ସକାଳର ଚାହା!

japanese green tea
Reading Time: 4 minutes

ଜୀବନର ଗୋଧୂଳି ବେଳ ଢଳିବା ଉପରେ, ତଥାପି ବାବୁ ସାହବ ତାଙ୍କ ପତ୍ନୀଙ୍କ ଉପରେ ଖପା । କଥାଟା ଏମିତି ଥିଲା, ବାବୁ ସାହବ ସକାଳ ପାଞ୍ଚଟା ବେଳେ ଉଠି ପଡିଲେ । ରାତିରୁ ଚାର୍ଜରେ ଲଗେଇଥିବା ମୋବାଇଲକୁ ଧରି ସେହି ବେଡ଼ ଉପରେ ତକିଆକୁ ଟାଣି ଅର୍ଦ୍ଧ ଶୟନ ଅବସ୍ଥାରେ ହିଁ ଗଡ଼ିଗଲେ । ସମସ୍ତଙ୍କୁ ହ୍ଵାଟ୍ସଆପରେ ସୁପ୍ରଭାତ ମେସେଜ ଦେଉ ଦେଉ ହଠାତ ତାଙ୍କର ନଜର ପଡିଲା ନିଜ ଅଫିସ ର ଗୃପ ଉପରେ, ଚମକି ପଡିଲେ ଏ କଣ ଏତେ ମେସେଜ କାଲି ରାତିଠୁ ଆଜି ସକାଳ ମଧ୍ୟରେ । ଖୋଲି ଦେଖିଲେ ସମସ୍ତଙ୍କ ମେସେଜ ଗରମା-ଗରମ, ସରକାରଙ୍କ ପାଇଁ ପୁରାପୁରି ବିରୋଧିଭାଷା, ସପ୍ତମ ବେତନର ଶତକଡା ଦଶଭାଗ ବକେୟା ଦେୟକୁ ନେଇ । ବାବୁଙ୍କୁ ବି ବିରକ୍ତ ଲାଗିଲା, ସେ ମଧ୍ୟ ନିଜର ବିରୋଧ ଭାଷା ଲେଖିବାକୁ ଆରମ୍ଭ କରିବାରେ ଲାଗିଗଲେ । ଠିକ ସେ ସମୟରେ ପତ୍ନୀଙ୍କ ମଧୁର ବାଣୀ ଶୁଣିବାକୁ ମିଳିଲା

-“କଣ ନାଲି ଚାହା ଲେମ୍ବୁ ପକାଇକି କରିବି ?”

ବାବୁ ସେମିତି ମୋବାଇଲରେ ଟାଇପ କରୁ କରୁ କହିଲେ
-“ନା… ନା…. ଖୀରଚାହା ଦେବ, ଆଉ ଟିକେ ଡିକସିନ ବେଶୀ ଦେଇ କଡା କରିବ।”

-“ଖୀରଗୁଣ୍ଡ ଶେଷ ହୋଇ ଯାଇଛି, ସେମିତି ତୁମେ ପରା ଅଫିସରେ ଗ୍ରୀନ ଟି ପିଉଛ, ଆଉ ସେଇଟା କୁଆଡେ ଆଜିକାଲି ସରକାରୀ ବାବୁମାନଙ୍କ ଷ୍ଟାଇଲ, ମୁଁ ଆଜି ସେମିତିକା କରିଦେଉଛି ।”

ସେତିକିରେ ବାବୁଙ୍କ ପାରା ଉଠିଗଲା ଶହେ ଉପରକୁ, ରାଗ ତମ ତମ ହୋଇ କହିଲେ
-“ଏପଟ ସରକାରଙ୍କ ପାଖରେ ଏରିଏର ଦେବାକୁ ପଇସା ନାହିଁ ଆଉ ତୁମ ପାଖରେ ବି ଚାହା କରିବାକୁ ଖୀରଗୁଣ୍ଡ ନାହିଁ….. କଣ ଚାଲିଛି ଏ ରାଜ୍ୟରେ। କଣ ସମସ୍ତେ ଦରିଦ୍ର ହୋଇଗଲେ….?”

ପତ୍ନୀ ସଙ୍ଗେ ସଙ୍ଗେ କହିଲେ
-“ହଉ ଠିକ ଅଛି …. ଏ ପାଖ ଓମଫେଡ଼ ଦୋକାନରୁ ଗୋଟେ ଖୀର ପକେଟ ନେଇ ଆସ ଯଦି ଖୀର ଚାହା ପିଇବାର ଏତେ ଇଚ୍ଛା ହେଉଛି।”

-“ନା …. ନା …. ମୁଁ କୁଆଡେ ଯିବିନାହିଁ ଦିପୁକୁ ପଠାଇ ଦିଅ … ।”

-“ଦିପୁ ଘରେ ନାହିଁ, ସକାଳୁ ଉଠି ତା ଶଶୁର ଘରକୁ ଯାଇଛି ବୋହୁକୁ ଭେଟିବା ପାଇଁ ।”

-“ଦିପୁ ତା ଶଶୁର ଘରକୁ ଚାଲିଗଲାଣି…! ଅଥଚ ମୁଁ ଜାଣି ପାରିଲିନି…. ଏଠି କଣ ଚାଲିଛି … ମୁଁ ଏ ଘରର ମୁରବୀ ନା କଣ …. ମୋତେ ଏହିଟା ବି ସନ୍ଦେହ ଲାଗିଲାଣି ।”

ଏଥର ପତ୍ନୀ ବି ରାଗିଗଲେ ଆଉ କହିଲେ
-“ଭଲ କଥା… ତୁମେ ତ ଅଫିସ ଟୁରରୁ ଫେରି ରାତି ବାରଟା ବେଳେ ଘରେ ପହଞ୍ଚିଲ, କେତେବେଳେ ମୁଁ ତୁମକୁ କହିଥାନ୍ତି….? ତୁମେ ଆସିବା ପୂର୍ବରୁ ବହୁ ଘରୁ ଫୋନ ଆସିଥିଲା, ବହୁର ଦେହ ଖରାପ କଥା ଜଣା ପଡିଲା, ମୁଁ ଦିପୁକୁ କହିଲି ସକାଳୁ ଉଠି ଟ୍ରେନ ଧରି ଵୋହୁ କଥା ବୁଝି ଆସିବାକୁ ।”

-“ଆଛା….. ଠିକ ଅଛି,କିନ୍ତୁ ତୁମର କଣ ବା ଦରକାର ମୋତେ ଜଣାଇବାକୁ… ତୁମେ ତ ଘରର ମାଲିକାଣି ହୋଇଗଲାଣି ।”

-“ହଉ ହେଲା …. ତୁମେ ଏବେ ଯିବ ନା ଖୀର ପକେଟ ଆଣିବାକୁ…?”

ବାବୁ ଚିତ୍କାର କରି କହିଲେ
-“ନା ମୋର କୁଆଡେ ଯିବାର ନାହିଁ କି ଚାହା ପିଇବାର ନାହିଁ।”

ଏଥର ପତ୍ନୀ ମୁହଁ ଫୁଲାଇ ଡାଲା ଧରି ଫୁଲ ତୋଳିବାକୁ ଚାଲିଗଲେ ।

ବାବୁ ସାହବ ମଧ୍ୟ ମନେ ମନେ ବିରକ୍ତରେ ରକ୍ତ ଚାଉଳ ଚୋବାଇ, ଗୁଣୁଗୁଣୁ ହୋଇ ବାହାରକୁ ବାହାରି ଗଲେ । ଭାବୁଥିଲେ… ଆଉ କେବେବି ଏ କଳିହୁଡ଼ି ସ୍ତ୍ରୀ ସହିତ କଥା ହେବେନି । ମୁଁ ବୁଝି ପାରୁନି ସେ ନିଜକୁ ନିଜେ କଣ ବୋଲି ଭାବୁଛି…? ଯେବେ ଦେଖ ଝଗଡା, କେତେ ଶାନ୍ତି ରେ ସକାଳୁ ମୋବାଇଲରେ ଲେଖି ଚାଲିଥିଲି ହେଲେ କଳିହୁଡ଼ି ସ୍ତ୍ରୀ ଟା ଶାନ୍ତିରେ ମଣିଷକୁ ରହିବା ପାଇଁ ଦେଲେ ତ…..!!

ପାଖ ଓମଫେଡ଼ ଦୋକାନରେ ପହଞ୍ଚି, ଚାହାର ଅର୍ଡର ଦେଲେ, ସାମନାରେ ପଡିଥିବା ବେଞ୍ଚ ଉପରେ ବସିପଡି ପକେଟରୁ ମୋବାଇଲ ବାହାର କରି ଅଣ୍ଡାଳିବାରେ ଲାଗିଲେ ।

-“ଏତେ ଥଣ୍ଡାରେ ବାହାରେ ଚାହା ପିଉଛନ୍ତି …?” ବାବୁ ସାହବ ବେକମୋଡି ଦେଖିଲେ ସେହି ବେଞ୍ଚର ଶେଷ ଭାଗରେ ଜଣେ ବୟସ୍କ ଲୋକଟି ତାଙ୍କୁ ହିଁ ପଚାରୁଥିଲେ । ବାବୁ ସାହବ ତାଙ୍କୁ ଉତ୍ତର ଦେଲେ
-“ଅପଣବି ତ ଏତେ ଥଣ୍ଡାରେ, ଏ ବୟସରେ ବି ବାହାରେ ଚାହା ପିଉଛନ୍ତି ।”

ବରିଷ୍ଠ ନାଗରିକ ଟିକେ ମୁଚୁକନ୍ଦ ହସ ଖେଳେଇ କହିଲେ
-“ମୁଁ ତ ଏକୁଟିଆ, ନା ମୋର ଗୃହସ୍ଥୀ ଅଛି ନା ମୋର କେହି ସାଥି ଅଛନ୍ତି !! ହେଲେ ତୁମେତ ବାହାସାହା ହେବା ଭଳି ଲାଗୁଛ।”

ଏଥର ବାବୁ ସାହବ ମୁହଁକୁ ଛିଞ୍ଚାଡି କହିଲେ
-“ସ୍ତ୍ରୀ ଘରେ ବଞ୍ଚିବାକୁ ଦେଲେ ସିନା…. ସବୁ ସମୟରେ ଗରଗର…. ବାହାରେ ବୁଲିବିନି ତ କରିବି କଣ…” ଢୋକେ ଗରମ ଚାହା ପାଟିକି ଯାଇଛି କି ନାହିଁ ପତ୍ନୀ ଉପରେ ନିଜର ବିରକ୍ତ ଭାବ ବାହାରି ଆସିଲା ।

-“ପତ୍ନୀ ତୁମକୁ ବଞ୍ଚିବାକୁ ଦେଉନି….?” ବରିଷ୍ଠ ବ୍ୟକ୍ତିଟି ଚାହା ପିଉ ପିଉ ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ବାବୁଙ୍କ ପାଟିରୁ କିଛି ବି ଶବ୍ଦ ବାହାରିବା ପୂର୍ବରୁ ବରିଷ୍ଠ ନାଗରିକ ମହାଶୟ କହି ଚାଲିଥାନ୍ତି ।

– “ବୁଝିଲ ମହାଶୟ… ଜୀବନର ବଞ୍ଚିବା ତ ପତ୍ନୀ ଠାରୁ ହିଁ ଆରମ୍ଭ ହୁଏ । ଅଠର ବର୍ଷ ହୋଇଗଲା ମୋର ପତ୍ନୀଙ୍କ ସ୍ୱର୍ଗବାସ ହୋଇକି। ଯେବେ ସେ ବଞ୍ଚିଥିଲେ କେବେ ବି ସମ୍ମାନ ଦେଇ ନଥିଲି, ଆଜି ସେ ଚାଲିଗଲା ପରେ ତାକୁ ମୁଁ ଭୁଲି ପାରୁନି । ଘରଟି ଖାଁ ଖାଁ ଲାଗୁଛି । ପିଲାମାନେ ବାହାସାହା ହୋଇ ନିଜ ନିଜର ସାଂସାରିକ ଜୀବନରେ ମସଗୁଲ ହୋଇ ରହିଛନ୍ତି । କେହି ବି ପାଖ ମାଡୁ ନାହାନ୍ତି” । ଲୋକଟି ଏକା ନିଶ୍ୱାସରେ ଏତକ କହିଲେ । ଦୁଇଜଣଙ୍କ ଚାହା ଶେଷ ହୋଇଗଲାଣି, ବରିଷ୍ଠ ବ୍ୟକ୍ତିଟି ଆଉ ଦୁଇଟି ଚାହା ବରାଦ ଦେଇ କହିଲେ
-“ଏହି ସେ ଘରେ ମୁଁ ରହୁଛି” ରାସ୍ତା ସେପଟର ବିରାଟ ଅଟ୍ଟାଳିକା ଆଡକୁ ହାତ ଦେଖେଇ ଦେଲେ । ବାବୁ ସାହବ ଚମକି ପଡିଲେ, ସେ ଘରଟି ତ ବିଶିଷ୍ଟ ଶିଳ୍ପପତି ରାଜାରାମ ରାୟ ଚୌଧୁରୀଙ୍କର। ସେପରି ଚକିତ ହୋଇ ପଚାରିଲେ “ଆପଣ ତାହାହେଲେ …..”

-“ହଁ ମୁଁ ରାୟ ଚୌଧୁରୀ….. ମୋ ପାଖରେ ରାଜପ୍ରାସାଦ ଭଳି ବଙ୍ଗଳା, ଦାମିକା କାର, ଧନ ଦୌଲତ ସବୁ ଅଛି । ଏ ରଘୁ ଓମଫେଡ଼ ଚାହା ଦୋକାନୀର ଜେଜେ ଏଠି ଝୁମ୍ପୁଡି କରି ଚାହା ବିକ୍ରି କରୁଥିଲା ଆଉ ସେତେବେଳେ ମୁଁ ପିଲା ଥିଲି, ଗାଁରୁ ଆସିଥିଲି ଦାଦନ ଖଟିବାକୁ ଏହି ରାଜଧାନୀକୁ । ମୋ ବାପା ମା ନଥିଲେ । ଅରକ୍ଷିତ ମଉସା ତାଙ୍କ ଦୋକାନରେ ଗ୍ଲାସ ଧୋଇବା କାମରେ ମୋତେ ଲଗାଇ ଦେଇଥିଲେ । ହେଲେ ଭାଗ୍ୟ କାହାକୁ କେତେବେଳେ କେଉଁଠିକୁ ନେଇଯାଏ ତାର କିଛି ହିସାବ ନଥାଏ । ଅରକ୍ଷିତ ମଉସା ମୋ ଆଖି ଆଗରେ ଚାଲିଗଲେ । ରଘୁର ବାପା ଦୈତାରି ସେତେବେଳକୁ ଚାହା ଦୋକାନରୁ ଏକ ହୋଟେଲ ମାଲିକ ହୋଇଗଲେଣି । ମୁଁ ବି ସେଠି ମାଲ କିଣାକିଣି କାମ କରୁଥିଲି। କିନ୍ତୁ ମୋତେ କୌଣସି କାରଣରୁ ହୋଟେଲରୁ ବାହାର କରିଦେଲେ । ଆଉ ତାହା ଥିଲା ମୋ ଜୀବନର ଏକ ଟରନିଙ୍ଗ ପଏଣ୍ଟ । ସେଦିନଠୁ ମୁଁ ନିଜ ସିଙ୍ଘରେ ନିଜେ ମାଟି ଖୋଳିବାରେ ଲାଗିଲି । ଲେବରର ରୁ ରାଜମିସ୍ତ୍ରୀ, ରାଜମିସ୍ତ୍ରୀ ରୁ ଲେବରର ସପ୍ଲାୟର, ତାପରେ ପେଟି କଣ୍ଟ୍ରାକ୍ଟର, ତା ପରେ ଏ କ୍ଲାସ କଣ୍ଟ୍ରାକ୍ଟର, ତା ପରେ ପରେ ଶିଳ୍ପପତି ଆଉ ଆଜି ମୁଁ ସମସ୍ତଙ୍କ ପାଖରେ ବିଶିଷ୍ଟ ଶିଳ୍ପପତି । ରଘୁର ଦୋକାନ ମୋ ପାଇଁ ଏକ ଦୁଖଃଭୁଲା ସ୍ଥାନ । ଏଠି ଆସିଲେ ମୁଁ ନିଜର ସମସ୍ତ ଦୁଖଃ ଭୁଲିଯାଏ । କିନ୍ତୁ ସ୍ତ୍ରୀ ବିନା ଜୀବନର କିଛି ମଧୁର୍ଯ୍ୟ ଅଛି ବୋଲି ମନେ ହୁଏନା । ମନଟା ସବୁବେଳେ ବାଟବଣା ହେଲାପରି ଲାଗେ ।”

ବାବୁ ଚକିତ ହୋଇ ତାଙ୍କର ଆତ୍ମ କାହାଣୀ ଶୁଣୁଥାନ୍ତି । ସେ କହି ଚାଲିଥିଲେ
-“ତା ଚାଲିଯିବା ପରେ ନିଜକୁ ସମ୍ଭାଳି ନେଇ, ନିଜର ପୁଅ ଝିଅ ପାଇଁ ଆଉ ବାହାସାହା ହେଲିନି । ହେଲେ ଆଜି ସେ ପୁଅ ଝିଅ ବାହାସାହା ହୋଇ ମୋ ଠାରୁ ଦୂରେଇ ଗଲେ । ସେଦିନ ଠାରୁ ମୁଁ ଏକଲା ପଡ଼ିଗଲି । ଏବେ ମୋତେ ଜଣା ପଡୁଛି ମୋ ପତ୍ନୀ ହିଁ ମୋର ଜୀବନର ନିଶ୍ୱାସ ପ୍ରଶ୍ୱାସ ଥିଲା । ସେ ଯେ କେବଳ ମୋର ଜୀବନ ନଥିଲା ବରଂ ଏ ଘରର ଜୀବନ ଥିଲା । ତାର ଝଗଡା କରିବା ହିଁ ଥିଲା ମୋ ପାଇଁ ପ୍ରେମର ପ୍ରତୀକ। ଏବେ ସେ ଘରଟି ମୋର ବାସସ୍ଥଳୀ ହୋଇଥିଲେ ବି ନିର୍ଜୀବ ଭଳି ଲାଗେ” । ବାବୁ ସାହବ ଦେଖୁଥିଲେ ସେ ବିଶିଷ୍ଟ ବ୍ୟକ୍ତିଙ୍କ ଆଖିରେ ବେଦନାର ଅଶ୍ରୁ ଠିକ ସମୁଦ୍ରପରି ଥିଲା । ଏଥର ବରିଷ୍ଠ ବ୍ୟକ୍ତି ଜଣକ ଉଠିଲେ ରଘୁକୁ ପେମେଣ୍ଟ ଦେବାକୁ । ବାବୁ ସାହବ ଆଖି ପୁରାଇ ତାଙ୍କୁ ଦେଖୁଥିଲେ । ସେ ଗୋଟେ ମିନିଟ ଆଉ ଡେରି ନକରି ଚାଲିଲେ ନିଜ ସରକାରୀ ବଙ୍ଗଳାକୁ । ଦୂରରୁ ଦେଖିଦେଲେ…. ତାଙ୍କ ପତ୍ନୀ ଢ଼ଳ ଢ଼ଳ ଆଖିରେ ଚିନ୍ତିତ ଥିଲା ପରି ଲାଗୁଥିଲା । ଦୁଆର ପାଖରେ ଛିଡା ହୋଇ କାହାକୁ ଅପେକ୍ଷା କଲା ଭଳି ଲାଗୁଥିଲେ । ଗେଟ ଖୋଲି ଦୁଆର ପାଖରେ ପହଞ୍ଚିଲା ବେଳକୁ ପତ୍ନୀ ପଚାରିଲେ
“-କୁଆଡେ ଚାଲିଗଲ ଯେ…. ଶ୍ୱେଟର ପିନ୍ଧିନ କି ଚାଦର ବି ଘୋଡେଇ ହୋଇନ, ଥଣ୍ଡା ଲାଗି ଯାଇଥାନ୍ତା ତ….. ।”
ବାବୁ ସାହବ ନରମ କଣ୍ଠରେ କହିଲେ
-“ତୁମେ ବି ତ ସାଲ ଘୋଡ଼ି ହୋଇନାହଁ ଆଉ ଥଣ୍ଡାରେ ଦୁଆର ପାଖରେ ଛିଡା ହୋଇଛ କାହାକୁ ଅନେଇ ବସିଛ…. ? । ମୁଁ ତ ଯାଇଥିଲି ଖୀରଗୁଣ୍ଡ ଆଣିବାକୁ, ହେଲେ ଦୋକାନ ଖୋଲା ନଥିଲା, ଚାଲି ଆସିଲି”
କଥାକୁ ସହଜ କରବା ପାଇଁ ବାବୁ ସାହବ କହିଦେଲେ ।

“-ହଉ ଚାଲ ଚାହା ପିଇବ, ଥଣ୍ଡା ହୋଇଯିବଣି …. ମୁଁ ଗରମ କରି ଅଣୁଛି ।”
ଏତକ କହି ପତ୍ନୀ ରୋଷେଇ ଘରକୁ ପଶିଲେ। ବାବୁ ସାହବ ବୈଠକ ରୁମର ସୋଫା ଉପରେ ଲଥ କରି ବସି ପଡି ରାୟ ଚୌଧୁରୀଙ୍କ କଥା ଭାବୁଥିଲେ । ପତ୍ନୀର ହାତରୁ ଚାହା କପଟା ନେଇ ଢୋକେ ପିଇଛନ୍ତି କି ନାହିଁ, ଜିଭରେ ଖୀରଚାହାର ସ୍ୱାଦ ବାରି ହେଲା। ପ୍ରଶ୍ନିଳ ଆଖିରେ ଦେଖିଲେ ପତ୍ନୀ ଆଡକୁ…

ପତ୍ନୀ କହିଲେ -“ଗ୍ରସେରୀ ଦୋକାନଟା ଖୋଲା ଥିଲା ତ …. କିନ୍ତୁ ତୁମେ ଯେଉଁ ରାସ୍ତାରେ ଯାଇଥିଲ ସେ ରାସ୍ତାରେ ନୁହେଁ, ଏପଟ ରାସ୍ତାରେ ମୁଁ ଯେଉଁପଟ ଯାଇ ଆଣିଲି।”  ଦୁହେଁ ଦୁହିଁଙ୍କ ଆଖିରେ ଲୁଚି ଥିବା ବନ୍ଧନକୁ ଅନୁଭଵ କରି ପାରୁଥିଲେ ଆଉ ମୁଚୁକନ୍ଦ ହସ ମାରୁଥିଲେ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.