🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଅଳିଆ “🌻

Story of Garbage
Reading Time: 5 minutes

ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ ।

ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର ବିବାହ ଜଣେ ସାଧାରଣ ଗରୀବ, ଅସୁନ୍ଦର ଓ ମୂର୍ଖ ସହିତ ହେଉ । ଥରେ ସେପରି ଜଣେ ଲୋକକୁ ଜ୍ୱାଇଁ କରିବ ବୋଲି କନ୍ୟା ଦେଖିବାକୁ ସେ ନିମନ୍ତ୍ରଣ କରିଥିଲା । କିନ୍ତୁ ସେ ନିମନ୍ତ୍ରଣ ଭୁଲ୍କ୍ରମେ ଅନ୍ୟଜଣେ ଭଲ ଲୋକ ପାଇ ସେ ଆସିବାକୁ ଖବର ଦେଲା । ଏକଥା ଶୁଣି ରମଣୀ ସେଦିନ ତା’ ଝିଅ ଗୀତାକୁ କନ୍ୟା ଦେଖା ପାଇଁ ସଜାଇ ଦେଲା । ସୀତା ପାଖରେ କାମଦାମ କରୁଥାଏ; କୁଣିଆ ଚର୍ଚ୍ଚା ପାଇଁ ରମଣୀକୁ ସେ ସାହାଯ୍ୟ କରୁଥାଏ । ବରଘର ଖୁବ୍ ଧନୀ ଲୋକ । କନ୍ୟା ଦେଖା ସରିଲା ଭାବି ଜାମାତା ବସିଥିବା ସମୟତକ ସୀତାକୁ ଚାହିଁ ଦେଖୁଥିଲେ । ତା’ପରେ ରମଣୀକୁ ପଚାରି ବୁଝିଲେ ସୀତା ତାଙ୍କର ସାବତ ଝିଅ । ସୀତାର ସୌନ୍ଦର୍ଯ୍ୟ, ତା’ର ଚାଲିଚଳଣ, ଓ ଆଚାର ବ୍ୟବହାରରେ ସେ ଅତ୍ୟନ୍ତ ମୁଗ୍ଧ ହୋଇ ଏକ ଅଯାଚିତ ପ୍ରସ୍ତାବ ଦେଲେ ଓ ସେଥିପାଇଁ ଜିଦ୍ ଧରି ସେ ବସିଲେ । ସେ କହିଲେ, “ବିବାହ ଯଦି କରିବି ତ ସୀତାକୁ ହିଁ କରିବି ।”

ସୀତା ବିଷୟରେ ରମଣୀ ଅନେକ ଖରାପ କଥା ମିଛରେ କହିଲା । ତଥାପି ଭାବିଜାମାତା ନିଜ କଥାରୁ ଆଦୌ ଟଳିଲେ ନାହିଁ । ବାଧ୍ୟ ହୋଇ ରମଣୀ କହିଲା, “ଆଚ୍ଛା, ଆମେ ଭାବିଚିନ୍ତି ଖବର ପଠାଇବୁ ।”

ବରପକ୍ଷ ଲୋକମାନେ ଚାଲିଯିବା ପରେ ରମଣୀ ଖାଲି ଈର୍ଷ୍ୟାରେ ଜଳିଉଠି ଗର୍ଜନ କରି କହିଲା, “ଯେତେବେଳ ପର୍ଯ୍ୟନ୍ତ ଏଇ ସୀତା, ଅଲକ୍ଷଣୀ ଏଠାରେ ଥିବ, ସେପର୍ଯ୍ୟନ୍ତ ମୋ ଝିଅର ବିବାହ କେବେବି ହୋଇ ପାରିବ ନାହିଁ । ବେଶ୍ ଗୋଟାଏ ସୁନ୍ଦରୀ ହୋଇଛି । ରହିଥା’ ଆଜି ରାତିରେ ଗରମ ତେଲ ତା’ ମୁହଁ ଉପରେ ଢାଳି ଦେବି ଯେ ଅସୁନ୍ଦର ହୋଇଯିବ ।” ଗୀତା ଖୁସି ହୋଇ କହିଲା, “ମା’, ତୁମେ ସେପରି କଲେ ମୁଁ ଦିଦିଠାରୁ ବେଶି ସୁନ୍ଦର ହୋଇ ଉଠିବି ।”

ସୀତା ଏକଥା ଶୁଣି ଭୟରେ ଖାଲି ଥରିଲା । ବେଶି ରାତି ହେବାରୁ ସେ ସେହି ଘର ଛାଡି ବଣକୁ ପଳାଇଲା । ଚାଲିଚାଲି ଯେତେବେଳେ ସେ ଥକି ପଡିଲା, ସେ ଏକ ବୃକ୍ଷ ତଳେ ଯାଇ ବିଶ୍ରାମ କଲା । ବସୁ ବସୁ ସେଠାରେ ସେ ଶୋଇବି ପଡିଲା । ସକାଳୁ ଉଠି ସେ ଦେଖେ ତ ଜଣେ ବିକୃତ ଲୋକ ତାକୁ ଜଗି ରହିଛି; ସୀତା ଉଠିବାରୁ ସେ ତାକୁ କହିଲା, “ହେ ସୁନ୍ଦରୀ ବାଳିକା, ତୁମେ ରାତିରେ ଏହି ଘନ ଅରଣ୍ୟରେ କ’ଣ କରୁଥିଲ? ଏହି ଭୟଙ୍କର ସ୍ଥାନରେ ନିର୍ଭୟରେ କିପରି ବା ଶୋଇଗଲ? ତୁମ ଉପରକୁ ଏକ ବ୍ୟାଘ୍ର ଲମ୍ପ ଦେବା ଅବସ୍ଥାରେ ମୁଁ ସେ ବ୍ୟାଘ୍ରକୁ ଏଠାରୁ ତଡି ତୁମର ଜୀବନ ବଂଚାଇଛି, ପୁଣି ଅଧିକ ବିପଦ ପଡିବା ଭୟରେ ମୁଁ ତୁମକୁ ସେତେବେଳଠାରୁ ଏଠାରେ ଜଗି ବସିଛି ।” ସୀତା ସେହି ଲୋକଟିର କଥା ଶୁଣି ଭୀଷଣ ଆଶ୍ଚର୍ଯ୍ୟ ହେଲା ଓ ତା’ର ଜୀବନ ରକ୍ଷା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଲେ ।

ଲୋକଟି କହିଲା, “ଶୁଣ ତୁମକୁ ବାଘ କବଳରୁ ରକ୍ଷା କରିବା ପରେ ମୁଁ ତୁମକୁ ଜଗିଛି ଖାଲିରେ ନୁହେଁ, ମୋର ମଧ୍ୟ ସେଥିରେ କିଛି ଉଦ୍ଧେଶ୍ୟ ଅଛି । ତୁମ ରୂପ ଉପରେ ମୋହିତ ହୋଇ ମୁଁ ତୁମକୁ ବିବାହ କରିବାକୁ ଚାହେଁ ।”

ସୀତା ପୁଣି ମହା ଅଡୁଆରେ ପଡିଲା । ମନରେ ସାହସ କରି ସେ କହିଲା, “ମୁଁ ଅବଶ୍ୟ ତୁମକୁ ବିବାହ କରନ୍ତି; କିନ୍ତୁ ତୁମେ କ’ଣ ଜାଣ କି ମୁଁ ଏ ଜଙ୍ଗଲକୁ ଆସିଛି କାହିଁକି? ମୋର ବିବାହ ଜଣେ ରାକ୍ଷସ ସହିତ ହେବ ବୋଲି ମୋର ଜାତକରେ ଅଛି ।”

ଲୋକଟି ଗର୍ବ କରି କହିଲା, “ଓହୋ, ତେବେ ଏଇକଥା? ସେ ରାକ୍ଷସ ମୋର ସାମ୍ନାକୁ ଆସୁ ତ ଏଇ ତରବାରୀରେ ତାକୁ ମୁଁ ଟିକି ଟିକି କରି କାଟି ପକାଇବି । ଆଉ ତା’ପରେ ଯାଇ ତୁମକୁ ମୁଁ ବିଭା ହେବି ।”

ଠିକ୍ ସେତିକିବେଳେ କାହୁଁ ଏକ ସତ ରାକ୍ଷସ ଆସି ସେଠାରେ ହାଜର୍ ହେଲା । ତାକୁ ଦେଖିବାମାତ୍ରେ ସୀତା ଚିତ୍କାର କରି ହଠାତ୍ ବେହୋସ୍ ହୋଇଗଲା । ଲୋକଟା ରାକ୍ଷସକୁ ଚାହିଁ କହିଲା, “ଛି, ମୁଁ କ’ଣ ଏତେ ଭୀରୁ ଯେ ଜଣେ ରାକ୍ଷସ ସହିତ ଲଢିବି?” ଏତିକି କହିଦେଇ ରାକ୍ଷସ କିଛି କହିବା ପୂର୍ବରୁ ସେ ନିଜର ପ୍ରାଣ ନେଇ ସେଠାରୁ କୁଆଡେ ଦୌଡି ପଳାଇଲା ।

ଋାକ୍ଷସ ସୀତାର ସେବା ଶୁଶ୍ରୁଷା କରି ତା’ର ଚେତା ଫେରାଇ ଆଣିଲା ଓ ତାକୁ ସେ କହିଲା, “ମୋତେ କାହିଁକି ଡରୁଛ? ମୁଁ ତୁମର କୌଣସି ପ୍ରକାରରେ କିଛିବି କ୍ଷତି କରିବି ନାହିଁ । ତୁମ ଦୁହିଁଙ୍କ କଥା ମୁଁ ଗଛ ଉହାଡରେ ଥାଇ ସବୁ ଶୁଣିବା ପରେ ଏଠାକୁ ଆସିଲି । ସେ ଲୋକଟା ପଳାଇଲାଣି । ମୁଁ ତୁମକୁ ବିବାହ କରିବାକୁ ଚାହେଁ; ତୁମକୁ ସମସ୍ତ ପ୍ରକାର ବିପଦରୁ ରକ୍ଷା କରିବି । ତୁମକୁ ସର୍ବଦା ଖୁସିରେ ରଖିବି ।”

ସୀତା ପୁଣି ବହୁତ ସାହସ କରି କହିଲା, “ତୁମର ଶରୀର ତ ଏକ ପର୍ବତ ପରି” “ମୁଁ ତ ତା’ ତୁଳନାରେ ଏକ ସାମାନ୍ୟ ଘରଚଟିଆ ପକ୍ଷୀଟିଏ ପରି, ଏଭଳି ପରିସ୍ଥିତିରେ ତୁମ ସହିତ ମୋର ବିବାହ ସମ୍ଭବ ହେବ କିପରି? ଲୋକେ ହସିବେ ନାହିଁ?”

“ଓ ଏଇକଥା । ତେବେ ଶୁଣ ମୁଁ କାମରୂପ ବିଦ୍ୟା ଜାଣେ ତୁମ ପାଇଁ ମୁଁ ଏକ ଅତିସୁନ୍ଦର ଯୁବକରେ ପରିଣତ ହୋଇ ପାରିବି ।” ଏତିକି କହି ରାକ୍ଷସ ତତକ୍ଷଣାତ୍ ଏକ ସୁନ୍ଦର ଯୁବକରେ ପରିଣତ ହେଲା ।

ତଥାପି ବି ସୀତାର ଭୟ ଆଦୌ ଗଲା ନାହିଁ । ସେ କହିଲା, “ମୁଁ ମୋ ମା’ର ଗେହ୍ଲା ଝିଅ, ମୋର ମା’ର ସ୍ୱୀକୃତି ବିନା ତ ମୁଁ କାହାରିକୁ ମଧ୍ୟ ବିବାହ କରିପାରିବି ନାହିଁ ତୁମେ ମୋ ମା’କୁ ଯାଇ ଏକଥା କୁହ । ସେ ସମ୍ମତି ଜଣାଇଲେ ତେଣିକି ମୋର ଆଉ କୌଣସି ଅସୁବିଧା ନାହିଁ”

ଏହାପରେ ସେ ରାକ୍ଷସ ସୀତା ସହିତ ତା’ ଗ୍ରାମକୁ ଗଲା; ସେତେବେଳେ ତ ତା’ର ରୂପ ଏକ ଯୁବକ ପରି । ସୀତା ଶୀଘ୍ର ଚାଲି ନ ପାରିବାରୁ ସେ ତାକୁ ନିଜ କାନ୍ଧରେ ବସାଇ ଚାଲିଲା । ଘରେ ପହଁଚିବା ପୂର୍ବରୁ ସୀତା ତା’ କାନ୍ଧରୁ ତୁରନ୍ତ ଓହ୍ଲାଇ ପଡି, ଘର ଭିତରକୁ ଦୌଡିଲା ଓ ରମଣୀକୁ ଯାଇ କହିଲା, “ମା, ଜଣେ ରାକ୍ଷସ ମୋତେ ବିବାହ କରିବାକୁ ଯିଦ୍ ଧରି ବସିଛି । ମୋ ପଛେ ପଛେ ସେ ଆସୁଛି, ଏବେ ମୋତେ ରକ୍ଷା କର ।”

ସୀତାର କଥା ନ ଶୁଣି ବରଂ ରମଣୀ ରାଗରେ ସୀତାର ଚୁଟି ଧରି ତାକୁ ଘୋଷାରି ଆଣି ପଚାରିଲା “ସାରା ରାତି ତୁ କେଉଁଠି ଥିଲୁ?”

ଇତିମଧ୍ୟରେ ସେ ରାକ୍ଷସ ଘର ଭିତରକୁ ଆସି ସବୁ ଦେଖି କହିଲା, “ହେ ବୁଢୀ, ସୀତାକୁ ଛାଡି ଦେ । ତା’ ଦେହରେ ହାତ ଦେଲେ, ମୁଁ ତୋତେ ପୋକ ମାଛି ପରି ମାରି ପକାଇବି ।”

ରମଣୀ ସେହି ଭୟରେ ସୀତାକୁ ଛାଡିଦେଲା, କିନ୍ତୁ ସେ ପଚାରିଲା, “ତୁ ମୋତେ ମୋ କାମରେ ଅଟକାଇବାକୁ କିଏ? ମୋ ଘରକୁ ଆସି ପୁଣି ମୋତେ ଧମକ ଦେଉଛୁ?”

“ମୁଁ ତୁମ ଝିଅ ସୀତାକୁ ବିବାହ କରିବାକୁ ଚାହେଁ; ତୁମର ଅନୁମତି ପାଇଁ ଆସିଛି । ତୁମେ ଯାହା ଚାହିଁବ ମୁଁ ତୁମକୁ ତାହା ଦେବି ।” ରମଣୀ ଦେଖିଲା ସୁନ୍ଦର ଯୁବକ, ବଳବାନ, ପୁଣି ବେଶ୍ ଧନଶାଳୀ ଭଳି ପ୍ରତ୍ୟୟ ହେଉଛି, ତେଣୁ ସେ କହିଲା, “ତମେ ମୋ ଝିଅ ଗୀତାକୁ କାହିଁକି ବିବାହ କରୁନାହଁ? ତୁମେ ଯଦି ଗୀତାକୁ ବିବାହ କରିବ ତେବେ ମୁଁ ତୁମର ସମସ୍ତ ଇଚ୍ଛା ମାନିନେବି ।”

ଋାକ୍ଷସ ତା’ କଥାରେ ଅମତ ହୋଇ କହିଲା, “ପୂର୍ବଜନ୍ମରେ ରାମଙ୍କ ଦ୍ୱାରା ନିହତ ହୋଇଥିବା ରାକ୍ଷସ ମୁଁ । ସୀତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଓ ମହାନ୍ ଗୁଣ ମୁଁ ଦେଖିଛି । ସେହିଦିନଠାରୁ ସୀତା ନାମ ପ୍ରତି ମୋର ବହୁତ ଆକର୍ଷଣ । ତୁମ ଝିଅ ସୀତାକୁ ବିବାହ କଲେ ମୁଁ ସନ୍ତୁଷ୍ଟ ହେବି ।”

ରମଣୀ କହିଲା “ସବୁ କ’ଣ ତୁମରି ଇଚ୍ଛାରେ ହେବ? ମୁଁ ତୁମକୁ ତିନିଟି କାମ ଦେବି । ସେଥିରେ ତୁମେ ସଫଳ ହେଲେ ତୁମ ଇଚ୍ଛା ଅନୁସାରେ ବିବାହ ହେବ । ମାତ୍ର ବିଫଳ ହେଲେ, ତୁମକୁ ମୋ’ କଥା ସ୍ୱୀକାର କରିବାକୁ ହେବ ।”

ରାକ୍ଷସ କହିଲା “ଆଚ୍ଛା, କିନ୍ତୁ ଗୋଟିଏ କଥା ମନେରଖ । ଘରର ଅଳିଆ ମୋତେ ସଫା କରିବାକୁ କେବେବି କହିବ ନାହିଁ ।”

ରମଣୀ ତାକୁ ଏକ ବଡ ହଣ୍ଡା ଦେଇ କହିଲା, “ଦେଖି ଏଥିରେ ଶୀଘ୍ର ପାଣି ଭରିଲ; କିନ୍ତୁ ଘଂଟାକ ମଧ୍ୟରେ ସେହି କାମଟି କରିବ । ଘଂଟାକରୁ ଟିକିଏ ହେଲେ ବି ଯେମିତି ବେଶି ହେବ ନାହିଁ, ସେପରି ହେଲେ ତମେ ହାରିଲ ବୋଲି ଧରିନେବାକୁ ହେବ ।”

ହଣ୍ଡାଟି ବହୁ ପୁରୁଣା କାଳର ଥିଲା । ଘରେ କୌଣସି ଉତ୍ସବ ହେଲେ ସେଥିରେ ପାଣି ରଖା ହେଉଥିଲା; ସେଥିରେ ପାଣି ଭରିବାକୁ ଦେଢଘଂଟା ଲାଗିଯାଏ; ରାକ୍ଷସ ପାଣି ଆଣିବାକୁ ହଣ୍ଡାଟି ନେଲା ଓ କୁଅ ଭିତରକୁ ସେ ଡେଇଁ ପଡିଲା; ଖୁବ୍ ଅଳ୍ପ ସମୟ ମଧ୍ୟରେ ହଣ୍ଡାଟି ପୂର୍ଣ୍ଣ କରି, କାନ୍ଧରେ ରଖି, କୁଅରୁ ବାହାରକୁ ସେ ଆସିଲା ।

ଏସବୁ ଦେଖି ରମଣୀ ବହୁତ ଆଶ୍ଚର୍ଯ୍ୟ ହେଲା । ରାକ୍ଷସ ହସି ହସି କହିଲା, “କୁହ ଘର ଭିତରେ ରଖିବି ନା ଏଇଠାରେ ଏହା ରହିବ ।”

ରମଣୀ ସାହସ କରି କହିଲା, “ଆଚ୍ଛା, ମୁଁ ଏହା ମାନୁଛି ଯେ ତୁମେ ବଳ ଶାଳୀ । ଏବେ ତୁମର ବୁଦ୍ଧିର ପରୀକ୍ଷା ନେବି । ଘରେ ସବୁ ଜିନିଷ ଏଠି ସେଠି ପଡିଛି । ସେସବୁକୁ ନିଜ ନିଜ ସ୍ଥାନରେ ସୁନ୍ଦର କରି ସଜାଇ ରଖ । କିନ୍ତୁ ଘଂଟାକ ମଧ୍ୟରେ କାମ ଶେଷ କରିବ । ସେଥିରୁ ମିନିଟିଏ ବି ଯେପରି ଅଧିକ ନହୁଏ ।”

ରାକ୍ଷସ କହିଲା “ଓ ଏଇ କଥା । ତୁମେମାନେ ଏବେ ବାହାରକୁ ଯାଅ । ମୁଁ ଡାକିଲେ ଭିତରକୁ ଆସିବ ।” ସେମାନେ ବାହାରକୁ ଯିବାର ଅଳ୍ପ ସମୟ ପରେ ସେ ତାଙ୍କୁ ଭିତରକୁ ଡାକିଲା । ଘର ଭିତରକୁ ଆସି ସମସ୍ତେ ଦେଖିଲେ ଯେ ଅତି ଚମତ୍କାର ଭାବରେ ସେହି ଘରଟି ସଜା ହୋଇଛି ।

ଅନ୍ୟପଟ ଘରେ ଓ କଣରେ ସବୁ ଅଳିଆ ଜମା ହୋଇଥାଏ । ରମଣୀ କହିଲା, “ଆରେ ଅଳିଆଗୁଡା ଫିଙ୍ଗି ନଦେଇ ଏଠି କାହିଁକି ରଖିଛ? ପ୍ରତ୍ୟେକ ଘର ଓ ରନ୍ଧାଘର ପ୍ରଭୃତିରୁ ଅଳିଆ ସଫାକଲେ ତୁମେ ଜିତିଲ ନହେଲେ ହାରିଗଲ । ଯାଅ ଏବେ ସେସବୁ ସଫାକର ।”

ରାକ୍ଷସ ତ ଆଗରୁ ସେହି କାମ କରିବ ନାହିଁ ବୋଲି କହିଥିଲା । ଏଥର ସେ ରାଗିଯାଇ କହିଲା, “ମୂଳରୁ ମୁଁ ତୁମକୁ କହିଥିଲା ନା ଅଳିଆ ସଫା କାମ ମୋତେ ଦେବ ନାହିଁ ବୋଲି । ସବୁ କାମ କରିବା ପରେ ପୁଣି ଇଏ କି ପ୍ରଶ୍ନ? ତୁମ ପ୍ରଶ୍ନର ଯଥାର୍ଥ ଉତ୍ତର ଭଲ କରି ମନ ଦେଇ ଶୁଣ । ଏଘରର ବଡ ଅଳିଆ ତ ତୁମେ ଦୁହେଁ । ଚାଲ ମୁଁ ଏବେ ତୁମ ଦୁହିଁଙ୍କୁ ଫିଙ୍ଗି ଦେଉଛି ।” ଏତିକି କହି ସେ ଦୁହିଁଙ୍କୁ ସେ ଘୋଷାଡି ନେଇ ବହୁ ଦୂରରେ ଫିଙ୍ଗି ଦେଲା । ତା’ପରେ ସୀତା ପାଖକୁ ଆସି ସେ କହିଲା, “ମୁଁ ଯେପରି ଫିଙ୍ଗିଛି, ସେଥିରେ ସେମାନଙ୍କର ଏଠାକୁ ପୁନଃ ଫେରିବାର ଆଉ କୌଣସି ପ୍ରଶ୍ନହିଁ ଉଠୁ ନାହିଁ । ସେମାନେ ସିଧା ଯମାଳୟକୁ ଯାଇଥିବେ କିମ୍ବା ଯଦି ବା ସେମାନେ ବଂଚିଥିବେ ଆଉ ଏ ଘର ସୀମା ସେମାନେ କେବେବି ମାଡିବେ ନାହିଁ । ତୁମର ଦୁଃଖକଷ୍ଟର ଜୀବନ ଆଜିଠାରୁ ଶେଷ ହେଲା ବୋଲି ଜାଣ ।”

ସୀତା ପଚାରିଲା “ତୁମର ତ ଏତେ ବଳ ଥିଲା, ତେବେ ତାଙ୍କ କଥା ମୂଳରୁ କାହିଁକି ଶୁଣିଲ?” ରାକ୍ଷସ କହିଲା “ଏସବୁ କିଛି କେବଳ ତୁମ ପାଇଁ; କିନ୍ତୁ ଅଳିଆ ସଫା କରିବା କଥା ମୂଳରୁ ନାହିଁ କରିଥିଲି । ଆଉ ସେଇଟା ହିଁ ସେ କରିବାକୁ ଦେଲେ ।”

ସୀତା ଏଥର ସବୁକିଛି ବୁଝିଗଲା, ରାକ୍ଷସ ତ ଦେଖିବାକୁ ସୁନ୍ଦର ହୋଇଯାଇଛି ପୁଣି ସେ ଏତେ ବଳଶାଳୀ, ଆନନ୍ଦରେ ତାକୁ ସେ ରଖିବ । ଏହାକୁ ମନା କରିବା ଅର୍ଥ ମୂର୍ଖତା । ସାବତ ମା’ର ଅତ୍ୟାଚାରରୁ ବରଂ ଏ ରାକ୍ଷସର ସ୍ନେହ ଶ୍ରଦ୍ଧା ଯଥେଷ୍ଟ ଭଲ । ତେଣୁ ସୀତା ଖୁସିରେ ସେ ରାକ୍ଷସ କଥାରେ ନିଜର ସମ୍ମତି ଜଣାଇଲା ।

 

ସଦାନନ୍ଦ – Odia Short Story

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.