ଗପ ଟିଏ… ଜହ୍ନମାମୁଁ ପୃଷ୍ଠାରୁ: ମହାଶିଳ୍ପୀ

Short stories: Mahashilpi
Reading Time: 4 minutes

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ ।

ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ।

କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।

ତା’ପରେ ସେ ତାକୁ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଏତେ କଷ୍ଟ କରି ଶ୍ମଶାନରେ ବୁଲୁଛ । ମୁଁ ବୁଝି ପାରୁନି ଏ କଷ୍ଟର ଫଳ ତୁମେ ପାଇବ କି ନାହିଁ । କିନ୍ତୁ ସାଫଲ୍ୟ ପ୍ରତି ବିଶ୍ୱାସ ରହିବା ଆବଶ୍ୟକ ।

କାରଣ ସାଧାରଣତଃ କଳାକାରମାନେ, ସୁରବୀରମାନେ ଓ ବିଦ୍ୱାନ ମାନେ ସମସ୍ତ ସମସ୍ୟାକୁ ନିଜର ଭାବି ସମାଧାନ କରିବାକୁ ଚେଷ୍ଟା କରନ୍ତି ନାହିଁ । ତେଣୁ ବେଳେବେଳେ ସେମାନେ ସାଫଲ୍ୟ ଲାଭ କରିବାକୁ ଯାଉଥିବାବେଳେ ଛୋଟ କିଛିର ଅଭାବ ଯୋଗୁଁ ସେମାନେ ସବୁ ହରାଇ ବସନ୍ତି । ମୁଁ ଏବେ ତୁମକୁ ମହାଶିଳ୍ପୀ ଅମରେନ୍ଦ୍ର ବିଷୟରେ କହୁଛି, ମନ ଦେଇ ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ହେବ । ବେତାଳ ଏଥର ଗପିଲା –

ଚନ୍ଦ୍ରଗିରିର ରାଜା କୀର୍ତ୍ତିଚନ୍ଦ୍ର କଳାପ୍ରିୟ ଥିଲେ; ତାଙ୍କ ଦରବାରରେ ସଦା ସର୍ବଦା କବିସମ୍ମିଳନୀ ଅନୁଷ୍ଠିତ ହୁଏ । କବିମାନେ ପୁରସ୍କାର ପାଆନ୍ତି । ସେଥିରେ ନୃତ୍ୟ ଗୀତର କାର୍ଯ୍ୟକ୍ରମ ମଧ୍ୟ ଥାଏ ।”

ରାଜା ସବୁପ୍ରକାରର କଳାକୁ ଭଲ ପାଉଥିଲେ । କିନ୍ତୁ ଶିଳ୍ପକଳାକୁ ସେ ଟିକେ ସବୁଠୁ ଅଧିକ ପସନ୍ଦ କରୁଥିଲେ । ସେ ଚାହୁଁଥିଲେ ଏକ ଅଦ୍ଭୁତ ନୃତ୍ୟଶାଳା ନିର୍ମାଣ କରିବେ ଯେଉଁଥିରେ କି ସୁନ୍ଦରୀ ଝିଅମାନଙ୍କର ପ୍ରତିକୃତି ଥିବ ଓ ଦେବୀ ଏବଂ ଦେବତାଙ୍କ ମୂର୍ତ୍ତିମାନ ରହିବ ।

ରାଜାଙ୍କ ମନରେ ଏହିକଥା ଥାଏ । ହଠାତ୍ ଦିନେ ରାଜାଙ୍କ ସହ ଅମରେନ୍ଦ୍ର ନାମକ ଏକ ଶିଳ୍ପୀଙ୍କର ଦେଖା ହେଲା । ସେ ଦୂର ଗ୍ରାମରେ ରହୁଥିଲେ ଓ ଶିଳ୍ପକଳାରେ ଅଦ୍ୱିତୀୟ ଥିଲେ । କିନ୍ତୁ ସେ ତାଙ୍କ ଶିଳ୍ପର ପ୍ରଚାର କରୁ ନଥିଲେ; ପୁଣି ଧନ ପ୍ରତି ମଧ୍ୟ ତାଙ୍କର କୌଣସି ଆସକ୍ତି ନ ଥିଲା । ତେଣୁ ସେ ଯାହା ଶିଳ୍ପ କରନ୍ତି, ତାହା ନିଜ ସନ୍ତୋଷ ଓ ଆନନ୍ଦ ପାଇଁ । ତାଙ୍କର ହାତ ଲାଗିଲେହିଁ କଠୋର ଶିଳା ମଧ୍ୟ ମୃଦୁ ହୋଇଯାଏ ।

ଅମରେନ୍ଦ୍ରଙ୍କର ଶିଳ୍ପକୃତି ଦେଖି ରାଜା ମନେମନେ ସ୍ଥିର କଲେ କି ତାଙ୍କୁହିଁ ସେ ରାଜଶିଳ୍ପୀ ପଦରେ ସମ୍ମାନିତ କରିବେ । କାରଣ ତାଙ୍କରି ଦ୍ୱାରାହିଁ ରାଜା ତାଙ୍କର ବହୁ ଦିନର ଇପ୍ସିତ ନୃତ୍ୟଶାଳା ତିଆରି କରାଇବେ । ରାଜା ଅମରେନ୍ଦ୍ରଙ୍କ ପାଖକୁ କେତେକ କର୍ମଚାରୀଙ୍କୁ ପଠାଇଲେ । ସେମାନେ ତାଙ୍କୁ ରାଜାଙ୍କ ଇଚ୍ଛା ବିଷୟ କହି ତାଙ୍କୁ ରାଜଧାନୀକୁ ନେଇ ଆସିବା ପ୍ରସ୍ତାବ କଲେ ।

ରାଜକର୍ମଚାରୀମାନେ ପାଲିଙ୍କି ନେଇ ଅମରେନ୍ଦ୍ରଙ୍କ ପାଖରେ ପହଁଚିବାର ଦେଖି ଅମରେନ୍ଦ୍ର କହିଲେ, “ମୋର ସେସବୁ ପ୍ରତି ଆଦୌ ଲାଳସା ନାହିଁ । ଆପଣମାନେ ଯାଇ ମହାରାଜାଙ୍କୁ କହିଦେବେ ଯେ ମୁଁ ତାଙ୍କ ପ୍ରସ୍ତାବ ସ୍ୱୀକାର କରୁ ନଥିବା ଯୋଗୁଁ ମୋତେ ସେ ଯେପରି କ୍ଷମା ଦିଅନ୍ତି ।”

ରାଜକର୍ମଚାରୀମାନେ ଫେରିଯିବାପରେ ରାଜା ନିଜେ ଆସି ଅମରେନ୍ଦ୍ରଙ୍କୁ କହିଲେ, “ତମେ ଜଣେ ମହାନ୍ ଶିଳ୍ପୀ, କିନ୍ତୁ, ତୁମେ ତାହା ନିଜ ଭିତରେ ସୀମିତ ରଖୁଛ କାହିଁକି? ଏଥିରୁ ସମସ୍ତେ ଲାଭବାନ୍ ହେଲେହିଁ କଳାର ସାର୍ଥକତା ।”

ଏକଥା ଶୁଣି ଅମରେନ୍ଦ୍ର କହିଲେ, “ଆପଣ ଯାହା ବି କହୁଛନ୍ତି ସେକଥା ସତ । ସାଧାରଣତଃ ରାଜାମହାରାଜାମାନେ ନିଜର ଯଶକୀର୍ତ୍ତି ପାଇଁ କଳାକାର ବା ଶିଳ୍ପୀମାନଙ୍କୁ ଯଥେଷ୍ଟ ଧନ ଦେଇ ରଖାଇଥା’ନ୍ତି ।”

ଏପରି ଉତ୍ତର ପାଇ ରାଜା ଅତ୍ୟନ୍ତ ଦୁଃଖିତ ହୋଇ କହିଲେ, “ଅମରେନ୍ଦ୍ର, ତୁମେ ମୋତେ ଆଜିଯାଏଁ ବି ଠିକ୍ ଭାବରେ ବୁଝିନାହଁ । ପ୍ରକୃତରେ ତୁମପରି କଳାକାର, ମୋପରି ରାଜାମହାରାଜାଙ୍କ ଠାରୁ ନିଶ୍ଚୟ ଶ୍ରେଷ୍ଠ । ଦୟାକରି ମୋ କଥା ମାନ । ଏକ ସୁନ୍ଦର ନୃତ୍ୟଶାଳାର କଳ୍ପନା ମୋ ମନରେ ବହୁଦିନରୁ ଅଛି । କେବଳ ତୁମେହିଁ ମୋର ସେ କଳ୍ପନାକୁ ସାକାର ରୂପ ଦେବ ।”

ଅମରେନ୍ଦ୍ର କିଛି ସମୟ ଧରି ଭାବିବା ପରେ କହିଲେ, “ଆଚ୍ଛା ମହାରାଜ, ଆପଣଙ୍କ କଳ୍ପନାର ନୃତ୍ୟଶାଳାକୁ ସାକାର ରୂପ ଦେବାର ଦାୟିତ୍ୱ ମୁଁ ନେଉଛି ।”

ତା’ପରେ ଅମରେନ୍ଦ୍ର ରାଜଧାନୀକୁ ଆସିଗଲେ ଓ ନୃତ୍ୟଶାଳା ନିର୍ମାଣପାଇଁ ରାତି ଦିନ ସେଥିରେ ସେ ଲାଗି ପଡିଲେ । ଦିନେ ରାଜକୁମାରୀ ବିଜୟମାଳା ନୃତ୍ୟଶାଳା ଦେଖିବାକୁ ଆସିଲେ । ଅମରେନ୍ଦ୍ରଙ୍କର କଳାକୃତିସବୁ ଏତେ ସଜୀବ ଥିଲେ ଯେ ସେସବୁକୁ ଦେଖି ରାଜକୁମାରୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ହାତୁଡି ଧରି କାମ କରୁଥିବା ଅମରେନ୍ଦ୍ରଙ୍କୁ ସେ ଦେଖିଲେ । ଅମରେନ୍ଦ୍ର ରୂପବାନ ଥିଲେ । ସେ ଗମ୍ଭୀର ପ୍ରକୃତିର ଓ ଏକାଗ୍ର ଭାବରେ କାମ କରୁଥିଲେ ।

ତାଙ୍କ ମୁହଁରେ ଏକ ସ୍ୱର୍ଗୀୟ ଆଭା ଥିଲା । ଏପରି ଅଦ୍ଭୁତ ବ୍ୟକ୍ତିଙ୍କୁ ସେ ରାଜକୁମାରୀ ଆଗରୁ କେବେବି ଦେଖି ନ ଥିଲେ । ଅମରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ତାଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ଜାଗ୍ରତ ହେଲା । କ୍ରମେ ତାଙ୍କର ଏହି ଶ୍ରଦ୍ଧା ଓ ସମ୍ମାନ ମଧ୍ୟରେ ସ୍ନେହ ଓ ପ୍ରେମ ମଧ୍ୟ ଜାତ ହେଲା । କିନ୍ତୁ ତାହା କେବଳ ତାଙ୍କ ମନ ମଧ୍ୟରେହିଁ ରହିଲା ।

ଏଣିକି ରାଜକୁମାରୀ ପ୍ରାୟ ପ୍ରତିଦିନ ନୃତ୍ୟଶାଳାକୁ ଯିବାକୁ ଲାଗିଲେ ଓ ଅମରେନ୍ଦ୍ରଙ୍କ ସହିତ ଶିଳ୍ପକଳା ଉପରେ ବହୁ ସମୟ ଧରି ଆଳାପ ଆଲୋଚନା କରିବାକୁ ଲାଗିଲେ । କିନ୍ତୁ ଲଜ୍ଜାବଶତଃ ନିଜର ମନ କଥା ସେ ବ୍ୟକ୍ତ କରିପାରୁ ନଥିଲେ ।

କିଛିଦିନ ପରେ ନୃତ୍ୟଶାଳା ନିର୍ମାଣ କାର୍ଯ୍ୟ ଶେଷ ହେଲା । ରାଜା, ମନ୍ତ୍ରୀ ଓ ଅନ୍ୟାନ୍ୟ ସଭାସଦ୍ଗଣ ଆସି ଶିଳ୍ପକଳାର ଭୁରିଭୁରି ପ୍ରଶଂସା କଲେ । ଏହାର ଏକ ସପ୍ତାହ ପରେ ନୃତ୍ୟଶାଳା ଉଦ୍ଘାଟନ କରାହେବା କଥା ।

ଇତିମଧ୍ୟରେ ରାଜକୁମାରୀ ଦିନେ ଅମରେନ୍ଦ୍ରଙ୍କୁ ନିଜ ମନକଥା ଖୋଲି କହିଲେ । ଏକଥା ଶୁଣି ଅମରେନ୍ଦ୍ର ଚମକି ଉଠିଲେ । ତା’ପରେ ଟିକିଏ ଚିନ୍ତାକରି ସେ କହିଲେ, “ତୁମେ ରାଜକୁମାରୀ, ମୁଁ ଜଣେ ସାଧାରଣ ନାଗରିକ, କୌଣସି ରାଜବଂଶରେ ମୋର ଜନ୍ମ ନୁହେଁ । ତେଣୁ ଏହା କିପରି ସମ୍ଭବ ହେବ?”

ଅମରେନ୍ଦ୍ରଙ୍କ ଏଭଳି କଥା ଶୁଣି ବିଜୟମାଳା ହସିଦେଲେ ଓ କହିଲେ, “ଏସବୁ ବଂଶ ମର୍ଯ୍ୟାଦା ବିଷୟରେ ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ଆପଣ ଜଣେ ମହାନ୍ ଶିଳ୍ପୀ, ତାହାହିଁ ଆପଣଙ୍କର ପରିଚୟ । ତାହାହିଁ ସର୍ବାପେକ୍ଷା ମହାନ୍ ବଂଶ ।”

ଅମରେନ୍ଦ୍ର କହିଲେ, “ଠିକ୍ ଅଛି, କିନ୍ତୁ ମହାରାଜ ଏଥିରେ ସମ୍ମତ ହେବେ କି? ତୁମେ ସାତଦିନ ମଧ୍ୟରେ ତୁମ ପିତାଙ୍କଠାରୁ ସ୍ୱୀକୃତି ନେଇ ଆସି ମୋତେ କୁହ ।” କିନ୍ତୁ ଚାରିଦିନ ପରେ ସେ ତାଙ୍କ ନିଜ ଗ୍ରାମକୁ ପଳାଇଲେ ।

ଗଳ୍ପଟି କହିସାରି ବେତାଳ କହିଲା, “ରାଜନ୍, ଅମରେନ୍ଦ୍ରଙ୍କର ଏ ବ୍ୟବହାର ନିତାନ୍ତ ବୁଦ୍ଧିହୀନତାର ପରିଚୟ ଦିଏ ନାହିଁକି? ପୁଣି ଲୌକିକ ଜ୍ଞାନ ଆଦୌ ନାହିଁ । ମୋର ଏହି ସନ୍ଦେହକୁ ମୋତେ ପରିଷ୍କାର କରି ବୁଝାଇ ଦିଅ । ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ନିଶ୍ଚିତରୂପେ ସ୍କନ୍ଧଚ୍ୟୁତ ହେବ  ।”

ରାଜା ବିକ୍ରମ କହିଲେ, “ତୁମେ ଯାହା ଭାବୁଛ ସେସବୁ ସମ୍ପୂର୍ଣ୍ଣ ଭୁଲ୍ । ଅମରେନ୍ଦ୍ରଙ୍କର ଜୀବନ ପ୍ରତି ବ୍ୟବହାରିକ ଜ୍ଞାନ ବା ଲୌକିକ ଜ୍ଞାନ କୌଣସିଟାର ଅଭାବ ନଥିଲା । କାରଣ ସେ ଚାହୁଁଥିଲେ ସବୁ କଥାରେ ପରିଷ୍କାର ଭାବରେ ବୁଝାମଣା ହୋଇଯିବା ଉଚିତ୍ । ରାଜକୁମାରୀ ତାଙ୍କ ପିତାଙ୍କ ଠାରୁ ଅନୁମତି ଆଣିବାକୁ ମାତ୍ର କେତେ ଘଂଟାହିଁ ଯଥେଷ୍ଟ । ଯଦି ପିତା ଅନୁମତି ନ ଦେବେ ତେବେ ସେ ମଧ୍ୟ ଆଉ ମୁହଁ ଦେଖାଇ ପାରିବେ ନାହିଁ ।

ସେ କଥା ସେ ଠିକ୍ ଜାଣି ପାରିଥିଲେ । ଚାରିଦିନ ମଧ୍ୟରେ ରାଜକୁମାରୀ କୌଣସି ଖବର ଦେଲେ ନାହିଁ । ପିତାଙ୍କଠାରୁ ସେ ଅନୁମତି ପ୍ରାପ୍ତ କରିପାରିନାହାଁନ୍ତି । ରାଜାଘର କଥା । ପାନରୁ ଚୁନ ଖସିଲେ ଜାଣ ମୁଣ୍ଡକାଟ । ତେଣୁ ସେ ନିଜ ଘରକୁ ଚାଲିଯାଇ ପ୍ରମାଣ କଲେ ଯେ ସେ ନିଜ ତରଫରୁ ରାଜକୁମାରୀଙ୍କୁ ବିବାହ ପ୍ରସ୍ତାବ ଦେଇ ନାହାଁନ୍ତି ।”

ବେତାଳକୁ ଉତ୍ତର ଦେବା ଦ୍ୱାରା ରାଜା ବିକ୍ରମଙ୍କର ମୌନ ଭଙ୍ଗ ହେଲା । ପୂର୍ବ ସର୍ତ୍ତ ଅନୁସାରେ ବେତାଳ ଶବସହିତ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବ ବୃକ୍ଷରେ ଯାଇ ଝୁଲି ପଡିଲା ।

 

ଅମାବାସ୍ୟାର ପିଶାଚ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.