପଡିଛି । ହୋସ୍ରେ ଆଣିବା ପରେ, ତାକୁ ସେ ପଚାରିଲେ କି ତା’ର ଏପରି ଅବସ୍ଥା କିମିତି ହେଲା । ସେ ବାପ, ମା, ଭାଇ, ଭଉଣୀ, ଗ୍ରାମବାସୀ ଓ ଶେଷରେ ଭଗବାନଙ୍କୁ ଗାଳିବର୍ଷଣ କରିଚାଲିଲା ।

ରାମଶର୍ମା କହିଲେ, “ତୁମ ବାପା ତ ଅନେକ ଧନ ଗୋଟାଏ ସ୍ଥାନରେ ପୋତି ରଖିଛନ୍ତି, ତମେ ଯଦି ସେସବୁ ପାଇବ, ତେବେ କ’ଣ କରିବ?”

ନିଶାଗ୍ରସ୍ଥ ପୁତ୍ରଟି ଅଧା ଆଖି ମେଲା କରି କହିଲା, “ମୋ ବାପାଙ୍କ ଚିତ୍ରପଟରେ ଫୁଲହାର ସବୁଦିନେ ଚଢାଇବି ଓ ତାଙ୍କୁ ପୂଜା କରିବି ।” ସେ ଏତକ କହିବା ମାତ୍ରେ ଭୂତ ରାମଶର୍ମାଙ୍କୁ କହିଲା, “ମହାଶୟ, ଏହାହିଁ ମୋର ଉତ୍ତରାଧିକାରୀ; ମୋର ସମସ୍ତ ଧନ ତାକୁ ମିଳିଗଲେ ମୁଁ ତୃପ୍ତ ହେବି । ମୋର ଆତ୍ମା ସନ୍ତୁଷ୍ଟ ହେବ । ଆପଣ କିନ୍ତୁ ଅନୁମତି ନ ଦେଲେ ମୁଁ ଅସନ୍ତୁଷ୍ଟ ହୋଇ ରହିବି ।”

ରାମଶର୍ମା ତାକୁ ଅନୁମତି ଦେଲେ ଓ ଭୂତ କହିଥିବା ସବୁକଥା ତା’ ପୁଅକୁ ସେ କହିଲେ । ପୁଅ ଧନ ପାଇବ ଶୁଣି ଖୁସି ହୋଇ ଭୂତ ସେଠାରୁ ଚାଲିଗଲା । ରାମଶର୍ମା ନିଜ ଦେଶକୁ ଫେରିଲେ । ତାଙ୍କ ସ୍ତ୍ରୀଙ୍କୁ ସେ ସବୁକଥା କହିଲେ । ସ୍ତ୍ରୀ କହିଲେ, “ଜଣେ ଅଯୋଗ୍ୟଲୋକ ହାତରେ ଧନ ଦେବା ଦ୍ୱାରା ସେ ଭୂତକୁ କିପରି ମୁକ୍ତି ମିଳିବ?”

ରାମଶର୍ମା ହସି ହସି କହିଲେ, “ଇନ୍ଦ୍ରପୁରୀର ରାଜା ବିଳାସୀ ତାଙ୍କ ଶାସନ ମଧ୍ୟରେ ଅନୀତି ପୁରି ରହିଛି । ରାଜାଙ୍କର ପ୍ରଜା ଓ କର୍ମଚାରୀଙ୍କ ଉପରେ ବିଶ୍ୱାସ ନାହିଁ ବା ପ୍ରଜାଙ୍କର ରାଜାଙ୍କ ଉପରେ ବିଶ୍ୱାସ ନାହିଁ । ତାଙ୍କ ମନ ଅତି ସଂକୁଚିତ । ନିଜ କଥା ଛଡା ସେ ଆଉ କିଛିବି ଭାବନ୍ତି ନାହିଁ । ଧନ ଭଲ ଭାବରେ ଉପଯୋଗ ହେଉ ନାହିଁ । ଇଚ୍ଛା ପୁରଣ ନହେଲେ ମଣିଷ ତା’ର ମୃତ୍ୟୁପରେ ଭୂତ ହୁଏ । ଅର୍ଥହୀନ ସ୍ୱାର୍ଥ ଯୋଗୁଁ ଭୂତ ତା’ର ଧନ ଅଯୋଗ୍ୟ ପୁତ୍ରକୁ ଦେଇ ଖୁସି ହେଲା ।”

ଏକଥା ରାମଶର୍ମା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିଲା ନାହିଁ । ସେହି କଥା ଇନ୍ଦ୍ରପୁରୀରେ ମଧ୍ୟ ଯାଇ ପହଁଚିଲା । ସେଠାକାର ରାଜା ଓ ପ୍ରଜା ସେମାନଙ୍କର ଆର୍ଥିକ ସଂକଟର ପ୍ରକୃତ କାରଣ ଜାଣି ପାରିଲେ ଓ ଲଜ୍ଜିତ ହେଲେ; ତା’ପରେ ସେମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଲା । ସେମାନେ ସମୂହ ଚେଷ୍ଟା କରି ଦେଶରୁ ଅର୍ଥ ସଂକଟକୁ ଦୂର କଲେ । ବିଦର୍ଭ ଦେଶ ପରି ସେମାନେ ମଧ୍ୟ ସୁଖରେ କାଳ କାଟିଲେ ।

 

🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଅଳିଆ “🌻

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x