🌹 ଗପଟିଏ……… 🌛ଜହ୍ନମାମୁଁ ପୃଷ୍ଠାରୁ 🌹🌻” ଦୋଷାରୋପ “🌻

Janhamamun Stories
Reading Time: 4 minutes

ଦୟାନିଧି ଜଣେ ବଡ ପଣ୍ଡିତ ଥିଲେ । ତାଙ୍କ ପାଣ୍ଡିତ୍ୟରେ ଖୁବ୍ ମୁଗ୍ଧ ହୋଇ ଜମିଦାର ତାଙ୍କୁ ଦଶଏକର ଜମି ଦେଇଥିଲେ । ଭୂଷଣ ତାଙ୍କ ଜମିର ଦେଖାଶୁଣା କରେ । ବେଳେ ବେଳେ ଘର କାମରେ ମଧ୍ୟ ସେ ସାହାଯ୍ୟ କରେ ।

କିନ୍ତୁ ଦୟାନିଧି, ତା’ କାମରେ ଆଦୌବି ସନ୍ତୁଷ୍ଟ ନଥିଲେ । ସେ କହୁଥା’ନ୍ତି “ତୁମେ ସଦାବେଳେ କାମ ଧୀରେ ଧୀରେ କରୁଛ । ମନ ଦେଇ କାମ କରୁନାହଁ, ତେଣୁ ଦୁଇଗୁଣ ଅଧିକ ସମୟ ଦେଉଛ । ଏଣିକି ମନ ଦେଇ ଭଲ ଭାବରେ କର ଓ ସବୁକିଛି ସଫାସୁତୁରା ରଖ ।”

ଭୂଷଣ କିନ୍ତୁ ତାଙ୍କ କଥାରେ ମୋଟେ ବ୍ୟସ୍ତ ହୁଏ ନାହିଁ; ତା’ମନରେ ତାଙ୍କ ପାଣ୍ଡିତ୍ୟ ପ୍ରତି ବେଶ୍ ଶ୍ରଦ୍ଧା ଓ ସମ୍ମାନ ଥାଏ । ତେଣୁ ତାଙ୍କ କଥା ଅନୁସାରେ ସେ ନିଜ ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ । କିନ୍ତୁ ପଣ୍ଡିତେ ତାର କାମ ଦେଖି ଜିରାରୁ ସିରା କାଢନ୍ତି; ଅଭିଯୋଗ କରିବେ କାମ ଧୀର ଭାବରେ ହେଉଛି, ଭୂଷଣ ଯଦି ଶୀଘ୍ର କାମ କରେ, ତେବେ କହିବେ, ତରବରରେ ଭଲ କାମ ହୁଏ ନାହିଁ ।

ଦିନେ ପଣ୍ଡିତେ ତାକୁ କୁଅରୁ ପାଣି ଆଣି ବାଲ୍ଟି ବାଲ୍ଟି କରି ବଡ କୁଣ୍ଡ ଭରିବାକୁ କହିଲେ । କିନ୍ତୁ ଭୂଷଣ ଦେଖିଲା ଡେରି ହେବ । ତେଣୁ କୁଣ୍ଡଟି ଦଉଡିରେ ବାନ୍ଧି ତାକୁ ସେ କୁଅରେ ପକାଇଲା କିଛି ସମୟ ମଧ୍ୟରେ ପାଣିରେ ଭରା କୁଣ୍ଡ ଉପରକୁ ଆସିଲା । ପଣ୍ଡିତେ ଏ ଘଟଣା ଦେଖି କ୍ଷେପିଯାଇ କହିଲେ, “ତୁମେ ଏ କ’ଣ କଲ?”

ଭୂଷଣ କହିଲା “ଆପଣ ତ କାମ ଦେଲେ ମୁଁ ନିଜ ବୁଦ୍ଧି ପ୍ରୟୋଗ କରି କ୍ଷଣକ ମଧ୍ୟରେ ତାହା କରିଦେଲି ।”

ପଣ୍ଡିତେ ଗମ୍ଭୀର ହୋଇ କହିଲେ “ଯାହାର ବୁଦ୍ଧି ଅଛି ସେମାନେ ସିନା ବୁଦ୍ଧି ପ୍ରୟୋଗ କରିବେ । ବୁଦ୍ଧି ନଥାଇ ମୂର୍ଖତା ପ୍ରୟୋଗ କରି ତାକୁ ବୁଦ୍ଧି ବୋଲି କହୁଛ? ତୁମେ ଏପରି ପାଣି ଆଣିବା ଦ୍ୱାରା ଏତେ ଓଜନ ଯମାରୁ ସହି ନପାରି ଦଉଡି ଛିଡି ଯିବ । ତେଣୁ ମୁଁ ବାଲ୍ଟିରେ ପାଣି ଆଣିବାକୁ କହିଲି । ତୁମେ ମୋତେ ନ ପଚାରି ଏପରି କାର୍ଯ୍ୟ ଆଉ କେବେବି ମଧ୍ୟ କରିବ ନାହିଁ ।”

ଭୂଷଣ କହିଲା “ପଣ୍ଡିତ ମହାଶୟ, ମୁହିଁ ଆପଣଙ୍କୁ ଭୂଲ୍ କହିଲି । ମୋର ବୁଦ୍ଧି କେଉଁଠୁ ଆସିବ ଯେ ମୁଁ ବୁଦ୍ଧି ପ୍ରୟୋଗ କରିବି? କିନ୍ତୁ କିଛି ଦିନ ଧରି ମୁଁ ପ୍ରତ୍ୟେକ କାର୍ଯ୍ୟପାଇଁ ନାନା ଉପାୟ ପାଂଚିଛି । ଯଦ୍ୱାରା, ମୋର ପରିଶ୍ରମ କମ୍ ହେବ ।”

କିନ୍ତୁ ପଣ୍ଡିତେ ତା’କଥା ପ୍ରତି କର୍ଣ୍ଣପାତ ନ କରି ଗମ୍ଭୀର ହୋଇ କହିଲେ, “ଯେଉଁଠି ଜ୍ଞାନ ଓ ପାଣ୍ଡିତ୍ୟ ନଥାଏ ସେଠାରେ ଅନୁଭୂତିର ବା କ’ଣ ମୂଲ୍ୟ? କୌଣସି ପାହାଡ ଉପରେ ତୁମେ ଯଦି ବାଘଟିଏ ଦେଖିବ, ସେଇଠାରୁ ଭୟରେ ତଳକୁ ଡେଇଁବ । ମୃତ୍ୟୁ ଦୁଇ ଦିଗରୁ ହିଁ ନିଶ୍ଚିତ । କାରଣ ତୁମର ଶରୀର ଶାସ୍ତ୍ର ଭୌତିକ ଶାସ୍ତ୍ର, କୌଣସିଟିରେହିଁ ଜ୍ଞାନ ନାହିଁ । ସେଥିପାଇଁ ଏପରି କାମ କରି ଚାଲିଛ । ଭାଗ୍ୟ କୁହ ବା ମୋର ଆଶୀର୍ବାଦ କୁହ, ସେଥିପାଇଁ ତୁମେ ଏବେ ପର୍ଯ୍ୟନ୍ତ ଜୀବିତ ଅଛ । ଭବିଷ୍ୟତରେ ଏପରି କାମରୁ ନିଜକୁ ଯଥାସମ୍ଭବ ଦୂରେଇ ରଖ ।”

ଭୂଷଣ ବୁଝିପାରିଲା ନାହିଁ ଯେ ପଣ୍ଡିତେ ସଦାବେଳେ କାହିଁକି ତା’କାମକୁ ଏତେ ବାଛୁଛନ୍ତି । ଭଲ କଲେ ବା ଖରାପ କଲେ ଏକହିଁ କଥା । ପ୍ରଶଂସା କେବେ କରିବାର ତା’ର ତ ଯେପରି ମନେ ପଡୁନାହିଁ । ସେ ଜାଣି ନଥିଲା କି ପଣ୍ଡିତଙ୍କର ସ୍ୱଭାବହିଁ ଠିକ୍ ସେହିପରି । ତା’ପରେ ପଣ୍ଡିତ ସଦାସର୍ବଦା ତାକୁ ଘରଦ୍ୱାର ଲୁଗାପଟା ସବୁ ସଫା ରଖିବାକୁ କୁହନ୍ତି । ଭୂଷଣ ଭାବିଲା ଘରଦ୍ୱାର ଲୁଗାପଟା ପରିଷ୍କାର ରଖିଲେ, ବୋଧ ହୁଏ ପଣ୍ଡିତେ ତା’ ଉପରେ ସନ୍ତୁଷ୍ଟ ହେବେ ଓ ସେ ପ୍ରଶଂସା ପାଇବ । ତେଣୁ ଦିନେ ଭୂଷଣ ଭଲକରି ଗାଧୋଇ ଅତି ସୁନ୍ଦର ଲୁଗାଟିଏ ପିନ୍ଧି ସଫାସୁତୁରା ହୋଇ ପଣ୍ଡିତଙ୍କ ପାଖକୁ ଗଲା ।

ପଣ୍ଡିତ ତାକୁ ଦେଖି କହିଲେ, “କାମ କରିବାକୁ ଆସିଛ ନା ମୋ ସହିତ ଏଠାରେ ବସି ଖାଇବାକୁ ଆସିଛ?”

ଭୂଷଣ ବିନୟପୂର୍ବକ କହିଲା, “ସଦାବେଳେ ତ ଆପଣ କୁହନ୍ତି କି ସଫା ସୁତରା ରୁହ । ସେଥିପାଇଁ ଭଲକରି ଗାଧୋଇ, ଭଲସଫା ଲୁଗା ପିନ୍ଧି ଆଜି ମୁଁ ଆସିଲି ।”

ପଣ୍ଡିତ ଗମ୍ଭୀର ହୋଇ କହିଲେ “ତୁମେ ମିଛ କଥା କହୁଛ । ତୁମେ ବେଶପଟା ପିନ୍ଧି ଆସିଛ, ଯେପରି ମୁଁ ତୁମକୁ ଆଉ କାମ ବରାଦ ନ କରେ । ଲାଟସାହେବ ପରି ବେଶ ପିନ୍ଧିଛ । କାମ କିପରି କରିବ? ପରିଷ୍କାର ପରିଚ୍ଛନ୍ନ ମାନେ ନୁହେଁ ଯେ ବରଯାତ୍ରୀରେ ଯିବା ପରି ଲୁଗାପଟା ପିନ୍ଧି ବେଶ ପକାଇ ଆସିବା; ଏହି ବେଶଭୂଷାରେ ତୁମେ କି ପ୍ରକାର କାମ କରିପାରିବ? ଦିନକରେ ତ ତୁମ ଲୁଗାପଟା ମଇଳା ଅସନା ହୋଇଯିବ । ତୁମର କାମ କରିବାକୁ ଇଚ୍ଛା ନଥିଲେ ନ କର, କିନ୍ତୁ ସିଧା ସିଧା କହିଦିଅ । ଏସବୁ ନାଟକ କରିବାର କିଛିବି ଦରକାର ନାହିଁ । ତୁମେ ଏବେ ଏଠୁ ଯାଇପାର । ମୁଁ ମୋ ନିଜ କାମ ନିଜେ କରିନେବି ।”

ତାଙ୍କ କଥା ଶୁଣି ଭୂଷଣର ମନ ଭାରି ଦୁଃଖ ହେଲା । ସେ ଘରକୁ ଯାଇ ଲୁଗାପଟା ବଦଳି ଫେରି ଆସିଲା ଓ ପଣ୍ଡିତ ଯେଉଁ କାମ ଦେଲେ ତାହା ସେ କଲା । ପଣ୍ଡିତେ ଯାହା କହିଲେ ମଧ୍ୟ ଭୂଷଣ ସେସବୁ ସହିଗଲା । ଆଉ କିଏ ତା’ ସ୍ଥାନରେ ଥିଲେ ନିଶ୍ଚୟ ଜବାବ ଦିଅନ୍ତା । କିନ୍ତୁ ଭୂଷଣ ଚୁପ୍ଚାପ୍ ସହିଯାଏ ।

ଭୂଷଣର ଇଚ୍ଛା ତା’ ପୁଅକୁ ସେ ପଢାଇବା ପାଇଁ ପଣ୍ଡିତଙ୍କ ପାଖରେ ଛାଡନ୍ତା । କିନ୍ତୁ ପୁଅ ଶେଖର ପାଠ ପଢିବାକୁ ଅନ୍ୟ ଗ୍ରାମର ପଣ୍ଡିତଙ୍କ ପାଖକୁ ଯାଏ । ସେଠାକୁ ସେ ଯମା ଆସେନାହିଁ । ଯଦି ଆସେ ଭଦ୍ର ଭାବରେ କଥାବାର୍ତ୍ତା କରି ତା’ର ସେ ଚାଲିଯାଏ । ପଣ୍ଡିତେ ତାକୁ ଦିନେ କହିଲେ, “ତୁମେ ଯଦି ମୋର ଶିଷ୍ୟ ହେବ, ତେବେ ମୁଁ ତୁମକୁ ମହାପଣ୍ଡିତ କରିଦେବି ।”

ଶେଖର କହିଲା, “ମହାଶୟ, ଆପଣ ତ ମହା ପଣ୍ଡିତ । ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ବେଦ ଶିକ୍ଷା କରିବା ବେଳେ ହନୁମାନ ମଧ୍ୟ ସର୍ବଦା ତାଙ୍କ ସହିତ ରହିପାରୁ ନଥିଲେ । ଠିକ୍ ସେହିପରି ମୁଁ ବି ଆପଣଙ୍କ ସମ୍ମୁଖରେ ଆଦୌ ରହି ପାରିବି ନାହିଁ । ମୁଁ ଅନ୍ୟ ପଣ୍ଡିତଙ୍କ ପାଖରେ ସମସ୍ତ କିଛି ଶିକ୍ଷା କରି ନିଜକୁ ଯୋଗ୍ୟ କଲେ ଯାଇ, ଆପଣଙ୍କ ନିକଟକୁ ଆସିବି ।”

ତା’ କଥାରେ ପଣ୍ଡିତେ ଖୁସି ହୋଇ ତା’ ବାପା ଭୂଷଣକୁ କହନ୍ତି, “ତୁମ ପୁଅ ବଡ ସୁନ୍ଦର ଭାବରେ ବିଦ୍ୟା ଶିକ୍ଷା କରୁଛି । କିନ୍ତୁ ବଡମାନଙ୍କୁ ଆଦର ସମ୍ମାନ କରିବା ସେ ଏଯାଏଁ ଶିଖିନାହିଁ । ମୋ ସହିତ ଦେଖା ହେଲେ ସେ ମୋତେ କାହିଁ କେବେ ହେଲେ ବି ନମସ୍କାର କରେ ନାହିଁ ।”

ଭୂଷଣ କହିଲା, “ଆପଣ ତ ଗୁରୁଜନ, ସେ ଯଦି କିଛି ନଶିଖିଛି ତେବେ ଆପଣ ତାକୁ ଶିଖାଇ ଦିଅନ୍ତୁ ।”

ପଣ୍ଡିତେ କହିଲେ “ମୁଁ ତ ତାକୁ କୁହେ, ବଡମାନଙ୍କ ସହିତ ଦେଖା ହେଲେ ତାଙ୍କୁ ପ୍ରଣାମ କର, କୁଶଳ ପ୍ରଶ୍ନ ପଚାର । ସେ ତ ହସି ହସି ସବୁ ମାନି ଯାଉଛି, କିନ୍ତୁ ମୋତେ ସେ ପ୍ରଣାମ କରେ ନାହିଁ । ମୁଁ ନିଜେ କିପରି କହିବି କି ମୋତେ ପ୍ରଣାମ କର?”

ସେହିଦିନ ରାତିରେ ଭୂଷଣ ତା’ ପୁଅକୁ ପଚାରିଲା, “ତୁ କାହିଁକି ପଣ୍ଡିତଙ୍କୁ ପ୍ରଣାମ କରୁ ନାହୁଁ?”

ଶେଖର କହିଲା, “ମୁଁ ପଢାପଢି କରିଛି ବୋଲି ସେ ମୋତେ କିଛିବି କହନ୍ତି ନାହିଁ । ମୁଁ ତାଙ୍କର ପ୍ରଶଂସା କରେ ବୋଲି ସେ ମୋତେ ତାଙ୍କ ଶିଷ୍ୟ କରିବାକୁ ଚାହାଁନ୍ତି; ଆଉ ପ୍ରଣାମ କରିବାକୁ ତୁମକୁ କହିଲେ କାହିଁକି?”

ଭୂଷଣ କହିଲା, “ଯାହାହେଉ, ତୁ ଏଣିକି ତାଙ୍କୁ ପ୍ରଣାମ କରିବୁ ।”

ଶେଖର ହସି ହସି କହିଲା, “ଅବଶ୍ୟ ସେପରି କରିବା ମୋର ଭୂଲ୍ ହୋଇ ଥାଇପାରେ । କିନ୍ତୁ ସମସ୍ତିଙ୍କ ଭୂଲ୍ ବାଛିବା ହେଲା ସେହି ପଣ୍ଡିତଙ୍କର ସ୍ୱଭାବ । ମୁଁ ତାଙ୍କ ପାଖରେ ପଢିଲେ ସେ ମୋର ଭୂଲ୍ ସବୁ ବାଛି ସେତକ ତୁମକୁ କହିବେ । ତା’ପରେ ତୁମେ ମୋତେ ଗାଳି ଦେବ । ଫଳରେ ମୋର ମନ ଖରାପ ହେବ ଏବଂ ମୋର ପାଠପଢା ଆଦୌ ଭଲ ହେବ ନାହିଁ । ସେଥିପାଇଁ ମୁଁ ଅନ୍ୟ ପଣ୍ଡିତଙ୍କ ନିକଟକୁ ଯାଉଛି । ଶିଷ୍ୟ ପାଇଁ ପ୍ରୋତ୍ସାହନ ଆବଶ୍ୟକ । ଗାଳି ଦେଲେ ହୃଦୟକୁ ତାହା ବାଧେ ଏବଂ ପଢା ବି ନଷ୍ଟ ହୁଏ । ତେଣୁ ତୁମେ ଯଦି ମୋର ମଙ୍ଗଳ ଚାହଁ ତେବେ ମୋତେ ଜୋର୍ ଜବରଦସ୍ତି ପ୍ରଣାମ କରିବାକୁ କେବେବି କହିବ ନାହିଁ ।” ମୁଁ ଏବେ ତା’ର କାରଣ କହୁଛି ଶୁଣ, ସେ ଭଲ ପଣ୍ଡିତ ଏଥିରେ ତ କୌଣସି ସନ୍ଦେହ ନାହିଁ । କିନ୍ତୁ ତାଙ୍କର ଦୋଷତୃଟି ମଧ୍ୟ ସେ ପରିବର୍ତ୍ତନ କରିବା ଉଚିତ୍ । ସେ ଯଦି ସେପରି ନ କରନ୍ତି ସେ ଠିକ୍ ଜାଣିବେ ଯେ ତାଙ୍କ ଈର୍ଷ୍ୟା ଯୋଗୁଁ ବା ସମାଲୋଚନା ଯୋଗୁଁ ତାଙ୍କ ପାଖକୁ ଆଉ କେହିବି ଆସୁ ନାହାଁନ୍ତି । ମୁଁ ପ୍ରଣାମ ନକଲେ ସେ ବୁଝିବେ ଯେ ପ୍ରଣାମ ପାଇବାର ଅଧିକାର ତାଙ୍କର ମୋଟେ ନାହିଁ । ସେପରି ବାରମ୍ବାର କଲେ ତାଙ୍କର ସ୍ୱଭାବରେ ପରିବର୍ତ୍ତନ ହେବ ।

ଏବେ ଭୂଷଣ ବୁଝିଗଲା ଯେ ଅନ୍ୟଙ୍କର ଦୋଷତୃଟି ସଦାବେଳେ ଯିଏ ଖୋଜେ ସେ ପ୍ରଣାମ ପାଇଁ କେବେବି ଯୋଗ୍ୟ ନୁହେଁ । ତା’ଛଡା କୌଣସି କିଛି ପାଇଁ ପୁଅକୁ ଜୋର୍ କରାଇବା ବୋକାମୀ ବୋଲି ସେ ଜାଣିଗଲା ଓ କେବେ ସେପରି କିଛି ପୁଅକୁ କୁହେ ନାହିଁ ।

 

 

💞 ଆଜିର ଅନୁଚିନ୍ତା 💞ସୁଖ ଆଉ ଦୁଃଖ ଜୀବନରେ ଅତିଥି ଭଳି…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.