ବିଡମ୍ବନା

1 ZfsYQRQKK5m1JzU8equIYQ
Reading Time: 8 minutes

ସେଦିନ କମ୍ପାନୀ କାମରେ କଲିକତା ଯାଉଥାଏ I ଷ୍ଟେସନରୁ ଓଲ୍ଲେଇ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଟେକ୍ସିଟିଏ ଧରିଲି I ବେଶ କିଛି ସମୟ ଭଡ଼ା ମୂଲଚାଲ କରିବା ସମୟରେ ମୋତେ ଲାଗିଲା ଗାଡ଼ି ଚାଳକ ଯେମିତି ଜଣେ ଓଡ଼ିଆ, ପରିସ୍ଥିରେ ପଡ଼ି କଲିକତାରେ ଗାଡ଼ି ଚଲାଉଛି I କିନ୍ତୁ ସିଏ ବା କାହିଁକି ମୋତେ ତାର ପରିଚୟ ଦେବ I ମୁଁ ଗାଡ଼ିରେ ବସିଲି, ଗାଡ଼ି ଗଡ଼ି ଚାଲିଲା ମୋ ପହଞ୍ଚିବା ସ୍ଥଳକୁ I ଯିବା ବାଟରେ ଅନେକ ଟ୍ରାଫିକ ପାର କରି ଗାଡ଼ିଟି ଦୃତ ଗତିରେ ମାଡ଼ି ଚାଲୁଥାଏ ରାସ୍ତାର ବାମକୁ ତ କେତେବେଳେ ଡାହାଣକୁ I କିଛି ବାଟ ଗଲା ପରେ ଗୋଟିଏ ଟ୍ରାଫିକରୁ ଚାଳକ ଗାଡ଼ିଟିକୁ ବୁଲେଇ ଦେଇ ଭିନ୍ନ ଏକ ରାସ୍ତାରେ ଚାଲିଲା I ମୁଁ ଏପଟ ସେପଟ ଦେଖୁଥାଏ ହେଲେ କିଛି କହୁ ନଥାଏ, ସେ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ନିଛାଟିଆ ଲାଗୁଥିଲା I ଲୋକ ଚଳାଚଳ ବନ୍ଦ ନ ହେଲେ ମଧ୍ୟ କାଁଭାଁ ଗାଡ଼ି ଚାଲୁଥିଲା I କିଛି ସମୟ ପରେ ମୋ ମନକୁ ଭୟ ଆସିଲା, କାହିଁକି ନା ମୁଁ ଏକୁଟିଆ ସେ ଟେକ୍ସିରେ ଥାଏ, ହିନ୍ଦୀରେ ନ ପଚାରି ସିଧା ଓଡ଼ିଆରେ ପଚାରିଲି ଭାଇ ତୁମେ ମୁଖ୍ୟ ରାସ୍ତା ଛାଡ଼ି ଏବାଟେ କୁଆଡ଼େ ଯାଉଛ? ଟେକ୍ସି ଚାଳକ କିଛି ନ ଶୁଣିବା ଭଳି ଚୁପ ହୋଇ ଚାଲୁଥାଏ, ବାରମ୍ବାର କହିବା ପରେ ସେ ହଟାତ ଗାଡ଼ିଟିକୁ ଅଟକାଇ ଦେଲା ଓ କାନ୍ଦିବାକୁ ଲାଗିଲା I ବଡ଼ ଆଶ୍ଚର୍ଯ୍ୟ କଥା, ଏ ରାସ୍ତାରେ କୁଆଡ଼େ ଯାଉଛେ ବୋଲି ମୁଁ ପଚାରୁଛି ଅଥଚ ତୁମେ ସେ କଥା ନ କହି କାନ୍ଦୁଛ? କ’ଣ ହେଇଛି ମୋତେ ଶୀଘ୍ର କୁହ ନ ହେଲେ ମୁଁ ଏଇଠୁ ଗାଡ଼ିରୁ ଓଲେଇ ପଡ଼ିବି I ତଥାବି ଚୁପ, ଗାଡ଼ିଟିକୁ ଆଗକୁ ନ ନେଇ ଜୋରରେ କାନ୍ଦିବାକୁ ଲାଗିଲା I ତା’ର କାନ୍ଦିବା ଦେଖି ମୋ ମନରେ ଅନେକ ପ୍ରଶ୍ନ ଉପୁଜିଲା ଓ ଭୟ ମଧ୍ୟ ସୃଷ୍ଟି ହେଲା, ମୁଁ ନିଜକୁ ସଂଯତ କରି ପଚାରିଲି ଆରେ ଭାଇ କଣ ହେଇଛି ତ କୁହ? କିଛି ନ କହିଲ ନାହିଁ ହେଲେ ମୋତେ ଗୋଟିଏ କଥା କୁହ ଏ ରାସ୍ତାରେ କୁଆଡ଼େ ଯାଉଛ? ନିଜ ମାତୃଭାଷାର ପରିଚୟ ଦେଇ ଟେକ୍ସି ଚାଳକ କହିଲା ନାଇଁ ଆଜ୍ଞା କିଛି ନୁହେଁ… ଏ ରାସ୍ତା ଠିକ ଅଛି ଖାଲି ଟିକେ ସଟକଟ ବୋଲି ମୁଁ ଏପଟେ ନେଇ ଆସିଲି I ଆଉ ଅଳ୍ପ ଦୂର ଗଲେ ପୁଣି ମୁଖ୍ୟ ରାସ୍ତା ଧରିବା I ତା କଥାରୁ ଲାଗୁଥିଲା ସେ ଯେମିତି ଭିନ୍ନ ଏକ ଚକ୍ରବିହୁରେ ପଡ଼ି ଯାଇଛି, ତା ଆଖି ସାମ୍ନାରେ ବିଗତ ଇତିହାସର ଅଶ୍ରୁଳ ଘଟଣା ସବୁ ଢେଉ ସାଜି ଆଖିରେ ଲୁହ ହୋଇ ବୋହି ଯାଉଛି I କିମ୍ବା କିଛି ଦୁର୍ଘଟଣାକୁ ମନେ ପକାଇ ଦେଇଛି I ଜାଣିବା ପାଇଁ ମୋ ମନର ଜିଜ୍ଞାସା ବଢ଼ି ଚାଲିଲା, ସେ କେଉଁଥି ପାଇଁ ହଠାତ ଏମିତି କାନ୍ଦିବାକୁ ଲାଗିଲା I ମୁଁ ବାରମ୍ବାର ପଚାରୁଥାଏ ତୁମେ କାନ୍ଦୁଛ କାହିଁକି? ପିନ୍ଧିଥିବା ନିଜ ସାର୍ଟଟିକୁ ଟାଣି ଆଣି ସେଥିରେ ଲୁହ ପୋଛି ହେଲା I ଗାଡ଼ିକୁ ଆଗକୁ ନେଇ ଚାଳକ କହିଲା ନାଇଁ ସେମିତି କିଛି ନୁହଁ ମୋର ଟିକେ ପଛକଥା ମନେ ପଡ଼ିଗଲାତ ସେଇଥି ପାଇଁ ଆଖିରେ ଲୁହ ଆସିଗଲା I ପଛ କଥାଟି ଏମିତି କ’ଣ? ଜାଣିବା ଆଶାରେ ପଚାରିଲି, ମୋତେ ଟିକେ ଯଦି ତୁମର ବିଗତ ଇତିହାସ ବିଷୟରେ କୁହନ୍ତ ତାହେଲେ ଆମେ କଥା ହୋଇ-ହୋଇ ଯାଆନ୍ତେ, ବୋର ବି ଲାଗନ୍ତା ନାହିଁ I ଚାଳକ କହିଲା ଆପଣଙ୍କର ଶୁଣିବାକୁ ଯଦି ଧର୍ଯ୍ୟ ରହିବ ତାହେଲେ ମୁଁ କହିବି ମୋ ବିଗତ ଇତିହାସର ଅଶ୍ରୁପୂର୍ଣ୍ଣ କାହାଣୀ I

ମୁଁ କହିଲି ହଁ କୁହ ମୋର ଧର୍ଯ୍ୟଶକ୍ତିକୁ ମୁଁ ଜାଣିଛି ତେଣୁ ନି ସନ୍ଧେହରେ କୁହ I ଚାଳକ କହିଲା ଯଦି ଏକାଗ୍ରତାକୁ ଜାବୁଡ଼ି ଧରି ଆପଣ ସାହସିକତାର ପରିଚୟ ଦେଉଛନ୍ତି, ତାହେଲେ ମୁଁ କହିବା ପୂର୍ବରୁ ମୋତେ କେତୋଟି ପ୍ରଶ୍ନର ଉତ୍ତର ଦେଇ ପାରିବେ? ମୁଁ କହିଲି ଯଦି ଜାଣିଥିବି ତାହେଲେ ନିଶ୍ଚୟ କହିବି, କୁହ କଣ କହିବାକୁ ଚାହଁ I ଚାଳକ କହିଲା ମୋତେ ଗୋଟାଏ କଥା କୁହନ୍ତୁ ମୁଁ ଯେତେବେଳେ ନିସ୍ତବ୍ଦ ଓ ନିଛାଟିଆ ରାସ୍ତାରେ ଆପଣଙ୍କୁ ଆଣୁଥିଲି ସେତେବେଳେ ଆପଣଙ୍କ ମନକୁ କେଉଁ ପ୍ରକାର ଭାବନା ଆସୁଥିଲା I ମୁଁ ଟିକେ ଅବାକ ହୋଇଗଲି ଏମିତି ପ୍ରଶ୍ନ ପଚାରିବାର ଅଭିପ୍ରାୟ କ’ଣ, ତଥାପି କହିଲି ମୁଁ ଏକୁଟିଆ ଥିବାରୁ ଟିକେ ଭୟ ଜାତ ହେଲା I ଆପଣ ଠିକ କହିଛନ୍ତି ବୋଲି ଚାଳକ କହିଲା, ହେଲେ ଆପଣଙ୍କ ମନକୁ ସେ ଭୟଟି କେଉଁଠୁ ଆସିଲା? ମୁଁ ସାମାନ୍ୟ ବିବ୍ରତ ହୋଇଗଲି ପ୍ରଶ୍ନ ପରେ ପ୍ରଶ୍ନ ପୁଣି ଏ ପ୍ରକାର ପ୍ରଶ୍ନ ଯାହାର ଉତ୍ତର ଜାଣି ଥିଲେବି ବିସ୍ତୃତ ବର୍ଣ୍ଣନା କରିବାରେ ବେଳେବେଳେ ମଣିଷ ଅସମର୍ଥ ହୋଇଯାଏ I ତଥାପି ତୁମେ ଯେତେବେଳେ ପଚାରିଛ ମୁଁ କହୁଛି ଶୁଣ I ଡର ବା ଭୟ କେଉଁଠୁ ଆସେ ନାହିଁ ବରଂ ସେ ପ୍ରତ୍ୟେକ ମଣିଷ ଦେହର କ୍ଷୁଦ୍ର ଏକ କୋଣରେ ଲୁକ୍କାୟିତ ଅବସ୍ଥାରେ ଥାଏ, ଯେଉଁଠି ସାହସ ମଧ୍ୟ ପହଞ୍ଚି ପାରେନା I ଯେତେବେଳେ ଧର୍ଯ୍ୟର ସୀମାରେଖା ଟପିଯାଏ ବା କୌଣସି ଏକ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ ସେତେବେଳେ କେବଳ ଭୟ ହିଁ ଆଗାମୀ ମୁହୂର୍ତ୍ତର ସୂଚନା ଦେଇଥାଏ I ଯାହାକି ଅତି ନିଜର, ପ୍ରତିକ୍ଷଣ ମସ୍ତିସ୍କରେ ଘୁରି ବୁଲୁଥିବା ଚିନ୍ତାଧାରା ସହିତ ନିଜକୁ ସାମିଲ କରିନିଏ, ଆବଶ୍ୟକ ସ୍ଥଳେ ଉପୁଜେ ଆଉ ପୁଣି ଫେରିଯାଏ ନିଜ ସ୍ଥାନକୁ I ମୋ କଥାକୁ ଶୁଣିବାର ଇଚ୍ଛାରେ ଚାଳକ ଗାଡ଼ିଟିର ବେଗ କମ କରି ଚଲାଉଥାଏ I ହେଲେ ମୋତେ ଲାଗୁଥାଏ ସେ ଯେମିତି ତା ପ୍ରଶ୍ନର ପ୍ରକୃତ ଉତ୍ତର ପାଇ ନାହିଁ, ସେଇଥି ପାଇଁ ପୁଣି ମୋତେ କହିଲା ଆପଣଙ୍କ କଥା ଯଦି ଠିକ, ତାହେଲେ ମୋତେ କୁହନ୍ତୁ ଭୟର ଆରମ୍ଭ କେଉଁଠୁ ଆଉ ଶେଷ କେଉଁଠି I ତାହା ଜନ୍ମରୁ ଆସି ମୃତ୍ୟୁ ପର୍ଯ୍ୟନ୍ତ ରହେ ନା ଅଧା ଜୀବନରୁ ଅବସର ନେଇଯାଏ I ମୁଁ ବା କ’ଣ ଜାଣିଛି, ଏମିତି ଜଟିଳ ପ୍ରଶ୍ନତ୍ତର କେମିତି ବା ଦେବି I ଯଦି ନ କହୁଛି ତା’ହେଲେ ସେ ବି ମୋତେ କାନ୍ଦିବାର ରହସ୍ୟ କହିବ ନାହିଁ, ତେଣୁ ଜତକିଞ୍ଚିତ ଉତ୍ତର ଦେବାକୁ ମୁଁ ପ୍ରୟାସ କଲି I ଦେଖ ଭାଇ ମୁଁ କୌଣସି ଶାସ୍ତ୍ରଜ୍ଞ ନୁହେଁ କିମ୍ବା ଦାର୍ଶନିକ, ତଥାପି ତୁମେ ଯେତେବେଳେ ପଚାରୁଛ ମୁଁ ଯେତିକି ଜାଣିଛି କହୁଛି I ଏ ଜୀବଜଗତରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ହୃତପିଣ୍ଡରେ ଭୟ ଥାଏ, ଯାହାକି ଜନ୍ମରୁ ଆସିଥାଏ ଆଉ ଏହା ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ଥାଏ I ପ୍ରକୃତିର ଚିରନ୍ତନ ସତ୍ୟ କେବଳ ବାସ୍ତବତା I ଯେଉଁଠି ଥାଏ ଲୋଭ, କ୍ରୋଧ, ଦୁଃଖ, ସୁଖ, ମୋହ, ମାୟା ଆଉ ଭୟ I ତାରି ଭିତରେ ନିଜକୁ ହଜାଇ ଦେଇ କେତେବେଳେ କିଏ ଜାଗ୍ରତ ହୁଏ ତାହା କେବଳ ସମୟ ହିଁ ଜାଣିଥାଏ I କାହିଁକି ନା ଭୟ ଅନ୍ଧାରରେ ଥାଏ ଆଲୁଅରେ ମଧ୍ୟ ଥାଏ, ଆକାଶରେ ଥାଏ ମାଟିରେ ବି ଥାଏ, ପଛରେ ଥାଏ ସାମ୍ନାରେ ଥାଏ, ପ୍ରତିକ୍ଷଣ ଶୂନ୍ୟରେ ଥାଏ, ଯାହାକୁ ଦେଖି ହୁଏନି କେବଳ ଅନୁଭବ କରିହୁଏ I

ଯେତେବେଳ ପର୍ଯ୍ୟନ୍ତ କେହି ନ କହିଛନ୍ତି ଭୟର ବାସସ୍ଥାନ କେଉଁଠି, ସେତେବେଳ ପର୍ଯ୍ୟନ୍ତ ଭୟ ନିଜ ଭିତରେ ଲୁଚିଥାଏ I ଯେତେବେଳେ କେହି କହି ଦିଅନ୍ତି ଏଇ ଜାଗାରେ ଡର ଅଛି, ଭୟର ଚିତ୍ରପଟ୍ଟ ସେଇଠି ଦେଖା ଯାଉଛି, ସେତିକି ବେଳେ ଭାଙ୍ଗିଯାଏ ସାହସର ବନ୍ଧ, ଭୟର ଭୟଙ୍କର ସ୍ରୋତ ମାଡ଼ିଆସେ ଶରୀରର ସିରା ପ୍ରଶିରାରେ I ବିବ୍ରତ କରେ ହୃଦୟର ସ୍ପନ୍ଦନକୁ I ବିରଦର୍ପରେ ଆଗେଇ ଚାଲୁଥିବା ମଣିଷ ପଛଘୁଞ୍ଚା ନେବାକୁ ବାଧ୍ୟ ହୁଏ I ଏହାହିଁ ମଣିଷର ପ୍ରଧାନ ଦୁର୍ବଳତା କହିଲେ ଅତ୍ୟୁକ୍ତି ହେବ ନାହିଁ I ଭୟର କରାଳ ରୂପ ମଣିଷକୁ କେତେବେଳେ ମୃତ୍ୟୁ ମୂଖକୁ ଟାଣି ନିଏ ତାହା ସମୟର ବିଡମ୍ବନା ମାତ୍ର I ମୋ କଥା ଶୁଣି ଚାଳକ କହିଲା ହଁ ଏବେ ମୁଁ ମୋ ପ୍ରଶ୍ନର କିଛିଟା ଉତ୍ତର ପାଇ ପାରିଲି I ପ୍ରକୃତରେ ଭୟର ଭୟଙ୍କର ରୂପକୁ ସହ୍ୟ କରି ନ ପାରି ଯେମିତି ମୋ ସ୍ତ୍ରୀ ଆର ପାରିକୁ ଚାଲିଗଲା ଠିକ ସେମିତି କିଏ କେତେବେଳେ କେଉଁ ପରିସ୍ଥିତିରେ ଭୟର ଶିକାର ହେବ ତାହା କେହି ଜାଣି ନାହାନ୍ତି I ମୁଁ କହିଲି ତାହେଲେ ତୁମ ସ୍ତ୍ରୀ କ’ଣ… ଚାଳକ ଉତ୍ତର ରଖିଲା ହଁ ମୁଁ କାହିଁକି କାନ୍ଦୁଥିଲି ବୋଲି ମୋତେ ବାରମ୍ବାର ପଚାରୁଥିଲ କିନ୍ତୁ କେମିତି କହିବି ମୁଁ ନିଜେବି ଜାଣି ପାରୁ ନ ଥିଲି, ସେଇଥି ପାଇଁ ଜାଣିବାକୁ ଚାହୁଁଥିଲି, ସତରେ ଭୟ କଣ କାହାର ଜୀବନ ନେଇ ପାରେ ? କିନ୍ତୁ ଏବେ ବୁଝି ପାରୁଛି ତୁମ କହିବାର ଯଥାର୍ଥତା, ମୋ ସ୍ତ୍ରୀ କିଛି ଦିନ ପୂର୍ବରୁ ମୋ ହାତରେ କଅଁଳ ଶିଶୁଟିକୁ ଧରାଇ ଦେଇ ଭୟର ଶିକାର ହୋଇ ମୃତ୍ୟୁ ମୂଖରେ ଚାଲିଗଲା I ସେହି ଭୟଙ୍କର ଦୃଶ୍ୟଟି ମୋର ମନେ ପଡ଼ିଗଲା, ସେଇଥି ପାଇଁ ଆଖିରେ ଲୁହ ଆସିଗଲା I ଠିକ ଅଛି ମୋତେ ତୁମର ଦୁଃଖତ କାହାଣୀ କହି ଦିଅ, ନିଜକୁ ହାଲୁକା ଲାଗିବ I

ତେବେ ଶୁଣନ୍ତୁ ଆପଣଙ୍କୁ ମୋ କଥା ଗପ ଲାଗିପାରେ ହେଲେ ପ୍ରକୃତରେ ସତ I ମୋ ଘର କଟକ ରାଣୀହାଟ ପାଖରେ, ପିଲାଟି ଦିନରୁ ମା’ ବାପାଙ୍କୁ ହରାଇ ମାମୁ ଘରେ ରହୁଥିଲି, ଦିନେ ମୋର ଜଣେ ସାଙ୍ଗ ସହ କଲିକତା ଚାଲି ଆସିଲି କିଛି କାମ ଆଶାରେ I ଆଗରୁ ଗାଡ଼ି ଚଳାଇବା ଶିଖି ଥିବାରୁ ମୋ ସାଙ୍ଗ ମୋତେ ଗୋଟିଏ ପୁରୁଣା ଗାଡ଼ି କିଣାଇ ଦେଲା I ବେଶ ଖୁସିରେ ମୁଁ ଜୀବନ ଅତିବାହିତ କରୁଥିଲି, ସେହି ଖୁସିକୁ ଅଧିକ ପ୍ରଲମ୍ବନ କରିବା ସକାଶେ ଜଣେ ବଙ୍ଗୀୟ ଯୁବତୀ ସହ ବାହା ହୋଇଗଲି I ସୁଖ ଦୁଃଖକୁ ଆପଣି ନେଇ ନିଜ ଭିତରେ ଖୁସି ବାଂଟୁଥିଲୁ I ତାରି ଭିତରେ ଜାଣିବାକୁ ପାଇଲି ମୋ ସ୍ତ୍ରୀ ଅସରପାକୁ ବହୁତ ଡରୁଥିଲା, ସେ ଯେ ବାହାଘର ପରେ ଡରିଲା ତା’ନୁହେଁ, ପିଲାଟି ଦିନରୁ ସେ ଅସରପାକୁ ଡରେ ବୋଲି ମୋତେ ପର- ମୁହୂର୍ତ୍ତରେ ତାଙ୍କ ଘର ଲୋକେ କହିଲେ I ମୁଁ କଥାଟିକୁ ହାଲକା ଭାବରେ ନେଇଥିଲି, ଆଉ ବାରମ୍ବାର ବୁଝାଇଥିଲି ଅସରପାକୁ ଡରିବାର ଆବଶ୍ୟକତା ନାହିଁ, ସେ କିଛି କରିବ ନାହିଁ I ହେଲେ ମୋ କଥାର କୌଣସି ଫଳପ୍ରଦ ହେଲା ନାହିଁ I ପିଲାଟି ଦିନରୁ ମନ ଭିତରେ ରହି ଆସିଥିବା ଭୟ ସହଜରେ ଛାଡେନି, ଏ କଥାକୁ ସେ ମୋତେ ଜଣାଇ ଦେଲା

I ଆଉ କହିଲା ଦେଖ ମୁଁ ଚେଷ୍ଟା କରୁଛି ନ ଡରିବା ପାଇଁ, ହେଲେ ଅନେକ ସମୟରେ ଏମିତି ଭାବରେ ମୋ ଆଗରେ ଅସରପା ଆସି ଯାଉଛି ଯେ ମୋତେ ଡରାଇ ଦେଉଛି I ମୁଁ ତା’କଥାରେ ସାମାନ୍ୟ ହସି ଦେଇ ମୋ କାମରେ ବାହାରି ଯାଏ I ଦିନକର ଘଟଣା ମୋ ସ୍ତ୍ରୀ ଗର୍ଭବତୀ ଥାଏ, କାମ କରୁଥିବା ସମୟରେ ହଟାତ ଗୋଟିଏ ଅସରପା ଦେଖି ଚିଲେଇବାକୁ ଲାଗିଲା, ଭୟରେ ଦୌଡ଼ି ଆସୁଥିବା ସମୟରେ କାନ୍ଥରେ ପିଟି ହୋଇ ପଡ଼ିଗଲା I ମୁଁ ଯାଇ ଦେଖେତ ସେ ଅଚେତ ହୋଇ ଯାଇଛି, ମୁଣ୍ଡରେ ବି ଶକ୍ତ ଆଘାତ ଲାଗିଛି I ତାକୁ ପାଣି ଛାଟି ଉଠାଇଲି, ଯନ୍ତ୍ରଣା ହେବା କଥା କହିବାରୁ ସଙ୍ଗେ ସଙ୍ଗେ ଚିକିତ୍ସାଳୟ ନେଇଗଲି I ଡାକ୍ତର କହିଲେ ହାଲତ ଗମ୍ଭୀର ଅଛି ତୁରନ୍ତ ବଡ଼ ଡାକ୍ତରଖାନା ନେଇଯାଅ, ନ ହେଲେ ବଞ୍ଚେଇବା କଷ୍ଟକର ହୋଇଯିବ I ଅତ୍ୟଧିକ ରକ୍ତସ୍ରାବ ହେତୁ ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିଲା I ଡାକ୍ତର କହିଲେ ପିଲା ଜନ୍ମ ହେବାର ସମୟ ହୋଇନି କିନ୍ତୁ ପରିସ୍ଥିତି ବାଧ୍ୟ କରୁଛି ଯେମିତି ହେଉ ତାଙ୍କ ପେଟରୁ ପିଲାଟିକୁ ବାହାର କରିବାକୁ ପଡ଼ିବ I ମାନସିକ ଆଘାତ ତା ସହିତ ପିଲାଟି ଗର୍ଭାଶୟକୁ ଆସି ଯିବା ହେତୁ ଆମକୁ ନର୍ମାଲ ଡେଲିଭରି ହିଁ ଭରସା କରିବାକୁ ପଡ଼ିବ, ଆଉ ଏଥି ପାଇଁ ଧର୍ଯ୍ୟ ଦରକାର I ତା ନ ହେଲେ ମା’ ଛୁଆଙ୍କ ମଧ୍ୟରୁ କାହାର ବି କିଛି ହୋଇ ପାରେ I ଆମେ ଇଞ୍ଜେକ୍ସନ ଦେଇଛୁ ଆଶା ଅଛି ସବୁ ଠିକ ହୋଇଯିବ, ତେଣିକି ଭଗବାନ ଭରସା I କିଛି ସମୟ ପରେ ଯନ୍ତ୍ରଣା ବଢିଯିବାରୁ ଡାକ୍ତରମାନେ ଲାଗି ପଡ଼ିଲେ ଅପରେସନ ପାଇଁ I ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ପିଲାଟିକୁ ବାହାର କଲେ, ପିଲାଟିର ଅବସ୍ଥା ମଧ୍ୟ ଭଲ ନଥାଏ, କାହିଁକି ନା ସମୟ ପୂର୍ବରୁ ଜନ୍ମ ହେବା ହେତୁ ବଞ୍ଚିବାର ଆଶା କମ ଅଛି ବୋଲି ଡାକ୍ତର କହିଲେ I ଏପଟେ ମା’ର ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା, ଡାକ୍ତରଙ୍କ କହିବା ଅନୁସାରେ ମୁଣ୍ଡରେ ଆଘାତ ଲାଗିଥିବାରୁ ଚେତା ଫେରିବାକୁ ଟିକେ ସମୟ ଲାଗିବ I ଏମିତି କିଛି ଦିନ ଗଲା ପରେ ସମ୍ପୂର୍ଣ ରୂପେ ଚେତା ଫେରି ଆସିଲା I ହେଲେ କ’ଣ ହେବ ସେ ଆଖି ଖୋଲି ଦେଖୁଥିଲା ସତ କିନ୍ତୁ କାହାରିକୁ ଚିହ୍ନି ପାରୁ ନ ଥିଲା I ଡାକ୍ତର ପ୍ରତିଦିନ ଔଷଧ ଓ ଇଞ୍ଜେକ୍ସନ ଦେଉ ଥିଲେ,ତାଙ୍କର ଆଶା ଥିଲା ରୋଗୀ ନିଶ୍ଚିତ ଭଲ ହୋଇଯିବ ଆଉ ପୁନରାବସ୍ଥାକୁ ଫେରି ଆସିବ I ସେଥି ପାଇଁ ରୋଗୀକୁ ଆଉ କିଛି ଦିନ ଡାକ୍ତରଖାନାରେ ରହିବାକୁ ଦିଅ I ଭଗବାନଙ୍କ କୃପାରୁ ପିଲାଟି ଧୀରେ ଧୀରେ ସୁସ୍ଥ ହେଉଥାଏ I ଯାହା କିଛି ଟଙ୍କା ସଞ୍ଚୟ କରିଥିଲି ମା’ ଛୁଆଙ୍କୁ ଭଲ କରିବାରେ ଖର୍ଚ୍ଚ ହୋଇ ଯାଇଥିଲା I ଧାର କରଜ କରି ଔଷଧ କିଣି ଦେଉଥିଲି I ହେଲେ ଦେଖନ୍ତୁ ତ ଭାଗ୍ୟର କି ନିଷ୍ଠୁର ରଚନା, ଡାକ୍ତରଖାନାର ବେଡ଼ ଉପରେ ଶୋଇଥିବା ସମୟରେ ତା ଉପରେ ଗୋଟିଏ ଅସରପା ଚଢି ଥିବାର ଦେଖିଲା ଓ ଚିତ୍କାର କରିବାକୁ ଲାଗିଲା I ବେଡ଼ରୁ ଉଠିପଡ଼ି ସାଲାଇନ ଛିଡ଼ାଇ ଦୌଡ଼ିବାକୁ ଲାଗିଲା, ପଛରେ ନର୍ସମାନେ ମଧ୍ୟ ଦୌଡ଼ୁଥାନ୍ତି I ହେଲେ ତାର ଦୁର୍ଭାଗ୍ୟ ସିଡ଼ି ପାହୁଚରେ ଗୋଡ଼ ଖସିଯିବାରୁ ସିଧା ଆସି ତଳେ ପଡ଼ିଗଲା I ସେଇଠି ଶେଷ ହୋଇଗଲା ତାର ଜୀବନ ନାଟିକା I

ଏହା କହି ପୁଣି କାନ୍ଦିବାକୁ ଲାଗିଲା I ମୁଁ କେମିତି ତାକୁ ସାନ୍ତ୍ୱନା ଦେବି ନିଜେ ବି ବୁଝି ପାରୁ ନ ଥିଲି I ତା ମନକୁ ହାଲକା କରିବାକୁ ଯାଇ କହିଲି, ଦେଖ ଭାଇ ଏଥିରେ ତୁମର କି ଦୋଷ, ତୁମେ ଏମିତି ଅଧର୍ଯ୍ୟ ହୋଇ କାନ୍ଦିଲେ ସେ ପିଲାଟିକୁ କେମିତି ସମ୍ଭାଳିବ ? ଏ ଦୁନିଆରେ ଏଇଟା ହିଁ ସତ୍ୟ ଦିନେ ନା ଦିନେ ସମସ୍ତଙ୍କୁ ଏ ଦୁନିଆ ଛାଡ଼ି ଯିବାକୁ ହେବ I ଏଥିରେ ତିଳେମାତ୍ର ସନ୍ଧେହ ନାହିଁ I ପ୍ରତ୍ୟେକ ପ୍ରାଣୀ ଏ ସମାଜରେ ବଞ୍ଚିଛନ୍ତି କେବଳ ମୃତ୍ୟୁର ଭୟଙ୍କର ରୂପକୁ ସାମ୍ନା କରିବା ପାଇଁ I ମୁଁ ଅନୁଭବ କରି ପାରୁଛି ତୁମ ମନକୁ ଶକ୍ତ ଆଘାତ ଲାଗିଛି I ହେଲେ ସଂସାର ନିୟମକୁ କେହି ପାସୋରି ଯାଇ ନାହାନ୍ତି I ଆଖିରେ ମେଞ୍ଚାଏ ଲୁହ ଭରି ଅତି ନମ୍ର ଭାବରେ ଗାଡ଼ି ଚାଳକ କହିଲା, ସାର ଦିନକୁ ଦିନ ଏ କ୍ଷତାକ୍ତ ଶରୀରକୁ ନେଇ ମୁଁ ଦୁର୍ବଳ ହୋଇ ଯାଉଛି, ପ୍ରତି ମୁହୂର୍ତ୍ତରେ ଭାବନାର ଶବ୍ଦସବୁ ମୋ ପଞ୍ଜରାକୁ ଟୁକୁରା ଟୁକୁରା କରି ଦେଉଛି I କେମିତି ବଞ୍ଚିବି କାହା ସାହାଯ୍ୟରେ ପିଲାଟିକୁ ବଡ଼ କରିବି, ଏ ସବୁକୁ ଚିନ୍ତା କରି ମୋତେ ରାତିରେ ନିଦ ହେଉନି I ଭୟ ଲାଗୁଛି କାଳେ ମୋ ପୁଅର କିଛି ହୋଇ ଯିବ, ମା’ ଛେଉଣ୍ଡ ପିଲାଟାର ଯତ୍ନ ନେବା ପାଇଁ ମୋତେ ମା’ ର ଭୂମିକା ନେବାକୁ ପଡୁଛି I ଅନ୍ଧାର କୋଠରୀ ମଧ୍ୟରୁ କେହି ଜଣେ ମୋତେ ତାଗିତ କରି କହୁଛି “ମୋ ପିଲାକୁ ଭଲରେ ରଖିବ ତା’ର ଯେମିତି କିଛି ଅସୁବିଧା ନ ହୁଏ” I ଥରେ ଚିନ୍ତା କରନ୍ତୁ, ମୁଁ କେମିତି ପରିସ୍ଥିତିକୁ ସାମ୍ନା କରୁଛି I ଦୁନିଆର ରଙ୍ଗୀନ ଆଲୋକ ମଧ୍ୟରେ ମୁଁ ନିଜକୁ ହଜାଇ ଦେଉଛି ସତ, ହେଲେ ମନ ଭିତରେ ଥିବା ଭୟକୁ ଦୂରେଇ ଦେଇ ପାରୁନି I ସ୍ତ୍ରୀ ଚାଲି ଗଲାନି ଯେ ମୋତେ ସବୁଦିନ ପାଇଁ ଅନ୍ଧାର କୋଠରୀ ମଧ୍ୟକୁ ଠେଲି ଦେଲା I ସେମିତି ଭାବିବା ଭୁଲ ବୋଲି ମୁଁ କହିଲି, ଦେଖ କିଛି କହିବାକୁ ଇଛା ଥିଲେ ବି ତୁମ ମନକୁ କଷ୍ଟ ଦେବାକୁ ଚାହୁଁନି I ମୋ ପାଟିରୁ କଥା ଛଡ଼ାଇ ଚାଳକ ଉତ୍ତର ଦେଲା ଆଜ୍ଞା ପୋଡ଼ିଯାଇଥିବା ତିଅଣର କି ସ୍ୱାଦ ଅଛି, ମୋ ମନତ ଅନେକ କଷ୍ଟ ସହିଛି, ଆପଣ ଏମିତି କଣ କହିବେ ଯେ ଅତୀତର କଷ୍ଟ ଠାରୁ ବଳିଯିବ I କୁହନ୍ତୁ ଆପଣଙ୍କ କହିବାର ଯଥାର୍ଥତାରୁ ମୋତେ ସାହସ ମିଳି ପାରୁଛି, ଯେତେ ଇଛା ମୋତେ ଉପଦେଶ ଦିଅନ୍ତୁ I ଚାଳକର ଶୁଣିବାର ବ୍ୟଗ୍ରତା ଦେଖି ମୋତେ ଦୁଃଖ ଲାଗୁଥିଲା କେମିତି ତାର ମନ ପରିବର୍ତ୍ତନ କରିବି ସେ କଥାକୁ ଚିନ୍ତା କରି କହିଲି, ଦେଖ ଏଇ ଦୁନିଆରେ ଏମିତି ଅନେକ ଅଛନ୍ତି ଯେଉଁ ମାନେ ନିଜକୁ ବଳିୟାନ ଭାବି ସାହସିକତାର ପରିଚୟ ଦିଅନ୍ତି I ହେଲେ ସେମାନେ ଭୁଲି ଯାଆନ୍ତି ପ୍ରକୃତରେ ସାହସ ଠାରୁ ଭୟ ଅଧିକ ବଳବାନ I ଭୟ ସବୁଠି ଥାଏ, ତାହା ପଶୁ ପକ୍ଷୀ ହୁଅନ୍ତୁ ବା ହିଂସ୍ର ଜନ୍ତୁ, ସେ ମଣିଷ ହୁଅନ୍ତୁ ବା କୁ-ମଣିଷ ଅବା ନିଜ କର୍ମକୁ, ପ୍ରତିମୁହୂର୍ତ୍ତରେ ନିଜ ଭିତରେ ଥିବା ଭୟକୁ ଲୁଚେଇବାକୁ ଯାଇ ଏମିତି ଦୁଃଖତ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥାଏ, ଯାହାକୁ କେହି କେବେ ଭାବି ନ ଥିବେ I କିଏ ହାରି ଯାଏ ଆଉ କିଏ ଜିତି ଯାଏ, ଏଥିପାଇଁ ଚିନ୍ତାଗ୍ରସ୍ତ ହେବାର କୌଣସି କାରଣ ନାହିଁ I କେତେବେଳେ କାହା ଜୀବନରେ କେମିତି ଭାବରେ ମୃତ୍ୟୁ ଆସିବ ଏହାକୁ କହିବା ଅସମ୍ଭବ I ତାହା ପୁଣି ଭିହ୍ନ ଭିନ୍ନ ମାଧ୍ୟମରେ, ଏଇ ଯେମିତି କାଳ ରୂପରେ ଅସରପା ତୁମ ସ୍ତ୍ରୀକୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜଗି ରହିଥିଲା, ଠିକ ସେମିତି କାଳ ସଦୃଶ ଭୟ ମଣିଷର ଚତୁପାର୍ଶ୍ଵରେ ଘୁରି ବୁଲେ I ଜୀବନକୁ ତିଳ ତିଳ କରି ଦଂଶନ କରି ଚାଲେ I ତୁମ ସ୍ତ୍ରୀ ମୃତ୍ୟୁ ମୂଖରେ ପଡ଼ିବା ନିଶ୍ଚିତ ଭାବରେ ଦୁଃଖ ଦାୟକ ଘଟଣା I ହେଲେ ଏହାକୁବି ଅସ୍ବୀକାର କରି ହେବନି, ମୃତ୍ୟୁର ଶେଷ ସୋପାନ ଛୁଇଁବାରେ ଭୟ ବି ଏକ ପ୍ରକାର ମାଧ୍ୟମ ଥିଲା I ଯାହାକି ତୁମ ସ୍ତ୍ରୀ ଜୀବନରେ ଆସିଲା I ତେଣୁ ଯାହା ଘଟିବାର ଥିଲା ତାହା ଘଟି ଗଲା,ଅତୀତକୁ ମନେ ପକାଇ ବର୍ତ୍ତମାନକୁ ନଷ୍ଟ କରି ଦିଅନି I ଅତୀତ ଯନ୍ତ୍ରଣା ଦିଏ ଆଉ ସେଇ ଯନ୍ତ୍ରଣାକୁ କେବଳ ବର୍ତ୍ତମାନ ହିଁ ଲାଘବ କରି ପାରେ I ମୋ ଉପଦେଶକୁ ଯଦି ତୁମେ ମାନିବାକୁ ଚାହୁଁଛ ତାହେଲେ ତୁମ ପିଲାର ଭବିଷ୍ୟତ ପାଇଁ ତୁମକୁ ଆଉ ଥରେ ବିବାହ କରିବାକୁ ପଡ଼ିବ I ସାମାନ୍ୟ ହସି ଦେଇ ଚାଳକ କହିଲା ମୁଁ ଆପଣଙ୍କ କଥା ରଖିବାକୁ ପୂର୍ଣ୍ଣମାତ୍ରାରେ ଚେଷ୍ଟା କରିବି I

ଏମିତି କଥୋପକଥନ ଭିତରେ କେତେବେଳେ ମୋର ଗନ୍ତବ୍ୟସ୍ଥଳ ପହଞ୍ଚି ଯାଇଥିଲା ମୁଁ ନିଜେବି ଜାଣି ପାରି ନ ଥିଲି I ଗାଡ଼ିରୁ ଓଲେଇ ପଡ଼ି କିଛି ସମୟ ଛିଡ଼ା ହୋଇ ଚିନ୍ତା କଲି ଓ ଡ୍ରାଇଭର ମୋତେ ନମସ୍କାର ପକାଇ କହିଲା ସାର ଆପଣଙ୍କ ସହିତ ମୋ ଦୁଃଖକୁ ବାଣ୍ଟିଦେଲି ବୋଲି ସାମାନ୍ୟ ଆଶ୍ବସ୍ତି ଲାଗୁଛି I ଜାଣିନି ପୁଣି କେବେ ଆପଣଙ୍କ ସହିତ ଦେଖା ହେବ କି ନାହିଁ, କିନ୍ତୁ ମୋର ସବୁଦିନ ପାଇଁ ମନେ ରହିବ ଆପଣଙ୍କର କେଇ ପଦ କଥା I ଆରେ ଛାଡ଼ ଭାଇ, ଏମିତି କେତେ ଯାତ୍ରୀ ତୁମ ଜୀବନରେ ଆସିବେ I ହେଲେ ମୋର ଆଉ ଗୋଟିଏ କଥା ରହିହଗଲା, ତୁମେ ଯାତ୍ରୀଙ୍କୁ ଏଭଳି ରାସ୍ତାରେ ନିଅ ଯେମିତି ତାଙ୍କ ମନରେ ଭୟ ନ ଆସେ I ସମ୍ମତି ଜଣାଇ ଡ୍ରାଇଭର ଗାଡ଼ିଟିକୁ ଆଗେଇ ନେଲା I ସେ ଚାଲିଗଲା ସତ ହେଲେ ମୋ ମନ ଭିତରେ ଅନେକ ଅଡ଼ୁଆ ପ୍ରଶ୍ନର ସୂତା ଖିଅରେ ଛନ୍ଦି ହେଲା ପରି ମୋତେ ଅସ୍ତବ୍ୟସ୍ତ କରୁଥିଲା I ଠିକ ସେତିକି ବେଳେ ମୋର ଚିହ୍ନାଜଣା ସାଙ୍ଗମାନଙ୍କ ସହିତ ଭେଟ ହୋଇଗଲା I ମୋତେ ତାଙ୍କ କଥାର ଉତ୍ତର ରଖିବାକୁ ଯାଇ ସବୁ ପଛକଥାକୁ ଭୁଲିବାକୁ ପଡ଼ିଲା I ହେଲେ ପରବର୍ତ୍ତୀ ଅବସ୍ଥାରେ ଅନୁଭବ କଲି, ଭୟ ନ ଥିଲେ ଜୀବନ ଅସମ୍ପୂର୍ଣ୍ଣI

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.