ରଙ୍ଗ! - Utkal Odisha

ରଙ୍ଗ!

colors
Reading Time: 2 minutes

ରଙ୍ଗପୁର ଛକ ପାଖରୁ ଉତ୍ତର ଦିଗକୁ ଅଧ କିଲୋମିଟର ଗଲେ ରାସ୍ତାର ଦୁଇପଟେ ପଡେ ଦୁଇଟା ବଡ଼ ବରଗଛ।

ସେଇ ବାଟ ଦେଇ  ଯାତାୟତ କରୁଥିବା ସବୁ ଲୋକ ଘଡ଼ିଏ ଠିଆ ହୋଇ ଚାହାନ୍ତି ରାସ୍ତାର ଦୁଇ ଆଡ଼କୁ।

ବରଗଛକୁ ନୁହେଁ, ବରଂ ଦୁଇ ବରଗଛ ତଳେ ଥିବା ଗୋଟେ ପଟେ ଛୋଟ ଠାକୁର ମନ୍ଦିର ଓ ଅନ୍ୟ ପଟେ ପୀର ବାବାଙ୍କ ପୀଠକୁ ଅନାଇଲା ବେଳେ ,ଆପେଆପେ ମୁଣ୍ଡିଆ ମାରନ୍ତି ଦେଖଣାହାରୀ।

ରଂଗପୁର ଗାଁରେ ହିନ୍ଦୁ ଓ ମୁସଲମାନ ପ୍ରାୟ ସମାନ ସଂଖ୍ୟାରେ।ଅନେକ ବର୍ଷ ହେଲାଣି ଭାଇଚାରା ଚାଲିଆସୁଥିଲା।ହେଲେ ଦୁଇବର୍ଷ ହେଲାଣି ସମ୍ପର୍କ ଭିତରେ ତିକ୍ତତା ଉଙ୍କିମାରିଛି।ଯେବେଠୁ ମଟର ସାଇକେଲ ମେକାନିକ ରିଆଜ, ହିନ୍ଦୁ ଝିଅ ମାନିକୁ ନେଇ ଦିଲ୍ଲୀ ପଳେଇଛି, ସେବେଠୁ ଦୁଇ ସମ୍ପ୍ରଦାୟ ମଝିରେ ଆଶଙ୍କା ଓ ଅବିଶ୍ବାସ’ର ଏକ ଅଦେଖା ପାଚେରୀ ଠିଆହୋଇଛି।

ଦୁଇ ସମ୍ପ୍ରଦାୟର ବଡ଼ମାନେ,ପୋଲିସ ,ପ୍ରଶାସନ ସହାୟତାରେ ମିଳାମିଶା ଉଦ୍ୟମ ଯଦିଓ କରୁଥିଲେ, ତଥାପି ଟୋକାମାନଙ୍କ ମିଜାଜ ଅଲଗା ଥିଲା।

” ସେମାନେ ଆମ ଦୁର୍ଗାପୂଜା ଓ ଦୋଳ ମେଳଣ ରେ ମିଶିବେ ନାହିଁ କି ହୋଲି ଖେଳିବେ ନାହିଁ; ଆମେ ତାଙ୍କ ଉର୍ସ ଓ ତାଜିଆ ରେ ଭାଗ ନେବାନି।”

“ଆମ ପୀରଙ୍କ ପୀଠ ଦୁଆର ସେମାନେ ମାଡ଼ିପାରିବେ ନାହିଁ।”ଅନ୍ୟଦଳ ଟୋକା କହୁଥିଲେ।

ପୂର୍ବରୁ ଏକାଠି ସାଙ୍ଗହୋଇ ସ୍କୁଲରେ ପାଠପଢ଼ୁଥିବା,ଓ ବରଗଛ ମୂଳେ ଖେଳୁଥିବା ମାଳତୀ ଓ ସୋହେଲ ବି ବାଧ୍ୟ ହୋଇ ଅଲଗା ହୋଇଥିଲେ।ସୋହେଲ ଏବେ ସେଇ ପୀରବାବାଙ୍କ ପୀଠ ନିକଟରେ ତିଆରି ହୋଇଥିବା ମଦ୍ରାସାରେ ପାଠ ପଢୁଛି। । ଯଦିଓ ତାକୁ ସେ ମଦ୍ରାସାର ପରିବେଶ ଜମା ଭଲ ଲାଗୁନଥିଲା, ତଥାପି ଆରବିକ ଭାଷାରେ ପାଠ ସବୁ ମୌଲବୀଙ୍କ ପାଖରୁ ଶିଖୁଥିଲା ବାଧ୍ୟହୋଇ।

ଓପରଓଳି ସୋହେଲ ନମାଜ ପଡ଼ିଲା ବେଳେ ମାଳତୀ,ରାସ୍ତା ସେପଟେ ବରଗଛ ଓହଳରେ ଖେଳୁଥାଏ।ଦୁହିଁଙ୍କ ଆଖି ଏକାଠି ମିଶେ; ଦୁହେଁ ନିଶବ୍ଦରେ ହସନ୍ତି।କଥା ନକହି ମଧ୍ୟ ଉଭୟେ ବୁଝିପାରନ୍ତି ଦୁହିଁଙ୍କ ମନର ଭାଷା।ହୃଦୟର ଭାଷା।

ସୁଯୋଗ ଉଣ୍ଡି ଦୁହେଁ ମୋବାଇଲରେ କଥା ହୁଅନ୍ତି।ପରସ୍ପରକୁ ଆଶ୍ଵାସନା ଦିଅନ୍ତି।

” ମୋତେ ଲାଗୁଛି ସବୁ ଠିକ୍ ହୋଇଯିବ।ପୂର୍ବ ଭଳି ଦୁଇ ଗୋଷ୍ଠୀ ଭିତରେ ବୁଝାମଣା ହୋଇଯିବ। ଆମେ ପୁଣି ଏକାଠି ପଢ଼ିବା ଓ ଖେଳିବା।ହୋଲିରେ ରଙ୍ଗ ବି ଖେଳିବା।”

“ସେଇ କଥା ତ ତୁ ଦୁଇବର୍ଷ ହେଲା କହୁଛୁ। ଏବର୍ଷ ବି ହୋଲି ଆମେ ଖେଳିବା ବୋଲି ମୋର ବିଶ୍ବାସ ହେଉନି।ଆମେ କଣ ଆଉ କେବେ ଏକାଠି ମିଶି ପାରିବା ନାହିଁ ?ଧର୍ମରେ କଣ ଏସବୁ ଲେଖା ହୋଇଛି ?”

ମାଳତୀ କଥା ଶୁଣି ,ସୋହେଲ ବୁଝିପାରେନା କଣ ଉତ୍ତର ଦେବ। ଆଗରୁ ପ୍ରତିବର୍ଷ କେତେ ମଜାକରି ହୋଲି ଖେଳୁଥିଲେ, ଦୁର୍ଗାପୂଜାରେ ଦୋଳି ଓ ଇଦରେ ଖିରି,ପୁରୀ ଏକାଠି ଖାଉଥିଲେ ସେମାନେ।

“ତୁ ଯଦି ସତରେ ମୋତେ ଭଲ ପାଉ, ତେବେ କାହାକୁ ନ ଡରି ଏଥର ରଙ୍ଗ ଲଗାଇଦେବୁ।କିନ୍ତୁ ତୁ ତ ଡରକୁରୀ।”

“ନା, ମୁଁ ଡରକୁରୀ ନୁହେଁ।ତେବେ ମୋର କିଛି ହୋଇଗଲେ ତୁ ମୋତେ ରକ୍ଷା କରିପାରିବୁ ?”

“ତୋ ଦେହରେ କେହି ହାତ ଦେଲେ,ମୋ ଖଣ୍ଡାରେ ସେମାନଙ୍କୁ ଦୁଇ ଗଡ଼ କରିଦେବି।”

“ଚୋପ୍, ମିଛୁଆ।ତୁ କଣ ବାହୁବଳୀ “?

ହସୁଥିଲା ମାଳତୀ।

ସୋହେଲ ନିଜ ଆବୁ ଠାରୁ ଖଣ୍ଡାବୁଲେଇବା ଶିଖିଥିଲା।ନିଜର ଛୋଟ ଖଣ୍ଡାଟା ଧରି ସନ୍ଧ୍ୟାରେ ମାଲତୀକୁ ଦେଖାଇ ବରଗଛ ମୂଳରେ ବୁଲାଏ।ମାଳତୀ ହସେ।ସେ ହସରୁ ଝରିପଡ଼େ ଅଜସ୍ର ମୁକ୍ତା।ସେମାନଙ୍କ ଚୁପଚାପ ମିଳାମିଶା କିଛିଟୋକଙ୍କ ଆଖିରେ ପଡ଼ିଥିଲା।କିନ୍ତୁ ରାସ୍ତା ଟପି ସୋହେଲ କେବେ ମନ୍ଦିର ପାଖକୁ ଆସୁନଥିଲା ।

ସେଦିନ ଥିଲା ହୋଲି।ପୁରା ଗାଁ ମାତି ଥିଲା ରଙ୍ଗ ଖେଳରେ।ମାଳତୀ ଶୀଘ୍ର ଚାଲି ଆସିଥିଲା ଠାକୁରାଣୀ ବରଗଛ ମୁଳକୁ।

ରାସ୍ତା ଆରପଟେ ସୋହେଲ ତଥାପି ପହଞ୍ଚି ନଥିଲା।ଅପେକ୍ଷାରେ ଥିଲା ମାଳତୀ।ହାଠାତ୍ ଗୋଟେ ମଟର ସାଇକେଲରେ ଦୁଇଟା ଟୋକା ମଦ ନିଶାରେ ଚୁର ହୋଇ ଅଟକିଲେ।l ରାସ୍ତାରେ କେହି ନଥିଲେ।ମାଳତୀ ସେ ବଦମାସ ଦୁହିଁଙ୍କୁ ଚିହ୍ନି ପାରିଲା। ମାଳତୀ ମୁହଁରେ ହାତ ଦେଇ ମନ୍ଦିର ପଛପଟକୁ ଭିଡି ନେଇଗଲେ ସେମାନେ।

ନିଜକୁ ସେମାନଙ୍କ କବଳରୁ ନିଜକୁ ଛଡାଇ ମାଳତୀ ଦୌଡ଼ିଲା ରାସ୍ତା ଆଡ଼କୁ।

ରାସ୍ତା ଆରପଟେ ପହଞ୍ଚିଥିବା ସୋହେଲ ,ମାଲତୀକୁ ଦେଖି ଖୁସି ହୋଇଗଲା।ହେଲେ ପରମୁହୂର୍ତ୍ତରେ ମାଳତୀ ପଛରେ ଦୁଇଟା ଟୋକାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।

” ଶାଳୀ, ଆମ ସାଙ୍ଗରେ ହୋଲି ନଖେଳି, ତୋ ନାଗର ସାଙ୍ଗରେ ରଂଗରଲି କରିବୁ ?”କହି ,ଜଣେ ଟୋକା ପକେଟରୁ ଛୁରୀ ବାହାର କରି ଲାଗଲାଗ ଭୂଷି ଦେଲା ମାଳତୀ ପିଠି ଓ ପେଟରେ।ରକ୍ତାକ୍ତ ମାଳତୀ ଟଳି ପଡ଼ିଲା ସେଇଠି।ଆଖି ପିଛୁଳାକେ ଘଟିଗଲା ସବୁ।

ସୋହେଲ ଦୌଡିଯାଇ ନିଜ କୋଳକୁ ନେଇଆସିଲା ମାଲତୀକୁ। ନିଜ ଖଣ୍ଡା ଧରି ଗୋଡାଇବା ଆଗରୁ ଦୁଇ ବଦମାସ ଚାଲିଯାଇଥିଲେ।ହତବାକ ହୋଇଯାଇଥିଲା ସୋହେଲ। ଭେଁ ଭେଁ ହୋଇ କାନ୍ଦୁଥିଲା ସୋହେଲ।ଆଖି ଖୋଳୁନଥିଲା ମାଳତୀ।

ରକ୍ତରେ ଜୁଡୁବୁଡ଼ୁ ଦୁହେଁ।ଦୁଇ ହାତରେ ମାଳତୀ ର ଜଡ ଦେହକୁ ନେଇ ବିକଳ ହୋଇ ଚାଲିବାକୁ ଆରମ୍ଭ କଳା ସୋହେଲ।କିଛି ସାହାଯ୍ୟ ଆଶାରେ।ସାମ୍ନା ପଟୁ ଦଳେ ଟୋକା ମାଡ଼ିଆସୁଥିଲେ।ଆଗରେ ଥିଲେ ସେଇ ଦୁଇ ବଦମାସ।ଚିହ୍ନିପାରିଲା ସୋହେଲ।ନା, ସେ ଛାଡ଼ିବନି ସେମାନଙ୍କୁ।

” ଏଇ ଆମ ମାଲତୀକୁ ନିଶ୍ଚୟ ରେପ୍ କରି ମାରିଦେଇଛି।ଖଣ୍ଡା ବି ଧରିଛି ଟୋକା।ମାର ଶାଲାକୁ।”

ଆରମ୍ଭ ହୋଇଯାଇଥିଲା ମାଡ଼। ସୋହେଲ ର ପ୍ରତିବାଦ ,ବାତ୍ୟାପଵନ ସାମ୍ନାରେ ମହାମବତୀର ଶିଖାପରି ଥିଲା।କିଛି ସମୟ ଭିତରେ ସବୁ ଶେଷ।

ରକ୍ତ ରଞ୍ଜିତ ଅସାଡ଼ ଦେହ ଦୁଇଟା ପଡ଼ିଥିଲା ରାସ୍ତାର ଦୁଇ କଡ଼ରେ।ଠିକ୍ ସେଇ ସମାନ୍ତରାଳରେ ଥିବା ବରଗଛ ଭଳି।।ଚାରିଆଡ଼ ଦିଶୁଥିଲା ଲାଲ।ହୋଲି ରଙ୍ଗ ଠାରୁ ଆହୁରି ଗାଢ଼ ରଙ୍ଗ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x