ସମୟ କଟେଇବା ପାଇଁ ସଂଗୃହୀତ ଗପଟିଏ-ଖାଦ୍ୟ

khaadya
Reading Time: 7 minutes

ଆଜିକୁ ପ୍ରାୟ ପଞ୍ଚାଅଶୀ ବର୍ଷ ତଳେ କାହ୍ନୁଚରଣ ମହାନ୍ତି ଲେଖିଥିବା ଉପନ୍ୟାସ ‘ହା ଅନ୍ନ’କୁ ମୁଁ ଏଇ ମାତ୍ର ପନ୍ଦର-ଶୋହଳ ବର୍ଷ ତଳେ ପଢ଼ିଥିଲି l

ହାଇସ୍କୁଲ୍ ରେ ପଢ଼ୁଥିଲି l ବାର୍ଷିକ ପରୀକ୍ଷା ସରିଯାଇଥିଲା l ନୂଆ ଶ୍ରେଣୀ ପାଇଁ ବହି କିଣା ହେଇନଥିଲା l ବହି ଯୋଗାଡ଼ ହେବାକୁ ଦଶ-ପନ୍ଦର ଦିନ ବାକି ଥିଲା l ତେଣୁ ଆଗକୁ କିଛିଦିନ ପଢ଼ାପଢିରୁ ତ୍ରାହି ମିଳିବ ଓ ବିନା କୌଣସି ବାଧାରେ ଟିଭି ଦେଖା ଓ ବୁଲାବୁଲି ହେଇପାରିବ ଭାବି ମନେ ମନେ ଖୁବ୍ ଖୁସି ହେଉଥିଲି l ଘରେ ଆମ ଭାଇ, ଭଉଣୀ ସମସ୍ତଙ୍କର ପରୀକ୍ଷା ସରିଯାଇଥିବାରୁ ଆମେ ସମସ୍ତେ ମିଶି ଘରେ ପାଟି ଗୋଳ ଆରମ୍ଭ କରିଦେଉଥିଲୁ l ଘରେ ଆମକୁ ଗଣ୍ଡଗୋଳ କରୁଥିବାର କିମ୍ବା ଦିନରାତି ଟିଭି ପାଖରେ ବସିଥିବାର ଦେଖିଲେ ବାପା ଆମକୁ କିଛି କଷ୍ଟିଆ ଗଣିତ ସମାଧାନ କରିବାକୁ ଦେଇ ଦେଉଥିଲେ l କେବେ କେବେ ଓଡ଼ିଆରୁ ଇଂରାଜୀ translation କରିବାକୁ ମଧ୍ୟ କହୁଥିଲେ l ମୋ ଭାଇ, ଭଉଣୀମାନେ ଗଣିତ କରିବାରେ ଓ translation କରିବାରେ ବ୍ୟସ୍ତ ଥିଲାବେଳେ ମୁଁ ବାପାଙ୍କ ପାଖରେ ଥିବା ବହିରୁ କିଛି ଲୁଚେଇ ଆଣି ପଢିବା ଆରମ୍ଭ କରିଦେଉଥିଲି l ମୋତେ ବହି ପଢ଼ୁଥିବାର ଦେଖି ବାପା ଆଉ କିଛି କହୁନଥିଲେ l

ପିଲାବେଳୁ ମୋତେ ବହି ପଢ଼ିବାକୁ ବହୁତ ଭଲ ଲାଗୁଥିଲା, ବିଶେଷ କରି ଗପ ବହି l ବାପା ଅନେକ ଥର ମୋତେ ମୋ ବଡ଼ ଭାଇ, ଭଉଣୀଙ୍କ ଓଡ଼ିଆ ସାହିତ୍ୟ ବହି ପଢୁଥିବାର ଦେଖି ଗାଳି କରି କହନ୍ତି, “ନିଜ ପାଠ ଛାଡ଼ି ଏ କ’ଣ ବସି ପଢ଼ୁଛୁ? ” l

ବାପା ଜାଣିପାରିଥିଲେ ମୋତେ ବହି ପଢ଼ିବାକୁ ଭଲଲାଗେ l ସେ ବର୍ଷ ପରୀକ୍ଷା ପରେ ସେ ମୋତେ ତାଙ୍କର ଗୋଟେ ବଙ୍ଗଳା ବହିର ଓଡ଼ିଆ ଅନୁବାଦ ପଢୁଥିବାର ଦେଖି କହିଲେ, “ସାଇକଲ୍ ନେଇକି ସାହେବନଗର ଯାଆ l ଦାଦାଙ୍କ ପାଖରେ ଭଲ ଭଲ ବହି ଅଛି, ଆଣିକି ପଢ଼ିବୁ” l

ଆମର ଜଣେ ନାନୀ ରହୁଥିଲେ ସାହେବନଗରରେ l ତାଙ୍କ ସ୍ୱାମୀଙ୍କୁ ଆମେ ‘ଦାଦା’ ଡାକୁଥିଲୁ l ଦାଦା ସେଠି ରହନ୍ତିନି l ବେଳେ ବେଳେ ଆସନ୍ତି l ସେତେବେଳେ ସେ ଆସିଥିଲେ l ଦାଦାଙ୍କ ପାଖରେ ଅନେକ ବହି ଥାଏ l କେବଳ ବହି ପାଇଁ ନୁହେଁ, ଦାଦାଙ୍କ ଠାରୁ ଆହୁରି ବହୁତ କିଛି ଭଲ କଥା ଶିଖିବା ପାଇଁ ବାପା ମୋତେ ସେମାନଙ୍କ ପାଖକୁ ପଠାନ୍ତି l ବହୁତ କଷ୍ଟିଆ ପ୍ରଶ୍ନକୁ ଦାଦା ସରଳ କରି ବୁଝେଇ ସମାଧାନ କରିଦିଅନ୍ତି l

ସେଦିନ ମୁଁ ଖରାବେଳେ ସାଇକଲ୍ ଚଲେଇ ସାହେବନଗର ଗଲି l ନାନୀ ଗୋଟେ ଟିଣ ବାକ୍ସ ଖୋଲି ଗୁଡ଼ାଏ ବହି ବାହାର କଲେ l ସେଥିରୁ ପାଞ୍ଚୋଟି ବହି ମୋତେ ଦେଲେ l ସେଥିରେ ଥିଲା ‘ଟମକକାଙ୍କ କୁଟୀର’, ‘ରାମର ସୁମତି’, ‘ହା ଅନ୍ନ’, ଆଉ ଦୁଇଟି ବହିର ନାଁ ମନେ ପଡୁନି l

ଘରକୁ ଆସି ବହି ପଢ଼ିବା ଆରମ୍ଭ କରିଦେଲି l ‘ଟମକକାଙ୍କ କୁଟୀର’ ପରେ ପରେ ବୋଧେ ‘ହା ଅନ୍ନ’ ପଢ଼ୁଥିଲି l ‘ହା ଅନ୍ନ’ ପଢ଼ୁଥିଲି ଓ ମୋ ଆଖିରୁ ଲୁହ ଗଡିଆସୁଥିଲା l ତକିଆରେ ମୁଣ୍ଡ ରଖି ସମସ୍ତଙ୍କୁ ଲୁଚେଇ ମୁଁ କାନ୍ଦିପକାଉଥିଲି l ଦୁର୍ଭିକ୍ଷ ସମୟରେ ଓଡିଶାର କରୁଣ ଅବସ୍ଥାକୁ ମୁଁ ସେହି ଉପନ୍ୟାସ ମାଧ୍ୟମରେ ଦେଖି ପାରୁଥିଲି l ଖାଦ୍ୟ ନପାଇ ଅଖାଦ୍ୟ ଖାଇ ଲୋକମାନେ ମହାମାରୀର ଶିକାର ହେଉଥିଲେ l ମୃତ୍ୟୁ ମୁଖରେ ପଡ଼ୁଥିଲେ l ଭୋକିଲା ମଣିଷ ମଲା ମଣିଷର ମାଂସ ଖାଇବାକୁ ବାଧ୍ୟ ହେଉଥିଲା l ସେହି ବହି ପଢି ମୁଁ ଅଳ୍ପ ଅଳ୍ପ ବୁଝିବାକୁ ଆରମ୍ଭ କରିଥିଲି ପେଟର ଭୋକ କେତେ ଭୟଙ୍କର ହେଇପାରେ l ଖୁବ୍ କଷ୍ଟ ଲାଗୁଥିଲା ସେହି ଲୋକମାନଙ୍କ କଥା ଭାବି l

ସେଦିନ ରବିବାର ଥିଲା l ‘ହା ଅନ୍ନ’ ପଢୁଥାଏ, ମାଆ ଆସି ଦୁଇଥର ଡାକିଲା ପରେ ଖାଇବାକୁ ଗଲି l ଭାତ, ଡାଲି, ମାଛ ତରକାରୀ, ଭଜା ଏମିତି କିଛି ରୋଷେଇ ହେଇଥିଲା ଘରେ l ମୁଁ ଭାତରେ ମାଛ ତରକାରୀର ଝୋଳ ଗୋଳେଇ ଥରେ ପାଟିକୁ ନେଇଛି ମୋତେ ଖୁବ୍ ଜୋରରେ କାନ୍ଦ ଲାଗିଲା l କାନ୍ଦି ପକେଇଲି l ମୋ ଠାରୁ ଟିକିଏ ଦୂରରେ ମୋ ଜେଜେମାଆ ବସିଥିଲା l “କାହିଁକି କାନ୍ଦୁଛୁ”, ପଚାରିଲାରୁ ମୁଁ ତାକୁ ପ୍ରଥମେ କିଛି ନକହି ଚୁପ୍ ରହିଲି l ସେ ପୁଣି ପଚାରିଲା, “ନଖାଇକି ସୁଉଁ ସୁଉଁ କାହିଁକି ହେଉଛୁ? ” l ମୁଁ ତାକୁ କହିଲି, “ଦୁର୍ଭିକ୍ଷରେ ଲୋକମାନେ ଖାଇବାକୁ ନପାଇ ମରିଯାଉଥିଲେ ଆଉ ମୁଁ ଏତେ ସବୁ ବସି ଖାଉଛି, ସେଥିପାଇଁ କାନ୍ଦ ମାଡିଲା ” l

–ଆଲୋ କୋଉ ଦୁର୍ଭିକ୍ଷ ? କିଏ ମରିଗଲା ?

–ବହିଟେ ପଢ଼ୁଥିଲି, ନଅଙ୍କ ଦୁର୍ଭିକ୍ଷ l

ଜେଜେମାଆ ହସିଲା l ହସି ହସି କହିଲା, “ସିଏ କୋଉ କାଳର ଘଟଣା l ଏବେ କ’ଣ ଆଉ ସେ ବେଳ ଅଛି? ଏବେ କେତେ ପ୍ରକାର ଧାନ ଚାଷ ହେଉଛି l ଭୋକରେ ଆଉ କେହି ମରୁନାହାଁନ୍ତି l ବହୁତ ଖାଦ୍ୟ ମିଳୁଛି ସମସ୍ତଙ୍କୁ l ତୁ ନକାନ୍ଦି ଖାଆ ” l

ଜେଜେମାଆର କଥାରେ ମୁଁ ଆଶ୍ଵସ୍ତ ହେଲି l ଖାଇଲି l କିନ୍ତୁ ସେବେଠୁ ଯେ କୌଣସି ବି ଖାଦ୍ୟ, ମୋତେ ଭଲ ଲାଗୁଥାଉ ବା ଲାଗୁନଥାଉ ମୁଁ ନଷ୍ଟ ନକରି ଖାଇଦିଏ l ଯଦି କେବେ ମୋ ଥାଳିରେ କିଛି ଖାଇବା ବଳିପଡ଼ିବାର ମୁଁ ଦେଖେ ମୋର ‘ହା ଅନ୍ନ’ ମନେ ପଡ଼ିଯାଏ l ମୁଁ ସବୁ ଚାଟିଚୁଟି ସଫା କରିଦିଏ l ଆମ ଘରେ ପ୍ରାୟ ସନ୍ଧ୍ୟାରେ ଆମେମାନେ ମୁଢ଼ି଼ ଖାଉ l ଆମେମାନେ ମୁଢି ଖାଇଲା ବେଳେ କେବେ କେବେ କିଛି ମୁଢି ତଳେ ଅଜାଣତରେ ବୁଣି ହେଇଯାଏ l ମୁଁ ତଳୁ ଗୋଟେଇ ଖାଇଦିଏ l ଅବଶ୍ୟ ତଳୁ ଉଠେଇ ଖାଇବା ଠିକ୍ ନୁହେଁ l କିନ୍ତୁ କାହଁକି କେଜାଣି ଖାଦ୍ୟ ତଳେ ପଡ଼ି ନଷ୍ଟ ହେଇଯିବାର ଦେଖିଲେ ମୁଁ ସହିପାରେନି l ମୁଢିକୁ ଝାଡୁରେ ଝାଡୁ ହେଇଯିବାର ଦେଖିଲେ ମୋତେ ବହୁତ କଷ୍ଟ ଲାଗେ l ସେଥିପାଇଁ ତା ପୂର୍ବରୁ ମୁଁ ଗୋଟେଇ ନିଏ l ଆଜିଯାଏଁ ବି ମୋ ଭାଇ, ଭଉଣୀ ମାନେ ମୋତେ ସେହି ତଳୁ ଉଠେଇ ମୁଢି ଖାଇବା କଥା କହି ଚିଡ଼ାନ୍ତି l

ମାଟ୍ରିକ୍ ପରେ କଲେଜ୍ ପଢ଼ିବାକୁ ମୁଁ ହଷ୍ଟେଲ୍ ଗଲି l ପ୍ରଥମେ ପ୍ରଥମେ ହଷ୍ଟେଲ୍ ଖାଇବା ଭଲ ଲାଗୁନଥିବାରୁ ବହୁତ ଦୁଃଖ ଲାଗୁଥିଲା l ମୋ ସାଙ୍ଗମାନେ ଖାଇବା ସବୁ ନେଇ ଡଷ୍ଟବିନରେ ପକେଇ ଦେଇ କାନ୍ଦି କାନ୍ଦି ଥାଳି, ଗିନା ଧୋଇ ପକାଉଥିଲେ l ସେମାନଙ୍କୁ ସେମାନଙ୍କ ଘର ଖାଦ୍ୟ ବହୁତ ମନେ ପଡୁଥିଲା l ମୋତେ ବି ମନେ ପଡୁଥିଲା l କିନ୍ତୁ ‘ହା ଅନ୍ନ’ ମୋ ମୁଣ୍ଡ ଭିତରେ ଘର କରି ରହିସାରିଥିଲା l ସୋମବାର, ମଙ୍ଗଳବାର ଯେଉଁ ଯେଉଁ ଦିନ ହଷ୍ଟେଲରେ କେବଳ ଡାଲମା, ଭଜା ଏମିତି ସବୁ ରୋଷେଇ ହେଉଥିଲା ସେଦିନ ମୁଁ ବହୁତ କମ୍ କମ୍ ଆଣୁଥିଲି, କାଳେ ଖାଇ ନପାରି ଛାଡ଼ିବି ବୋଲି l ଥରେ ରୋଷେୟା ନନା କହିଲେ, “ଏ ଝିଅ ଭାତ ଏତେ କମ୍ କ’ଣ ନେଉଛୁ ? ଆଉ ଟିକିଏ ନେ” l ମୁଁ କହିଲି, “ନା ନନା ଖାଇ ପାରିବିନି l ବଳିବ” l ସେ କହିଲେ, “ହଁ ହଁ ଯେତିକି ଯେତିକି ଖାଇବା ଏଠି ଫିଙ୍ଗିବ, ବେଳ ପଡ଼ିବ ସବୁ ମିଶେଇ ସେତିକି ଦିନ ଲେଖାଁ ଉପାସ ରହିବ ” l ନନାଙ୍କ କଥା ଶୁଣି ମୁଁ ମନେ ମନେ ଭାବିଲି, “ମୁଁ ଗୋଟେ ଦିନ ଉପାସ ରହିଲେ ଚଳେଇଦେବି, କିନ୍ତୁ ଆଉ କେହି କେବେ ମଧ୍ୟ ଅନାହାରରେ ନମରନ୍ତୁ l ସମସ୍ତଙ୍କୁ ବଞ୍ଚିବା ପାଇଁ ଖାଇବାକୁ ମିଳୁଥାଉ” l

ଖାଦ୍ୟ ଫିଙ୍ଗିବା ଓ ଅନାହାର ମୃତ୍ୟୁ କଥା କହିଲେ ମୋ ସାଙ୍ଗମାନେ ବି ହସନ୍ତି l “ସେ ସମୟ ଆଉ ନାହିଁ “, ଏମିତି କଥା ସମସ୍ତଙ୍କ ଠାରୁ ଶୁଣି ଶୁଣି ମୋର ମଧ୍ୟ ବିଶ୍ୱାସ ଆସିଯାଇଥିଲା ଏବେର ସମୟରେ ସଭିଙ୍କୁ ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ପକ୍କାଘର ଆଦି ମିଳୁ କି ନମିଳୁ ସମସ୍ତଙ୍କୁ ଖାଦ୍ୟ କିନ୍ତୁ ଯଥେଷ୍ଟ ମିଳୁଥିବ l ଆମ ଦେଶରେ କେହି ଭୋକିଲା ରହୁନଥିବେ l ମୁଁ କିନ୍ତୁ ଭୁଲ ଥିଲି l ତଥାପି କିଛି ଲୋକ ଭୋକିଲା ରହିଯାଉଥିଲେ l କେବଳ ଦିନକୁ ମୁଠାଏ ଖାଦ୍ୟ ଖାଇବା ପାଇଁ ଅନେକ ଲୋକ ପ୍ରତିଦିନ ସଂଗ୍ରାମ କରୁଥିଲେ l

ମୁଁ ରାଧାନାଥ ଟ୍ରେନିଂ କଲେଜ (ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ)ରେ ବି.ଏଡ୍ କରୁଥିଲି l ପ୍ରାକ୍ଟିସ୍ ଟିଚିଙ୍ଗ୍ ପାଇଁ ଯାଉଥିଲି କାଜିବଜାର ଗର୍ଲସ୍ ହାଇସ୍କୁଲକୁ l ନବମ ଶ୍ରେଣୀ ଓ ସପ୍ତମ ଶ୍ରେଣୀରେ ବିଜ୍ଞାନ ପଢାଉଥିଲି l ନବମ ଶ୍ରେଣୀର ସବୁ ଯାକ ଝିଅ ବେଶ୍ ଶାନ୍ତ ସିଷ୍ଟ ଥିଲେ l ପଢେଇଲା ବେଳେ ପାଟିତୁଣ୍ଡ କରୁନଥିଲେ l କିନ୍ତୁ ସପ୍ତମ ଶ୍ରେଣୀ ଝିଅମାନେ ଟିକେ ଟିକେ ଚଗଲି ଥିଲେ l ସେମାନଙ୍କ ଭିତରେ ଟିକି ଝିଅଟେ ଥିଲା, ସେ ବହୁତ ଦୁଷ୍ଟ l ସବୁଦିନ ମୁଁ ପଢ଼େଇଲା ବେଳେ ସେ କିଛି ନା କିଛି ଦୁଷ୍ଟାମୀ କରେ l ପାଟିଗୋଳ କରେ l ପାଠ ବିଲକୁଲ ଶୁଣେନି କି ବୁଝେନି l ମୋତେ ଅଜବ ଅଜବ ପ୍ରଶ୍ନ ସବୁ ପଚାରି ମୋର ସମୟ ନଷ୍ଟ କରିବାକୁ ଚେଷ୍ଟା କରେ l ଦିନେ ମୁଁ ଲକ୍ଷ କଲି ଝିଅଟା ଚୁପଚାପ ବସିଛି l କିଛି କହୁନି l ତା’ ଆଖି ଲାଲ୍ ପଡିଯାଇଛି l ମୁହଁ ଶୁଖିଯାଇଛି l ତାକୁ ସେମିତି ଦେଖି ମୋତେ ଭଲ ଲାଗିଲାନି l ସେ ଆଗଧାଡ଼ିରେ ବସେ l ମୁଁ ଯେତେଥର ବ୍ଲାକବୋର୍ଡ୍ ପାଖକୁ ଯାଉଥିଲି ତା’ ଶୁଖିଲା ମୁହଁକୁ ଦେଖି ଅଟକି ଯାଉଥିଲି l ପଢ଼େଇ ପାରିଲିନି l ବାଧ୍ୟ ହେଇ ତା ପାଖକୁ ଯାଇ ତାକୁ ପଚାରିଲି, “କ’ଣ ହେଇଛି ? ମୁହଁ କାହଁକି ଶୁଖିଯାଇଛି ? ” l ସେ କିଛି କହିଲାନି l କିନ୍ତୁ ତା ପାଖ ଝିଅଟା ଠିଆ ହେଇପଡ଼ି କହିଲା, “ଦିଦି, ଆଜି ଖାଇବା ଛୁଟିରେ ତା ଭାତକୁ ନବମ ଶ୍ରେଣୀର ଗୋଟେ ଝିଅ ଢାଳିଦେଲା l ସେଥିପାଇଁ ସେ କାନ୍ଦୁଥିଲା” l

ମୁଁ ଆଶ୍ଚର୍ଯ୍ୟ ହେଲି l ଭାତ ଢାଳି ହେଇଗଲା ବୋଲି ଏତେ ମନ ଦୁଃଖ ! ତାକୁ ପଚାରିଲି, “ବହୁତ ଭୋକ ଲାଗୁଛି କି? ” l ସେ ମୁଣ୍ଡ ହଲେଇ ‘ନା’ କହିଲା l ତାପରେ କହିଲା, “ମୁଁ ଖାଇସାରିଥିଲି ” l “ତାହେଲେ କାନ୍ଦୁଥିଲୁ କାହଁକି? “, ମୁଁ ପଚାରିଲାରୁ ତାର ସେହି ସାଙ୍ଗ ଝିଅଟା କହିଲା, “ଦିଦି ସେ ତା ମାଆ ପାଇଁ ନେବାକୁ ରଖିଥିଲା, ସେଇଟା ଢାଳି ଦେଲେ ନବମର ଜଣେ ଦିଦି” l ମୁଁ ବିଶ୍ୱାସ କରିପାରିଲିନି l ବୁଝୁ ବୁଝୁ ଜାଣିଲି ଝିଅଟାର ସାନ ଭଉଣୀ ସେହି ସ୍କୁଲରେ ଷଷ୍ଠରେ ପଢ଼େ l ତା ମାଆ ସିନେମା ହଲ୍ ଆଗରେ ଝାଡୁ କରନ୍ତି l ତାଙ୍କ ବାପା ସେମାନଙ୍କୁ ଛାଡ଼ି ପଳେଇଛନ୍ତି ବହୁତ ଦିନ ଆଗରୁ l ସେହି କିଛି ଦିନ ହେବ ତା ମାଆଙ୍କୁ ବି ଆଉ କାମ ମିଳୁନି l ଏମାନେ ଦୁଇ ଭଉଣୀ ସ୍କୁଲରେ ମଧ୍ୟାହ୍ନ ଭୋଜନ କରନ୍ତି ଆଉ ପାଳିକରି ଗୋଟାଏ ଜରିରେ ନିଜ ନିଜ ଭାତରୁ ଅଧା ମାଆ ପାଇଁ ଘରକୁ ନେଇଯାଆନ୍ତି l ସେଦିନ ଏ ବଡ଼ ଭଉଣୀର ପାଳିଥିଲା l ସେ ଝର୍କା ଉପରେ ଭାତ ଜରିଟା ଥୋଇ ମୁହଁ ଧୋଇବାକୁ ଯାଇଥିଲା l ନବମର ଦୁଇଟା ଝିଅ ସେଇଠି ଠିଆ ହୋଇ ଗପୁଥିଲେ l ଭାତ ଉପରେ ଜଣଙ୍କ ହାତ ଲାଗିଯିବାରୁ ସେ ରାଗରେ ଜରିଟା ଫିଙ୍ଗିଦେଲା l ମୁଁ ଏତିକି କଥା ଶୁଣି ଝିଅଟାକୁ ଅନେଇଲା ବେଳକୁ ସେ କାନ୍ଦୁଛି l ମୋ ଆଖିରେ ବି ଲୁହ ଆସିଗଲା l ସେ ମୋ ପାଖରେ ଠିଆ ହେଇଥିଲା l ସେଦିନ ସେଇଟା ଶେଷ ପିରିୟଡ୍ ଥିଲା l ତାକୁ ଦେଖି ମୁଁ ତା ମାଆଙ୍କ କଥା ଭାବୁଥିଲି l ଭାବୁଥିଲି, “ସେ ବୋଧେ ଭାତକୁ ଅନେଇ ବସିଥିବେ” l ଝିଅଟାକୁ କ’ଣ କହିବି ବୁଝିପାରୁନଥିଲି l ତାକୁ କୁଣ୍ଢେଇ କାନ୍ଦି ପକେଇଲି l ମୁଁ ସେଇଠି ଚାହିଁକରି ମଧ୍ୟ ତାକୁ କିଛି ସାହାଯ୍ୟ କରିପାରୁନଥିଲି l ଆମକୁ ମନା କରାଯାଇଥିଲା ସ୍ଟୁଡେଣ୍ଟଙ୍କୁ କିଛି ଦେବନି କି ତାଙ୍କଠୁଁ କିଛି ଆଣିବନି l ମୁଁ ସେଦିନ ଛୁଟିପରେ ଗେଟ୍ ବାହାରେ ତାକୁ ଅପେକ୍ଷା କଲି l ତା ମାଆଙ୍କ ପାଇଁ ଖାଇବା ନେଇକରି ଯିବା ପାଇଁ ତାକୁ କିଛି ଟଙ୍କା ଦେଲି l ସେ ମନା କରୁଥିଲା l ତାକୁ କହିଲି, “ଏବେ ନେଇଥାଆ, ପରେ ଫେରେଇଦେବୁ ” l ସେ ନେଲା l ସେଦିନ ଯେ ମୁଁ କ୍ଲାସରେ କାନ୍ଦିଥିଲି ସେଥିପାଇଁ ମୋତେ ବହୁତ ଗାଳି ଶୁଣିବାକୁ ପଡିଲା l ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ମୋତେ ଡାକିକରି କହିଲେ, “ଏମିତି ପିଲାଙ୍କ ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରାଇବା ତୁମ କାମ ନୁହେଁ l ଆଉ ସେମିତି କରିବନି l ସେ ଝିଅ ସ୍କୁଲରୁ ଭାତ ନେଇକରି ଘରକୁ ଯିବା ମଧ୍ୟ ବେନିୟମ କାମ ” l ସେ ଝିଅକୁ ତା ଭୋକିଲା ମାଆ ପାଇଁ ସ୍କୁଲରୁ ଭାତ ନେଇକରି ଯିବାକୁ ପଡୁଥିଲା, ସେତିକି କଥା ମୋତେ ଯେତିକି କଷ୍ଟ ଲାଗୁନଥିଲା ଛୁଟିଦିନ ମାନଙ୍କରେ ସେମାନେ କଣ ଖାଉଥିବେ ସେହିକଥା ଭାବିଲେ ମୋ ଛାତି ଭିତରେ ଗୋଟେ ଯନ୍ତ୍ରଣା ଆରମ୍ଭ ହେଇଯାଉଥିଲା l ଆମ ହଷ୍ଟେଲରେ ଡଷ୍ଟବିନରେ ପ୍ରତିଦିନ ଗୁଡ଼ାଏ ଭାତ ଢଳା ହେଉଥିଲା l ନଷ୍ଟ ହେଇଯାଉଥିବା ଭାତ ଭିତରେ ମୋତେ କାଜିବଜାର ଗର୍ଲସ୍ ହାଇସ୍କୁଲରେ ସପ୍ତମ ପଢ଼ୁଥିବା ସେହି ଝିଅର ଶୁଖିଲା ମୁହଁ ଦିଶିଯାଉଥିଲା l

ଏଇଠି କହିବି ଆଉ ଜଣେ ଭୋକିଲା ଲୋକଙ୍କ କଥା l ସେତେବେଳେ ମୁଁ କଳାହାଣ୍ଡିରେ ଥିଲି l ସେଠି ଜଣେ ଲୋକ ପ୍ରାୟ ତିନି ଚାରି ଦିନ ଅନ୍ତରରେ ଆସି ମୋତେ ପଚାରନ୍ତି, “ଭାତ୍ ଅଛେଁ?” l ମୁଁ ରଖିଥାଏ l ଭାତ, ଡାଲି, ତରକାରୀ ନେଇକରି ଦିଏ l ଦିନେ ଦିନେ ନେଇକରି ଯାଉ ଯାଉ ସେ ପଳାଇଯାଇଥାନ୍ତି l ଦିନେ ମୁଁ ଜରିରେ ଭାତ, ଡାଲି, ତରକାରୀ ସବୁ ଅଲଗା ଅଲଗା କରି ଭର୍ତ୍ତି କରୁ କରୁ ଆମ ଘରେ ମୋତେ କାମରେ ସାହାଯ୍ୟ କରିବାକୁ ଥିବା ମହିଳା ଜଣଙ୍କ କହିଲେ, “ସେମିତି ସବୁ ମିଶେଇ ମାଶେଇ ଗୋଟେ ଜରିରେ ଦେଇଦିଅ l ସେ ସେମିତି ଖାଇଦେବ l ଜଲ୍ଦି ଦିଅ ନହେଲେ ସେ ପଳେଇବ” l ମୁଁ କହିଲି, “କେମିତି ଜଣଙ୍କୁ ଏମିତି ମିଶେଇ ମାଶେଇ ଦେଇଦେବା?” ସେ କହିଲେ, “କିଛି ଅସୁବିଧା ନାହିଁ l ତାକୁ ଭୋକ ଲାଗିଲେ ସେ କିଛି ବି ଖାଇଦିଏ l ଏମିତି ଆଉ ସେ ଅଲଗା ଅଲଗା ସବୁ ସଜେଇ ରଖିକି ଭାତରେ ତରକାରୀ ଲଗେଇ ଖାଏନା କଣ ! ତୁମେ ତା ପାଇଁ ତରକାରୀ ଖୋଜୁଛ କଣ ମ ! ଖାଲି ଭାତ ଦେଇଦେଉନ, ସେ ମହାଆନନ୍ଦରେ ଖାଇଦେବ l ତାକୁ କେବଳ ତା ପେଟ ପୂରେଇବାର ଅଛି”l

ହଁ, ଭୋକ ଲାଗିଲେ କେବଳ ପେଟ ପୂରେଇବା ପାଇଁ ଖାଇବାକୁ ପଡ଼ିଥାଏ ! କିଛି ଲୋକଙ୍କୁ ପ୍ରତିଦିନ ସେତିକି ବି ମିଳେନି l କିନ୍ତୁ କିଛି ଲୋକ ସ୍ୱାଦିଷ୍ଟ ଖାଦ୍ୟ ନମିଳିଲେ ଖାଇବା ପାଖରେ ବସନ୍ତିନି l ଭୋକ ଆଉ ସ୍ୱାଦ ଦୁଇଟା କେତେ ଅଲଗା ଜିନିଷ ସତରେ ! ଭୋକିଲା ଲୋକକୁ ସ୍ୱାଦ ଜଣାପଡ଼େନି, ସେ ସ୍ୱାଦିଷ୍ଟ ଖୋଜେନି l ଥିଲାବାଲା ସ୍ୱାଦ ଖୋଜେ, ତାକୁ ଭୋକ ଲାଗେନି, ଲାଗିବା ଆଗରୁ ସେ ଖାଇସାରିଥାଏ l

ଜେଜେମାଆ କହୁଥିଲା, “ହେତ୍ ବେକାରଟାରେ କାନ୍ଦୁଛୁ l ସେ ବେଳ ଆଉ ନାହିଁ ” l ହଁ ସତରେ ସେ ବେଳ ଆଉ ନାହିଁ l ସେ ଦୁର୍ଭିକ୍ଷର ବେଳ ଆଉ କେବେ ନଆସୁ ମଧ୍ୟ l କିନ୍ତୁ ଏବେ ବି ଯେଉଁମାନେ ପେଟ ପୂରେଇବା ପାଇଁ ପ୍ରତିଦିନ ମୁଠାଏ ଲେଖାଁ ଖାଇବାକୁ ପାଉନାହାଁନ୍ତି, ଏ ବେଳ କ’ଣ କେବେ ବି ଯିବନି ?

ଏବେ ପୁଣି କାହଁକି ସେ ଖାଦ୍ୟ ଆଉ ଭୋକର କଥା ମନେପଡ଼ିଲା ମୋର ? ଏବେ ଏହି ଭାଇରସ୍ ‘କୋରୋନା’ ପାଇଁ ମନେ ପଡିଲା l ଦେଶ ଲକ୍ ଡାଉନ୍ l କେହି କୁଆଡ଼େ ଯାଇ ଆସି ପାରୁନାହାନ୍ତି l ନିଜ ନିଜ ଘରେ ରହି ବିଭିନ୍ନ ଉପାୟରେ ଲୋକମାନେ ସମୟ ଅତିବାହିତ କରୁଛନ୍ତି l ବହି ପଢ଼ୁଛନ୍ତି, ଫୋଟୋ ଉଠାଉଛନ୍ତି, ଭଲ ଭଲ ରୋଷେଇ କରି ଖାଉଛନ୍ତି l

ଯେଉଁମାନଙ୍କ ପାଖରେ ଅଛି ସେମାନେ ଘରେ ରହିଲେ ଖାଇପାରିବେ l କିନ୍ତୁ ଯିଏ ଘରୁ ଦିନେ ନବାହାରିଲେ ଖାଇବାକୁ ପାଆନ୍ତିନି, ସେମାନେ କଣ କରୁଥିବେ ? ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ଯେଉଁମାନେ ନିଜ ଗାଁକୁ ଫେରୁଥିଲେ, ସେମାନେ କ’ଣ ଖାଉଥିବେ? ଶୁଣିଲି ସମସ୍ତଙ୍କ ପାଇଁ ଖାଦ୍ୟ ବନ୍ଦୋବସ୍ତ ହେଇଛି l ଆଗୁଆ ରାସନ୍, ଭତ୍ତା ମିଳିଛି l ଭଲ କଥା l ସମସ୍ତେ ଖାଇବାକୁ ପାଆନ୍ତୁ l ଭାଇରସ୍ ରେ ସଂକ୍ରମିତ ହେବା ଆଗରୁ ଦେଶରେ କେହି ଅନାହାରରେ ପ୍ରାଣ ନହରାନ୍ତୁ l

ସାରା ବିଶ୍ୱ ଆତଙ୍କିତ l ଆମ ଦେଶର ଅବସ୍ଥା ମଧ୍ୟ ଖରାପ ଆଡ଼କୁ ଯାଉଛି l ଆଗକୁ ପରିସ୍ଥିତି ଆହୁରି ଜଟିଳ ହେଇପାରେ l ଖାଦ୍ୟର ଅଭାବ ଦେଖା ଦେଇପାରେ l ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଥାଳିରେ ଖାଦ୍ୟ ଛାଡ଼ନ୍ତୁ ନାହିଁ l ବିଲକୁଲ ନଷ୍ଟ କରନ୍ତୁ ନାହିଁ l ବଞ୍ଚେଇ ରଖନ୍ତୁ l ଅଳ୍ପ ଅଳ୍ପ ରାନ୍ଧି ଖାଆନ୍ତୁ l ବଞ୍ଚିବାପାଇଁ ଖାଆନ୍ତୁ ଓ ବଞ୍ଚେଇବା ପାଇଁ ଖୁଆନ୍ତୁ l

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.