
ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ।
ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା।
ତାହାରି ବିଷୟରେ ହସଗୋଳ କରି କିଏ କହିଲା – “ଆମ ରାଜା ମଣିମାଙ୍କର କି ପସନ୍ଦ ଯେ ତାଙ୍କ ଶଶୁର ଘରେ ଏତେ ଅମୂଲ୍ୟ ଦରବ ଆଉ ଏତେ ସୁନ୍ଦରୀ ସୁନ୍ଦରୀ ଦାସୀ, ପରିବାରୀ ଥାଉଁ ଥାଉଁ ଏହି ଅସୁନ୍ଦରୀ କୁଜୀଟାକୁ ଯଉତୁକରେ ଆଣିଲେମ ।” ଆଉ ଜଣେ କହିଲା – “ଆହେ, ବଡ ଲୋକଙ୍କର ବଡକଥା ।” କଥାରେ ଅଛି, “ଏ ପରା ବଡ ଲୋକଙ୍କର ମତ, ଅଳପ ଲୋକେ ବିପରୀତ ।” ଆମେ ତାହା ଭିତରେ ପଶିପାରିବୁ ନାହିଁ ।” ଇମିତି କାନକୁହା କଥାଟା କୁହୁଳି କୁହୁଳି ଯାଇ ରାଜାଙ୍କ ପାଖରେ ଜଳିଉଠିଲା ।
ରାଜା ବି ଟିକିଏ ବିରସ ହୋଇ କହିଲେ – “ମୁଁ କ’ଣ କରିବି, ଆମ ରାଣୀଙ୍କର ବୋଲରେ ପଡି ସେହି କୁଜାକୁଜୀ ଦିହିଁଙ୍କୁ ଆଣିବାକୁ ଶେଷରେ ମୁଁ ବାଧ୍ୟହେଲି । ସେମାନଙ୍କଠେଇଁ କୁଆଡେ ଇମିତି ଅଦ୍ଭୁତ ଗୁଣସବୁ ଅଛି ଯେ ସେମାନେ ସମସ୍ତଙ୍କୁ ତାଟକା କରିଦେଇ ପାରନ୍ତି । ରାଜାଙ୍କ କଥାରେ ପୁଣିଥରେ ସମସ୍ତେ ହୋ ହୋ ହୋଇ ହସିଉଠିଲେ । ତା’ପରେ ଅନ୍ୟାନ୍ୟ ଅନେକ କଥା ପଡିଲା । ଆଗାମୀକାଲି ରାଜା ପାରିଧି କରିବାକୁ ଯିବେ ବୋଲି କହିଲେ । କୁଜୀ ସବୁକଥା ଶୁଣିଶୁଣି ମନେମନେ ବିରସ ହୋଇ କହିଲା – “ହଉ, ହଉ ଏଇ କୁଜୀର ଗୁଣ କାଲି ପାରିଧିକୁ ବିଜେ କଲାବେଳେ ରାଜା ଆଉ ତାଙ୍କର ଏହି ଖୋସାମତିଆ ଦଳ ଠିକ୍ ଜାଣିବେ ଯେ ।” ମନେ ମନେ ଏତିକି କହି କୁଜୀ ତା’ କାମରେ ବାହାରିଗଲା ।
ତହିଁଆରଦିନ ପାଗଯୋଗଦେଖି ବାଣୁଆମାନେ, ଢୋଲପିଟା ଦଳ, ଘଉଡିଆ ପାଇକମାନେ ଆଉ ସଭାସଦ୍ମାନଙ୍କୁ ନେଇ ରାଜା ପାରିଧିକୁ ବିଜେକଲେ । ସମସ୍ତଙ୍କ ବାହାରିବା ଆଗରୁ କୁଜୀ କିଛି ଦୂର ଯାଇ ଗୋଟାଏ କଂଟାବଣ ଦେଖି ସେଇଠି ତା’ର କୁହୁକ ବିଦ୍ୟାବଳରେ ଅପୂର୍ବ ସୁନ୍ଦର ଦେଉଳଟିଏ କଲା । ତା’ ଭିତରେ ଶଙ୍ଖମଲମଲ ପଥରର ଗମ୍ଭୀରାରେ ସ୍ଫଟିକ ଲିଙ୍ଗ ଶୋଭା ପାଉଛନ୍ତି । ସୁନାର ସାପଟିଏ ତା’ ଫଣାମେଲାଇ ଲିଙ୍ଗ ଉପରେ ଛାଇ କରିଛି । ଶିବଲିଙ୍ଗଙ୍କ ମଥାରୁ ପୁଆରାପରି ଗୋଟିଏ ଧାର ପାଣିଝରି ସେହି ଶକ୍ତି ଗରଭରେ ପଡୁଛି । ଚାନ୍ଦ୍ରାଭିଷେକ ପାଇଁ ଉପରେ ସୁନାହାଣ୍ଡି ଝୁଲୁଛି । ଗମ୍ଭୀରା ବାହାରେ ଭୋଗମଣ୍ଡପ, ନାଟଶାଳା, ଜଗମୋହନ ସ୍ଥାନଗୁଡିକ କୋଟିକମ ହୋଇ କେତେ ଜାତିର ଚିତ୍ରବିଚିତ୍ର ହୋଇଛି।
ଦେଉଳ ପାଖରେ ଲମ୍ବବାଗରେ ଅତିଥିଶାଳା, ରୋଷେଇଘର, ପୂଜାରୀଘର, ଦେଉଳ ପଛରେ ପଦୁଅଁ ପୋଖରୀଟିଏ । ଆଉ ସେହି ପୋଖରୀ ଚାରିପଟରେ ସୁନ୍ଦର ବଗିଚାଟିଏ । ଗଇଶ, ଧୁତୁରା ଫୁଲଠାରୁ ଆରମ୍ଭ କରି ନାନା ଜାତିର ବାସନା ଫୁଲ ଗଛରେ ଭର୍ତ୍ତି ହୋଇଛି । ବଗିଚା ଭିତରେ ଦୁଇଚାରିଟି ବେଲଗଛ । ତା’ଛଡା ପିଜୁଳୀ, ଡାଳିମ୍ବ ଠାରୁ ଆରମ୍ଭ କରି କେନ୍ଦୁ, କଇଁଥ ପର୍ଯ୍ୟନ୍ତ ଅନେକ ଜାତିର ଫଳଗଛ ସେଠାରେ ଲାଗିଛି । ବାଟ ମୁହଁରେ ଦି’ ପାଖରେ ଯୋଡିଏ କଂଟାଭରା ଶିମୁଳୀଗଛ ନେନ୍ଥି ଫୁଲରେ ଖୁନ୍ଦିହୋଇ ଛିଡାହୋଇଛନ୍ତି । ଦୂରରୁ ସେହି ଦେଉଳ ଆଡର ଦୃଶ୍ୟଟି ଭାରି ସୁନ୍ଦର ଦିଶୁଥାଏ । ସେ ବାଟରେ ଚାଲିଗଲା ବାଟୋଇ ବି ଲୋଭେଇଯିବ ସେହି ଦେଉଳଆଡେ ବୁଲି ଟିକିଏ ଶିବଦର୍ଶନ କରିବାକୁ ।
ଦୂରରୁ ବାଜା ଶୁଭିଲା । ବାଜାବାଲାମାନେ ନାଚିନାଚି ଢୋଲ୍ ପିଟିପିଟି ଗମାତ କରି ଆସୁଥାଆନ୍ତି । ଢୋଲିଆଙ୍କ ନାଟରେ ଯୋଗ ଦେଇଥାଆନ୍ତି ବାଣୁଆମାନେ । ଧନୁ, ତୀର, ବର୍ଚ୍ଛା ଧରି ସେମାନଙ୍କୁ ଘେରି ମଉଜ କରୁଥାଆନ୍ତି ଘଉଡିଆ ପାଇକମାନେ । ସବା ଶେଷକୁ ରାଜା ହାତୀରେ ଚଢି ତାଙ୍କର ପାରିଷଦମାନଙ୍କ ଗହଣରେ ହଲିହଲି ଆସୁଥାଆନ୍ତି ।
ବାଟରେ ସୁନ୍ଦର ମହାଦେବଙ୍କର ଦେଉଳଟି ଦେଖି ରାଜା ବିକ୍ରମାଦିତ୍ୟଙ୍କ ମନହେଲା ସେଠେଇଁ ସିନାନ ଶଉଚ ସାରି ଶିବ ଦର୍ଶନ କରିବାକୁ । ରାଜାଙ୍କର ଇଚ୍ଛା ଜାଣି ସମସ୍ତେ ବି ପୁଣ୍ୟ ଅର୍ଜନ କରିବାକୁ ମନ ବଳାଇଲେ । ପାରିଧି ପଟୁଆର ଦେଉଳ ଆଡକୁ ମୁହାଁଇଲେ । ସମସ୍ତେ ସେହି ଶିମୁଳୀଗଛ ପାଖରୁ ଯେ ଯାହାର ଯାନବାହାନରୁ ଓହ୍ଲାଇ ରାଜାଙ୍କ ପଛେ ପଛେ ଦେଉଳ ବେଢା ଭିତରକୁ ପଶିଲେ ।
କୁଜୀର ଅଦ୍ଭୁତ ମାୟା ବଳରେ ରାଜା ଯାଉ ଯାଉ ବାଟରେ ମଇଳା ଉପରେ ହଠାତ୍ ତାଙ୍କ ଗୋଡ ପଡିଗଲା । ସେ ଘିନେଇକି ଆଗ ପୋଖରୀକୁ ଶଉଚ ଦେବା ପାଇଁ ଗଲେ । ତାଙ୍କର ଦେଖାଦେଖି ଆଉ ସମସ୍ତେ ଅନ୍ୟତୁଠରେ ଗାଧୋଇବା ପାଇଁ ପାଣିରେ ପଶିଲେ । କିନ୍ତୁ ଆଶ୍ଚର୍ଯ୍ୟ କଥା ପୋଖରୀରେ ଯେତେ ଡୁବିଲେବି କାହାରି ଲୁଗା ମୋଟେ ଓଦା ହେଲାନାହିଁ, ବରଂ କଂଟାରେ ସମସ୍ତଙ୍କ ଦିହ ସାରା ଆଂଚୁଡି, ଆମ୍ପୁଡି ହୋଇ ଥାକେ ଥାକେ ଖଣ୍ଡିଆ ଖାବରା ଆଉ ରକତବୁହା ହୋଇଗଲା । ଏସବୁ ଦେଖି ରାଜା କହିଲେ ପୋଖରୀରୁ ମାଛଧରି ନେଉଥିଲେ ବୋଲି କେହି ବୋଧେ କଂଟାଗଛ ଗୁଡାକ ପୋଖରୀ ଭିତରେ ଖୁନ୍ଦି ଦେଇଛି । ରାଜା ଦେଖିଲେ ତାଙ୍କର ଲୁଗା କେଉଁଠି ହେଲେ ପାଣିରେ ବୁଡିବି ତିନ୍ତି ନାହିଁ । ଯାହାହେଉ, ଆଉ ଖଣ୍ଡିଏ ଲୁଗା ପାଲଟି ପକାଇ ଦିଅଁ ଦର୍ଶନ କରିବାକୁ ଗମ୍ଭୀରା ଭିତରେ ପଶିଲେ ସେ ରାଜା । ସୁନ୍ଦର ସ୍ଫଟିକ ଲିଙ୍ଗଟିଏ ଦେଖି ମୁଣ୍ଡିଆ ମାରୁଛନ୍ତି । ସେହି ଲିଙ୍ଗଙ୍କର ମଥାରୁ ବାହାରୁଥିବା ସେହି ପୁଆରାରୁ ପିଛକାରୀ ଭଳି ଇମିତି ପାଣି ଛିଟିକିଲା ଯେ ରାଜାଙ୍କ ମୁଣ୍ଡ, ଦିହ, ପୋଷାକ ସବୁ ଓଦାରେ ଜୁଡୁବୁଡୁ ହୋଇଗଲା ।
ସେତେବେଳେ କୁଜୀ ସାମନାରେ ଠିଆହୋଇ ହସି ହସି ଲେଞ୍ଜରା କୋତରା ହୋଇଯାଉଥାଏ । ସମସ୍ତେ ବି ଦେଖିଲେ ସେହି କୁଜୀଟି ହସି ହସି ଗଡିଯାଉଛି । ତା’ପରେ ଆଖିର ପଲକରେ ସେଇ ଦେଉଳ, ବଗିଚା, ପୋଖରୀ ହେରିକା କୁଆଡେ ଉଭାଇଗଲା । ଦେଖିଲା ବେଳକୁ ତୁଚ୍ଛା କଂଟାବଣଟା । ତା’ ଭିତରୁ ସେଇ କୁଜୀଟି ବାହାରି ଟୁଙ୍ଗୁଟୁଙ୍ଗୁ ହୋଇ ବାହାରିଯାଉଛି । ରାଜା କହିଲେ, “ଦେଖିଲ, କୁଜୀର କରାମତି । କେମିତି ସେ ଘଡିଏ ଭୁଆଁ ବୁଲାଇ ପଟାଏ ଦେଲା । ସଭାରେ ସେଦିନ ତାହାକୁ ଦେଖି ତୁମେମାନେ ଯେତିକି ହସିଥିଲ । କୁଜୀ ତାହାର ଦଶଗୁଣ ହସି ଆଜି ଆମ ସମସ୍ତଙ୍କୁ କାନ୍ଦ କାନ୍ଦ କରାଇଦେଲା । ହେଲେ ଅଦ୍ଭୁତ ତାହାର କୁହୁକବିଦ୍ୟା । ସମସ୍ତଙ୍କ ଆଖିକୁ ଧନ୍ଦାଳି ବୋକା ବନାଇ ଚାଲିଗଲା । ସମସ୍ତେ କହିଲେ – “ମଣିମା ସତ କହିଲେ
“କୁଜୀଟିଏ ଜାଣେ ପୁଣି ଇମିତି ଭେଳିକି ।
ଦୁଇଖୁରାକୁ ତାହାର ହଜାରେ ଓଳିକି ।”
ସେହି କୁଜୀ ବିଷୟରେ ଗପସପ ହୋଇ ସେହି ପାରିଧି ପଟୁଆର ପୁଣି ବଣ ଆଡକୁ ବାଜା ବଜାଇ ବଜାଇ ଚାଲିଲେ ।
ରାଇଜର ଗୋଟିଏ ସୀମାରେ ପାହାଡ ଧାଡି ତଳକୁ ଥାଏ ସେହି ବଣ । ବଣରେ ମହାବଳ ବାଘ ଠାରୁ ଆରମ୍ଭ କରି ଠେକୁଆ, ପାହାଡିଆ ମୂଷା ପର୍ଯ୍ୟନ୍ତ ସବୁ ପ୍ରକାର ଜନ୍ତୁ ରହିଥାଆନ୍ତି । ଆଗରୁ ଯୋଡାଏ ଉଚ୍ଚ ଉଚ୍ଚ ମଂଚ ତିଆରି ହୋଇଥିଲା । ଗୋଟାକରେ ରାଜା ଆଉ କେତେକ ବାଣୁଆ, ଆଉ ଗୋଟାକରେ ପାରିଷଦ ଯାକ ଚଢି କରି ରହିଲେ । ଖଉଡିଆ ପାଇକମାନେ ବାଜାବାଲାଙ୍କୁ ସାଙ୍ଗରେ ନେଇ ଚାରିଆଡୁ ଘେରିଯାଇ ଜନ୍ତୁମାନଙ୍କୁ ଖେଦି ଆଣିଲେ । ବାଣୁଆମାନେ ସେମାନଙ୍କର ତାକ ତରକରେ ମିରିଗ, ସମ୍ବର, କୁରୁଙ୍ଗ, କୁଟୁରା କେତୋଟି ମାରିଲେ । ରାଜା ଖାଲି ଠିଆ ଠାକୁର ହୋଇ ସବୁ ଦେଖୁଥାଆନ୍ତି ସିନା, କିନ୍ତୁ ଗୋଟିଏ କେଉଁ ଜୀବକୁ ହେଲେ ମାରିବାକୁ ତାଙ୍କୁ ତାଙ୍କ ଆତ୍ମା ଡାକିଲା ନାହିଁ । ସେ ପାରିଧିରୁ ବାହୁଡିବାକୁ କହିଲାରୁ ସମସ୍ତେ ମଂଚରୁ ଓହ୍ଲାଇ ଲେଉଟାଣି ବାଟ ଧରିଲେ । ଆଗେ ଆଗେ ବାଜାବାଲା ଦଳ, ତା’ ପଛକୁ ଶିକାର ଭାର କାନ୍ଧେଇ ବଣୁଆଯାକ, ତା’ପଛକୁ ଘଉଡିଆ ପାଇକପଲ, ସବା ଶେଷରେ ସେମିତି ରାଜା ଆଉ ପାରିଷଦମାନେ ହାତୀରେ ବସି ପଟୁଆର କରି ଦିନ ରତରତ ହେଲା ବେଳକୁ ଉଆସକୁ ଫେରିଲେ ।
ରାଜାଘର ଖନ୍ଦାଶାଳରେ ରୋଷେୟାମାନେ ଯେଝା କାମରେ ଯିଏ ଲାଗିଗଲେ । ସେହି କ୍ଷଣି ଜନ୍ତୁମାନଙ୍କର ଚମଡା ଛେଲି, ଆଚ୍ଛା କରି କାଟିକୁଟି ତାକୁ ଚୁଲୀରେ ସିଝାଇଦେଲେ । ତେଲ ମସଲା ଦେଇ ବେଶ୍ ସୁଆଦିଆ ମାଉଁସ ତିଅଣଟି କଲେ । ତା’ସାଙ୍ଗକୁ କଳାଜିରା ଧାନ ଚାଉଳର ଭାତ ହେଲା । ସମସ୍ତେ ଆନନ୍ଦରେ ପେଟେ ପେଟେ ଖାଇ ହରିବୋଲ ଦେଇ, ମହାରାଜାଙ୍କର ଜୟ ଜୟ କରି ଯେଝା ଘରକୁ ଗଲେ।