ଗପଟିଏ…ଜହ୍ନମାମୁଁ ପୃଷ୍ଠାରୁ – ବସଣୀ ଚୋରୀ

Janhamaamun Stories
Reading Time: 3 minutes

ଜଣେ ଲୋକର କଟକରେ ଘର । ଲୁହା କାରଖାନାରେ ସେ କାମ କରନ୍ତି । ମୋଟା ଦରମା ପାଆନ୍ତି । ତାଙ୍କର କେହିବି ପୁଅଝିଅ ନଥିଲେ । ସେ ଆଉ ତାଙ୍କର ସ୍ତ୍ରୀଙ୍କୁ ନେଇ ଛୋଟ ପରିବାରଟି ଗଢା । ସ୍ତ୍ରୀଙ୍କ ମନରେ କେବେବି ଦୁଃଖ ନ ଥାଏ । ସେ କହନ୍ତି, ମୋ’ପୁଅ ଜଗାକାଳିଆ । ସେ ନୀଳାଚଳରେ ଅଛି । ତାରି ମୁହଁକୁ ଚାହିଁ ମୁଁ ମୋ ଜୀବନର ଶେଷକାଳ କାଟିବି ।

ଲୋକଟି ଚାକିରିରୁ ଅବସର ନେଲାପରେ ବୁଢା ବୟସରେ କେଉଁଠି ରହିବେ ବୋଲି ଭାବୁଥିଲେ । ହେଲେ ବୁଢୀ ପୁରୀଧାମରେ ଘର ଖଣ୍ଡିଏ କରି ସବୁଦିନପାଇଁ ସେଠାରେ ରହିବ ବୋଲି ଜିଦ୍ ଧରି ବସିଲା ।
ଶେଷରେ ସେଇଆ ହେଲା ।
ସାରା ଜଗତର ପବିତ୍ର ତୀର୍ଥଧାମ ପୁରୀରେ ସେ ବୁଢା ବୁଢୀ ଘରଖଣ୍ଡିଏ ତୋଳାଇ ରହିଲେ । ବୁଢୀ ପ୍ରତିଦିନ ସକାଳୁ ଉଠେ । ଫୁଲ ତୋଳେ । ସେଇ ଫୁଲରେ ନାସାର ବସଣୀଟିଏ ସେ ତିଆରି କରେ । ପାଣି ସିଂଚି ରଖିଥାଏ । ସଞ୍ଜ ହେଲେ ସେ ଶ୍ରୀମନ୍ଦିରକୁ ଯାଏ । ପୂଜାପଣ୍ଡାଙ୍କୁ ସେଇଟି ସେ ଦିଏ । ପଣ୍ଡାଏ ତାକୁ ଜଗନ୍ନାଥଙ୍କ ନାସାରେ ଲାଗି କରନ୍ତି । ବୁଢୀ ବସି କେତେ ସ୍ତବପାଠ କରେ । ଠାକୁରଙ୍କ ପହଡ ହେଲେ ତା ଘରକୁ ସେ ଫେରେ । ଏମିତି ଖୁସିରେ ଦିନଗୁଡିକ କଟିବାକୁ ଲାଗିଲା ।
ଦିନେ କ’ଣ ହେଇଚିନା ସେ ବୁଢୀକୁ ଭୀଷଣ ମାତ୍ରାରେ ଜ୍ୱର ହେଲା । ସକାଳେ ସେ ଆଉ ତା’ ବିଛଣାରୁ ଉଠିପାରିଲାନି କି ଫୁଲ ବି ତୋଳି ପାରିଲାନି ।

ମନରେ ତାର ଭାରି ଦୁଃଖ । ଫୁଲତୋଳି ପାରିଲାନି । ନାସାର ବସଣୀ ବା ଆଜି କେମିତି ଦବ?
ତେଣେ କ’ଣ ହେଇଚିନା ବୁଢୀର ପୁତୁରାଟିଏ କଟକରେ ଥିଲା ଯେ ସେ ପୁରୀକୁ ବାହାରିଲା । ଜଗନ୍ନାଥ ଦର୍ଶନ କରିବ । ତା’ଛଡା ବଡବୋଉ ସହିତ ବି ଟିକେ ଦେଖାହେବ । ଦି’ବର୍ଷ ହେଲା ଦେଖା ହେଇନି । ବଡବୋଉ ପାଇଁ କ’ଣ ନେବ ଏହା ଭାବିଭାବି ଶେଷରେ ସେ ଠିକ୍କଲା ଯେ କିଛି ଫୁଲ ତା’ପାଇଁ ସେ ତୋଳିକି ନବ । କାରଣ ସେ ଜାଣେ ତା’ ବଡବୋଉ ଫୁଲକୁ ଭାରି ଭଲପାଏ ।
କଟକରୁ ବସ୍ ଯୋଗେ ପୁତୁରା ଯାଇ ପୁରୀରେ ପହଁଚିଲା । ବୁଢୀକୁ ସେ ଜୁହାର ହେଲା । ବୁଢୀ ସାଙ୍ଗେସାଙ୍ଗେ ପଚାରିଲା, ପୁଅ । ମୋ’ ପାଇଁ କ’ଣ ଆଣିଚୁ

ପୁତୁରା କହିଲା, ବଡବୋଉ, ଆଉ କ’ଣ ଆଣନ୍ତି । ତୁ’ତ ଫୁଲକୁ ଭାରି ଭଲପାଉ । ତେଣୁ ତୋପାଇଁ ମୁଁ ଫୁଲକିଛି ଆଣିଛି । ଏତିକି କହି ଫୁଲଗୁଡିକୁ ସେ ତଳେ ଥୋଇଦେଲା ।
ବୁଢୀ ଅତି ଆନନ୍ଦରେ କୁରୁଳି ଉଠିଲା । ସତେ ଯେମିତି ଅମୂଲ୍ୟ ଜିନିଷ ସେ ପାଇଗଲା । ଧଡପଡ ହୋଇ ସେ ଉଠିବସିଲା । ଆଉ ସାଙ୍ଗେ ସାଙ୍ଗେ ନାସାର ବସଣୀଟିଏ ସେ ତିଆରି କଲା ।

ଠିକ୍ ସଞ୍ଜ ବେଳ ।
ବୁଢୀ ତା’ ପୁତୁରାକୁ ବସଣୀଟି ଦେଲା । ଆଉ କହିଲା, “ଏଇଟି ନେ । ପୂଜାପଣ୍ଡାଙ୍କୁ ଦେଇ ମୋ ପରିଚୟ କହିବୁ । ଦେହ ଭଲ ନାହିଁ । ଭୀଷଣ ଜ୍ୱର, ଯାଇ ପାରିଲିନି । ବସଣୀଟି ଠାକୁରଙ୍କ ନାକରେ ଲାଗିକରେଇ ଦେବେ ।”

ପୁତୁରା ଅତି ଯତ୍ନରେ ଫୁଲ ବସଣୀଟି ଧରି ତାକୁ ସେ ଶ୍ରୀମନ୍ଦିର ଆଡକୁ ନେଇଗଲା । ବାଟରେ ଏଠି ସେଠି ବୁଲି ଦେଖୁଦେଖୁ ପୁତୁରାଯାଇ ସିଂହଦ୍ୱାରରେ ପହଁଚିଲା ବେଳକୁ ଠାକୁରଙ୍କ ପହଡ ହେଇଗଲାଣି । ପୁତୁରାର ମନରେ ଭାରି ଦୁଃଖ । ବସଣୀଟି ଠାକୁରଙ୍କ ନାସାରେ ଆଉ ଲାଗି ହେଇ ପାରିଲାନି । ବଡବୋଉ ଏକଥା ଜାଣିଲେ ସେ ଭାରି ରାଗିବ । ମନଦୁଃଖରେ ସିଂହଦ୍ୱାର ନିକଟରେ ସେ ବସିରହିଲା । ଭାରି ବିକଳ ସେ ହେଉଥାଏ । ଠିକ୍ ଏତିକିବେଳେ ଛୋଟ ପିଲାଟିଏ ଆସି ସେଇଠି ପହଁଚିଗଲା । ପିଲାଟି କଥାସବୁ ଶୁଣି କହିଲା, “ଆଚ୍ଛା ଦିଅ ମୋତେ । ଫୁଲ ବସିଣୀଟି ମୁଁ ପଣ୍ଡାଙ୍କୁ କହି ଲାଗି କରାଇଦେବି ।” ପୁତୁରା ନାହିଁ କରୁଥିଲା । ହେଲେ ପିଲାଟି ହାତରୁ ଛଡାଇନେଇ ଦଉଡି ପଳାଇଲା ।
ବୁଢୀର ପୁତୁରା ମଧ୍ୟ ତା’ ପଛେପଛେ ଧାଇଁଲା । ହେଲେ ତା’ର ଦେଖା ଆଉ ସେ ପାଇଲାନି । ଭାବିଲା ଏ ପୁରୀଧାମରେ ସତରେ କି ଦୁଷ୍ଟପିଲା ଅଛନ୍ତି । ଠାକୁରଙ୍କ ନାସାରେ ଲାଗି ନହେଲେ ବି ଏଇଟି ନେଇ ବଡବୋଉକୁ ଫେରାଇଥାନ୍ତା । ଖାଲିହାତରେ ଗଲେ ବଡବୋଉ ତ ନିଶ୍ଚୟ ବିରକ୍ତ ହେବ । ଯାହାହେଉ ଏମିତି ଭାବୁଭାବୁ ସେ ଯାଇ ତା’ ବଡବୋଉ ଘରେ ପହଁଚିଗଲା । ସବୁକଥା ସେଠି ସେ କହିଗଲା । ସବୁ ଶୁଣିସାରି ସେ ବୁଢୀର ମନ ବଡ ଅଥୟ ହେଲା । ନାସା ବସଣୀଟିକୁ ତା’ହେଲେ କ’ଣ କାଳିଆ ପିଲାରୂପରେ ଆସି ପୁତୁରା ହାତରୁ ଛଡାଇ ନେଲା? ମନରୁ ତା’ର ଏହି ସନ୍ଦେହ ଦୂରକରିବା ପାଇଁ ପରଦିନ ବଡିଭୋରୁ ସେ ଯାଇ ସିଂହଦ୍ୱାର ନିକଟରେ ବସିଲା ।

ଠାକୁରଙ୍କ ପହଡ ଖୋଲିଲା ।
ବୁଢୀ ଦେଖେ ତ ତା’ ହାତ ତିଆରି ଫୁଲର ନାସା ବସଣୀଟି ଠିକ୍ ଜଗନ୍ନାଥଙ୍କ ନାସାରେ ଶୋଭା ପାଉଛି । ଏହାଦେଖି ସେ ବୁଢୀ ବିଚାରୀ କାନ୍ଦିକାନ୍ଦି ତଳେ ଲୋଟିଗଲା । ଭାବିଲା, କାଳିଆ ତା’ହେଲେ ତାର ବସଣୀଟି ପିଲା ରୂପରେ ଛଡାଇନେଲା । ଆହା, ଭକତବତ୍ସଳ ଠାକୁରଙ୍କର ଏହା କି ଅପାର କରୁଣା । ହେଲେ ସେ ଟିକେ ପିଲାର ରୂପଟି ଦେଖିପାରିଲାନି ।

ସେଇଦିନଠୁଁ ବୁଢୀ ଦେବଦାସୀ ହୋଇ ଶ୍ରୀମନ୍ଦିରରେ ରହିଛି । ଏବେ ବି ସେ ବଂଚିଛି । ଭକ୍ତି କଲେ ତୃପ୍ତି ମିଳେ । ସେଥିରୁ ସେ କେମିତି ବା ବାଦ୍ ଯାଆନ୍ତା?

🙏🙏🙏ଧନ୍ୟବାଦ🙏🙏🙏

 

ଶୂନ୍ୟ ଦେଉଳ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.