କପେ ଚା’ର ବାସ୍ନା…

cafe 2510677 960 720
Reading Time: 4 minutes

ଦିନେଶ୍ ବାବୁଙ୍କୁ ଆଉ ଏବେ ସ୍ତ୍ରୀ ମେନକାଙ୍କ କେବେ ପାଣିଚିଆ, କେବେ ସିରା, କେବେ କଡା, କେବେ କଷା ଚା’ ପି ଅଫିସ୍ ଯିବାକୁ ପଡୁନି l ଯେବେଠୁ ‘ଗୌରୀ’ ଆସି ତାଂକ ଅଫିସ୍ ସାମନା ବରଗଛ ମୂଳେ ଚା’ ବିକିବା ଆରମ୍ଭ କରି ଦେଇଛି l ତା ମାଟି କପ ଚା’ର ବାସ୍ନା ପୁରା ଆଖ ପାଖରେ ମହକି ଯାଏ l ଦୁଇ ବର୍ଷ ପାଖା ପାଖି ହୋଇ ଗଲାଣି ସେ ଏଇଠି ଆସି ରୀତିମତ ଚା’ ପିଉଛନ୍ତି l

ଛୁଟି ଦିନରେ ବା ଶନିବାର ରବିବାରରେ ଘରେ ରହିଲେ ସ୍ତ୍ରୀଙ୍କ ହାତ ତିଆରି ଚା’ ପି ସାରି ତା ପର ଦିନ ଅଫିସ୍ ଆସି ଗୌରୀର ହାତ ତିଆରି ଚା’ ପିଇଲେ ଅମ୍ବୃତ ପରି ଲାଗେ l ସ୍ତ୍ରୀ ମେନକା କେବେ ଚା’ କି କଫି କିଛି ପିଅନ୍ତିନି ତେଣୁ ସେସବୁର ସ୍ବାଦ ସେ କେବେ ବୁଝନ୍ତିନି l ତାଙ୍କ ମତରେ ଏସବୁ ନିଶା ଦ୍ରବ୍ୟର ଅନ୍ତର୍ଭୁକ୍ତ l ଦେହ ଖରାପ କରେ l ଥରେ ପିଇଲେ ଛାଡିବା ସହଜ ନୁହେଁ l ଯିଏ ଏସବୁର ସ୍ବାଦ ଜାଣେନା ତାକୁ ବୁଝେଇବା ସମୟ ନଷ୍ଟ କେବଳ l ତେଣୁ ସେ ମେନକାଙ୍କ କଥାର କିଛି ଉତ୍ତର ଦିଅନ୍ତିନି l

ଗୌରୀ ହାତର ଅଦା, ତେଜପତ୍ର, ଗୁଜୁରାତି ଦିଆ ଚା’ ଚାଖିଲା ପରେ ସେ ଆଉ ମେନକାଙ୍କ ହାତ ତିଆରି ଚା’ ଘରେ ଯାଇ ପିଅନ୍ତିନି l ଅଫିସ୍ ଆରମ୍ଭ ପୂର୍ବରୁ ଶୀଘ୍ର ଚାଲିଆସି ଥରେ ଚା’ ଘରକୁ ଫେରିବା ପୂର୍ବରୁ ଥରେ ଏଇଠି ଚା’ ପି ଦେଇ ଯାଆନ୍ତି l ହୋଇଯାଏ ତାଙ୍କର ଦିନ ତମାମର ଚା’ ପିଆ l ଘରେ ଯାଇ ଝମେଲା କରିବାର ମାନେ କିଛି ନାହିଁ l ମେନକା ବି ଖୁସି ସେ ବି ଖୁସି l ସବୁଦିନ ଚା’କୁ ନେଇ ତାଙ୍କ ରୋଜ୍ ରୋଜ୍ ଆକ୍ଷେପୋକ୍ତିରେ ମେନକା ଯେତିକି କ୍ଷୁବ୍ଧ ସେ ବି ସେହି ସେହି କଥାକୁ ବାରମ୍ବାର କହି କହି ସେତିକି ଅସନ୍ତୁଷ୍ଟ l

ଗୌରୀର ବୟସ ବାର ତେର ବର୍ଷ ଭିତରେ l ବୁଢୀ ମା ଟି ଆସି ପାଖରେ ଛିଣ୍ଡା କମଳ ଟିଏ ଘୋଡେଇ ହୋଇ ବସିଥାଏ ପାଖରେ l ଦାରିଦ୍ରତା ଓ ରୋଗ ତାର ବୟସକୁ ବହୁତ ବଢେଇ ଦେଇଥାଏ l ଏକୁଟିଆ ଝିଅକୁ ଛାଡିବାକୁ ଏ ସହର ଭିତରକୁ ସାହସ କରି ପାରେନା ତେଣୁ ତା ସାଥିରେ ଆସେ ସେଇ ପାଖରେ ଶୋଇ ଯାଏ ଥକା ଲାଗିଲେ l ସକାଳ ଆଠରୁ ଦିନ ଚାରିଟା ଅଫିସ ସରିବା ଯାଏ ଚା ବିକି ଘରକୁ ଫେରନ୍ତି l

ଦିନେଶ୍ ବାବୁ ଦୟା କରି ଝିଅ ଟିକୁ ମଝିରେ ମଝିରେ ରେଜା ନାହିଁ କହି ଅଧିକ ପଇସା ତାକୁ ଦେଇ ଦିଅନ୍ତି l ବେଳେ ବେଳେ ସମୟ ଥିଲେ ତା ସଂଗେ କଥାବାର୍ତ୍ତା ବି କରନ୍ତି l ମା’ର ଦେହ ପା ଖବର ବି ବୁଝନ୍ତି l ଏକ ଆତ୍ମୀୟତା ଭାବ ବଢି ଗଲାଣି l ତାର ଭବିଷ୍ୟତର ଲକ୍ଷ ବିଷୟରେ ବି ପଚାରନ୍ତି l ଗୌରୀର ଅନ୍ୟ ଝିଅ ମାନଙ୍କ ପରି ପାଠ ପଢି ଏମିତି ଅଫିସରେ ଯାଇ କାମ କରିବାକୁ ଭାରି ଇଚ୍ଛା l

ଦିନେ ତା ହାତରୁ ଚା’ ନପିଇଲେ ଦିନ ସରେନା ଦିନେଶବାବୁଙ୍କର l ଗୌରୀର ଗ୍ରାହକ ସଂଖ୍ୟା ବି ଦିନକୁ ଦିନ ବଢି ଚାଲିଛି l ତା କପେ ଚାର ବାସ୍ନାର ଚର୍ଚ୍ଚା ଅଫିସ୍ ଭିତରେ ବେଶ୍ ହୁଏ l ବେଶୀ ଏଇ ଦିନେଶବାବୁଙ୍କର ହାତ ଅଛି ଏଇ ପ୍ରଚାର ପ୍ରସାର ପଛରେ l ସେ ଏମିତି ବଢେଇ ଚଢେଇ ଗପନ୍ତି ଯେ ଚା’ ନପିଇଲା ଲୋକ ବି ଆସି ଚା’ ପିଇବାକୁ ଇଛା କରେ ଗୌରୀ ହାତରୁ l

ଅଫିସକୁ ଏବେ ନୂଆ ମ୍ୟାନେଜର ଜଣେ ଆସିଗଲେ l କର୍ମଚାରୀଙ୍କ ବାହାରେ ଯାଇ ଚା’ ପିଇବାରେ ବେଶୀ ସମୟ ଯାଉ ଥିବାର ଦେଖି ବେଶ୍ ବିରକ୍ତ ହେଲେ l ଖାଲି ସେତିକି ନୁହେଁ ତାପରେ ଅଫିସର ପ୍ରତି ମହଲାରେ ଦୁଇ ଦୁଇଟା ଭେଣ୍ଡିଙ୍ଗ ମେସିନ୍ ଲଗେଇ ଦେଲେ l ଆଉ ବାହାରକୁ ଯାଇ କେହି ଚା’ ପିଇ ପାରିବେନି ବୋଲି ନୋଟିସ୍ ମଧ୍ୟ ଲଗେଇ ଦେଲେ l ଚବିଶ ଘଣ୍ଟା ମେସିନରୁ ଚା’ ବାହାରିବ, ସେ ବି ଗୋଟାଏ ମିନିଟ୍ ରେ ରେଡି l

ଭେଣ୍ଡିଙ୍ଗ ମେସିନର ଚା’ର ବାସ୍ନା ଆଉ ସ୍ବାଦ ସବୁଦିନ ଏକା ପରି l ବାହାରେ ଯାଇ ଗୌରୀର ହସ ହସ ମୁହଁରେ ପରସୁଥିବା ଚା’ ପିଇବାରେ ଯୋଉ ମଜା ଥିଲା ଏ ଭେଣ୍ଡିଙ୍ଗ ମେସିନରେ ସେ ମଜା କାହିଁ?

ଦିନେଶବାବୁ କିନ୍ତୁ ସକାଳୁ ଶିଘ୍ର ଆସି ଗୌରୀ ହାତରୁ ହିଁ ଚା’ ପିଅନ୍ତି l ତାଙ୍କର ଦିନକୁ ଦୁଇଥର ଦରକାର l ଅଫିସ ସରିଲା ପରେ ଘରକୁ ଯିବା ପୂର୍ବରୁ ଆଉ ଥରେ ଚା’ ପି ଦେଇ ଯାଆନ୍ତି l ଭେଣ୍ଡିଙ୍ଗ ମେସିନ୍ ତାଙ୍କର ଦରକାର ନାହିଁ l କିନ୍ତୁ ବିଚାରି ଗୌରୀର ଗ୍ରାହକ ସଂଖ୍ୟା କମି କମି ଗଲେ l ସେଇ ଚା’ ବ୍ୟବସାୟରୁ ଯାହା ଯେମିତି ମିଳୁଥିଲା ମା ଝିଅଙ୍କର ଘର ଖର୍ଚ୍ଚ ଚଳି ଯାଉଥିଲା l ଏବେ ଅସୁବିଧା ହଉଛି l ସେ ଅନ୍ୟ ଧନ୍ଦା କିଛି କରିବ ଶୁଣିଲା ପରେ ଦିନେଶ୍ ବାବୁଙ୍କ ମନ ଭାରି ଦୁଃଖ ହୋଇଗଲା କିନ୍ତୁ ସେ ବା କଣ କରି ପାରିବେ l

ମଝିରେ ତାଙ୍କୁ ଟିକେ ଜର ହେଇଗଲା ତିନି ଚାରି ଦିନ ଛୁଟି ନେଇ ଘରେ ରହି ଫେରିଲା ପରେ ଗୌରୀ ଆଉ ସେଠାରେ ଚା’ ବିକୁନି l ଦିନେ ଦି ଦିନ ଅପେକ୍ଷା କଲେ ନା ସେ ଆଉ ଆସିବନି l ତାକୁ ଅନ୍ୟ କୋଉଠି କାମ ମିଳିଗଲା ବୋଧେ l ତାଙ୍କୁ ଏଥର ମେନକାଙ୍କ ସେ ପାଣିଚିଆ ଚା’ ପାଖକୁ ଫେରିବାକୁ ହେବ ନଚେତ ଚା’ ପିଇବା ଛାଡିଦେବାକୁ ହେବ l ଦୁଇଟା ଯାକ ଅସମ୍ଭବ ପରି ଲାଗୁଛି l ସେ ହେଲେ ଗୌରୀ ଠାରୁ ତା ସ୍ଵାଦିଷ୍ଟ ଚା’ କରିବାର ଫର୍ମୁଲା ଶିଖି ଯାଇଥାନ୍ତେ ଭଲା ଏତେକ ଦିନ ଭିତରେ l ଜରୁଆ ପାଟି ଟା ଗୌରୀର ଚା’କୁ ଭାରି ଝୁରି ହଉଛି l

ସେଦିନ ଅଫିସରୁ ଫେରିଲା ପରେ ହଠାତ ଘର ସାରା ଗୌରୀର ଚା’ ପରି ଅଦା ତେଜପତ୍ର ଦିଆ ଚା’ ର ବାସ୍ନା ଆସୁଛି l ମନେ ମନେ ଖୁସି ହୋଇଗଲେ l ମେନେକା ବୋଧେ କାହଠୁ ଚା’ କରିବା ଶିଖି ଗଲେ କି କଣ l ଲୁଗାପଟା ନବଦଳେଇ ସିଧା ରୋଷେଇ ଘର ଭିତରକୁ ପସିଗଲେ l ଆରେ ଏତ ଗୌରୀ l ମେନକା କିଛି ମାସ ହୋଇଗଲାଣି ଜଣେ କାହାକୁ ଘର କାମ ରୋଷେଇବାସ କାମରେ ସାହାଯ୍ୟ କରିବା ପାଇଁ ଲୋକ ଖୋଜୁଥିଲେ ତାଙ୍କର ଆଜି କାଲି ଦେହ ହାତରେ ବହୁତ ବ୍ୟଥା ହଉଛି ସକାଳୁ ଉଠିବା ଟିକେ କଷ୍ଟ ଅନୁଭବ କରୁଛନ୍ତି l ଯିଏକି ସକାଳୁ ଆସି ରୋଷେଇ ବାସ କରି ଦେଇ ଯାଆନ୍ତା l

ଗୌରୀ ବି ଅନ୍ୟ କିଛି କାମ ଖୋଜୁଥିଲା l ତାକୁ ବୋଧେ ମେନକା କୋଉଠୁ କେମିତି ପାଇ ରଖି ନେଇଛନ୍ତି l ଭଲ ହେଲା l ସେ କିଛି ପଚାରିବା ପୂର୍ବରୁ ମେନକା କହିଗଲେ “ସେ ଏଇ ଝିଅକୁ ଆଜିଠାରୁ ରଖିଛନ୍ତି କାମରେ ସାହାଯ୍ୟ କରିବା ପାଇଁ l ବିଷ୍ନୁବାବୁଙ୍କ ଘରେ କାମ କରୁଥିବା ସ୍ତ୍ରୀ ଲୋକଟିର ସେ ଚିହ୍ନା l ସେହି ଆଣି ଏଠି ରଖେଇ ଦେଇ ଯାଇଛି l” ଭଲ ହେଲା ତାର ବି କାମ ଦରକାର ଥିଲା ମେନକାଙ୍କର ଲୋକ ଦରକାର ଥିଲା l ଆଉ ତାଙ୍କର ଗୌରୀ ହାତର ଚା’ ଦରକାର ଥିଲା l ସବୁ ସମସ୍ୟାର ସମାଧାନ ହୋଇଗଲା l ପୁଣି ଏତେ ସହଜରେ l

ଦିନେଶବାବୁ ଗୌରୀକୁ ଦେଖି ଯେତିକି ଖୁସି ହେଲେ ଗୌରୀର ଖୁସି ଦ୍ବିଗୁଣ l ହସି ହସି ଗଡିଗଲା ଖୁସିରେ l ଆସି ମୁଣ୍ଡିଆ ଟାଏ ବଡ ଯୋରରେ ମାରିଦେଇ କହିଲା ବାବୁ ମୁଁ ଯାଉଛି ଏଇଲେ ଗରମ ଗରମ ଆପଣଙ୍କର ଚା’ ସାଙ୍ଗକୁ ପକୁଡି ଛାଣି କରି ଆଣି ଦଉଛି l ମେନକା ଏ ହସରୁ କିଛି ନବୁଝିଲେ ବି ସେ ଖୁସି l ସମସ୍ତେ ଖୁସି ସମସ୍ତଙ୍କୁ ନିଜ ନିଜର ମନ ଚାହୁଁଥିବା ମିଳିଗଲା ବୋଲି l ଦିନେଶ ବାବୁ ଚା’ ପିଉ ପିଉ ଭାବୁଥିଲେ “ମଳୁ ଖୋଜୁଥିଲା କାକର ପାଣି ବୈଦ କହିଲା ଦେ ତୋଡାଣୀ l” ଏବେ ସବୁଦିନ ଗୌରୀ ହାତର ଚା’ l ପୁଣି ଯେତେବେଳେ ଇଚ୍ଛା ସେତେବେଳେ l କିନ୍ତୁ ସେ ତା ଦରମାରୁ କିଛି କିଛି ନେଇ ବ୍ୟାଙ୍କରେ ଗୌରୀ ନାମରେ ଜମା କରି ଦିଅନ୍ତି l ତା ଭବିଷ୍ୟତର ସ୍ବପ୍ନ ପୁରା କରିବା ପାଇଁ l

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.