ମୁକ୍ତି

Mukti640x 571ec4553df78c5640ae9f14
Reading Time: 2 minutes

ରତ୍ନପୁରର ଜମିଦାର ରଘୁବୀର ଅତ୍ୟନ୍ତ ବନ୍ଧୁବତ୍ସଳ ଥିଲେ । ତାଙ୍କର ସେହି ଦୁର୍ବଳତାର ସୁଯୋଗ ନେଇ ଦଳେ ବନ୍ଧୁ ସଦା ସର୍ବଦା ତାଙ୍କ ଘରେ ଆଡ୍ଡା ଜମାଉଥିଲେ, ରଘୁବୀରଙ୍କର ସମୟ, ଧନ, ମନ ସବୁ ନଷ୍ଟ ହୁଏ । ହେଲେ ସେକଥାକୁ କେହିବି ଦୃଷ୍ଟି ଦେଉ ନଥିଲେ । ତାଙ୍କର ସହିବା ଶକ୍ତିର ତ ପୁଣି ଗୋଟାଏ ସୀମା ଅଛି? ଅତି ଅସହ୍ୟ ହେବାରୁ ସେ ଦିନେ ତାଙ୍କ ଦେବାନକୁ ଡାକି ନିଜର ମନକଥା କହିଲେ ।

ସେ ଦେବାନ୍ ଜଣକ ବଡ ବୁଦ୍ଧିମାନ୍ ଥିଲେ । ସେ ଅଳ୍ପ ସମୟରେ ସବୁ ବୁଝିଗଲେ ଓ ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇ ପଡିଲେ । ସେମାନଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହେଲା, ଏସବୁ ଅଭ୍ୟାସ ଭାଙ୍ଗି ଦେବାକୁ ସେମାନେ କୌଣସି ଏକ ଯୋଜନା ପ୍ରସ୍ତୁତ କଲେ । ପୁଣି ଜମିଦାର ତ ଆଉ ନିଷ୍ଠୁର ଭାବରେ ‘ନା’ ବି କରିପାରିବେ ନାହିଁ । ତେଣୁ ସବୁଆଡକୁ ଜଗି ରଖି ଏକ ଯୋଜନା ପ୍ରସ୍ତୁତ ହେଲା ।

ପରଦିନ ଜମିଦାର ତାଙ୍କର ବନ୍ଧୁ ମଣ୍ଡଳୀଙ୍କୁ ଧରି ବସିଥା’ନ୍ତି । କିଛି ସମୟ କଥାବାର୍ତ୍ତା ହେବା ପରେ ଜଣେ ଧଳା ପୋଷାକ ପିନ୍ଧା ବ୍ୟକ୍ତି ସେଠାକୁ ଆସିବାର ଦେଖାଗଲା । ରଘୁବୀର ନିଜ ଆସନ ଛାଡି ଠିଆ ହେଲେ ଓ ତାଙ୍କୁ ସ୍ୱାଗତ କରି ଆଣିବା ପାଇଁ ଦ୍ୱାର ପର୍ଯ୍ୟନ୍ତ ଗଲେ । ତାଙ୍କୁ ସଙ୍ଗରେ ନେଇ ଆସିଲେ ଓ ଅଳ୍ପ କିଛି କଥା କହିବା ପରେ ସେ ହଠାତ୍ ଉଠିପଡି କହିଲେ, “ମୋ ହାତରେ ସମୟ ଖୁବ୍ କମ୍ । ପୁଣି ତୁମର ସମୟ ମଧ୍ୟ ମୁଁ ନଷ୍ଟ କରିବାକୁ ଚାହେଁନାହିଁ, ଆଜି ମୋତେ ବିଦାୟ ଦିଅ । ପରେ କେବେ ମୁଁ ଆସିବି ।” ଏତିକି କହି ସେ ସେହିକ୍ଷଣି ଯିବାକୁ ଆରମ୍ଭ କଲେ । ଜମିଦାର ମଧ୍ୟ ତାଙ୍କ ସହିତ ଦୁଆର ପର୍ଯ୍ୟନ୍ତ ଗଲେ ଓ ସେହିଠାରେ କିଛି ସମୟ କଥା ହେଲେ । ଇତିମଧ୍ୟରେ ବନ୍ଧୁମଣ୍ଡଳୀ ଦେଖିଲେ ଯେ ଦେବାନ୍ବାବୁ ସେଠାରେ ବସିଛନ୍ତି । ସେମାନେ ପଚାରିଲେ, “ଦେବାନ୍ବାବୁ, ଆମେ ଏତେଦିନ ଏଠାକୁ ଆସିଛୁ, କିନ୍ତୁ ଜମିଦାର ଯେ କାହାକୁ ଏତେ ସମ୍ମାନ ଦେବାର କେବେବି ଦେଖିନାହୁଁ; ଯିଏ ଆସିଲେ ସିଏ ଏମିତି କେଉଁ ମହାନ୍ ଲୋକ କି ଯାହାଙ୍କୁ ଏତେ ସମ୍ମାନ ଦିଆଯାଉଛି? ତମେ କ’ଣ ତାଙ୍କୁ ଚିହ୍ନ?”

ଦେବାନ୍ କହିଲେ “ହଁ, ମୁଁ ତ ତାଙ୍କୁ ଭଲ ଭାବରେ ଚିହ୍ନେ । ସେ ହେଲେ ଅମରେନ୍ଦ୍ର ବାବୁ, ସହରର ଜଣେ ବଡ ବ୍ୟବସାୟୀ ତଥା ଧନୀଲୋକ । ଆମ ବାବୁଙ୍କର ସିଏ ହେଉଛନ୍ତି ଗୁରୁଭାଇ । ବୋଧହୁଏ ଗୁରୁଦେବ କିଛି ଖବର ପଠାଇଛନ୍ତି । ତାଙ୍କୁ ଆମ ବାବୁ ବହୁତ ସମ୍ମାନ କରନ୍ତି । ସଂସାର କ୍ଷେତ୍ରରେ ସେ ଜଣେ ଧନୀ, ପୁଣି ତାଙ୍କର ଏକ ଆଦର୍ଶ ପରିବାର ମଧ୍ୟ ଅଛି । ଆହୁରି ମଧ୍ୟ ସେ ବହୁତ ଦାନ କରନ୍ତି, ଅନେକ ଲୋକଙ୍କୁ ସେ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରନ୍ତି । ସର୍ବୋପରି ସେ ମଧ୍ୟ ଜଣେ ଜ୍ଞାନୀ ବ୍ୟକ୍ତି । ମୁଁ ଆମ ବାବୁଙ୍କ ମୁହଁରୁ ସଦା ସର୍ବଦା ତାଙ୍କର ପ୍ରଶଂସା ଶୁଣିଥାଏ କାରଣ ତାଙ୍କ ଗୁରୁଦେବଙ୍କର ଉପଦେଶ ସେ ମାନନ୍ତି, ସମୟ କେବେବି ଅଯଥାରେ ନଷ୍ଟ କରନ୍ତି ନାହିଁ । ଆମ ବାବୁଙ୍କର ବହୁତ ସମୟ ନଷ୍ଟ ହେବାରୁ ବୋଧହୁଏ ଗୁରୁଦେବ କିଛି ଖବର ଦେଇଛନ୍ତି । ହୁଏତ ଗୁରୁଙ୍କ ଆଦେଶରେ କୌଣସି କାମର ଦାୟିତ୍ୱ ନେଇ ସେ କାମ କରିପାରୁ ନାହାଁନ୍ତି ବୋଲି ଅମରେନ୍ଦ୍ର ବାବୁଙ୍କ ହାତରେ ଗୁରୁ କିଛି ଖବର ପଠାଇଛନ୍ତି ।”

ବନ୍ଧୁମାନଙ୍କ ମଧ୍ୟରୁ ଜଣେ କହିଲେ “ଓ ତେବେ ଏପରି କଥା । ତେବେ ଆମେ ତ ତାଙ୍କର ବେଶିଭାଗ ସମୟ ନଷ୍ଟ କରୁଛୁ । ଯଦି ଗୁରୁଙ୍କର ଅଭିଶାପ ଆମ ଉପରେ ପଡେ? ଚାଲ ଆଜିଠୁ ଏସବୁ ବନ୍ଦ । କେବଳ ସମୟ କରି ଦିନକୁ ମାତ୍ର ଘଂଟାଏ ସମସ୍ତେ ଏକାଠି ହେବା ।” ସେଥିରେ ସମସ୍ତେ ସମ୍ମତ ହେଲେ ଓ ଯିବାକୁ ଉଠିଲେ ।

ଇତିମଧ୍ୟରେ ଜମିଦାର ଫେରି ଆସି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏ କ’ଣ ଆଜି ଏତେ ଶୀଘ୍ର ସମସ୍ତେ ଉଠି ପଡିଲେ?”

ଜଣେ ବନ୍ଧୁ କହିଲେ “ଆଜି ଆମେ ଯାଉଛୁ । କାଲିଠାରୁ ଆମେ ସମସ୍ତେ ଗୋଟିଏ ଘଂଟା ପାଇଁ ସଂଧ୍ୟା ପୂର୍ବରୁ ମିଳିତ ହେବା । ମାତ୍ର ଘଂଟାଏ, ତା’ଠାରୁ ମୁହୂର୍ତ୍ତଟିଏ ମଧ୍ୟ ବେଶି ଯେପରି ନୁହେଁ ।”

ଏକଥା ଶୁଣି ଜମିଦାର ଅଳ୍ପ ହସି କହିଲେ, “ଇତିମଧ୍ୟରେ ଆପଣମାନଙ୍କର ହଠାତ୍ କ’ଣ ଏପରି ପରିବର୍ତ୍ତନ ହୋଇଗଲା? ଦେବାନ୍ବାବୁଙ୍କଠାରୁ କିଛି ଶୁଣିଲେ କି? ଏକଥା ଅବଶ୍ୟ ସତ ଯେ ଆମେ ଗଳ୍ପ କରୁ କରୁ ସମୟ କୁଆଡେ ଯେ ବିତି ଯାଉଛି ତାହା ଜାଣି ହେଉନାହିଁ । ଆମେ ସମସ୍ତେ ଏଣିକି ସେତିକି ସମୟ କୌଣସି କାର୍ଯ୍ୟ ପାଇଁ ଦେବା ।” ଏହାପରେ ସେମାନେ ମଧ୍ୟ ଅଳ୍ପ ହସି ନୀରବରେ ସେ ସ୍ଥାନ ଛାଡି ଚାଲିଗଲେ ।

ସେମାନେ ସେଠାରୁ ଯିବା ପରେ ଜମିଦାର ଦେବାନ୍ଙ୍କୁ ପଚାରିଲେ, “ଆଚ୍ଛା ସେ ଅମରେନ୍ଦ୍ରଟି କିଏ? ତାଙ୍କର ଅଭିନୟ ଅତି ଚମତ୍କାର । ତାଙ୍କୁ ପୁରସ୍କାର ଦେବାକୁ ହେବ । ସେ ମୋର ଗୋଟେ ବଡ ଉପକାର କଲେ ।”

ତାଙ୍କର ଏକଥା ଶୁଣି ଦେବାନ୍ ଅଳ୍ପ ହସି କହିଲେ, “ସେ ମୋ ସ୍ତ୍ରୀର ଭାଇ । ତାକୁ ମୁଁ କାଲି ଏଠାକୁ ନେଇ ଆସିବି ଓ ଆପଣଙ୍କ ସହିତ ତା’ର ଚିହ୍ନା କରାଇ ଦେବି । ସେ ଏଠାକୁ ଦୁଇଦିନ ପାଇଁ ଆସିଥିଲା ।”

ଦୁହେଁ କାର୍ଯ୍ୟର ସାଫଲ୍ୟରେ ଖୁବ୍ ହସିଲେ ଓ ଆଶ୍ୱସ୍ତ ଅନୁଭବ କଲେ ।🙏

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.