ଆ’ ଜହ୍ନମାମୁଁ ସରଗ ଶଶୀ…

moon
Reading Time: 4 minutes

ଗ୍ରୀଷ୍ମ ଦିନ । ଚାରିଆଡେ ମାଟି ଫାଟି ଆଁ କରିଛି । ଅସହ୍ୟ ତାତି । ଗଛରେ ପତ୍ରଟିଏ ବି ହଲୁନି । ଜଳ ଅଭାବରୁ ଜୀବଜଗତ ସୂର୍ଯ୍ୟଙ୍କ କୋପରେ ଅସ୍ତବ୍ୟସ୍ତ ହୋଇପଡିଲେଣି । ଅପରାହ୍ନରେ ତାତି ଧିରେ ଧିରେ କମୁଥିଲେ ବି ଗୁଳୁଗୁଳି ରାତି ତମାମ୍ ରହୁଛି ।

ସଂଧ୍ୟା ସମୟ । ଗାଁ’ର ଶେଷ ମୁଣ୍ଡରେ ଥିବା ଶିବ ମନ୍ଦିରରୁ ଘଂଟ ଓ ମାଦଳର ଗୁରୁଗମ୍ଭିର ଶବ୍ଦ ଭାସିଆସୁଥାଏ । ଜହ୍ନ ପୂର୍ବାକାଶରେ ଉଇଁଲେଣି । ରଜନୀ ବୁଢୀ ବୃନ୍ଦାବତୀଙ୍କୁ ମୁଣ୍ଡିଆଟା ମାରି, ଘର ଅଗଣାରେ ମଶିଣାଟା ବିଛାଇ ଦେଇ, ତା ଗେହ୍ଲି ନାତୁଣୀ କୁନି ଦେହରେ ଅତି ଯତନରେ ହଳଦୀ ମାଖିଲାବେଳେ ଗୁଣୁଗୁଣୁ ହୋଇ ଗାଏ –*

“ଆ’ ଜହ୍ନମାମୁଁ ସରଗ ଶଶୀ,

ମୋ କୁନି ହାତରେ ପଡରେ ଖସି ।ା”

ବୁଢୀ ଶ୍ରଦ୍ଧାରେ ତା ନାତୁଣୀକୁ କୁନି ବୋଲି ଡାକେ । ଜହ୍ନର ଶୀତଳ ଆଲୋକରେ, ହଳଦୀ ମାଲସ୍ ପରେ ଛୁଆଟା ଆରାମ୍ରେ ଶୋଇପଡିଲେ ସେ ବୋହୁକୁ ବଡ ପାଟିରେ ଡାକି କହେ – “ଆଲୋ … , କୁନି ଶୋଇପଡିଲାଣି । ଆଉ ଘଡିଏ କି ଦି’ଘଡି ଯାଉ, ସେ ଉଠିଲେ ତାକୁ ପୁ’ଣି ଟିକେ ଖୁଆଇଦେବୁ । ମୋ ଅଂଟା ପିଠି କ’ଣ ହେଇଯାଉଛି । ମୁଁ ଏଇଠି ଟିକିଏ ଗଡିପଡେ … ।”

ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ରଜନୀ ବୁଢୀ ଗାଈ ପାଇଁ ଘାସ ଦି’ଟା ଆଣିବାକୁ ସକାଳୁ ସକାଳୁ ବିଲକୁ ଯାଇଛି, ଏ ପର୍ଯ୍ୟନ୍ତ ଫେରିନି । ୟାଡେ ଛୁଆଟା ଖାଇବାର ନାଁ ଧରୁନି । ଖାଦ୍ୟ ପାଟି ପାଖକୁ ନେଲେ ଖାଲି ରାହା ଧରି କାନ୍ଦୁଛି । ମାଆଟା ତା’ର ଖୁଆଇବାକୁ ଯାଇ ନାକେଦମ୍ ହେଲାଣି । ଏହି ସମୟରେ ବୁଢୀ ଝାଳନାଳ ହୋଇ, ମୁଣ୍ଡରୁ ଘାସ ଗୋଛାଟା ପିଣ୍ଢା ଉପରେ ରଖି, ଥମ୍ କିନା ବସିପଡିବାବେଳେ ହଠାତ୍ କୁନିର କାନ୍ଦ ଶୁଣି, ସେ ଦୈାଡି ଆସି ତା ବୋହୁକୁ କହିଲା – “ମୋତେ ଦେ’ , ମୁଁ ଖୁଆଇ ଦେଉଛି । ନେ, ଏଇ କଳମ ଶାଗ ଦି’ଟା ଟିକେ ଭାଜି ଦେ’ । ମୁଁ ପଖାଳ ଖାଇବି ।” ସେ ସଙ୍ଗେ ସଙ୍ଗେ ତା କୋଳକୁ ଛୁଆଟାକୁ ଆଣି, ଆ’ ଜହ୍ନମାମୁଁ …. ଗୀତ ଗାଇ ଗାଇ, ଅଗଣାରେ ବୁଲେଇ, ଗିନାକଯାକ ଖାଦ୍ୟ ଖୁଆଇ ଦେଲା । ଛୁଆଟା ଖାଇ ଶୋଇପଡିବାରୁ ବୁଢୀ ତା ବୋହୁକୁ ପାଖକୁ ଡାକି କହିଲା – “ଆ’ ଦେ’ଖେ । କହୁଥିଲୁ ପରା ଖାଉନି । ଅଝଟ କରୁଛି । ପୁ’ଣି ଖାଇଲା କେମିତି ? ତମେ ସବୁ ଆଉ ହବନି । ଆଜିର ମାଆମାନେ ଖାଲି ଛୁଆ ଜନ୍ମକରି ଜାଣିଛନ୍ତି ସତ, ହେଲେ ଲାଳନ ପାଳନ କରିବା ଶିଖି ନାହାନ୍ତି ।” ସେ ତା ବୋହୁ ହାତକୁ ଛୁଆକୁ ଦେଇ, ଗଲା ଗାଧୋଇବାକୁ ।*

*ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମଝିରେ ମଝିରେ ଝାଞ୍ଜି ବହୁଥିଲା ଦକ୍ଷିଣ ଦିଗରୁ । ବୁଢୀ ପଖାଳ ଗଣ୍ଡାଏ ଖାଇ, ଘରର ପଛ ପଟେ ଥିବା ଆମ୍ବ ଗଛ ମୂଳେ ପଡିଥିବା ଦଉଡିଆ ଖଟଟା ଉପରେ ଶୋଇପଡିଲା ଲମ୍ବ ହୋଇ ।

ଦିନ ପରେ ଦିନ ଗଡିଚାଲିଥାଏ । କୁନି ଏବେ ଠୁକୁଠୁକୁ ହୋଇ ଚାଲିଲାଣି । ଖନେଇ ଖନେଇ କଥା ବି କହିଲାଣି । ବୁଢୀ ସହ ସେ ସଦାବେଳେ କଥା ଟିକେ ନହେଲେ ସତେ ଯେମିତି ତା ଭାତ ହଜମ୍ ହୁଏନି । ସେଦିନ ଜହ୍ନ ରାତିରେ, ସୁଲୁସୁଲିଆ ପବନରେ, ଅଗଣାରେ ପଡିଥିବା ଖଟିଆଟା ଉପରେ ବସି ବୁଢୀ ପାନ ଭାଙ୍ଗୁଥିଲାବେଳେ, କୁନି ଥିରିଥିରି ପାଦରେ ତା ପାଖକୁ ଆସି, ଜହ୍ନ ଆଡକୁ ଆଙ୍ଗୁଠି ଦେଖାଇ, ଜିଦି କରି କହିଲା –*

-ଆଈ, ମୋ’ର ଏଇ ଜହ୍ନମାମୁଁ ଦରକାର । ତୁ ଆଣି ଦେ’ । ମୁଁ ତା ସହ ଖେଳିବି ।

-ଆଲୋ ହୁଣ୍ଡି, ସେ କ’ଣ ଏତେ ଦୂରରୁ ଆସିପାରିବ ?

-ହଁ, ସେ ଆସିବ । ତୁ ତାକୁ ହାତ ଠାରି ଡା’କେ ।

-ତୁ ଡାକୁନୁ ?

-ସେ ମୋ ଉପରେ ରାଗିଛି ତ, ସେଥିପାଇଁ ଆସୁନି । ତୁ ଡା’କେ… ।

ସେ ଡା’କେ ଡା’କେ କହି କହି ତା ଆଈକୁ ଭିଷଣ ବିରକ୍ତ କରାଉଥିଲା । ଯେତେ ବୁଝେଇଲେ ଜମା ବୁଝୁ ନଥିଲା । ଯାହା ବି ହେଲେ ଛୋଟ ପିଲାଟା ତ । ସେ ବା ଜହ୍ନ ବିଷୟରେ କ’ଣ ଜାଣିଛି ? ଶେଷରେ ବୁଢୀ ଅନୋନ୍ୟପାୟ ହୋଇ ସ୍ମିତ ହସଟିଏ ହସି କହିଲା – “ହଉ, ତୁ ଆଉ ମନ ଦୁଃଖ ନକରି ଦେ’ଖେ, ମୁଁ କେମିତି ହାତ ଠାରି ଡାକୁଛି ।”*

“ଆ’ ଜହ୍ନମାମୁଁ ସରଗ ଶଶୀ,

ମୋ କୁନି ହାତରେ ପଡରେ ଖସି ।ା”

ବୁଢୀ ଗୀତ ମାଧ୍ୟମରେ ଓ ସ୍ୱରରେ ହାତ ବଢାଇ ଡାକୁଥିଲାବେଳେ ହଠାତ୍ କୁଆଡୁ ଭସା ବାଦଲ୍ଟା ଆସି ଜହ୍ନକୁ ସଙ୍ଗେ ସଙ୍ଗେ ଢାଙ୍କି ଦେବାରୁ ସେ ତା ଗେହ୍ଲି ନାତୁଣୀକୁ ଦେଖାଇ ସ୍ମିତ ହସି କହିଲା – “ବୁଝିଲୁ, ଜହ୍ନମାମୁଁ ତାଙ୍କ ଘରକୁ ଖାଇବାକୁ ଗଲାଣି । ଖାଇ ସାରି ଆସିବ । ତୁ ଚା’ଲେ ଖାଇବୁ ।”

ସମୟ କ୍ରମେ କୁନି ବଡ ହୋଇ ଗାଁ ଚାଟଶାଳୀକୁ ପଢିବାକୁ ଯାଏ । ପ୍ରତିଦିନ ଗୁରୁଜୀ ପିଲାମାନଙ୍କୁ ମଜା ମଜା ଗପ କହି ପଢାଉଥାନ୍ତି । ଦିନେ ସେ ଜହ୍ନମାମୁଁ ବିଷୟରେ କହିବା ଆରମ୍ଭ କରିଛନ୍ତି, ସେତିକିବେଳେ କୁନି ହଠାତ୍ କହିଲା –

-ଗୁରୁଜୀ, ମୁଁ ଜହ୍ନମାମୁଁକୁ ଯେତେ ଡାକିଲେ ବି ସେ ମୋ ପାଖକୁ ଆସୁନି କାହିଁକି ?

-କାହିଁକିନା ସେ ଜହ୍ନ ରାଇଜର ରାଜା । ତା’ର ସେଠାରେ ବହୁତ କାମ । ସେ ରାଜ୍ୟ ଛାଡି କ’ଣ ତୋ ପାଖକୁ ଆସିପାରିବ ?*

-ହଁ ସେ ଆସିବ । ତମେ ତାକୁ ଆଜି ରାତିରେ ଡାକ । ମୁଁ ତା ସହ ଖେଳିବି ।*

ଗୁରୁଜୀ ତା କଥା ଶୁଣି ହସି ହସି କହିଲେ – “ଆଛା, ଠିକ୍ ଅଛି ।ମୁଁ ତାକୁ ଆଜି ରାତିରେ ଯେମିତି ହେଉ ତୁମ ଘରକୁ ନେଇକି ଯିବି ।ତୋ ଆଈ ଆସିଲାଣି । ତୁ ଏବେ ଖୁସି ମନରେ ଯାଆ … ।”

ରାତିରେ କୁନି ଜହ୍ନମାମୁଁ କଥା ଭାବି ଭାବି ନିଘୋଡ ନିଦରେ ଶୋଇପଡିଥିଲାବେଳେ ସ୍ୱପ୍ନରେ ଦେଖିଲା
– ଜହ୍ନମାମୁଁ ସହ ସେ ଖେଳୁଛି । ତା ହାତ ଧରି ଜହ୍ନ ରାଇଜ ବୁଲି ବୁଲି କେତେ ନୂଆ ନୂଆ କଥା ଶିଖୁଛି । କିଛି ସମୟ ପରେ ଜହ୍ନମାମୁଁ ତା’ଠାରୁ ବିଦାୟ ନେବା ବେଳେ ସେ କହିଲା –

-କହିଲନି ତ, ତୁମ ଦେହରେ ଠେକୁଆ ଚିତ୍ର କାହିଁକି ଦେଖାଯାଏ ?

-ହଁ କହୁଛି । ମୋ ଦେହରେ ଥିବା ପାହାଡ ପର୍ବତ ସବୁ ଦୂରକୁ ଠେକୁଆ ପରି ଦେଖାଯାଆନ୍ତି । ତୁ ଏସବୁ କଥା ଏବେ କିଛି ବୁଝିପାରିବୁନି । ବଡ ହୋଇ ଅଧିକ ପାଠ ପଢିଲେ ଯାଇ ଜାଣିବୁ ।

ଏହା ମଧ୍ୟରେ ତେର ବର୍ଷ ଅତିକ୍ରାନ୍ତ ହୋଇଯାଇଛି । ରଜନୀ ବୁଢୀ ଆଉ ଏ ଦୁନିଆରେ ନାହିଁ । କୁନିକୁ ଏବେ ଅଠର ବର୍ଷ ହେଲାଣି । ହେଲେ ଜହ୍ନମାମୁଁ ଓ ଜହ୍ନ ରାଇଜ ପ୍ରତି ଦୁର୍ବଳତା ତା ମନରୁ ଏପର୍ଯ୍ୟନ୍ତ ଲିଭିନି । ଏବେ ବି ସେ ଜ୍ୟୋସ୍ନା ବିଧୈାତ ରଜନୀରେ ଛାତ ଉପରେ ଏକା ଏକା ବୁଲୁଥିଲାବେଳେ ଜହ୍ନମାମୁଁ ବିଷୟରେ ଭାବେ । ସେତେବେଳେ ତା ଆଈ କହିଥିବା କଥା ତା’ର ମନେ ପଡିଗଲେ ତାକୁ ବହୁତ ଦୁଃଖ ଲାଗେ । ତା ଆଖିରେ ଲୁହ ଆସେ । ପିଲାଦିନେ ଆଈର କଥା କେଇ ପଦ ଆଜି ତା’ର ଗୋଟି ଗୋଟି କରି ସବୁ ମନେପଡିଯାଉଛି । । ପ୍ରତିଦିନ ପରି ଦିନେ ରାତିରେ କୋଳରେ ତାକୁ ଧରି ବୁଢୀ ଅସୁରୁଣୀ ଗପ, ମଣ୍ଡାଖିଆ ଅସୁର ଗପ ଇତ୍ୟାଦି କହି ପିଠି ଥାପୁଡାଇ ଶୁଆଇଦେଉଥିଲାବେଳେ ତା ଆଈ କହିଥିଲା –“ ଯେଉଁମାନେ ମରିଯାଆନ୍ତି, ସେମାନେ କୁଆଡେ ଆକାଶର ତାରା ହୁଅନ୍ତି ।” ସତରେ, ତା ଆଈ କ’ଣ ଦୂର ଆକାଶର ତାରା ହୋଇଯାଇଛି ? ସେ ପିଲାଟିଏ ହୋଇଥିଲାବେଳେ ତାକୁ ବୁଝାଇବାକୁ ଯାଇ ଆଈ ଏଇ କଥା ସବୁ କହିଥିଲା । ଏବେ ଏ ବୟସରେ ତା’ର ସେହି କଥା ଗୁଡିକ ମନେପଡିଗଲେ ତାକୁ ଭାରି ହସ ଲାଗେ । ଇଛା ହୁଏ ଆଈ ଏବେ ଯଦି ବଂଚିଥାଆନ୍ତା ତା’ହେଲେ ସେ ତାକୁ ପଚାରନ୍ତା –“ ମଣିଷ ମଲେ ତାରା ହୁଅନ୍ତି କେମିତି ?”*

*କିଛି ବର୍ଷ ପରେ କୁନିର ବିବାହ ହୁଏ ବିମଳ ସହିତ । ବହୁ ଦିନୁ ବିମଳର ବାପା ମାଆ ଆରପାରିକୁ ଚାଲିଯାଇଛନ୍ତି । ସେ ପିଲାଟି ଦିନୁ ମାମୁଁ ଘରେ ରହି ବଡ ହେଇଛି । ଏବେ ନିଜ ଗାଁରେ ବ୍ୟାଙ୍କରୁ ଲୋନ୍ ଆଣି କୁକୁଡା ଚାଷ ଓ ମାଛ ଚାଷ କରି ବେଶ୍ ଖୁସିରେ ଅଛି । ପୂଜା ପାର୍ବଣରେ ମାମୁଁମାଇଁ ତା ପାଖକୁ ବୁଲି ଆସନ୍ତି । ସେମାନଙ୍କର ଭଲମନ୍ଦ କଥା ସବୁ ବୁଝନ୍ତି । ତାଙ୍କର ଝିଅ ନଥିବାରୁ ସେ କୁନିକୁ ନିଜର ଝିଅ ଭାବେ ଦେଖନ୍ତି ।

କୁନି ଏବେ ତିନି ମାସର ଗର୍ଭବତୀ । ଡାକ୍ତର ତାକୁ ସିଡି ଚଢିବାକୁ, ଭାରି ଜିନିଷ ଉଠାଇବାକୁ ମନା କରିଛନ୍ତି । ସେଥିପାଇଁ ବିମଳ ତା ମାଇଁକୁ ନେଇ ଆସିଛି କୁନିର ଦେଖାଶୁଣା କରିବାକୁ । ପିଲା ପେଟରେ ଥିବାରୁ କୁନିର ଭଲ ଭଲ ଜିନିଷ ଖାଇବାକୁ ମନ ହୁଏ । ମାଇଁ ତା ମନ କଥା ବୁଝି ପାରି ତାକୁ ନିଜ ହାତରେ ପ୍ରସ୍ତୁତ ଖାଦ୍ୟ କରି ଖୁଆଇ ଦିଅନ୍ତି । ତେଣୁ ସେ ତା ମାଇଁକୁ ନିଜ ମାଆଠାରୁ ଆଧିକ ଭଲପାଏ ।*

ଡାକ୍ତରଙ୍କ କହିବା ମୁତାବକ କୁନି ତା ମାଇଁ ସହିତ ପ୍ରତି ମାସରେ ଥରେ ଚେକପ୍ କରିବାକୁ ଡାକ୍ତରଖାନା ଆସେ । ତାଙ୍କ ପରାମର୍ଶ ନିଏ । ଏହା ବାଦ୍ ଗାଁର ଆଶା କର୍ମୀ ଦିଦି ବି ତାକୁ ଦେଖିବାକୁ ଆସନ୍ତି । ଭଲ ମନ୍ଦ ପଚାରି ବୁଝନ୍ତି । ସୁସ୍ଥ ପିଲାଟିଏ କିପରି ଜନ୍ମ ହେବ ସେ ବିଷୟରେ ତାକୁ ବୁଝାନ୍ତି । ହେଲେ ସେମାନଙ୍କ ପାଖରେ ଟିକିନିକି ସବୁ କଥା କହିବାକୁ କୁନିକୁ ଭାରି ଲାଜ ଲାଗେ । ସେଥିପାଇଁ ସେ ମାଇଁକୁ ତା ସାଙ୍ଗରେ ଯିବାକୁ କହେ ।

ଏଇ କିଛି ଦିନ ହେବ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ବିନା ଅସ୍ତ୍ରପଚାରରେ କୁନିର ସୁନ୍ଦର ଝିଅଟିଏ ହେଇଛି । କୁନି ତାକୁ ସ୍ନେହରେ ରାଣୀ ବୋଲି ଡାକେ । ରାଣୀ ସଦାବେଳେ ଖାଇବାରେ ହଇରାଣ କରେ । ଭାରି ବିରକ୍ତ କରାଏ । ସେଦିନ ସଂଧ୍ୟାରେ, ଜହ୍ନର ତୋଫା ଆଲୁଅରେ କୁନି ତାକୁ ଅଗଣାରେ ବୁଲେଇ ବୁଲେଇ ଖୁଆଉଥିଲାବେଳେ ସେ ଆଦୌ ଖାଉନଥିଲା । ସେତିକିବେଳେ ହଠାତ୍ ତା’ର ତା ଆଈ କଥା ମନେପଡିଯିବାରୁ ସେ ସଙ୍ଗେ ସଙ୍ଗେ ଖୁସିରେ ଝିଅକୁ କାଖରେ ଧରି ପିଲାଦିନେ ଆଈଠାରୁ ସେ ଶିଖିଥିବା ଗୀତଟିକୁ ଗାଇ ଗାଇ ଖୁଆଇବାକୁ ଚେଷ୍ଟା କରୁଥିଲା ।

“ଆ’ ଜହ୍ନମାମୁଁ ସରଗ ଶଶୀ

ମୋ ରାଣୀ ହାତରେ ପଡରେ ଖସି।”

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.