ଅନୁଭୂତି-୬

maioyjapybukymvpgmje
Reading Time: 5 minutes

ଜୁଲାଇ ମାସ ଥିଲା, ଛ’ କି ସାତ ଦିନ ର ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଇଯାଇଥିଲା୤ସକାଳୁ ସକାଳୁ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜଣେ ସ୍ବେଚ୍ଛାସେବୀ ଭାଇ ଆସି ଖବର ଦେଲେ ଯେ ପାଖ ଧନୁପଦର ( ଛଦ୍ମ ନାମ ) ଗ୍ରାମରେ ପ୍ରାୟ ତିରିଶ ରୁ ଚାଳିଶ ଜଣ ହଇଜା ରୋଗରେ ଆକ୍ରାନ୍ତ୤ ତନ୍ମଧ୍ୟରେ ଆଠ ଜଣ ପିଲା ରହିଛନ୍ତି୤ ସେମାନଙ୍କ ମଧ୍ୟରୁ ହରି ସେଠଙ୍କ ପୁଅ ମଧୁର (ବୟସ ପ୍ରାୟ ବାଇଶ ହେବ) ର ପୂର୍ବ ରାତିରେ ମୃତ୍ୟୁ ହେଇଛି ଓ ପ୍ରାୟ ସମସ୍ତ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏବେ ଅତ୍ୟନ୍ତ ଗମ୍ଭୀର୤ ଗାଡି ମଟର କିମ୍ବା ଆମ୍ବୁଲାନ୍ସ ସହଜରେ ପାଖଆଖରେ ନମିଳିପାରୁଥିବାରୁ ରୋଗୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇପାରୁନି୤ ଘଟଣାଟିର ଗୁରୁତ୍ବ ଉପଲବ୍‌ଧି କରି ମୁଁ ସଙ୍ଗେ ସଙ୍ଗେ ଅଫିସ୍‌ ଦ୍ରାଇଭରଙ୍କୁ ଗାଡିନେଇ ଆସିବାକୁ କହିଲି ଓ ଉକ୍ତ ସ୍ବେଚ୍ଛାସେବୀ ଭାଇଙ୍କ ସହିତ ମୋର ଆଉ କେତେଜଣ ସହକର୍ମୀଙ୍କୁ ସାଙ୍ଗରେ ଧରି ଉକ୍ତ ଗ୍ରାମକୁ ଯିବାକୁ ବାହାରିଲି୤

ଗ୍ରାମରେ ଆମେ ପହଞ୍ଚିଲାବେଳକୁ ସକାଳ ସାତଟା ବାଜିଥାଏ୤ ମୁଁ ଅନୁଭବ କଲି ଗ୍ରାମ ଲୋକଙ୍କ ଆଙ୍ଗଭଙ୍ଗିରେ ଆମ ପାଇଁ ପ୍ରଚୁର ତାଚ୍ଛଲ୍ୟ ଭରି ରହିଥାଏ୤ କାରଣ ହେଲା ସେମାନେ ଗତରାତିରୁ ଚେଷ୍ଟା କରି ମଧ୍ୟ ଆମ୍ବୁଲାନ୍ସ ପାଇପାରିନାହାନ୍ତି ରୋଗୀ ମାନଙ୍କୁ ଡାକ୍ତରଖାନାକୁ ପଠାଇବାପାଇଁ କିମ୍ବା ସ୍ଥାନୀୟ ଡାକ୍ତର, ଯିଏକି ଅନ୍ୟ ଏକ ପାଖ ଗ୍ରାମର ବାସିନ୍ଦା, ଙ୍କ ସହିତ ଯୋଗାଯୋଗ କରି ପାରିନାହାନ୍ତି୤ ମୁଁ ଯେହେତୁ ସେ ଅଞ୍ଚଳକୁ ଅଳ୍ପ ଦିନ ହେଲା ଯାଇଥିଲି ଏବଂ ମୁଁ ଭଲ କି ମନ୍ଦ ତାହା ଗ୍ରାମବାସୀ ସେହି ଦିନ ସୁଦ୍ଧା ସଠିକ ଆକଳନ କରି ପାରିନଥିଲେ ହୁଏତ ସେଥିପାଇଁ ତାଙ୍କ ଭିତରୁ କିଛି ଲୋକ ମୋ ପାଖ କୁ ଆସି ଘଟଣା ବିଷୟରେ ଆଲୋଚନା କଲେ୤ ତାଙ୍କ କଥା କହିବାର ତରିକା ଏପରି ଥିଲା ଯେ ପ୍ରତିଟି ଶବ୍ଦରେ ତାଙ୍କର ସରକାର ଓ ସରକାରୀ ବ୍ୟବସ୍ଥା ଉପରେ ସେମାନଙ୍କର ଅନାସ୍ଥା ସ୍ପଷ୍ଟ ବାରି ହେଇ ପଡୁଥିଲା୤ ଯାହା ବି ହେଉ ସେହି ମୁହୂର୍ତ୍ତରେ ମୋ ପାଇଁ ପ୍ରଥମ କାମ ଥିଲା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା୤

ଆମେ ପ୍ରଥମେ ସ୍ଥାନୀୟ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟାକଲୁ୤ ତାଙ୍କ ଠାରୁ ଉତ୍ତର ଆସିଲା ଯେ ସେ ଏକ ଜରୁରୀ କାମରେ ସିଡିଏମ୍‌ଓଙ୍କ ପାଖକୁ ଯାଉଛନ୍ତି, ଗ୍ରାମକୁ ଆସି ପାରିବେନି୤ ବରଂ ତାଙ୍କର ଆମପ୍ରତି ଉପଦେଶ ଆସିଲା ରୋଗୀ ମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦେବାକୁ୤ ସେତେବେଳେ ସେଠାର ପରିସ୍ଥିତି ଆମକୁ ଅନୁମତି ଦେଇନଥିଲା ଡାକ୍ତରବାବୁଙ୍କ ସହିତ କିଛି ଯୁକ୍ତିତର୍କ ପାଇଁ୤ ସ୍ଥାନୀୟ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ଡାକ୍ତରବାବୁଙ୍କୁ ନେଇ ସଦରମହକୁମା ଡାକ୍ତରଖାନାକୁ ଗଲା କିନ୍ତୁ ରୋଗୀଙ୍କୁ ନେବାପାଇଁ ଆସିପାରିଲାନି୤ ମାନନୀୟ ସାଂସଦଙ୍କ ଉନ୍ନୟନ ପାଣ୍ଠି ବିନିଯୋଗରେ କିଣାଯାଇ ସ୍ଥାନୀୟ ଯୁବକ ସଂଘ ମାର୍ଫତରେ ଥିବା ଆମ୍ବୁଲାନ୍ସ ଯୁବକ ସଂଘ ସମ୍ପାଦକଙ୍କ ପରିବାରକୁ ନେଇ ନିକଟସ୍ଥ ସହରକୁ ଯାଇ ଫେରିନଥିଲା୤ ତେଣୁ ତାହା ମଧ୍ୟ ମିଳିପାରିଲାନି୤ ରୋଗୀଙ୍କୁ ସଦର ଡାକ୍ତରଖାନାକୁ ପାଠାଇବା ସେହି ସମୟରେ ଏକ ପ୍ରକାର ଅସମ୍ଭବ ଲାଗିଲା୤ ମୋ ସହକର୍ମୀ ମାନେ ଏହି ଅସ୍ବାଭାବିକ ପରିସ୍ଥିତିରେ ହତୋତ୍ସାହିତ ନହୋଇ ଆମ ଅଫିସ୍‌ ଗାଡିରେ ତିନିଜଣ ରୋଗୀ ଯେଉଁ ମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ଓ ସେମାନଙ୍କର ଜଣେ ଜଣେ ପରିଚାରକଙ୍କୁ ନେଇ ପ୍ରଥମ କିସ୍ତିରେ ସଦର ଡାକ୍ତରଖାନାକୁ ପଠାଇବାର ଆୟୋଜନ କଲେ୤ ମୁଁ ଏହି ବିଷୟରେ ଜିଲ୍ଲାପାଳଙ୍କ ସମେତ ସିଡିଏମ୍‌ଓ ମହୋଦୟଙ୍କୁ ସୂଚୀତ କରିବା ସହିତ ଡାକ୍ତର ବାବୁଙ୍କ ଆଚରଣ ବିଷୟରେ ମଧ୍ୟ ସୂଚୀତ କଲି୤ ଅନ୍ୟ ସରକାରୀ ଦପ୍ତରର ହାକିମ ମାନେ ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ମୋତେ ସାହାର୍ଜ୍ୟ କରିବାକୁ ଆଗେଇ ଆସିଲେ ଓ ସେମାନଙ୍କର ସରକାରୀ ଗାଡି ଗୁଡିକୁ ମଧ୍ୟ ରୋଗୀଙ୍କୁ ସ୍ଥାନାନ୍ତର କରେଇବା ପାଇଁ ମୋ ପାଖକୁ ପଠେଇଦେଲେ ୤ ସମସ୍ତ ରୋଗୀ ପ୍ରାୟ ଦିନ ଏଗାରଟା ସୁଦ୍ଧା ସଦର ମହକୁମାର ଡାକ୍ତରଖାନାରେ ପହଞ୍ଚିଗଲେ୤ ମୁଁ ପରେ ଶୁଣିଲି ଜିଲ୍ଲାପାଳଙ୍କ ସୁପାରିଶ ବଳରେ ଆମର ସ୍ଥାନୀୟ ଡାକ୍ତରଖାନାର ଡାକ୍ତର ବାବୁ ସିଡିଏମ୍‌ଓଙ୍କ ଅଫିସରେ ପହଞ୍ଚିବା ପରେ ସରକାରୀ କାର୍ଯ୍ୟରୁ ନିଲମ୍ବନ ଆଦେଶ ପ୍ରାପ୍ତ ହୋଇଥିଲେ୤

ଏହି ଘାଟଣାଟି ପରେ ମୁଁ ଅନୁଭବ କଲି କି ଗ୍ରାମାବାସୀଙ୍କର ସରକାରୀ

ବ୍ୟବସ୍ଥା ଉପରେ କିଞ୍ଚିତ୍‌ ବିଶ୍ବାସ ଜନ୍ମିଲା୤ ଗ୍ରାମବାସୀ ଧିରେ ଧିରେ ମୋର ସରକାରୀ କାମରେ ମଧ୍ୟ ମୋତେ ସହଯୋଗ କରିବାକୁ ଆରମ୍ଭ କଲେ୤ ମୁଁ ଅନୁଧ୍ୟାନ କରିବାକୁ ଚାହିଁଲି କି କେଉଁ କାରଣରୁ ଧନୁପଦର ଗ୍ରାମରେ ହଇଜାର ତାଣ୍ଡବ ଲାଗିଲା୤ ତେଣୁ ଦିନ ଧାର୍ଯ୍ୟ କରି ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଯାୟୀ ମୁଁ ଗ୍ରାମରେ ମୋ ସହକର୍ମୀ ମାନଙ୍କୁ ସାଙ୍ଗରେ ନେଇ ପହଞ୍ଚିଲି୤ ଗ୍ରାମବାସୀ ମାନେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ବସିବାର ଆୟୋଜନ କରିଥିଲେ୤ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ବୈଠକକୁ ଆସିବାକୁ ଅନୁରୋଧ କରିଥିଲି୤ ସଭାର ଔପଚାରିକତା ସରିଯିବା ପରେ, ଗ୍ରାମରେ କେଉଁ କାରଣରୁ ହଇଜାର ଉତ୍ପତ୍ତି ହେଲା ସେ ବିଷୟରେ ସମସ୍ତେ କ୍ରମାନ୍ବୟରେ ସେମାନଙ୍କର ବ୍ୟକ୍ତିଗତ ମତ ରଖିବାକୁ ମୁଁ ଅନୁରୋଧ କଲି୤ ଆଲୋଚନାରୁ ଜଣାପଡିଲା କି ମୂଖ୍ୟତଃ ଦୁଇଟି କାରଣରୁ ଏହି ଭଳି ଏକ ବିପଦ ଗ୍ରାମବାସୀଙ୍କୁ ସମ୍ମୁଖୀନ ହେବାକୁ ପଡିଲା୤ କାରଣ ଦୁଇଟି ହେଲା : (୧) ଗାଁ ଦାଣ୍ଡରେ ଅନେକ ଦିନରୁ ଜମି ରହିଥିବା ନର୍ଦ୍ଦମା ପାଣି , (୨) ଗ୍ରାମର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା୤ ଏକ ସରଜମିନ୍‌ ତଦନ୍ତ ପାଇଁ ମୁଁ ସମସ୍ତଙ୍କ ସହିତ ବାହାରିଲି୤

ଗାଁ ଦାଣ୍ଡକୁ ପୂର୍ବବର୍ଷ ପାଞ୍ଚ ଲକ୍ଷ ଟଙ୍କା ବିନିଯୋଗରେ କଂକ୍ରିଟ୍‌କରଣ କାରାଯାଇଥିବା ସ୍ଥାନୀୟ ସରପଞ୍ଚ ମୋ ଦୃଷ୍ଟିକୁ ଆଣିଲେ ୤ ମୋ ସହିତ ଉପସ୍ଥିତ ରହିଥିବା ଆମ ଅଫିସ୍‌ର ସହକାରୀ ଯନ୍ତ୍ରୀ କହିଲେ ଏହି କଂକ୍ରିଟ୍‌କରଣ କାର୍ଯ୍ୟ ଚାଲିବା ସମୟରେ ଗାଁ ଦାଣ୍ଡର ଦୁଇପାଖରେ ବା ଅନ୍ତତଃ ଗୋଟିଏ ପାଖରେ ନାଳର ବନ୍ଦୋବସ୍ତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ କିନ୍ତୁ ଗ୍ରାମବାସୀ ମାନେ ସେଥିପାଇଁ ସମ୍ମତ ହେଇନଥିଲେ କାରଣ ତାଙ୍କ ଭିତରୁ କାହାକୁ କାହାକୁ ସ୍ଥଳ ବିଶେଷରେ କୋଉଠି ହାତେ କୋଉଠି ଚାଖଣ୍ଡେ କରି ଘର ଆଗରେ ଥିବା ବାରାଣ୍ଡାକୁ ଭାଙ୍ଗିବାକୁ ପଡିଥାଆନ୍ତା୤ ସେହି ସ୍ଥିତାବସ୍ଥାରେ ନାଳ କରିଥିଲେ ସେଥିରେ ଜଳ ନିଷ୍କାସନ ରେ ବାଧା ଆସିଥାଆନ୍ତା୤ ତେଣୁ ଅନ୍ୟନୋପାୟ ହୋଇ ସେ ଗାଁ ଦାଣ୍ଡର ଉଭୟ ପଟକୁ ସାମାନ୍ୟ ଢାଲୁ କରିଦେଇ ଦାଣ୍ଡ ମଝିରେ ନର୍ଦ୍ଦମା ପାଣି ବହିଯିବାର ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଥିଲେ୤ ପରେ ପରେ ସେହି ଗ୍ରାମର ପ୍ରବେଶ ପଥର ଉନ୍ନତ୍ତିକରଣ କରାଯାଇ ତାହାକୁ ଏକ ପ୍ରଶସ୍ତ ସଡକ ରେ ରୂପାନ୍ତରିତ କରାଯିବା ପାଇଁ ଅନ୍ୟ ଏକ ସରକାରୀ ଯୋଜନା ମାଧ୍ୟମରେ ବନ୍ଦୋବସ୍ତ ହେଲା୤ ଏହି ନୂତନ ପ୍ରକଳ୍ପ ରେ ତିଆରି ରାସ୍ତାର ଉଚ୍ଚତା ଗାଁ ଦାଣ୍ଡଠାରୁ ପ୍ରାୟ ଦୁଇଫୁଟ ଉଚ୍ଚ ହେଲା ଓ ପୁରୁଣା କଂକ୍ରିଟ୍‌ ରାସ୍ତା ରେ ବହୁଥିବା ନର୍ଦ୍ଦମା ପାଣି ପାଇଁ ଏହି ନୂତନ ରାସ୍ତା ପ୍ରକାରାନ୍ତରରେ ଏକ ବନ୍ଧ ସଦୃଶ ରହିଲା୤ ଫଳରେ ନର୍ଦ୍ଦମା ଜଳ ନିଷ୍କାସନ ନହୋଇପାରି ଗାଁ ଦାଣ୍ଡରେ ଜମି ରହିଲା୤ ଏହି ବିଷୟରେ ଗ୍ରାମବାସୀ ଯେ ଅଜ୍ଞଥିଲେ ତାହା ନୁହେଁ୤ ସେମାନେ ସେହି ପ୍ରକଳ୍ପ ପ୍ରସ୍ତୁତ କରୁଥିବା ସରକାରୀ ବାବୁଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରିଥିଲେ କିନ୍ତୁ ଉକ୍ତ ପ୍ରକଳ୍ପର ଅଟ୍ଟକଳରେ ସେହି ବିଷୟରେ କୌଣସି ଖସଡା ନଥିବାରୁ ସମ୍ପୃକ୍ତ ଅଧିକାରୀ ଜଣକ ନିଜର ଅସହାୟତା ପ୍ରକାଶ କରିବା ସହିତ ତାଙ୍କୁ ଦିଆଯଇଥିବା ଧାର୍ଯ୍ୟ ଲକ୍ଷ ମୁତାବକ ସେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀଙ୍କୁ ସୂଚୀତ କରିଥିଲେ୤ ପ୍ରକଳ୍ପରେ ସାମିଲ ଥିବା ଠିକାଦାର କାର୍ଯ୍ୟର ସଫଳ ରୂପାୟନ ପାଇଁ ଗାଁର କିଛି ଯୁବକ ଓ ତଥାକଥିତ କୁଜି ନେତାଙ୍କୁ ନିଜର ପକ୍ଷଭୁକ୍ତ କରିନେବା ପରେ ଗ୍ରାମବାସୀ ଅସନ୍ତୁଷ୍ଟ ଥିଲେ ବି ବିରୋଧ କରିବାର ଉପଯୁକ୍ତ ତରିକା ଜାଣି ନଥିବାରୁ ଚୁପ ରହିବାକୁ ବାଧ୍ୟ ହୋଇଥିଲେ୤

ବର୍ତ୍ତମାନ ଆସିବା ହଇଜା ବ୍ୟାପିବାର ତଥାକଥିତ ଦ୍ବିତୀୟ କାରଣକୁ୤ ଗାଁ ରେ ଦୁଇଟି ନଳ କୂପ ରହିଥିଲା୤ କେବେ ଦିନେ କୌଣସି ସରକାରୀ ଯୋଜନାକୁ କର୍ଯ୍ୟକାରି କରି ନଳକୂପ ପାଖରେ ଦୁଇଟି ଗାତ କରାଯଇଥିଲା୤ ଉଦ୍ଦେଶ୍ୟ ଥିଲା ନଳକୂପର ଅବ୍ୟବହୃତ ବଳକା ଜଳ ଏଣେତେଣେ ନବହି ସେହି ଗାତରେ ଜମି ରହିବ ଫଳରେ ନଳକୂପର ପରିପାର୍ଶ୍ବ ସଫା ରହିବା ସହିତ ଗାଈ ଗୋରୁ ତଥା ଅନ୍ୟ ପଶୁ ପକ୍ଷୀ ଆଦି ମଧ୍ୟ ପାଣି ପିଇବାର ସୁବିଧା ପାଇପାରିବେ୤ ଆମର ସରଜମିନ୍‌ ତଦନ୍ତ ସମୟରେ ଆମେ ଦେଖିଲୁ ଉଭୟ ନଳକୂପର ପାରିପାର୍ଶ୍ବିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ୤ ଗାଁ ପରିମଳର ଏହି ଭଳି ଏକ ସ୍ଥିତାବସ୍ଥା ବେଳେ ସ୍ବାସ୍ଥ୍ୟ ବିଭଗ ତରଫରୁ ଗ୍ରାମକୁ ଆସିଥିବା ଗାଁ କଲ୍ୟାଣ ସମିତି ପାଣ୍ଠି କିପରି ବିନିଯୋଗ କରାଯାଇଛି ବୋଲି ମୁଁ ଜାଣିବାକୁ ଚାହିଁଲି୤ ଜଣେ ଗ୍ରାମବାସୀ ମୋତେ ସୂଚୀତ କଲେ ଯେ ତାଙ୍କ ଗ୍ରାମକୁ ଆସିଥିବା ସମ୍ପୃକ୍ତ ପାଣ୍ଠିର ବିନିଯୋଗ ପତ୍ର ସେ ଉଅପଯୁକ୍ତ ଅଧିକାରୀଙ୍କ ପାଖରେ ପଇଠ କରି ସାରିଛନ୍ତି୤ ପରେ ମୁଁ ଜାଣିଲି ଯେ ସେହି ଲୋକ ଜଣକ ସେ ସମୟରେ ଗାଁର ୱାର୍ଡ ମେମ୍ବର ଥିଲେ ଓ ତାଙ୍କର ସ୍ତ୍ରୀ ସେହି ଗ୍ରାମର ଆଙ୍ଗନୱାଡି କର୍ମୀ ଥିଲେ୤ ମୋତେ ସେ ଆହୁରି ମଧ୍ୟ ସୂଚୀତ କରିଦେଲେ ଯେ ସେହି ହିସାବର ବୈଧତା ଯାଞ୍ଚ କରିବା ମୋ ପଦବୀର ଅଧିକାର ବହିର୍ଭୁତ ବ୍ୟାପାର୤ ସେହି ସମୟରେ ମୁଁ ଚୁପ ରହିବାକୁ ନିଷ୍ପତ୍ତି କଲି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ପରଖିବାକୁ ଲାଗିଲି୤

ଗାଁ ମଧ୍ୟରେ ବୁଲିବା ସମୟରେ ମୁଁ ଅନୁଭବ କଲି କି ଗ୍ରାମର ଆବାଳବୃଦ୍ଧବନୀତା ଖୋଲାରେ ଶୌଚ ହେବାର ଅଭ୍ୟାସ ଜାରି ରଖିଛନ୍ତି ଯଦିଓ ସମସ୍ତଙ୍କ ଘରେ ସରକାରୀ ଖର୍ଚ୍ଚରେ ପାଇଖାନା ତିଆରି ସରିଛି ଓ ଉକ୍ତ ଗ୍ରାମକୁ ପଞ୍ଚାୟତର ଏକ ଖୋଲା-ଶୌଚମୁକ୍ତ ଆଦର୍ଶ ଗ୍ରାମ ଭାବରେ ମଧ୍ୟ ଘୋଷଣା କରା ସରିଛି୤ ମୋ ସହିତ ଥିବା ସରପଞ୍ଚ ମୋତେ ବୁଝାଇଥିଲେ ଯେ ତାଙ୍କ ପଞ୍ଚାୟତରେ ଅନ୍ତତଃ ଗୋଟିଏ ଗ୍ରାମ ଯେପରି ଖୋଲା-ଶୌଚମୁକ୍ତ ଆଦର୍ଶ ଗ୍ରାମ ହୁଏ ସେଥିପାଇଁ ଧ୍ୟାନ ଦେବାକୁ ତାଙ୍କୁ ଜିଲ୍ଲାପାଳ ସରପଞ୍ଚ ସମ୍ମିଳନୀରେ ନିର୍ଦ୍ଦେଶ ଦେଇଥିଲେ ୤ ସେ ପଞ୍ଚାୟତ କୁ ଫେରି ଏହି ଗ୍ରାମରେ ବାକି ରହିଥିବା ଅଳ୍ପ କିଛି ପାଇଖାନା କାର୍ଯ୍ୟ ଶେଷ କରି ଏହି ଗ୍ରାମକୁ ଖୋଲା-ଶୌଚମୁକ୍ତ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରାଇବାରେ ସମର୍ଥ ହେଇପାରିଲେ୤ ଏହି ବାବଦରେ ସେ ଗତ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ଙ୍କ ଦ୍ବାରା ମଧ୍ୟ ସମ୍ମାନିତ ହୋଇଛନ୍ତି୤

ମୋର ଅଫିସ୍‌ ରେ କିଛି ଜରୁରୀ କାମ ପଡିବାରୁ ସେଦିନ ମୁଁ ସେହି ଗାଁରୁ ମୋର ସରଜମିନ୍‌ ତଦନ୍ତ ସମ୍ପୂର୍ଣ୍ଣ କରିନପାରି ଫେରି ଆସିଲି୤ ଯେତିକି ବି ଦେଖିଲି ସେଥିରୁ ସେହି ଗାଁରେ ହଇଜା କାହିଁକି ଯେ ବ୍ୟାପିଲା ତାହା ବୁଝିବା ମୋ ପକ୍ଷରେ କଷ୍ଟ ନଥିଲା୤ ପରେ ପରେ ମୋର ହୃଦ୍‌ବୋଧ ହେଲା ଯେ ଏହି ଘଟଣା ବା ଦୁର୍ଘଟଣା ପାଇଁ ସରକାରୀ କର୍ମଚାରୀ ଓ ସରକାରୀ ଯୋଜନାକୁ ରୁପାନ୍ତରିତ କରିବାର ପ୍ରଣାଳୀ ଯେତିକି ଦାୟୀ ସେତିକି ଦାୟୀ ମଧ୍ୟ ଗ୍ରାମବାସୀ ମାନେ୤ ଏବେ ବିକାଶର ଅର୍ଥ ଆଉ କାହାକୁ ଅବୁଝା ନାହିଁ୤ ଯିଏ ବି କହୁ ଯାହା ବି କହୁ ଯଦି ତା’ ବକ୍ତବ୍ୟରେ ବିକାଶ ଶବ୍ଦଟି ଦୁଇ କି ଚାରି ଥର ବ୍ୟବହାର ହୋଇନାହିଁ ତେବେ ସେ କଥା କୁ କେହି ଆଜିକାଲି ଗୁରୁତ୍ବ ଦେବାର ଦେଖା ଯାଏନି୤ ସମସ୍ତେ ଏବେ ବିକାଶ ପାଇଁ ଚିନ୍ତିତ୤ ବେଶ ଭଲ କଥା| ନିଜର ବିକାଶ ହେଲେ ପରିବାରର ବିକାଶ ହେବ, ପରିବାର ବିକଶିତ ହେଲେ ଗ୍ରାମ ବିକଶିତ ହେବ, ଗାଁ ପରେ ଜିଲ୍ଲା, ଜିଲ୍ଲାପରେ ରାଜ୍ୟ ଓ ଏହି ଖସଡା କ୍ରମରେ ଶେଷକୁ ଆସୁଛି ଦେଶ୤ ସବୁ ବର୍ଗର ଲୋକ କିନ୍ତୁ ନିଜର ବିକାଶ ପାଖରେ ଅଟକି ଯାଉଛନ୍ତି, ଆଗକୁ ଯାଇ ପାରୁନାହାନ୍ତି ଏପରିକି ଲୋକ ଦେଖାଣିଆ ଭାବରେ ବି ନୁହେଁ୤ କିନ୍ତୁ ସେହି ବିକାଶର ନାରାରେ ସରକାର ବଦଳି ଯାଉଛି ଦେଶରେ| ସେହି ବିକାଶର ନାରା ପ୍ରକାରାନ୍ତରରେ ଘରେ ହେଉ କି ଗାଁରେ ଫାଟ ସୃଷ୍ଟି କରୁଛି୤ ଘୋର ବିଶୃଙ୍ଖଳା ଉତ୍ପତ୍ତିର କାରଣ ହେଉଛି ତଥାପି ସେହି ଶବ୍ଦଟି ଏତେ ଶକ୍ତିଶାଳୀ ଯେ ତାହା ସମସ୍ତଙ୍କର ତୁଣ୍ଡରେ ବସା ବାନ୍ଧି ସାରିଛି| ଆଜିକାଲିର ପରିବର୍ତ୍ତିତ ପରିସ୍ଥିତିରେ ଅବଶ୍ୟ ଟିକିଏ ବେଶୀ| ଏହି ଭଳି ଏକ ସମୟରେ ଧନୁପଦର ଗ୍ରାମବାସୀ ଯେ ଏହି ସବୁ ବିଷୟରେ ଅବଗତ ନଥିଲେ ତାହା ମୁଁ ସହଜରେ ଭାବି ପାରୁନଥିଲି|

ଆଗରୁ ଯେ ଲୋକମାନେ ବିକାଶ କଥା ଚିନ୍ତା କରୁନଥିଲେ ତାହା ନୁହେଁ| କିନ୍ତୁ ସେହି ଚିନ୍ତନରେ ଆତ୍ମିକ ପ୍ରବେଶ ଥିଲା ସମସ୍ତଙ୍କର | ଗଭୀର ଅନୁଧ୍ୟାନ ହେଉଥିଲା ଘଟଣା ପ୍ରବାହର ଧାରା୤ ଏବେ କିନ୍ତୁ ସେପରି ଦେଖିବାକୁ ମିଳୁନି| ମୁତ୍‌ଫରକା ଭାବେ ଘଟଣାର ବ୍ୟବଛେଦ କରାଯାଇ ଏକ ତ୍ବରିତ ସିଦ୍ଧାନ୍ତ ରେ ଉପନୀତ ହେଇଯିବାଟା ଯେମିତି ଗୋଟେ ନିଶା ପାଲଟିଯାଇଛି| ତା’ରି ଭିତରେ କେଉଁଠି ଛପି ଯାଉଛି ବିକାଶ| ଗୋଟିଏ ପ୍ରଶ୍ନ ମୋତେ ସବୁବେଳେ ଆନ୍ଦୋଳିତ କରିଛି, ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ପରେ ବି ଯେଉଁ ମାତ୍ରାରେ ବିକାଶର ଉନ୍ମେଷ ହେବାକଥା ତାହା ହୋଇପାରୁନି| ସ୍ବାଧିନତାର ପ୍ରାୟ ସତୁରୀ ବର୍ଷ ପରେ ବି ଆମେ ସବୁ ଗାଁକୁ ପାନୀୟ ଜଳ,ବିଜୁଳି ଓ ରାସ୍ତା ଯୋଗାଇପାରିନାହାନ୍ତି| ଏଥିପାଇଁ କ’ଣ ସରକାର ଏକାଦାୟୀ? ଆମର ଏଦିଗରେ କ’ଣ କିଛି ଦାୟୀତ୍ବ ନାହିଁ? ଧନୁପଦର ଗ୍ରାମର ଏହି ଘଟଣା ଏହି ସବୁ ପ୍ରଶ୍ନର ହିଁ ଯେ ଉତ୍ତର ତାହା ଅନସ୍ବୀକାର୍ଯ୍ୟ|

ଦ୍ବିତୀୟ ପ୍ରକଳ୍ପର ପରିକଳ୍ପନା ବେଳେ ତା’ ପୂର୍ବରୁ ସରିଥିବା ଅନ୍ୟ ପ୍ରକଳ୍ପର ସ୍ଥିତାବସ୍ଥାକୁ ଧ୍ୟାନ ଦିଆଗଲାନି ୤ ତେଣୁ ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ଅଟକି ରହି ଏକ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କଲା| ଗ୍ରାମବାସୀମାନେ ନିଜ ଗ୍ରାମର ପରିମଳ ବ୍ୟବସ୍ଥାକୁ ସରକାରଙ୍କର ଦାୟୀତ୍ବ ଭାବି ଉପଯୁକ୍ତ ଧ୍ୟାନ ନଦେବାରୁ ନଳକୂପର ଜଳ ଦୂଷିତ ହେଲା ଯାହା ପରବର୍ତ୍ତି ପର୍ଯ୍ୟାୟରେ ଏକ ଭୀଷଣ ମହାମାରୀର ରୂପନେଲା୤ ସରକାରୀ ଅର୍ଥ ବ୍ୟୟକରି ଜନହିତରେ କମ କରିବା ପାଇଁ କିଣା ଯାଇଥିବା ଆମ୍ବୁଲାନ୍ସ ଜନହିତରେ ଯେ ଲାଗୁ ନଥିଲା ତାହା ଅହି ଘଟଣା ପରେ ସ୍ପଷ୍ଟ ହେଇଯାଇଥିଲା| ଗାଁ କଲ୍ୟାଣ ସମିତିର ଅର୍ଥ ବିନିଯୋଗ ଉଭୟ ଆଙ୍ଗନୱାଡି କର୍ମୀ ଓ ଗ୍ରାମର ୱାର୍ଡ ମେମ୍ବରଙ୍କର ଯୁଗ୍ମ ତଦାରଖରେ ହେବାକଥା| କିନ୍ତୁ ଧନୁପଦର ଗ୍ରାମର ଆଙ୍ଗନୱାଡି କର୍ମୀ ଓ ୱାଏଡ ମେମ୍ବର ସ୍ବାମୀସ୍ତ୍ରୀ ହୋଇଥିବାରୁ ସେହି ଅର୍ଥ ଠିକ ଭାବରେ ଖର୍ଚ୍ଚ କରାଯଇନଥିଲା ୤ଏହି ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରି ମୁଁ ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କରିବା ପୂର୍ବରୁ ମୋର ସେ ଯାଗାରୁ ବଦଳି ହେଇଯାଇଥିଲା ଓ ମୋତେ ତୁରନ୍ତ ଦାୟୀତ୍ବ ହସ୍ତାନ୍ତର କରିବାକୁ ପଡିଥିଲା|

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.