ଚପଲ୍ ହଳକୁ ପଚିଶ ପଇସା

slipper shoe cartoon sneakers a pair of sandals png clip art
Reading Time: < 1 minute

ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି ।

ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍ କିଣିନେବି । ଦୋକାନର ସମ୍ମୁଖକୁ ଯାଇ ସେଠାରେ ସେ ଲେଖା ଥିବାର ଦେଖିଲେ, “ଚପଲ୍ ହଳକୁ ପଚିଶି ପଇସା ।” ଏହା ପଢି ସେ ଭାରି ଖୁସି ହୋଇଗଲେ । କାରଣ ଚପଲ୍ ହଳକର ଦାମ୍ ପଚାଶଟଙ୍କାରୁ କମ୍ ଆଦୌ ହେବ ନାହିଁ । ଏତେ ଶସ୍ତାଦାମ୍ରେ ଚପଲ୍ ବା ଆଉ କେଉଁଠୁ ମିଳିବ? ଚପଲ୍ ଭିତରୁ ସୁନ୍ଦର ଓ ଆକର୍ଷଣୀୟ ହଳେ ଚପଲ ବାଛି, ନିଜର ପାଦରେ ସେ ମାପିଲେ । ରଙ୍ଗ, ମାପ, ଆକାର ସବୁ ତାଙ୍କୁ ବିଲ୍କୁଲ୍ ଠିକ୍ ହେଲା ।

ଚନ୍ଦ୍ରମଣି ପଚିଶ ପଇସା କାଢି, ଦୋକାନୀକୁ ଦେବାରୁ ସେ ସନ୍ଦେହ ଦୃଷ୍ଟିରେ ଚାହିଁ କହିଲେ, “ଏହା ତ ଆପଣଙ୍କ ଚପଲ୍ ନୁହେଁ, ଏହା ଲୁଗାଦୋକାନୀ ପର୍ଶୁରାମ ବାବୁଙ୍କର ଅଟେ । ମୋର ଯାହା ମନେ ପଡୁଛି, ଆପଣ ତ କାହିଁ ଏଠାରେ ଚପଲ୍ ରଖି ଯାଇନାହାଁନ୍ତି ।”

ଠିକ୍ ସେହି ସମୟରେ ପର୍ଶୁରାମ ବାବୁ ସେଠାରେ ଆସି ପହଁଚିଗଲେ । ଚନ୍ଦ୍ରମଣିଙ୍କର ଏଭଳି ହରକତ୍ ଦେଖି ସେ ଭୀଷଣ ଭାବେ ରାଗିଯାଇ କହିଲେ, “ଦିନ ଦ୍ୱିପହରରେ ବି ଚୋରି, ପୁଣି ତା’ ମଧ୍ୟ ମନ୍ଦିର ସାମ୍ନାରେ ।”

ଏକଥା ଶୁଣି ଚନ୍ଦ୍ରମଣି ହଠାତ୍ ତାଙ୍କ ପାଦରୁ ଚପଲ୍ କାଢି ପକେଇ କହିଲେ, “ମହାଶୟ, ମୁଁ ଚୋର ନୁହେଁ, ଏଇ ଲେଖାଟି ପଢନ୍ତୁ । ବଡ ବଡ ଅକ୍ଷରରେ ଲେଖାଯାଇଛି, “ଚପଲ୍ ହଳକୁ ପଚିଶି ପଇସା ।” ସେ ଲେଖା ପଢି, ପଚିଶି ପଇସା ଦେବାଟା କ’ଣ ମୋର ଅପରାଧ? ଯଦି ଲେଖା ହୋଇଥାନ୍ତା, “ଚପଲ୍ ହଳେ ରଖିବା ପାଇଁ ପଚିଶି ପଇସା”, ତେବେ କ’ଣ ମୁଁ କେବେବି ଏପରି ଭୁଲ୍ କରିଥାନ୍ତି?

ପର୍ଶୁରାମ, ତରବରରେ ନିଜ ଚପଲ୍ ପିନ୍ଧି ପକେଇ କହିଲେ, “ହଁ, ହଁ, ଏଇ ଲେଖାର ଗଡବଡରୁ ମୁଁ ଏବେ ମୋ ଚପଲ୍ ହଳକ ହରେଇଥା’ନ୍ତି ।” ଏହା କହି ସେଠାରୁ ସେ ତୁରନ୍ତ ବାହାରିଗଲେ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.