
କରୋନା ଔଷଧ ତିଆରିରେ ଲାଗିଛନ୍ତି ଓଡ଼ିଆ ଗବେଷକ, ଖୁବଶୀଘ୍ର ଆସିବ ଖୁସି ଖବର
କରୋନା ଭାଇରସ ମହମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କୋଟି କୋଟି ଲୋକ ସଂକ୍ରମଣରେ ଅସୁସ୍ଥ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଇଲେଣି।
ତେବେ କରୋନା ଚିକିତ୍ସା ଲାଗି ଭାରତୀୟ ଗବେଷକମାନେ ଔଷଧ ଖୋଜିଥିବା ଜଣାପଡିଛି। ତେବେ ଏହା ଏପରି କୌଣସି ଦୁର୍ଲଭ ଔଷଧ ନୁହେଁ। ଦୈନନ୍ଦିନ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚ କରୋନାର ମହାର୍ଘ୍ୟ ଔଷଧ ହୋଇପାରେ ବୋଲି ଗବେଷକମାନେ ଆଶାବ୍ୟକ୍ତ କରିଛନ୍ତି।
ଶରୀରରେ କରୋନ ଭାଇରସର ସଂକ୍ରମଣ ପ୍ରଣାଳୀକୁ ବାଧିତ କରିପାରୁଥିବା ସମ୍ଭାବିତ ତତ୍ୱର ଅନୁସନ୍ଧାନରେ ବୈଜ୍ଞାନିକମାନେ ଅତ୍ୟାଧୁନିକ ମଲିକ୍ୟୁଲର ଡକିଂ ଓ ମଲିକ୍ୟୁଲର ଡାୟନୋମିକ୍ସ ସିମୁଲେସନ ଟେକନିକ୍ର ଉପଯୋଗ କରିଥିଲେ। ଏଥିରେ ଗବେଷକମାନେ ରୋଷେଇ ଘରେ ମସଲା ଭାବେ ବ୍ୟବହୃତ ହେଉଥିବା ସାଧାରଣ ସାମଗ୍ରୀରେ ଉପସ୍ଥିତ ୩୦ ଅଣୁର ପ୍ରୟୋଗ କରି ଏଥିରେ ଥିବା ଔଷଧିୟ ତତ୍ୱର ସନ୍ଧାନ କରିଥିଲେ।
ଏଥିରେ ସେମାନେ ଗୋଲମରିଚରେ ଉପସ୍ଥିତ ରସାୟନ ଏକ୍ଲୋଲୟଡ ଯାହାକୁ ପେପରାଇନ ମଧ୍ୟ କୁହାଯାଏ। ଏହି ପେପରାଇନ୍ ହିଁ ଗୋଲମରିଚକୁ ଏତେ ରାଗ କରାଇଥାଏ ଯାହା କରୋନା ଭାଇରସର ଦୃଢ ମୁକାବିଲା ଲାଗି ସକ୍ଷମ ହେବ ବୋଲି ଏବେ ଆଶା କରାଯାଉଛି। ‘ଇଣ୍ଡିଆନ ସାଇନ୍ସ ୱେର’ ସୂତ୍ରରୁ ଉମାକାନ୍ତ ତ୍ରିପାଠୀ ଏନେଇ ସୂଚନା ଦେଇଥିବା ବେଳେ ଏହାର ଫଳାଫଳକୁ ଆଶାଜନକ କହିଛନ୍ତି। ଏପର୍ଯ୍ୟନ୍ତ ହୋଇଥିବା ଅଧ୍ୟାୟନକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ତେବେ ପ୍ରୟୋଗଶାଳାରେ ଏହାର ଅଧିକ ଗବେଷଣା ଆବଶ୍ୟକ ଥିବା ସେ କହିଛନ୍ତି।
ଏବେ ଓଡ଼ିଶାସ୍ଥିତ ବାୟୋଟେକ କମ୍ପାନୀ ଇମାଜିନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ଅଫ ବାୟୋଲଜିକ୍ସ ଅଶୋକ କୁମାରଙ୍କ ସହଯୋଗରେ ଗୋଲମରିଚରେ ଥିବା ଏହି ସ୍ୱତନ୍ତ୍ର ତତ୍ୱର ଅଧିକ ଗବେଷଣା ହେଉଛି। ଗବେଷକଙ୍କ ଅନୁସାରେ କମ୍ପ୍ୟୁଟର ଆଧାରିତ ଅଧ୍ୟାୟନ ପ୍ରୟୋଗ ଶାଳା ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଏହା ଏକ ଯୁଗାନ୍ତକାରୀ ଆବିଷ୍କାର ହେବ ବୋଲି କୁହାଯାଇପାରେ।
ଏମିତିରେ ଗୋଲମରିଚ ଏକ ପ୍ରାକୃତିକ ପଦାର୍ଥ। ଯାହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ଆଶଙ୍କା ମଧ୍ୟ ନାହିଁ। ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଏ ପର୍ଯ୍ୟ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ୩କୋଟି ୯୫ ଲକ୍ଷରୁ ଅଧିକ ଲୋକଙ୍କ ଲାଗି ବରଦାନ ହେବା ସହ ଆଗକୁ ସଂକ୍ରମିତ ହେବାକୁ ଥିବା ଲୋକଙ୍କ ପ୍ରାଣ ରକ୍ଷାକାରୀ ସାବ୍ୟସ୍ତ ହୋଇପାରିବ।