ବଧୂ ବାରାଙ୍ଗନା

story time
Reading Time: 6 minutes

ଆମନ୍ତ୍ରଣ ସତେଜ ମହକରେ ପରିପୂର୍ଣ୍ଣ ରଜନୀଗନ୍ଧାର ସ୍ତବକର ।ଆଃ …ନାସରନ୍ଧ୍ରକୁ ଉଚ୍ଚାଟ କରୁଛି ,ଫେରିଚାହିଁଲା ନିଶୀ …ନିଶୀଗନ୍ଧା ।ଝିଅଟିଏ ରଜନୀଗନ୍ଧାର ଟକୋରା ଧରି ବସିଛି ପାହାଡିଆ ଇଲାକାର ରାସ୍ତା କଡରେ ଏକେଲା ।ତାକୁ ନିଜ ସାଙ୍ଗରେ ନେଇ ଆଣୁ ଆଣୁ ତା ସହିତ ପରିଚୟ ବୃତ୍ତାନ୍ତ ହୋଇସାରି ବାଟ ଚାଲୁ ଚାଲୁ କୋଡିଏ ପଚିଶ ବର୍ଷ ତଳକୁ ଫେରିଗଲା ନିଶୀଗନ୍ଧା ।ନା ୟାକୁ ସେ କୌଣସି ପ୍ରକାରେ ଅସାମାଜିକଙ୍କ କବଳରେ ପଡିବାକୁ ଦେବ ନାହିଁ ।

**

ଅନାଥ ,ଅସହାୟ ଝିଅଟି ଟୋକେଇରେ ରଜନୀଗନ୍ଧା ଫୁଲ ଧରି ,ଫୁଲ ନିଅ ଫୁଲ କହି କହି ବିକ୍ରୀ କରୁଥିବାର ଦୃଶ୍ୟ ଟିଏ ନାଚି ଯାଉଥାଏ ।ଆଉ ତା ସହିତ

-ଆଲୋ ମାଳ ଗୁନ୍ଥି ଆଣୁନୁ ।କେହି କେହି ଟିପ୍ପଣୀ ଦେବାର କଣ୍ଠ ସ୍ୱର ମଧ୍ୟ ।

ଘର ବୋଇଲେ ପାଖ ମାଳୀସାହିର ଶେଷ ମୁଣ୍ଡରେ ଥିବା ଝୋପଡ଼ ବସ୍ତିରୁ ଗୋଟିଏ ଚାଳି ପିଣ୍ଡା । ସେ ଝୋପଡିର ମାଲିକାଣି ବାଈଜୀ ଆରା ବେଗମ କିନ୍ତୁ ଭଲ ଲୋକ ଥିଲା ନୀଶୀ ଆଖିରେ । କାରଣ ତା ପିଣ୍ଡାରେ ଆଶ୍ରା ଦେଇ ଦୁଇ ବକତ ଗଣ୍ଡେ ଖାଇବାକୁ ତ ଦେଉଥିଲା ଆଉ ତା ସାଥିରେ ଫୁଲ ମଧ୍ୟ ଦେଉଥିଲା ବିକିବାକୁ ।ଜୀବନର ଅନ୍ୟ ଆବଶ୍ୟକତାକୁ ଅଧିକ ବୁଝି ପାରୁନଥିବା ଝିଅଟିର ଆଉ କଣ ବା ଦରକାର ଥିଲା ?କିନ୍ତୁ ସେ ସୁଖର ଦିନ ସବୁ ସରିଆସୁଥିବା କଥା ସେ ଜାଣିନଥିଲା ।ଗୋଟେ ମୋଟର ଦୁର୍ଘଟଣାରେ ବାଈଜୀ ଆରା ବେଗମର ମୃତ୍ୟୁ ହୋଇଗଲା ।ନିରାପଦ ଆଶ୍ରୟ ଟିକକ ହାତଛଡା ହୋଇଗଲା ନୀଶୀର । ଦିଗହରା ଚଢେଇ ଟିଏ ପରି ହେଉଥିଲା ବେଳେ ବାଈଜୀ ଆରା ବେଗମର ଲେଖା ଯୋଖାରେ ଝିଆରୀ ସମ୍ପର୍କୀୟ ହେବ ସବନମ ବାଈ ନୀଶୀ କୁ ଆଦରି ନେଲା ।ଭଲ ନାଚ ସ୍କୁଲରେ ନାଁ ଲେଖାଇଦେଵ କହି ନେଇଆସିଲା କୋଲକାତାର କାଳୀଘାଟ ଅଞ୍ଚଳକୁ ।ସବନମ ବାଈର କଅଁଳିଆ କଥାରେ ନୀଶୀ ଆଖିରେ ପ୍ରତ୍ୟୟର ଆଭାସ ଥିଲା ।ମାତ୍ର ଅଦୃଶ୍ୟର ଖେଳକୁ ବୁଝି ପାରିନଥିଲା ସେ ।ଅଖଣ୍ଡ ବିଶ୍ୱାସ ଉଜୁଡିଗଲା ସେଇଦିନ ଯେତେବେଳେ ବୁଭୁକ୍ଷୁର କାମନା କୁ ସମ୍ମୁଖରେ ଦେଖିଲା ସେ । କାନ୍ଦୁରା ମୁହଁରେ ଢୋ କିନା ଥାପଡ଼ ଗୋଟେ ବସିଯାଇଥିଲା ଆଉ ଆଣ୍ଠୁ ଲୁଚୁ ନ ଥିବା ପିନ୍ଧିଥିବା ଫ୍ରକମଧ୍ୟ ଫାଡ଼ିଯାଇଥିଲା ।ମନର ସବୁ ତକ କୋହ ବିନା ଶବ୍ଦରେ ବୋହିଯାଇଥିଲା ।କେଇଟା ବର୍ଷ ଭିତରେ ନାଚୁଣୀରୁ ଦେହଜୀବୀଟିଏରେ ପରିବର୍ତ୍ତିତ ହୋଇଯାଇଥିଲା ନୀଶୀ ।

ସେଇ ଅଭିଶପ୍ତ ଦିନ ଗୁଡିକ ଭିତରେ ପୁଣି ଏକ ମୁହୂର୍ତ୍ତ ଆସିଲା

-ନିଶୀ ….

-ଉଁ…..

କଜ୍ଜଳ କଳା ନେତ୍ରର ମାଦକ ଚାହାଁଣୀ ନେଇ ଅପାଙ୍ଗ ଢାଳିଲା ଆଗନ୍ତୁକ ପୁରୁଷର ବକ୍ଷ ଉପରେ ନୀଶୀ ।

ତମକୁ କଷ୍ଟ ହୁଏନା ?

ଖିଲି ଖିଲି ହସରେ ପ୍ରକୋଷ୍ଠଟି ଧ୍ୱନୀତ ହେଲା ।ପ୍ରତ୍ୟେକ ବସ୍ତୁରୁ ଅନୁରଣିତ ହେଉଥିଲା ସେଇ ହସ ସହିତ ପ୍ରଚ୍ଛନ୍ନ କାରୁଣ୍ୟ ।

-ଦୟା ବାବୁ ….ଈଷତ ଅନୁନାସିକ ସ୍ୱର …

ଚମକି ପଡିଲେ ଆଗନ୍ତୁକ ଏଇ ତ ଟିକିଏ ପୂର୍ବରୁ ଗୁଞ୍ଜରୀ ଉଠୁଥିଲା ଖିଲି ଖିଲି ହସରେ …ସେ ହସ ଏତେ ବେଦନାସିକ୍ତ ହୋଇପାରେ ….ଆଃ ଗଭୀର ଆର୍ତ୍ତନାଦ ଯେପରି ସେ ସମ୍ବୋଧନରେ ।ଲୁକ୍କାୟିତ ବେଦନା ଆୟତ୍ତ ଚକ୍ଷୁରୁ ଅଶ୍ରୁ ବୁନ୍ଦାର ରୂପ ନେଉ ନେଉ ତାକୁ ଲୁଚାଇ ରଖିବାର ଚେଷ୍ଟା ଏକ ବିଫଳ ପ୍ରୟାସ ମାତ୍ର ।

-ଦୟା ବାବୁ….. ନୂଆ କରି ପାଦ ଥାପି ଥିବା ବ୍ୟକ୍ତି ନିମନ୍ତେ ନିଶ୍ଚିତ ରୂପେ ଏହା ଏକ କଷ୍ଟକର ତଥା ଘୃଣ୍ୟ କାର୍ଯ୍ୟ ।କିନ୍ତୁ ଧୀରେ ଧୀରେ ଅଭ୍ୟସ୍ତ ହୋଇଗଲାଣି ଏ ଦେହ ….ଆଉ ଦେହ ସହ ମନ ।ଏବେ କିଛି ଫରକ ପଡେନି ଦୟା ବାବୁ ।ପ୍ରଥମ କରି ତୁମେ ଦିଗ ହରା ପଥିକ ପରି ଏ ନର୍ତ୍ତକୀ ପାଖରେ ଆସି ପହଞ୍ଚିଛ ।ନର୍ତ୍ତକୀ ହେଉ ହେଉ କେତେବେଳେ ବାର ବଧୂରେ ରୂପାନ୍ତରିତ ହୋଇଯାଇଛି ସେ କଥା ନିଜେ ବି ଜାଣିପାରିନି ।ଜାଣିଥିଲେ ବି ଏ ସମାଜର ଠେକେଦାର ମାନେ କଣ ଛାଡ଼ିଦେଇଥାନ୍ତେ ମୋତେ ? ତୁମେ ତ ଏକ ବ୍ୟତିକ୍ରମ ମାତ୍ର । ସେଥିପାଇଁ ମୋର ଅନୁରୋଧ ଯେତେବେଳେ ତୁମେ ଏ ରାତ୍ରୀଟିକୁ କ୍ରୟ କରିସାରିଛ ଏ ମୁହୂର୍ତ୍ତକୁ ସଦବ୍ୟବହାର କରିନିଅ । କିଏ ଜାଣେ ଏ ସମୟ କେବେ ବିଶ୍ୱାସଘାତକତା କରିବସିବ । ହେ ଅତିଥି ଉପଭୋଗ କରିନିଅ ଏଇ ନିଶାର ସାନ୍ଧ୍ରତାକୁ ..ପଲକର ସ୍ଥାଣୁତ୍ୱ ..କୁ ଇପ୍ସିତ ଇଛାର ମହାର୍ଘ ନିବେଦନଟିକୁ । ଦିଅ ଦିଅ ସେ ରଜନୀଗନ୍ଧାର ସ୍ତବକକୁ ମୋ ଗଭାରେ ସଜ୍ଜିତ କରିଦିଅ ଆଉ ପୁଣି ଗୋଟେ ରାତ୍ରୀର ସ୍ୱାମୀ ହୋଇଯାଅ ।

ନା ସେସବୁର କିଛି ପ୍ରୟୋଜନ ନଥିଲା ।ଥିଲା ଗୋଟେ ଅନୁରୋଧ ,ଆଉ ଏକ ସମ୍ବେଦନାପୂର୍ଣ୍ଣ ପ୍ରସ୍ତାବ ।ଯେଉଁ ପ୍ରସ୍ତାବଟି ଥିଲା ମୋହପୂର୍ଣ୍ଣ ,ଆବେଶରେ ବିଭୋର ହେବାର ମୁହୂର୍ତ୍ତ…. ଆଉ ଆଗ ପଛ କିଛି ଭାବିନଥିଲା ନୀଶୀ ।ଅତି ସତର୍କତାର ସହ ଦୟାବାବୁଙ୍କ ସହ କୋଲକତା ଛାଡି ଦେଇଥିଲା ଦୟାବାବୁଙ୍କର ଦୁଇଟି ସନ୍ତାନ ସହିତ ।

ମାତୃହରା ଶିଶୁ ଦୁଇଟିଙ୍କୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି ଉପଯୁକ୍ତ ଶିକ୍ଷା ଦେଇ ମଣିଷ କରିବା ପାଇଁ ।କେବଳ ପ୍ରାଥମିକ ସ୍ତରରେ ହିଁ ମାତୃସ୍ନେହ ପାଇବାର ଆବଶ୍ୟକତାକୁ ଅନୁଭବ କରି ଦୟାବାବୁଙ୍କର ଏଇ ପଦକ୍ଷେପକୁ ମର୍ମେ ମର୍ମେ ଅନୁଭବ କରିପାରିଥିଲା ନୀଶୀ । ତାଙ୍କରି ଯୋଗୁଁ ଯେ ଏଇ ଘୃଣ୍ୟ ବୃତ୍ତିରୁ ନିସ୍ତାର ପାଇଛି ସେଥିପାଇଁ କୋଟି ଧନ୍ୟବାଦ ଦିଏ ତାଙ୍କୁ ।ଦେହଜୀବୀର ମୋହରଟିକୁ ଏଡ଼ାଇବା ପାଇଁ ଏବଂ ପିଲାମାନେ ଯେପରି ଘୃଣା ଠାରୁ ଦୂରେଇ ରହିବେ ସେଥିପାଇଁ କୋଲକତା ଛାଡିବାର ନିଷ୍ପତ୍ତି ନେଇଥିଲେ ଦୟା ।ନୀଶୀ ତାଙ୍କରି ସହିତ ଯଦିଓ ରହିଛି କେବେ ବି ସ୍ପର୍ଶ କରିନାହାନ୍ତି ସେ ।କିନ୍ତୁ ସୁଖରେ ଦୁଃଖରେ ସବୁକିଛି ଓଜାଡ଼ି ଦେଇଛି ନୀଶୀ ।

ଶରୀରର ଅସୁସ୍ଥତାରେ ରାତି ରାତି ଉଜାଗର ରହି ସଭିଙ୍କର ସେବା କରିଛି ।ପୁଅ ଝିଅ ଦୁଇଟିକୁ ମାଆ ପରି ସ୍ନେହ ଦେଇ ପାଳନ କରିଛି ।ସେମାନେ ତାଙ୍କ ରାସ୍ତାରେ ଆଗେଇଯିବା ପରେ ଦୟାଙ୍କର ସବୁ ଦାୟିତ୍ୱ ବୁଝୁଛି ନୀଶୀ । ପିଲାମାନଙ୍କୁ କେବେ ଜାଣିବାର ସୁଯୋଗ ଦେଇନାହାନ୍ତି ଦୟା ନୀଶୀର ଅତୀତକୁ ।ପ୍ରାଥମିକ ଶିକ୍ଷା ଶେଷ ପରେ ପିଲା ଦୁହେଁ ଡେ ବୋର୍ଡଇଂଗରେ ଶିକ୍ଷା ସମାପ୍ତ କଲେ ।ନୀଶୀର ତତ୍ତ୍ୱାବଧାନ କୌଣସି ଗୁଣରେ କମ ନଥିଲା ଅନ୍ୟ ସାଧାରଣ ମାଆ ମାନଙ୍କ ତୁଳନାରେ ।ଯେତେ ଅଳି ଅଝଟ ,ରାଗ ରୁଷା ,ମାନ ଅଭିମାନ ସବୁକିଛି ବେଶ ସୁନ୍ଦର ଭାବେ ଅତି ନିଖୁଣ ଭାବରେ ସମାଧାନ କରିଆସୁଛି ସେ ଏଇ ଜୀବନରେ ।ସେମାନଙ୍କ ଜନ୍ମଦାତ୍ରୀଙ୍କୁ ସେ କିନ୍ତୁ ଭୁଲିବାକୁ ଦେଇନାହିଁ ।ପ୍ରତ୍ୟେକ କାମର ଆରମ୍ଭରେ ଓ ଶେଷରେ ସେ ସେମାନଙ୍କୁ ସେମାନଙ୍କ ମାଆର ଫୋଟୋ ପାଖରେ ନେଇ ଛିଡା କରାଇ ଦେଇ କୁହେ ,” ଦିଦି ତୁମେ ଏମାନଙ୍କୁ ଆଶୀର୍ବାଦ କର ସେମାନେ ଯେପରି କୃତକାର୍ଯ୍ୟ ହୋଇ ଫେରନ୍ତୁ ।”

ସେମାନଙ୍କ ଅହେତୁକ କୌତୁହଳକୁ ଏଡାଇ ଦେଇ ମୁଣ୍ଡରେ ହାତ ସାଉଁଳେଇ ନେଇ କୁହେ ,” ବାୟାଟା ବଡ ହେଲା ପରେ ସବୁ କଥା ବୁଝିଯିବ ।ଏବେ ଖାଲି ପାଠ ପଢାରେ ଧ୍ୟାନ ଦିଅ ।

ଦୟା କେବେ କେବେ ନୀଶୀର ବେଶ ବିନ୍ୟାସକୁ ଠିକ୍ ରଖିବା ପାଇଁ ପରାମର୍ଶ ଦେଲେ ସେ ଚିଡି ଯାଇ କହେ ,”ଥାଉ ଦୟାବାବୁ ,ଯେଉଁ ବେଶ ଜୀବନକୁ ଶାନ୍ତି ଦିଏନା ସେସବୁର ଆଉ ପ୍ରୟୋଜନ କଣ ?”ନୀଶୀର ଟଣା ଟଣା ଆଖି ଯୋଡିକ କଜ୍ଜଳର ପ୍ରସାଧନ ବିନା ଖୁବ୍ ପ୍ରଶାନ୍ତ ଦେଖାଯାନ୍ତି ।କର୍ଣ୍ଣ ମୂଳର ଚୂର୍ଣ୍ଣ କୁନ୍ତଳ ସବୁକୁ ମଥାର କେଶ ସହିତ ସବୁ ଟାଣି ନେଇ ପଛକୁ ଖୋସା ଟିଏ କରିଦେଇଥାଏ । ମୁହଁରେ ଜଣା ନ ପଡିବା ପରି ହାଲକା ପ୍ରଲେପ ,ଖୁବ୍ ସମତଳ ଦେଖାଯାଏ ଆଖି ତଳ ଆଉ ନାକ ପାଖର ଗାଲ ସବୁ ଆଉ ଈଷତ ଲାଲ ବର୍ଣ୍ଣର ଓଠ ତା ତଳକୁ ସାମାନ୍ୟ ଗୋଜିଆ ଚିବୁକ । ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ଅତି ଅସାଧାରଣ ନ ହେଲେ ବି ଆଖି ଫେରାଇ ନ ହେବା ପରି ଚେହେରାଟିଏ ବେଶ ଶାନ୍ତ ଆଉ କମନୀୟ । ଦୟା ବେଳେ ବେଳେ ଆଖିରେ ପଲକ ପକାଇ ପାରନ୍ତି ନାହିଁ କିନ୍ତୁ ଠିକ୍ ସେଇ ସମୟରେ ଅପ୍ରତିଭ ହୋଇ ଉଠିଥିବା ନୀଶୀ ପୁଅ କିମ୍ବା ଝିଅକୁ ପାଖକୁ ଟାଣି ଆଣି ଦୟାଙ୍କ ହାତରେ ଧରାଇ ଦିଏ । ବାସ ଆଉ କିଛି ଦରକାର ପଡେନା ।ଚାହାଁଣୀର ଘନତ୍ୱ କମିଯାଏ ଆଉ ଦାୟିତ୍ୱର ଗଭୀରତା ବଢିଯାଏ ସେଇ ସମୟରେ ।କେତେବେଳେ କ୍ଳାନ୍ତ ଶରୀରର କ୍ଳାନ୍ତି ଅପନୋଦନ ନିମନ୍ତେ ଦୟାଙ୍କ ଶରୀରରେ ହାତ ବୁଲେଇଲା ବେଳେ ତା ହାତରେ ଟିକିଏ ଧୀର ଚାପ ଦିଅନ୍ତି ଦୟା ।କିଛି ପ୍ରତିବାଦ ନ ଥାଏ ନୀଶୀର ।ଦୟା ଗଭୀର ନିଦ୍ରାରେ ଆଚ୍ଛନ୍ନ ହେବା ପର୍ଯ୍ୟନ୍ତ ସେ ସେଇପରି ହାତ ବୁଲାଉ ଥାଏ ।କେତେବେଳେ ସେଇଠି ବି ଶଯ୍ୟା ଧାରରେ ମୁଣ୍ଡ ରଖି ଶୋଇପଡ଼ିଥାଏ ।କେବେ କେବେ ପରିବର୍ତ୍ତିତ ପାଗରେ ନିଜକୁ ଚାଦରରେ ଆବୃତା ହେବାର ଆବିଷ୍କାର କରିଥାଏ ନୀଶୀ ।ସେଇ ଢଙ୍ଗରେ ବିତିଯାଉଥିବା ଦିନ ଗୁଡିକ କଡ ଲେଉଟାଉଥାନ୍ତି ।ନିକଟ ଅତୀତରେ ଝିଅର ବିବାହ ସମ୍ପନ୍ନ ହୋଇଯାଇଥାଏ ।ତାକୁ ତା ସଂସାରରେ ବ୍ୟସ୍ତ ରହିବାକୁ ପଡେ ।

ଏପଟେ ପୁଅ ବିଦେଶୀୟ କମ୍ପାନୀରେ ଚାକିରୀ ଯୋଗୁଁ ଅନେକ ସମୟରେ ବିଦେଶ ଗସ୍ତ କରିବାକୁ ପଡୁଥାଏ ।ଦୟା ସମ୍ପୂର୍ଣ୍ଣ ଏକାକୀ ହୋଇପଡୁଥାନ୍ତି ।ନୀଶୀର ସବୁତକ ଦୃଷ୍ଟି ଦୟାଙ୍କ ଉପରେ କେନ୍ଦ୍ରୀଭୂତ ।ଦୟା କେମିତି ସବୁବେଳେ ଭଲ ରହିବେ ,ଖୁସି ରେ ରହିବେ ସେଇ ଚିନ୍ତାରେ ରାତି ଦିନ କଟେ ତା’ର ।

କିନ୍ତୁ ହଠାତ ଦିନେ ପ୍ରଶ୍ନ ଚିହ୍ନ ଲାଗିଗଲା ତା’ର ଆଉ ଦୟାଙ୍କ ସମ୍ପର୍କରେ ।ପ୍ରଶ୍ନ ବି ଏମିତି ସେମିତି ନୁହେଁ ଖୋଦ ଦୟାଙ୍କ ଘନିଷ୍ଠ ମିତ୍ର ଆଉ ପୁଅର ଭାବୀ ଶ୍ୱଶୁର ଲଗାଇଲେ ।କେଉଁ ଅତୀତର ସ୍ମୃତି ପଟଳରୁ ଖିଅ ଯୋଡିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସବୁ ଦଉଡିକୁ କାଟି ପକାଇଲେ ଦୟା ।ଖାଲି ସିନ୍ଦୂର ବୁନ୍ଦାଏ ନାହିଁ ବୋଲି ଏତେ କଥା ? ମୁଁ ତାଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରେନାହିଁ ବୋଲି ଆଜି ଏଇ ପ୍ରଶ୍ନ ,ହେଇ ଦେଖ ..କହି ଟୋପିଏ ସିନ୍ଦୂର ଲଗେଇଦେଲେ ସେଇ ଶୂନ୍ୟ ସୀମନ୍ତରେ …..ହତବାକ ହୋଇ ରହିଯାଇଥିଲା ନୀଶୀ ।କିନ୍ତୁ କୌଣସି ଉପାୟ ନଥିଲା ଉଭୟଙ୍କ ପାଖରେ ।କେତେବେଳେ ଏକାନ୍ତରେ ପାଇ ନୀଶୀ ଲୋଟିଯାଇଥିଲା ଦୟାଙ୍କ ଛାତି ରେ …ଏ କଣ କଲ …..କଣ କଲ  ?

-“ସମସ୍ତଙ୍କ ମୁହଁ ବନ୍ଦ କରିଦେଲି ।ଆଉ କାହାର କିଛି କହିବାର ନ ଥିବ । ”

-“ହେଲେ ଏଇ ବୟସରେ ? ପୁଅ ଝିଅ ସବୁ କଣ ଭାବିବେ ? କଣ କହିବେ ? ”

-“କାହାର କିଛି କହିବାର ନାହିଁ ”

-“କିନ୍ତୁ ମୁଁ ସହି ପାରୁନି ଦୟାବାବୁ ।ତମର ଏ ଦୟା ମୁଁ ସହି ପାରୁନି ।ମୋତେ ନର୍କରୁ ଉଦ୍ଧାର କରି ଆଣିଛ ସେତିକି ଯଥେଷ୍ଟ ।ବରଂ ମୁଁ ତମ ସମସ୍ତଙ୍କ ପାଖରୁ ଦୂରେଇ ଯାଇଥାନ୍ତି ।

ଏ କଣ କଲ ? ”

ବାଷ୍ପରୁଦ୍ଧ ହୋଇଯାଉଥିଲା ନୀଶୀର କଣ୍ଠ । ନୀଶୀକୁ ଆଶ୍ଲେସି ନେଇ ସଜଳ ଆଖିରୁ ବୋହିଯାଉଥିବା ଅଶ୍ରୁ ଧାରକୁ ପୋଛି ନେଉ ନେଉ କହୁଥିଲେ ଦୟା ,-“ପ୍ରେମ ର ସ୍ୱରୂପ କଣ ଜାଣ ? ତମ ନିଃସ୍ୱାର୍ଥପର ସେବାର କିଛି ପ୍ରତିଦାନ ଅଛି ? କିଛି ନାହିଁ ।ମୁଁ ତମକୁ କିଛି ବି ଦେଇପାରିନି ନୀଶୀ ।କେବଳ ତମଠାରୁ ନେଇଛି ।ତମର ବାସ୍ତବ ସ୍ୱରୂପ ତମେ କେମିତି ଜାଣିବ ? ମୁଁ ଆଉ ମୋ ପିଲାମାନଙ୍କର ଭାଗ୍ୟ ଭଲ ଯେ ତମପରି ଦେବୀସ୍ୱରୂପା ସ୍ତ୍ରୀର ସଂସର୍ଗରେ ଆସିଲୁ ।ମୁଁ ଏମିତି କଣ ବା କରିଦେଲି ଯେ ? ”

ଏକ ନୂତନ ଅବବୋଧରେ ସ୍ୱପ୍ନିଳ ଆବେଷ୍ଟନୀ ମଧ୍ୟରେ ନିଜକୁ ହଜାଇ ଦେଉଥିଲା ନୀଶୀ ଦୟାଙ୍କ ବାହୁରେ ଥାଇ ।ସତରେ ପ୍ରେମର କଣ କିଛି ପରିସୀମା ଥାଏ ? ସେ ତ ନୈସର୍ଗିକ , ଆନନ୍ଦର ଫାଲ୍ଗୁ ଟିଏ ।ବୟସ କି ଶରୀର କେଉଁଥିରେ ବି ଆବଦ୍ଧ ନୁହେଁ । ପ୍ରେମ କେବଳ ଯୌବନର ପ୍ରତୀକ ନୁହେଁ ,ଯୌବନର ଶେଷ ପାହାଚରେ ବି ପ୍ରେମ ତା ର ରୂପକଳ୍ପ ପ୍ରଦର୍ଶନ କରିପାରେ ।ପ୍ରେମର ପ୍ରକୃତ ସଂଜ୍ଞାଟିକୁ ବୁଝି ବି ବୁଝିହୁଏନା କିମ୍ବା ବୁଝାଇ ହୁଏନା ।ଏ ତ କେବଳ ଅନୁଭବର କଥା ।

ପରେ ଦିନେ ପୁଅ ଠାରୁ ପଦୁଟିଏ କଥା ଶୁଣି ସେ ଖୁସିର ଚରମ ସୀମାରେ ପହଁଚି ଗଦ ଗଦ ହୋଇଯାଇଥିଲା ….”ତମେ ଏ ବେଶରେ ଖୁବ୍ ସୁନ୍ଦର ଲାଗୁଛ ।ଜୀବନ ସାରା ତମେ ଆମର ମାଆ ନୁହଁ ବୋଲି କହିଆସୁଥିଲା ବେଳେ ଅନେକ କଷ୍ଟ ଲାଗୁଥିଲା ଆମ ଦୁହିଁଙ୍କୁ ।ଆମ ସାଙ୍ଗ ସାଥୀଙ୍କର ବାପା ମାଆ ଥିଲାବେଳେ ଆମର ମାଆ ନ ଥିବା କଥା ଆମକୁ ଖୁବ୍ ଦୁଃଖ ଦେଉଥିଲା ।ଆଜି ତମକୁ ମାଆ ଡାକିଲେ କିଛି ଆପତ୍ତି କରିବନି ତ ? ”

ପୁଅ ନୀଶୀକୁ “ମାଆ”ବୋଲି କହି କୁଣ୍ଢାଇ ପକାଇ ଏତକ କହିଦେଇଥିଲା । ନୀଶୀ ଖୁସିରେ ଆତ୍ମହରା ହୋଇ ପୁଅ ମୁଣ୍ଡରେ ହାତ ସାଉଁଳେଇ ଆଣି କହୁଥାଏ ,ହଁ …ହଁ ….ବାପା ,ମୁଁ କିଛି କହିବିନି ,ମୋର କିଛି କହିବାର ନାହିଁ

***

ଦୟାଙ୍କ ସମ୍ମୁଖରେ ଝିଅଟିକୁ ଆଣି ଠିଆ କରାଇଦେଲା ନୀଶୀ ।ପ୍ରଶ୍ନିଳ ଆଖିର ଭାଵକୁ ବୁଝିପାରି ନୀଶୀ କହିଲା -“ଆଉ ଏକ ନୀଶୀ ହେବାର ଉପକ୍ରମକୁ ମୁଁ ବନ୍ଦ କରିବାକୁ ଚାହେଁ । ୟାର ଶିକ୍ଷା ଦୀକ୍ଷାର ଉଚିତ ବ୍ୟବସ୍ଥା କରାଇବାକୁ ସାଙ୍ଗରେ ନେଇଆଣିଛି ।ସବୁବେଳେ ତ ଆଉ ଦୟା ମିଳିବେନି କି ବାରାଙ୍ଗନାଟିଏ ବଧୂର ସମ୍ମାନ ପାଇ ପାରିବନି ।ମୋ ଭାଗ୍ୟ ଭଲ ଥିଲା ବୋଲି ତମ ସହ ଦେଖାହେଲା ।ଯାହା ମୁଁ କେବେ ଚିନ୍ତା କରିନଥିଲି ସବୁ ପାଇଲି ହେଉ ପଛେ ଜୀବନର ଶେଷ ପାହାଚରେ କିନ୍ତୁ ସମସ୍ତେ ଯେ ସେତିକି ବି ପାଇ ପାରିବେ ସେ କଥା ନୁହଁ ।”

ଏକ ସ୍ମିତ ହସ ହସି ସମର୍ଥନ ଜଣେଇଲେ ଦୟା ଆଉ କହିଲେ-“ଯାହା ଏଇ କହିଲ ଯେ ବାରାଙ୍ଗନା ,ଆଉ କେବେ କହିବନି ତମେ ତମ ଆଖିରେ ବଧୂ ବାରାଙ୍ଗନା ହୋଇଥାଇ ପାର କିନ୍ତୁ ମୋ ଆଖିରେ ନୁହେଁ ।ମୋ ହୃଦୟରେ ତମ ପାଇଁ ଗୋଟେ ସ୍ୱତନ୍ତ୍ର ସ୍ଥାନ ଅଛି ।ସେ କଥା ଯେମିତି ଭୁଲିନଯାଅ ।

ନୀଶୀର ହାତଟିକୁ ଧୀରେ ସେ ଧରି ,”ଏଇ ଖୁସିରେ ଚାହା କପେ ଆଣି ଦିଅନ୍ତନି !”

-“ହଉ ହଉ ,ସେତିକି ଥାଉ …ଏଇ ଦେଖ ସେ ଆକାଶରେ ନିଃସଙ୍ଗ ନକ୍ଷତ୍ରଟି ଆମକୁ ଦେଖି କେମିତି ଈର୍ଷା କରିବା ପରିଲାଗୁଛି ….!

ଧୀରେ ଧୀରେ ଦୟାଙ୍କ ପାଖରୁ ନୀଶୀ ଚାଲିଯାଉଥାଏ ଚାହା ଆଣିବାକୁ ।ଆଉ ଆକାଶରେ ସେ ତାରାଟିକୁ କେମିତି ଗାଢ ଦୃଷ୍ଟିରେ ଦୟା ବାରଣ୍ଡାରେ ପଡିଥିବା ଆର୍ମଚେୟାରରେ ବସି ବସି ଦେଖୁଥାନ୍ତି ।ତାଙ୍କୁ ଲାଗୁଥାଏ ଯେମିତି ସେ ନକ୍ଷତ୍ରଟି ବିଦ୍ରୁପ କରୁଛି କି ପରିହାସ କରୁଛି ତାଙ୍କର ଅବସ୍ଥାକୁ …ସେ ସ୍ୱଗତୋକ୍ତି କରୁଥାନ୍ତି ।

-“ହେଃ,ତୋ ପାଖରେ ଆଉ ଟିକେ ହେଲେ ସମସ୍ତେ ପୂରିଯିବେ ।କିନ୍ତୁ ମୋ ପାଖରେ ତ କେବଳ ସେଇ ଗୋଟିଏ ସାଥୀ ବଧୂବାରାଙ୍ଗନା ହିଁ ଅଛି ,ତେବେ କାହିଁକି ଏ ବିଦ୍ରୁପ ?

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.