ଅନୁଭୂତି - Utkal Odisha

ଅନୁଭୂତି

Experience3 72
Reading Time: 3 minutes

ଅନୁଭୂତି ଆମ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଂଶ । ଆମ ଦୈନନ୍ଦିନ ଜୀବନର ଅଙ୍ଗେନିଭା କଥା ସବୁ କେତେବେଳେ ଅନୁଭୂତିରେ ପରିଣତ ହେଇଯାଏ । ସେ ଅନୁଭୂତିଟି ଭଲ ବି ହେଇଥାଇପରେ କିମ୍ବା କଷ୍ଟଦାୟକ ମଧ୍ୟ ହେଇଥାଇପାରେ । କିନ୍ତୁ ଅନୁଭୂତି ଆମକୁ ବହୁତ କିଛି ଶିକ୍ଷା ଦେଇଯାଏ । ଅନୁଭୂତି ଯେ କେବଳ ଆମେ ଭୁଲ କଲେ ପାଇଥାନ୍ତି ତାହା ନୁହେଁ, ଏହା ସୁଖରେ ମଧ୍ୟ ମିଳେ । କିଛି ଅନୁଭୂତି ଥାଏ ଯାହାକୁ ଆମେ ସଭିଙ୍କ ସହ ବାଣ୍ଟିପାରନ୍ତି ଆଉ କିଛି ଅନୁଭୂତି ଛାତିତଳେ ସଦା ସର୍ବଦା ଦବି ରହିଯାଏ । ଏଠାରେ ମୁଁ ଲେଖୁଛି ଅନୁଭୂତିଟିଏ କିନ୍ତୁ ଏହା ମୋର ନୁହେଁ, କେହିଜଣେ ଆତ୍ମୀୟଙ୍କ ଅନୁଭୂତି ।

ଶୀତୁଆ ସକାଳୁ; ମୋର ନିଦ ଭାଙ୍ଗୁନଥାଏ, କିନ୍ତୁ ବିଛଣା ତ୍ୟାଗ କରିବା ବ୍ୟତୀତ ଅନ୍ୟ ଉପାୟ କିଛି ନଥାଏ । ଓଡ଼ିଶାର ଶୀତପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରୁ କେନ୍ଦୁଝର ଗୋଟିଏ । ୧୯୮୫ ମସିହା ବେଳକୁ କେନ୍ଦୁଝରରେ ହାଡଭଙ୍ଗା ଶୀତ ପଡ଼ୁଥାଏ । ସକାଳୁ ପାଣି ସ୍ପର୍ଶ ମାତ୍ରକେ ଲାଗେ ହିମାଳୟ ପାଦଦେଶରେ ଅଛି । କିନ୍ତୁ ଏହି ସବୁ ବାହାନାକୁ ପଛରେ ପକେଇ ବାହାରିବାକୁ ହୁଏ ଅଫିସ ପାଇଁ । ଅଫିସ କହିଲେ ମାଇନ୍ସ, ଜୋଡ଼ା-ବଡ଼ବିଲ୍ ମାଇନ୍ସ ବେଲ୍ଟରେ ମୋର ପ୍ରଥମ କରି ପୋଷ୍ଟିଂ ହେଇଥାଏ । ଘରୁ କେହି ଆସିନଥିଲେ ପାଖରେ ରହିବାକୁ କାରଣ ଘରେ ବାପାଙ୍କ ଦେହ ଅବସ୍ଥା ସେତେ ଭଲ ନଥିଲା । ମୁଁ ଅବିବାହିତ ଜୀବନକୁ କଷ୍ଟେମଷ୍ଟେ ଚଲେଇଥାଏ । ସେଦିନ ମଧ୍ୟ ସବୁ କାମ ସାରି ବାହାରିଗଲି ସାଇଟକୁ, ମନଟା କିନ୍ତୁ ସକାଳୁ କାହିଁକି କେଜାଣି ଗୁଡ଼େଇ ହେଉଥାଏ ଯେମିତି କିଛି ଅଘଟଣ ଘଟିବ । ଦିନ ଯେତେ ବଢ଼ି ବଢ଼ି ଚାଲିଥାଏ, ମନଟା ସେତେ ବେଶୀ ଅଧର୍ଯ୍ୟ ହେଇଉଠୁଥାଏ । ମୁଁ ମୋ ଧ୍ୟାନ ହଟେଇବା ପାଇଁ ସନ୍ଧ୍ୟା ଡେରି ଯାଏଁ ଅଫିସରେ ବସିରହିଲି, ସନ୍ଧ୍ୟା ସିଫ୍ଟରେ ଥିବା ସିନିଅର ଅଫିସର କିନ୍ତୁ ତାଗିଦ କରି କହିଲେ କ୍ଵାଟରକୁ ଫେରିଯିବାକୁ, କାରଣ ଥଣ୍ଡା ବେଶି ପଡ଼ିଗଲେ ଅସୁବିଧା ହବ । ମୁଁ ମଧ୍ୟ ମନକୁ ବୁଝେଇ ବାହାରି ଆସିଲି ।

ସେତେବେଳେ ଜୋଡ଼ାପଟେ ଚୋରୀ ଡକାୟତି ଟିକେ ଅଧିକ ମାତ୍ରାରେ ହେଉଥିଲା । ସେଥିପାଇଁ ମୁଁ ହନୁମାନଙ୍କୁ ସ୍ମରଣ କରି ବାହାରିଲି ମୋ ପୁରୁଣା ସ୍କୁଟର ଧରି । ଶୀତରେ ହାତ ଥରିଉଠୁଥାଏ ଆଉ ଦାନ୍ତ ଆପେ ଆପେ କଟ କଟ ବାଜୁଥାଏ । ମନେ ମନେ ନିଜକୁ ଗାଳିକରୁଥାଏ ଯେ କାହିଁକି ଏତେ ସମୟ ରହିଗଲି ଅଫିସରେ, ଶୀଘ୍ର ଫେରିଲିନି କାହିଁକି । ପଛ ଚକଟାରେ ପବନ ନଥିଲା ପରି ହଠାତ ଲାଗିଲା । ଜଙ୍ଗଲ ରାସ୍ତାରେ ଗାଡ଼ି ଅଟକେଇବାକୁ ମୋର ସାହାସ ହେଉନଥାଏ । ସେମିତି ଅବସ୍ଥାରେ ଆଗକୁ ଆଉ ଗୋଟେ କିଲୋମିଟର ଖଣ୍ଡେ ବଢ଼ିଥାଏ ଲାଗିଲା ଯେ ଆଉ ହେବନି । ବାଧ୍ୟହେଇ ଗାଡ଼ିକୁ ସେଇଠି ଅଟକେଇଲି, ପଛ ଚକରେ ଜମା ପବନ ନଥାଏ । ଭାଗ୍ୟକୁ ସେତେବେଳେ ସ୍କୁଟରରେ ଗୋଟାଏ ଲେଖା ସ୍ଟେପନୀ ଥାଏ । ମୁଁ ତରତର ହେଇ ଚକ ଖୋଲିବାକୁ ଲାଗିପଡ଼ିଲି କିନ୍ତୁ ଭାଗ୍ୟ ଯେତେବେଳେ ଖରାପ ପଡ଼େ କୌଣସି କାମ ସୁରୁଖୁରୁରେ କାହିଁକି ବା ହବ! ଗୁଡ଼ାଏ ସମୟ ଲାଗିଲା ସେ ଚକକୁ ଖୋଲିବାକୁ । ଠିକ୍ ଚକ ଖୋଲି ସ୍ଟେପନୀ ଖୋଲିବାକୁ ଯାଉଛି କେହିଜଣେ ପଛରୁ ଆସି ମୋ କାନ୍ଧରେ ହାତ ପକେଇଲା ।

ମୁଁ ଡରରେ ପଛକୁ ବୁଲୁନଥାଏ, କିଏ ହେଇଥିବ କେଜାଣି? ଚୋର କି ଡାକୁ ନୁହେଁ ତ? ତଥାପି “ଜୟ ହନୁମାନ” କହି ପଛକୁ ବୁଲିଲି ଦେଖିଲା ବେଳକୁ କେହି ନାହାଁନ୍ତି । ସେତିକି ବେଳେ ମୋ ମନରେ ଆହୁରି ଡର ପଶିଗଲା, କିଏ ମୋ କାନ୍ଧରେ ହାତ ପକେଇଲା ! ପଛ ପଟୁ କେହି ଜଣେ ମୋତେ ଡାକିଲା ପରି ଲାଗିଲା । ଏଥର କିନ୍ତୁ ମୋ ପାଇଁ “ଜୟ ହନୁମାନ” ନାମ ଜପ ମଧ୍ୟ କିଛି କାମ ଦେଉନଥାଏ । ମୁଁ ବଡ଼ କଷ୍ଟରେ ପଛକୁ ବୁଲିଲି, କେହିଜଣେ ଠିଆ ହେଇଥିଲେ କିନ୍ତୁ ମୁଁହ ସ୍ପଷ୍ଟ ଦେଖାଯାଉନଥାଏ ଅନ୍ଧାରରେ । “କିଛି ସାହାଯ୍ୟ କରିବି କି ଆଜ୍ଞା?” ଏତକ କହି ସେ ଲୋକ ମୋ ଉତ୍ତର ଅପେକ୍ଷାରେ ରହିଲେ । ମୋତେ ସେତେବେଳେ ସାହାଯ୍ୟର ଘୋର ଆବଶ୍ୟକତା ଥାଏ କିନ୍ତୁ ଏମିତି ଶୁନଶାନ ରାସ୍ତାରେ ଅପରିଚିତ ଲୋକଠାରୁ ସାହାଯ୍ୟ ବା ନେବି କେମିତି । ମୁଁ ଏହି ଦ୍ୱନ୍ଦରେ ଥାଏ, ସେ ଲୋକ ଜଣକ ଆଉ ମୋ ଉତ୍ତର ଅପେକ୍ଷା ନ କରି ମୋ ହାତରୁ ରେଞ୍ଚି ନେଇ ଚକ ଖୋଲିବାକୁ ଲାଗିଲେ ।

ପାଖାପାଖି ଘଣ୍ଟେ ଖଣ୍ଡେ ଲାଗିଲା ସ୍କୁଟରକୁ ଠିକ କରିବାକୁ କିନ୍ତୁ ସେହି ସମୟ ଭିତରେ ଆମ ଭିତରେ କୌଣସି କଥାବାର୍ତ୍ତା ନଥାଏ । ସ୍କୁଟର ସଜଡ଼ା ସରିଲା ପରେ ମୁଁ ତାଙ୍କୁ ମୋ ସହ ବସି ତାଙ୍କ ଗନ୍ତବ୍ୟ ସ୍ଥଳ ଯାଏଁ ଛାଡ଼ିଦେବାର ପ୍ରସ୍ଥାବ ଦେଲି, ଆଉ ସେ ମଧ୍ୟ ଖୁସିରେ ତାକୁ ଗ୍ରହଣ କଲେ । ଆମେ ଗୋପାଳ ଦୋକାନ ଯାଏଁ ଗଲୁ ଏକାଠି, ତା’ପରେ ସେ ମୋ କାନ୍ଧରେ ହାତ ରଖି ସେଠାରେ ଗାଡ଼ି ଅଟକେଇବାର ଇସାରା ଦେଲେ । ମୁଁ ଗାଡ଼ି ରଖି ପଛକୁ ବୁଲି ଦେଖିଲା ବେଳକୁ ସେ ନାହାଁନ୍ତି । ମୋ ପଛକୁ ଖାଲି ଅନ୍ଧାର ରାସ୍ତା, ବୋଧହୁଏ ସେ ଅନ୍ଧାରରେ କେଉଁ ଗଳିରେ ପଶିଯାଇଥିବେ । ଘରେ ପହଞ୍ଚିଲା ବେଳକୁ ଗୁଡ଼ାଏ ସମୟ ହେଇଥାଏ, ଆଉ ରୋଷେଇ ନକରି ଚୁଡ଼ା ଖାଇ ଶୋଇଗଲି । ଗୁଡ଼ାଏ ଦିନ ପରେ ଭଲ ନିଦଟିଏ ହେଇଥିଲା ସେଦିନ ।

ସକାଳୁ ପୁଣି ସେଇ ସମାନ ଦୈନନ୍ଦିନ କାମ ଆରମ୍ଭ ହେଇଗଲା । ସାଇଟରେ ପହଞ୍ଚି ହୋତା ବାବୁଙ୍କୁ ସବୁ କଥା ଜଣେଇଲି, ସେ କହିବା ଅନୁଯାୟୀ ମୋତେ ସେଦି ରାତିରେ ଗୋଟାଏ ଭୂତ ସାହାଯ୍ୟ କଲା । ମୁଁ ତାଙ୍କ କଥାକୁ ବିଶ୍ୱାସ କରିପାରୁନଥାଏ, ସେ ନାନା ଯୁକ୍ତି ରଖିଲେ ତଥାପି ମୁଁ ବିଶ୍ୱାସ କରୁଥାଏ ଯେ ମୋତେ କେହିଜଣେ ଭଦ୍ର ଲୋକ ସାହାଯ୍ୟ କରିଛନ୍ତି । ସେ ଦିନଟାଯାକ ମୋର ମନ ଏହି ଦ୍ୱନ୍ଦରେ ରହିଥାଏ ଯେ ସେ କିଏ, ଯିଏ ମୋତେ ସାହାଯ୍ୟ କଲେ? ଯଦି ସେ କେହି ଭଦ୍ର ଲୋକ ତେବେ ସେ ଏତେ ରାତିରେ ଶୁନଶାନ ରାସ୍ତାରେ କ’ଣ କରୁଥିଲେ? ଆଉ ଯଦି ସେ ଭୂତ ତେବେ ସେ ଭୂତ ମୋର କିଛି କ୍ଷତି କେମିତି କଲାନି? ମୁଁ ଗୁଡ଼ାଏ ଦିନ ଏହି ଦ୍ୱନ୍ଦରେ ଥାଏ, କୌଣସି ନିସ୍କର୍ସରେ ପହଞ୍ଚି ପାରୁନଥାଏ । କିନ୍ତୁ ଏହି ଦ୍ୱନ୍ଦର ଶେଷ ହେଲା ଦୀର୍ଘ ଦୁଇ ବର୍ଷ ପରେ । ଗାଁରେ ଅଷ୍ଟପ୍ରହରୀ ହେଉଥାଏ, ସେତେବେଳେ ଜଣେ ଭଦ୍ରବ୍ୟକ୍ତି କହିଲେ ଯେ ଆମେ ଯେତେବେଳେ କଷ୍ଟରେ ଥାଇ ଭଗବାନଙ୍କୁ ସ୍ମରଣ କରନ୍ତି ସେ ଯେକୌଣସି ରୂପରେ ଆସି ଆମକୁ ସାହାଯ୍ୟ କରନ୍ତି । ମୋ ଦ୍ୱନ୍ଦର ପରିସମାପ୍ତି ତାଙ୍କର ଏହି ପଦେ କଥାରେ ହେଇଗଲା ।

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x